ନିର୍ମଳା ସୀତାରମଣଙ୍କୁ କିନ୍ତୁ ପ୍ରଶଂସା କରିବାକୁ ହେବ ଯେ ଏଭଳି ଏକ ନିସ୍ତରଙ୍ଗ ବଜେଟ୍ ଉପସ୍ଥାପନ କରିବା ସତ୍ତ୍ବେ ସେ ଘୋଷଣା କରିଛନ୍ତି ଯେ ୨୦୨୬ ବିତ୍ତ ବର୍ଷ ସୁଦ୍ଧା ରାଜକୋଷୀୟ ନିଅଣ୍ଟକୁ ‘ଜିଡିପି’ର ୪.୫ ଶତାଂଶ ମଧ୍ୟରେ ସୀମିତ କରାଯିବ, ଯାହା ସେ ପ୍ରଥମେ ୨୦୨୨ ବିତ୍ତ ବର୍ଷ ପାଇଁ ତାଙ୍କର ବଜେଟ୍ ଅଭିଭାଷଣରେ ଉଲ୍ଲେଖ କରିଥିଲେ। କୋଭିଡ୍ ପାଣ୍ଡେମିକ୍ ତାଙ୍କର ଆୟବ୍ୟୟ ପରିକଳ୍ପନାକୁ ଧ୍ବସ୍ତବିଧ୍ବସ୍ତ କରିଦେବା ପରେ ସେ ଏହି ଘୋଷଣା କରିଥିଲେ। କିନ୍ତୁ ରାଜକୋଷୀୟ ନିଅଣ୍ଟରେ ଏହି ସଂକୋଚନ ଯୋଗୁଁ ସରକାରଙ୍କର ଉନ୍ନୟନମୂଳକ ପୁଞ୍ଜି ବ୍ୟୟ ବାଧାପ୍ରାପ୍ତ ହେବାକୁ ଯାଉନାହିଁ ବୋଲି ସେ ଦେଶବାସୀଙ୍କୁ ଅାଶ୍ବସ୍ତ କରିଛନ୍ତି।

Advertisment

କ୍ଷମତାସୀନ ସରକାରମାନେ ଚିରାଚରିତ ଭାବରେ ବର୍ଷକୁ ଥରେ ଆଗାମୀ ବର୍ଷ ପାଇଁ ନିଜର ଆୟବ୍ୟୟ ସମ୍ପର୍କିତ ପ୍ରସ୍ତାବମାନ ଅନୁମୋଦନ ଲାଭ ନିମିତ୍ତ ସଂସଦରେ ଉପସ୍ଥାପନ କରିଥାନ୍ତି। ବ୍ରିଟେନ୍‌ର ପ୍ରସିଦ୍ଧତମ ଅର୍ଥମନ୍ତ୍ରୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଅର୍ଥନୀତିଜ୍ଞ ହ୍ୟୁ ଡାଲ୍‌ଟନ୍‌ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ପବ୍ଲିକ୍ ଫାଇନାନ୍‌ସ’ରେ ଏହି ପରମ୍ପରା ପ୍ରତି କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ ଗୋଟିଏ ବର୍ଷ ହେଉଛି ସୂର୍ଯ୍ୟଙ୍କୁ ଥରେ ପ୍ରଦକ୍ଷିଣ କରିବା ପାଇଁ ପୃଥିବୀ ନାମକ ଗ୍ରହ ନେଉଥିବା ସମୟର ଦୈର୍ଘ୍ୟ; ଏହି ସମୟକାଳର ଏପରି କ’ଣ ବିଶେଷତ୍ବ ଅଛି, ଯେଉଁଥିପାଇଁ ତା’ ସହିତ ଖାପ୍ ଖାଇବା ପାଇଁ ଏକ ବଜେଟ୍ ପ୍ରସ୍ତୁତ କରିବା ଆବଶ୍ୟକ ହୋଇଥାଏ? ଡାଲ୍‌ଟନ୍‌ଙ୍କର ଏହି ପ୍ରଶ୍ନର ତାତ୍ତ୍ବିକ ପ୍ରାସଙ୍ଗିକତା ନିଶ୍ଚିତ ରୂପେ ଅନସ୍ବୀକାର୍ଯ୍ୟ, କିନ୍ତୁ ବାସ୍ତବରେ ଏପରି ଖୁବ୍ କମ୍ ଅର୍ଥମନ୍ତ୍ରୀ ଥାନ୍ତି ଯେଉଁମାନଙ୍କୁ ବଜେଟ୍ ପ୍ରସ୍ତୁତ କରିବା ସମୟରେ ଏଭଳି ତାତ୍ତ୍ବିକ, ଦାର୍ଶନିକସୁଲଭ ପ୍ରଶ୍ନ ଆନ୍ଦୋଳିତ କରିଥାଏ। ବର୍ଷକ ପାଇଁ ଆୟବ୍ୟୟ ପ୍ରସ୍ତାବ ସର୍ବସମ୍ମୁଖରେ ଉପସ୍ଥାପିତ କଲାବେଳେ ତାଙ୍କର ଯାହା ମୁଖ୍ୟ ଚିନ୍ତା ହୋଇଥାଏ, ତାହା ହେଲା ସରକାରଙ୍କ ପାଇଁ ଆବଶ୍ୟକ ପରିମାଣର ସମ୍ବଳ ସଂଗ୍ରହ କରିବା ସଙ୍ଗେ ସଙ୍ଗେ କର ଭାର ଲାଘବ ଓ ସୁନିର୍ବାଚିତ ବ୍ୟୟ ମାଧ୍ୟମରେ ଆଗାମୀ ବର୍ଷକ ପାଇଁ ଜନତା ଜନାର୍ଦ୍ଦନଙ୍କୁ ସନ୍ତୁଷ କରିବା କିମ୍ବା ଅତି କମ୍‌ରେ ସେମାନଙ୍କୁ ବିମୁଖ ନ କରିବା।
ବିଶେଷକରି ଏକ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯେତେବେଳେ ଏକ ବଜେଟ୍ ଉପସ୍ଥାପିତ ହୋଇଥାଏ, ସେତେବେଳେ ବିତ୍ତମନ୍ତ୍ରୀଙ୍କର ଯାହା ଏକମାତ୍ର ଚିନ୍ତା ହୋଇଥାଏ, ତାହା ହେଲା, ଏହା ମାଧ୍ୟମରେ ଜନତା ଜନାର୍ଦ୍ଦନଙ୍କର ଯଥାସମ୍ଭବ ତୁଷ୍ଟୀକରଣ। ତେଣୁ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତେ ଯଦି ତାଙ୍କଠାରୁ ଏଇଭଳି କିଛି ମତଦାତା ତୁଷ୍ଟୀକରଣ ପ୍ରସ୍ତାବମାନ ଆଶା କରୁଥିଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କାରଣ ମାସ କେଇଟାରେ ଲୋକସଭା ପାଇଁ ଦେଶବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଓ ତାଙ୍କ ଦଳ ଲଗାତାର ତୃତୀୟ ପାଳି କ୍ଷମତାରେ ରହିବା ନିମିତ୍ତ ଯେଉଁଭଳି ଜନସମର୍ଥନ ଲାଭ କରିବା ପାଇଁ ଆଶା ବାନ୍ଧି ବସିଛି, ବଜେଟ୍ ସେଥିରେ ସହାୟକ ହେବ ବୋଲି ବିଶ୍ବାସ କରାଯାଇଥାଏ। ଅବଶ୍ୟ ସୀତାରମଣ ଉପସ୍ଥାପନ କରିଥିବା ଏହି ବଜେଟ୍ ହେଉଛି ଏକ ଅନ୍ତରୀଣ ବଜେଟ୍ ଏବଂ ନୂତନ ସରକାର ନିର୍ବାଚନ ପରେ ଦାୟିତ୍ବ ଗ୍ରହଣ କରିବା ପରେ ସମ୍ଭବତଃ ଜୁଲାଇରେ ଏକ ବିଧିବଦ୍ଧ ବଜେଟ୍ ଉପସ୍ଥାପିତ ହେବ। ତେଣୁ ନୈତିକତା ଦୃଷ୍ଟିରୁ ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ୍‌ରେ କୌଣସି ଗୁରୁତ୍ବପୂର୍ଣ୍ଣ ଆୟବ୍ୟୟ ପ୍ରସ୍ତାବ ଅନ୍ତର୍ଭୁକ୍ତ ନ କରି ତାହା ନୂତନ ସରକାରଙ୍କ ପାଇଁ ଛାଡ଼ିଦେବା ଆଶା କରାଯାଇଥାଏ।
କିନ୍ତୁ ଯୁଦ୍ଧ ଓ ପ୍ରେମରେ ଯେମିତି ନୈତିକ ଓ ଅନୈତିକ ମଧ୍ୟରେ କୌଣସି ଫରକ୍ ନ ଥାଏ, ରାଜନୀତିରେ ମଧ୍ୟ ଯେ ସେଇ ବିଭାଜନ ନିଶ୍ଚିହ୍ନ ହୋଇ ଯାଇଥ‌ାଏ, ଏ କଥା କିଏ ନ ଜାଣେ? ଏଣୁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି ‌େଯ ନିର୍ମଳା ସୀତାରମଣ ତାଙ୍କର ଏହି ବଜେଟ୍‌ରେ ସମସ୍ତ ପ୍ରକାର ତୁଷ୍ଟୀକରଣ ଠାରୁ ଏପରି ଦୂରେଇ ରହିବା ଦେଖାଯାଇଛି, ସତେ ‌େଯମିତି ଆଗାମୀ ସାଧାରଣ ନିର୍ବାଚନ ଆଗାମୀ ପାଞ୍ଚ ମାସ ମଧ୍ୟରେ ଅନୁଷ୍ଠିତ ନ ହୋଇ ଆଗାମୀ ପାଞ୍ଚ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଅର୍ଥାତ୍, ‌ସତେ ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ଓ ‘ଏନ୍‌ଡିଏ’ ମେଣ୍ଟ ୨୦୨୪ ନିର୍ବାଚନ ଜିତି ସାରିଛି ଓ ୨୦୨୯ ନିର୍ବାଚନ ଏବେ ଦୂର ଅଛି।
ଅବଶ୍ୟ ସୀତାରମଣଙ୍କର ଏଭଳି ଗଭୀର ଆତ୍ମପ୍ରତ୍ୟୟ ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ। ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ସମ୍ବନ୍ଧରେ ପୂର୍ବ ସୂଚନା ବହନ କଲାଭଳି ଅଳ୍ପ ଦିନ ତଳେ ଅନୁଷ୍ଠିତ ବିଧାନସଭା ନିର୍ବାଚନମାନଙ୍କରେ ତିନିଟି ପ୍ରଭାବଶାଳୀ ହିନ୍ଦୀଭାଷୀ ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ଲାଭ କରିଛି; ମୋଦୀ ଓ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ଦୁଇ ଡଜନ୍‌ରୁ ଅଧିକ ସଂଖ୍ୟକ ଦଳ ମିଶି ଗଠନ କରିଥିବା ମହାମେଣ୍ଟ ‘ଇନ୍‌ଡିଆ’ ଆପଣାଛାଏଁ ଭୁଶୁଡ଼ି ପଡ଼ିବାରେ ଲାଗିଛି; ଏବଂ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଦୀର୍ଘକାଳୀନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସ୍ବରୂପ ଅଯୋଧ୍ୟାରେ ଏକ ବିଶାଳ ଭବ୍ୟ ରାମ ମନ୍ଦିର ନିର୍ମିତ ହୋଇ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଛି। ଏଣେ ସାରା ପୃଥିବୀ ଭାରତୀୟ ଅର୍ଥନୀତିର ସଫଳତାର ଜୟଗାନ କରିବାରେ ଲାଗିଛି।
ଏହି ପୃଷ୍ଠଭୂମି ସୀତାରମଣଙ୍କ ପାଇଁ ତାଙ୍କର ଲଗାତାର ଷଷ୍ଠ ବଜେଟ୍ ଉପସ୍ଥାପନ ଦାୟିତ୍ବ ନିର୍ବାହ କରିବାକୁ ବେଶ୍ ସହଜ କରିଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ତାଙ୍କର ଏକମାତ୍ର ଦାୟିତ୍ବ ଥିଲା, ଏପରି କିଛି କର ନାହିଁ ଯାହା ତାଙ୍କ ଦଳ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବା ଉପରୋକ୍ତ ଆଦର୍ଶ ସନ୍ତୁଳନକୁ ବିଗାଡ଼ି ଦେଇପାରେ। ସୀତାରମଣ ତାହାହିଁ କରିଛନ୍ତି ମାତ୍ର। ତାଙ୍କର ଏହି ବଜେଟ୍‌ରେ ସେ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ କରରେ ହାତ ମାରି ନାହାନ୍ତି ଏବଂ ଭବିଷ୍ୟତକୁ ଏଭଳି ଅସ୍ଥିରତାରୁ ସୁରକ୍ଷିତ ରଖିବା ସହିତ ଅତୀତରେ ତାଙ୍କ ସରକାର ହାସଲ କରିଥିବା ଉଲ୍ଲେଖନୀୟ ଉପଲବ୍‌ଧିମାନଙ୍କ ପ୍ରତି ମତଦାତାମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଦାହରଣ ସ୍ବରୂପ ସେ ଆମକୁ ମନେ ପକାଇ ଦେଇଛନ୍ତି ଯେ ମୋଦୀ ସରକାର ଯେତେବେଳେ ୨୦୧୪ରେ ପ୍ରଥମେ କ୍ଷମତାକୁ ଆସିଲା, ସେତେବେଳେ ନାଗରିକମାନଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ଦେବାକୁ ପଡୁ ନ ଥିଲା; ବର୍ତ୍ତମାନ ସେହି ସୀମା ବୃଦ୍ଧି ପାଇ ହୋଇଛି ୭ ଲକ୍ଷ ଟଙ୍କା।
ଏହା ମଧ୍ୟ ଲକ୍ଷ୍ୟ କରିବା କଥା ଯେ ବର୍ତ୍ତମାନର ଅନ୍ତରୀଣ ବଜେଟ୍‌କୁ ଅ‌ପେକ୍ଷା ନ କରି ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ୮୦ କୋଟିରୁ ଅଧିକ ହିତାଧିକାରୀମାନଙ୍କ ପାଇଁ ଆଗାମୀ ପାଞ୍ଚ ବର୍ଷ ଧରି ମାଗଣା ଖାଦ୍ୟଶସ୍ୟ ଉପଲବ୍‌ଧ କରାଯିବା ଘୋଷଣା କରି ସାରିଛନ୍ତି। ସେଇଭଳି ସେଇ ସମୟରେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟରେ ମଧ୍ୟ ବୃଦ୍ଧି ଘୋଷଣା କରାଯାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବଜେଟ୍‌ ଉପସ୍ଥାପିତ ହେବାର ମାତ୍ର କେତେ ଘଣ୍ଟା ପୂର୍ବରୁ ସରକାର ମୋବାଇଲ୍ ଫୋନ୍ ଯନ୍ତ୍ରାଂଶମାନଙ୍କ ଉପରେ ଲାଗୁ ହେଉଥିବା ଆମଦାନି ଶୁଳ୍‌କ ହାର ହ୍ରାସ ଘୋଷଣା କରିଥିଲେ, ଯାହା ସରକାରଙ୍କର ‘ମେକ୍‌ ଇନ୍ ଇଣ୍ଡିଆ’ ଯୋଜନା ଲକ୍ଷ୍ୟ ପୂରଣ ପଥରେ ଥିବା ଏକ ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ। ସରକାର ଡାଲ୍‌ଟନ୍‌ଙ୍କୁ ଅନୁସରଣ କଲା ଭଳି ଏହି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବଜେଟ୍ ଉପସ୍ଥାପନ ପର୍ଯ୍ୟନ୍ତ ଅପେକ୍ଷା କରି ନ ଥିଲେ।
ନିର୍ମଳା ସୀତାରମଣଙ୍କୁ କିନ୍ତୁ ପ୍ରଶଂସା କରିବାକୁ ହେବ ଯେ ଏଭଳି ଏକ ନିସ୍ତରଙ୍ଗ ବଜେଟ୍ ଉପସ୍ଥାପନ କରିବା ସତ୍ତ୍ବେ ସେ ଘୋଷଣା କରିଛନ୍ତି ଯେ ୨୦୨୬ ବିତ୍ତ ବର୍ଷ ସୁଦ୍ଧା ରାଜକୋଷୀୟ ନିଅଣ୍ଟକୁ ‘ଜିଡିପି’ର ୪.୫ ଶତାଂଶ ମଧ୍ୟରେ ସୀମିତ କରାଯିବ, ଯାହା ସେ ପ୍ରଥମେ ୨୦୨୨ ବିତ୍ତ ବର୍ଷ ପାଇଁ ତାଙ୍କର ବଜେଟ୍ ଅଭିଭାଷଣରେ ଉଲ୍ଲେଖ କରିଥିଲେ। କୋଭିଡ୍ ପାଣ୍ଡେମିକ୍ ତାଙ୍କର ଆୟବ୍ୟୟ ପରିକଳ୍ପନାକୁ ଧ୍ବସ୍ତବିଧ୍ବସ୍ତ କରିଦେବା ପରେ ସେ ଏହି ଘୋଷଣା କରିଥିଲେ। କିନ୍ତୁ ରାଜକୋଷୀୟ ନିଅଣ୍ଟରେ ଏହି ସଂକୋଚନ ଯୋଗୁଁ ସରକାରଙ୍କର ଉନ୍ନୟନମୂଳକ ପୁଞ୍ଜି ବ୍ୟୟ ବାଧାପ୍ରାପ୍ତ ହେବାକୁ ଯାଉନାହିଁ ବୋଲି ସେ ଦେଶବାସୀଙ୍କୁ ଅାଶ୍ବସ୍ତ କରିଛନ୍ତି। ଏହାର ପ୍ରମାଣ ସ୍ବରୂପ ୨୦୨୫ ବିତ୍ତ ବର୍ଷ ପାଇଁ ବଜେଟ୍‌ରେ ପୁଞ୍ଜି ବ୍ୟୟରେ ୧୧.୧ ଶତାଂଶ ବୃଦ୍ଧି ଘଟାଇଛନ୍ତି, ଯାହା ଫଳରେ ତାହାର ଆକାର ହେବ ୧୧,୧୧,୧୧୧ କୋଟି ଟଙ୍କା। ନିଃସନ୍ଦେହରେ ନିର୍ମଳା ଜାଣିଶୁଣି ‌ଏହି ଗଣିତ ପସନ୍ଦ କରିଛନ୍ତି। ବଜେଟ୍ ଭଳି ଏକ ନିରସ ବିବରଣୀକୁ ‘୧’ ଅଙ୍କର ଏଭଳି ରୋଶଣି ସାଧାରଣ ଅନୁସରଣକାରୀମାନଙ୍କ ପାଇଁ ଟିକିଏ ସରସ କରିବା ବୋଧହୁଏ ହେଉଛି ତାଙ୍କର ଦୁଷ୍ଟାମିଭରା ଉଦ୍ଦେଶ୍ୟ।