ଏହା ସତ ଯେ ପେମେଣ୍ଟ୍ସ ବ୍ୟାଙ୍କ୍ମାନଙ୍କ ପ୍ରତି ଲାଗୁ ହେଉଥିବା ସର୍ତ୍ତାବଳୀ କିଛିମାତ୍ରାରେ କୋହଳ କରା ନ ଗଲେ ସେମାନଙ୍କ ବ୍ୟବସାୟ ଲାଭପ୍ରଦ ହେବା କଷ୍ଟକର। କିନ୍ତୁ ଏହାର ଅର୍ଥ ନୁହେଁ ଯେ କୌଣସି ପେମେଣ୍ଟ୍ସ ବ୍ୟାଙ୍କ୍ ଆପଣାଛାଏଁ ନିୟମକୁ ହୁଗୁଳା କରିଦେଇ ବ୍ୟବସାୟ କରିବାରେ ପ୍ରବୃତ୍ତ ହେବ। ଯେହେତୁ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କ ଅର୍ଥ ବ୍ୟବହାର କରି ସେମାନେ ବ୍ୟବସାୟ କରୁଛନ୍ତି, ସେଇ ଗ୍ରାହକମାନଙ୍କର ସ୍ବାର୍ଥରକ୍ଷା ନିମିତ୍ତ ରିଜର୍ଭ ବ୍ୟାଙ୍କ୍କୁ ‘ପେଟିଏମ୍’ ପରି ସଂସ୍ଥାମାନଙ୍କ ଉପରେ ସର୍ବଦା ସତର୍କ ନଜର ରଖିବାକୁ ହେବ।
ଗତ ଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ଅନ୍ୟତମ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଦଳ ସେ ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ ଏକ ବିଶେଷ ଦୃଷ୍ଟି ଆକର୍ଷଣକାରୀ ତଥା ପ୍ରଭାବଶାଳୀ ସ୍ଲୋଗାନ୍ର ପରିକଳ୍ପନା କରିଥିଲା। ସ୍ଲୋଗାନ୍ଟି ହେଲା: ‘ପେସିଏମ୍ ୪୦%’ ଏବଂ ଏହି ସ୍ଲୋଗାନ୍ ବହନ କରୁଥିବା ପୋଷ୍ଟର୍ରେ ଯେଉଁ ‘କ୍ୟୁଆର୍ କୋଡ୍’ ଛାପା ହୋଇଥିଲା, ତାହା ଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ (ସିଏମ୍) ବାସବରାଜ ବୋମାଇଙ୍କର ମୁହଁର ଏକ ଜାଲଜାଲୁଆ ଛବି। ଠିକାଦାରମାନଙ୍କୁ ସରକାରଙ୍କୁ ୪୦% କମିସନ୍ ଦେବାକୁ ପଡୁଛି ବୋଲି କଂଗ୍ରେସ କରି ଆସୁଥିବା ଅଭିଯୋଗ ଉପରେ ଏହି ଅଭିନବ ନିର୍ବାଚନୀ ସ୍ଲୋଗାନ୍ ଆଧାରିତ ଥିଲା।
ଘଟଣାକ୍ରମରେ କଂଗ୍ରେସ ସେ ନିର୍ବାଚନରେ ବିଜୟୀ ହୋଇ କର୍ଣ୍ଣାଟକରେ ସରକାର ଗଠନ କରିଛି। କିନ୍ତୁ ରାଜନୀତି ବାହାରେ ଯାହା ପାଇଁ ଏହା ବିନା ପରିଶ୍ରମରେ ଏକ ଲୋଭନୀୟ ବିଜୟ ଆଣି ଦେଇଥିଲା, ସେ ହେଉଛନ୍ତି ବର୍ତ୍ତମାନ ଗୁରୁତର ନିୟନ୍ତ୍ରଣ ଅଡୁଆରେ ଛନ୍ଦି ହୋଇଥିବା ଦେଶର ଅଗ୍ରଣୀ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କଂପାନି- ‘ପେଟିଏମ୍’। କାରଣ ଶବ୍ଦର ଖେଳ କରି କଂଗ୍ରେସ ତା’ର ସ୍ଲୋଗାନ୍ରେ ‘ପେଟିଏମ୍’ ସ୍ଥାନରେ ‘ପେସିଏମ୍’ ଲେଖିଦେବା ଦ୍ବାରା ସତେ େଯମିତି ଏକ ଅଣଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଥିଲା ଯେ ଭାରତରେ ଅର୍ଥ ପ୍ରେରଣ, ୟୁପିଆଇ ପେମେଣ୍ଟ୍ ଓ ଅନ୍ୟାନ୍ୟ ସମସ୍ତ ଅନ୍ଲାଇନ୍ ପେମେଣ୍ଟ୍ର ଅନ୍ୟ ନାମ ହେଉଛି- ‘ପେଟିଏମ୍’। ଏହା ତେଣୁ ଅବିଶ୍ବାସ ଲାଗୁଛି ଯେ ଦେଶର ସର୍ବୋଚ୍ଚ ବିତ୍ତୀୟ ନିୟନ୍ତ୍ରକ ସଂସ୍ଥା ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ଫେବ୍ରୁଆରି ଶେଷ ସୁଦ୍ଧା ସେଇ ‘ପେଟିଏମ୍’ ତା’ର ଅଧିକାଂଶ କାର୍ଯ୍ୟକଳାପରେ ଅନ୍ତ ଘଟାଇବା ପାଇଁ ଏହି କଂପାନିକୁ ନିର୍ଦ୍ଦେଶ ଦେଇଛି।
ଗତ ବର୍ଷ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ୍ ‘ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ୍’ଙ୍କୁ ସତର୍କ କରିଦେଇ ଆଉ ନୂତନ ଗ୍ରାହକ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ରିଜର୍ଭ ବ୍ୟାଙ୍କ୍ ଏବେ ତା’ର ନିୟନ୍ତ୍ରଣ ରଶିକୁ ଆହୁରି ଶକ୍ତ ଭାବରେ ଭିଡ଼ି ଦେଇ କେବଳ ସୁଧ ପ୍ରଦାନ, ଅର୍ଥ ଫେରସ୍ତ ଆଦି ବ୍ୟତୀତ ଅନ୍ୟ କୌଣସି ଋଣ ଆଦାନ ପ୍ରଦାନ, ଜମା ଗ୍ରହଣ, ପ୍ରିପେଡ୍ କାରବାର, ୱାଲେଟ୍, ଫାଷ୍ଟ୍ୟାଗ୍ସ ସଂପର୍କିତ କାର୍ଯ୍ୟକଳାପ ଫେବ୍ରୁଆରି ୨୯ ତାରିଖ ପରେ ସଂପୂର୍ଣ୍ଣ ବନ୍ଦ କରିଦେବା ପାଇଁ ‘ପେଟିଏମ୍’କୁ କଡ଼ା ନିର୍ଦ୍ଦେଶ ଦେଇଛି। ଏହି ସମୟସୀମା ମଧ୍ୟରେ ‘ପେଟିଏମ୍’ ତା’ର ଜନନୀ କଂପାନି ‘ୱାନ୍୯୭’ର ଆକାଉଣ୍ଟ୍ ସବୁକୁ ମଧ୍ୟ ବନ୍ଦ କରିଦେବାକୁ ବାଧ୍ୟ ହେବ। ‘ପେଟିଏମ୍’ ପେମେଣ୍ଟ୍ସ ବ୍ୟାଙ୍କ୍ରେ ଆକାଉଣ୍ଟ୍ ଥିବା ଗ୍ରାହକମାନଙ୍କର ସଂଖ୍ୟା ହେଉଛି ପ୍ରାୟ ପାଞ୍ଚ କୋଟି ଏବଂ ‘ପେଟିଏମ୍’ ୱାଲେଟ୍ ସଂଖ୍ୟା ହେଉଛି ପ୍ରାୟ ୩୦ କୋଟି। ‘ଫାଷ୍ଟ୍ୟାଗ୍’ କ୍ଷେତ୍ରରେ ସକ୍ରିୟ ଥିବା ସଂସ୍ଥାମାନଙ୍କ ମଧ୍ୟରେ ‘ପେଟିଏମ୍’ ହେଉଛି ଏକ ଅଗ୍ରଣୀ ସଂସ୍ଥା। ‘ପେଟିଏମ୍’ ପାଇଁ ଏହି ଧକ୍କା ଭାରତର ବହୁ ପ୍ରଚାରିତ ଓ ପ୍ରଶଂସିତ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ଆତଙ୍କ ସୃଷ୍ଟିକାରୀ ଆଘାତ ରୂପେ ବିବେଚିତ ହେବା ତେଣୁ ସ୍ବାଭାବିକ।
ପ୍ରାୟ ଦଶ ବର୍ଷ ତଳେ ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ଦେଶରେ ପେମେଣ୍ଟ୍ସ ବ୍ୟାଙ୍କ୍ ସ୍ଥାପନ ପାଇଁ ଲାଇସେନ୍ସ ପ୍ରଦାନ କରିବା ଆରମ୍ଭ କଲା, ସେତେବେଳେ ଯେଉଁ ଲକ୍ଷ୍ୟ ନେଇ ରିଜର୍ଭ ବ୍ୟାଙ୍କ୍ ଏହି ନୀତି ଅବଲମ୍ବନ କରିଥିଲା, ତାହା ହେଲା ଅଧିକରୁ ଅଧିକ ସଂଖ୍ୟକ ଗ୍ରାହକଙ୍କ ପାଖରେ ବିତ୍ତୀୟ ସେବା ପହଞ୍ଚାଇବା, ଯେଉଁଥିରେ ଏକ ଇଲେକ୍ଟ୍ରୋନିକ୍ ବ୍ୟାଙ୍କ୍ ଆକାଉଣ୍ଟ୍ ହେବ ମୁଖ୍ୟ ମାଧ୍ୟମ। ବିଶେଷକରି ସ୍ବଳ୍ପ ଆୟ ସଂପନ୍ନ ପରିବାରମାନ, କ୍ଷୁଦ୍ର ବ୍ୟବସାୟ ଓ ପ୍ରବାସୀ ଶ୍ରମିକମାନଙ୍କୁ ଏହି ଟେକ୍ନୋଲୋଜି ବ୍ୟବହାର ଦ୍ବାରା ଉପକୃତ କରାଇବା ଥିଲା ଏହି ଉଦ୍ୟମର ମୂଳ ଲକ୍ଷ୍ୟ। ଏହାଦ୍ବାରା ମୁଖ୍ୟ ସ୍ରୋତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ପହୁଞ୍ଚ ବାହାରେ ରହିଯାଉଥିବା ନାଗରିକ, ପରିବାର ଓ ବ୍ୟବସାୟମାନଙ୍କ ନିକଟରେ ବ୍ୟାଙ୍କ୍ ସେବା ପହଞ୍ଚାଇ ଦେଶରେ ବିତ୍ତୀୟ ଅନ୍ତର୍ଭୁକ୍ତୀକରଣ ହାସଲ କରାଯାଇ ପାରିବ ବୋଲି ଆଶା କରାଯାଉଥିଲା। ଏହି ଉଦ୍ୟମର ଅଂଶ ସ୍ବରୂପ ଏହି ପେମେଣ୍ଟ୍ସ ବ୍ୟାଙ୍କ୍ମାନେ ସେମାନଙ୍କ ଗ୍ରାହକମାନଙ୍କୁ ଜମା ଓ ଉଠାଣ ସୁବିଧା, ମୋବାଇଲ୍ ପେମେଣ୍ଟ୍ ସୁବିଧା ଓ ତୃତୀୟ ପକ୍ଷ ଅର୍ଥ ହସ୍ତାନ୍ତର ସୁବିଧା ଆଦି ଅଳ୍ପ ଖର୍ଚ୍ଚରେ ଯୋଗାଇ ଦେବାର ପରିକଳ୍ପନା କରାଯାଇଥିଲା। ରିଜର୍ଭ ବ୍ୟାଙ୍କ୍ କିନ୍ତୁ ଏଥିପାଇଁ କେତେକ କଠୋର ସର୍ତ୍ତ ଲାଗୁ କରିଥିଲା। ପେମେଣ୍ଟ୍ ବ୍ୟାଙ୍କ୍ମାନେ ଗ୍ରାହକମାନଙ୍କ ଠାରୁ ମାତ୍ର ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଗ୍ରହଣ କରିପାରିବେ, ଯାହାର ତିନି-ଚତୁର୍ଥାଂଶ କେବଳ ସ୍ବଳ୍ପ ସୁଧ ପ୍ରଦାନ କରୁଥିବା ସରକାରୀ ବଣ୍ଡ୍ରେ ନିବେଶ କରାଯିବ। ସେମାନେ ସିଧାସଳଖ ଋଣ ପ୍ରଦାନ କରିପାରିବେ ନାହିଁ, ଯଦିବା ସେମାନେ ଅନ୍ୟ ବିତ୍ତୀୟ ସଂସ୍ଥା ପ୍ରଦାନ କରୁଥିବା ଋଣ ପାଇଁ ପ୍ଲାଟ୍ଫର୍ମ ଯୋଗାଇ ଦେଇ ପାରିବେ।
ଏଥିରେ ସନ୍ଦେହ ନାହିଁ ଯେ ଏ ସମସ୍ତ କଠିନ ସର୍ତ୍ତ ପାଳନ କରି ଯଥେଷ୍ଟ ଲାଭ ଅର୍ଜନ କରିବା ହେଉଛି ଏକ କଷ୍ଟସାପେକ୍ଷ ଓ ସମୟସାପେକ୍ଷ ସମ୍ଭାବନା। ଏହି କାରଣରୁ ଶେଷରେ ଗତ ବିତ୍ତ ବର୍ଷରେ ମାତ୍ର ତିନିଗୋଟି ପେମେଣ୍ଟ୍ସ ବ୍ୟାଙ୍କ୍ ଲାଭ ଅର୍ଜନ କରିଥିବା ଦର୍ଶାଇଥିଲେ- ଫିନୋ ପେମେଣ୍ଟ୍ସ ବ୍ୟାଙ୍କ୍, ଇଣ୍ଡିଆ ପୋଷ୍ଟ୍ସ ପେମେଣ୍ଟ୍ସ ବ୍ୟାଙ୍କ୍ ଓ ଏଆର୍ଟେଲ୍ ପେମେଣ୍ଟ୍ସ ବ୍ୟାଙ୍କ୍। ଏଭଳି ଏକ ପରିସ୍ଥିତିରେ ନିୟମ ଉଲ୍ଲଂଘନର ପ୍ରଲୋଭନ ଦୃଢ଼ ହେବା ସ୍ବାଭାବିକ। ପେଟିଏମ୍ ବ୍ୟାଙ୍କ୍ ଏହି ପ୍ରଲୋଭନର ଶିକାର ହୋଇଥିବା ଭଳି ଏଯାବତ୍ ପ୍ରକାଶିତ ସୂଚନାରୁ ମନେ ହୋଇଥାଏ। ନକଲି ନିୟମ ପାଳନ ବା କମ୍ପ୍ଲାଏନ୍ସ ରିପୋର୍ଟ, କେୱାଇସି ନୀତିରେ ଅନିୟମିତତା ଏବଂ ସଂପର୍କିତ-ପକ୍ଷ କାରବାର ପ୍ରତି ଲାଗୁ ହେଉଥିବା ନିୟମାବଳୀକୁ କେନ୍ଦ୍ର କରି ରିଜର୍ଭ ବ୍ୟାଙ୍କ୍ ତରଫରୁ ବାରମ୍ବାର ଚେତାବନୀ ମିଳିବା ପରେ ମଧ୍ୟ ଏହି ବ୍ୟାଙ୍କ୍ର ପରିଚାଳନା କର୍ତ୍ତୃପକ୍ଷ ସେ ବାବଦରେ କୌଣସି ପଦକ୍ଷେପ ନ ନେଇ ଚୁପ୍ ହୋଇ ବସି ରହିଥିଲେ। ରିଜର୍ଭ ବ୍ୟାଙ୍କ୍ ଅଗତ୍ୟା ଅନ୍ୟ ଉପାୟ ନ ପାଇ ଏହି ପେମେଣ୍ଟ୍ସ ବ୍ୟାଙ୍କ୍ ଉପରେ ଉପରୋକ୍ତ ପ୍ରତିବନ୍ଧକମାନ ଲାଗୁ କରିବାକୁ ବାଧ୍ୟ ହୋଇଛି।
ପେଟିଏମ୍ ପେମେଣ୍ଟ୍ ସର୍ଭିସେସ୍ ମାଧ୍ୟମରେ ହେଉଥିବା ସମସ୍ତ ‘ୟୁପିଆଇ’ କାରବାରର ପ୍ରାୟ ଏକ-ଚତୁର୍ଥାଂଶ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ୍ ଆକାଉଣ୍ଟ୍ମାନଙ୍କରେ ପୈଠ ହେଉଥିଲା। ରିଜର୍ଭ ବ୍ୟାଙ୍କ୍ ଅନୁଭବ କରିଛି ଯେ ପେଟିଏମ୍ ଓ ପେଟିଏମ୍ ବ୍ୟାଙ୍କ୍ ମଧ୍ୟରେ କୌଣସି ବିଭାଜକ ପ୍ରାଚୀର କାର୍ଯ୍ୟ କରୁନାହିଁ ଏବଂ ନିୟମ ଉଲ୍ଲଂଘନ କରି ଉଭୟ ସଂସ୍ଥା ମଧ୍ୟରେ ଅର୍ଥ ଓ ଡେଟାର ଅବାଧ ଆଦାନ ପ୍ରଦାନ ଚାଲିଛି। ‘ପେଟିଏମ୍’ ସମ୍ମୁଖରେ ବର୍ତ୍ତମାନ ଆବିର୍ଭୂତ ହୋଇଥିବା ସବୁଠାରୁ ବଡ଼ ଆହ୍ବାନ ହେଉଛି ‘ୟୁପିଆଇ’ କାରବାର ସମାପନ କରିବା ପାଇଁ ଅନ୍ୟ ବ୍ୟାଙ୍କ୍ମାନଙ୍କ ସହିତ ସହଯୋଗ ସ୍ଥାପନ କରିବା। ଅର୍ଥାତ୍ ‘ପେଟିଏମ୍’ ଏ ପର୍ଯ୍ୟନ୍ତ ଅନୁସରଣ କରି ଆସିଥିବା ବ୍ୟବସାୟ ମଡେଲ୍ରେ ବ୍ୟାପକ ପରିବର୍ତ୍ତନ ଘଟାଇବା। ଏହା କିନ୍ତୁ ଏତେ ସହଜ ନ ହୋଇ ପାରେ। ବ୍ୟାଙ୍କ୍ ବ୍ୟବସାୟର ମୁଖ୍ୟ ଆଧାର ହେଉଛି ବିଶ୍ବାସ। ବର୍ତ୍ତମାନ କୌଣସି ବ୍ୟାଙ୍କ୍ ‘ପେଟିଏମ୍’ ସହିତ କାରବାର କରିବା ପାଇଁ ବିଶେଷ ଆଗ୍ରହ ପ୍ରଦର୍ଶନ କରିବା ସମ୍ଭାବନା କ୍ଷୀଣ ହୋଇପାରେ, ଯେତେବେଳେ ରିଜର୍ଭ ବ୍ୟାଙ୍କ୍ ଓ ସରକାର ଏହା ପ୍ରତି ଅବିଶ୍ବାସ ପ୍ରକଟ କରିବା ଦେଖାଯାଇଛି।
କେତେକ ମହଲରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ପେଟିଏମ୍ ବ୍ୟାଙ୍କ୍ ବିରୋଧରେ ରିଜର୍ଭ ବ୍ୟାଙ୍କ୍ର କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଠାରୁ ଅଧିକ କଠୋର ହୋଇଛି। ଏହା ସତ ଯେ, ପେମେଣ୍ଟ୍ସ ବ୍ୟାଙ୍କ୍ମାନଙ୍କ ପ୍ରତି ଲାଗୁ ହେଉଥିବା ସର୍ତ୍ତାବଳୀ କିଛିମାତ୍ରାରେ କୋହଳ କରା ନ ଗଲେ ସେମାନଙ୍କ ବ୍ୟବସାୟ ଲାଭପ୍ରଦ ହେବା କଷ୍ଟକର। କିନ୍ତୁ ଏହାର ଅର୍ଥ ନୁହେଁ ଯେ କୌଣସି ପେମେଣ୍ଟ୍ସ ବ୍ୟାଙ୍କ୍ ଆପଣାଛାଏଁ ନିୟମକୁ ହୁଗୁଳା କରିଦେଇ ବ୍ୟବସାୟ କରିବାରେ ପ୍ରବୃତ୍ତ ହେବ। ଯେହେତୁ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କ ଅର୍ଥ ବ୍ୟବହାର କରି ସେମାନେ ବ୍ୟବସାୟ କରୁଛନ୍ତି, ସେଇ ଗ୍ରାହକମାନଙ୍କର ସ୍ବାର୍ଥରକ୍ଷା ନିମିତ୍ତ ରିଜର୍ଭ ବ୍ୟାଙ୍କ୍କୁ ‘ପେଟିଏମ୍’ ପରି ସଂସ୍ଥାମାନଙ୍କ ଉପରେ ସର୍ବଦା ସତର୍କ ନଜର ରଖିବାକୁ ହେବ।