‘ପଦ’ ଓ ‘ପଦାର୍ଥ’ ବିଷୟରେ ଲେଖିଲା ବେଳେ ଆରମ୍ଭରୁ କହି ଦିଏ ଯେ ‘ପଦ’ ବୋଇଲେ ମୁଖ ନିସୃତ ବା ଲିଖିତ ଶବ୍ଦ ବା ଅଭିବ୍ୟକ୍ତି ଏବଂ ‘ପଦାର୍ଥ’ କହିଲେ ପଦର ଅର୍ଥ। ଏବେ ଏକ ସାଧାରଣ ଉଦାହରଣ। ଧରନ୍ତୁ ଆପଣ କହିଲେ ‘କଲମ’; ତାହା ହେଲା ପଦ। କିନ୍ତୁ ‘କଲମ’ ଭଳି ଶବ୍ଦ ସହିତ ଅପରିଚିତ ବ୍ୟକ୍ତିଙ୍କୁ ବୁଝାଇବା ଲାଗି ଆପଣ ତାଙ୍କୁ ଗୋଟିଏ କଲମ ଦେଖାଇ ଦେଲେ। ସେ ସଂଗେ ସଂଗେ ସେହି ପଦର ଅର୍ଥ ବୁଝିଗଲେ ଏବଂ ‘କଲମ’ଟି ହୋଇଗଲା ପଦାର୍ଥ। କଥାଟା ବେଶ୍ ସହଜ ଲାଗୁଛି। କିନ୍ତୁ ଅନେକ ସମୟରେ ‘ପଦ’ ଓ ‘ପଦାର୍ଥ’ ମଧ୍ୟରେ ଥିବା ସମ୍ବନ୍ଧ ଏଭଳି ସରଳ ହୋଇ ନ ଥାଏ। ଦେଖିବାକୁ ମିଳେ ଯେ ବ୍ୟବହାର କ୍ରମରେ କେତେକ ‘ପଦ’ର ଅର୍ଥ ବଦଳି ଯାଆନ୍ତି; ଯେଉଁ ‘ଅର୍ଥ’କୁ ନେଇ ପଦଟି ସୃଷ୍ଟି ହୋଇଥିଲା, ସେହି ଅର୍ଥଟି ଯେମିତି ଅଚଳ ହୋଇଯାଏ।
ଏବେ ଆସନ୍ତୁ କେତେକ ଉଦାହରଣ ଦେଖିବା। ତାହା ହେଲେ କଥାଟି ସ୍ପଷ୍ଟ ହେବ। ଆମ ବର୍ଣ୍ଣାଶ୍ରମରେ ଚତୁର୍ଥ ବର୍ଣ୍ଣକୁ ପ୍ରାଜ୍ଞ ପୂର୍ବ ପୁରୁଷମାନେ ‘ଶୂଦ୍ର’ ବୋଲି ସଂବୋଧନ କରିଥିଲେ। ‘ଶୂଦ୍ର’ ଶବ୍ଦଟିର ଅର୍ଥ କ’ଣ? ତାହା ହେଲା ଶୁଚିମନ୍ତ, ଶୁଦ୍ଧ, ପୂତ, ପବିତ୍ର: ଏହି ଶବ୍ଦଟି ଆସିଛି ‘ଶୁଚ୍’ ଧାତୁରୁ, ଏବଂ ‘ଶୂଦ୍ର’ର ଅର୍ଥ ପବିତ୍ର ହେବା। ଏଭଳି ନାମକରଣ ପଛରେ ଉଦ୍ଦେଶ୍ୟ ଥିଲା ଯେ ଏହି ବର୍ଣ୍ଣାଶ୍ରମ ଅଧୀନସ୍ଥ ଲୋକେ ନିଜକୁ ଶୁଦ୍ଧ, ପୂତ ଓ ପବିତ୍ର ବୋଲି ବିଚାର କରନ୍ତୁ ଏବଂ ସେହିପରି ହେବାକୁ ଓ ରହିବାକୁ ଚେଷ୍ଟା କରନ୍ତୁ। କିନ୍ତୁ କେତେ ହଜାର ବର୍ଷ ମଧ୍ୟରେ ସେହି ପଦର ଅର୍ଥ ବଦଳି ଯାଇ ସଂପୂର୍ଣ୍ଣ ବିପରୀତ ହୋଇଯାଇଛି; ଅର୍ଥାତ୍ ‘ଶୂଦ୍ର’ମାନଙ୍କୁ ଶୁଦ୍ଧପୂତ ରୂପେ ଦେଖା ନ ଯାଇ ଅପରିଚ୍ଛନ୍ନ ବୋଲି ବିଚାର କରାଯାଉଛି।
ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତାର ଘୋର ବିରୋଧୀ ଥିଲେ। ସେ ଅସ୍ପୃଶ୍ୟମାନଙ୍କ ଲାଗି ‘ହରିଜନ’ ଭଳି ଶବ୍ଦଟିଏ ବ୍ୟବହାର କଲେ, ଯାହା ତାଙ୍କ ବର୍ଣ୍ଣନାନୁସାରେ ‘ହରିଙ୍କ ଜନ’ ବା ହରିଙ୍କ ପାଖ ଲୋକକୁ ବୁଝାଏ। କିନ୍ତୁ କାଳ କ୍ରମେ ଏହି ସଂବୋଧନଟି ବିବାଦାସ୍ପଦ ହୋଇପଡ଼ିଲା। ସ୍ବାଧୀନତା ପରେ ଏହି ବର୍ଗର ଲୋକେ ସରକାରଙ୍କ ‘ସିଡ୍ୟୁଲ୍’ ବା ‘ଅନୁସୂଚି’ଭୁକ୍ତ ହୋଇ ‘ସିଡ୍ୟୁଲ୍ଡ କାଷ୍ଟ୍’ ବା ଅନୁସୂଚିତ ଜାତି ଭାବେ ସରକାରୀ ସ୍ତରରେ ପରିଚିତ ହେଲେ ସିନା, ଲୌକିକ ଭାବରେ ସେମାନେ ଏବେ ‘ଦଳିତ’ ରୂପେ ପରିଚିତ ହେବାକୁ ଚାହାଁନ୍ତି।
ଅବଶ୍ୟ, ଏହା ସତ ଯେ ଅନେକ ଅଭିବ୍ୟକ୍ତି ବା ପଦର ସୃଷ୍ଟି ଏମିତି ରୂପରେ ହୋଇଛି ଯେ ତାହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ବା ଜାତି ବା ବର୍ଗ ଲାଗି ଅପମାନସୂଚକ ହୋଇଥାଏ। ପୂର୍ବେ ଶାରୀରିକ ଭାବେ ଅକ୍ଷମ ଲୋକଙ୍କୁ ଯେମିତି ଅବିଚାରିତ ଭାବେ କଣା, କେଂପା, ଅନ୍ଧ, ଲଙ୍ଗଡ଼ା ବୋଲି ଡକା ଯାଉଥିଲା, ଏବେ ଆଉ ସେଭଳି ପ୍ରାୟତଃ କରାଯାଉନାହିଁ। ସାମନ୍ୟ ସୌଜନ୍ୟବୋଧ ବା ଶିଷ୍ଟାଚାର ଥିବା ବ୍ୟକ୍ତି ଏଭଳି ଶବ୍ଦର ବ୍ୟବହାର କରନ୍ତେ ନାହିଁ। କିଛି ବର୍ଷ ପୂର୍ବରୁ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ ବିକଳାଙ୍ଗ ବୋଲି କୁହାଯାଉଥିଲା, ଯେଉଁ ଶବ୍ଦଟି ଏବେ ଅଚଳ। ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିମାନଙ୍କ ଗୋଟିଏ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥିଲେ ବି ସେମାନଙ୍କ ଅନ୍ୟ ଅଙ୍ଗଗୁଡ଼ିକ ଖୁବ୍ ଅଧିକ ପାରଙ୍ଗମ ହେଉଥିବାରୁ ସେମାନଙ୍କୁ ‘ଭିନ୍ନକ୍ଷମ’ ବୋଲି ସଂବୋଧନ କରାଗଲା; ଯାହାର ଅର୍ଥ ଏମାନେ ଅକ୍ଷମ ନୁହନ୍ତି, ବରଂ ଭିନ୍ନ ଦୃଷ୍ଟିରୁ ସକ୍ଷମ। ଏବେ ତାହା ମଧ୍ୟ ବଦଳି ଯାଇଛି। ଏହି ସଂବୋଧନଟି ଏବେ ହୋଇଯାଇଛି ‘ଦିବ୍ୟାଙ୍ଗ’; ଅର୍ଥାତ୍ ‘ବିକଳାଙ୍ଗ’ ଭଳି ପଦ ସ୍ଥାନରେ ଏଭଳି ଏକ ପଦର ବ୍ୟବହାର କରାଯାଉଛି ଯହିଁରେ ଐଶ୍ବରୀୟ ଔଜ୍ଜ୍ବଲ୍ୟ ରହିଛି।
ଆମେ ଭାଷାରେ ଗୋଟିଏ ଅର୍ଥ ବହନ କରିଥିବା ଅନେକ ପଦ ରହିଛି। ତେଣୁ ଆମେ କିଭଳି ଶବ୍ଦଟିଏ ବ୍ୟବହାର କରୁଛେ, ତାହା ପ୍ରକାରାନ୍ତରେ ଆମ ବ୍ୟକ୍ତିତ୍ବ, ବିଚାରବୋଧ, ସଂଭ୍ରମତା ଆଦିକୁ ଦର୍ଶାଏ। ଆମ କଥାବାର୍ତ୍ତା, ରୁଢ଼ି ଓ ସଂବୋଧନଗୁଡ଼ିକରେ ଏଭଳି ଅନେକ ଅଭିବ୍ୟକ୍ତି ଓ ପଦମାନ ଥାଏ, ଯାହା ଅନେକ ସମୟରେ ଅପମାନସୂଚକ ହୋଇଥାଏ। ପୂର୍ବେ କଥା କଥାକେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ ଜାତି, ଗୋଷ୍ଠୀ, ଲିଙ୍ଗ ଓ ବୟସ ପ୍ରତି ଆକ୍ଷେପମୂଳକ ବକ୍ତବ୍ୟମାନ ଏବେ ଆଉ ପ୍ରଚଳିତ ହେଉନାହିଁ। ସାମାନ୍ୟତମ ଶିଷ୍ଟାଚାର ବା ସୌଜନ୍ୟ ଦୃଷ୍ଟିରୁ ବିଚାର କଲେ ଏହା ଯେ ନିହାତି ଉଚିତ ତହିଁେର ସନ୍ଦେହ ନାହିଁ।
୨୦୧୪ ମସିହାରେ ଦେଶରେ ‘ଭାରତୀୟ ଜନତା ପାର୍ଟି’ କ୍ଷମତାସୀନ ହେଲା। ତା’ ପରେ ଲୌକିକ ସ୍ତରରେ ଏଭଳି କେତେକ ସଂବୋଧନ ବଦଳିଛି। ଉଦାହରଣ ସ୍ବରୂପ ଚାଷୀମାନଙ୍କ ଲାଗି ଭାରତର ପ୍ରଧାନମନ୍ତ୍ରୀ ଯେଉଁ ସଂବୋଧନଟି ସୃଷ୍ଟି କରିଛନ୍ତି ତାହା ହେଲା ‘ଅନ୍ନଦାତା।’ ସେହି ଭଳି ପ୍ରତିଦିନ ଘରୁ ଅଳିଆ ନେଉଥିବା କର୍ମଚାରୀମାନଙ୍କୁ ‘କଚରାବାଲା’ ବଦଳରେ ଡକାଯାଉଛି ‘ସଫେଇ କର୍ମଚାରୀ’। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ‘ପ୍ରଧାନ ଦେଶ ସେବକ’ ବୋଲି ଅଭିହିତ କରିବାକୁ ଚାହାଁନ୍ତି। ତେଣୁ ପଦାର୍ଥଗୁଡ଼ିକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ବ୍ୟାଖ୍ୟା ଦ୍ବାରା ପରିଭାଷିତ ହୋଇ ନୂତନ ପଦମାନ ଲାଭ କରୁଛନ୍ତି। ସୁତରାଂ, କେତେବେଳେ ‘ପଦ’ ବଦଳୁଛି ତ କେତେବେଳେ ‘ପଦାର୍ଥ’!
ମୋ: ୭୦୦୮୯୬୦୫୦୨
‘ପଦ’ ଓ ‘ପଦାର୍ଥ’
ଦୋଳଗୋବିନ୍ଦ ପଣ୍ଡା
/sambad/media/post_attachments/wp-content/uploads/2023/08/654s654fhfhfhsfhhf.jpg)