ମଣିପୁରରେ ମୈତୀ ଓ କୁକି ଗୋଷ୍ଠୀ ମଧ୍ୟରେ ବିଶ୍ବାସହାନି ଓ ଶତ୍ରୁତାର ଅତୀତ ବହୁ ପୁରୁଣା, ଯହିଁରେ ନିହିତ ରହିଛି ଜମି ଓ ସଂସାଧନ ଉପରେ ଅଧିକାରର ପ୍ରଶ୍ନ ଏବଂ ଜନସାଂଖ୍ୟିକ ଭାରସାମ୍ୟ ନେଇ ଉଦ୍ବେଗ; ଯେମିତି କି ୨୦୨୧ ମସିହାରେ ମ୍ୟାନ୍ମାର୍ ଗୃହଯୁଦ୍ଧ ପରେ ମଣିପୁରରେ ଅସଂଖ୍ୟ କୁକି ଶରଣାର୍ଥୀଙ୍କ ଅନୁପ୍ରବେଶ ହେତୁ ହଠାତ୍ ମୈତୀମାନେ ସେଠାରେ ସଂଖ୍ୟାଲଘୁ ହୋଇଯିବା ଭୟରେ ଉଦ୍ବିଗ୍ନ ହୋଇ ଉଠିଥିଲେ। ସେମିତି ଜନଜାତି ସଂପ୍ରଦାୟକୁ ସୁହାଇବା ଭଳି କେତେକ ସରକାରୀ ନୀତି କୁକି ସ୍ବାର୍ଥ ଅନୁକୂଳ ହେଉଥିବା ବେଳେ ମୈତୀମାନେ ନିଜକୁ ଏକ ବଂଚିତ ବର୍ଗ ରୂପେ ଦେଖିଥାଆନ୍ତି।
ଗଲା ସପ୍ତାହେ ହେଲାଣି ମଣିପୁର ପୁନର୍ବାର ହିଂସାର ଆବର୍ତ୍ତ ମଧ୍ୟକୁ ନିକ୍ଷେପିତ ହୋଇଯାଇଛି। ତେବେ, କଥା ହେଲା, ୨୦୨୩ ମସିହା, ମେ ୩ ତାରିଖରୁ ପ୍ରାୟ ଛଅ ମାସ କାଳ ଏହି ମନୋରମ ଉତ୍ତର-ପୂର୍ବୀୟ ରାଜ୍ୟ ପ୍ରତ୍ୟକ୍ଷ କରିଥିବା ଅବର୍ଣ୍ଣନୀୟ ହିଂସାର ଧାରାରେ ଗଲା କିଛି ମାସ ଧରି ବିରାମ ଲାଗିଥିବାରୁ ଅଗତ୍ୟା ମନେ ହେଉଥିଲା ଯେ ସମୟର ମରମପଟି ହୁଏତ ଉଭୟ ମୈତୀ ଓ କୁକିମାନେ ଭୋଗିଥିବା କ୍ଷତକୁ ଭରିଦେବା ଆରମ୍ଭ କରିଛି! କିନ୍ତୁ, ସଦ୍ୟ ହିଂସା ସେହି ଧାରଣାକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରିଛି ଏବଂ ଏହି ହିଂସାକାଣ୍ଡରେ ପରିଦୃଷ୍ଟ ହୋଇଥିବା କେତେକ ଚରିତ୍ରଗତ ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତା ଓ ଉଦ୍ବେଗର କାରଣ ହେବା ସହିତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ୍ ନେଇ ଭୟ ମଧ୍ୟ ଉଦ୍ରେକ କରିଥାଏ।
ଭୟର କାରଣ ହେଲା ଏହି ହିଂସାରେ ଡ୍ରୋନ୍ ଓ ହାତ ତିଆରି ରକେଟ୍ର ବ୍ୟବହାର; ଯେମିତି ହମାସ୍ ଦ୍ବାରା ଇସ୍ରାଏଲ୍ ଉପରେ ହୋଇଥାଏ। ଏହାର ଅର୍ଥ ଏକ ସାର୍ବଭୌମ ଦେଶର ଗୋଟିଏ ପ୍ରଦେଶରେ ଗୋଷ୍ଠୀଗତ ବିଭାଜନ ଏଭଳି ସଂପୂର୍ଣ୍ଣ ଓ ପ୍ରଗାଢ଼ ହୋଇଯାଇଛି ଯେ ବିଭାଜନ ରେଖାର ଗୋଟିଏ ପାର୍ଶ୍ବରୁ ଅପର ପାର୍ଶ୍ବକୁ ଆକାଶମାର୍ଗୀ ଆକ୍ରମଣ କରାଯାଉଛି। ସୁତରାଂ, ଏକ ଯୁଦ୍ଧତୁଲ୍ୟ ସ୍ଥିତି! ଏହା ମଧ୍ୟ ଏକ ନିଷ୍ଠୁର ବାସ୍ତବତା ଯେ ସ୍ବାଧୀନତା ପରବର୍ତ୍ତୀ ସାଂପ୍ରଦାୟିକ ବିଭାଜନ ଭାରତ ଓ ପାକିସ୍ତାନ ଭଳି ଦୁଇ ଶତ୍ରୁ ରାଷ୍ଟ୍ରଙ୍କୁ ସୃଷ୍ଟି କରିଥିବା ବେଳେ ମଣିପୁରରେ ଘଟିଥିବା ବିଭାଜନ ଗୋଟିଏ ପ୍ରଦେଶର ଦୁଇଟି ଅଞ୍ଚଳକୁ ପରସ୍ପର ପ୍ରତି ଆକ୍ରମଣ ଉଦ୍ୟତ କରି ରଖିଛି। ସଂପ୍ରତି ମଣିପୁରର ପାର୍ବତ୍ୟାଞ୍ଚଳ ଓ ଉପତ୍ୟକା ମଧ୍ୟରେ ଏକ ପ୍ରଶସ୍ତ ବିଭାଜନ ରେଖା ବିଦ୍ୟମାନ, ଯାହା ହେଉଛି ସେନାବାହିନୀ ଅଧିକାରରେ ଥିବା ‘ବଫର୍ ଜୋନ୍’। ସଂପ୍ରତି ପାର୍ବତ୍ୟାଞ୍ଚଳ କେବଳ କୁକିମାନଙ୍କ ବସତି ହୋଇଥିବା ବେଳେ ଉପତ୍ୟକାର ଐକାନ୍ତିକ ମାଲିକାନା ମୈତୀମାନଙ୍କ ହାତରେ ଏବଂ ‘ବଫର୍ ଜୋନ୍’ ଅତିକ୍ରମ କରି ଗୋଟିଏ ପଟୁ ଅନ୍ୟ ପଟକୁ ଯିବାକୁ ହେଲେ ଏକାଧିକ ତନଖି ଫାଟକ ଦେଇ ଯିବାକୁ ହେଉଛି; ସତେ ଯେମିତି ଦୁଇ ରାଷ୍ଟ୍ର ମଧ୍ୟବର୍ତ୍ତୀ ସୀମାରେଖା! ଗୋଟିଏ ରାଜ୍ୟ ମଧ୍ୟରେ ଘୃଣାବ୍ୟଂଜକ ବିଭାଜନର ଏକ ଅସଂଗତ ଚିତ୍ର!
ଏହା ପ୍ରାଂଜଳ ହୋଇ ସାରିଛି ଯେ କୁକିମାନେ ଏହି ସଦ୍ୟ ଆକ୍ରମଣର ସୂତ୍ରଧର। ଏଥିରୁ ଆକ୍ରମଣକାରୀଙ୍କ ଅନ୍ତତଃ ଦୁଇଟି ଆଭିମୁଖ୍ୟ ସ୍ପଷ୍ଟ। ଗୋଟିଏ ହେଲା ଘୃଣାକୁ ପ୍ରଜ୍ଜ୍ବଳିତ କରି ରଖିବାର ଆଗ୍ରହ ବଳବତ୍ତର ରହିଛି ଏବଂ ଦ୍ବିତୀୟରେ ଏଥି ଲାଗି ହିଂସ୍ର ଓ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଶକ୍ତି ସକ୍ରିୟ ହେଲେଣି। ପ୍ରକାଶ ଥାଉ କି ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପୂର୍ବରୁ କେବେହେଲେ ଆକାଶମାର୍ଗୀ ଆକ୍ରମଣ ବା କ୍ଷେପଣାସ୍ତ୍ର ଦ୍ବାରା ବିପଦଗ୍ରସ୍ତ ହୋଇ ନ ଥିଲା। ପ୍ରକାଶ ଥାଉ କି କୁକିମାନେ ହେଉଛନ୍ତି ବୃହତ୍ତମ ଜନଜାତି ଗୋଷ୍ଠୀ ମଧ୍ୟରୁ ଅନ୍ୟତମ, ଯେଉଁମାନଙ୍କ ଉପସ୍ଥିତି ସମସ୍ତ ଉତ୍ତର-ପୂର୍ବୀୟ ରାଜ୍ୟ ଓ ଦେଶ ବାହାରେ ବାଂଲାଦେଶ ଓ ମ୍ୟାନ୍ମାର୍ରେ ମଧ୍ୟ ରହିଛି। ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ଓ ରକେଟ୍ରୁ ଏହା ସୁନିଶ୍ଚିତ ଯେ ବିଦେଶ ଭୂମିରେ ଚେର ଲମ୍ବାଇଥିବା ସଶସ୍ତ୍ର କୁକି ବିଚ୍ଛିନ୍ନତାବାଦୀମାନେ ମଣିପୁରରେ ସକ୍ରିୟ ହୋଇ ଉଠିଛନ୍ତି। ଭାରତର ଉତ୍ତର-ପୂର୍ବାଞ୍ଚଳର ସୀମା ଅତ୍ୟନ୍ତ ଛିଦ୍ରଯୁକ୍ତ ହୋଇଥିବାରୁ ବାଂଲାଦେଶ ବା ମ୍ୟାନ୍ମାର୍ର ଉପଦ୍ରବକାରୀ ଉଗ୍ରବାଦୀମାନେ ତା’ ମଧ୍ୟ ଦେଇ ଅବାଧ ବିଚରଣ କରିଥାଆନ୍ତି। ବାଂଲାଦେଶର ଚିଟାଗଙ୍ଗ ପାର୍ବତ୍ୟାଞ୍ଚଳରେ ସକ୍ରିୟ ଥିବା ‘କୁକି-ଚୀନ ନେସନାଲ ଫ୍ରଣ୍ଟ’ ବା ‘କେ.ଏନ୍.ଏଫ୍’ ଭଳି ସଶସ୍ତ୍ର ଉଗ୍ରବାଦୀ ସଂଗଠନର ସଦସ୍ୟମାନେ କିଭଳି ଅନେବ କାଳ ଧରି ଉତ୍ତର-ପୂର୍ବୀୟ ରାଜ୍ୟରେ ପଦଚିହ୍ନ ସୃଷ୍ଟି କରି ଚାଲିଥିଲେ, ତାହା ଅନେକଙ୍କ ସ୍ମରଣରେ ଥାଇପାରେ। କହିବା ବାହୁଲ୍ୟ, ଏଭଳି ଶକ୍ତିମାନେ ଏବେ ମଣିପୁରକୁ ସେମାନଙ୍କ କ୍ରୀଡ଼ାଙ୍ଗନରେ ପରିଣତ କରିବାର ସୁଯୋଗ ପାଇଛନ୍ତି। ଏହା ଆମ ଅନ୍ତରୀଣ ନିରାପତ୍ତା ଲାଗି ଆହ୍ବାନ ସୃଷ୍ଟି କରିବାର ଆଶଙ୍କା ଅଛି।
ପ୍ରାୟ ଦେଢ଼ ବର୍ଷ ଧରି ମଣିପୁର ଜଳୁଥିବା ବେଳେ, ମଣିପୁର ସମାଜକୁ ଘୃଣାର ବିଭାଜନ ରେଖା ବିଦୀର୍ଣ୍ଣ କରି ଦେଇଥିବା ବେଳେ ଏବଂ ଏହି ସଂଗୋଷ୍ଠୀ ହିଂସାରେ ୨୫୦ ଜଣଙ୍କ ମୃତ୍ୟୁ ଓ ୪୦ ହଜାର ମଣିପୁରୀ ବାସଚ୍ୟୁତ ହୋଇ ରିଲିଫ ଶିବିରର ଆଶ୍ରିତ ହୋଇଥିବା ବେଳେ ଯାହା ସମସ୍ତଙ୍କୁ ଚକିତ କରିଥାଏ ତାହା ହେଲା ଏ ସଂଦର୍ଭରେ ପ୍ରଧାନମନ୍ତ୍ରୀ ଅବଲମ୍ବନ କରିଥିବା ପ୍ରଗାଢ଼ ଓ ରହସ୍ୟମୟ ନିରବତା। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଉପଦେଶାତ୍ମକ ବାଣୀ ଯେ ‘ଏ ସମୟ ଯୁଦ୍ଧର ନୁହେଁ,’ ପୃଥିବୀ ସାରା ଝଙ୍କୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଅନେକ କହନ୍ତି ଯେ ମଣିପୁର ପ୍ରସଙ୍ଗରେ ତାଙ୍କ ନିରବତା ହିଁ ଶ୍ରୁତିକଟୁ ହୋଇଛି। ସେମାନେ ଆହୁରି କହନ୍ତି ଯେ ଏକ ଅପାରଗ ଓ ନିରନୁତପ୍ତ ବୀରେନ ସିଂହଙ୍କ ବିଜେପି ସରକାର ଓ ୬୦୦୦ ସୈନ୍ୟ ବଳ ବିଶିଷ୍ଟ ଆସାମ ରାଇଫଲ୍ସ ହାତରେ ମଣିପୁରକୁ ଟେକିଦେଇ ନୂଆଦିଲ୍ଲୀ ମଣିପୁରକୁ ବିସ୍ମରି ଯାଇଛି। ଉଭୟ ମୈତୀ ଓ କୁକିମାନେ ଏହି ଗୋଟିଏ ବିଷୟରେ ସହମତ ଯେ ମଣିପୁରକୁ ନୂଆଦିଲ୍ଲୀ ଦୂରେଇ ଦେଇଛି। ସେହି କାରଣରୁ ବିଜେପିର ଦୃଢ଼ ସମର୍ଥକ ମୈତୀମାନେ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ସୁତରାଂ, ଯେତେବେଳେ କେନ୍ଦ୍ରର ଧ୍ୟାନ ଓ ପ୍ରଭାବ ଦୁର୍ବଳ ହୋଇଛି, ସେତିକିବେଳେ ସମୀପବର୍ତ୍ତୀ ଅପଶକ୍ତିର ପ୍ରଭାବ ଗାଢ଼ତର ହେବା ସ୍ବାଭାବିକ। ସୁତରାଂ, ଚୀନ ଓ ବାଂଲାଦେଶର ଉପଦ୍ରବକାରୀ ଶକ୍ତିମାନେ ମଣିପୁରକୁ ଏକ ସୁଯୋଗ ଭାବେ ଉପଯୋଗ କଲେ, ବିସ୍ମୟର କୌଣସି କାରଣ ନ ଥାଏ।
ମଣିପୁରରେ ମୈତୀ ଓ କୁକି ଗୋଷ୍ଠୀ ମଧ୍ୟରେ ବିଶ୍ବାସହାନି ଓ ଶତ୍ରୁତାର ଅତୀତ ବହୁ ପୁରୁଣା, ଯହିଁରେ ନିହିତ ରହିଛି ଜମି ଓ ସଂସାଧନ ଉପରେ ଅଧିକାରର ପ୍ରଶ୍ନ ଏବଂ ଜନସାଂଖ୍ୟିକ ଭାରସାମ୍ୟ ନେଇ ଉଦ୍ବେଗ; ଯେମିତି କି ୨୦୨୧ ମସିହାରେ ମ୍ୟାନ୍ମାର୍ ଗୃହଯୁଦ୍ଧ ପରେ ମଣିପୁରରେ ଅସଂଖ୍ୟ କୁକି ଶରଣାର୍ଥୀଙ୍କ ଅନୁପ୍ରବେଶ ହେତୁ ହଠାତ୍ ମୈତୀମାନେ ସେଠାରେ ସଂଖ୍ୟାଲଘୁ ହୋଇଯିବା ଭୟରେ ଉଦ୍ବିଗ୍ନ ହୋଇ ଉଠିଥିଲେ। ସେମିତି ଜନଜାତି ସଂପ୍ରଦାୟକୁ ସୁହାଇବା ଭଳି କେତେକ ସରକାରୀ ନୀତି କୁକି ସ୍ବାର୍ଥ ଅନୁକୂଳ ହେଉଥିବା ବେଳେ ମୈତୀମାନେ ନିଜକୁ ଏକ ବଂଚିତ ବର୍ଗ ରୂପେ ଦେଖିଥାଆନ୍ତି। ଉଦାହରଣ ସ୍ବରୂପ, ଜନସଂଖ୍ୟାର ୫୩ ପ୍ରତିଶତ ମୈତୀମାନେ ରାଜ୍ୟ ଆୟତନର ମାତ୍ର ୧୦ ପ୍ରତିଶତ ସମତଳ ଅଞ୍ଚଳରେ ବସବାସ କରିବାକୁ ବାଧ୍ୟ ହେଉଥିବା ବେଳେ ମାତ୍ର ୧୬ ପ୍ରତିଶତ କୁକିମାନେ ୯୦ ପ୍ରତିଶତ ପାର୍ବତ୍ୟାଞ୍ଚଳରେ ବାସ କରନ୍ତି ଏବଂ ମୈତୀମାନଙ୍କ ବାଧ୍ୟବାଧକତାର କାରଣ ହେଲା ଆଇନତଃ ସେମାନେ ପାର୍ବତ୍ୟାଞ୍ଚଳରେ ଜମି କ୍ରୟ କରିବାର ଅଧିକାର ପାଇ ନ ଥାଆନ୍ତି, ଅଥଚ କୁକିମାନେ ସମତଳ ଅଞ୍ଚଳର ଜମି ଖର୍ଦ୍ଦି କରି ପାରନ୍ତି। ସୁତରାଂ, ମୈତୀମାନଙ୍କ ଉଦ୍ବେଗ ଆହୁରି ବୃଦ୍ଧି ପାଏ ଯେ ହୁଏତ ଦିନେ ସେମାନେ କୁକିମାନଙ୍କ ଦ୍ବାରା ମଣିପୁରରୁ ସଂପୂର୍ଣ୍ଣ ବିସ୍ଥାପିତ ହୋଇଯିବେ! ତେଣୁ ମୈତୀମାନେ ଜନଜାତି ମାନ୍ୟତା ଲାଭ କରିବା ଲାଗି ଉଦ୍ୟମରତ ଏବଂ ଯାହା ସପକ୍ଷରେ ମଣିପୁର ଉଚ୍ଚ ଅଦାଲତର ରାୟଟିଏ ଆସି ୨୦୨୩ ମସିହା ମେ ମାସ ୩ ତାରିଖରୁ ହିଂସାର ସୂତ୍ରପାତ ଘଟାଇଲା। କାରଣ ଏଭଳି ରାୟ ଆସିବା ପରେ କୁକିମାନେ ବ୍ୟସ୍ତ ହୋଇ ପଡ଼ିଲେ ଯେ ମଣିପୁରର ସମସ୍ତ ସଂସାଧନ ଓ ସୁଯୋଗ ଏଣିକି ସଂଖ୍ୟାଗରିଷ୍ଠ ମୈତୀମାନଙ୍କ ଅକ୍ତିଆରକୁ ଚାଲିଯିବ! ସୁତରାଂ, ବିଶ୍ବାସହାନି ଓ ଶତ୍ରୁତା କେବଳ ପ୍ରଗାଢ଼ ହୋଇ ଚାଲିଛି। ଏଣେ ସଂପ୍ରୀତି ଓ ସଦ୍ଭାବର କୌଣସି ନୂତନ ଦିଗନ୍ତ ମଧ୍ୟ ଉନ୍ମୋଚିତ ହେଉନାହିଁ। ପ୍ରସିଦ୍ଧ ଗୀତିକବି ସ୍ବର୍ଗତ ନାରାୟଣ ପ୍ରସାଦ ସିଂହଙ୍କ ସେହି ଅମର ପଙ୍କ୍ତିକୁ ଅନୁସରଣ କଲା ଭଳି ମରମ ତଳେ ଅତୀତ ଯେ ମରୁ ନାହିଁ; ଦହନ ଯେ ସରୁ ନାହିଁ!