ଉଲ୍ଲେଖ ଥାଉ କି କବି ୟାହୁଦା ଆମିକାଇ ସୁପ୍ରସିଦ୍ଧ ୟମ କିପୁର ଯୁଦ୍ଧରେ ଇସ୍ରାଏଲ୍ ପକ୍ଷରୁ ଜଣେ ତରୁଣ ସୈନିକ ଭାବେ ଲଢ଼ିଥିଲେ। ଇସ୍ରାଏଲ୍ର ରାଷ୍ଟ୍ରପତି ବେଞ୍ଜାମିନ ନେତ୍ୟାନହୁ ମଧ୍ୟ ଜଣେ ‘ୟମ କିପୁର’ ଯୋଦ୍ଧା। କିନ୍ତୁ ସତ କଥାଟି ହେଲା ଆମିକାଇଙ୍କ ଦୃଷ୍ଟି ଯାହା ଦେଖିଥାଏ, ତାହା ନେତ୍ୟାନହୁଙ୍କ ମର୍ମ ଭେଦ କରି ନ ଥାଏ। ସମ୍ଭବତଃ, କୌଣସି ରାଷ୍ଟ୍ରର ଶାସନମୁଖ୍ୟ ହେବା ସହିତ ତାହାର ପାଉଣା ସ୍ବରୂପ ସଂବେଦନଶୀଳତାକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ! ଯାହା ଘଟିଛି ନେତ୍ୟାନହୁଙ୍କ ଠାରେ, ସୁଦାନର ମହମ୍ମଦ ଅଲ ବୁରହାନ ବା ଇରାନର ଆୟୋତୋଲ୍ଲା ଖୋମେନି ବା ରୁଷିଆର ଭ୍ଲାଡିମିର ପୁଟିନଙ୍କ ନିକଟରେ।
ଗଲା ଏପ୍ରିଲ ୧୫ ତାରିଖରେ, ଯେତେବେଳେ ଇସ୍ରାଏଲ୍ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସମଗ୍ର ପୃଥିବୀ ଚର୍ଚ୍ଚା-ମୁଖର ଥିଲା, ସେତିକିବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଏକ ଅତ୍ୟନ୍ତ ନୃଶଂସ ଯୁଦ୍ଧ ତା’ର ପ୍ରଥମ ବାର୍ଷିକୀ ପାଳନ କରୁଥିଲା ଏବଂ ତାହା ହେଉଛି ସୁଦାନ ଗୃହ ଯୁଦ୍ଧ। ପ୍ରକାଶ ଥାଉ କି ସୁଦାନ ଗୃହ ଯୁଦ୍ଧ, ତା’ର ତୀବ୍ରତା ଏବଂ ତହିଁରେ ଘଟି ଚାଲିଥିବା ରକ୍ତପାତ ଓ କ୍ଷୟକ୍ଷତି ଦୃଷ୍ଟିରୁ ଦେଶ-ଦେଶ ମଧ୍ୟରେ ସଂଘଟିତ ହେଉଥିବା ପୂର୍ଣ୍ଣାଙ୍ଗ ଯୁଦ୍ଧ ଠାରୁ କୌଣସି ଗୁଣରେ କମ୍ ନୁହେଁ; କାରଣ ତହିଁରେ ଗୋଟିଏ ବର୍ଷରେ ମୃତକଙ୍କ ସଂଖ୍ୟା ୧୫,୦୦୦ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୩୩,୦୦୦ ଏବଂ ୮୬ ଲକ୍ଷ ଜଣ ଉଦ୍ବାସ୍ତୁରେ ପରିଣତ ହୋଇଛନ୍ତି, ଯାହା ନିକଟ ଅତୀତରେ ଯୁଦ୍ଧ କାରଣରୁ ହୋଇଥିବା ବିସ୍ଥାପନଗୁଡ଼ିକ ମଧ୍ୟରେ ବୃହତ୍ତମ। ଜାତିସଂଘର ଏକ ଆକଳନ ଅନୁସାରେ ସୁଦାନରେ ସଂପ୍ରତି ପ୍ରାୟ ୧୪ ଲକ୍ଷ ଜଣ ଶିଶୁ ତତ୍କ୍ଷଣାତ୍ ମାନବୋଚିତ ସହାୟତା ପ୍ରତୀକ୍ଷାରେ ପଡ଼ି ରହିଛନ୍ତି। ଏଭଳି ସ୍ଥଳେ ସୁଦାନରୁ ପ୍ରଶ୍ନ ଉଠିଥାଏ ଯେ ଅକଥନୀୟ ମାନବ ଟ୍ରାଜେଡିର କାରଣ ହୋଇଥିବା ଏଭଳି ଏକ ଯୁଦ୍ଧ ବର୍ଷାଧିକ କାଳ ଅନାଲୋଚିତ ଏବଂ ପୃଥିବୀର ଦୃଷ୍ଟିପଥରୁ ବହିର୍ଭୂତ ହୋଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନୁହେଁ କି? ଏହା ହିଁ ହତଭାଗ୍ୟ ସୁଦାନୀମାନଙ୍କ ମର୍ମଦାହର କାରଣ ଏବଂ ୟୁକ୍ରେନ ବା ରୁଷିଆ କିମ୍ବା ଇସ୍ରାଏଲ୍ ଅଥବା ଇରାନ ବ୍ୟତୀତ ପୃଥିବୀର ଆହୁରି ଅନେକ ରାଷ୍ଟ୍ର ଅଙ୍ଗେ ନିଭାଉଥିବା ଅନାଲୋଚିତ, ଅପ୍ରଚାରିତ, ବିସ୍ମୃତ ଏବଂ ନିରବ ଅଥଚ ଭୟାବହ ଭାବେ ଶୋଣିତ ଜର୍ଜର ଯୁଦ୍ଧ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ‘ଏ.ସି.ଏଲ୍.ଇ.ଡି.’ ସଂଘର୍ଷ ସୂଚକାଙ୍କ ଅନୁସାରେ ଯୁଦ୍ଧ, ଗୃହଯୁଦ୍ଧ, ଡ୍ରଗ୍ କାର୍ଟେଲ (ନିଶା ବ୍ୟବସାୟୀ ଗୋଷ୍ଠୀ)ଗୁଡ଼ିକ ସହିତ ସଂଘର୍ଷ ଭଳି ସମର-ପ୍ରାୟ ପରିସ୍ଥିତି ଦେଇ ସଂପ୍ରତି ପୃଥିବୀର ଅନ୍ତତଃ ୫୦ଟି ରାଷ୍ଟ୍ର ଗତି କରୁଛନ୍ତି ଏବଂ ୨୦୨୪ ମସିହା ପ୍ରାରମ୍ଭ ସୁଦ୍ଧା ପ୍ରତି ଛଅ ଜଣ ପୃଥିବୀବାସୀଙ୍କ ମଧ୍ୟରୁ ଜଣେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏଭଳି ସ୍ଥିତି ଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥି ମଧ୍ୟରୁ କେତେକ ଯୁଦ୍ଧ ଅତ୍ୟନ୍ତ ଦୀର୍ଘ-କାଳୀନ ହୋଇ କ୍ରମେ ସେଥି ପ୍ରତି ଜନ ଆଗ୍ରହ ଏବଂ ଉତ୍କଣ୍ଠା ହରାଇ ବିସ୍ମୃତ ହୋଇଯାଇଛନ୍ତି, ଯେମିତି ସିରିଆ ବା ୟେମେନ ବା ଲିବିୟାରେ ଚାଲିଥିବା ଯୁଦ୍ଧମାନ ଏବଂ ଯେଉଁ ବିସ୍ମୃତିର ଗର୍ଭକୁ ରୁଷିଆ-ୟୁକ୍ରେନ ଯୁଦ୍ଧ ନିକ୍ଷେପିତ ହେବା ପ୍ରାୟ ସୁନିଶ୍ଚିତ। କିନ୍ତୁ ଅପର ପକ୍ଷରେ ସୁଦାନ ଗୃହ ଯୁଦ୍ଧ ଭଳି ସକ୍ରିୟ ଏଭଳି ଅନେକ ଯୁଦ୍ଧ ଓ ସଂଘର୍ଷ ସେମାନଙ୍କ ଅବର୍ଣ୍ଣନୀୟ ଭୟାବହତା ସତ୍ତ୍ବେ ଅଜ୍ଞାତ ବା ସ୍ପଳ୍ପ ଜ୍ଞାତ ହୋଇ ରହିଛନ୍ତି; ଯେମିତି କାଜଖସ୍ତାନ-କୁର୍ଦ୍ଦିସ୍ତାନ ବା ଆର୍ମେନିଆ-ଆଜରବାଇଜାନ ବା କଂଗୋ-ରୁଆଣ୍ଡା ବା ରୁଆଣ୍ଡା-ବୁରୁଣ୍ଡି ବା ଆବିସିନିଆ-ଏଟ୍ରିସିଆ-ଇଥିଓପିଆ ଭଳି ଯୁଦ୍ଧମାନ। ପ୍ରକାଶ ଥାଉ କି ଅଞ୍ଚଳ ଦଖଲ (ଆଜରବାଇଜାନ-ଆର୍ମେନିଆ), ଶତ୍ରୁ ଭାବାପନ୍ନ ପଡ଼ୋଶୀ ଦ୍ବାରା ଅସ୍ଥିରତା ସୃଷ୍ଟିର ଆରୋପ (କଂଗୋ-ରୁଆଣ୍ଡା ବା ରୁଆଣ୍ଡା-ବୁରୁଣ୍ଡି), ଭାଷାଗତ ବିଦ୍ବେଷ (ଇଂରେଜୀଭାଷୀ ଆବିସିନିଆ ବନାମ ଫରାସୀ ଭାଷୀ ଇଥିଓପିଆ) ଭଳି କାରଣରୁ ଏଭଳି ଯୁଦ୍ଧମାନ ସଂଘଟିତ ହୋଇଛି। ପ୍ରକାଶ ଥାଉ କି ୨୦୨୪ ମସିହାରେ ୨୦୨୨ ତୁଳନାରେ ଯୁଦ୍ଧ ଓ ସଂଘର୍ଷ ସଂଖ୍ୟାରେ ୧୨ ପ୍ରତିଶତ ଏବଂ ୨୦୧୯ ମସିହା ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ଘଟିଥିଲେ ହେଁ ଏବଂ ସେସବୁ ଭୟାବହ ଧ୍ବଂସଲୀଳା ସଂଘଟିତ କରିଚାଲିଥିଲେ ସୁଦ୍ଧା ହାତଗଣତି ମାତ୍ର ଗୋଟିଏ ବା ଦୁଇଟି ଯୁଦ୍ଧକୁ ବାଦ୍ ଦେଲେ ବାକି ସବୁ ଲୋକଲୋଚନରୁ ବହିର୍ଭୂତ ହୋଇ ରହିଯାଇଛି, ଯାହା ଏକ ବିଡ଼ମ୍ବନାର ବିଷୟ!
ଯୁଦ୍ଧଗୁଡ଼ିକ ସାଧାରଣ ଜନଜୀବନରେ କିଭଳି ଅକଳ୍ପନୀୟ ଭାବେ ଗଭୀର କ୍ଷତ ସୃଷ୍ଟି କରନ୍ତି, ତାହାର କରୁଣ ପ୍ରମାଣମାନ ସାମାଜିକ ଗଣମାଧ୍ୟମରେ ଅହରହ ପ୍ରସାରିତ ଭିଡିଓ ଆଦି ମାଧ୍ୟମରେ ସର୍ବତ୍ର ଦୃଶ୍ୟମାନ ହୋଇଥାଏ। ଏହି ପରିପ୍ରେକ୍ଷୀରେ ୨୦୧୩ ମସିହାର ଏକ ଘଟଣା ମଧ୍ୟ ଉଲ୍ଲେଖଯୋଗ୍ୟ, ଯହିଁରେ ଦେଖିବାକୁ ମିଳିଥିଲା, ଭିଏତ୍ନାମ ଯୁଦ୍ଧ କାଳରେ ନିବିଡ଼ ବିଷୁବ ମଣ୍ଡଳୀୟ ଅରଣ୍ୟ ମଧ୍ୟକୁ ପଳାୟନ କରିଥିବା ଯୁଦ୍ଧ ସଂତ୍ରସ୍ତ ପିତା-ପୁତ୍ର ଯୋଡ଼ି ହୋ ଭାନ ଥନ ଏବଂ ହୋ ଭାନ ଲାଙ୍ଗ ୨୦୧୩ ମସିହାରେ ଜଙ୍ଗଲ ଭିତରେ ଆବିଷ୍କୃତ ହେବା ବେଳକୁ ସଂପୂର୍ଣ୍ଣ ଅଜ୍ଞ ଥିଲେ ଯେ ପ୍ରାୟ ଚାଳିଶ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୭୫ ମସିହାରୁ ଯୁଦ୍ଧର ପରିସମାପ୍ତି ଘଟି ସାରିଛି। ପ୍ରକାଶ ଥାଉ କି ଜଙ୍ଗଲ ଭିତରେ ସେମାନେ ଠାବ ହେଲା ବେଳକୁ ପିତା ହୋ ଥନ ଦୁର୍ବଳ ଓ ଚଳତ୍ଶକ୍ତିଶୂନ୍ୟ ହୋଇ ପଡ଼ି ରହିଥିଲେ ଏବଂ ଜୀର୍ଣ୍ଣଶୀର୍ଣ୍ଣ ପ୍ରୌଢ଼ ପୁତ୍ର ହୋ ଲାଙ୍ଗ କେବଳ ଅଙ୍ଗରେ ଏକ କଟିବସ୍ତ୍ର ମାତ୍ର ପରିଧାନ କରି କୌଣସିମତେ ଜୀବିତ ଥିଲେ। କହିବା ବାହୁଲ୍ୟ ଯେ ଯୁଦ୍ଧ କାଳରେ ସୃଷ୍ଟି ହେଉଥିବା ମାନବୀୟ ଦୁର୍ଦଶା ପିଢ଼ି ପରେ ପିଢ଼ି ଜନଜୀବନକୁ ଆକ୍ରାନ୍ତ କରି ଚାଲିଥାଏ। ୨୦୦୧ ମସିହାରୁ ଏ ଯାବତ୍ ଅନେକ ଜଣା ଅଜଣା ଯୁଦ୍ଧ ଦ୍ବାରା ପୃଥିବୀ ବାସିନ୍ଦା କିଭଳି କ୍ଷତି ସହିଛନ୍ତି, ତାହା କେବଳ ଏଥିରୁ ସ୍ପଷ୍ଟ ହେବ ଯେ ଏହି କାଳ ଖଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧ କୋଟି ୪୦ ଲକ୍ଷ ନାଗରିକ ବାସଚ୍ୟୁତ ଓ ବିସ୍ଥାପିତ ହୋଇଛନ୍ତି। ସୁତରାଂ, ଏଭଳି ସ୍ଥିତିରେ ଗୃହଯୁଦ୍ଧର ଭୀଷଣତା ଦ୍ବାରା ଜର୍ଜର ସୁଦାନରୁ ଉଠୁଥିବା କ୍ଷୋଭମୂଳକ ପ୍ରଶ୍ନ ଯଥାର୍ଥ ବୋଧ ହୋଇ ନ ଥାଏ କି?
ଏହି ଆଲୋଚନା ବେଳେ ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ ସେହି କ୍ଷୁଦ୍ର ଏବଂ ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା ସ୍ମରଣକୁ ଆସିଥାଏ, ଯାହାର ନାମ ‘ଡାୟାମିଟର ଅଫ୍ ଏ ବଂବ୍’ ବା ‘ଗୋଟିଏ ବୋମାର ବ୍ୟାସ।’ ସେହି କବିତାର ଗଦ୍ୟାନୁବାଦ ଏହିଭଳି: ବୋମାର ବ୍ୟାସ ତିରିଶ ସେଣ୍ଟିମିଟର; ଏବଂ ତାହା ଦ୍ବାରା ପ୍ରଭାବିତ ଅଞ୍ଚଳର ବ୍ୟାସ ପ୍ରାୟ ସାତ ମିଟର। ଚାରି ଜଣ ମୃତ ଏବଂ ଏଗାର ଜଣ ଆହତ; ଯନ୍ତ୍ରଣା ଏବଂ ସମୟର ଏକ ବୃହତ୍ତର ବୃତ୍ତରେ ସେମାନେ ଦୁଇଟି ଡାକ୍ତରଖାନା ଏବଂ ଗୋଟିଏ ଶ୍ମଶାନରେ ବିକ୍ଷିପ୍ତ। ତରୁଣୀ ଜଣଙ୍କୁ, ଶହେ କିଲୋମିଟର ଦୂରରେ, ସେ ରହୁଥିବା ସହରରେ କବର ଦିଆଯାଏ; ସୁତରାଂ, ଆହୁରି ପରିବ୍ୟାପ୍ତ ହୋଇଯାଏ ବୃତ୍ତ। ସାତ ଦରିଆ ପାରି ଦୂର କୌଣସି ଏକ ଦେଶର ତଟରେ ତାଙ୍କ ମୃତ୍ୟୁରେ ଅଶ୍ରୁପାତ କରୁଥାନ୍ତି ଜଣେ ନିଃସଙ୍ଗ ପୁରୁଷ! ତାଙ୍କ ସହିତ ସମଗ୍ର ପୃଥିବୀ ହୋଇଯାଏ ସେହି ବୃତ୍ତର ଅଧୀନ। ଆକୁଳ ରୋଦନ କରୁଥିବା ଛେଉଣ୍ଡମାନଙ୍କ କଥା ତ ମୁଁ ଏ ଯାଏ କହିନାହିଁ, ଯେଉଁମାନଙ୍କ ସ୍ବର ଈଶ୍ବରଙ୍କ ସିଂହାସନ ଛୁଇଁ ଯାଏ, ତାକୁ ଅତିକ୍ରମ ମଧ୍ୟ କରିଯାଏ; ଏବଂ ଏଇ ମତେ ବୃତ୍ତଟି ହୋଇଯାଏ ଅନ୍ତହୀନ ଏବଂ ଈଶ୍ବରଶୂନ୍ୟ।’
ଉଲ୍ଲେଖ ଥାଉ କି କବି ୟାହୁଦା ଆମିକାଇ ସୁପ୍ରସିଦ୍ଧ ୟମ କିପୁର ଯୁଦ୍ଧରେ ଇସ୍ରାଏଲ୍ ପକ୍ଷରୁ ଜଣେ ତରୁଣ ସୈନିକ ଭାବେ ଲଢ଼ିଥିଲେ। ଇସ୍ରାଏଲ୍ର ରାଷ୍ଟ୍ରପତି ବେଞ୍ଜାମିନ ନେତ୍ୟାନହୁ ମଧ୍ୟ ଜଣେ ‘ୟମ କିପୁର’ ଯୋଦ୍ଧା। କିନ୍ତୁ ସତ କଥାଟି ହେଲା ଆମିକାଇଙ୍କ ଦୃଷ୍ଟି ଯାହା ଦେଖିଥାଏ, ତାହା ନେତ୍ୟାନହୁଙ୍କ ମର୍ମ ଭେଦ କରି ନ ଥାଏ। ସମ୍ଭବତଃ, କୌଣସି ରାଷ୍ଟ୍ରର ଶାସନମୁଖ୍ୟ ହେବା ସହିତ ତାହାର ପାଉଣା ସ୍ବରୂପ ସଂବେଦନଶୀଳତାକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ! ଯାହା ଘଟିଛି ନେତ୍ୟାନହୁଙ୍କ ଠାରେ, ସୁଦାନର ମହମ୍ମଦ ଅଲ ବୁରହାନ ବା ଇରାନର ଆୟୋତୋଲ୍ଲା ଖୋମେନି ବା ରୁଷିଆର ଭ୍ଲାଡିମିର ପୁଟିନଙ୍କ ନିକଟରେ। ତେଣୁ ଯୁଦ୍ଧମାନ ଘଟି ହାହାକାରମୟ ପରିସ୍ଥିତି ସୃଷ୍ଟି ହୋଇ ଚାଲିଥିବା ସତ୍ତ୍ବେ େସଗୁଡ଼ିକ ପ୍ରଲମ୍ବିତ ହେବାରେ ଲାଗିଛନ୍ତି।