କୁହାଯାଇଥାଏ ବିଂଶ ଶତାବ୍ଦୀର ମାନବ ସଭ୍ୟତାକୁ ରୂପାୟନ କରିଥିଲା ଚାରି ଜଣ ବିଚକ୍ଷଣ ଇହୁଦୀ ମନୀଷୀଙ୍କ ଚିନ୍ତାଧାରା: ସମାଜବିଜ୍ଞାନୀ-ଦାର୍ଶନିକ-ଅର୍ଥନୀତିଜ୍ଞ କାର୍ଲ ମାର୍କସ୍‌; ମନୋବିଜ୍ଞାନୀ ସିଗ୍‌ମଣ୍ଡ ଫ୍ରଏଡ୍‌ ଓ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌। ଏକବିଂଶ ଶତାବ୍ଦୀରେ ମନୁଷ୍ୟ ଯେତେବେଳେ ଦାର୍ଶନିକ ଆଣ୍ଡି କ୍ଲାର୍କ‌୍ ଓ ଡେଭିଡ୍‌ ଚାମର୍ସଙ୍କର ୧୯୯୮ରେ ପ୍ରକାଶିତ ରଚନା ‘ଦି ଏକ୍‌ସଟେଣ୍ଡେଡ୍‌ ମାଇଣ୍ଡ୍‌’ (‘ସମ୍ପ୍ରସାରିତ ମସ୍ତିଷ୍କ’)ରେ ସୂଚିତ ଚିନ୍ତାଧାରାକୁ ଅନୁସରଣ କଲାଭଳି ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ’ ବା ‘କୃତ୍ରିମ ବୁଦ୍ଧି’ (‘ଏଆଇ’) ଜଗତରେ ଧସେଇ ପଶିବାକୁ ଆରମ୍ଭ କରି ମାନବ ସଭ୍ୟତାକୁ ଏକ ସମ୍ପୂର୍ଣ୍ଣ ନୂତନ ଆଧାର ଉପରେ ପ୍ରତିଷ୍ଠିତ କରିବାର ସମ୍ଭାବନା ସୃଷ୍ଟି କରିଛି, ସେତେବେଳେ ଆଉ ଜଣେ ବିଚକ୍ଷଣ ଇହୁଦୀ ଯୁବକ ଏହି ଉଦ୍ୟମର କର୍ଣ୍ଣଧାର ରୂପେ ଆବିର୍ଭୂତ ହୋଇଛନ୍ତି।
ଏହି ଚତୁର୍ଥ ଇହୁଦୀଙ୍କର ନାମ ମାତ୍ର କିଛି ଦିନ ତଳେ ସମ୍ପୂର୍ଣ୍ଣ ଅପରିଚିତ ଥିବା ବେଳେ, ବର୍ତ୍ତମାନ ତାହା ପୃଥିବୀ ସାରା ସର୍ବାଧିକ ପରିଚିତ ନାମମାନଙ୍କ ମଧ୍ୟରୁ ଅନ୍ୟତମରେ ପରିଣତ ହୋଇଯାଇଛି। ଏହି ନାମ ହେଉଛି- ସାମ୍‌ ଅଲ୍‌ଟମ୍ୟାନ୍‌। ଆଉ ‘ଓପନ୍‌ ଏଆଇ’ର ପ୍ରତିଷ୍ଠିତା ତଥା ‘ଚାଟ୍‌ଜିପିଟି’ର ସ୍ରଷ୍ଟା ଏହି ୩୮ ବର୍ଷୀୟ କମ୍ପ୍ୟୁଟର ଯାଦୁକରଙ୍କୁ କେନ୍ଦ୍ର କରି ବିଗତ ସପ୍ତାହରେ ଯେଉଁ ନାଟକ ଅଭିନୀତ ହୋଇଯାଇଛି ତାହା କେବଳ ‘ଏଆଇ’ ବିକାଶ କ୍ଷେତ୍ର, କିମ୍ବା ଆମେରିକାର କର୍ପୋରେଟ୍‌ ପରିଚାଳନା ଜଗତରେ ନୁହେଁ, ପୃଥିବୀ ସାରା ଅନୁସନ୍ଧିତ୍ସୁ ପର୍ଯ୍ୟବେକ୍ଷକ ମହଲରେ ଏକ ରହସ୍ୟ ରୋମାଞ୍ଚ କାହାଣୀ ଭଳି ଉତ୍ସୁକତା ସୃଷ୍ଟି କରିଛି।
ଅତି ସଂକ୍ଷେପରେ କହିଲେ, ନଭେମ୍ବର ୧୭ରେ ‘ଚାଟ୍‌ଜିପିଟି’ର ନିର୍ମାତା କମ୍ପାନି ‘ଓପନ୍‌ଏଅାଇ’ର ‘ସିଇଓ’ ସାମ୍‌ ଅଲ୍‌ଟମ୍ୟାନ୍‌ଙ୍କୁ ସେହି କମ୍ପାନିର ପରିଚାଳନା ବୋର୍ଡ ତାଙ୍କ ପଦରୁ ବରଖାସ୍ତ କରି ଦେଲା। ଏହାର ଦୁଇ ଦିନ ପରେ ନଭେମ୍ବର ୧୯ରେ ‘ମାଇକ୍ରୋସଫ୍‌ଟ’ର ‘ସିଇଓ’ ସତ୍ୟ ନାଡ଼େଲା ସାମ୍‌ ଅଲ୍‌ଟମ୍ୟାନ୍‌ଙ୍କୁ ତାଙ୍କ କମ୍ପାନିରେ ନିଯୁକ୍ତି ପ୍ରଦାନ କରି ସେଠାରେ ଏକ ‘ଏଆଇ’ ଶାଖା ନିର୍ମାଣର ନେତୃତ୍ବ ପ୍ରଦାନ କରିବା ଘୋଷଣା କଲେ। ଉଲ୍ଲେଖଯୋଗ୍ୟ, ‘ମାଇକ୍ରୋସଫ୍‌ଟ’ ହେଉଛି ‘ଓପନ୍‌ଏଆଇ’ର ସର୍ବବୃହତ୍‌ ନିବେଶକ। ଅଲ୍‌ଟମ୍ୟାନ୍‌ଙ୍କୁ ନିକାଲି ଦିଆଯିବା ପ୍ରତିବାଦରେ କିନ୍ତୁ ‘ଓପନ୍‌ଏଆଇ’ର ସାତ ଶହରୁ ଅଧିକ ଟେକ୍‌ନୋଲୋଜି-କର୍ମଚାରୀମାନେ ବିଦ୍ରୋହ ଘୋଷଣା କଲେ ଏବଂ ସେ କମ୍ପାନି ଛାଡ଼ି ଚାଲିଯାଇ ‘ମାଇକ୍ରୋସ‌ଫ୍‌ଟ’ରେ ଅଲ୍‌ଟମ୍ୟାନ୍‌ଙ୍କ ସହିତ ଯୋଗ ଦେବାକୁ ଧମକ ଦେଲେ। ଆମୋଦଦାୟକ ଭାବରେ ଏହି ବିଦ୍ରୋହୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ଅଲ୍‌ଟମ୍ୟାନ୍‌ଙ୍କୁ ବିତାଡ଼ିତ କରିବା ପାଇଁ ନିଷ୍ପତ୍ତି ନେଇଥିବା ବୋର୍ଡର ସଦସ୍ୟମାନଙ୍କ ମଧ୍ୟରୁ ଜଣେ ସଦସ୍ୟ। ନଭେମ୍ବର ୨୧ରେ ‘ଓପନ୍‌ଏଆଇ’ ପୁଣି ସାମ୍‌ ଅଲ୍‌ଟମ୍ୟାନଙ୍କୁ ‘ସିଇଓ’ ପଦରେ ଅଧିଷ୍ଠିତ କରିବାକୁ ବାଧ୍ୟ ହେଲା। ସମସ୍ତେ ସ୍ବୀକାର କରୁଛନ୍ତି ଯେ ଏଥିରେ ଯିଏ ପ୍ରକୃତ ବିଜୟ ହାସଲ କଲେ, ସେ ହେଉଛନ୍ତି ମାଇକ୍ରୋସଫ୍‌ଟର ମୁଖ୍ୟ ସତ୍ୟ ନାଡ଼େଲା, ଯାହାଙ୍କ ବଳରେ ବଳିୟାନ୍‌ ହୋଇ ସାମ୍‌ ଅଲ୍‌ଟମ୍ୟାନ୍‌ ‘ଓପନ୍‌ଏଆଇ’ର ବୋର୍ଡକୁ ପରାସ୍ତ କଲେ।
ବର୍ତ୍ତମାନ ପୃଥିବୀର ଷ୍ଟାର୍ଟ-ଅପ୍‌ ଜଗତର ଶୀର୍ଷ ସ୍ଥାନ ଦଖଲ କରିଥିବା ‘ଓପନ୍‌ଏଆଇ’ରେ ଘଟିଥିବା ଏହି ନାଟକ ସାବ୍ୟସ୍ତ କରିଥାଏ କିପରି ବିଦ୍ୟୁତ୍‌ ଗତିରେ ନବଜାତକ ‘ଜେନେରେଟିଭ ଏଆଇ’ (ଠିକ୍‌ ବର୍ଷକ ତଳେ ଚାଟ୍‌ଜିପିଟି ଗତ ବର୍ଷ ନଭେମ୍ବରରେ ଭୂମିଷ୍ଠ ହୋଇଥିଲା) ଟେକ୍‌ନୋଲୋଜି ଜଗତର ମଉଡ଼ମଣି ପାଲଟି ଯାଇଛି। କିନ୍ତୁ ଏଥିସହିତ ଏହି କ୍ଷୁଦ୍ର ଝଡ଼ଟି ଏହା ମଧ୍ୟ ପ୍ରମାଣ କରିଛି ଯେ ‘କୃତ୍ରିମ ବୁଦ୍ଧି’ର ଏ ଯେଉଁ ଚମକପ୍ରଦ ଅଗ୍ରଗତି ଘଟିଛି, ତା’ ସହିତ ମଧ୍ୟ ଅନିବାର୍ଯ୍ୟ ଭାବରେ ଯେଉଁମାନଙ୍କର ଅପରିହାର୍ଯ୍ୟତା ସାବ୍ୟସ୍ତ ହୋଇଛି ସେମାନେ ହେଉଛନ୍ତି ସେଇ ପ୍ରାକୃତିକ ବୁଦ୍ଧିର ଅଧିକାରୀ ଟେକ୍‌ନୋଲୋଜି ବିଶେଷଜ୍ଞମାନେ ଯେଉଁମାନଙ୍କର ମିଳିତ ଅବଦାନ ଫଳରେ ‘ଏଆଇ’ର ଅଗ୍ରଗତି ସମ୍ଭବ ହେଉଛି। ସେଇମାନଙ୍କର ଗଣଇସ୍ତଫା ଧମକ ‘ଓପନ୍‌ଏଆଇ’ର ବୋର୍ଡ ସଦସ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା।
୨୦୧୫ରେ ଯେତେବେଳେ ସାମ୍‌ ଅଲ୍‌ଟମ୍ୟାନ୍‌ ‘ଓପନ୍‌ଏଆଇ’ ପ୍ରତିଷ୍ଠା କରିଥିଲେ, ସେତେବେଳେ ତାଙ୍କର ଯାହା ଉଦ୍ଦେଶ୍ୟ ଥିଲା, ତାହା ହେଲା- ମାନବ ଚିନ୍ତାଶକ୍ତିର ସମକକ୍ଷ କିମ୍ବା ତା’ଠାରୁ ମଧ୍ୟ ଆହୁରି ଅଧିକ ପାରଦର୍ଶୀ ‘ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍‌ସ’ (‘ଏଜିଆଇ’) ବା ‘କୃତ୍ରିମ ସାଧାରଣ ବୁଦ୍ଧି’ର ବିକାଶ ଘଟାଇବା ପାଇଁ ଏକ ‘ଅଣ-ଲାଭ’ ବା ‘ନନ୍‌-ପ୍ରଫିଟ୍‌’ ଗବେଷଣାଗାର ପ୍ରତିଷ୍ଠା କରିବା, ଯାହା ମାନବ ସମାଜ ପାଇଁ ସମ୍ପୂର୍ଣ୍ଣ ନିରାପଦ ହୋଇଥିବ। କିନ୍ତୁ ଏଥିପାଇଁ ଯେଉଁ ବିଶାଳ ପାଣ୍ଠି ଆବଶ୍ୟକ ହେଲା ତାହା ସଂଗ୍ରହ କରିବା ଉଦ୍ଦେଶ୍ୟରେ ଅଲ୍‌ଟମ୍ୟାନ୍‌ ‘ଚାଟ୍‌ଜିପିଟି’ ଭଳି ଏକ ଏଆଇ-ଉପକରଣ ନିର୍ମାଣ କରି ବିକ୍ରି କରିବା ଆରମ୍ଭ କଲେ, ଯେଉଁଥିପାଇଁ ସେ ‘ଓପନ୍‌ଏଆଇ’ର ଏକ ଭିନ୍ନ ଲାଭ ଅର୍ଜନକାରୀ ବା ‘ଫର୍‌-ପ୍ରଫିଟ୍‌’ ଶାଖା ପ୍ରତିଷ୍ଠା କଲେ- ମାଇକ୍ରୋସଫ୍‌ଟ ଯେଉଁଥିରେ ୧୩ ବିଲିଅନ୍‌ ଡଲାର୍‌ ନିବେଶ କରି ୪୯ ପ୍ରତିଶତ ଅଂଶଧନର ଅଧିକାରୀ ହୋଇଛି।
ଏହାର ଅର୍ଥ ‘ଚାଟ୍‌ଜିପିଟି’ର ଉଦ୍ଦେଶ୍ୟ ଲାଭ ଅର୍ଜନ ହୋଇଥିବା ବେଳେ, ତା’ର ମାଲିକ କମ୍ପାନି ‘ଓପନ୍‌ଏଆଇ’ର ଉଦ୍ଦେଶ୍ୟ କିନ୍ତୁ ହେଉଛି ମାନବ ଜାତିର ମଙ୍ଗଳ ସାଧନ, ଲାଭ ଅର୍ଜନ ନୁହେଁ। ଲାଭ ଅର୍ଜନ ପାଇଁ ଚାଟ୍‌ଜିପିଟି ଯଦି କୌଣସି ଅନୈତିକ ଦିଗରେ ଅଗ୍ରସର ହୁଏ, ‌‘ଓପନ୍‌ଏଆଇ୍‌’ ତାହା କରାଇଦେବ ନାହିଁ। ଏହା ସୁବିଦିତ ଯେ କୃତ୍ରିମ ବୁଦ୍ଧି ବା ‘ଏଆଇ’ର ବିଭିନ୍ନ ପ୍ରକାର ଦୁରୁପଯୋଗ କରାଯାଇ ମନୁଷ୍ୟର ଘୋର ଅମଙ୍ଗଳ ସାଧନ କରାଯାଇପାରେ। ‘ଓପନ୍‌ଏଆଇ୍‌’ କିନ୍ତୁ ଏହା କରାଇ ନ ଦେବା ପାଇଁ ସତର୍କ ପ୍ରହରୀ ରୂପେ କାର୍ଯ୍ୟ କରିବ। ଏବେ କିନ୍ତୁ ଦେଖା ଗଲା ଯେ ସାମ୍‌ ଅଲ୍‌ଟମ୍ୟାନ୍‌ ଓ ତାଙ୍କର ସାତ ଶହ ସାଥୀମାନେ ‘ମାଇକ୍ରୋସଫ୍‌ଟ’ ପରି ଏକ ଲାଭ ଅର୍ଜନକାରୀ ସଂସ୍ଥାରେ ଯୋଗ ଦେବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା। ଏବଂ ଏହି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ‘ଓପନ୍‌ଏଆଇ୍‌’ ବୋର୍ଡର କୌଣସି ଶକ୍ତି ନାହିଁ।
ଏହି ଘଟଣା ଯେଉଁ ଅପ୍ରିୟ ସତ୍ୟକୁ ପଦାରେ ପକାଇଛି, ତାହା ହେଲା ‘ଏଆଇ’ ଭଳି ଏକ ଅତ୍ୟନ୍ତ ଶକ୍ତିଶାଳୀ ନୂତନ ଜ୍ଞାନକୌଶଳର ବ୍ୟବହାର ବା ପ୍ରୟୋଗ ନିୟନ୍ତ୍ରଣ ଦାୟିତ୍ବ କୌଣସି ଏକ ବେସରକାରୀ ସଂଗଠନ ଉପରେ ନ୍ୟସ୍ତ କରିବା ଆଦୌ ନିରାପଦ ନୁହେଁ। ସାମ୍‌ ଅଲ୍‌ଟମ୍ୟାନ୍‌ ହୁଏତ ଆଇନ୍‌ଷ୍ଟାଇନ୍‌ଙ୍କ ପରି ବିଚକ୍ଷଣ ହୋଇପାରନ୍ତି, କିନ୍ତୁ ସେ ଯେଉଁ ଟେକ୍‌ନୋଲୋଜି ଉଦ୍ଭାବନ କରିଛନ୍ତି ତାହାର ଉପଯୋଗର ଦିଗ ନିୟନ୍ତ୍ରଣ ଦାୟିତ୍ବ ଯେ କେବଳ ତାଙ୍କ ଉପରେ ଛାଡ଼ି ଦିଆଯାଇପାରିବ ନାହିଁ, ସେଥିପ୍ରତି କେବଳ ଆମେରିକା ସରକାର ନୁହନ୍ତି, ସମଗ୍ର ମାନବ ସମାଜ ସଚେତନ ହେବା ଜରୁରୀ। ପରମାଣୁ ବୋମାର ଉଦ୍ଭାବନରେ ଆଇନ୍‌ଷ୍ଟାଇନ୍‌ଙ୍କର ଗୁରୁତ୍ବପୂର୍ଣ୍ଣ ତାତ୍ତ୍ବିକ ଅବଦାନ ଥିଲା, କିନ୍ତୁ ବୋମା ନିର୍ମାଣକୁ ସେ ବିରୋଧ କରୁଥିଲେ ମଧ୍ୟ ଅଟକାଇ ପାରି ନଥିଲେ। ଚତୁର୍ଥ ଇହୁଦୀଙ୍କ ସୃ‌ଷ୍ଟ ‘ଏଆଇ’ ଯେମିତି ସେଇଭଳି ଏକ ଭୟଙ୍କର ଭସ୍ମାସୁରରେ ପରିଣତ ନ ହୁଏ, ବିଶ୍ବ ସମୁଦାୟ ସେଥିପ୍ରତି ସଚେତନ ‌ହେବା ନିମିତ୍ତ ସାମ୍‌ ଅଲ୍‌ଟମ୍ୟାନ୍‌ ନାଟକ ହେଉଛି ଏକ ସତର୍କ ସୂଚନା।