ଇବ୍ରାହିମ ରାଇସିଙ୍କ ଅନ୍ତିିମ କ୍ରିୟାରେ ଯେଉଁମାନେ ଯୋଗ ଦେବାକୁ ପହଞ୍ଚିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଚୀନର ଉପରାଷ୍ଟ୍ରପତି, ରୁଷୀୟ ପାର୍ଲାମେଣ୍ଟର ମୁଖ୍ୟ, ପାକିସ୍ତାନର ପ୍ରଧାନମନ୍ତ୍ରୀ, ଇରାକର ପ୍ରଧାନମନ୍ତ୍ରୀ, ତୁର୍କୀର ଉପରାଷ୍ଟ୍ରପତି, ଭାରତର ଉପରାଷ୍ଟ୍ରପତି, ହମାସର ମୁଖ୍ୟ ଓ ତାଲିବାନର ପ୍ରତିନିଧି। ହୁଥି ଓ ହେଜବୋଲ୍ଲାର ମୁଖ୍ୟଗଣ ମଧ୍ୟ ଏହି ସମାରୋହରେ ଦୃଶ୍ୟମାନ ହୋଇପାରନ୍ତି! ସୁତରାଂ, ଏହି ସମାରୋହରେ ପରସ୍ପରର ନିକଟବର୍ତ୍ତୀ ହୋଇ ଉପବେଶନ କରିବାକୁ ଯାଉଥିବା ଅଭ୍ୟାଗତମାନଙ୍କ ମଧ୍ୟରୁ କେତେକ ଯେ ତୀବ୍ର ଅସ୍ବସ୍ତିିର ସମ୍ମୁଖୀନ ହୋଇପାରନ୍ତି, ତାହା କହିବା ବାହୁଲ୍ୟ ମାତ୍ର!
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ରବିବାର ଦିନ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୈବାତ୍ ବିୟୋଗ ଘଟିବା ପରେ ସେ ରାଷ୍ଟ୍ରର ଭୂ-ରାଜନୈତିକ ଓ ରଣନୈତିକ ପ୍ରଭାବ, ତଜ୍ଜନିତ ଅସଂଗତି ଓ ବାଧ୍ୟବାଧକତା କିଭଳି ବିଚିତ୍ର ଦୃଶ୍ୟପଟ ସୃଷ୍ଟି କରିପାରେ, ତାହା ସଂପ୍ରତି ବିଶେଷ ଚର୍ଚ୍ଚାର ବିଷୟ ହୋଇଛି। ପାଠକପାଠିକାମାନେ ଅବଗତ ଥିବେ ଯେ ଇରାନ ଓ ଆଜରବାଇଜାନ ସୀମାରେ ଏକ ନଦୀ ବନ୍ଧ ପ୍ରକଳ୍ପର ଶୁଭ ଦେଇ ପ୍ରତ୍ୟାବର୍ତ୍ତନ କରିବା ବାଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯହିଁରେ ରାଷ୍ଟ୍ରପତିଙ୍କ ସହିତ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଅନ୍ୟ ଛଅ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ଅବଶ୍ୟ, ଏକ ପ୍ରଶ୍ନ ଉଠିଥାଏ ଯେ ଦୀର୍ଘ କାଳ ଧରି ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ଅନୁଗତ ରାଷ୍ଟ୍ରଗଣ ତଥା ପ୍ରାୟ ସମସ୍ତ ପାଶ୍ଚାତ୍ୟ ପୃଥିବୀ ଦ୍ବାରା ବାସନ୍ଦର ଶିକାର ହୋଇଥିବା ଏଭଳି ଏକ ନିଃସଙ୍ଗ ରାଷ୍ଟ୍ରର ଶାସନ-ମୁଖ୍ୟଙ୍କ ପରଲୋକ କାହିଁକି ସମଗ୍ର ପୃଥିବୀରେ ଆଲୋଡ଼ନ ଓ ଆଲୋଚନାର କାରଣ ହେବ? ଏହାର ଉତ୍ତର ମଧ୍ୟ ଖୋଜାଯିବା ଆବଶ୍ୟକ।
ପ୍ରକାଶ ଥାଉ କି ଇରାନ ରାଷ୍ଟ୍ରପତିଙ୍କ ନିଧନ ସମ୍ବାଦ ପ୍ରକାଶ୍ୟ ହେବା ମାତ୍ରକେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବିଳିବିଳେଇବା ତୁଲ୍ୟ କହି ଦିଆଗଲା ଯେ ଏଥିେର ସେମାନଙ୍କର କୌଣସି ଭୂମିକା ନାହିଁ; କାରଣ ଇରାନ ଭଳି ଏକ ରାଷ୍ଟ୍ରର ଶାସନ ମୁଖ୍ୟଙ୍କ ଏଭଳି ଅଚାନକ ମୃତ୍ୟୁ ସ୍ବାଭାବିକ ଭାବେ କୌଣସି ନା କୌଣସି ଷଡ୍ଯନ୍ତ୍ରର ସନ୍ଦେହ ସୃଷ୍ଟି କରିଥାଏ, ଯହିଁରେ ବିଦେଶୀ ସଂପୃକ୍ତି ଭାବେ ଇସ୍ରାଏଲ୍ ଓ ଆମେରିକାର ନାମ ହିଁ ସର୍ବଦା ତାଲିକାର ଶୀର୍ଷରେ ରହିବ। ଏଠାରେ ସ୍ମରଣଯୋଗ୍ୟ ଯେ ଆମେରିକା ହାତରେ ଗଲା ୨୦୨୦ ମସିହାରେ ନିହତ ହୋଇଥିବା କାଶିମ ସୁଲେମାନୀ ଜେଣ ଅାନ୍ତର୍ଜାତିକ ଆତଙ୍କବାଦୀ ରୂପେ କୁଖ୍ୟାତ ହୋଇଥିଲେ ହେଁ ଇରାନ ସକାଶେ ଥିଲା ଜଣେ ସମର୍ପିତ ଦେଶପ୍ରେମୀ ଓ ଦୁର୍ଦ୍ଧର୍ଷ ସେନାପତି, ଯାହାର ତତ୍ତ୍ବାବଧାନରେ ଚାଲିଥିବା ‘ପ୍ରକ୍ସି ଯୁଦ୍ଧ’ ବଳରେ ସିରିଆ, ଲିବ୍ୟା ଓ ୟେମେନ ଉପରେ ଇରାନ ପକ୍ଷରୁ ପ୍ରଭାବ ବିସ୍ତାର କରାଯାଇପାରିଥିଲା। କହିବା ଅନାବଶ୍ୟକ ଯେ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ଇରାନର ସର୍ବାଧିକ ବଡ଼ ଶତ୍ରୁ ଏବଂ ଆମେରିକାର ପ୍ରୋତ୍ସାହନରେ ଇସଲାମୀୟ ଇରାନରେ ଅନେକ ସମୟରେ ଗଣତନ୍ତ୍ରକାମୀ ବିରୋଧ ଓ ଅସ୍ଥିରତାମାନ ପରିଦୃଷ୍ଟ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଗଲା ଶତାବ୍ଦୀର ସପ୍ତମ ଦଶକର ଶେଷ ଭାଗରେ ଏକ ବିଶାଳ ଇସଲାମୀୟ ବିପ୍ଳବ ସଂଘଟିତ ହେବାର ପୂର୍ବ ପର୍ଯ୍ୟନ୍ତ ଶାହ ଶାସନାଧୀନ ଇରାନ ଥିଲା ଆମେରିକାର ଏକ ଘନିଷ୍ଠ ମିତ୍ର ରାଷ୍ଟ୍ର। ସମ୍ଭବତଃ ଆମେରିକା ସେହି ସ୍ମୃତିର ଆଲିଙ୍ଗନରୁ ମୁକ୍ତ ହୋଇପାରୁନାହିଁ, ଯାହା ସେଠାରେ ଇସଲାମୀୟ ଶାସନର ଅବସାନ ଚାହିଁଥାଏ! ସୁତରାଂ, ଷଡ୍ଯନ୍ତ୍ରର ସନ୍ଦେହ! ସେହି ଭଳି ଗାଜା ଉପରେ ଇସ୍ରାଏଲ ପକ୍ଷରୁ ଏ ଯାବତ୍ ବଳବତ୍ତର ରହିଥିବା ଭୟାବହ ଆକ୍ରମଣ କାରଣରୁ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଥିବା ପୂର୍ବର ତିକ୍ତତା ଇତିମଧ୍ୟରେ ଅଧିକ ଘନୀଭୂତ ହୋଇଛି; ଏପରିକି ଏହି ଦୁଇ ଦେଶ ମଧ୍ୟରେ ଏକ ମୃଦୁ ସଂଘାତ ମଧ୍ୟ ଜନ୍ମ ନେଇଛି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲ୍ର ଅତ୍ୟନ୍ତ ଦକ୍ଷ ଗୁଇନ୍ଦା ସଂସ୍ଥା ‘ମୋସାଡ୍’ର ସଂପୃକ୍ତି ନେଇ ଅନୁମାନରେ ମଧ୍ୟ ବିସ୍ମୟର କାରଣ ନାହିଁ। କାରଣ ପୂର୍ବରୁ ‘ମୋସାଡ୍’ ପରିକଳ୍ପିତ ଚକ୍ରାନ୍ତରେ କେତେକ ଇରାନୀ ରାଜନେତା ଏପରିକି ଆଣବିକ ବିଜ୍ଞାନୀଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଏହା ମଧ୍ୟ କ’ଣ ସତ ନୁହେଁ କି ସିରିଆ, ୟେମେନ ଓ ଲିିବ୍ୟା ଭଳି ଦେଶରେ ଚାଲିଥିବା ‘ପ୍ରକ୍ସି-ଯୁଦ୍ଧ’ର ଏକ ମୁଖ୍ୟ ପୃଷ୍ଠେପାଷକ ଭାବେ ଇରାନର ଭୂମିକା ତାକୁ ଏକ ସନ୍ଦିଗ୍ଧ ରାଷ୍ଟ୍ରରେ ପରିଣତ କରିଛି ଏବଂ ଇରାନର ଅର୍ଥ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ହମାସ, ହେଜବୋଲ୍ଲା ଓ ହୁଥି ଭଳି ତିନିଟି ଦୁର୍ଦ୍ଧର୍ଷ ଓ ଯୁଦ୍ଧ ପ୍ରବୃତ୍ତ ଆତଙ୍କବାଦୀ ସଂଗଠନ ପରିପୁଷ୍ଟ ହୋଇଛନ୍ତି? ଏଭଳି ସ୍ଥଳେ ଇରାନକୁ ଏକଘରିକିଆ କରି ଏକ ଅସ୍ପୃଶ୍ୟ ରାଷ୍ଟ୍ରରେ ପରିଣତ କରାଯିବାର ଔଚିତ୍ୟ ସପକ୍ଷରେ ବଳିଷ୍ଠ ଯୁକ୍ତି ରହିଥିଲେ ସୁଦ୍ଧା ଇରାନ ସେଭଳି ଭାଗ୍ୟ ଭୋଗ କରେ ନାହିଁ; କାରଣ ସେଠାରେ ଥିବା ବିପୁଳ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର ତଥା କାସ୍ପିଆନ ସାଗର, ପାରସ୍ୟ ଉପସାଗର ଓ ଲୋହିତ ସାଗର (ୟେମେନ ଉପରେ ପ୍ରଭାବ ହେତୁ) ଅଞ୍ଚଳରେ ବ୍ୟାବସାୟିକ ଜାହାଜ ଚଳାଚଳ ଲାଗି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଜଳପଥର ଅବସ୍ଥିତି ହେତୁ ଇରାନ ଅନେକ ରାଷ୍ଟ୍ରଙ୍କ ଦ୍ବାରା ଲୋଡ଼ା ମଧ୍ୟ ଯାଇଥାଏ, ଯେଉଁମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଏହି ସଂଦର୍ଭରେ ମହାତ୍ତ୍ବାକାଂକ୍ଷୀ ଚବାହର ବନ୍ଦର ପ୍ରକଳ୍ପରେ ଭାରତର ବିପୁଳ ପୁଂଜି ନିବେଶ ହେଉଛି ଏହାର ଏକ ଦୃଷ୍ଟାନ୍ତ। ସୁତରାଂ, ପାଶ୍ଚାତ୍ୟ ବିଶ୍ବର ବ୍ୟାଖ୍ୟାନରେ ଏକ ଖଳ ରାଷ୍ଟ୍ର ରୂପେ ପରିଚିତ ଇରାନ କେତେକ ଶକ୍ତିଶାଳୀ ଓ ବିଶ୍ବ ପ୍ରେକ୍ଷାପଟରେ ପ୍ରଭାବଶାଳୀ ରାଷ୍ଟ୍ରଙ୍କ ସଖ୍ୟ ମଧ୍ୟ ଲାଭ କରିଛି, ଯଦ୍ଦ୍ବାରା ସଂପର୍କର ଏକ ବିଚିତ୍ର ସମୀକରଣ ମଧ୍ୟ ସୃଷ୍ଟି ହୋଇଛି।
ଏବେ ସଂପର୍କର ସେହି ବିଚିତ୍ର ସମୀକରଣକୁ ଅବଲୋକନ କରିବା। ପ୍ରକାଶ ଥାଉ କି ବାସନ୍ଦର ଶିକାର ହେବା ପରେ ଇରାନ ଆପଣା ପ୍ରଯୁକ୍ତିଗତ ଜ୍ଞାନ ବିନିଯୋଗ କରି ଯେଉଁ ଶସ୍ତା କ୍ଷେପଣାସ୍ତ୍ର ଓ ଡ୍ରୋନ୍ମାନ ବିକାଶ କରିଛି, ତାହାର ଏକ ବଡ଼ କ୍ରେତା ହେଉଛି ରୁଷିଆ। ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ‘ନାଟୋ’ର ଏକ ସଦସ୍ୟ ରାଷ୍ଟ୍ର ରୂପେ ତୁର୍କୀ ଦ୍ବାରା ୟୁକ୍ରେନକୁ ଯୋଗାଇ ଦିଆଯାଇଥିବା ଶସ୍ତା ଓ ଅତ୍ୟନ୍ତ ଫଳପ୍ରଦ ‘ବାରେକ୍ଟା’ ଡ୍ରୋନ୍ର ଘମାଘୋଟ ଆକ୍ରମଣରେ ରୁଷିଆ କ୍ଷତବିକ୍ଷତ ହେବା ପରେ ଇରାନ ଠାରୁ ଲାଭ କରିଥିବା କାମିକାଜି ଡ୍ରୋନ୍ ଦ୍ବାରା ଯୁଦ୍ଧରେ ଏକ ସମତୁଲତା ପ୍ରାପ୍ତ ହେବା ସହିତ ଏବେ ବିଜୟ ପଥରେ ଅଗ୍ରଗତି କରିବାର ସଂକେତ ଦେଲାଣି। ତେବେ ତାତ୍ପର୍ଯ୍ୟପୂର୍ଣ୍ଣ ହେଲା, ‘ନାଟୋ’ର ଚରମ ଶତ୍ରୁ ରୁଷିଆ ଓ ‘ନାଟୋ’ର ସଦସ୍ୟ ରାଷ୍ଟ୍ର ତୁର୍କୀ; ଉଭୟ ଇରାନର ନିକଟବର୍ତ୍ତୀ ରାଷ୍ଟ୍ର। ସେହିଭଳି ଗାଜା-ଇସ୍ରାଏଲ ଯୁଦ୍ଧ ସକାଶେ ଦାୟୀ ହମାସ ଦ୍ବାରା ହୋଇଥିବା ଗଣସଂହାର ପରିପ୍ରେକ୍ଷୀରେ ଏହି ସଂଗଠନକୁ ସମଗ୍ର ପୃଥିବୀ ଏକ ଆତଙ୍କବାଦୀ ଗୋଷ୍ଠୀ ରୂପେ ବିଚାର କରୁଥିବା ବେଳେ ଇରାନ ହେଉଛି ସେହି ସଂଗଠନର ବନ୍ଧୁ ଓ ପୃଷ୍ଠପୋଷକ ରାଷ୍ଟ୍ର। ଏଣେ ହମାସକୁ ସଂପୂର୍ଣ୍ଣ ବିରୋଧ କରୁଥିବା ଭାରତ ଇରାନକୁ ତ୍ୟାଜ୍ୟ କରିବାକୁ ଅସମର୍ଥ। ଏହି ପରିପ୍ରେକ୍ଷୀରେ ଇବ୍ରାହିମ ରାଇସିଙ୍କ ଶେଷକୃତ୍ୟରେ ଯୋଗଦାନ କରିବାକୁ ଉପସ୍ଥିତ ହୋଇଥିବା ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଓ ଅନ୍ୟାନ୍ୟ ଅତିଥିମାନଙ୍କ ତାଲିକା ଉପରେ ନଜର ପକାଇଲେ ଉପର ବର୍ଣ୍ଣିତ ସଂପର୍କର ବିଚିତ୍ର ସମୀକରଣକୁ ପ୍ରାଂଜଳ ଭାବେ ବୁଝି ହେବ।
ଇବ୍ରାହିମ ରାଇସିଙ୍କ ଅନ୍ତିିମ କ୍ରିୟାରେ ଯେଉଁମାନେ ଯୋଗ ଦେବାକୁ ପହଞ୍ଚିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଚୀନର ଉପରାଷ୍ଟ୍ରପତି, ରୁଷୀୟ ପାର୍ଲାମେଣ୍ଟର ମୁଖ୍ୟ, ପାକିସ୍ତାନର ପ୍ରଧାନମନ୍ତ୍ରୀ, ଇରାକର ପ୍ରଧାନମନ୍ତ୍ରୀ, ତୁର୍କୀର ଉପରାଷ୍ଟ୍ରପତି, ଭାରତର ଉପରାଷ୍ଟ୍ରପତି, ହମାସର ମୁଖ୍ୟ ଓ ତାଲିବାନର ପ୍ରତିନିଧି। ହୁଥି ଓ ହେଜବୋଲ୍ଲାର ମୁଖ୍ୟଗଣ ମଧ୍ୟ ଏହି ସମାରୋହରେ ଦୃଶ୍ୟମାନ ହୋଇପାରନ୍ତି! ସୁତରାଂ, ଏହି ସମାରୋହରେ ପରସ୍ପରର ନିକଟବର୍ତ୍ତୀ ହୋଇ ଉପବେଶନ କରିବାକୁ ଯାଉଥିବା ଅଭ୍ୟାଗତମାନଙ୍କ ମଧ୍ୟରୁ କେତେକ ଯେ ତୀବ୍ର ଅସ୍ବସ୍ତିିର ସମ୍ମୁଖୀନ ହୋଇପାରନ୍ତି, ତାହା କହିବା ବାହୁଲ୍ୟ ମାତ୍ର! କିନ୍ତୁ ଭୂ-ରାଜନୈତିକ ଓ ରଣନୈତିକ ବାଧ୍ୟବାଧକତା ଓ ବାସ୍ତବତା କାରଣରୁ ବିଚିତ୍ର ଶଯ୍ୟାସଙ୍ଗୀମାନଙ୍କୁ ନେଇ ବିସ୍ମିତ ହେବାର ବିଶେଷ କାରଣ ମଧ୍ୟ ନାହିଁ।