ପ୍ରକାଶ ଥାଉ କି ସଂପ୍ରତି ବିଭିନ୍ନ କାରଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିକ୍ଷୁବ୍ଧ ହୋଇ ଉଠିଛି; ସର୍ବାଧିକ ସଂଖ୍ୟକ ଜାହାଜ ଚଳାଚଳ କରୁଥିବା ଏହି ଅଞ୍ଚଳ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାରେ ଆଧିପତ୍ୟ ବିସ୍ତାର କରିବା ଲାଗି ଚୀନ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ରୁଷିଆ ଇତ୍ୟାଦି ଭଳି ରାଷ୍ଟ୍ରର ଉଚ୍ଚ ସାମରିକ ଶକ୍ତି ସଂପନ୍ନ ରଣତରୀମାନ ପଇଁତରା ମାରିବାରେ ବ୍ୟସ୍ତ, ଯାହା ଏହି ଅଞ୍ଚଳକୁ ଅନେକ ସମୟରେ ଉତ୍ତପ୍ତ କରି ରଖିଥାଏ ମଧ୍ୟ! କିନ୍ତୁ ସତ କଥାଟି ହେଲା, ପତିଆରା ସୃଷ୍ଟି ଲାଗି ଶକ୍ତି ପ୍ରଦର୍ଶନରେ ବ୍ୟାପୃତ ରାଷ୍ଟ୍ରମାନଙ୍କ ପରିବର୍ତ୍ତେ ଭାରତ ଏହି ଅଞ୍ଚଳର ଏକ ହୃଦୟବାନ ଅଭିଭାବକ ରୂପେ ପ୍ରତିଭାତ ହେବାକୁ ଆରମ୍ଭ କରିଛି।
ସାଧାରଣ ନିର୍ବାଚନ ରାଷ୍ଟ୍ରର ଦ୍ବାର ଦେଶରେ ଉଭା ହୋଇଥିବା କାରଣରୁ ସୃଷ୍ଟ ରାଜନୈତିକ ହଟଚମଟ ଭିତରେ ଯେଉଁ ଏକ ଚମକପ୍ରଦ ସମ୍ବାଦ ପ୍ରାୟ ବିଲୀନ ହୋଇଯାଇଛି, ତାହା ହେଲା ‘ଇଣ୍ଡୋ-ପାସିଫିକ୍’ ବା ‘ଭାରତ-ପ୍ରଶାନ୍ତ ମହାସାଗରୀୟ’ ଅଞ୍ଚଳରେ ଭାରତୀୟ ନୌ-ସେନା ପକ୍ଷରୁ ଅପୂର୍ବ ସାହସିକତାର ପ୍ରଦର୍ଶନ; ଯଦ୍ଦ୍ବାରା ସୋମାଲୀ ଜଳ ଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇ ସେମାନଙ୍କ ଅକ୍ତିଆରରେ ରହିଥିବା ପଣ୍ୟବାହୀ ଜାହାଜ ‘ଏମ୍.ଭି. ରୁଏନ୍’ ଓ ତାହାର ୧୭ ଜଣିଆ ଚାଳକ-କର୍ମଚାରୀ ଦଳ ସଂପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ମୁକ୍ତ ହେବା ସହିତ ସମସ୍ତ ୩୫ ଜଣ ଯାକ ଜଳ ଦସ୍ୟୁ ବନ୍ଦୀ ହୋଇଛନ୍ତି। ଗଲା ଡିସେମ୍ବର ୧୪ ତାରିଖରୁ ମଝି ଦରିଆରେ ଅସହାୟ ହୋଇ ଯାଇଥିବା ଏହି ଜାହାଜର ପରିତ୍ରାଣ କାହିଁକି ବିଭିନ୍ନ କାରଣରୁ ଗୁରୁତ୍ବପୂର୍ଣ୍ଣ, ତାହା ବୁଝିବା ସକାଶେ ଏ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ‘ଅପରେସନ ସଂକଳ୍ପ’ ନାମକ ଏକ ଅତ୍ୟନ୍ତ ଦୁଃସାହସିକ ପ୍ରକରଣ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ସଂପନ୍ନ ହୋଇଥିଲା, ଯାହା ସଂପୂର୍ଣ୍ଣ ହେବା ପାଇଁ ଲାଗି ଯାଇଥିଲା ଚାଳିଶ ଘଣ୍ଟା। ଅପହରଣ କରି ନେବା ପରଠାରୁ ପ୍ରାୟ ତିନି ମାସରୁ ଅଧିକ କାଳ ଧରି ଅତ୍ୟନ୍ତ ନିଷ୍ଠୁର ଭାବେ କୁଖ୍ୟାତ ସଶସ୍ତ୍ର ସେମାଲୀ ଜଳଦସ୍ୟୁମାନେ ଜାହାଜଟିକୁ ଏକ ୟେମେନୀ ଦ୍ବୀପ ନିକଟରେ ‘ମଦର ସିପ୍’ ଭାବେ ବ୍ୟବହାର କରୁଥିଲେ, ଯାହାର ଅର୍ଥ ସମୁଦ୍ର ବକ୍ଷରେ ଏକ ‘ମୁଖ୍ୟ ଆଡ୍ଡା’ ଯହିଁରୁ ଅନ୍ୟାନ୍ୟ ଜାହାଜ ଲୁଣ୍ଠନର ଉଦ୍ୟମ କରାଯାଇପାରେ! ଏଭଳି ଅପହରଣ ଉଦ୍ୟମରେ ଏକ ସୁପରିଚିତ ଆତ୍ମରକ୍ଷା କୌଶଳ ଭାବେ ଏହି ଜଳ ଦସ୍ୟୁମାନେ ଜାହାଜର କର୍ମଚାରୀମାନଙ୍କୁ ‘ମାନବ ଢାଲ’ ରୂପେ ବ୍ୟବହାର କରିଥାଆନ୍ତି, ଯାହା ଅଗତ୍ୟା ଜାହାଜ ଉଦ୍ଧାର କାର୍ଯ୍ୟକୁ ଅସମ୍ଭବ କରି ପକାଏ। ଏହିଭଳି ଏକ ସ୍ଥିତିରେ ଉପଯୁକ୍ତ କ୍ଷଣ ଉପସ୍ଥିତ ବୋଲି ଠଉରାଇବା ଲାଗି ଯେଉଁ ଏକାଗ୍ର ଦୃଷ୍ଟି ଲୋଡ଼ା, ତାହା ସମ୍ଭବତଃ ରଖାଯାଇଥିଲା ବୋଲି ଗଲା ଶନିବାର ଦିନ ଭାରତୀୟ ନୌ-ସେନା ଏ ଦିଗରେ ସହସା ପଦକ୍ଷେପ ନେଇଥିଲା, ଯହିଁରେ କ୍ଷେପଣାସ୍ତ୍ର ବିଧ୍ବଂସକାରୀ ରଣତରୀ ‘ଆଇଏନ୍ଏସ୍ କୋଲକାତା’ ଏବଂ େସହି ଅଞ୍ଚଳ ଉପରେ ନିରନ୍ତର ନିଘା ରଖିଥିବା ପ୍ରହରୀ ଜାହାଜ ‘ଆଇଏନ୍ଏସ୍ ସୁଭଦ୍ରା’ ଚମକପ୍ରଦ ସମନ୍ବୟ ସହିତ ଉଦ୍ୟମ ପ୍ରାରମ୍ଭ କରିଥିଲେ; ଡ୍ରୋନ୍ ଦ୍ବାରା ସ୍ଥିତି ଆକଳନ କରାଯିବା ପରେ ନୌ-ସେନା ଦ୍ବାରା ଜଳ ଦସ୍ୟୁମାନଙ୍କ ଉଦ୍ଦେଶ୍ୟରେ ଚେତାବନୀମୂଳକ ‘ଫାୟାରିଂ’ କରାଯାଇଥିଲା, ଯାହାର ପ୍ରତ୍ୟୁତ୍ତର ମିଳିଥଲା ଜଳ ଦସ୍ୟୁମାନଙ୍କ ପାଲଟା ଗୋଳା ବର୍ଷଣରେ! ତେବେ, ଜଳ ଦସ୍ୟୁଙ୍କ ଗୁଳି ମାଡ଼ରେ ଭାରତୀୟ ନୌ-ସେନାର ଡ୍ରୋନ୍ଟି କ୍ଷତିଗ୍ରସ୍ତ ହେବା ସହିତ ହିଁ ନୂଆଦିଲ୍ଲୀରୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଅନୁମତି ମିଳିଯାଇଥିଲା। ସୁତରାଂ, ସି-୧୭ ଯୁଦ୍ଧ ବିମାନ ସାହାଯ୍ୟରେ ସୁଦକ୍ଷ ‘ମାର୍କୋସ୍’ (ମେରାଇନ୍ କମାଣ୍ଡୋ) ସଦସ୍ୟମାନଙ୍କୁ ଅତ୍ୟନ୍ତ ସଫଳତାର ସହିତ ଜାହାଜରେ ଅବତରଣ କରାଯାଇ ବିନା ରକ୍ତପାତରେ ଉଦ୍ଧାର କାର୍ଯ୍ୟ ସମାପନ କରାଯାଇଥିଲା। ଏଥିରେ ସମସ୍ତ କର୍ମଚାରୀ ସୁରକ୍ଷିତ ଭାବେ ରକ୍ଷା ପାଇବା ସହିତ ଜଳ ଦସ୍ୟୁମାନଙ୍କୁ ଗିରଫ କରାଯାଇଥିଲା। ଏକ ବୁଲଗେରୀୟ କଂପାନି ଦ୍ବାରା ପରିଚାଳିତ ଏହି ପଣ୍ୟବାହୀ ଜାହାଜର କର୍ମଚାରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ୭ ଜଣ ବୁଲଗେରୀୟ ଏବଂ ଜଣେ ଆଙ୍ଗୋଲୀୟ ଏବଂ ୯ ଜଣ ମ୍ୟାନ୍ମାର ବାସିନ୍ଦା। କହିବା ବାହୁଲ୍ୟ ଯେ ଭାରତୀୟ ନୌ-ସେନାର ଏହି ଦୁଃସାହସିକ ଅଭିଯାନର ଫଳାଫଳ ବୁଲଗେରୀୟ ସରକାରଙ୍କୁ ପୁଲକିତ କରିଥିବ, ଯାହା ସେ ଦେଶର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ମାରିଆ ଗାବ୍ରିଏଲ୍ ଏବଂ ରାଷ୍ଟ୍ରପତି ରୁମେନ ରାଡେଭ୍ଙ୍କ ବାର୍ତ୍ତାରୁ ସ୍ପଷ୍ଟ; ଯହିଁରେ ସେମାନେ ଭାରତ ସରକାରଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। କହିବା ବାହୁଲ୍ୟ ଯେ ଏହା ସହିତ ପରାକ୍ରମୀ ଭାରତୀୟ ନୌ-ବଳ ଶତ୍ରୁକୁ ପରାହତ କରିବାର ସାମର୍ଥ୍ୟ ପ୍ରତିପାଦନ କରିବା ସହିତ ହୃଦୟ ଜିଣିବାରେ ମଧ୍ୟ ସମର୍ଥ ହୋଇଛି।
ତେବେ, କେବଳ ଏହି ଗୋଟିକ ନୁହେଁ; ଭାରତୀୟ ତଟରୁ ଅନେକ ଦୂରରେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାଗ୍ୟର ସୂତା ଖିଅରେ ଭାସମାନ ଅନେକ ଅସହାୟ ଜାହାଜଙ୍କୁ ଭାରତୀୟ ନୌ-ସେନା ଗଲା ତିନି ମାସ ମଧ୍ୟରେ ଉଦ୍ଧାର କରି ସାରିଲାଣି; ଯହିଁରେ ଭାରତୀୟ ସ୍ବାର୍ଥ ପ୍ରାୟତଃ ଜଡ଼ିତ ନ ଥାଏ। ଗଲା ଜାନୁଆରି ମାସରେ ଏଫ.ଭି. ଓମାରି, ଏଫ୍.ଭି. ଅଲ ନାଏମି ଏବଂ ଏଫ୍.ଭି. ଇମାନ ନାମଧାରୀ ତିନିଟି ଇରାନୀ ମାଛ ଧରା ଜାହାଜକୁ ଭାରତୀୟ ନୌ-ସେନା ସଫଳତାର ସହିତ ସେମାଲୀ ଜଳଦସ୍ୟୁମାନଙ୍କ କବଳରୁ ମୁକ୍ତ କରିଥିଲେ, ଯେଉଁ ତିନିଟି ଘଟଣାରେ ଇରାନ ଓ ପାକିସ୍ତାନର ମୋଟ ୫୪ ଜଣ କର୍ମଚାରୀ ଅକ୍ଷତ ଅବସ୍ଥାରେ ରକ୍ଷା ପାଇଥିଲେ। ସେହିଭଳି ଜାନୁଆରି ମାସରେ ‘ଏମ୍.ଭି. ଲୀଳା ନରଫକ୍ସ’ ନାମକ ଏକ ବିଶାଳ ବ୍ରିଟିସ ପଣ୍ୟବାହୀ ଜାହାଜକୁ ମଧ୍ୟ ‘ଗଲ୍ଫ ଅଫ ଏଡେନ୍’ ଠାରେ ଭାରତୀୟ ନୌ-ସେନା ଅଜ୍ଞାତ ଜଳ ଦସ୍ୟୁମାନଙ୍କ କବଳରୁ ଉଦ୍ଧାର କରିଥିଲେ ଏବଂ ସେହି ‘ଗଲ୍ଫ ଅଫ ଏଡେନ୍’େର ଆଉ ଏକ ବ୍ରିଟିସ ପଣ୍ୟବାହୀ ଜାହାଜ ‘ଏମ.ଭି ମାର୍ଟିନ ଲୁଆଣ୍ଡା’କୁ ଅଗ୍ନିଗର୍ଭସାତ୍ ହେବା ପୂର୍ବରୁ ରକ୍ଷା କରିପାରିଥିଲେ। ପ୍ରକାଶ ଥାଉ କି ଏହି ଦିଗନ୍ତ ବିସ୍ତାରୀ ସମୁଦ୍ର ବକ୍ଷରେ ବିପଦଗ୍ରସ୍ତ ଜାହାଜମାନଙ୍କ ଠାରୁ ଆସୁଥିବା ‘ଡିସ୍ଟ୍ରେସ୍ କଲ୍’ ବା ‘ଆର୍ତ୍ତ ଡାକ’ ଭାରତୀୟ ନୌ-ସେନାର କର୍ଣ୍ଣ କୁହରରେ ସମ୍ଭବତଃ ସବୁଠାରୁ ଅଧିକ ପ୍ରବେଶ କରିଥାଏ, ଯେଉଁ କାରଣରୁ ଅଯାଚିତ ଭାବେ ଭାରତୀୟ ନୌ-ସେନା ସେମାନଙ୍କ ଲାଗି ତ୍ରାଣକର୍ତ୍ତାର ଭୂମିକାରେ ଅବତୀର୍ଣ୍ଣ ହେବାରେ ଲାଗିଛି।
ବୁଲଗେରୀୟ ରାଷ୍ଟ୍ରପତିଙ୍କ କୃତଜ୍ଞତା ଜ୍ଞାପନ ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଉତ୍ତର ଥିଲା: ‘ବନ୍ଧୁମାନେ ଆଉ କେଉଁଥି ଲାଗି ଥାଆନ୍ତି?’ ପ୍ରକାଶ ଥାଉ କି ସଂପ୍ରତି ବିଭିନ୍ନ କାରଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିକ୍ଷୁବ୍ଧ ହୋଇ ଉଠିଛି; ସର୍ବାଧିକ ସଂଖ୍ୟକ ଜାହାଜ ଚଳାଚଳ କରୁଥିବା ଏହି ଅଞ୍ଚଳ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାରେ ଆଧିପତ୍ୟ ବିସ୍ତାର କରିବା ଲାଗି ଚୀନ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ରୁଷିଆ ଇତ୍ୟାଦି ଭଳି ରାଷ୍ଟ୍ରର ଉଚ୍ଚ ସାମରିକ ଶକ୍ତି ସଂପନ୍ନ ରଣତରୀମାନ ପଇଁତରା ମାରିବାରେ ବ୍ୟସ୍ତ, ଯାହା ଏହି ଅଞ୍ଚଳକୁ ଅନେକ ସମୟରେ ଉତ୍ତପ୍ତ କରି ରଖିଥାଏ ମଧ୍ୟ! କିନ୍ତୁ ସତ କଥାଟି ହେଲା, ପତିଆରା ସୃଷ୍ଟି ଲାଗି ଶକ୍ତି ପ୍ରଦର୍ଶନରେ ବ୍ୟାପୃତ ରାଷ୍ଟ୍ରମାନଙ୍କ ପରିବର୍ତ୍ତେ ଭାରତ ଏହି ଅଞ୍ଚଳର ଏକ ହୃଦୟବାନ ଅଭିଭାବକ ରୂପେ ପ୍ରତିଭାତ ହେବାକୁ ଆରମ୍ଭ କରିଛି।
ସୁତରାଂ, ସେହି ଅଞ୍ଚଳରେ ସର୍ବଦା ପଇଁତରା ମାରି ‘ଆର୍ତ୍ତ ଡାକ’କୁ କାନ ଡେରି ବିପନ୍ନଙ୍କ ଉଦ୍ଧାରରେ ବ୍ରତୀ ହୋଇଥିବା ‘ଆଇଏନ୍ଏସ୍ ସୁଭଦ୍ରା’ ବା ‘ଆଇ୍ଏନ୍ଏସ୍ ସୁମିତ୍ରା’ ବା ‘ଆଇ୍ଏନ୍ଏସ୍ ଶାରଦା’ ଆଦି ବସ୍ତୁତଃ ଜଳପରୀରେ ପରିଣତ ହୋଇଛନ୍ତି।