ଉତ୍ତର ପିଢ଼ିର ଉଜ୍ଜ୍ବଳ ତାରକାମାନଙ୍କୁ ତାଙ୍କ ପରାମର୍ଶ ଥିଲା ଯେ ଯଶ ବା ବିତ୍ତ ବା ସଫଳତା ଧ୍ୟେୟ ହେବା ଉଚିତ ନୁହେଁ, ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉ ନିଜର ଅବଦାନ ଦ୍ବାରା ଅନ୍ୟର ଜୀବନକୁ ଋଦ୍ଧିମନ୍ତ କରିବା। କିଭଳି ଭାବେ ସେ ଭବିଷ୍ୟତ୍ରେ ସ୍ମରଣୀୟ ହୋଇ ରହିବାକୁ ଚାହାନ୍ତି ଭଳି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଅନ୍ୟର ଜୀବନରେ କିଛି ସୁପରିବର୍ତ୍ତନ ଆଣିପାରିଥିବା ଜଣେ ବ୍ୟକ୍ତି ଭାବେ, ତା’ଠାରୁ କିଛି କମ୍ ବା କିଛି ଅଧିକ ନୁହେଁ।
ଗଲା ବୁଧବାର, ପ୍ରାୟ ନିଶାର୍ଧରେ ମୁମ୍ବାଇସ୍ଥିତ ବ୍ରିଚ୍ କାଣ୍ଡି ଡାକ୍ତରଖାନାରେ ରତନ ଟାଟାଙ୍କ ପରଲୋକ ଘଟି ଯାଇଛି। ଏ ସମ୍ବାଦ ପ୍ରଘଟ ହେବା ସହିତ ସମଗ୍ର ଭାରତରେ ଜାତି, ଧର୍ମ, ଲିଙ୍ଗ ଓ ବର୍ଗ ନିର୍ବିଶେଷରେ ଯେଉଁ ଭଳି ଦୁଃଖର ତରଙ୍ଗ ଖେଳିଯାଇଛି, ତାହା ହୁଏତ ଜଣେ ନିରୋଳା ଶିଳ୍ପପତିଙ୍କ ନିଧନରେ ହୁଅନ୍ତା ନାହିଁ। ସୁତରାଂ, ହୃଦ୍ବୋଧ କରି ହୁଏ ଯେ ରତନ ଟାଟା ଥିଲେ ଜଣେ ଆଦର୍ଶ ବ୍ୟତିକ୍ରମ; ଜଣେ ବ୍ୟକ୍ତି ତାଙ୍କ ପୁଂଜିପତି ପରିଚୟକୁ ଅତିକ୍ରମ କରି ବିନମ୍ର, ମରମୀ, ମାନବବାଦୀ ଓ ପ୍ରେରଣାର ପ୍ରତୀକ ପୁରୁଷ ଭାବେ ପ୍ରତିଭାତ ହୋଇଥିବାର ଦୃଷ୍ଟାନ୍ତ। ଏଥିରେ ଦ୍ବିଧା ନାହିଁ ଯେ ପ୍ରତ୍ୟେକ ଭାରତୀୟ କୌଣସି ନା କୌଣସି ରୂପେ ‘ଟାଟା’ ଅବଦାନର ହିତାଧିକାରୀ କିଂବା ଉପଭୋକ୍ତା; କାରଣ ଲୁଣ ଠାରୁ ପ୍ରାରମ୍ଭ କରି ପ୍ରସାଧନ ସାମଗ୍ରୀ, ଘରକରଣା, ଯନ୍ତ୍ରପାତି, ମୋଟର ଗାଡ଼ି, ଉଡ଼ାଜାହାଜ, ଡାକ୍ତରଖାନା, ସୁଲଭ କ୍ୟାନ୍ସର୍ ଚିକିତ୍ସା, ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନ, ଛାତ୍ର ବୃତ୍ତି, ଔଷଧପତ୍ର, ଉଚ୍ଚାଙ୍ଗ ଗବେଷଣା ଇତ୍ୟାଦି ପର୍ଯ୍ୟନ୍ତ କ୍ଷେତ୍ରଗୁଡ଼ିକରେ ‘ଟାଟା’ର ଉପସ୍ଥିତି ତାକୁ ସର୍ବବିଦ୍ୟମାନ କରିଥାଏ। ସତ କହିଲେ, ଭାରତର ପ୍ରତ୍ୟେକ ତନ୍ତ୍ରୀରେ ସ୍ପନ୍ଦନ ସୃଷ୍ଟି କରୁଥିବା କୌଣସି ଦ୍ବିତୀୟ ବ୍ରାଣ୍ଡ୍ର ନାମ ସ୍ମରଣକୁ ଆସି ନ ଥାଏ। ରତନ ଟାଟା ଦୀର୍ଘ ଦୁଇ ଦଶନ୍ଧି କାଳ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦାସୀନ ଥିଲେ ଏବଂ ଜଣେ ଶିଳ୍ପପତି କିଭଳି ଜନସାଧାରଣଙ୍କ ପ୍ରିୟଭାଜନ ଓ ଶ୍ରଦ୍ଧାସ୍ପଦ ହୋଇପାରନ୍ତି; ତାହାର ଉଦାହରଣରେ ପରିଣତ ହୋଇଥିଲେ।
କିଛି ବର୍ଷ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ ଏକ ଅନୌପଚାରିକ ଆଳାପ କ୍ରମରେ ରତନ ଟାଟାଙ୍କ ସମ୍ବନ୍ଧରେ ଏହି କଥାଟି କହିଥିଲେ। ଗଡ଼କାରୀଙ୍କ ନିମନ୍ତ୍ରଣ ରକ୍ଷା କରି ରତନ ଟାଟା ତାଙ୍କ ଘରକୁ ଆସୁଥିବା ବେଳେ ବାଟ ଭୁଲି ଯାଇ ପଚରାଉଚୁରା କରି ବିଳମ୍ବରେ ପହଞ୍ଚିଥିଲେ। ଟାଟା କଂପାନି ନିର୍ମିତ ଏକ ସାଧାରଣ ଗାଡ଼ିରେ ରତନ ପହଞ୍ଚିବା ପରେ ଗଡ଼କାରୀ ମହାଶୟ ତାଙ୍କୁ ପାଛୋଟି ନେବାବେଳେ ପଚାରିଥିଲେ, ‘ବାଟ ଭୁଲିଗଲେ କେମିତି? ଆପଣଙ୍କ ଡ୍ରାଇଭର କାହିଁ?’ ଉତ୍ତରରେ ସଲ୍ଲଜ ହସି ରତନ କହିଥିଲେ, ‘ମୁଁ ମୋ ଗାଡ଼ି ନିେଜ ଚଲାଏ। ମୋର ଡ୍ରାଇଭର ନାହାନ୍ତିି।’ ସୁତରାଂ, ନିରାଡ଼ମ୍ବର ଓ ନିରହଂକାର ଶିଳ୍ପପତିଜଣକ ସେ ଦିନ ଗଡ଼କାରୀଙ୍କୁ ତଟସ୍ଥ କରି ଦେଇଥିଲେ। କିନ୍ତୁ ରତନଙ୍କ ଲାଗି ଏହା ଥିଲା ଏକ ସାଧାରଣ ବ୍ୟାପାର, ପିତା ନୱଲ ଟାଟାଙ୍କ ସୌଜନ୍ୟରୁ ମିଳିଥିବା ମୂଲ୍ୟବୋଧ ଓ ସଂସ୍କାରର ଅଂଶ। ଟାଟା ପରିବାରର ସନ୍ତାନ ରୂେପ ଉତ୍ତରାଧିକାର ସୂତ୍ରରେ ଯେଉଁ ବିଚାର ଓ ବିବେଚନାବୋଧ ତାଙ୍କୁ ମିଳିଥିଲା, ତାହା ଥିଲା ବିନମ୍ରତା ଓ ନିଜକୁ ସାଧାରଣ ବର୍ଗଙ୍କ ଭିତରୁ ଜଣେ ରୂପେ ବିଚାରିବାର ଦୃଷ୍ଟି। ତେଣୁ ଏକ ବିଶାଳ ଶିଳ୍ପ ସାମ୍ରାଜ୍ୟର ଦାୟାଦ ହୋଇଥିବା ସତ୍ତ୍ବେ ରତନ ଓ ତାଙ୍କ ଭାଇଙ୍କୁ ସ୍କୁଲ ନେବା ଆଣିବା ସକାଶେ ଅତି ମୂଲ୍ୟବାନ ବିଳାସପୂର୍ଣ୍ଣ ଗାଡ଼ିର ବ୍ୟବସ୍ଥା ନ ଥିଲା; ବସ୍ରେ ବା ସାଧାରଣ କାରରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଟାଟା ଭ୍ରାତୃଦ୍ବୟ ଥିଲେ ଅନ୍ୟତମ। ଉଚ୍ଚ ଶିକ୍ଷା ଲାଗି ରତନ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ ଏବଂ ସେଠାରେ ‘ଆର୍କିଟେକ୍ଚର୍’ (ସ୍ଥାପତ୍ୟ) ଓ ‘ଷ୍ଟ୍ରକଚରାଲ୍ ଇଂଜିନିଅରିିଂ’ରେ ସ୍ନାତକ ଡିଗ୍ରି ଲାଭ କରିଥିଲେ। ତାଙ୍କ ଅଭିପ୍ରାୟ ଥିଲା ଆମେରିକାରେ ରହି କାର୍ଯ୍ୟ କରିବା। କିନ୍ତୁ, ସ୍ନେହଶୀଳା ଜେଜେମା’ଙ୍କ ଆଗ୍ରହ ଓ ଡାକରାରେ ସେ ଭାରତ ପ୍ରତ୍ୟାବର୍ତ୍ତନ କଲେ ଓ ଜାମସେଦପୁରସ୍ଥିତ ଟାଟା ଷ୍ଟିଲ୍ କଂପାନିରେ କାର୍ଯ୍ୟ ଆରମ୍ଭ କଲେ। ଅନେକ ବର୍ଷ ତଳେ ଅଭିନେତ୍ରୀ ସିମି ଗରେୱାଲଙ୍କ ସହିତ ଏକ ଟେଲିଭିଜନ ସାକ୍ଷାତକାରରେ ସେ କହିଥିଲେ କିଭଳି ଜାମସେଦପୁରରେ ତାଙ୍କ ରହଣି ସକାଶେ ସ୍ବତନ୍ତ୍ର ଆବାସର ବ୍ୟବସ୍ଥା ନ ଥିଲା; କର୍ମଚାରୀମାନେ ରହୁଥିବା ହଷ୍ଟେଲରେ ସେ ରହିଲେ ଏବଂ ସେଠାରୁ କାର୍ଯ୍ୟ ସ୍ଥଳକୁ ଯିବା ଲାଗି ତାଙ୍କ ପାଇଁ ଗୋଟିଏ ସାଇକେଲ ରଖି ଦିଆଯାଇଥିଲା। ଆଦ୍ୟ ତାରୁଣ୍ୟର ସେହି ସ୍ମୃତି ଚାରଣ କରି ରତନ ଟାଟା ଆମୋଦିତ ଭାବେ ସିମି ଗରେଵାଲଙ୍କୁ କହିଥିଲେ ଆମେରିକାରେ କାର୍ ଯୋଗେ ଘୁରି ବୁଲୁଥିବା ତାଙ୍କ ଭଳି ଜଣେ ଯୁବକ ସକାଶେ କିଭଳି ଅନାକର୍ଷଣୀୟ ସାଇକେଲଟି ସହସା ଅନସ୍ବୀକାର୍ଯ୍ୟ ହୋଇ ଉଠିଥିଲା, ଯେଉଁ କାରଣରୁ ଏକ ନିରବ ବିଦ୍ରୋହ ସ୍ବରୂପ ସେ କିଛି ଦିନ ହଷ୍ଟେଲରୁ କାର୍ଯ୍ୟ କ୍ଷେତ୍ରକୁ ଚାଲି ଚାଲି ଯାଇଥିଲେ। କହିବା ବାହୁଲ୍ୟ, ଏଭଳି ଅନୁଭୂତି ଓ ଟାଟା କଂପାନିର ନିମ୍ନ ପାହ୍ୟାରୁ କାର୍ଯ୍ୟ ଶିଖିବା, କରିବା ଓ ସାଧାରଣ କର୍ମଚାରୀଙ୍କ ସହିତ ଅନ୍ତରଙ୍ଗ ହେବା ଓ ସେମାନଙ୍କ ସହିତ କ୍ୟାଣ୍ଟିନ୍ରେ ଏକତ୍ର ଭୋଜନ କରିବା ଭଳି ଅଭିଜ୍ଞତା ତାଙ୍କ ଠାରେ ଉତ୍ତମ ଚରିତ୍ରବତ୍ତାର ଯେଉଁ ବୀଜ ବପନ କରିଥିଲା, ତାହା ଅବଲୀଳା କ୍ରମେ ଏକ ଅନତିକ୍ରମ୍ୟ ବ୍ୟକ୍ତିତ୍ବକୁ ଜନ୍ମ ଦେଇଥିଲା।
ପ୍ରାୟ ଅର୍ଧ ଶତାବ୍ଦୀ ଧରି ଟାଟା ଗ୍ରୁପ୍ର ଅଧ୍ୟକ୍ଷ ରହି ଆସିଥିବା ତଥା ତାଙ୍କ ମାର୍ଗଦର୍ଶକ ଓ କିଂବଦନ୍ତି ପୁରୁଷ ଜେ.ଆର୍.ଡି. ଟାଟା ତାଙ୍କ ଉତ୍ତରାଧିକାରୀ ଭାବେ ରତନଙ୍କୁ ଚୟନ କରିଥିଲେ। ରତନଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ବ୍ରାଣ୍ଡ୍ର ପ୍ରଭାବ ବିଦେଶକୁ ମଧ୍ୟ ସଂପ୍ରସାରିତ ହୋଇଥିଲା, ଯହିଁରେ ପ୍ରସିଦ୍ଧ ବ୍ରିଟିସ ଗାଡ଼ି ନିର୍ମାତା କଂପାନି ରୋଭର୍ (ଲାଣ୍ଡ୍ ରୋଭର୍ ଓ ଜାଗୁଆର୍) ଟାଟା ଅଧୀନକୁ ଆସିଥିଲା ଏବଂ କରୋସ, ଡାଏୟୁ ଭଳି ୬୮ଟି ବିଦେଶୀ କଂପାନି ଟାଟା ମାଲିକାନା ଅନ୍ତର୍ଭୁକ୍ତ ହୋଇଥିଲେ। କିନ୍ତୁ ଏଣେ, ସ୍ବଦେଶରେ ରତନ ଟାଟାଙ୍କ ମାନସ ସନ୍ତାନ ‘ନାନୋ’ର ନିର୍ମାଣକୁ ନେଇ ବିବାଦ ଜାତ ହୋଇଥିଲା ଏବଂ ଜନ ପ୍ରତିରୋଧ ହେତୁ ସେ ନାନୋ ପ୍ରକଳ୍ପକୁ ପଶ୍ଚିମବଙ୍ଗର ସିଙ୍ଗୁରରୁ ସ୍ଥାନାନ୍ତର କରି ଗୁଜରାଟକୁ ନେଇଯିବାକୁ ବାଧ୍ୟ ହୋଇଥିଲେ। କେବଳ ସେତିକି ନୁହେଁ, ପୃଥିବୀର ସର୍ବାଧିକ ଶସ୍ତା କାର ଉପଲବ୍ଧ କରାଇ ସାଧାରଣ ଭାରତୀୟମାନଙ୍କୁ ଗୋଟିଏ ଗୋଟିଏ କାର୍ର ମାଲିକରେ ପରିଣତ କରିବାର ତାଙ୍କ ସ୍ବପ୍ନରୁ ସୃଷ୍ଟ ‘ନାନୋ’ ପ୍ରକଳ୍ପ ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ବିଫଳ ହୋଇଥିଲା। ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଭାବେ ରତନ ଅନେକ କ୍ଷେତ୍ରରେ ତାଙ୍କ ପସନ୍ଦ ଅନୁସାରେ କାର୍ଯ୍ୟ କରି ପାରି ନ ଥିଲେ, କାରଣ କଂପାନିର ସ୍ବାର୍ଥ କେତେକ ସ୍ଥଳେ ସେଥିରେ ଅନ୍ତରାୟ ସୃଷ୍ଟି କରିଥିଲା। ତେଣୁ ୨୦୧୨ ମସିହାରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବା ପରେ ରତନ ଟାଟା ଜଣେ ହୃଦୟଗ୍ରାହୀ ପ୍ରେରଣାର ସ୍ରୋତ ଓ ଦୁଃସ୍ଥ ପ୍ରତିଭାବାନମାନଙ୍କ ସକାଶେ ଅକୁଣ୍ଠ ସାହାଯ୍ୟକାରୀ ରୂପେ ଆବିର୍ଭୂତ ହେଲେ, ଯହିଁରେ ଅନେକ ‘ଷ୍ଟାର୍ଟଅପ୍’ ତାଙ୍କ ପ୍ରଦତ୍ତ ପୁଂଜିରେ ସାକାର ଓ ସଫଳ ହେଲେ, ଅନେକ ଛାତ୍ର ବୃତ୍ତି ପାଇ ଉଚ୍ଚ ଶିକ୍ଷା ଲାଭ କଲେ, ଅସଂଖ୍ୟ ଜୀବନ ଋଦ୍ଧିମନ୍ତ ହେଲା। ଏଣେ ଅବିବାହିତ ରତନ ଟାଟା, ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ଏମିରିଟସ୍, ଏକ ଛୋଟ ଦୁଇ ବଖରା ବିଶିଷ୍ଟ ଆପାର୍ଟମେଣ୍ଟରେ ରହି ପ୍ରଚାରର ଉଦ୍ଭାସ ଅନ୍ତରାଳରେ କାର୍ଯ୍ୟ କରି ଚାଲିଥିଲେ।
ଉତ୍ତର ପିଢ଼ିର ଉଜ୍ଜ୍ବଳ ତାରକାମାନଙ୍କୁ ତାଙ୍କ ପରାମର୍ଶ ଥିଲା ଯେ ଯଶ ବା ବିତ୍ତ ବା ସଫଳତା ଧ୍ୟେୟ ହେବା ଉଚିତ ନୁହେଁ, ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉ ନିଜର ଅବଦାନ ଦ୍ବାରା ଅନ୍ୟର ଜୀବନକୁ ଋଦ୍ଧିମନ୍ତ କରିବା। କିଭଳି ଭାବେ ସେ ଭବିଷ୍ୟତ୍ରେ ସ୍ମରଣୀୟ ହୋଇ ରହିବାକୁ ଚାହାନ୍ତି ଭଳି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଅନ୍ୟର ଜୀବନରେ କିଛି ସୁପରିବର୍ତ୍ତନ ଆଣିପାରିଥିବା ଜଣେ ବ୍ୟକ୍ତି ଭାବେ, ତା’ଠାରୁ କିଛି କମ୍ ବା କିଛି ଅଧିକ ନୁହେଁ। ଲେଖକ ଓ ସ୍ତମ୍ଭକାର ସୁହୈଲ ସେଠଙ୍କ ସହିତ ଏକ ସାକ୍ଷାତକାରରେ ରତନ ଟାଟା ଏକଦା ସ୍ବୀକାର କରିଥିଲେ ଯେ ସେ ସ୍ବଭାବତଃ ଲାଜକୁଳା ଏବଂ ବୟଃବୃଦ୍ଧି ହେବା ସହିତ ଯାହା ତାଙ୍କୁ ଆକର୍ଷିତ କରିବାରେ ଲାଗିଛି, ତାହା ହେଲା ଅପରିଚିତ ହୋଇ ରହିବାର ଇଚ୍ଛା।
୨୦୧୮ ମସିହା ଫେବ୍ରୁଆରି ୬ ତାରିଖ। ମାନବ ହିତୈଷୀ କାର୍ଯ୍ୟରେ ତାଙ୍କ ଅନବଦ୍ୟ ଅବଦାନ ସକାଶେ ରତନଙ୍କୁ ସମ୍ମାନିତ କରିବା ଲାଗି ଇଂଲାଣ୍ଡ୍ର ତତ୍କାଳୀନ ଯୁବରାଜ ଚାର୍ଲସ୍ ବକିଂହାମ୍ ରାଜପ୍ରସାଦରେ ଏକ ଭବ୍ୟ ଉତ୍ସବର ଆୟୋଜନ କରିଥାଆନ୍ତି। କିନ୍ତୁ, ରତନ ସେ ଦିନ ସେଠାରେ ଉପସ୍ଥିତ ହୋଇ ପାରିଲେ ନାହିଁ। କାରଣ, ତାଙ୍କ ପ୍ରିୟ ପୋଷା କୁକୁରଟି ମରଣାନ୍ତକ ଭାବେ ଅସୁସ୍ଥ ଥିଲା, ଯାହାକୁ ଏକୁଟିଆ ଛାଡ଼ି ଚାଲିଯିବା ତାଙ୍କ ପକ୍ଷରେ ସମ୍ଭବ ହୁଅନ୍ତା ନାହିଁ। ଅନ୍ତିମ ଯାତ୍ରା ସମୟରେ ପ୍ରିୟ ପୁରୁଷର ଉପସ୍ଥିତି କୁକୁରଟିକୁ ଗଭୀର ସାନ୍ତ୍ବନା ପ୍ରଦାନ କରିଥିବ ନିଶ୍ଚୟ। ଏବଂ ଏଭଳି ଅସାମାନ୍ୟ ବ୍ୟକ୍ତି ହିଁ ପ୍ରଚାର ବିସ୍ମୃତ ରହି ଜଣେ ଅପରିଚିତ ତ୍ରାଣକର୍ତ୍ତା ହୋଇ ପାରନ୍ତି। ସୁତରାଂ, ସେ ଦିନ ରତନଙ୍କ ଅନୁପସ୍ଥିତିର କାରଣ ଜାଣିବା ପରେ ପ୍ରିନ୍ସ ଚାର୍ଲସ୍ଙ୍କ ମୁହଁରୁ ସ୍ବତଃସ୍ଫୂର୍ତ୍ତ ଭାବେ ବାହାରି ଆସିଥିଲା, ‘ଇଏ ହିଁ ରତନ ଟାଟା’।