ଆବେଗର ଆବିଷ୍କର୍ତ୍ତା

ଏହି ଘଟଣାରେ କିନ୍ତୁ ମୁଖ୍ୟ ନିବେଶ ଅଧିକାରୀ ଜଣକ ଏଭଳି କୌଣସି ଜଟିଳ ବିଶ୍ଳେଷଣ ଠାରୁ ଦୂରରେ ରହି କେବଳ ନିଜର ଅନ୍ତର୍ନିହିତ ଭାବାବେଗ ଦ୍ବାରା ପରିଚାଳିତ ହୋଇ ନିବେଶ ପାଇଁ ନିଷ୍ପତ୍ତି ନେଇଥିଲେ- ତାଙ୍କୁ ଫୋର୍ଡ‌୍ ଗାଡ଼ି ଭଲ ଲାଗିଲା; ଫୋର୍ଡ‌୍ କଂପାନି ଭଲ ଲାଗିଲା; ସେଇ କଂପାନିର ଅଂଶପତ୍ରରେ ପୁଞ୍ଜି ନିବେଶ କରିବା କଳ୍ପନା ଭଲ ଲାଗିଲା। କାନେମ୍ୟାନ୍ ନିବେଶକଙ୍କର ଏଭଳି ପୂର୍ବାଗ୍ରହର ନାମକରଣ କରିଛନ୍ତି- ‘ଆଫେକ୍ଟ୍ ହିଉରିଷ୍ଟିକ୍’, ଯେଉଁଠି ବାସ୍ତବରେ ନିଷ୍ପତ୍ତିମାନ ଜଟିଳ ଗଣିତ ଦ୍ବାରା ପରିଚାଳିତ ନ ହୋଇ ସିଧାସଳଖ ଭଲ ଲାଗିବା ବା ନ ଲାଗିବା ଭଳି ସରଳ ଭାବନା ଦ୍ବାରା ନିର୍ଣ୍ଣିତ ହୋଇଥାନ୍ତି।

ଆଧୁନିକ ପାଶ୍ଚାତ୍ୟ ଦର୍ଶନଶାସ୍ତ୍ରର ଜନକ ରୂପେ ବିବେଚିତ ସପ୍ତଦଶ ଶତାବ୍ଦୀର ଫରାସୀ ଦାର୍ଶନିକ-ବୈଜ୍ଞାନିକ-ଗଣିତଜ୍ଞ ରେନେ ଡେକାର୍ଟ ସାରା ଜୀବଜଗତରେ କେବଳ ମନୁଷ୍ୟ ହିଁ ଏକ ‘ତର୍କସଂଗତ ଆତ୍ମା’ ବା ‘ରାସନାଲ୍ ସୋଲ୍’ର ଅଧିକାରୀ ବୋଲି ଦର୍ଶାଇବା ପରେ ତାହାରି ଆଧାରରେ ଅର୍ଥଶାସ୍ତ୍ରର ଜନକ ରୂପେ ବିବେଚିତ ଅଷ୍ଟଦଶ ଶତାବ୍ଦୀର ସ୍କଟିସ୍ ଅର୍ଥନୀତିଜ୍ଞ-ଦାର୍ଶନିକ ଆଡାମ୍ ସ୍ମିଥ୍‌ଙ୍କର ଯେଉଁ ମାନସ ସନ୍ତାନ ଭୂମିଷ୍ଠ ହେଲା, ତାହା ‘ହୋମୋ ଇକନମିକସ୍’ ରୂପେ ସୁପରିଚିତ। ଇଏ ଆଉ‌ କେହି ନୁହେଁ, ଇଏ ହେଉଛି ମନୁଷ୍ୟ ନାମକ ଏକ ଅର୍ଥନୈତିକ ପ୍ରାଣୀ। ସ୍ମିଥ୍‌ଙ୍କ ପରଠାରୁ ବିଶ୍ବାସ କରା ହୋଇ ଆସୁଥିଲା ଯେ ଏହି ଅର୍ଥନୈତିକ ପ୍ରାଣୀଟି ସର୍ବଦା ଯେ କୌଣସି ଅର୍ଥନୈତିକ କାର୍ଯ୍ୟ ଏପରି ତର୍କସମ୍ମତ ଭାବରେ ସଂପାଦନ କରିଥାଏ, ଯେପରି ତଜ୍ଜନିତ ଲାଭ ସର୍ବାଧିକ ସମ୍ଭବ, କିମ୍ବା କ୍ଷତି ସର୍ବନିମ୍ନ ସମ୍ଭବ ହେବ। ଅର୍ଥାତ୍ ମନୁଷ୍ୟ ବିଶ୍ବାସ କରିଥାଏ ଯେ ତା’ର ଅର୍ଥନୈତିକ ଆଚରଣ ହେଉଛି ସର୍ବଦା ବସ୍ତୁନିଷ୍ଠ, ଓ ଯଦି ତା’ ନିକଟରେ ସମସ୍ତ ତଥ୍ୟ ଉପଲବ୍‌ଧ ଥାଏ, ତା’ର ମସ୍ତିଷ୍କ ଯେ କୌଣସି ସମସ୍ୟାର ସମାଧାନ କରି ସର୍ବାଧିକ ସନ୍ତୋଷଜନକ ନିଷ୍ପତ୍ତି ଯୁକ୍ତିଯୁକ୍ତ ଭାବରେ ନେଇପାରିବ।
ଯିଏ ମନୁଷ୍ୟର ଅର୍ଥନୈତିକ ଆଚରଣ ସମ୍ବନ୍ଧରେ ଦୀର୍ଘ ଦୁଇ ଶତାବ୍ଦୀରୁ ଅଧିକ କାଳ ଧରି ରାଜତ୍ବ କରୁଥିବା ଏହି ଧାରଣାକୁ ଓଲଟାଇ ଦେଇ ସେଥିପାଇଁ ୨୦୦୨ରେ ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଲାଭ କରିଥିଲେ, ସେ ହେଉଛନ୍ତି ମାର୍ଚ୍ଚ ୨୭ ତାରିଖରେ ୯୦ ବର୍ଷ ବୟସରେ ପରଲୋକ ଗମନ କରିଥିବା ଇସ୍ରାଏଲି-ଆମେରିକୀୟ ମନୋବୈଜ୍ଞାନିକ ଡାନିଏଲ୍ କାନେମ୍ୟାନ୍। ‘ଆଚରଣୀୟ ଅର୍ଥନୀତି’ ନାମକ ଅର୍ଥଶାସ୍ତ୍ରର ନୂତନ ଶାଖାର ଜନକ ରୂପେ ସ୍ବୀକୃତ କାନେମ୍ୟାନ୍ ପ୍ରମାଣ କରିଛନ୍ତି ଯେ ଆମେ ନିଜକୁ ଯେତେ ଯୁକ୍ତିନିଷ୍ଠ ବା ହିସାବୀ ରୂପେ ବିଚାର କରୁଥିଲେ ହେଁ ଆମେ ପ୍ରତ୍ୟେକେ ଅନେକ ସମୟରେ କୌଣସି ନା କୌଣସି ବ୍ୟକ୍ତିଗତ ପୂର୍ବାଗ୍ରହ ବା ଭାବାବେଗ ଦ୍ବାରା ପ୍ରଭାବିତ ହୋଇ ସଂପୃକ୍ତ ନିଷ୍ପତ୍ତି ନେଇଥାଉ- ବିଚକ୍ଷଣ ନିବେଶକ ୱାରେନ୍ ବଫେଟ୍‌ଙ୍କ ଠାରୁ ରାସ୍ତାକଡ଼ର ଗୁପ୍‌ଚୁପ୍ ବିକାଳିଙ୍କ ପର୍ଯ୍ୟନ୍ତ।
କାନେମ୍ୟାନ୍ ଓ ତାଙ୍କର ସହଗବେଷକ ତଥା ଘନିଷ୍ଠ ବନ୍ଧୁ ଆମସ୍ ଭର୍ସ୍କି ଏ ସମ୍ବନ୍ଧରେ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆବିଷ୍କାର କରିଥିଲେ, ତାହା ହେଲା, ଜଣେ ବ୍ୟକ୍ତି ବସ୍ତୁତଃ ଦୁଇ ପ୍ରକାର କୌଶଳ ପ୍ରୟୋଗ କରି କୌଣସି ବିଷୟରେ ଚିନ୍ତା କରିଥାଏ: (୧) ଆବେଗିକ ଓ ତତ୍‌କ୍ଷଣାତ, ଏବଂ (୨) ଧୀରସ୍ଥିର ଭାବରେ, ବିଭିନ୍ନ ଦିଗ ବିଚାରକୁ ନେଇ, ଯୁକ୍ତିନିଷ୍ଠ ଭାବରେ। ମସ୍ତିଷ୍କ ପ୍ରୟୋଗ କରୁଥିବା ଏହି ଦୁଇ ବିଧିକୁ କାନେମ୍ୟାନ୍ ନାମକରଣ କରିଛନ୍ତି: ସିଷ୍ଟମ୍-୧ ଓ ସିଷ୍ଟମ୍-୨ ରୂପେ। ସିଷ୍ଟମ୍-୧ ବ୍ୟକ୍ତିର ବିନା ଚେଷ୍ଟାରେ ସ୍ବୟଂଚାଳିତ ଭାବରେ କାଳବିଳମ୍ବ ନ କରି କାର୍ଯ୍ୟ କରିଥାଏ; ସିଷ୍ଟମ୍-୨ ସୁଚିନ୍ତିତ ଭାବରେ ଧ୍ୟାନ କେନ୍ଦ୍ରୀଭୂତ କରି, ଜଟିଳ ହିସାବ କରି, ବିଭିନ୍ନ ବିକଳ୍ପ ତଉଲ କରି ନିଷ୍ପତ୍ତି ନେବାକୁ ସଚେତନ ଭାବରେ ଚେଷ୍ଟା କରିଥାଏ। ଆମେ ଯେତେବେଳେ ଆତ୍ମସଚେତନ ହୋଇଥା‌ଉ, ସେତେବେଳେ ଆମେ ମସ୍ତିଷ୍କର ଯେଉଁ ବ୍ୟବସ୍ଥା ସହିତ ପରିଚିତି ସ୍ଥାପନ କରିଥାଉ, ତାହା ହେଉଛି ସିଷ୍ଟମ୍-୨, ଯିଏ ହେଉଛି ଆମର ସଚେତନ ଆତ୍ମସତ୍ତା, ଯିଏ ଆମର ପସନ୍ଦ ଅପସନ୍ଦ ନିର୍ଣ୍ଣୟ କରେ, ବିଶ୍ବାସମାନ ବହନ କରେ, ଚିନ୍ତାଧାରା ଓ କାର୍ଯ୍ୟପନ୍ଥା ସ୍ଥିର କରେ। କାନେମ୍ୟାନ୍ କିନ୍ତୁ ଆବିଷ୍କାର କରିଥିଲେ ଯେ ଯଦିବା ସିଷ୍ଟମ୍-୨ ବିଶ୍ବାସ କରିଥାଏ ଯେ ବ୍ୟକ୍ତିର ସମସ୍ତ ଚିନ୍ତା ଓ କାର୍ଯ୍ୟ ସେ ହିଁ ନିୟନ୍ତ୍ରଣ କରୁଛି, ବାସ୍ତବରେ ଏହା ପଛରେ ଯାହାର ଅଦୃଶ୍ୟ ପ୍ରଭାବ ନିହିତ ଥାଏ, ତାହା ହେଉଛି ସିଷ୍ଟମ୍-୧ରେ ସ୍ବୟଂକ୍ରିୟ ଭାବରେ ସୃଷ୍ଟି ହେଉଥିବା ଧାରଣା ଓ ଭାବନାମାନ। ଏହା ଅନୁସାରେ ଅନେକ ସମୟରେ ଯେଉଁ ଅର୍ଥନୈତିକ ନିଷ୍ପତ୍ତିମାନ ସୁଚିନ୍ତିତ ମନେ ହେଉଥାଏ, ବାସ୍ତବରେ ତାହା ବିଶୁଦ୍ଧ ଯୁକ୍ତି ଉପରେ ପ୍ରତିଷ୍ଠିତ ନ ହୋଇ ସିଷ୍ଟମ୍-୧ ଇଲାକା ଅନ୍ତର୍ଭୁକ୍ତ ବିଭିନ୍ନ ଭାବାବେଗ, ପୂର୍ବାଗ୍ରହ କିମ୍ବା ପକ୍ଷପାତିତାମୂଳକ ଆଭିମୁଖ୍ୟ ଦ୍ବାରା ପ୍ରଭାବିତ ହୋଇପାରିଥାଏ। କାନେମ୍ୟାନ୍ ପ୍ରଦାନ କରିଥିବା ଏହାର ଅନେକ ଉଦାହରଣମାନଙ୍କ ମଧ୍ୟରୁ ତାଙ୍କର ପ୍ରସିଦ୍ଧ ତଥା ଲୋକପ୍ରିୟ ପୁସ୍ତକ, ‘ଥିଙ୍କିଙ୍ଗ୍, ଫାଷ୍ଟ୍ ଆଣ୍ଡ୍ ସ୍ଲୋ’ରୁ ଗୋଟିଏ ଏଠାରେ ଉପସ୍ଥାପନ କରାଯାଇପାରେ।
ଅନେକ ସମୟରେ ସଫଳ ପ୍ରସିଦ୍ଧ ନିବେଶକମାନେ କୌଣସି ବିଶେଷ ଅନ୍ତର୍ଦୃଷ୍ଟି ଦ୍ବାରା ପରିଚାଳିତ ହୋଇ ଉପଯୁକ୍ତ କଂପାନିମାନ ଚିହ୍ନଟ କରି ସେମାନଙ୍କର ଅଂଶପତ୍ରରେ ପୁଞ୍ଜି ନିବେଶ କରିଥାନ୍ତି ବୋଲି ବିଶ୍ବାସ କରାଯାଏ (ଯେମିତି କିଂବଦନ୍ତି ପାଲଟିଥିବା ୱାରେନ୍ ବଫେଟ୍, କିମ୍ବା ସ୍ବର୍ଗତ ରାକେଶ ଝୁନ୍‌ଝୁନ୍‌ୱାଲା)। ପରବର୍ତ୍ତୀ ସମୟରେ ସେଆର୍ ବଜାରରେ ସେଇ କଂପାନିମାନଙ୍କର ଅଂଶପତ୍ର ମୂଲ୍ୟରେ ତୀକ୍ଷ୍‌ଣ ବୃଦ୍ଧି ଘଟି ସେଇ ନିବେଶକମାନଙ୍କ ପାଇଁ ବିପୁଳ ଲାଭ ସୃଷ୍ଟି ହେଲେ ସେମାନଙ୍କର ବିଚକ୍ଷଣତା ସମ୍ବନ୍ଧରେ ସୃଷ୍ଟି ହୋଇଥିବା ଧାରଣା ଦୃଢ଼ୀଭୂତ ହୋଇଥାଏ। କାନେମ୍ୟାନ୍ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଅନେକ ବର୍ଷ ତଳେ ତାଙ୍କର ଏକ ବିଶାଳ ବିତ୍ତୀୟ ସଂସ୍ଥାର ମୁଖ୍ୟ ନିବେଶ ଅଧିକାରୀ (ଚିଫ୍ ଇନ୍‌ଭେଷ୍ଟମେଣ୍ଟ୍ ଅଫିସର୍)ଙ୍କ ସହିତ ଭେଟ ହୋଇଥିଲା, ଯିଏ ତାଙ୍କୁ ଏକ ସୂଚନା ଦେଲେ ଯେ ସେ ସଦ୍ୟ ସଦ୍ୟ ଫୋର୍ଡ‌୍ ମଟର କଂପାନିର ଅଂଶପତ୍ରରେ ନିୟୁତ ନିୟୁତ ଡଲାର୍ ନିବେଶ କରିଛନ୍ତି। କାନେମ୍ୟାନ୍ ଯେତେବେଳେ ତାଙ୍କୁ ପଚାରିଲେ କେଉଁ କାରଣମାନଙ୍କୁ ଭିତ୍ତି କରି ସେ ଏଭଳି ଏକ ବିଶାଳ ନିବେଶ ପାଇଁ ନିଷ୍ପତ୍ତି ନେଲେ, ସେତେବେଳେ ନିବେଶକ ଜଣକ ତାଙ୍କୁ ଯେଉଁ ଉତ୍ତର ଦେଲେ, ତାହା କାନେମ୍ୟାନ୍‌ଙ୍କୁ ଚମତ୍କୃତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟର ମସ୍ତିଷ୍କର କାର୍ଯ୍ୟଧାରା ସମ୍ବନ୍ଧରେ ସେ ପୋଷଣ କରିଥିବା ଉପରବର୍ଣ୍ଣିତ ଚିନ୍ତାଧାରାକୁ ଦୃଢ଼ୀଭୂତ କରିଦେଇଥିଲା।
ସେଇ ତାରକା ନିବେଶକ ଜଣକ କହିଲେ ଯେ ସେ ନିକଟରେ ଏକ ମଟରଗାଡ଼ି ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ ଓ ସେଠାରେ ପ୍ରଦର୍ଶିତ ଫୋର୍ଡ‌୍ ଗାଡ଼ିଗୁଡ଼ିକ ତାଙ୍କୁ ଚମତ୍କୃତ କରିଦେଇଥିଲେ। ଫୋର୍ଡ‌୍ ଗାଡ଼ିଗୁଡ଼ିକ ତାଙ୍କଠାରେ ସୃଷ୍ଟି କରିଥିବା ଏହି ଆନ୍ତରିକ ସନ୍ତୋଷ ଦ୍ବାରା ପରିଚାଳିତ ହୋଇ ସେ ଫୋର୍ଡ‌୍ ମଟର କଂପାନିର ଅଂଶପତ୍ରରେ ଏପରି ବିପୁଳ ପୁଞ୍ଜି ନିବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କାନେମ୍ୟାନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଏଭଳି ପରିସ୍ଥିତିରେ ଜଣେ ତର୍କନିଷ୍ଠ ଅର୍ଥନୀତିଜ୍ଞଙ୍କ ପାଇଁ ଯେଉଁ ଗୋଟିଏ ସୂଚନା ପ୍ରାସଙ୍ଗିକତା ବହନ କରିଥାଏ, ଏହି ବିଖ୍ୟାତ ନିବେଶକ ଜଣକ ସେଥିପ୍ରତି ଆଦୌ ଧ୍ୟାନ ଦେଇ ନ ଥିଲେ: ଫୋର୍ଡ‌୍ ମଟର କଂପାନିର ଅଂଶପତ୍ର ବର୍ତ୍ତମାନ ସେଆର୍ ବଜାରରେ ତା’ର ଉଚିତ ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି ଖର୍ଦ୍ଦି ହେଉଛି କି? ଯଦି ତାହା କମ୍ ମୂଲ୍ୟରେ ବିକ୍ରୟ ହେଉଛି ବୋଲି ନିବେଶକ ସଠିକ୍ ଅନୁମାନ କରି ତାହାକୁ କ୍ରୟ କରନ୍ତି, ତେ‌େବ ଭବିଷ୍ୟତରେ ଯେତେବେଳେ ସ୍ବାଭାବିକ ଭାବରେ ସେଇ ଅଂଶପତ୍ରର ମୂଲ୍ୟରେ ବୃଦ୍ଧି ଘଟିବ, ତାହା ନିବେଶକଙ୍କ ପାଇଁ ନିଶ୍ଚିତ ଲାଭ ସୃଷ୍ଟି କରିବ। ଏହି ଘଟଣାରେ କିନ୍ତୁ ମୁଖ୍ୟ ନିବେଶ ଅଧିକାରୀ ଜଣକ ଏଭଳି କୌଣସି ଜଟିଳ ବିଶ୍ଳେଷଣ ଠାରୁ ଦୂରରେ ରହି କେବଳ ନିଜର ଅନ୍ତର୍ନିହିତ ଭାବାବେଗ ଦ୍ବାରା ପରିଚାଳିତ ହୋଇ ନିବେଶ ପାଇଁ ନିଷ୍ପତ୍ତି ନେଇଥିଲେ- ତାଙ୍କୁ ଫୋର୍ଡ‌୍ ଗାଡ଼ି ଭଲ ଲାଗିଲା; ଫୋର୍ଡ‌୍ କଂପାନି ଭଲ ଲାଗିଲା; ସେଇ କଂପାନିର ଅଂଶପତ୍ରରେ ପୁଞ୍ଜି ନିବେଶ କରିବା କଳ୍ପନା ଭଲ ଲାଗିଲା। କାନେମ୍ୟାନ୍ ନିବେଶକଙ୍କର ଏଭଳି ପୂର୍ବାଗ୍ରହର ନାମକରଣ କରିଛନ୍ତି- ‘ଆଫେକ୍ଟ୍ ହିଉରିଷ୍ଟିକ୍’, ଯେଉଁଠି ବାସ୍ତବରେ ନିଷ୍ପତ୍ତିମାନ ଜଟିଳ ଗଣିତ ଦ୍ବାରା ପରିଚାଳିତ ନ ହୋଇ ସିଧାସଳଖ ଭଲ ଲାଗିବା ବା ନ ଲାଗିବା ଭଳି ସରଳ ଭାବନା ଦ୍ବାରା ନିର୍ଣ୍ଣିତ ହୋଇଥାନ୍ତି।
ବାସ୍ତବରେ ‘ହୋମା ଇକନମିକସ୍’, ନେଉଥିବା ନିଷ୍ପତ୍ତି ସବୁକୁ ପ୍ରଭାବିତ କରୁଥିବା ଏଇଭଳି ଆହୁରି ଅନେକ ପୂର୍ବାଗ୍ରହମାନ (ଯେମିତି ‘ଆଙ୍କର୍ ଇଫେକ୍ଟ୍’, ‘ହାଲୋ ଇଫେକ୍ଟ୍’, ‘ଲସ୍ ଆଭର୍ଜନ୍’…) ଆବିଷ୍କାର କରି ଏକ ଶୁଷ୍କ ଯାନ୍ତ୍ରିକ ଶାସ୍ତ୍ରରେ ପରିଣତ ହୋଇଥିବା ଅର୍ଥଶାସ୍ତ୍ରରେ ଡାନିଏଲ୍ କାନେମ୍ୟାନ୍ ମାନବୀୟ ଆବେଗ ପୁନଃସ୍ଥାପନ କରିଥିଲେ ବୋଲି କୁହାଯାଇପାରେ। ସେଥିପାଇଁ ଆଜି ପୃଥିବୀସାରା କୃତଜ୍ଞ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ଏହି ମନୋବୈଜ୍ଞାନିକଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରା‌ର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର