ମଣିପୁର ଆମ ସମ୍ବାଦପତ୍ରଗୁଡ଼ିକର ପ୍ରଥମ ପୃଷ୍ଠାର ଡାହାଣ ପଟ ଶୀର୍ଷତମ ସ୍ଥାନରେ ଏକ କ୍ଷୁଦ୍ର ‘ବକ୍‌ସ ନ୍ୟୁଜ୍‌’ ଆକାରରେ ହେଲେ ମଧ୍ୟ ପ୍ରତ୍ୟହ ପ୍ରକାଶିତ ହେବା ଆବଶ୍ୟକ; ଯେଉଁ ସ୍ଥାନ ଉପରେ ପ୍ରତ୍ୟେକ ସମ୍ବାଦପତ୍ର ପାଠକଙ୍କ ଦୃଷ୍ଟି ପ୍ରଥମେ ପଡ଼ିଥାଏ। ଅନ୍ତତଃ ସେତିକି ହେଲେ ମଣିପୁର ବିସ୍ମୃତ ହେବ ନାହିଁ; ହୁଏ’ତ ଏଭଳି ହେଲେ ଅବଶିଷ୍ଟ ଭାରତରେ ମଧ୍ୟ ମଣିପୁର ହିଂସାର ପ୍ରଶମନ କାମନା କରି ଜନମତ ବା ଜନ ପ୍ରଦର୍ଶନମାନ ସୃଷ୍ଟି ହୋଇପାରେ। ଭାରତର ଏହି ଉତ୍ତର ପୂର୍ବୀୟ ରାଜ୍ୟଟି ତା’ର ସଂକଟ କାଳରେ ପ୍ରତ୍ୟେକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ସେହି ‘ଉତ୍ତର-ପୂର୍ବୀୟ’ ଅଂଶରୁ କାଣିଚାଏ ଦାବି କରିବା ଅସଂଗତ ନୁହେଁ।

Advertisment

ଜନ ବିସ୍ମୃତିର ଗର୍ଭରୁ ବାହାରି ପୁଣି ଥରେ ମଣିପୁର ପ୍ରକଟ ହୋଇଛି; ଏବଂ ବିଡ଼ମ୍ବନା ହେଲା ପୁନର୍ବାର ଏକ ଦୁଃଖଦ ‘ଭାଇରାଲ ଭିଡିଓ’ ଆତ୍ମପ୍ରକାଶ କରି ଏଭଳି ଘଟାଇଛି, ଯେମିତି ଘଟିଥିଲା ଗଲା ଜୁଲାଇ ମାସରେ ଯେତେବେଳେ ଏକ ଭାଇରାଲ ଭିଡିଓରେ ‘କୁକି’ ଗୋଷ୍ଠୀର ଦୁଇ ନିର୍ବସ୍ତ୍ର ମହିଳାଙ୍କୁ ସର୍ବ ସମକ୍ଷରେ ଚଲାଇବା ଏବଂ ଯୌନ ଉତ୍ପୀଡ଼ନ ଦେବାର ଦୃଶ୍ୟ ସମଗ୍ର ଦେଶର ତନ୍ଦ୍ରା ହରଣ କରି ନେଇଥିଲା। କହିବାର ତାତ୍ପର୍ଯ୍ୟ ହେଲା ଗଲା ପାଞ୍ଚ ମାସ ଧରି ମଣିପୁର ଏକ ଗୃହଯୁଦ୍ଧ ତୁଲ୍ୟ ନିରବଚ୍ଛିନ୍ନ ଗୋଷ୍ଠୀ ସଂଘର୍ଷରେ ଦଗ୍‌ଧୀଭୂତ ହୋଇ ଚାଲିଥିବା ବେଳେ ଅବଶିଷ୍ଟ ଭାରତ ଏକ ନିଶ୍ଚିନ୍ତ ନିଦ୍ରାରେ ହଜି ଯାଉଛି କିଭଳି? କହିବାରେ ଦ୍ବିଧା ନାହିଁ ଯେ ଏଭଳି ଆଚରଣ କେବଳ ଆମ ସାମୂହିକ ସମ୍ବେଦନଶୂନ୍ୟତାର ପରିଚାୟକ ହୋଇ ନ ଥାଏ; ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅବିମୃଶ୍ୟକାରିତା ମଧ୍ୟ!
ସଂପ୍ରତି ଯେଉଁ ‘ଭାଇରାଲ ଭିଡିଓ’ ମଣିପୁରରେ ଉତ୍ତେଜନାକୁ ଅତ୍ୟନ୍ତ ତୀବ୍ର କରିଛି, ତାହା ମୈତେଇ ଗୋଷ୍ଠୀର ଦୁଇ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର କରି, ଯେଉଁମାନେ ଗଲା ଜୁଲାଇ ମାସରେ ଟୁଇସନରୁ ଫେରିବା ବାଟରେ ଅପହୃତ ହୋଇ ନିଖୋଜ ହୋଇଯାଇଥିଲେ; ଯାହାର କିଛି ଦିନ ପରେ ଏକ ଭିଡିଓର ପ୍ରସାରଣ ଘଟି ସେ ଦୁହିଁଙ୍କୁ କେତେକ ସଶସ୍ତ୍ର ବ୍ୟକ୍ତିଙ୍କ ଗହଣରେ ଦେଖାଇଥିଲା। ସଂପ୍ରତି ସେହି ହତଭାଗ୍ୟ ଛାତ୍ରଛାତ୍ରୀଙ୍କ ମୃତ ଶରୀରକୁ ପ୍ରଦର୍ଶିତ କରି ଆଉ ଏକ ଭିଡିଓ ପ୍ରସାରିତ ହୋଇଛି, ଯାହା ସ୍ବାଭାବିକ ଭାବେ ଅତ୍ୟନ୍ତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହିତ ଗଲା ସେପ୍‌ଟେମ୍ବର ୨୭ ତାରିଖରେ ମଣିପୁରର ରାଜଧାନୀ ଇଂଫାଲରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଶାଳ ପ୍ରତିବାଦ ଶୋଭାଯାତ୍ରାର କାରଣ ହୋଇଥିଲା। ତେବେ, ଏଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷଣରେ ଏକ ବିଡ଼ମ୍ବନାପୂର୍ଣ୍ଣ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ବାରା ସେଠାରେ ମୁତୟନ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଶୋଭାଯାତ୍ରାକାରୀଙ୍କ ଉପରେ ଘମାଘୋଟ ‘ପେଲେଟ୍‌’ ବର୍ଷଣ ଉତ୍ତେଜନାକୁ ଆହୁରି ଅଧିକ ତୀବ୍ର କରିଛି; କାରଣ ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଚକ୍ଷୁ ହରାଇବା ସହିତ ସ୍ଥାୟୀ ରୂପେ ଅକର୍ମଣ୍ୟ ହୋଇଯିବାର ଭୟ ସୃଷ୍ଟି ହୋଇଛି। ଏହି ଘଟଣାକ୍ରମ ମଣିପୁରର ‘ମୈତେଇ’ ଜନ ସମୁଦାୟକୁ ଏଭଳି କ୍ରୋଧାନ୍ବିତ କରିଛି ଯେ ଏ ଯାବତ୍‌ ସେମାନଙ୍କ ସଂପୂର୍ଣ୍ଣ ସମର୍ଥନର ପାତ୍ର ଭାବେ ବିବେଚିତ ହୋଇ ଆସିଥିବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହ ଏବଂ ମଣିପୁର ବିଜେପି ପ୍ର‌େଦଶ କମିଟି ଅଧ୍ୟକ୍ଷା ସୁଶୀଳା କୁମାରୀଙ୍କ ବ୍ୟକ୍ତିଗତ ବାସଗୃହ ସେମାନଙ୍କ ଆକ୍ରମଣର ଶିକାର ହୋଇଛି; ଯାହାକୁ ମଣିପୁର ରାଜ୍ୟ ବିଜେପି ଶାଖା ‘ତରଙ୍ଗର ଦିଗ ପରିବର୍ତ୍ତନ’ ରୂପେ ଅଭିହିତ କରିଛି। ପ୍ରକାଶ ଥାଉ କି ବିଜେପି ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ପତ୍ରରେ ମଣିପୁର ରାଜ୍ୟ ବିଜେପି ଶାଖା ପକ୍ଷରୁ ‘ତରଙ୍ଗର ଦିଗ ପରିବର୍ତ୍ତନ’ର ସଂକେତ ଦିଆଯିବା ସହିତ ‌େଯଉଁ ପ୍ରମୁଖ ପାଞ୍ଚଟି ଦାବି ସନ୍ନିହିତ କରାଯାଇଛି, ତହିଁରେ ‘କୁକି’ ଗୋଷ୍ଠୀର ସମୂଳ ବିଲୋପର ମନୋବାଂଛା ପ୍ରଚ୍ଛନ୍ନ ଭାବେ ବିଦ୍ୟମାନ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହଙ୍କ ଦ୍ବାରା ମୈତେଇ ଗୋଷ୍ଠୀ ଏ ଯାବତ୍‌ ଲାଭ କରି ଆସିଥିବା ନିରବ ସମର୍ଥନରେ ସେମାନେ ଆଉ ସନ୍ତୁଷ୍ଟ ନୁହନ୍ତି; ବରଂ, ସେମାନେ ତାଙ୍କୁ ଜଣେ ସକ୍ରିୟ କୁକି ଦମନକାରୀ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି; ଯେଉଁ ଭୂମିକାରେ ଅବତୀର୍ଣ୍ଣ ହେବାର ବିଫଳତା ମୁଖ୍ୟମନ୍ତ୍ରୀଙ୍କୁ ମୈତେଇ ଜନ ଆକ୍ରୋଶର ଶରବ୍ୟ କରିଛି। ଏଭଳି ପରିସ୍ଥିତିରେ ମଣିପୁରର ଗୋଷ୍ଠୀ ସଂଘର୍ଷ ଯେ ଶୀଘ୍ର ପ୍ରଶମିତ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ, ତାହା ସୁସ୍ପଷ୍ଟ!
କହିବାରେ ଦ୍ବିଧା ନାହିଁ ଯେ ମଣିପୁରରେ ବର୍ଷ ବର୍ଷ ଧରି ‘ପରସ୍ପରାଶ୍ରୟୀ’ ଜୀବନ ଅତିବାହିତ କରି ଆସୁଥିବା ଉଭୟ କୁକି ଏବଂ ମୈତେଇ ଗୋଷ୍ଠୀ ମଧ୍ୟରେ ସଂପ୍ରତି ଏଭଳି ଗଭୀର ବିଭାଜନ ଘଟି ସାରିଛି ଯେ ପ୍ରାୟ ସମସ୍ତ କୁକି ଜନ ସମୁଦାୟ ଏବେ ପାର୍ବତ୍ୟାଞ୍ଚଳରେ ଏବଂ ‘ମୈତେଇ’ ସମୁଦାୟ ସମତଳ ଭୂମିରେ ଆବଦ୍ଧ; ଏବଂ ସେମାନଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ସୁରକ୍ଷା ବାହିନୀ ‘ବଫର୍‌’ ଭୂମିକାରେ ଅବତୀର୍ଣ୍ଣ। ଏହି ବିଭାଜନ କିଭଳି ତୀବ୍ର, ତା’ର ଧାରଣା କେବଳ ଏଥିରୁ ମିଳିବ ଯେ କୁକି ବା ମୈତେଇମାନେ ବସବାସ କରୁଥିବା ଅଞ୍ଚଳଗୁଡ଼ିକୁ ପଇଁତରା ମାରିବାକୁ ଯାଉଥିବା ପୁଲିସ ବଳ ମଧ୍ୟ ତଦନୁରୂପେ ବିଭାଜିତ ହୋଇ ସେଠାକୁ ଯିବାକୁ ବାଧ୍ୟ ହେଉଛନ୍ତି। ପ୍ରକାଶ ଥାଉ କି ଗଲା ସେପ୍‌ଟେମ୍ବର ମାସରେ ପ୍ରକାଶିତ ସରକାରୀ ଆକଳନ ଅନୁସାରେ ଏହି ନିରବଚ୍ଛିନ୍ନ ଭୟାବହ ହିଂସାରେ ଏ ଯାବତ୍‌ ୧୭୫ ଜଣ ପ୍ରାଣ ହରାଇ ସାରିଲେଣି, ଯଦିଓ ବେସରକାରୀ ସୂତ୍ର ପକ୍ଷରୁ କୁହାଯାଇଥାଏ ଯେ ଏ ସଂଖ୍ୟା ଆହୁରି କେଇ ଗୁଣ ଅଧିକ। ଏଭଳି ସ୍ଥିତିରେ ମଣିପୁର ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ଅବଶିଷ୍ଟ ଭାରତର ଜନ-ସମୁଦାୟର ନିର୍ବେଦ ଭାବ ବିଚ୍ଛିନ୍ନତାବାଦୀମାନଙ୍କ ଲାଗି ଏକ ଚମତ୍କାର ସୁଯୋଗ ସୃଷ୍ଟି କରିଛି, ଯେଉଁମାନେ ବାଂଲାଦେଶ ବା ମିଆଁମାର ବା କମ୍ବୋଡିଆରେ ରହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଅର୍ଥ ଏବଂ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାର ଯୋଗାଣ ଓ ସଂଚାର କରି ସଂଘର୍ଷକୁ ଅଧିକ ଜ୍ବଳନ୍ତ ଏବଂ ଅଧିକ କାଳ ଧରି ଜୀବନ୍ତ ରଖିବାକୁ ଚେଷ୍ଟିତ। ପ୍ରକାଶ ଥାଉ କି ସଂପ୍ରତି ମଣିପୁରରେ ହୋଇଥିବା କତିପୟ ‘ଏନ୍‌.ଆଇ.ଏ.’ ଚଢ଼ାଉ ପରେ ବିଚ୍ଛିନ୍ନତାବାଦୀ ଚକ୍ରାନ୍ତର ପୁନଃ ପ୍ରବେଶ ପ୍ରମାଣିତ ହେଲାଣି। ପାସୋରି ଗଲେ ହେବ ନାହିଁ ଯେ ମଣିପୁର ହେଉଛି ଭାରତର ଉତ୍ତର-ପୂର୍ବୀୟ ସୀମାନ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଅଧିକ କାଳ ଧରି ଅରାଜକତାର ଦୁଷ୍ପ୍ରଭାବ କେବଳ ଯେ ଅନ୍ୟ ପଡ଼ୋଶୀ ଉତ୍ତର ପୂର୍ବୀୟ ରାଜ୍ୟଗୁଡ଼ିକୁ ବ୍ୟାପିବ ତାହା ନୁହେଁ; ଏହା ଚୀନ ଭଳି ଶତ୍ରୁଭାବାପନ୍ନ ପଡ଼ୋଶୀ ରାଷ୍ଟ୍ର ଲାଗି ଭାରତ ବିରୋଧୀ ‘ଏଜେଣ୍ଡା’କୁ ପଜାଇବାରେ ସହାୟକ ହେବ। ସୁତରାଂ, ମଣିପୁରର ହିଂସା ଯଥାଶୀଘ୍ର ପ୍ରଶମିତ ହେବା ଅତ୍ୟନ୍ତ ଜରୁରୀ; ଏବଂ ତା’ ଠାରୁ ଯାହା ଅଧିକ ଜରୁରୀ, ତାହା ହେଲା କୌଣସି ପ୍ରକାରେ ସଂଘର୍ଷ ପ୍ରପୀଡ଼ିତ ମଣିପୁରକୁ ଆମ ବିସ୍ମୃତିର ଗର୍ଭକୁ ଓହ୍ଲାଇ ଯିବାକୁ ନ ଦେବା!
ଏହା ଏକ ବିଡ଼ମ୍ବନା ଯେ ଯୁଦ୍ଧ ଓ ହିଂସାର ଧାରା ନିରବଚ୍ଛିନ୍ନ ଭାବେ ଜାରି ରହିଲେ ତାହା ଅଗତ୍ୟା ଦେହସୁହା ହୋଇ ସାଧାରଣ ଘଟଣାରେ ପରିଣତ ହୁଏ ଏବଂ ଅବଲୀଳା କ୍ରମେ ବିସ୍ମୃତ ମଧ୍ୟ ହୋଇଯାଏ। ପଞ୍ଚମ ଦଶକରୁ ଆରମ୍ଭ ହୋଇ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ଭିଏତ୍‌ନାମ ଯୁଦ୍ଧ ମଧ୍ୟ ତାହା ଦେଖିଥିଲା, ଯେମିତି ବର୍ଷାଧିକ କାଳ ଧରି ଚାଲୁ ରହିଥିବା ରୁଷିଆ ୟୁକ୍ରେନ ଯୁଦ୍ଧ ଏବେ ତାହା ପ୍ରତ୍ୟକ୍ଷ କରିଛି। ସେହିପରି ମଣିପୁର ଗୃହ ଯୁଦ୍ଧ ତା’ର ନିଜ ଦେଶରେ ବିସ୍ମୃତପ୍ରାୟ; ଯେଉଁଠି ଏ ସଂପର୍କିତ ଖବର ସମ୍ବାଦପତ୍ରଗୁଡ଼ିକର ପ୍ରଥମ ପୃଷ୍ଠାରୁ ଅନ୍ତର୍ହିତ ହୋଇ କୌଣସି କ୍ରୋଡ଼ପତ୍ରର ଅନାମଧ୍ୟେୟ ଅଂଶରେ ସ୍ଥାନ ପାଉଛନ୍ତି ବା ପାଉନାହାନ୍ତି। କିନ୍ତୁ, କେହି ଦ୍ବିମତ ହେବେ ନାହିଁ ଯେ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ପ୍ରତି ବିପଦ ଦୃଷ୍ଟିରୁ ମଣିପୁର ବିସ୍ମୃତ ହୋଇଯିବା ଆଦୌ ଶୁଭଙ୍କର ନୁହେଁ। ସୁତରାଂ, ମଣିପୁର ଆମ ସମ୍ବାଦପତ୍ରଗୁଡ଼ିକର ପ୍ରଥମ ପୃଷ୍ଠାର ଡାହାଣ ପଟ ଶୀର୍ଷତମ ସ୍ଥାନରେ ଏକ କ୍ଷୁଦ୍ର ‘ବକ୍‌ସ ନ୍ୟୁଜ୍‌’ ଆକାରରେ ହେଲେ ମଧ୍ୟ ପ୍ରତ୍ୟହ ପ୍ରକାଶିତ ହେବା ଆବଶ୍ୟକ; ଯେଉଁ ସ୍ଥାନ ଉପରେ ପ୍ରତ୍ୟେକ ସମ୍ବାଦପତ୍ର ପାଠକଙ୍କ ଦୃଷ୍ଟି ପ୍ରଥମେ ପଡ଼ିଥାଏ। ଅନ୍ତତଃ ସେତିକି ହେଲେ ମଣିପୁର ବିସ୍ମୃତ ହେବ ନାହିଁ; ହୁଏ’ତ ଏଭଳି ହେଲେ ଅବଶିଷ୍ଟ ଭାରତରେ ମଧ୍ୟ ମଣିପୁର ହିଂସାର ପ୍ରଶମନ କାମନା କରି ଜନମତ ବା ଜନ ପ୍ରଦର୍ଶନମାନ ସୃଷ୍ଟି ହୋଇପାରେ। ଭାରତର ଏହି ଉତ୍ତର ପୂର୍ବୀୟ ରାଜ୍ୟଟି ତା’ର ସଂକଟ କାଳରେ ପ୍ରତ୍ୟେକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ସେହି ‘ଉତ୍ତର-ପୂର୍ବୀୟ’ ଅଂଶରୁ କାଣିଚାଏ ଦାବି କରିବା ଅସଂଗତ ନୁହେଁ।