ଆମେରିକାର ପ୍ରତ୍ୟେକ ରାଷ୍ଟ୍ରପତିଙ୍କ ମୁହଁରୁ ଯୁଦ୍ଧର ନିରର୍ଥକତା, ଶାନ୍ତିର ନୈସର୍ଗିକ ମୂଲ୍ୟ ଓ ମାନବବାଦର ଅପରିହାର୍ଯ୍ୟତା ଭିତ୍ତିକ ଭାଷଣମାନ ସର୍ବଦା ଶ୍ରୁତିଗୋଚର ହୋଇଥାଏ। ଏବଂ ବଡ଼ କଥା ହେଲା ଆମେରିକା ଦ୍ବାରା ପ୍ରାୟୋଜିତ, ପ୍ରୋତ୍ସାହିତ ଓ ସମର୍ଥିତ ଯୁଦ୍ଧମାନ ସର୍ବଦା ନ୍ୟାୟ ଓ ଶାନ୍ତି ସ୍ଥାପନା ଲାଗି ଉଦ୍ଦିଷ୍ଟ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଇଥାଏ। ସୁତରାଂ, ଯୁଦ୍ଧ ଶୂନ୍ୟତା କିଭଳି ମାନବର ଅହଂକାର, କପଟାଚାର ଓ ଲୋଭ ଲାଗି ଅସହନୀୟ ହୋଇଉଠିବ, ତାହା ଅର୍ୱେଲ୍ଙ୍କ ଗଭୀର ଅନ୍ତର୍ଦୃଷ୍ଟିରୁ ବର୍ତ୍ତି ଯାଇ ନ ଥିବ। ତେଣୁ, ୧୯୪୯ ମସିହାରୁ ହିଁ ଚିରହରିତ୍ ଯୁଦ୍ଧର ଫସଲର ବାସ୍ତବତା ଉପରେ ସେ ଧାଡ଼ିଟିଏ ଲେଖି ପକାଇଥିଲେ!
ବ୍ରିଟିସ୍ ଔପନ୍ୟାସିକ ଜର୍ଜ ଅର୍ୱେଲ୍ଙ୍କ ପ୍ରସିଦ୍ଧ ପୁସ୍ତକ ‘୧୯୮୪’ (ନାଇନ୍ଟିନ୍ ଏଇଟି ଫୋର୍)ର ଏକ ବହୁଳ ପ୍ରଚଳିତ ଉଦ୍ଧୃତାଂଶ ହେଉଛି ‘ଯୁଦ୍ଧର ଉଦ୍ଦେଶ୍ୟ ଜିଣିବା ନୁହେଁ, ଯୁଦ୍ଧର ଉଦ୍ଦେଶ୍ୟ ଚାଲୁ ରହିବା।’ ‘୧୯୮୪’ ଛପା ଯାଇଥିଲା ୧୯୪୯ ମସିହାରେ। ସେତେବେଳକୁ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥାଏ ଏବଂ ପରମାଣୁ ବୋମାର ଅବର୍ଣ୍ଣନୀୟ ଧ୍ବଂସଲୀଳା ମାନବ ଜାତିକୁ ତଟସ୍ଥ କରି ଦେଇଥାଏ; ଶାନ୍ତି ପ୍ରତିଷ୍ଠାର ବିଶ୍ବସ୍ତରୀୟ ଉଦ୍ୟମରେ ‘ଜାତିସଂଘ’ ଗଢ଼ି ଉଠିଥାଏ; ଉପନିବେଶବାଦ ଅସ୍ତମିତ ହୋଇ ଅଧିକରୁ ଅଧିକ ରାଷ୍ଟ୍ରରେ ସ୍ବାଧୀନତାର ସୂର୍ଯ୍ୟୋଦୟ ଘଟିଥାଏ; ଏବଂ ଧାରଣାଟିଏ ସୃଷ୍ଟି ହୋଇଥାଏ ଯେ ପୃଥିବୀ ସମ୍ଭବତଃ ଆଉ କୌଣସି ଯୁଦ୍ଧ ଲୋଡ଼ିବ ନାହିଁ! ବା ଯଦି କୌଣସି ଯୁଦ୍ଧର ଆଶଙ୍କା ଅଗତ୍ୟା ସୃଷ୍ଟି ହୁଏ, ତେବେ ଜାତିସଂଘ ତଥା ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଅଭିଭାବକ ଭଳି ଅବତୀର୍ଣ୍ଣ ହୋଇ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ପଥ ଉନ୍ମୋଚନ କରିବେ! ସୁତରାଂ, ଯୁଦ୍ଧ ନୁହେଁ, ସନ୍ଧି ହିଁ ହେବ ମୁଖ୍ୟ ବିନ୍ଦୁ। ତେଣୁ ୧୯୪୯ ମସିହାରେ ଏହି ପୁସ୍ତକ ପ୍ରକାଶନ କାଳରେ ଅନେକ ପାଠକ ଭାବି ନେଇଥିବେ ଯେ ଅର୍ୱେଲ୍ଙ୍କ ଉପର ବର୍ଣ୍ଣିତ ମନ୍ତବ୍ୟଟି ନିରର୍ଥକ ହେବା ସାର ହେବ! କିନ୍ତୁ, ଏବେ ସମଗ୍ର ମଧ୍ୟ-ପ୍ରାଚ୍ୟ ଯେତେବେଳେ ଯୁଦ୍ଧ ବିକ୍ଷୁବ୍ଧ ଓ ସଂଘର୍ଷ ଅଧିକ ଘନୀଭୂତ ହେବା ପ୍ରାୟ ସୁନିଶ୍ଚିତ; ରୁଷିଆ-ୟୁକ୍ରେନ୍ ସମେତ ପୃଥିବୀର ଅନେକ ଦେଶ, ଅଞ୍ଚଳ ଓ ଗୋଷ୍ଠୀ ପରସ୍ପର ମଧ୍ୟେର ଅସରନ୍ତି ଯୁଦ୍ଧରେ ଦୀର୍ଘ କାଳରୁ ବ୍ୟାପୃତ ଏବଂ ନୂଆ ନୂଆ ଯୁଦ୍ଧ ସକାଶେ ପୃଷ୍ଠଭୂମିମାନ ପ୍ରସ୍ତୁତ; ସେତିକି ବେଳେ ଯୁଦ୍ଧର ଚରିତ୍ର ନେଇ ଅର୍ୱେଲ୍ଙ୍କ ଏଭଳି ନିଖୁଣ ଭବିଷ୍ୟବାଣୀ ଚମକପ୍ରଦ ଲାଗିଥାଏ। ସେହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମ କଥା ହେଲା ଯୁଦ୍ଧ ଅବ୍ୟାହତ ରହିବା ଏଥି ଲାଗି ଆବଶ୍ୟକ ଯେ ଏହାର ଅନୁପସ୍ଥିତି ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ସମୃଦ୍ଧ ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୀତିକୁ ଦାରୁଣ କ୍ଷତି ପହଞ୍ଚାଇବ। ପ୍ରକାଶ ଥାଉ କି ପୃଥିବୀର ସମୁଦାୟ ଅସ୍ତ୍ରଶସ୍ତ୍ର ରପ୍ତାନିର ୪୦ ପ୍ରତିଶତ ଆମେରିକାରୁ ହୋଇଥାଏ ଏବଂ ସେହି ରାଷ୍ଟ୍ରର ବାର୍ଷିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଂଜାମ ରପ୍ତାନିର ମୂଲ୍ୟ ହେଉଛି ୧୦୦ରୁ ୨୦୦ ବିିଲିଅନ (ଏକ ବିଲିଅନ ହେଉଛି ୧୦୦ କୋଟି) ଡଲାର, ଯହିଁରେ ସାଧାରଣ ସମୟରେ ହାରାହାରି ୨ ପ୍ରତିଶତ ବୃଦ୍ଧି ଘଟି ଚାଲିଥାଏ। ସର୍ବାଧିକ ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ରପ୍ତାନି କରୁଥିବା ଶହେଟି କଂପାନିରୁ ଆମେରିକୀୟ କଂପାନିଗୁଡ଼ିକର ସଂଖ୍ୟା ହେଉଛି ଏକାବନ। ପ୍ରକାଶ ଥାଉ କି ଗାଜା ଉପରେ ଇସ୍ରାଏଲୀ ଆକ୍ରମଣ ପରିପ୍ରେକ୍ଷୀରେ ମାତ୍ର ମାସକ ଭିତରେ ପୃଥିବୀର ବୃହତ୍ତମ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କଂପାନି ଲକ୍ହେଡ୍ ମାର୍ଟିନ୍, ଜେନେରାଲ୍ ଡାଇନାମିକ୍ସ ଓ ନର୍ଥରପ୍ ଗମାନ୍ ଇତ୍ୟାଦି ପକ୍ଷରୁ ସଦର୍ପ ଘୋଷଣା କରାଯାଇଥିଲା ଯେ କଂପାନିର ସେୟାର ମୂଲ୍ୟରେ ପ୍ରଭୂତ ବୃଦ୍ଧି ଘଟିଛି। ପ୍ରକାଶ ଥାଉ କି ଯୁଦ୍ଧାସ୍ତ୍ର ନିର୍ମାଣ ଓ ରପ୍ତାନିରେ ନିରନ୍ତର ବୃଦ୍ଧି ଘଟାଇବା ଲାଗି ଆମେରିକାରେ ସଂସଦ, ମିଲିଟାରି କଣ୍ଟ୍ରାକ୍ଟର (ଅସ୍ତ୍ରଶସ୍ତ୍ର ବ୍ୟବସାୟୀ) ଓ ଅମଲାତନ୍ତ୍ର ପରସ୍ପରର ସହଯୋଗୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଅନୁକୂଳ ନୀତିମାନ ତିଆରିରେ ପ୍ରବୃତ୍ତ ରହନ୍ତି। ଏହି ତ୍ରିଭୁଜକୁ ‘ଆଇରନ୍ ଟ୍ରାଇଙ୍ଗଲ୍’ ବା ‘ଲୌହ ତ୍ରିଭୁଜ’ ବୋଲି କୁହାଯାଇଥାଏ, ଯାହାକୁ ଭାଙ୍ଗିବା ଏକ ଦୁଃସାଧ୍ୟ ବ୍ୟାପାର! ଗଣତନ୍ତ୍ର ପ୍ରତିଷ୍ଠା, ଶାନ୍ତି ସ୍ଥାପନ, ଆତଙ୍କବାଦ ନିର୍ମୂଳନ, ମିତ୍ର ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ ଇତ୍ୟାଦିର ଆଳ ଦେଖାଇ ଆମେରିକା ଦ୍ବାରା ଆୟୋଜିତ ଅସଂଖ୍ୟ ଯୁଦ୍ଧ, ସଂଘର୍ଷ ଓ ଯୁଦ୍ଧଖୋର ‘ପ୍ରକ୍ସି’ ବାହିନୀଗୁଡ଼ିକୁ ପ୍ରଦାନ କରାଯାଉଥିବା ସାହାଯ୍ୟ ଇତ୍ୟାଦି ହେଉଛି ଏହି ନୀତି ଅନ୍ତର୍ଭୁକ୍ତ, ଯାହା ଯୁଦ୍ଧାସ୍ତ୍ର ବ୍ୟବସାୟରେ ଦ୍ରୁତ ବୃଦ୍ଧି ଘଟାଇ ଆମେରିକାକୁ ସମୃଦ୍ଧ କରିଥାଏ। ଆମେରିକା ବ୍ୟତୀତ ପୃଥିବୀର ବୃହତ୍ତମ ଯୁଦ୍ଧାସ୍ତ୍ର ନିର୍ମାଣକାରୀ ରାଷ୍ଟ୍ରଗୁଡ଼ିକ ହେଲେ ଫ୍ରାନ୍ସ, ରୁଷିଆ, ଜର୍ମାନି ଓ ଚୀନ; ଯହିଁରୁ ଚାରିଟି ରାଷ୍ଟ୍ର ଜାତସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ। ନିରାପତ୍ତା ପରିଷଦର ପଞ୍ଚମ ସ୍ଥାୟୀ ସଦସ୍ୟ ଗ୍ରେଟ୍ ବ୍ରିଟେନ୍ର ସ୍ଥାନ ସର୍ବାଧିକ ଯୁଦ୍ଧାସ୍ତ୍ର ନିର୍ମାତା ରାଷ୍ଟ୍ରଙ୍କ ତାଲିକାରେ ସପ୍ତମ। କହିବା ବାହୁଲ୍ୟ ଯେ କେବଳ ଏକ ଯୁଦ୍ଧ ନିମଜ୍ଜିତ ପୃଥିବୀ ହିଁ ଏହି ସମସ୍ତ ରାଷ୍ଟ୍ରଙ୍କୁ ବିପୁଳ ଆର୍ଥିକ ଲାଭ ପହଞ୍ଚାଇବ! ତେଣୁ ମନେ ହୋଇଥାଏ ଯେ ଏହି କାରଣରୁ ଯୁଦ୍ଧ ରୋକିବା ସଂଦର୍ଭରେ ଜାତିସଂଘ ଏକ ଉଦାସୀନ ଏପରିକି କୁଣ୍ଠିତ ଓ ଅସହାୟ ଅଭିଭାବକ ରୂପେ ଆବିର୍ଭୂତ ହେଉଛି। ସୁତରାଂ, ଯୁଦ୍ଧ ଏକ ଅମଳକ୍ଷମ ବାରମାସୀ ଫସଲରେ ପରିଣତ ହେବାରେ ବିସ୍ମୟର କାରଣ ନ ଥାଏ!
ଯୁଦ୍ଧ କିଭଳି ଆମେରିକାକୁ ‘ଗ୍ରେଟ୍ ଡିପ୍ରେସନ୍’ ବା ‘ଅତଳ ଆର୍ଥିକ ମାନ୍ଦାବସ୍ଥା’ (୧୯୨୯-୧୯୪୧)ରୁ ରକ୍ଷା କରିଥିଲା, ତାହା ଏବେ ଇତିହାସର ବିଷୟବସ୍ତୁ। ସେହି ସମୟରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜ୍ଭେଲ୍ଟ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଦ୍ରୁତ ବୃଦ୍ଧି ଘଟାଇବା ଲାଗି ଯେଉଁ ନୀତିମାନ ଅବଲମ୍ବନ କରିଥିଲେ, ସେଗୁଡ଼ିକ ମଧ୍ୟରୁ ‘କ୍ୟାସ୍ ଏଣ୍ଡ୍ କ୍ୟାରି’ ଓ ‘ଲେଣ୍ଡ୍ ଲିଜ୍’ ଅନ୍ୟତମ, ଯହିଁରେ ଉତ୍ପାଦନ ଓ ରପ୍ତାନି ଲାଗି ଉଦ୍ଦିଷ୍ଟ ଦ୍ରବ୍ୟଗୁଡ଼ିକ ମଧ୍ୟରେ ମୁଖ୍ୟ ଥିଲା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଂଜାମ। ୧୯୩୯ ମସିହାରେ ପୋଲାଣ୍ଡ୍ ଉପରେ ଜର୍ମାନିର ଆକ୍ରମଣ ସହିତ ଦ୍ବିତୀୟ ବିଶ୍ବଯୁଦ୍ଧର ପ୍ରାରମ୍ଭ ହେଲା। ସେହି ବର୍ଷ ‘କ୍ୟାସ୍ ଏଣ୍ଡ୍ କ୍ୟାରି’ ନୀତି ଦ୍ବାରା ‘ମିତ୍ର ପକ୍ଷ’ର ରାଷ୍ଟ୍ରଗୁଡ଼ିକ ରିହାତି ମୂଲ୍ୟରେ ବିପୁଳ ଆମେରିକୀୟ ଯୁଦ୍ଧାସ୍ତ୍ର ଖର୍ଦ୍ଦି କରିବାର ସୁଯୋଗ ଲାଭ କଲେ। ୧୯୪୧ ମସିହାରେ ‘ଲେଣ୍ଡ୍ ଲିଜ୍’ ନୀତିର ସୂତ୍ରପାତ ହେଲା, ଯହିଁରେ ମିତ୍ର ରାଷ୍ଟ୍ରଗୁଡ଼ିକ ଶସ୍ତ୍ରାଦି ଆମଦାନି କରିବା ବିନିମୟରେ ମୂଲ୍ୟ ସ୍ବରୂପ ବିସ୍ତୀର୍ଣ୍ଣ ଅଞ୍ଚଳମାନ ଆମେରିକାକୁ ଦୀର୍ଘକାଳୀନ ଲିଜ୍ ସୂତ୍ରରେ ପ୍ରଦାନ କଲେ, ଯହିଁରେ ଆମେରିକା ପୃଥିବୀର ବିଭିନ୍ନ ଅଞ୍ଚଳରେ ସାମରିକ ଘାଟୀମାନ ପ୍ରତିଷ୍ଠା କଲା, ଯାହା ଯୁଦ୍ଧାସ୍ତ୍ର ପ୍ରୟୋଗ ଓ ବିକ୍ରି-ଖର୍ଦ୍ଦିର କେନ୍ଦ୍ରରେ ପରିଣତ ହେଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପୃଥିବୀର ଅନେକ ରାଷ୍ଟ୍ରଙ୍କୁ ଆର୍ଥିକ ଦୃଷ୍ଟିରୁ ଭୂଲୁଣ୍ଠିତ କରି ଦେଇଥିବା ବେଳେ ଯୁଦ୍ଧାସ୍ତ୍ର ରପ୍ତାନିରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରଭୂତ ଭାବେ ବିତ୍ତଶାଳୀ କରି ଦେଇଥିଲା। ସୁତରାଂ, ଯୁଦ୍ଧ କିଭଳି ଆଶୀର୍ବାଦରେ ପରଣତ ହୋଇଥାଏ ତାହା ଆମେରିକୀୟ ଅଭିଜ୍ଞତାର ଏକ ଅଂଶ, ଯାହାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଚଳାଇ ରଖି ଆମେରିକା ଲାଭ ଅମଳ କରି ଚାଲିଛି!
୧୯୫୩ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ହୋଇଥିବା ଡ୍ବାଇଟ୍ ଆଇଜେନ୍ହୋୟର୍ ତାଙ୍କ ବିଦାୟକାଳୀନ ଭାଷଣରେ ଆମେରିକାର ପ୍ରଭାବଶାଳୀ ‘ମିଲିଟାରି ଇଣ୍ଡଷ୍ଟ୍ରିଆଲ୍ କଂପ୍ଲେକ୍ସ’ ବାବଦରେ ସତର୍କ କରାଇ ଦେଇଥିଲେ। ଏ ସଂଦର୍ଭରେ ଯାହା ସେ ବରାବର କହୁଥିଲେ ତାହା ଏ ଯାବତ୍ ସ୍ମରଣୀୟ ହୋଇ ରହିଛି। ତାଙ୍କ ଆବେଗଭରା ବକ୍ତବ୍ୟମାନର ମର୍ମାର୍ଥ ଥିଲା ଏୟା ଯେ ପ୍ରତିଟି ବନ୍ଧୁକ ନିର୍ମାଣ, ପ୍ରତ୍ୟେକ ଯୁଦ୍ଧ ତରୀର ଉଦ୍ଘାଟନ, ପ୍ରତି ରକେଟ୍ କ୍ଷେପଣ ସହିତ କୌଣସି କ୍ଷୁଧାର୍ତ୍ତ ମୁହଁରୁ ଖାଦ୍ୟ ବା ଦରିଦ୍ରର ଶରୀରରୁ ବସ୍ତ୍ର ଅପହରଣ କରି ନିଆଯାଇଥାଏ; ଅର୍ଥାତ୍ ସାମରିକ ଉତ୍ପାଦନରେ ବ୍ୟୟ ହେଉଛି ଅଯଥାର୍ଥ ଓ ଆପରାଧିକ ମଧ୍ୟ। ତାଙ୍କ ହିସାବରେ ଗୋଟିଏ ବୃହତ୍ ବୋମାବର୍ଷୀ ବିମାନ ଲାଗି ହେଉଥିବା ବ୍ୟୟରେ ଦୁଇଟି ଡାକ୍ତରଖାନା ବା ଗୋଟିଏ ବିଦ୍ୟୁତ୍ କେନ୍ଦ୍ର ବା ପଚାଶ ମାଇଲ ଦୀର୍ଘ ରାଜପଥ ନିର୍ମାଣ ସମ୍ଭବ! କିନ୍ତୁ ପ୍ରଶ୍ନ ହୋଇଥାଏ ଯେ ତାଙ୍କ ରାଷ୍ଟ୍ରପତିତ୍ବ ସମୟରେ ସେ ଏ ଦିଗରେ କୌଣସି ପଦକ୍ଷେପ ନେଇଥିଲେ କି? କେବଳ ଆଇଜେନ୍ହୋୟର୍ ନୁହନ୍ତି, ଆମେରିକାର ପ୍ରତ୍ୟେକ ରାଷ୍ଟ୍ରପତିଙ୍କ ମୁହଁରୁ ଯୁଦ୍ଧର ନିରର୍ଥକତା, ଶାନ୍ତିର ନୈସର୍ଗିକ ମୂଲ୍ୟ ଓ ମାନବବାଦର ଅପରିହାର୍ଯ୍ୟତା ଭିତ୍ତିକ ଭାଷଣମାନ ସର୍ବଦା ଶ୍ରୁତିଗୋଚର ହୋଇଥାଏ। ଏବଂ ବଡ଼ କଥା ହେଲା ଆମେରିକା ଦ୍ବାରା ପ୍ରାୟୋଜିତ, ପ୍ରୋତ୍ସାହିତ ଓ ସମର୍ଥିତ ଯୁଦ୍ଧମାନ ସର୍ବଦା ନ୍ୟାୟ ଓ ଶାନ୍ତି ସ୍ଥାପନା ଲାଗି ଉଦ୍ଦିଷ୍ଟ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଇଥାଏ। ସୁତରାଂ, ଯୁଦ୍ଧ ଶୂନ୍ୟତା କିଭଳି ମାନବର ଅହଂକାର, କପଟାଚାର ଓ ଲୋଭ ଲାଗି ଅସହନୀୟ ହୋଇଉଠିବ, ତାହା ଅର୍ୱେଲ୍ଙ୍କ ଗଭୀର ଅନ୍ତର୍ଦୃଷ୍ଟିରୁ ବର୍ତ୍ତି ଯାଇ ନ ଥିବ। ତେଣୁ, ୧୯୪୯ ମସିହାରୁ ହିଁ ଚିରହରିତ୍ ଯୁଦ୍ଧର ଫସଲର ବାସ୍ତବତା ଉପରେ ସେ ଧାଡ଼ିଟିଏ ଲେଖି ପକାଇଥିଲେ!