ପ୍ରାୟତଃ ଦେଖିବାକୁ ମିଳିଛି ଯେ ଭାରତୀୟ ମୁସଲମାନ ସଂପ୍ରଦାୟ ପାରଂପରିକ ଭାବେ ହିନ୍ଦୁ ନେତା ଓ ସେମାନଙ୍କ ନେତୃତ୍ବାଧୀନ ଦଳ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଆସିଛନ୍ତି; ଉଦାହରଣ ସ୍ବରୂପ ଜବାହରଲାଲ ନେହରୁ ବା ଇନ୍ଦିରା ଗାନ୍ଧୀ ବା ମୁଲାୟମ ସିଂହ ଯାଦବ ବା ଲାଲୁ ପ୍ରସାଦ ଯାଦବ ବା ମମତା ବାନାର୍ଜୀ ଇତ୍ୟାଦି। ଦେଶ ସ୍ବାଧୀନତା ଲାଭ କରିବାର ସାତ ଦଶକ ପରେ ଯାଇ ଅସାଦ୍ଦୁଦିନ ଓୱାଇସି ନାମକ ଜଣେ ମୁସଲମାନ ନେତାଙ୍କ ଆବିର୍ଭାବ ଘଟିଛି ସତ; କିନ୍ତୁ ତାଙ୍କ ମୁସଲିମ ଜନାଧାର ଏ ଯାବତ୍‌ ପ୍ରଭାବଶାଳୀ ହୋଇପାରିନାହିଁ। ସେହି ଦୃଷ୍ଟିରୁ ଏହା ସ୍ବାଭାବିକ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା ତାଙ୍କ ନେତୃତ୍ବାଧୀନ ଦଳର ଦୃଷ୍ଟିଭଙ୍ଗୀରେ ସମ୍ବେଦନସୂଚକ ସାମନ୍ୟ ସଂକେତ ଅନେକ ମୁସଲିମଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ।

Advertisment

ଗଲା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ-କାଶ୍ମୀର ଗସ୍ତ ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନୀ ଆଭିମୁଖ୍ୟ ସଂପ୍ରତି ଚର୍ଚ୍ଚାର ବିଷୟବସ୍ତୁ ହୋଇଛି। ପ୍ରକାଶ ଥାଉ କି ୨୦୧୯, ଅଗଷ୍ଟ ୫ରେ ଧାରା ୩୭୦ର ବିଲୋପନ ଘଟିବା ପରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ, ଯହିଁରେ ଶ୍ରୀନଗରର ବକ୍‌ସି ଷ୍ଟାଡିଅମ ଭରପୂର ହୋଇ ଉଠି ପ୍ରଧାନମନ୍ତ୍ରୀ ଏ ଯାବତ୍‌ ଉଦ୍‌ବୋଧନ ଦେଇଥିବା ବୃହତ୍ତମ ଜନସଭାଗୁଡ଼ିକ ମଧ୍ୟରୁ ଅନ୍ୟତମ ରୂପେ ଖ୍ୟାତି ମଧ୍ୟ ଲାଭ କରିଛି। ପ୍ରକାଶ ଥାଉ କି ମନୋରମ ଡାଲ ହ୍ରଦର ବାମ ତଟରେ ଅବସ୍ଥିତ ପବିତ୍ର ‘ହଜରତ ବଲ’ ଦରଘାର ଉଚ୍ଚାଭିଳାଷୀ ସମନ୍ବିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ଥିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଏକ ଉଦ୍ଦେଶ୍ୟ। ଗଲା ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ଶୁଭ ଉନ୍ମୋଚନ ଉତ୍ସବ ସହିତ ଏହି ଉଦ୍ୟମକୁ ଯୋଡ଼ିଲେ ସ୍ପଷ୍ଟ ହୋଇଯାଏ ଯେ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟର ପ୍ରିୟଭାଜନ ହେବା ସକାଶେ ବିଜେପିର ଏହା ଏକ ପ୍ରଚେଷ୍ଟା। ସୁତରାଂ, ଦୁଇଟି ପ୍ରଶ୍ନ ଉଠିଥାଏ; ପ୍ରଥମତଃ, କେବଳ ହିନ୍ଦୁ ଜନାଧାରକୁ ସୁଦୃଢ଼ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହିତ ନିର୍ବାଚନ ଜିଣିବାରେ ସମର୍ଥ ହେଉଥିବା ଏହି ହିନ୍ଦୁ ଦକ୍ଷିଣପନ୍ଥୀ ଦଳ ଖୋଲାଖୋଲି ଭାବେ ମୁସଲିମ ସଂପ୍ରଦାୟକୁ ସନ୍ତୁଷ୍ଟ କରିବାକୁ ଚାହୁଁଛି କାହିଁକି? ଦ୍ବିତୀୟ ପ୍ରଶ୍ନଟି ହେଲା, ବିଜେପିର କଟ୍ଟର ହିନ୍ଦୁତ୍ବବାଦୀ ସମର୍ଥକ ତଥା ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ ଭଳି ଅନୁଷ୍ଠାନର ବିଶ୍ବସ୍ତ ଅନୁଗାମୀମାନେ ଏହା ଦ୍ବାରା କ୍ଷୁବ୍‌ଧ ହେବେ ନାହିଁ ତ? ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ବିପୁଳ ଅର୍ଥ ବ୍ୟୟରେ ‘ହଜରତ ବଲ’ ଦରଘାର ଉନ୍ନତୀକରଣ ଯୋଜନା ପଛରେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ତିନିଟି କାରଣ ଦେଖନ୍ତି; ପ୍ରଥମଟି ‌େହଲା, ଆଗାମୀ ସାଧାରଣ ନିର୍ବାଚନରେ ଦଳ ସକାଶେ ଭୋଟ ଶତାଂଶରେ ବୃଦ୍ଧି ଘଟାଇବା, ଯାହା ସଂଖ୍ୟାଲଘୁ ସଂପ୍ରଦାୟର ସମର୍ଥନ ଦ୍ବାରା ସମ୍ଭବ ଏବଂ ଯଦ୍ଦ୍ବାରା ବିଜେପିର ଜନାଧାର ମଧ୍ୟ ଅଧିକ ପ୍ରସାରିତ ଓ ଦୃଢ଼ମୂଳ ହେବ। ଦ୍ବିତୀୟ କାରଣଟି ହେଲା, ଏହା ମାଧ୍ୟମରେ ଏକ କୂଟନୈତିକ ସନ୍ଦେଶର ସଂଚାର ଯେ ମୁସଲିମ ସଂଖ୍ୟାଲଘୁ ସଂପ୍ରଦାୟ ଭାରତ ସରକାରଙ୍କ ଧ୍ୟାନରୁ ବହିର୍ଭୂତ ହୋଇ ନାହାନ୍ତି; ତୃତୀୟ କାରଣଟି ହେଲା ବୃହତ୍ତମ ଏବଂ ସର୍ବାଧିକ ଶକ୍ତିଶାଳୀ ରାଜନୈତିକ ଦଳରେ ପରିଣତ ହୋଇସାରିବା ପରେ ବିଜେପି ଏକ ଈର୍ଷଣୀୟ ସର୍ବମୟତା ହାସଲ କରିବା ଲାଗି ଚାହିଁଥାଏ, ଯାହା ଧର୍ମ ଓ ସଂପ୍ରଦାୟ ନିର୍ବିଶେଷରେ ସ୍ବୀକୃତି ବିନା ସମ୍ଭବ ହୋଇ ନ ପାରେ! କିନ୍ତୁ, ମୂଳ କଥା ହେଲା, ଗୋଟିଏ ରାଜନୈତିକ ଦଳ ରୂପେ ବିଜେପିର ଏଭଳି ମହତ୍ତ୍ବାକାଂକ୍ଷା ହୁଏତ ସ୍ବାଭାବିକ, କିନ୍ତୁ ଏହି ଦଳର ମୂଳ ଭିତ୍ତି ରୂପେ ପରିଚିତ ‘ଆର୍‌.ଏସ୍‌.ଏସ୍‌. ସକାଶେ ଏହା ରୁଚିକର ବୋଧ ହେଉଥିବ ତ? ଏହା ଦ୍ବାରା କ’ଣ ପ୍ରଧାନମନ୍ତ୍ରୀ ମେଦୀ ‘ଆର୍‌.ଏସ୍‌.ଏସ୍‌.’କୁ ଏକ ପ୍ରକାର ଆହ୍ବାନ ଦେଉଛନ୍ତି? ଏହାର ଉତ୍ତର ଖୋଜାଯିବା ମଧ୍ୟ ଆବଶ୍ୟକ।
ଊଲ୍ଲେଖଯୋଗ୍ୟ ଯେ ୧୯୫୧ ମସିହାରେ ଭାରତୀୟ ଜନସଂଘ (ଭାରତୀୟ ଜନତା ପାର୍ଟିର ପ୍ରଥମ ଅବତାର)ର ମାନିଫେଷ୍ଟୋ ବା ଇସ୍ତାହାରରେ ଭାରତୀୟ ମୁସଲମାନମାନଙ୍କ ପ୍ରତି ଯେଉଁ ମନୋଭାବ ପ୍ରକାଶ ପାଇଥିଲା, ତାହା ଏହିଭଳି: ‘ମୁସଲମାନମାନେ ହେଉଛନ୍ତି ଆମ ରକ୍ତର ରକ୍ତ ଓ ମାଂସର ମାସ। ସେମାନେ ଏଠାରେ ନିର୍ଦ୍ବନ୍ଦ୍ବରେ ଇସଲାମୀୟ ପଦ୍ଧତିରେ ଉପାସନା କରନ୍ତୁ, କିନ୍ତୁ ଭାରତୀୟତା ରକ୍ଷା କରନ୍ତୁ।’ ଏହି ପରିପ୍ରେକ୍ଷୀରେ ‘ଆର୍‌.ଏସ୍‌.ଏସ୍‌.’ର ସରସଂଘଚାଳକ ମୋହନ ଭଗୱତଙ୍କ ଦ୍ବାରା ନିକଟରେ ପ୍ରଦତ୍ତ ଉକ୍ତି ମଧ୍ୟ ସ୍ମରଣକୁ ଆସିଥାଏ, ଯାହା କହିଥିଲା ଯେ ‘ଭାରତୀୟ ହିନ୍ଦୁ ଏବଂ ମୁସଲମାନଙ୍କ ଡି.ଏନ୍‌.ଏ. ସମାନ’, ଅର୍ଥାତ୍‌ ଉଭୟ ସଂପ୍ରଦାୟର ପୂର୍ବଜ ଏକ ଥିଲେ। ସେହି ବିଚାରରେ ‘ପସମିନ୍ଦା’ ମୁସଲମାନ ଗୋଷ୍ଠୀ ବି‌େଜପି ସକାଶେ ଅଧିକ ସ୍ବୀକାର୍ଯ୍ୟ ହୋଇଥାଆନ୍ତି, କାରଣ ଏମାନେ ନୀଚ ଜାତିର ମୁସଲମାନ ରୂପେ ବିବେଚିତ ଏବଂ ଏହା ସୁନିଶ୍ଚିତ ଯେ ଏମାନଙ୍କ ପୂର୍ବଜ ନୀଚ ଜାତିର ହିନ୍ଦୁ ହୋଇଥିବେ, ଯେଉଁମାନେ ସଂକୀର୍ଣ୍ଣ ହିନ୍ଦୁ ଜାତିବାଦର ଲାଂଛନା ସହି ନ ପାରି ଧର୍ମାନ୍ତରିତ ହେବାକୁ ବାଧ୍ୟ ହୋଇଥିବେ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ମୁସଲିମଙ୍କ ମଧ୍ୟରେ ‘ପସମିନ୍ଦା’ଙ୍କ ଅଂଶ ହେଉଛି ଏକ ବିପୁଳ ୮୫ ପ୍ରତିଶତ। ସେହି ଭଳି ଭାରତୀୟ ମୁସଲିମଙ୍କ ମଧ୍ୟରେ ମାତ୍ର ୧୫ ପ୍ରତିଶତ ଅଂଶର ଅଧିକାରୀ ସିହା ସଂପ୍ରଦାୟ ମଧ୍ୟ ସେମାନଙ୍କ ସଂସ୍କାରବାଦୀ ଆଭିମୁଖ୍ୟ କାରଣରୁ କେତେକ ସ୍ଥାନରେ ବିଜେପି ସହିତ ଅଧିକ ନିକଟତର ହୋଇଥିବାର ଦୃଷ୍ଟାନ୍ତ ମଧ୍ୟ ଅଛି। ସେହିଭଳି ଭାରତୀୟ ଉପମହାଦେଶରେ ବିକଶିତ ହୋଇଥିବା ‘ସୁଫି’ ପନ୍ଥର ଅନୁଗାମୀମାନେ ସେମାନଙ୍କ ସମନ୍ବୟୀ ଆଧ୍ୟାତ୍ମିକ ବିଚାର କାରଣରୁ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧା ଓ ଭକ୍ତିର ପାତ୍ର ହୋଇଛନ୍ତି। ପ୍ରକାଶ ଥାଉ କି ପୈଗମ୍ବର ମହମ୍ମଦଙ୍କ ଶ୍ମଶ୍ରୁର କବିତ୍ର କେଶକୁ ସାଇତା ଯାଇଥିବା ଶ୍ରୀନଗରସ୍ଥିତ ହଜରତ ବଲ ଦରଘା, ଯାହା ଦ୍ବିତୀୟ ମଦ୍ଦିନା ନାମରେ ମଧ୍ୟ ପରିଚିତ, ଉଭୟ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧା ଓ ଭକ୍ତି ଲାଭ କରିଥାଏ ଏବଂ ସେହି ବିବେଚନାରେ ବିଜେପିର ଜନାଧାର ପ୍ରସାରଣର ଫର୍ମୁଲାରେ ଏହି ମୁସଲିମମାନେ ଖାପ ମଧ୍ୟ ଖାଇଥାନ୍ତି।
ପ୍ରାୟତଃ ଦେଖିବାକୁ ମିଳିଛି ଯେ ଭାରତୀୟ ମୁସଲମାନ ସଂପ୍ରଦାୟ ପାରଂପରିକ ଭାବେ ହିନ୍ଦୁ ନେତା ଓ ସେମାନଙ୍କ ନେତୃତ୍ବାଧୀନ ଦଳ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଆସିଛନ୍ତି; ଉଦାହରଣ ସ୍ବରୂପ ଜବାହରଲାଲ ନେହରୁ ବା ଇନ୍ଦିରା ଗାନ୍ଧୀ ବା ମୁଲାୟମ ସିଂହ ଯାଦବ ବା ଲାଲୁ ପ୍ରସାଦ ଯାଦବ ବା ମମତା ବାନାର୍ଜୀ ଇତ୍ୟାଦି। ଦେଶ ସ୍ବାଧୀନତା ଲାଭ କରିବାର ସାତ ଦଶକ ପରେ ଯାଇ ଅସାଦ୍ଦୁଦିନ ଓୱାଇସି ନାମକ ଜଣେ ମୁସଲମାନ ନେତାଙ୍କ ଆବିର୍ଭାବ ଘଟିଛି ସତ; କିନ୍ତୁ ତାଙ୍କ ମୁସଲିମ ଜନାଧାର ଏ ଯାବତ୍‌ ପ୍ରଭାବଶାଳୀ ହୋଇପାରିନାହିଁ। ସେହି ଦୃଷ୍ଟିରୁ ଏହା ସ୍ବାଭାବିକ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା ତାଙ୍କ ନେତୃତ୍ବାଧୀନ ଦଳର ଦୃଷ୍ଟିଭଙ୍ଗୀରେ ସମ୍ବେଦନସୂଚକ ସାମନ୍ୟ ସଂକେତ ଅନେକ ମୁସଲିମଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ। ଏହି ପରିପ୍ରେକ୍ଷୀରେ ୨୦୦୪ ମସିହାରେ (ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେଉଥିବା ବେଳେ) ‘ଏଲ୍‌.ଜେ.ପି.’ର ନେତା ରାମ ବିଳାସ ପାଶ୍ବାନଙ୍କ ଦ୍ବାରା ସଂସଦ ଗୃହରେ ପ୍ରଦତ୍ତ ଭା‌ଷଣ ସ୍ମରଣକୁ ଆସିଥାଏ, ଯହିଁରେ ସେ କହିଥିଲେ ଯେ ବାବର ମାତ୍ର ଚାଳିଶ (ଅର୍ଥାତ୍‌ ଖୁବ୍‌ ଅଳ୍ପ ସଂଖ୍ୟକ) ଯବନ ଆକ୍ରମଣକାରୀଙ୍କୁ ଧରି ଏ ଭୂମିରେ ଅନୁପ୍ରବେଶ କରିଥିବା ସତ୍ତ୍ବେ ଏଠାରେ ଏତେ ସଂଖ୍ୟକ ମୁସଲିମ ସମ୍ଭବ ହେଲେ କିପରି? ଏହାର କାରଣ ଯେତେବେଳେ ସବର୍ଣ୍ଣ ହିନ୍ଦୁଙ୍କ ଦ୍ବାରା ନୀଚ ଜାତି ଲାଗି ମନ୍ଦିର ପ୍ରବେଶ ବନ୍ଦ କରି ଦିଆଗଲା, ସେତିକି ବେଳେ ଇଶ୍ବରଙ୍କୁ ଖୋଜୁଥିବା ଏହି ହତଭାଗ୍ୟମାନେ ମସଜିଦର କବାଟ ଉନ୍ମୁକ୍ତ ଥିବା ଦେଖି ତା’ ମଧ୍ୟରେ ପଶିଗଲେ। ଭାରତୀୟ ମୁସଲମାନଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ‘ପସମିନ୍ଦା’ ମୁସଲମାନ ହେଉଛନ୍ତି ଏହି ଐତିହାସିକ ଧୃଷ୍ଟତାର ଉପଜ। ସେହି ଦୃଷ୍ଟିରୁ ଏବେ ସେମାନଙ୍କୁ ନିଜ ପକ୍ଷକୁ ଆଣିବର ପ୍ରୟାସ ହୁଏତ ବିଜେପି ସକାଶେ ସବର୍ଣ୍ଣ ହିନ୍ଦୁଙ୍କ ଦ୍ବାରା ହୋଇଥିବା ଏଭଳି ପ୍ରାଚୀନ ତ୍ରୁଟିର ମାର୍ଜନା ମଧ୍ୟ ହୋଇପାରେ!