ଏହା ତେଣୁ ଏକ ମଧୁର ବିଡ଼ମ୍ବନା ନୁହେଁ କି, ସେଇ ନାଗାର୍ଜୁନଙ୍କର ମାନସ ସନ୍ତାନ କ୍ବାଣ୍ଟମ୍ ମେକାନିକ୍ସକୁ କାର୍ଯ୍ୟରେ ଲଗାଇ ‘ନେସନାଲ୍ କ୍ବାଣ୍ଟମ୍ ମିସନ୍’ ତାଙ୍କର ସେଇ ଶୂନ୍ୟ ସଂସାରକୁ ମନୁଷ୍ୟ ପାଇଁ ସୁଖ ସ୍ବାଚ୍ଛନ୍ଦ୍ୟରେ ଭରପୂର କରିବାକୁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି?
ଭୌତିକ ଦୁନିଆର ଅଂଶ ଭଳି ମନେ ହେଉଥିବା ପଦାର୍ଥ ବିଜ୍ଞାନର ଶାଖା କ୍ବାଣ୍ଟମ୍ ମେକାନିକ୍ସ ସହିତ ସାମାନ୍ୟ ପରିଚିତ ଥିବା ସମସ୍ତଙ୍କୁ ଜଣା ଯେ ଏହାର ମୂଳ ଭିତ୍ତି ହେଉଛି- ଅନିଶ୍ଚିତତା। ବୋଧହୁଏ ଏହାର ଏକ ଆମୋଦଦାୟକ ପାର୍ଶ୍ବଫଳ ସ୍ବରୂପ ଆଇନ୍ଷ୍ଟାଇନ୍ ଶେଷ ପର୍ଯ୍ୟନ୍ତ ଏହି ତତ୍ତ୍ବ ପ୍ରତି ଯେଉଁ ଆଭିମୁଖ୍ୟ ବହନ କରିଥିଲେ, ତାହା ଥିଲା- ଅନିଶ୍ଚିତ। ସେହି ହାଇସେନ୍ବର୍ଗ, ବର୍ନ୍, ଜର୍ଡାନ୍ ଅାଦିଙ୍କ ଭଳି କ୍ବାଣ୍ଟମ୍ ମେକାନିକ୍ସର ଯୁବ ଗବେଷକମାନଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ସୁପାରିସ କରିଥିଲେ; କିନ୍ତୁ ତଥାପି ମଧ୍ୟ ଏହି ତତ୍ତ୍ବକୁ ସେ ସଂପୂର୍ଣ୍ଣ ରୂପେ ଗ୍ରହଣ କରିପାରୁ ନ ଥିଲେ। ଏକ ଶିଶୁସୁଲଭ ସନ୍ଦେହ ପ୍ରକାଶ କରି ସେ କହୁଥିଲେ ଈଶ୍ବରଙ୍କ ସୃଷ୍ଟିର ନିୟମ କେବେହେଲେ ଏପରି ଅନିଶ୍ଚିତ ହୋଇ ନ ପାରେ।
ଏ ସଂପର୍କରେ ଏକ ସୁବିଦିତ କଥା ଅନୁସାରେ ଆଇନ୍ଷ୍ଟାଇନ୍ ଥରେ ମନ୍ତବ୍ୟ ପ୍ରଦାନ କରିଥିଲେ: ‘‘ଈଶ୍ବର ପଶା ଖେଳନ୍ତି ନାହିଁ।’’ ପଶା ଖେଳାଳି ପଶାକାଠି ଗଡ଼ାଇବା ପରେ କେଉଁ ଦାନ ପଡ଼େ, ତାହା ଅନିଶ୍ଚିତ ଥାଏ। ଏହାର ଜବାବରେ କ୍ବାଣ୍ଟମ୍ ମେକାନିକ୍ସ ଗବେଷଣାର ନେତୃତ୍ବ ନେଇଥିବା ମହାନ୍ ଦିନାମାର୍ ପଦାର୍ଥ ବିଜ୍ଞାନୀ ନିଲ୍ସ ବୋର୍ ଆଇନ୍ଷ୍ଟାଇନ୍ଙ୍କୁ ବ୍ୟଙ୍ଗଭରା ଚେତାବନୀ ଦେଇଥିଲେ: ‘‘ଈଶ୍ବର କ’ଣ କରିବେ, ତାଙ୍କୁ ଉପଦେଶ ଦେବା ବନ୍ଦ କର।’’ ବୋର୍ ଏହା ଦ୍ବାରା ଯାହା କହିବାକୁ ଚେଷ୍ଟା କରିଥିଲେ, ତାହା ହେଲା- ପ୍ରକୃତିର ପରିପ୍ରକାଶ ଆମର ବଦ୍ଧମୂଳ ଧାରଣାମାନଙ୍କ ମଧ୍ୟରେ ସୀମିତ ନୁହେଁ; ପ୍ରକୃତି ଅର୍ଥାତ୍ ଈଶ୍ବରଙ୍କ କଳ୍ପନାଶକ୍ତି ହେଉଛି ଆମଠାରୁ ଅସୀମଗୁଣ ଅଧିକ; ସେ ଚାହିଁଲେ ସାରା ସୃଷ୍ଟି ହୋଇପାରେ ସଂପୂର୍ଣ୍ଣ ଅନିଶ୍ଚିତ। କ୍ବାଣ୍ଟମ୍ ମେକାନିକ୍ସକୁ କେନ୍ଦ୍ର କରି ବିତର୍କ କିପରି ସାବଲୀଳ ଭାବରେ କଠିନ ପଦାର୍ଥ ବିଜ୍ଞାନର ପରିସୀମାକୁ ଅତିକ୍ରମ କରି ଦର୍ଶନଶାସ୍ତ୍ରର ଇଲାକା ବା ମେଟାଫିଜିକ୍ସର ଇଲାକାରେ ପ୍ରବେଶ କରିଥାଏ, ଏହା ହେଉଛି ତା’ର ଏକ ରୋଚକ ଉଦାହରଣ।
ବାସ୍ତବରେ ପିଢ଼ି ପରେ ପିଢ଼ି ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀମାନେ ସ୍ବୀକାର କରି ଆସିଛନ୍ତି ଯେ ଏକ ଚମକପ୍ରଦ ପାଶ୍ଚାତ୍ୟ ବୈଜ୍ଞାନିକ ଆବିଷ୍କାର ରୂପେ ବିବେଚିତ କ୍ବାଣ୍ଟମ୍ ମେକାନିକ୍ସର ମୂଳ ତତ୍ତ୍ବ ନିହିତ ଅଛି ଏକ ପ୍ରାଚୀନ ଭାରତୀୟ ଦର୍ଶନରେ। ସଂଯୋଗ କ୍ରମେ ସେହି ପରମ୍ପରାର ବାହକ ସ୍ବରୂପ ଭାରତ ସରକାର ଏବେ ଘୋଷଣା କରିବା ଦେଖାଯାଇଛି ଯେ ଦେଶରେ ଏକ ‘ନେସନାଲ୍ କ୍ବାଣ୍ଟମ୍ ମିସନ୍’ (‘ଏନ୍କ୍ୟୁଏମ୍’) ପ୍ରତିଷ୍ଠିତ ହେବାକୁ ଯାଉଛି, ଯାହା ଅଧୀନରେ ଆଗାମୀ ଆଠ ବର୍ଷ ମଧ୍ୟରେ ୬,୦୦୩.୬୫ କୋଟି ଟଙ୍କା ଗବେଷଣା ଓ ପ୍ରାବିଧିକ ବିକାଶ ଆଦିରେ ବିନିଯୁକ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟତଃ କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ୍, କ୍ବାଣ୍ଟମ୍ କମ୍ୟୁନିକେସନ୍, କ୍ବାଣ୍ଟମ୍ ସେନ୍ସିଙ୍ଗ୍ ଆଣ୍ଡ୍ ମେଟ୍ରୋଲୋଜି ଏବଂ କ୍ବାଣ୍ଟମ୍ ମାଟେରିଆଲ୍ସ ଆଣ୍ଡ୍ ଡିଭାଇସେସ୍ ଉପରେ କେନ୍ଦ୍ରୀଭୂତ ଏହି ପ୍ରକଳ୍ପ ମାଧ୍ୟମରେ ଦେଶର ଅର୍ଥନୈତିକ ଓ ବୈଷୟିକ ବିକାଶ ତ୍ବରାନ୍ବିତ କରିବା ହେଉଛି ମିସନ୍ର ଲକ୍ଷ୍ୟ।
ପାରମ୍ପରିକ କମ୍ପ୍ୟୁଟିଙ୍ଗ୍ ତୁଳନାରେ କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଯେଉଁଭଳି ବହୁଗୁଣ ଅଧିକ ବେଗ ଓ କ୍ଷମତା ବହନ କରିବ, ତାହା ଏକ ନୂତନ କମ୍ପ୍ୟୁଟିଙ୍ଗ୍ ବିପ୍ଳବ ସୃଷ୍ଟି କରିବ। କ୍ବାଣ୍ଟମ୍ କମ୍ୟୁନିକେସନ୍ସ ଯେଉଁଭଳି ସଂପୂର୍ଣ୍ଣ ନିରାପଦ ଯୋଗାଯୋଗ ସମ୍ଭବ କରାଇବ, ତାହା ଆଜିର ଡେଟା-ନିର୍ଭରଶୀଳ ଦୁନିଆ ପାଇଁ କିଭଳି ଅସୀମ ଉପଯୋଗିତା ବହନ କରିଥାଏ, ତାହା ସର୍ବଜନବିଦିତ। କ୍ବାଣ୍ଟମ୍ ସେନ୍ସିଙ୍ଗ୍ ଆଣ୍ଡ୍ ମେଟ୍ରୋଲୋଜିରେ ଗବେଷଣାଲବ୍ଧ ଜ୍ଞାନ ଦିଗ ନିରୂପଣ ଓ ଅତି ସୂକ୍ଷ୍ମ ପରିମାପ କ୍ଷେତ୍ରରେ ପ୍ରୟୋଗ କରାହୋଇ ଅଶେଷ ସୁଫଳ ପ୍ରଦାନ କରିବ। କ୍ବାଣ୍ଟମ୍ ମାଟେରିଆଲ୍ସ ଆଣ୍ଡ୍ ଡିଭାଇସେସ୍ରେ ଗବେଷଣାରୁ ପ୍ରସୂତ ନୂତନ ପଦାର୍ଥମାନ ଶକ୍ତିରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରମାନଙ୍କ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନୂତନ ସମ୍ଭାବନାର ଦ୍ବାର ଉନ୍ମୋଚନରେ ସହାୟକ ହେବେ। ସଂକ୍ଷେପରେ କହିଲେ ‘ଏନ୍କ୍ୟୁଏମ୍’ ମାଧ୍ୟମରେ ଭବିଷ୍ୟତରେ ଦେଶରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି- କ୍ବାଣ୍ଟମ୍ ଯୁଗ। ଏହି ଅବସରରେ ବୋଧହୁଏ କ୍ବାଣ୍ଟମ୍ ମେକାନିକ୍ସର ତାତ୍ତ୍ବିକ ବୀଜ ବପନ କରିଥିବା ସେଇ ପ୍ରାଚୀନ ଭାରତୀୟ ଦର୍ଶନ ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପ କରିବା ସମୀଚୀନ ହେବ। ଆଉ ବୋଧହୁଏ ଯେଉଁ ଜଣେ ପ୍ରାଚୀନ ଭାରତୀୟ ଦାର୍ଶନିକଙ୍କୁ ଏହି ତତ୍ତ୍ବର ଜନକ ରୂପେ ବିଚାର କରାଯାଇ ପାରିବ, ସେ ହେଉଛନ୍ତି ଦ୍ବିତୀୟ ଶତାବ୍ଦୀର ବୌଦ୍ଧ ଦାର୍ଶନିକ ନାଗାର୍ଜୁନ। ତାଙ୍କର ପ୍ରସିଦ୍ଧ ରଚନା, ‘ମୂଳମଧ୍ୟମକକାରିକା’ରେ ନାଗାର୍ଜୁନ ଏ ସଂପର୍କରେ ଯେଉଁ ତତ୍ତ୍ବ ବ୍ୟାଖ୍ୟାନ କରିଛନ୍ତି, ତାହା ସରଳ ଭାବରେ ହେଉଛି ଏଇଭଳି: କୌଣସି ପଦାର୍ଥର ସ୍ବାଧୀନ ସ୍ଥିତି ବୋଲି କିଛି ନାହିଁ; ପ୍ରତ୍ୟେକ କଥାର ସ୍ଥିତି ଅନ୍ୟ କୌଣସି ଏକ କଥା ଉପରେ ନିର୍ଭର କରିଥାଏ; ଗୋଟିକର ସ୍ଥିତି ଅନ୍ୟ କାହା ସହିତ ସଂପର୍କିତ ହୋଇଥାଏ। ଅର୍ଥାତ୍, କୌଣସି ପଦାର୍ଥର ମୌଳିକ ଅନ୍ତର୍ନିହିତ ସ୍ବାଧୀନ ସତ୍ତା ବୋଲି କିଛି ହେଲେ ନ ଥାଏ, ଯାହା ନାଗାର୍ଜୁନଙ୍କ ନିଜ ଭାଷାରେ ହେଉଛି- ‘ଶୂନ୍ୟତା’।
ଆମକୁ ଯଦି କୌଣସି ପଦାର୍ଥର ସତ୍ତା ଥିବା ଭଳି ମନେ ହେଉଥାଏ, ତାହା କେବଳ ହେଉଛି ଆପେକ୍ଷିକ-ପର୍ଯ୍ୟବେକ୍ଷକର ଦୃଷ୍ଟିକୋଣରୁ କିମ୍ବା ଅନ୍ୟ କୌଣସି ପଦାର୍ଥ ସହିତ ତା’ର ସଂପର୍କ ବା କ୍ରିୟା ପ୍ରତିକ୍ରିୟାର ଦୃଷ୍ଟିକୋଣରୁ। ଯଦି ତୁମେ ଆକାଶରେ ଭାସମାନ ବାଦଲରେ ଏକ ପାହାଡ଼ ବା ହାତୀକୁ ଦେଖିବାକୁ ପାଅ, ତାହା ସତସତିକା କି? ଅବଶ୍ୟ ନୁହେଁ। ଆକାଶରେ ବାଦଲର ଆକୃତି ଓ ତୁମ ମସ୍ତିଷ୍କରେ ଚେତନା ପ୍ରବାହ ମଧ୍ୟରେ ଘଟୁଥିବା କ୍ରିୟା ପ୍ରତିକ୍ରିୟାରୁ ପାହାଡ଼ ବା ହାତୀର ଆବିର୍ଭାବ ଘଟିଥାଏ। ଏହି ପାରସ୍ପରିକ ସଂପର୍କର ଅନୁପସ୍ଥିତିରେ ପାହାଡ଼ ବା ହାତୀର ସ୍ଥିତି ନାହିଁ- ଅଛି କେବଳ ଶୂନ୍ୟତା। ନାଗାର୍ଜୁନଙ୍କର ପ୍ରାୟ ଦୁଇ ହଜାର ବର୍ଷ ପରେ ଆବିଷ୍କୃତ କ୍ବାଣ୍ଟମ୍ ମେକାନିକ୍ସ ଦାବି କଲା ଭଳି, ଏକ ଇଲେକ୍ଟ୍ରନର ଯେତେବେଳେ କାହାରି ସହିତ କୌଣସି କ୍ରିୟା ପ୍ରତିକ୍ରିୟା ଘଟୁନାହିଁ, ଯେତେବେଳେ କେହି ତାକୁ ପର୍ଯ୍ୟବେକ୍ଷଣ କରୁନାହିଁ, ସେତେବେଳେ ତା’ର କୌଣସି ଦୈହିକ ଧର୍ମ ନାହିଁ, କୌଣସି ଅବସ୍ଥିତି ନାହିଁ, କୌଣସି ଗତିଶୀଳତା ନାହିଁ।
ନାଗାର୍ଜୁନଙ୍କ ତତ୍ତ୍ବରେ ଯାହା ହେଉଛି ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏହି ଶୂନ୍ୟତା କେବଳ ସେଇ ପାହାଡ଼ ବା ହାତୀ ମଧ୍ୟରେ ସୀମିତ ନୁହେଁ; ସେ ବାଦଲ, ସେ ଆକାଶ, ତୁମର ଭାବନା ଓ ଯେଉଁ ମସ୍ତିଷ୍କରେ ସେଇ ଭାବନାର ତରଙ୍ଗ ପ୍ରବାହିତ ହେଉଛି, ସେଇ ମସ୍ତିଷ୍କ ଏବଂ ଏପରିକି ତୁମର ଯେଉଁ ମସ୍ତକ ସେଇ ମସ୍ତିଷ୍କକୁ ଧାରଣ କରିଥାଏ, ସେଇ ମସ୍ତକ ତଥା ଖୋଦ୍ ତୁମେ ମଧ୍ୟ ହେଉଛ ଶୂନ୍ୟତା ମାତ୍ର: କେବଳ ଅନ୍ୟ ସହିତ ସଂପର୍କ ପ୍ରତିଷ୍ଠା ସମୟରେ, ଅନ୍ୟ ସହିତ କ୍ରିୟା ପ୍ରତିକ୍ରିୟା ଘଟିବା ଅବସରରେ ହିଁ ଏ ସମସ୍ତଙ୍କର ସ୍ଥିତି ଥିବା ଭଳି ମନେ ହୋଇଥାଏ। ଅନ୍ୟଥା ଜଗତରେ କୌଣସି ମୌଳିକ ସତ୍ତା ବୋଲି କିଛି ହେଲେ ନ ଥାଏ। ସୂଚନାଯୋଗ୍ୟ ଯେ ନାଗାର୍ଜୁନଙ୍କର ଏହି ଚରମ ଚିନ୍ତାଧାରା ଥିଲା ପାଶ୍ଚାତ୍ୟ ଦାର୍ଶନିକମାନଙ୍କର ଚିନ୍ତାଧାରାର ସଂପୂର୍ଣ୍ଣ ବିପରୀତ। ସୃଷ୍ଟିକୁ ସଦା ପରିବର୍ତ୍ତନଶୀଳ ବୋଲି ବିଚାର କରିଥିବା ହେରାକ୍ଲିଟସ୍ଙ୍କ ଠାରୁ ଆଦର୍ଶ ଆକୃତିର ପରିକଳ୍ପନା କରିଥିବା ପ୍ଲାଟୋଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ମୌଳିକ ସତ୍ତାର ସନ୍ଧାନରେ ପ୍ରବୃତ୍ତ ଥିଲେ, ଯାହାକୁ ଭିତ୍ତି କରି ସାରା ସଂସାର ନିର୍ମିତ ହୋଇଥାଏ।
ତେବେ ନାଗାର୍ଜୁନ ଆମର ଏଇ ନିତିଦିନିଆ ସଂସାରର ଉପସ୍ଥିତିକୁ ଅସ୍ବୀକାର କରି ନ ଥିଲେ; ଅପରପକ୍ଷେ ତାଙ୍କ ଦର୍ଶନରେ ଏହାର ସମସ୍ତ ସୂକ୍ଷ୍ମ, ଜଟିଳ ଦିଗମାନଙ୍କର ଅନୁଶୀଳନ କରାଯାଇଥାଏ। କିନ୍ତୁ ଏହି ଅନୁଶୀଳନର ଅଂଶ ସ୍ବରୂପ କୌଣସି ସ୍ବାଧୀନ ମୌଳିକ ସତ୍ତାର ଅନୁସନ୍ଧାନ ହେଉଛି ଏକ ସଂପୂର୍ଣ୍ଣ ବୃଥା ଉଦ୍ୟମ- ସଂସାର ହେଉଛି ଶୂନ୍ୟତା ଓ ଏହାକୁ ହୃଦୟଙ୍ଗମ କରିବା ହେଉଛି ନିର୍ବାଣ। ଏହା ତେଣୁ ଏକ ମଧୁର ବିଡ଼ମ୍ବନା ନୁହେଁ କି, ସେଇ ନାଗାର୍ଜୁନଙ୍କର ମାନସ ସନ୍ତାନ କ୍ବାଣ୍ଟମ୍ ମେକାନିକ୍ସକୁ କାର୍ଯ୍ୟରେ ଲଗାଇ ‘ନେସନାଲ୍ କ୍ବାଣ୍ଟମ୍ ମିସନ୍’ ତାଙ୍କର ସେଇ ଶୂନ୍ୟ ସଂସାରକୁ ମନୁଷ୍ୟ ପାଇଁ ସୁଖ ସ୍ବାଚ୍ଛନ୍ଦ୍ୟରେ ଭରପୂର କରିବାକୁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି?