ବର୍ତ୍ତମାନ ପାଇଁ ୟେଭ୍‌ଗେନି ପ୍ରିଗୋଝିନ୍‌ ବିଦ୍ରୋହରେ ବିରତି ଘଟାଇ ଅପସରି ଯାଇଛନ୍ତି ସତ, କିନ୍ତୁ ସେ ପୁଟିନ୍‌ଙ୍କ ଦୁର୍ବଳତାକୁ ଯେ ପଦାରେ ପକାଇ ଦେଇଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ସାରା ରୁଷିଆକୁ ପୁଟିନ୍‌ ନିଜର ହାତମୁଠାରେ ରଖିଥିବାର ଯେଉଁ ଧାରଣା ଏପର୍ଯ୍ୟନ୍ତ ବଳବତ୍ତର ଥିଲା, ପ୍ରିଗୋଝିନ୍‌ ତାହାକୁ ଭାଙ୍ଗି ଦେଇଛନ୍ତି।

Advertisment

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର‌୍‌ ପୁଟିନ୍‌ ସର୍ବଦା ନିଜକୁ ଏକ ବାଘ ଭଳି ଶକ୍ତିଶାଳୀ ପୁରୁଷ ପୁଙ୍ଗବ ଓ ଏକଛତ୍ର ଶାସକ ରୂପେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥାନ୍ତି। ସେଠାରେ କିନ୍ତୁ ଜୁନ୍‌ ୨୩ରେ ଯେଉଁ ଏକ ଅଭାବନୀୟ ଘଟଣା ଘଟିଲା, ତାହା ପୃଥିବୀବାସୀଙ୍କ ସମ୍ମୁଖରେ ଅନ୍ତତଃ ୨୪ ଘଣ୍ଟା ପାଇଁ ପୁଟିନ୍‌ଙ୍କୁ ଏକ କାଗଜ ବାଘ ମାତ୍ରରେ ପରିଣତ କରିଦେଇ ତାଙ୍କର ସେଇ ସଯତ୍ନରଚିତ ଭାବମୂର୍ତ୍ତିର ଯେଭଳି କ୍ଷତି ଘଟାଇଛି, ତାହା ଆଉ ପୂରଣ କରିବା ବୋଧହୁଏ ପୁଟିନ୍‌ଙ୍କ ପକ୍ଷରେ ସମ୍ଭବ ନହୋଇପାରେ।
ଏକ ଅବାସ୍ତବ ସ୍ବପ୍ନର ଏକ ଦୃଶ୍ୟ ଭଳି ସେଦିନ ଏକ ଜେଲ୍‌ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନେତୃତ୍ବରେ ଦଳେ ସଶସ୍ତ୍ର ଆକ୍ରମଣକାରୀ ରାଜଧାନୀ ମସ୍କୋ ଦିଗରେ ମାଡ଼ି ଚାଲିଲେ। ସେ ବିଦ୍ରୋହୀ ନେତା ଜଣକ ଅତୀତରେ ଏକ ରେଷ୍ଟୁରାଣ୍ଟ୍‌ ମାଲିକ ଥିବାରୁ ତାଙ୍କୁ ‘ସେଫ୍‌’ (ପାଚକ) ନାମରେ ସମ୍ବୋଧନ କରାଯାଇଥାଏ; ସେଇ ସମୟରେ ତାଙ୍କର ଜଣେ ପ୍ରିୟ ଗ୍ରାହକ ଥିବା ଭ୍ଲାଡିମିର‌୍‌ ପୁଟିନ୍‌ଙ୍କ ସହିତ ତାଙ୍କର ପ୍ରଗାଢ଼ ବନ୍ଧୁତା ସ୍ଥାପିତ ହୋଇଥିଲା। ପୁଟିନ୍‌ ସେତେବେଳେ ଥିଲେ ସେଣ୍ଟ୍‌ ପିଟର୍ସବର୍ଗର ଡେପୁଟି ମେୟର। ପରବର୍ତ୍ତୀ ସମୟରେ ପୁଟିନ୍‌ ରାଷ୍ଟ୍ରପତି ହେବା ପରେ ତାଙ୍କର ବାହୁଛାୟା ତଳେ ୟେଭ୍‌ଗେନି ପ୍ରିଗୋଝିନ୍‌ ନାମକ ଏହି ‘ସେଫ୍‌’ ‘ଵାଗ୍‌ନର‌୍‌ ଗ୍ରୁପ୍‌’ ନାମକ ଏକ ସଶସ୍ତ୍ର ଗୁଣ୍ତା ବାହିନୀର ନେତୃତ୍ବ ନେଇ ଆଫ୍ରିକାର ବିଭିନ୍ନ ଦେଶରେ ସାମରିକ ବିଦ୍ରୋହରେ ସହାୟତା କରିବାଠାରୁ ଆରମ୍ଭ କରି ସିରିଆରେ ଚାଲିଥିବା ଗୃହ ଯୁଦ୍ଧରେ ମଧ୍ୟ ଭଡ଼ାଟିଆ ଯୋଦ୍ଧା ଭାବରେ ସାମିଲ୍‌ ହେଲେ। ଏହା ଏକ ଭଡ଼ାଟିଆ ବାହିନୀ ହୋଇଥିବାରୁ ଏଥିପାଇଁ କେହି ସିଧାସଳଖ ପୁଟିନ୍‌ଙ୍କୁ ଦାୟୀ କରି ପାରନ୍ତି ନାହିଁ। ୟୁକ୍ରେନ୍‌ ଉପରେ ପୁଟିନ୍‌ ଆକ୍ରମଣ କଲା ପରେ ସେ ଯୁଦ୍ଧରେ ପ୍ରିଗୋଝିନ୍‌ଙ୍କ ‘ଵାଗ୍‌ନର‌୍‌ ଗ୍ରୁପ୍‌’ ଏକ ମୁଖ୍ୟ ଭୂମିକା ନିର୍ବାହ କରିଚାଲିଛି।
ସେଇ ପ୍ରିଗୋଝିନ୍‌ ବିଦ୍ରୋହ କରି ସେଦିନ ମସ୍କୋ ଦିଗରେ ମାଡ଼ିଚାଲିବା ବେଳେ ଦାବି କରିଥିଲେ ଯେ ରୁଷିଆର ସେନାଧ୍ୟକ୍ଷ ଓ ପ୍ରତିରକ୍ଷା ମନ୍ତ୍ରୀ ଉଭୟଙ୍କୁ ବିତାଡ଼ିତ କରାଯାଉ। ଏହି ଗୁଣ୍ତା ବାହିନୀର ଯାତ୍ରାପଥରେ ଥିବା ସୀମା ଜଗୁଆଳି ଓ ସୁରକ୍ଷା କର୍ମୀମାନେ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା ନକରି ଅଦୃଶ୍ୟ ହୋଇଗଲେ। ରୁଷିଆର ବିମାନ ବାହିନୀ ଏମାନଙ୍କ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଏମାନଙ୍କ ଯାତ୍ରାପଥରେ ଥିବା ତୈଳ ଡିପୋମାନଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ସେଗୁଡ଼ିକୁ ଧ୍ବ˚ସ କରିଦେଲା ଯେମିତି ବିଦ୍ରୋହୀମାନଙ୍କ ଯାନବାହନ ସେ ତୈଳ ବ୍ୟବହାର କରି ପାରିବେ ନାହିଁ। ଦେଶର ଜାତୀୟ ଟେଲିଭିଜନ୍‌ ରାତିଅଧରେ ଏ ସମ୍ପର୍କରେ ଏକ ବିଶେଷ ନିଉଜ୍‌ ବୁଲେଟିନ୍‌ ପ୍ରସାର କରିବା ଦେଖାଗଲା। ଅତୀତରେ ଏକ ମହାଶକ୍ତି ବୋଲାଉଥିବା ଏହି ଦେଶର ରାଷ୍ଟ୍ରପତି ଟିଭି ପର୍ଦ୍ଦାରେ ଆବିର୍ଭୂତ ହୋଇ ନିରାପତ୍ତା ବାହିନୀଙ୍କୁ ଅନୁରୋଧ କରିବା ଦେଖାଗଲା ଯେ ସେମାନେ ଏହି ବିଦ୍ରୋହୀମାନଙ୍କୁ ଅଟକାନ୍ତୁ। ସେ ମଧ୍ୟ ବିଦ୍ରୋହୀମାନଙ୍କୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଧମକ ଦେଲେ। ମସ୍କୋର ମେୟର ବିବ୍ରତ ହୋଇ ନାଗରିକମାନଙ୍କୁ ଘରୁ ନ ବାହାରିବା ପାଇଁ ଏକ ସତର୍କବାଣୀ ପ୍ରସାର କଲେ।
ଏହାର ଚବିଶ ଘଣ୍ଟାରୁ କମ୍‌ ସମୟ ପରେ ଵାଗ୍‌ନର‌୍‌ ଗ୍ରୁପ୍‌ର ନେତା ତାଙ୍କର ଯାତ୍ରା ବନ୍ଦ କରି ପଛକୁ ଫେରିଗଲେ, ତାଙ୍କର ଯୋଦ୍ଧାମାନେ ଛାଉଣିକୁ ଫେରିଗଲେ, ପ୍ରିଗୋଝିନ୍ ନିଜେ ପଡ଼ୋଶୀ ଦେଶ ବେଲାରୁଷ୍‌ରେ ଯାଇ ଆଶ୍ରୟ ନେଲେ। କୌଣସି ପକ୍ଷ ଏହାର କାରଣ ସ୍ପଷ୍ଟ କରି ନାହାନ୍ତି। ଶୁଣାଯାଏ ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜାଣ୍ତର‌୍‌ ଲୁକାସେଙ୍କୋଙ୍କ ମଧ୍ୟସ୍ଥତାରେ ଏହା ଘଟିଛି। ସୋମବାର ଦିନ ପ୍ରିଗୋଝିନ୍‌ ପ୍ରସାର କରିଥିବା ଏକ ଅଡିଓ ବାର୍ତ୍ତାରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ତାଙ୍କ ବିଦ୍ରୋହର କାରଣ ସ୍ବରୂପ ସେ କହିଛନ୍ତି ଯେ ରୁଷ୍‌ ସରକାର ୨୦୨୩ ଜୁଲାଇ ପହିଲାଠାରୁ ‘ଵାଗ୍‌ନର‌୍‌ ଗ୍ରୁପ୍‌’ର ଅନ୍ତ ଘଟାଇ ତାହାର ଯୋଦ୍ଧାମାନଙ୍କୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନକୁ ନେଇ ଆସିବା ପାଇଁ ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ସେ ଏହି ପଦକ୍ଷେପ ନେଇଥିଲେ।
ପ୍ରିଗୋଝିନ୍‌ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିବାର କାରଣ ଠଉରାଇବା ମଧୢ କଷ୍ଟକର ନୁହେଁ। ‘ଵାଗ୍‌ନର‌୍‌ ଗ୍ରୁପ୍‌’ ୟୁକ୍ରେନ୍‌ ଯୁଦ୍ଧରେ ଭାଗ ନେବା ପରେ ରୁଷିଆର ଜନସାଧାରଣଙ୍କ ନିକଟରେ ପ୍ରିଗୋଝିନ୍‌ ଏକ ସୁପରିଚିତ ଚରିତ୍ରରେ ପରିଣତ ହୋଇଗଲେ। ରୁଷ୍‌ ସେନାବାହିନୀ ଯେତେବେଳେ ୟୁକ୍ରେନ୍‌ର ଖାର‌୍‌କିଭ୍‌ ଓ ଖର‌୍‌ସନ୍‌ ଅଞ୍ଚଳରୁ ଲଜ୍ଜାଜନକ ଭାବରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା, ପ୍ରିଗୋଝିନ୍‌ ସେତେବେଳେ ଖୋଲାଖୋଲି ଭାବରେ ରକ୍ଷାମନ୍ତ୍ରୀ ସର୍ଗେ ସୋଇଗୁ ଓ ସେନାଧ୍ୟକ୍ଷ ଭାଲେରି ଜେରାସିମଭ୍‌ଙ୍କୁ ସେମାନଙ୍କର ଭୁଲ୍‌ ଭଟକା ପାଇଁ ଭର୍ତ୍ସନା କରିବାକୁ ଲାଗିଲେ। ତାଙ୍କର ଏ ସମସ୍ତ କାର୍ଯ୍ୟକଳାପ ରୁଷିଆର ଜନସାଧାରଣ ତଥା ଅନେକ ବୁଦ୍ଧିଜୀବୀଙ୍କ ନିକଟରେ ପ୍ରିଗୋଝିନ୍‌ଙ୍କ ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟକ ହୋଇଛି। ଏହା ପ୍ରିଗୋଝିନ୍‌ଙ୍କୁ ଏକ ରାଜନୈତିକ ଶକ୍ତିରେ ପରିଣତ କରିବାକୁ ଆରମ୍ଭ କରିବାରୁ ପୁଟିନ୍‌ ତାଙ୍କୁ ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ମଧ୍ୟକୁ ନେଇଆସି ତାଙ୍କର ସ୍ବାଧୀନତା ସ˚କୁଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ନୂତନ ରାଜନୈତିକ ଶକ୍ତି ସମ୍ବନ୍ଧରେ ସଚେତନ ପ୍ରିଗୋଝିନ୍‌ ଏହି ନିଷ୍ପତ୍ତିକୁ ବିରୋଧ କରି ବିଦ୍ରୋହ ରଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରିଗୋଝିନ୍‌ଙ୍କ ବିଦ୍ରୋହୀମାନେ ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟସାରା ସାଧାରଣ ନାଗରିକମାନେ ଆସି ସେମାନଙ୍କୁ ସ୍ବାଗତ କରିବା ଦେଖାଯାଇଥିଲା।
ବର୍ତ୍ତମାନ ପାଇଁ ୟେଭ୍‌ଗେନି ପ୍ରିଗୋଝିନ୍‌ ବିଦ୍ରୋହରେ ବିରତି ଘଟାଇ ଅପସରି ଯାଇଛନ୍ତି ସତ, କିନ୍ତୁ ସେ ପୁଟିନ୍‌ଙ୍କ ଦୁର୍ବଳତାକୁ ଯେ ପଦାରେ ପକାଇ ଦେଇଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ସାରା ରୁଷିଆକୁ ପୁଟିନ୍‌ ନିଜର ହାତମୁଠାରେ ରଖିଥିବାର ଯେଉଁ ଧାରଣା ଏପର୍ଯ୍ୟନ୍ତ ବଳବତ୍ତର ଥିଲା, ପ୍ରିଗୋଝିନ୍‌ ତାହାକୁ ଭାଙ୍ଗି ଦେଇଛନ୍ତି। ପୁଟିନ୍‌ ପ୍ରଥମେ ପ୍ରିଗୋଝିନ୍‌ଙ୍କୁ ଜଣେ ବିଶ୍ବାସଘାତକ ରୂପେ ବର୍ଣ୍ଣନା କରିଥିଲେ, କିନ୍ତୁ ପରେ ପୁଣି ତାଙ୍କ ସହିତ ବୁଝାମଣା କରିବାକୁ ବାଧ୍ୟ ହୋଇଛନ୍ତି, ଯାହା ପୁଟିନ୍‌ଙ୍କର ରାଜନୈତିକ ଦୁର୍ବଳତାର ପରିଚାୟକ ବୋଲି ପର୍ଯ୍ୟବେକ୍ଷକମାନେ ବିଶ୍ବାସ କରୁଛନ୍ତି। ସେମାନେ ଭାବୁଛନ୍ତି ହୁଏତ ଯଥେଷ୍ଟ ରାଜନୈତିକ ଶକ୍ତି ଓ ସମର୍ଥନ ଅଭାବରୁ ପ୍ରିଗୋଝିନ୍‌ ନିଜର ଅଭିଯାନ ସମ୍ପୂର୍ଣ୍ଣ କରି ପାରି ନାହାନ୍ତି; କିନ୍ତୁ ହୁଏତ ପ୍ରିଗୋଝିନ୍‌ଙ୍କ କାର୍ଯ୍ୟ ଦ୍ବାରା ପୁଟିନ୍‌ ଏକ କାଗଜ ବାଘ ହୋଇଥିବା ସମ୍ଭାବନା ପଦାରେ ପଡ଼ିବା ଯୋଗୁଁ କୌଣସି ଶୁପ୍ତ ପ୍ରତିଦ୍ବନ୍ଦ୍ବୀ ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏଥର ଅଣ୍ଟାଭିଡ଼ି ବାହାରି ପଡ଼ି ପାରନ୍ତି, କିଏ ଜାଣେ? କିନ୍ତୁ ଗୋଟିଏ କଥା ସତ ଭସ୍ମାସୁର ଶିବଙ୍କୁ କରିଥିବା ଭଳି ପ୍ରିଗୋଝିନ୍‌ ଯେ ପୁଟିନ୍‌ଙ୍କଠାରେ ଗାତ୍ରକମ୍ପ ସୃଷ୍ଟି କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ।