ବାସ୍ତବରେ ବହୁରୂପୀ ସତ୍ୟର କେତେକ ନମୁନା ସ୍ବରୂପ ଭୂମି ଅଧିଗ୍ରହଣ ବିଲ୍‌ରୁ କୃଷି ସଂସ୍କାର ବିଲ୍ ପର୍ଯ୍ୟନ୍ତ, ଡେଟା ପ୍ରୋଟେକ୍‌ସନ୍ ବିଲ୍‌ରୁ ଲାଟରାଲ୍ ଏଣ୍ଟ୍ରି ମାଧ୍ୟମରେ ଅଫିସର ନିଯୁକ୍ତି ଯୋଜନା ପର୍ଯ୍ୟନ୍ତରେ ସରକାର ଯେତେବେଳେ ତାଙ୍କର ଏକାଧିକ ଘୋଷିତ ଉଦ୍ୟମ ପରିତ୍ୟାଗ କରି ପଛଘୁଞ୍ଚା ଦେବା ଦେଖାଯିବାରେ ଲାଗିଛି, ଗଣମାଧ୍ୟମ ଦୃଷ୍ଟିରେ ଏ ସବୁ ସତ୍ୟ ବିଭିନ୍ନ ରୂପ ପରିଗ୍ରହଣ କରିବାର ଦୃଢ଼ ସମ୍ଭାବନା ରହିଛି। ରାସୋମନ୍‌ରେ ଘଟିଥିବା ଭଳି ସରକାରଙ୍କର କାର୍ଯ୍ୟର ଏ ସମସ୍ତ ରୂପ ଗଣମାଧ୍ୟମ ଦ୍ବାରା ଜନସାଧାରଣଙ୍କ ସମ୍ମୁଖରେ ପରିବେଷିତ ହେବା ପରେ କିଏ କେଉଁ ରୂପକୁ ଗ୍ରହଣ କରିବେ, ତାହା ସେଇ ଜନତା ଜନାର୍ଦ୍ଦନ ହିଁ ସ୍ଥିର କରିବେ। ସତ୍ୟର ସ୍ବରୂପ ନିର୍ଣ୍ଣୟ କରିବାର ଅଧିକାର ନିର୍ଦ୍ଦେଶକ କୁରୋସାୱାଙ୍କର ନ ଥିବା ଭଳି ସରକାରଙ୍କର ମଧ୍ୟ ସେ କ୍ଷମତା ନାହିଁ।

Advertisment

ସତ୍ୟର ସ୍ବରୂପ କ’ଣ? ଯୁଗ ଯୁଗ ଧରି ଦାର୍ଶନିକମାନେ ଏହି ସରଳ ମନେ ହେଉଥିବା ପ୍ରଶ୍ନର ଉତ୍ତର ପାଇବା ପାଇଁ କସରତ କରିଆସିଥିଲେ ହେଁ ତା’ର କୌଣସି ନିର୍ଦ୍ଦିଷ୍ଟ ଅନ୍ତିମ ଉତ୍ତର ପାଇ ପାରି ନ ଥିବା ବେଳେ ଭାରତ ସରକାର ନିକଟରେ ସେଇ କସରତରେ ଯୋଗଦେବା ପାଇଁ ଆରମ୍ଭ କରିଥିବା ଏକ ଉଦ୍ୟମକୁ ଏବେ ବମ୍ବେ ହାଇକୋର୍ଟ ଭଣ୍ଡୁର କରିଦେବା ଯେତିକି ଆମୋଦଦାୟକ, ସେତିକି ତାତ୍ପର୍ଯ୍ୟପୂର୍ଣ୍ଣ। ସରକାରଙ୍କର ଯେଉଁ ଉଦ୍ୟମ ହାଇକୋର୍ଟଙ୍କ ରାୟ ଦ୍ବାରା ପଣ୍ଡ ହୋଇଛି, ତାହା ହେଉଛି ସରକାରଙ୍କ କାର୍ଯ୍ୟ ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମ ବା ‘ସୋସିଆଲ୍ ମିଡିଆ’ରେ ପ୍ରସାରିତ ସୂଚନାମାନଙ୍କର ସତ୍ୟାସତ୍ୟ ପରଖିବା ନିମିତ୍ତ ପ୍ରତିଷ୍ଠା କରାଯାଇଥିବା ‘ଫ୍ୟାକ୍ଟ ଚେକ୍ ୟୁନିଟ୍’ (‘ଏଫ୍‌ସିୟୁ’)।
ସରକାର ଆଇନଗତ ଭାବରେ ଏହି ସତ୍ୟ ଯାଞ୍ଚକାରୀ ସଂସ୍ଥା ଗଠନ କରିବା ପୂର୍ବରୁ ଏଥିପାଇଁ ‘ଇନ୍‌ଫର୍ମେସନ୍ ଟେକ୍‌ନୋଲୋଜି ରୁଲ୍‌ସ, ୨୦୨୧’ରେ ଏକ ସଂଶୋଧନ କରାଯାଇଥିଲା, ଯାହା ବଳରେ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମମାନଙ୍କରେ ସରକାର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର କାର୍ଯ୍ୟକଳାପ ସମ୍ବନ୍ଧରେ ପ୍ରସାରିତ ନକଲି କିମ୍ବା ବିଭ୍ରାନ୍ତକାରୀ ସୂଚନା ଚିହ୍ନଟ କରିବାକୁ ସରକାର ଅଧିକାର ପାଇଥିଲେ। ଏହି ସଂଶୋଧନ ଅନୁସାରେ ଏକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଯଦି କୌଣସି ତୃତୀୟ ପକ୍ଷ ଅର୍ଥାତ୍ ସରକାରଙ୍କ ସଂପର୍କରେ ପ୍ରସାର କରିଥିବା ସୂଚନା ପାଇଁ ଆଇନଗତ ସୁରକ୍ଷା ଦାବି କରିବାକୁ ଚାହେଁ, ତେବେ ସେଇ ପ୍ଲାଟ୍‌ଫର୍ମକୁ ‘ଏଫ୍‌ସିୟୁ’ ଦ୍ବାରା ଚିହ୍ନଟ କରାଯାଇଥିବା ନକଲି ବା ବିଭ୍ରାନ୍ତକାରୀ ଖବର ହଟାଇବାକୁ ହେବ।
ବମ୍ବେ ହାଇକୋର୍ଟ ସରକାରଙ୍କ ଦ୍ବାରା ଏହି ସତ୍ୟ ଚିହ୍ନଟକାରୀ ସଂସ୍ଥା ‘ଏଫ୍‌ସିୟୁ’ ସ୍ଥାପନକୁ ଅସିଦ୍ଧ ଘୋଷଣା କରିବା ହେଉଛି ଆମୋଦଦାୟକ ଏଇଥିପାଇଁ ଯେ ଏହାଦ୍ବାରା ଅଦାଲତ ସରକାରଙ୍କୁ ସଚେତନ କରାଇ ଦେଇଛନ୍ତି ଯେ ସତ୍ୟ ନାମକ ଯେଉଁ ବହୁରୂପୀ ସତ୍ତାର ଅସଲି ଚେହେରା ଓ ନକଲି ଚେହେରା ମଧ୍ୟରେ ପ୍ରଭେଦ ଜାଣିବା ବିଚକ୍ଷଣ ଦାର୍ଶନିକ ଓ ପଣ୍ଡିତମାନଙ୍କ ପକ୍ଷରେ ସମ୍ଭବ ହୋଇନାହିଁ, ସରକାର ନିଜକୁ ସେଇ କ୍ଷମତାର ଅଧିକାରୀ ବୋଲି ବିଶ୍ବାସ କରିବା ହେଉଛି ଏକ ଚରମ ଧୃଷ୍ଟତା ମାତ୍ର। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କ ଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଆମେରିକୀୟ ଦାର୍ଶନିକ ଜନ୍ ଡିୱିଙ୍କ ପର୍ଯ୍ୟନ୍ତ ସତ୍ୟର ଅନୁସନ୍ଧାନକାରୀମାନେ ଏହାର ଖସଡ଼ା ଚରିତ୍ର ପାଖରେ ପରାଜୟ ସ୍ବୀକାର କରିଆସିଛନ୍ତି।
ପ୍ଲାଟୋ ତାଙ୍କର ସୁପରିଚିତ ଗୁମ୍ଫା ରୂପକଳ୍ପ ମାଧ୍ୟମରେ ଦର୍ଶାଇଥିଲେ ଆମେ ଯାହାକୁ ସତ ବୋଲି ବିଶ୍ବାସ କରିଥାଉ, ତାହା ହେଉଛି ସତର ଛାଇ ମାତ୍ର। ଊନବିଂଶ ଶତାବ୍ଦୀର ଦିନାମାର୍ ଦାର୍ଶନିକ ସୋରେନ୍ କିର୍କେଗାର୍ଡ ସତ୍ୟକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥିଲେ: ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ। ବସ୍ତୁନିଷ୍ଠ ସତ୍ୟ ହେଉଛି ଅପରିବର୍ତ୍ତନୀୟ, ଯେପରି ଗଣିତର ନିୟମ। ବ୍ୟକ୍ତିନିଷ୍ଠ ସତ୍ୟ ହେଉଛି ବାହ୍ୟ ଜଗତ ସହିତ ବ୍ୟକ୍ତିର ସଂପର୍କର ଉପସ୍ଥାପନା। ବିଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ଏହାର ରୂପ ଭିନ୍ନ ଭିନ୍ନ ହୋଇଥାଏ, ଯେମିତି ଦେଖାଯାଇଥାଏ ଜାପାନୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆକିରା କୁରୋସାୱାଙ୍କର ୧୯୫୦ର କିଂବଦନ୍ତି ପାଲଟିଥିବା ଫିଲ୍‌ମ ‘ରାସୋମନ୍’ରେ। ଏହି ସୁପରିଚିତ ଫିଲ୍‌ମଟିର ଅଗଣିତ ପ୍ରଶଂସକମାନେ ଯାହା ଜାଣନ୍ତି, ତାହା ହେଲା, କାହାଣୀର କେନ୍ଦ୍ରୀୟ ଘଟଣାଟି କୌଣସି ବସ୍ତୁନିଷ୍ଠ ସତ୍ୟ ଉପରେ ଆଧାରିତ ନୁହେଁ, ତାହା ‌େହଉଛି ଏକ ବ୍ୟକ୍ତିନିଷ୍ଠ ସତ୍ୟ। ଏହି କାରଣରୁ ଚାରି ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିବା ଘଟଣାଟିର ବର୍ଣ୍ଣନା ହେଉଛି ଭିନ୍ନ ଭିନ୍ନ, ଅର୍ଥାତ୍ ସତ୍ୟ ଚାରି ପ୍ରକାର ରୂପ ପରିଗ୍ରହଣ କରିଛି, ସେମାନଙ୍କ ମଧ୍ୟରୁ କେଉଁଟି ଅସଲି ନୁହେଁ କି କେଉଁଟି ନକଲି ନୁହେଁ।
କାହାଣୀରେ ଏକ ଜଙ୍ଗଲ ଭିତରେ ଜଣେ ସାମୁରାଇ ଯୋଦ୍ଧାଙ୍କ ହତ୍ୟାକାଣ୍ଡ ସଂଘଟିତ ହୋଇଛି। ପରବର୍ତ୍ତୀ ସମୟରେ ସାମୁରାଇଙ୍କ ପତ୍ନୀ, ଜଣେ ଦସ୍ୟୁ, ଜଣେ କାଠକଟାଳି ଓ ମୃତ ସାମୁରାଇଙ୍କର ଆତ୍ମା ଏହି ହତ୍ୟାକାଣ୍ଡ କିପରି ଘଟିଲା ତାହାର ଯେଉଁ ବିବରଣୀ ପ୍ରଦାନ କରିଛନ୍ତି, ତାହା ସେମାନଙ୍କ ନିଜ ନିଜ ଦୃଷ୍ଟିରେ ସତ ହୋଇଥିଲେ ହେଁ ତାହା ଭିନ୍ନ ଭିନ୍ନ ହୋଇଥାଏ। ନିର୍ଦ୍ଦେଶକ କୁରୋସାୱା ଏଥି ମଧ୍ୟରୁ କୌଣସି ଗୋଟିଏ ବିବରଣୀକୁ ସତ୍ୟ ରୂପେ ଗ୍ରହଣ କରି ତାକୁ ଦର୍ଶକମାନଙ୍କ ଉପରେ ଲଦିଦେବା ପରିବର୍ତ୍ତେ ଦର୍ଶକମାନେ ନିଜର ବିଚାରବୁଦ୍ଧି ଓ ପସନ୍ଦ ଅନୁସାରେ କେଉଁଟିକୁ ଚୟନ କରିବାର ସ୍ବାଧୀନତା ସେମାନଙ୍କୁ ପ୍ରଦାନ କରିଛନ୍ତି। କିର୍କେଗାର୍ଡଙ୍କ ଭାଷାରେ କହିଲେ ରାସୋମନ୍‌ର ସତ୍ୟ ଏକ ବସ୍ତୁନିଷ୍ଠ ଅଚଳ ସତ୍ୟ ନ ହୋଇ ବ୍ୟକ୍ତିନିଷ୍ଠ ଗତିଶୀଳ ସତ୍ୟ ହୋଇଥାଏ।
ଊନବିଂଶ ଶତାବ୍ଦୀର ମହାନ୍ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚା ତାଙ୍କର ପ୍ରସିଦ୍ଧ ପୁସ୍ତକ, ‘ବିଅଣ୍ଡ୍ ଗୁଡ୍ ଆଣ୍ଡ୍ ଇଭିଲ୍’ରେ ପ୍ରକାଶ କରିଥିବା ଚିନ୍ତାଧାରା ଅନୁସାରେ ଯାହା ଜୀବନକୁ ଆଗେଇ ନେବାରେ, ଜୀବନକୁ ସୁରକ୍ଷିତ ରଖିବାରେ, ମନୁଷ୍ୟ ଜାତିକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ, ତାହା ହିଁ ହେଉଛି ସତ୍ୟ; ଅର୍ଥାତ୍ ଯାହା କେବଳ ବାସ୍ତବତା ସହିତ ମେଳ ଖାଇଯାଏ, ତାହା ସତ୍ୟ ହୋଇଯାଏ ନାହିଁ। ନିଚାଙ୍କ ଦ୍ବାରା ପ୍ରସାରିତ ସତ୍ୟର ଏହି ସଂଜ୍ଞାକୁ ଆହୁରି ପରିପୁଷ୍ଟ କରିଥିଲେ ତାଙ୍କର କନିଷ୍ଠ ସମସାମୟିକ ଜନ୍ ଡିୱି। ଡିୱି ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଯୁକ୍ତି କରିଥିଲେ ଯେ ଆମେ ତାହାକୁ ହିଁ ସତ୍ୟ ରୂପେ ଗ୍ରହଣ କରିବା ଉଚିତ ଯାହା ଆମକୁ ବାସ୍ତବ ଦୁନିଆରେ ତିଷ୍ଠି ରହିବାରେ ସହାୟକ ହୋଇଥାଏ। 
ଡିୱିଙ୍କ ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ବିଂଶ ଶତାବ୍ଦୀର ସ୍ବନାମଧନ୍ୟ ଆମେରିକୀୟ ଦାର୍ଶନିକ ରିଚାର୍ଡ ରୋର୍‌ଟି ଏକ ତତ୍ତ୍ବ ପ୍ରବର୍ତ୍ତନ କରିଥିଲେ, ଯାହା ଅନୁସାରେ ଆମେ କେବଳ ତାହା ଜାଣିଥାଉ, ଯାହା ସମାଜ ଆମକୁ ଜାଣିବାକୁ ଦେଇଥାଏ। ଆମେ ଯାହାକୁ ସତ୍ୟ ବୋଲି ଜାଣିଥାଉ, ତାହା ବାସ୍ତବ ଜଗତକୁ ପ୍ରତିଫଳିତ କରିବା ଅପେକ୍ଷା ଅଧିକ ଆମର ବଦ୍ଧମୂଳ ବିଶ୍ବାସ ସହିତ ଖାପ ଖାଉଥିବାରୁ ଆମେ ତାକୁ ସତ୍ୟ ରୂପେ ଗ୍ରହଣ କରିଥାଉ। ଏହି ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ରୋର୍‌ଟି ଉଦାହରଣ ଦେଇ ଦର୍ଶାଇଛନ୍ତି କୋପର୍‌ନିକସ୍‌ଙ୍କ ପୂର୍ବରୁ ଆମେ ବିଶ୍ବାସ କରୁଥିଲୁ ଯେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ତା’ ଚତୁର୍ଦ୍ଦିଗରେ ପରିକ୍ରମା କରୁଛି; ତେଣୁ ସେତେବେଳେ ତାହା ହିଁ ଥିଲା ଆମ ପାଇଁ ସତ୍ୟ। କୋପର୍‌ନିକସ୍ ସତ୍ୟକୁ ବଦଳାଇ ଦେଇ କହିଲେ, ‘‘ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରୁଛି।’’ ସେହିପରି ମାର୍କସ୍‌ ଇତିହାସର ସଂଜ୍ଞା ବଦଳାଇଦେଇ କହିଲେ, “ସମସ୍ତ ଇତିହାସ ହେଉଛି ଶ୍ରେଣୀ ସଂଘର୍ଷର ଇତିହାସ।’’ ଆଇନ୍‌ଷ୍ଟାଇନ୍ ପଦାର୍ଥ ସମ୍ବନ୍ଧରେ ପ୍ରଚଳିତ ଧାରଣାକୁ ଓଲଟପାଲଟ କରିଦେଇ କହିଲେ, ‘‘ପଦାର୍ଥର ରୂପାନ୍ତର ଘଟି ତାହା ଶକ୍ତିରେ ପରିଣତ ହୋଇପାରିବ।’’ ପ୍ରଚଳିତ ସତ୍ୟର ଏଭଳି ପୁନର୍ଲିଖନକୁ ପ୍ରଥମେ ‘ମିଥ୍ୟା’ ରୂ‌ପେ ବିଦ୍ରୂପ କରାଗଲା, ପରେ ‘ଅନୁମାନ’ ରୂପେ ବିଚାର କରାଗଲା ଓ ଶେଷରେ ‘ସତ୍ୟ’ ରୂପେ ସ୍ବୀକୃତି ପ୍ରଦାନ କରାଗଲା। 
ସତ୍ୟର ଚରିତ୍ର ଏଭଳି ଜଟିଳ ହୋଇଥିବା ବେଳେ ତାହାର ନିର୍ଣ୍ଣୟ ଦାୟିତ୍ବ ‘ଏଫ୍‌ସିୟୁ’ର କେତେଜଣ ସରକାରୀ ବାବୁଙ୍କ ଖିଆଲ ଉପରେ ନ୍ୟସ୍ତ କରାଯିବା ଯେ ଆଦୌ ଯୁକ୍ତିଯୁକ୍ତ କିମ୍ବା ଭରସାଯୋଗ୍ୟ ନୁହେଁ, ତାହା ମାନ୍ୟବର ଅଦାଲତ ନିଶ୍ଚିତ ରୂପେ ହୃଦୟଙ୍ଗମ କରିଥିବେ। ବାସ୍ତବରେ ବହୁରୂପୀ ସତ୍ୟର କେତେକ ନମୁନା ସ୍ବରୂପ ଭୂମି ଅଧିଗ୍ରହଣ ବିଲ୍‌ରୁ କୃଷି ସଂସ୍କାର ବିଲ୍ ପର୍ଯ୍ୟନ୍ତ, ଡେଟା ପ୍ରୋଟେକ୍‌ସନ୍ ବିଲ୍‌ରୁ ଲାଟରାଲ୍ ଏଣ୍ଟ୍ରି ମାଧ୍ୟମରେ ଅଫିସର ନିଯୁକ୍ତି ଯୋଜନା ପର୍ଯ୍ୟନ୍ତରେ ସରକାର ଯେତେବେଳେ ତାଙ୍କର ଏକାଧିକ ଘୋଷିତ ଉଦ୍ୟମ ପରିତ୍ୟାଗ କରି ପଛଘୁଞ୍ଚା ଦେବା ଦେଖାଯିବାରେ ଲାଗିଛି, ଗଣମାଧ୍ୟମ ଦୃଷ୍ଟିରେ ଏ ସବୁ ସତ୍ୟ ବିଭିନ୍ନ ରୂପ ପରିଗ୍ରହଣ କରିବାର ଦୃଢ଼ ସମ୍ଭାବନା ରହିଛି। ରାସୋମନ୍‌ରେ ଘଟିଥିବା ଭଳି ସରକାରଙ୍କର କାର୍ଯ୍ୟର ଏ ସମସ୍ତ ରୂପ ଗଣମାଧ୍ୟମ ଦ୍ବାରା ଜନସାଧାରଣଙ୍କ ସମ୍ମୁଖରେ ପରିବେଷିତ ହେବା ପରେ କିଏ କେଉଁ ରୂପକୁ ଗ୍ରହଣ କରିବେ, ତାହା ସେଇ ଜନତା ଜନାର୍ଦ୍ଦନ ହିଁ ସ୍ଥିର କରିବେ। ସତ୍ୟର ସ୍ବରୂପ ନିର୍ଣ୍ଣୟ କରିବାର ଅଧିକାର ନିର୍ଦ୍ଦେଶକ କୁରୋସାୱାଙ୍କର ନ ଥିବା ଭଳି ସରକାରଙ୍କର ମଧ୍ୟ ସେ କ୍ଷମତା ନାହିଁ।