ଅସ୍ମିତାର ଆକର୍ଷଣ

ଓଡ଼ିଶାରେ ଏହି ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର ହୋଇଥିଲେ ହେଁ ଶେଷରେ ତାହାହିଁ ସାବ୍ୟସ୍ତ ହୋଇଛି। ବ୍ୟକ୍ତିଗତ ସ୍ତରରେ ଲାଭାର୍ଥୀମାନେ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରୀତ ଥିଲେ ହେଁ, ଏହି ବ୍ୟକ୍ତିମାନଙ୍କ ସମଷ୍ଟିରୁ ସୃଷ୍ଟ ଓଡ଼ିଆ ଜାତି କ୍ରମେ ନିଜର ସ୍ବାଭିମାନ ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନ ହେବାକୁ ଆରମ୍ଭ କଲା- ଅସ୍ମିତା ରୂପକ ଅଭୌତିକ ଲକ୍ଷ୍ୟର ଆକର୍ଷଣର ଶକ୍ତି ବୃଦ୍ଧି ପାଇବାରେ ଲାଗିଲା।

ଅବଶେଷରେ ଆସନ୍ତାକାଲି ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଶାସନ ପରିବର୍ତ୍ତନ ଘଟି ନୂତନ ଭାରତୀୟ ଜନତା ପାର୍ଟି ସରକାର ଶପଥ ଗ୍ରହଣ କରିବାକୁ ଯାଉଛି। ଗତ ଶନିବାରର ‘ସମ୍ବାଦ’ରେ ତାଙ୍କର ‘ଓଡ଼ିଶା ଡାଏରି’ ସ୍ତମ୍ଭରେ ସ୍ତମ୍ଭକାର ଗୌରହରି ଦାସ ଓଡ଼ିଶାରେ ଏହି ଶାସନ ପରିବର୍ତ୍ତନ ପାଇଁ ମିଳିଥିବା ଜନାଦେଶ ପଛରେ ନିହିତ ଥିବା କାରଣମାନଙ୍କର ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି, ତାହାକୁ ଏକ ଯୁକ୍ତିନିଷ୍ଠ ତଥା ସଂପୂର୍ଣ୍ଣ ତାଲିକାର ମର୍ଯ୍ୟାଦା ପ୍ରଦାନ କରାଯାଇପାରେ। ଏକ ଦାର୍ଶନିକ ଦୃଷ୍ଟିକୋଣରୁ ବିଚାର କଲେ ଏହି ତାଲିକାଭୁକ୍ତ କାରଣମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଠେଲିଥିବା (‘ପୁସ୍’) ଓ ଭିଡ଼ିଥିବା (‘ପୁଲ୍’)। ଏଥିମଧ୍ୟରୁ ନବୀନ ପଟ୍ଟନାୟକଙ୍କ ଆତ୍ମଗୋପନରୁ ଆରମ୍ଭ କରି ‘୫-ଟି’ ଶାସନ ପଦ୍ଧତିର ଉଦ୍ଭାବନ ପର୍ଯ୍ୟନ୍ତ ପ୍ରଥମ ଅର୍ଥାତ୍ ‘ପୁସ୍’ ଶ୍ରେଣୀର ହୋଇଥିବା ବେଳେ, ଯେଉଁ ଗୋଟିଏ ମାତ୍ର କାରଣ ହେଉଛି ‘ପୁଲ୍’ ଶ୍ରେଣୀର, ତାହା ହେଲା- ଓଡ଼ିଆ ଅସ୍ମିତା। ଏହି ଦୁଇ ଶ୍ରେଣୀର କାରଣମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ହୃଦୟଙ୍ଗମ କରିବା ପାଇଁ ନିମ୍ନମତେ ଚେଷ୍ଟା କରାଯାଇପାରେ।
ଲେଖକଙ୍କ କହିବା ଭଳି ଏହି ପରିବର୍ତ୍ତନ ଅପ୍ରତ୍ୟାଶିତ ନ ଥିଲା, ଯଦିବା ଏହାର ଏକ ଭିନ୍ନ କାରଣ କଳ୍ପନା କରାଯାଇପାରେ। ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ହେରାକ୍ଲିଟସ୍ କହିଥିବା ଭଳି ସଂସାରରେ ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ଘଟଣା। ଦାର୍ଶନିକମାନେ ବିଶ୍ବାସ କରନ୍ତି ଯେ ଏକ ସତ୍ତା ତା’ର ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିବା ପାଇଁ ଏହି ପରିବର୍ତ୍ତନ ଘଟି ଚାଲିଥାଏ। ପରିବର୍ତ୍ତନ ମାଧ୍ୟମରେ ଏକ ସତ୍ତା ତା’ର ଲକ୍ଷ୍ୟ ନିକଟକୁ ଭିଡ଼ି ହୋଇ ଯାଇଥାଏ। ଏହି ଲକ୍ଷ୍ୟ ତେଣୁ ସତ୍ତା ପାଇଁ ଏକ ଆକର୍ଷଣ ଭାବରେ କାର୍ଯ୍ୟ କରିଥାଏ। ଆଧୁନିକ ଗଣିତର ‘ଡାଇନାମିକ୍‌ସ’ ନାମକ ଶାଖାରୁ ଆହରଣ କରି ସେମାନେ ଏହି ‘ଆକର୍ଷକ’ (‘ଆଟ୍ରାକ୍‌ଟର୍’) ଶବ୍ଦ ବ୍ୟବହାର କରିଥାନ୍ତି। ଏହି ‘ଲକ୍ଷ୍ୟ’ ବା ‘ଆକର୍ଷକ’ ଏକ ବସ୍ତୁ ନୁହେଁ, ଏହା ହେଉଛି ଏକ ଅପ୍ରତ୍ୟକ୍ଷ ବା ‘ଭର୍ଚୁଆଲ୍’ ଦୁନିଆର ଅଂଶ। ସେମାନେ କିନ୍ତୁ ବାସ୍ତବ ଜଗତର ସତ୍ତାମାନଙ୍କୁ ବାସ୍ତବ ଢଙ୍ଗରେ ପ୍ରଭାବିତ କରିଥାନ୍ତି। ଭର୍ଚୁଆଲ୍ ଭବିଷ୍ୟତରେ ଅବସ୍ଥିତ ଏହି ଲକ୍ଷ୍ୟ ବା ‘ଆକର୍ଷକ’ ଏକ ସତ୍ତାକୁ ନିଜ ଆଡ଼କୁ ଭିଡ଼ି ଚାଲିଥାଏ।
ଆରିଷ୍ଟୋଟ୍‌ଲ ଓ ସେଣ୍ଟ୍ ଥମାସ୍ ଆକ୍ବିନାସ୍‌ଙ୍କୁ ଅନୁସରଣ କରି ମଧ୍ୟଯୁଗରେ ଦାର୍ଶନିକମାନେ ବିଶ୍ବାସ କରୁଥିଲେ ଯେ ପ୍ରତ୍ୟେକ ଜୀବନ୍ତ ବସ୍ତୁ ମଧ୍ୟରେ ନିହିତ ଥିବା ତା’ର ଆତ୍ମା ତା’ ପାଇଁ ଏହି ଲକ୍ଷ୍ୟ ସ୍ଥାପନ କରିଥାଏ, ଯାହା ତାକୁ ଅନବରତ ନିଜ ଆଡ଼କୁ ଆକର୍ଷିତ କରିଚାଲିଥାଏ- ଅତୀତରୁ ଭବିଷ୍ୟତକୁ। ଏହାହିଁ ହେଉଛି ପରିବର୍ତ୍ତନ। ଉଦାହରଣ ସ୍ବରୂପ ଉଦ୍ଭିଦ ଓ ମାନବେତର ପ୍ରାଣୀମାନଙ୍କ ମୌଳିକ ଲକ୍ଷ୍ୟ ହେଉଛି ଶାରୀରିକ ବୃଦ୍ଧି ହାସଲ କରିଚାଲି ଶେଷରେ ପ୍ରଜନନକ୍ଷମ ହେବା। ଏକ ଶାଳ ଚାରାର ଲକ୍ଷ୍ୟ ହେଉଛି ଏକ ଶାଳ ଗଛରେ ପରିଣତ ହେବା ଓ ଶେଷରେ ନୂତନ ଶାଳ ଚାରାମାନଙ୍କୁ ଜନ୍ମ ଦେବା। ଏକ ଭର୍ଚୁଆଲ୍ ଭବିଷ୍ୟତରେ ଥାଇ ଏହି ଅଭୌତିକ ଲକ୍ଷ୍ୟ ଯେତେବେଳେ ଏକ ଶାଳ ଚାରାକୁ ନିଜ ଆଡ଼କୁ ଭିଡୁଥାଏ, ସେତେବେଳେ ମାଟି, ପାଣି, ପବନ, ଆଲୋକ- ସମସ୍ତେ ମିଶି ସେ ଚାରାକୁ ତା’ର ସେଇ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିବାରେ ସହାୟକ ହୋଇ ତାକୁ ଅତୀତରୁ ଭବିଷ୍ୟତ ଦିଗରେ ଠେଲିବାରେ ବା ‘ପୁସ୍’ କରିବାରେ ଲାଗିଥାନ୍ତି। ଏହାହିଁ ହେଉଛି ଅନିବାର୍ଯ୍ୟ ପରିବର୍ତ୍ତନ ପଛରେ ନିହିତ ଥିବା ‘ପୁସ୍’ ଓ ‘ପୁଲ୍’ ଶ୍ରେଣୀର କାରଣମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ।
ମନୁଷ୍ୟ କିନ୍ତୁ ହେଉଛି ଶାଳ ଗଛ କିମ୍ବା ଛେଳି, ମେଣ୍ଢା ଠାରୁ ଭିନ୍ନ। ଆଧୁନିକ ପାଶ୍ଚାତ୍ୟ ଦର୍ଶନଶାସ୍ତ୍ର‌ର ଜନକ ରେନେ ଡେକାଟ୍‌ଙ୍କ ଅନୁସାରେ ମନୁଷ୍ୟ ହେଉଛି ପୃଥିବୀରେ ଏକମାତ୍ର ପ୍ରାଣୀ ଯାହାର ଚିନ୍ତା କରିବା ଶକ୍ତି ବହନ କରୁଥିବା ଏକ ମସ୍ତିଷ୍କ ରହିଛି। ଏହି ମାନବ ମସ୍ତିଷ୍କ ହିଁ କେବଳ ଅସ୍ମିତା ଭଳି ଏକ ଅଭୌତିକ ଲକ୍ଷ୍ୟର ଧାରଣା କରିପାରେ (କବିବର ରାଧାନାଥଙ୍କର ‘‘ଅସ୍ମିତା ବି‌ସ୍ମୟେ ବୁଡ଼ିଲା ମୋ ମନ’’କୁ ଅନୁସରଣ କରି କୌଣସି ମେଣ୍ଢାର ମନ କେବେ ହେଲେ ଅସ୍ମିତା-ବିସ୍ମୟରେ ବୁଡ଼ି ଯାଇପାରିବ ନାହିଁ)। କିନ୍ତୁ ଯେଉଁ ଅର୍ଥରେ ନିର୍ବାଚନ ଅଭିଯାନ ସମୟରେ ନବୀନଙ୍କ ପ୍ରତିପକ୍ଷମାନେ ଏହି ‘ଅସ୍ମିତା’ ଧାରଣାକୁ ବ୍ୟବହାର କରିଛନ୍ତି, ତାହା ରାଧାନାଥଙ୍କ ଅସ୍ମିତାର ଆତ୍ମସଚେତନତା ଅପେକ୍ଷା ଅଧିକ ସ୍ବାଭିମାନକୁ ବୁଝାଇଥାଏ, ଯାହା ଏକ ଗୋଷ୍ଠୀର ସଦସ୍ୟ ରୂପେ ଏକ ବ୍ୟକ୍ତି ଅନୁଭବ କରିଥାଏ।
ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷର ଶାସନ କାଳରେ ବିଭିନ୍ନ ବଣ୍ଟନ ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ ଅଗଣିତ ଲାଭାର୍ଥୀମାନେ ସୃଷ୍ଟି ହୋଇଥିଲେ। ଏହି ଲାଭ ଥିଲା ବ୍ୟକ୍ତିଭିତ୍ତିକ ଏବଂ ଏହା ଦୀର୍ଘକାଳ ଧରି ଅସ୍ମିତା ଭଳି ଏକ ରଙ୍ଗହୀନ-ଗନ୍ଧହୀନ-ସ୍ବାଦହୀନ-ଓଜନହୀନ… ଅଭୌତିକ ଲକ୍ଷ୍ୟର ଆକର୍ଷଣକୁ ଦୁର୍ବଳ କରି ରଖିଥିଲା। ଅନ୍ୟ କୌଣସି ରାଜ୍ୟରେ ଏହା କଳ୍ପନାତୀତ ହୋଇଥିଲେ ହେଁ ଓଡ଼ିଆ ଭାଷା ଜାଣି ନ ଥିବା ସତ୍ତ୍ବେ ଏଠାରେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଅତୁଟ ରହି ଚାଲିଥିଲା। କିନ୍ତୁ ମନୁଷ୍ୟ କେବଳ ଏକ ବ୍ୟକ୍ତି ନୁହେଁ। ସେ ମଧ୍ୟ ହେଉଛି ବ୍ୟକ୍ତିମାନଙ୍କ ସମଷ୍ଟିରେ ସୃଷ୍ଟ ସମାଜର ଏକ ଅଂଶ। ଆଉ ସମାଜ କେବଳ ବ୍ୟକ୍ତିମାନଙ୍କର ଏକ ଗାଣିତିକ ସମଷ୍ଟି ନ‌ୁହେଁ- ଏହା ହେଉଛି ତା’ ଠାରୁ ବୃହତ୍ତର ଏକ ସତ୍ତା, ଯାହାଠାରେ ଏକ ଭିନ୍ନ ଚରିତ୍ରର ମଧ୍ୟ ଆବିର୍ଭାବ ଘଟିପାରେ। ଊନବିଂଶ-ବିଂଶ ଶତାବ୍ଦୀର ପ୍ରଖ୍ୟାତ ବ୍ରିଟିଶ୍ ଦାର୍ଶନିକ ଆଲ୍‌ଫ୍ରେଡ୍ ନର୍ଥ ହ୍ବାଇଟ୍‌ହେଡ୍ ଓ ଦକ୍ଷିଣ ଆଫ୍ରିକୀୟ ରାଜନେତା-ଦାର୍ଶନିକ ୟାନ୍ ସ୍ମଟ୍‌ସ ଯେଉଁ ‘ପୂର୍ଣ୍ଣ ଦର୍ଶନ’ ବା ‘ହୋଲିଷ୍ଟିକ୍’ ଦର୍ଶନର ପ୍ରସାର କରିଥିଲେ, ସେଥିରେ ସେମାନେ ସମଗ୍ର ପ୍ରକୃତିରେ ଏହି ଚରିତ୍ର ଦେଖିବାକୁ ମିଳିଥାଏ ବୋଲି ଦାବି କରିଥିଲେ। ସ୍ମଟ୍‌ସ ତାଙ୍କର ପୁସ୍ତକ ‘ହୋଲିଜମ ଆଣ୍ଡ୍ ଇଭୋଲ୍ୟୁସନ୍’ରେ ଦର୍ଶାଇଥିଲେ ଯେ ସର୍ଜନାତ୍ମକ ବିବର୍ତ୍ତନ ମାଧ୍ୟମରେ ପ୍ରକୃତି ସର୍ବଦା ନିଶ୍ଚିତ କରିବାକୁ ଚେଷ୍ଟା କରିଥାଏ ଯେପରି ଅଂଶମାନଙ୍କର ଯୋଗଫଳ ଠାରୁ ତା’ର ସମଷ୍ଟି ଅଧିକ ହେବ (୨+୨>୪)।
ଓଡ଼ିଶାରେ ଏହି ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର ହୋଇଥିଲେ ହେଁ ଶେଷରେ ତାହାହିଁ ସାବ୍ୟସ୍ତ ହୋଇଛି। ବ୍ୟକ୍ତିଗତ ସ୍ତରରେ ଲାଭାର୍ଥୀମାନେ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରୀତ ଥିଲେ ହେଁ, ଏହି ବ୍ୟକ୍ତିମାନଙ୍କ ସମଷ୍ଟିରୁ ସୃଷ୍ଟ ଓଡ଼ିଆ ଜାତି କ୍ରମେ ନିଜର ସ୍ବାଭିମାନ ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନ ହେବାକୁ ଆରମ୍ଭ କଲା- ଅସ୍ମିତା ରୂପକ ଅଭୌତିକ ଲକ୍ଷ୍ୟର ଆକର୍ଷଣର ଶକ୍ତି ବୃଦ୍ଧି ପାଇବାରେ ଲାଗିଲା। ଶାଳ ଗଛ ତା’ର ଲକ୍ଷ୍ୟ ପୂରଣ ପାଇଁ ସେଇ ଲକ୍ଷ୍ୟ ଦ୍ବାରା ଆକର୍ଷିତ ହୋଇ ବଢ଼ି ଚାଲିଥିବା ବେଳେ ମାଟି, ପାଣି, ପବନ ଯେମିତି ତାକୁ ପଛରୁ ଠେଲି ସାହାଯ୍ୟ କରିଥାନ୍ତି ଗୌରହରିଙ୍କ ବର୍ଣ୍ଣିତ ଅନ୍ୟ ସମସ୍ତ କାରଣମାନ ସେହିପରି ଓଡ଼ିଆ ମତଦାତାମାନଙ୍କୁ ଶେଷରେ ‘ଇଭିଏମ୍’ ମାଧ୍ୟମରେ ସେମାନଙ୍କର ଅସ୍ମିତା ଜାହିର କରିବାକୁ ପ୍ରବୃତ୍ତ କରିଥିଲେ। ସେ ସୂଚାଇଥିବା ଭଳି ଏହାର ବଳିଷ୍ଠତମ ପ୍ରଦର୍ଶନ ‌ଘଟିଛି କଣ୍ଟାବାଞ୍ଜିରେ ଖୋଦ୍ ନବୀନ ପଟ୍ଟନାୟକଙ୍କ ଶୋଚନୀୟ ପରାଜୟରେ ଏବଂ ତାଙ୍କ ପକେଟ୍ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ତାଙ୍କର ସୂତାଖିଏର ବିଜୟରେ।
ତେବେ ଓଡ଼ିଶାବାସୀଙ୍କର ଦୀର୍ଘକାଳର ସୁପ୍ତ ଅସ୍ମିତା ଜାଗିବା ପାଇଁ ଯେ ଏକ ଅଗ୍ନି ସଂଯୋଗ ଆବଶ୍ୟକ ହେଉଥିଲା, ତାହା ଅସ୍ବୀକାର କରିହେବ ନାହିଁ। ଏହି ଉଦ୍ଦେଶ୍ୟରେ ଅନ୍ୟ କେତେକ ସ୍ବର ବେଳେବେଳେ ଶୁଣିବାକୁ ମିଳିଥିଲେ ହେଁ, ଯାହାଙ୍କର ନିର୍ଭୀକ ଶାଣିତ ସ୍ବର ଶେଷରେ ରାଜ୍ୟବାସୀଙ୍କର ନିଦ୍ରାଭଙ୍ଗ କରିଥିଲା, ସେ ହେଉଛନ୍ତି ଏହି ସମ୍ବାଦପତ୍ରର ତତ୍‌କାଳୀନ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜ୍ୟରେ ଏହି ରାଜନୈତିକ ପଟ୍ଟ ପରିବର୍ତ୍ତନ ଓଡ଼ିଆ ଅସ୍ମିତାର ବିଜୟର ସ୍ବାକ୍ଷର ବହନ କରିବା ସଙ୍ଗେ ସଙ୍ଗେ ତେଣୁ ଆଉ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ବହନ କରିଥାଏ, ତାହା ହେଲା ଏକ ସୁସ୍ଥ ଗଣତନ୍ତ୍ର ନିଶ୍ଚିତ କରିବାରେ ଏକ ମୁକ୍ତ ଗଣମାଧ୍ୟମର ଅପରିହାର୍ଯ୍ୟ ଆବଶ୍ୟକତା।

ସମ୍ବନ୍ଧିତ ଖବର