‘ଜି-୨୦’ର ଏହି ଦକ୍ଷିଣାୟନକୁ ସ୍ଥାୟିତ୍ବ ପ୍ରଦାନ କଲା ଭଳି ଏହି ଦିଲ୍ଲୀ ସମ୍ମିଳନୀରେ ହିଁ ୫୫ ଦେଶୀୟ ‘ଆଫ୍ରିକାନ୍‌ ୟୁନିଅନ୍‌’ ବିଧିବଦ୍ଧ ଭାବରେ ଏହି ସଂଗଠନ ସହିତ ଯୋଡ଼ି ହୋଇ ଯାଇଛି। ଏ ସମସ୍ତ ଉଦ୍ୟମ ବର୍ତ୍ତମାନ ଭାରତକୁ ନିଃସନ୍ଦେହରେ ଦକ୍ଷିଣ ବିଶ୍ବର ମୁଖ୍ୟ ସ୍ବାର୍ଥ ରକ୍ଷାକାରୀ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରିଛି। ଭାରତ ପ୍ରତି ଈର୍ଷା ଭାବ ଯୋଗୁଁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଶୀର୍ଷ ସମ୍ମିଳନୀରେ ଯୋଗ ନ ଦେବା ଯୋଗୁଁ ଏହି ମର୍ଯ୍ୟାଦା ହାସଲ କରିବା ନିମିତ୍ତ ଭାରତକୁ ମଧ୍ୟ କୌଣସି ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ସି ଜିନ୍‌ପିଙ୍ଗ୍‌ଙ୍କର ଆଚରଣର ଏହି ପରିଣତି ପୁଣି ଥରେ ସେଇ ଆପ୍ତବାକ୍ୟକୁ ପ୍ରମାଣିତ କରିଥାଏ: ‘‘ଈର୍ଷା ହେଉଛି ଏକ ବିଷ, ଯାହାକୁ ତୁମେ ପାନ କରି ଆଶା କର ଯେ ସେ ଲୋକଟିର ମୃତ୍ୟୁ ଘଟିବ।’’

Advertisment

ଆନ୍ତର୍ଜାତିକ ଗଣମାଧ୍ୟମରେ ଭାରତର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଅନେକ ସମୟରେ ‘‘ଭାରତର କ୍ଷୁର ଧାର ବୈଦେଶିକ ମନ୍ତ୍ରୀ’’ (‘‘ଇଣ୍ଡିଆ’ଜ୍‌ ରେଜର୍‌ ସାର୍ପ‌୍ ଫରେନ୍‌ ମିନିଷ୍ଟର୍‌’’) ରୂପେ ବର୍ଣ୍ଣନା କରାଯାଇଥାଏ। ବିଭିନ୍ନ ଆନ୍ତର୍ଜାତିକ କୂଟନୈତିକ ପ୍ରସଙ୍ଗରେ ତାଙ୍କର ପ୍ରତ୍ୟୁତ୍ପନ୍ନମତିତାପୂର୍ଣ୍ଣ ତୀକ୍ଷ୍‌ଣ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି କୂଟନୈତିକ ମହଲରେ ତାଙ୍କର ଯେଉଁ ଭାବମୂର୍ତ୍ତିର ଆବିର୍ଭାବ ଘଟିଛି, ଏହି ବିଶେଷଣ ହେଉଛି ତା’ର ଅନ୍ୟତମ ପରିଚାୟକ। କ୍ଷୁରର କାର୍ଯ୍ୟ ହେଉଛି କାଟିବା, ଯୋଡ଼ିବା ନୁହେଁ। କିନ୍ତୁ ଜୟଶଙ୍କର ତାଙ୍କର ପୁସ୍ତକ, ‘ଦି ଇଣ୍ଡିଅା ୱେ’ (‘ଭାରତ ପଥ’)ରେ ଯେଉଁ ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି, ସେଥିରେ ସେ ଭାରତ ପୃଥିବୀର ବିଭିନ୍ନ ଦେଶମାନଙ୍କ ସହିତ ସମ୍ପର୍କ ଯୋଡ଼ିବା ଉପରେ ଯେଉଁଭଳି ଗୁରୁତ୍ବ ପ୍ରଦାନ କରିଛନ୍ତି, ତାହା ‌ଦେଖିଲେ ମନେ ହୁଏ ତାଙ୍କୁ ବୋଧହୁଏ ‘ରେଜର୍‌ ସାର୍ପ‌୍ ଫରେନ୍‌ ମିନିଷ୍ଟର’ ରୂପେ ବର୍ଣ୍ଣନା କରିବା ଅପେକ୍ଷା ‘ଫେଭିକଲ୍‌ ଫରେନ୍‌ ମିନିଷ୍ଟର’ ବୋଲି ସମ୍ବୋଧନ କରିବା ଅଧିକ ଯଥାର୍ଥ ହୁଅନ୍ତା (‘ଫେଭିକଲ୍‌’ ହେଉଛି ଏକ ଲୋକପ୍ରିୟ ବହୁଳ ବ୍ୟବହୃତ ଯୋଡ଼େଇ ଅଠା)।
ସେ ପୁସ୍ତକରେ ଜୟଶଙ୍କର ଲେଖିଛନ୍ତି: ‘‘ଆମ ପାଇଁ ଏ ସମୟ ହେଉଛି ଆମେରିକା ସହିତ ସମ୍ପର୍କ ଯୋଡ଼ିବା, ଚୀନ୍‌କୁ ଚଳାଇବା, ଇଉରୋପ ସହିତ ସମ୍ପର୍କ ବୃଦ୍ଧି କରିବା, ରୁଷିଆକୁ ଆଶ୍ବସ୍ତ କରିବା, ଜାପାନକୁ ସମ୍ପୃକ୍ତ କରିବା, ପଡ଼ୋଶୀ ମାନଙ୍କୁ ଆକର୍ଷିତ କରିବା, ପଡ଼ୋଶୀ ଅଞ୍ଚଳକୁ ସମ୍ପ୍ରସାରିତ କରିବା, ଏବଂ ପାରମ୍ପରିକ ସହଯୋଗ କ୍ଷେତ୍ରମାନଙ୍କର ସ୍ଫୀତି ଘଟାଇବାର ସମୟ।’’ ଏଥିରେ ଭାରତର ଚରମ ବିରୋଧୀମାନେ ମଧ୍ୟ ଏକମତ ହେବେ ଯେ ଯେଉଁ ଅତ୍ୟନ୍ତ ଚମକପ୍ରଦ ସଫଳତାର ସହିତ ଦିଲ୍ଲୀଠାରେ ‘ଜି-୨୦’ ଶିଖର ସମ୍ମିଳନୀ ଅ‌ାୟୋଜିତ ଓ ସମାପ୍ତ ହୋଇଛି, ସେଥିରେ ଅସମ୍ଭବ ମନେ ହେଉଥିଲେ ହେଁ ଜୟଶଙ୍କର ବର୍ଣ୍ଣିତ ଉପରୋକ୍ତ ସମସ୍ତ ପରସ୍ପର-ବିରୋଧୀ ଲକ୍ଷ୍ୟଗୁଡ଼ିକ ପୂରଣ ହୋଇପାରିଛି।
ଅସହିଷ୍ଣୁ ସନ୍ଦେହୀମାନେ ଦୃଢ଼ୋକ୍ତି କରି ଚାଲିଥିଲେ ଯେ ଶିଖର ସମ୍ମିଳନୀ ପୂର୍ବରୁ ଭାରତରେ ଆୟୋଜିତ ‘ଜି-୨୦’ ଅନ୍ତର୍ଗତ ଅନ୍ୟ ସମ୍ମିଳନୀଗୁଡ଼ିକରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ହାସଲ ହୋଇ ପାରିନଥିଲା ଭଳି, ଶୀର୍ଷ ସମ୍ମିଳନୀରେ ମଧ୍ୟ ଏକ ସହମତି ଭିତ୍ତିକ ମିଳିତ ଘୋଷଣା ସମ୍ଭବ ହେବ ନାହିଁ। କିନ୍ତୁ ଏଭଳି ସନ୍ଦେହକୁ ଭିତ୍ତିହୀନ ସାବ୍ୟସ୍ତ କରି ଉପସ୍ଥିତ ସମସ୍ତ ରାଷ୍ଟ୍ର ମୁଖ୍ୟମାନେ ଓ ଅନୁପସ୍ଥିତ ରାଷ୍ଟ୍ର ମୁଖ୍ୟମାନଙ୍କର ପ୍ରତିନିଧିମାନେ ସମ୍ମିଳନୀ ଶେଷରେ ଏକ ସ୍ପଷ୍ଟ, ପରିଷ୍କାର ମିଳିତ ଘୋଷଣାନାମା ପ୍ରକାଶ କଲେ। ସେତିକି ନୁହେଁ, ସେମାନେ ମଧ୍ୟ ଖୋଲାଖୋଲି ଭାବରେ ସ୍ବୀକାର କରିଛନ୍ତି ଯେ ଭାରତର ସାମ୍ପ୍ରତିକ ଆନ୍ତର୍ଜାତିକ ମର୍ଯ୍ୟାଦା, କୂଟନୈତିକ ପରିପକ୍ବତା ଓ ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏଭଳି ବିରଳ ସହମତି ସମ୍ଭବ ହୋଇପାରିଛି।
ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଦେଶ-ଦେଶ ମଧ୍ୟରେ ଏଭଳି ଫାଟ ସୃଷ୍ଟି ହୋଇଛି ଯେ କେହି କେବେ ଆଶା କରି ପାରୁନଥିଲେ ଯେ ମିଳିତ ଘୋଷଣାପତ୍ରରେ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଏପରି ଭାଷା ବ୍ୟବହାର କରାଯାଇପାରିବ, ଯାହା ଉଭୟ ରୁଷିଆ ଓ ଆମେରିକା ପାଇଁ ଗ୍ରହଣୀୟ ହେବ। କିନ୍ତୁ ଦିଲ୍ଲୀ ଘୋଷଣାନାମାରେ ସେଇ ଅସମ୍ଭବ ସମ୍ଭବ ହୋଇଛି। ଆମେରିକାର ଚାପରେ ଏଥି ପୂର୍ବର ବାଲି ଶୀର୍ଷ ସମ୍ମିଳନୀ‌େର ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷିଆକୁ କଠୋର ନିନ୍ଦା କରାଯାଇଥିବାରୁ ସେ ସମ୍ମିଳନୀର ଘୋଷଣାପତ୍ର ସହମତି ଭିତ୍ତିକ ହୋଇ ପାରିନଥିଲା ଓ ବିଭିନ୍ନ ମତ ‌ବହନ କରିଥିଲା। ଦିଲ୍ଲୀ ଘୋଷଣାନାମାରେ ଯୁଦ୍ଧର କୁପରିଣାମ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇ ଯୁଦ୍ଧକୁ ବିରୋଧ କରାଯାଇଥିଲେ ହେଁ ରୁଷିଆକୁ ଭର୍ତ୍ସନା କରାଯାଇନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଆମେରିକା ରୁଷିଆ ପ୍ରତି ଏଭଳି କୋମଳ ମନୋଭାବ ଗ୍ରହଣ ପାଇଁ ରାଜି ହୋଇଥିଲା। ରୁଷିଆ ଓ ଚୀନ୍‌ ପାଇଁ ମଧ୍ୟ ଏହା ଗ୍ରହଣୀୟ ହୋଇଥିଲା। ଏଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଘନିଷ୍ଠ ସମ୍ପର୍କର ଅବଦାନ ଯେତିକି, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ସେର୍ପା ଅମିତାଭ କାନ୍ତ ଆଦିଙ୍କର ବ୍ୟାପକ କୂଟନୈତିକ ସମ୍ପର୍କ ଓ ନିରଳସ ଉଦ୍ୟମର ଅବଦାନ ମଧ୍ୟ ସେତିକି। ମୋଦୀଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ ତାଙ୍କର ୟୁକ୍ରେନ୍‌ ଯୁଦ୍ଧ ସମ୍ବନ୍ଧରେ ଏକ ପ୍ରସିଦ୍ଧ ମନ୍ତବ୍ୟ ମଧ୍ୟ ଏହି ଘୋଷଣାପତ୍ରରେ ସ୍ଥାନ ପାଇଛି: ‘‘ଏହା ଏକ ଯୁଦ୍ଧର ଯୁଗ ନୁହେଁ।’’
ଉଲ୍ଲେଖନୀୟ ଭାବରେ ଏହି ଶୀର୍ଷ ସମ୍ମିଳନୀରେ ଆଲୋଚନାରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ‘ଦକ୍ଷିଣ ବିଶ୍ବ’ ରୂପେ ଅଭିହିତ ପୃଥିବୀର ବିକାଶଶୀଳ ଦେଶମାନଙ୍କର ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଇଛି। ବହୁପାକ୍ଷିକ ବ୍ୟାଙ୍କ୍‌ (ମଲ୍‌ଟିଲାଟରାଲ୍‌ ଡେଭଲୋପମେଣ୍ଟ ବ୍ୟାଙ୍କ୍‌- ‘ଏମ୍‌ଡିବି’) ମାନକର ସଂସ୍କାର ଓ ସେମାନଙ୍କର ଋଣ ପ୍ରଦାନ କ୍ଷମତାରେ ବୃଦ୍ଧିରୁ ଆରମ୍ଭ କରି, ବାଣିଜ୍ୟକୁ ଅଧିକ ନ୍ୟାୟୋଚିତ କରିବାର ଆବଶ୍ୟକତା, ଋଣର ପୁନଃରଚନା, ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପର୍ଯ୍ୟନ୍ତ ବିକାଶଶୀଳ ଦେଶମାନଙ୍କର ସ୍ବାର୍ଥ ସହିତ ଘନିଷ୍ଠ ଭାବରେ ଜଡ଼ିତ ପ୍ରସଙ୍ଗମାନ ଏହି ସମ୍ମିଳନୀରେ ପ୍ରାଧାନ୍ୟ ଲାଭ କରିଥିଲା।
‘ଜି-୨୦’ର ଏହି ଦକ୍ଷିଣାୟନକୁ ସ୍ଥାୟିତ୍ବ ପ୍ରଦାନ କଲା ଭଳି ଏହି ଦିଲ୍ଲୀ ସମ୍ମିଳନୀରେ ହିଁ ୫୫ ଦେଶୀୟ ‘ଆଫ୍ରିକାନ୍‌ ୟୁନିଅନ୍‌’ ବିଧିବଦ୍ଧ ଭାବରେ ଏହି ସଂଗଠନ ସହିତ ଯୋଡ଼ି ହୋଇ ଯାଇଛି। ଏ ସମସ୍ତ ଉଦ୍ୟମ ବର୍ତ୍ତମାନ ଭାରତକୁ ନିଃସନ୍ଦେହରେ ଦକ୍ଷିଣ ବିଶ୍ବର ମୁଖ୍ୟ ସ୍ବାର୍ଥ ରକ୍ଷାକାରୀ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରିଛି। ଭାରତ ପ୍ରତି ଈର୍ଷା ଭାବ ଯୋଗୁଁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଶୀର୍ଷ ସମ୍ମିଳନୀରେ ଯୋଗ ନ ଦେବା ଯୋଗୁଁ ଏହି ମର୍ଯ୍ୟାଦା ହାସଲ କରିବା ନିମିତ୍ତ ଭାରତକୁ ମଧ୍ୟ କୌଣସି ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ସି ଜିନ୍‌ପିଙ୍ଗ୍‌ଙ୍କର ଆଚରଣର ଏହି ପରିଣତି ପୁଣି ଥରେ ସେଇ ଆପ୍ତବାକ୍ୟକୁ ପ୍ରମାଣିତ କରିଥାଏ: ‘‘ଈର୍ଷା ହେଉଛି ଏକ ବିଷ, ଯାହାକୁ ତୁମେ ପାନ କରି ଆଶା କର ଯେ ସେ ଲୋକଟିର ମୃତ୍ୟୁ ଘଟିବ।’’
ସି’ଙ୍କୁ ମଧ୍ୟ ଏହି ଶୀର୍ଷ ସମ୍ମିଳନୀ ଅବସରରେ ଘଟିଥିବା ଆଉ ଯେଉଁ ଏକ ଘଟଣା ଘୋର ବିଚଳିତ କରୁଥିବ, ତାହା ହେଲା ଆକ୍ଷରିକ ଭାବରେ ଏକ ଭାରତ ପଥର ପରିକଳ୍ପନା। ଭାରତ ଓ ଇଉରୋପକୁ ସଂଯୋଗ କରିବା ପାଇଁ ମଧ୍ୟ-ପ୍ରାଚ୍ୟ ଦେଇ ଏକ ପଥ ବା କରିଡର ନିର୍ମାଣ କରିବା ନିମିତ୍ତ ଭାରତ, ଆମେରିକା, ୟୁଏଇ, ସାଉଦୀ ଆରବ, ଫ୍ରାନ୍‌ସ, ଜର୍ମାନୀ, ଇଟାଲୀ ଓ ଇଉରୋପିଆନ୍‌ ୟୁନିଅନ୍‌ ଏକ ‘ଏମ୍‌ଓୟୁ’ ସ୍ବାକ୍ଷର କରିଛନ୍ତି। ଏହା ଏହି ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ, ଇନ୍ଧନ, ପ୍ରବିଧି ଆଦିର ପ୍ରବାହକୁ ସାବଲୀଳ କରିବା ସହିତ ଯାହାର ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୂତ ହେବ, ତାହା ହେଲା ସି ଜିନ୍‌ପିଙ୍ଗ୍‌ଙ୍କର ଅତି ପ୍ରିୟ ବହୁଦେଶୀୟ ଯୋଗସୂତ୍ର ସୃଷ୍ଟିକାରୀ ପ୍ରକଳ୍ପ- ‘ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌’ ବା ‘ବିଆର୍‌ଆଇ’, ଯାହାର ଅସଲ ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଚୀନା ପ୍ରଭାବ ବିସ୍ତାର କରିବା। ଏହି ନୂତନ ପ୍ରସ୍ତାବିତ ପଥ ଚୀନ୍‌ର ସେ ଉଦ୍ଦେଶ୍ୟକୁ ଭଣ୍ଡୁର କରିବ।