‘‘ଲକ୍ଡାଉନ୍ ସମୟରେ ଲୋକେ କେବଳ ମଣିଷଙ୍କ କଥା ଭାବି କଳିଯୁଗ ଆସିଯାଇଛି ବୋଲି କହୁଛନ୍ତି। ଅନ୍ୟପଟେ ଦେଖିଲେ ପଶୁପକ୍ଷୀମାନେ ଏହାକୁ ସତ୍ୟଯୁଗ ବୋଲି ଭାବୁଛନ୍ତି।’’ ସୋମବାରର ‘ସମ୍ବାଦ’ରେ ଉଦ୍ଧାର କରାଯାଇଥିବା ଦେବଦତ୍ତ ପଟ୍ଟନାୟକଙ୍କର ଏହି ମନଛୁଆଁ କଥା ଶତପ୍ରତିଶତ ସତ ବୋଲି କିଏ ଯଦି ନିରବରେ ଘୋଷଣା କରୁଥିବ, ସେ ହେଉଛି ଏକ ପ୍ରସିଦ୍ଧ ବିଲୁପ୍ତ ପକ୍ଷୀର ଆତ୍ମା। ଦେବଦତ୍ତଙ୍କ କହିବା ଅନୁସାରେ ଯଦି ମନୁଷ୍ୟର ଅନୁପସ୍ଥିତି କାହା ପାଇଁ ସତ୍ୟଯୁଗ ଭଳି ଥିଲା ଏବ˚ ଉପସ୍ଥିତି ଘୋର କଳି କାଳ ଆଣି ଦେଇଥିଲା, ସେ ହେଉଛି ଏହି ପକ୍ଷୀଟି- ‘ଡୋଡୋ’।
ଭାରତ ମହାସାଗରରେ ଅବସ୍ଥିତ ଛୋଟିଆ ଦ୍ବୀପ ମରିସସ୍ରେ ଯେତେବେଳେ ମନୁଷ୍ୟର ଉପସ୍ଥିତି ଘଟି ନଥିଲା ସେତେବେଳେ ଏଠାରେ ଅନାଦି କାଳରୁ ବିଚରଣ କରି ଆସୁଥିବା ପାରା ଜାତୀୟ ଏହି ପକ୍ଷୀର ଜୀବନ ଏଭଳି ସମ୍ପୂର୍ଣ୍ଣ ନିରାପଦ ଓ ନିରଙ୍କୁଶ ଥିଲା ଯେ ତା’ର ଆଉ ବିପଦରୁ ଖସିଯିବା ପାଇଁ ଉଡ଼ିବା ଦରକାର ହେଲା ନାହିଁ କି ଦୌଡ଼ିବା, ଧାଇଁବା ଦରକାର ହେଲା ନାହିଁ। ସେ କାଳକ୍ରମେ ଏ ଉଭୟ କ୍ଷମତା ହରାଇ ବସିଲା। ଗଛରୁ ଝଡ଼ିପଡୁଥିବା ଫଳ ଖାଇ ମୋଟା ହେଉଥିବା ଏହି ‘ଡୋଡୋ’ ପକ୍ଷୀର ଓଜନ ପ୍ରାୟ ୨୦-୨୫ କିଲୋଗ୍ରାମ ପର୍ଯ୍ୟନ୍ତ ହେଉଥିଲା। ୧୫୦୫ ସାଲରେ ପୂର୍ବଭାରତୀୟ ଦ୍ବୀପ ପୁଞ୍ଜ ସହିତ ମସଲା ବାଣିଜ୍ୟ ଆରମ୍ଭ କରିଥିବା ପର୍ତ୍ତୁଗୀଜ୍ ନାବିକମାନେ ପ୍ରଥମ କରି ସେଠାରେ ମନୁଷ୍ୟ ପାଦ ପକାଇବା ପରେ ନାବିକମାନଙ୍କ ପାଇଁ ମରିସସ୍ ଏକ ନିୟମିତ ଅଟକିବା ସ୍ଥଳୀରେ ପରିଣତ ହୋଇଗଲା। କହିବା ବାହୁଲ୍ୟ ମଣିଷଙ୍କୁ ଦେଖି ଡରୁ ନଥିବା କିମ୍ବା ଉଡ଼ି ଯାଉ ନଥିବା କି ଧାଇଁ ପଳାଉ ନଥିବା ଏହି ମୋଟା ଚଢ଼େଇ ସହଜରେ ନାବିକମାନଙ୍କର ତାଜା ମା˚ସ ଆହାରରେ ପରିଣତ ହେବାରେ ଲାଗିଲେ।
ପରବର୍ତ୍ତୀ ସମୟରେ ଓଲନ୍ଦାଜମାନେ ମରିସସ୍କୁ ଏକ ବନ୍ଦୀଶାଳା ରୂପେ ବ୍ୟବହାର କଲେ। ଅପରାଧୀମାନଙ୍କ ସହିତ ସେମାନେ ସେ ଦ୍ବୀପରେ ଘୁଷୁରି, ମାଙ୍କଡ଼, ବିଲେଇ ଆଦି ପୋଷା ଜନ୍ତୁ ମାନଙ୍କର ମଧୢ ପ୍ରବେଶ ଘଟାଇଲେ, ଯେଉଁମାନେ ଡୋଡୋମାନେ ଭୂଇଁରେ ବସା କରି ଦେଉଥିବା ଅଣ୍ତା ସବୁ ଖାଇଯିବାରେ ଲାଗିଲେ। ଜାହାଜର ବଡ଼ ବଡ଼ ମୂଷାମାନେ ମଧୢ ଦ୍ବୀପରେ ପହଞ୍ଚି ଏହି ବିନାଶ କାର୍ଯ୍ୟକୁ ଆଗେଇ ନେଲେ। ମନୁଷ୍ୟ ଓ ତା’ର ସହଚର ଜନ୍ତୁ ମାନଙ୍କର ମିଳିତ ଉପସ୍ଥିତି ‘ଡୋଡୋ’ମାନଙ୍କ ପାଇଁ ଏପରି କଳି କାଳ ଆଣିଲା ଯେ ଅସୁମାରି ସ˚ଖ୍ୟାରେ ଥିବା ଡୋଡୋ ପ୍ରାୟ ଶହେ ବର୍ଷ ମଧୢରେ ଏକ ବିରଳ ପ୍ରାଣୀରେ ପରିଣତ ହୋଇଗଲା। ଶେଷରେ ଅନ୍ତିମ ‘ଡୋଡୋ’ ପକ୍ଷୀଟିକୁ ମାରି ଦିଆଯାଇଥିଲା ୧୬୮୧ ସାଲରେ। କେବଳ ତା’ର ଉଡ଼ିବାର ଅକ୍ଷମତା ଯେ ‘ଡୋଡୋ’ ପାଇଁ କାଳ ହେଲା, ତାହା ନୁହେଁ, ତା’ର ସରଳ ବିଶ୍ବାସ ମଧୢ କପଟୀ ମନୁଷ୍ୟ ହାତରେ ତା’ର ନିଧନ ଘଟାଉଥିଲା। ମନୁଷ୍ୟ ଯଦି ପାଖ ଆଖ ଅଞ୍ଚଳର ସମସ୍ତ ‘ଡୋଡୋ’ଙ୍କୁ ପାଇବାକୁ ଚାହୁଁଥିଲା, ତା’ହେଲେ ଗୋଟିଏ ମାତ୍ର ‘ଡୋଡୋ’କୁ ଧରିଲେ, ସେ ଉଦ୍ଦେଶ୍ୟ ସାଧିତ ହୋଇପାରୁଥିଲା। ଧରା ହୋଇଥିବା ‘ଡୋଡୋ’ଟି ବୋବାଇବା ଆରମ୍ଭ କଲେ (ତାକୁ କଷ୍ଟ ଦେଇ ଏହା କରାଯାଉଥିଲା), ପାଖ ଆଖରେ ଥିବା ଅନ୍ୟ ସମସ୍ତ ‘ଡୋଡୋ’ ଘଟଣା କ’ଣ ଜାଣିବା ପାଇଁ ତା’ ପାଖକୁ ଚାଲି ଆସୁଥିଲେ ଓ ମଣିଷ ହାତରେ ଧରା ପଡୁଥିଲେ।
ଏକ ନିଷ୍ଠୁର ବିଡ଼ମ୍ବନା ଭଳି ମନୁଷ୍ୟ ହାତରେ ‘ଡୋଡୋ’ର ଲାଞ୍ଛନା କେବଳ ତା’ର ବିଲୟରେ ସମାପ୍ତ ହୋଇ ନାହିଁ। ମନୁଷ୍ୟର ଶେଷ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ‘ଡୋଡୋ’ଟି ୧୬୮୧ରେ ଜୀବନ ହରାଇଥିବା ସେଇ ଶେଷ ଜୀବିତ ପକ୍ଷୀଟି ନଥିଲା, ତାହା ଥିଲା ତା’ର ୭୪ ବର୍ଷ ପରେ ମନୁଷ୍ୟର ଚରମ ଉଦାସୀନତାର ସମ୍ମୁଖୀନ ହୋଇଥିବା ପୃଥିବୀରେ ରହିଯାଇଥିବା ଏକମାତ୍ର ସାଇତା ହୋଇଥିବା ଏକ ‘ଡୋଡୋ’ର ଖୁନ୍ଦା ଯାଇଥିବା (ଷ୍ଟଫ୍ଡ) ମୃତ ଶରୀରଟି।
ଏହି ଶେଷ ସ୍ମାରକୀଟି ସାଇତା ହୋଇ ରହିଥିଲା ଇ˚ଲାଣ୍ତ୍ର ଅକ୍ସଫୋର୍ଡସ୍ଥିତ ପ୍ରସିଦ୍ଧ ‘ଆସ୍ମୋଲିଆନ୍ ମ୍ୟୁଜିଅମ୍’ରେ। ୧୭୫୫ରେ ଏହି ମ୍ୟୁଜିଅମ୍ର ନିର୍ଦ୍ଦେଶକ ସ୍ଥିର କଲେ ଯେ ସେହି ଷ୍ଟଫ୍ଡ ଡୋଡୋଟି ଫିମ୍ପି ମାରି ଗନ୍ଧ କରିବାକୁ ଆରମ୍ଭ କଲାଣି, ତେଣୁ ତା’ର ମଧୢ ବିନାଶ ଆବଶ୍ୟକ। ସେ ତେଣୁ ତାକୁ ଜଳାଇ ଭସ୍ମ କରିଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏକ କ୍ଷୀଣ ସୌଭାଗ୍ୟ ଭଳି ମ୍ୟୁଜିଅମ୍ର ଜଣେ କର୍ମଚାରୀ ସେ ବାଟ ଦେଇ ଯାଉଥିବା ବେଳେ ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇ ପକ୍ଷୀଟିକୁ ଚିତାନଳରୁ ଉଦ୍ଧାର କରିବାକୁ ଚେଷ୍ଟା କଲେ, କିନ୍ତୁ କେବଳ ତା’ର ମୁଣ୍ତ ଓ ଗୋଟିଏ ଗୋଡ଼ର କିଛି ଅ˚ଶକୁ ରକ୍ଷା କରି ପାରିଲେ। ଫଳ ସ୍ବରୂପ ଆମର ଆଧୁନିକ ସମୟ କାଳରେ ହିଁ ‘ଡୋଡୋ’ର ବିଲୟ ଘଟିଥିଲେ ହେଁ (ତା’ର ମାତ୍ର ଛ’ବର୍ଷ ପରେ ୧୬୮୭ରେ ନିଉଟନ୍ଙ୍କ ପୁସ୍ତକ ‘ପ୍ରିନ୍ସିପିଆ ମାଥେମାଟିକା’ ପ୍ରକାଶିତ ହୋଇଥିଲା, ଯାହା ଆଧୁନିକ ପଦାର୍ଥ ବିଜ୍ଞାନର ମୂଳଭିତ୍ତି ରୂପେ ବିବେଚିତ), ଆମ ପାଖରେ ‘ଡୋଡୋ’ର ପ୍ରାୟ କୌଣସି ଦେହାବଶେଷ ବା ପ୍ରମାଣ ନାହିଁ କହିଲେ ଚଳେ; ଅଥଚ କେଉଁ ଅନନ୍ତ କାଳରୁ ବିଲୟ ଲାଭ କରି ସାରିଥିବା ପ୍ରାଗୈତିହାସିକ ପ୍ରାଣୀମାନଙ୍କ ସମ୍ବନ୍ଧରେ ବହୁ ଅଧିକ ତଥ୍ୟ ପ୍ରମାଣ ଆମ ପାଖରେ ଉପଲବ୍ଧ ଅଛି।
ଏହି ଦୁର୍ଭାଗ୍ୟଜନକ ବିଡ଼ମ୍ବନାକୁ ଲକ୍ଷ୍ୟ କରି ସତେ ଯେମିତି ଦେବଦତ୍ତ ପଟ୍ଟନାୟକଙ୍କର ମନ୍ତବ୍ୟର ଏକ ପୂର୍ବ-ପ୍ରତିଧ୍ବନି ଭଳି ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ପ୍ରକୃତିବିତ୍ ଏଚ୍ ଇ ଷ୍ଟ୍ରିକ୍ଲାଣ୍ତ୍ ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ ଯେ, ଆମ ପାଖରେ କେଉଁ ପ୍ରାଚୀନ ସମୁଦ୍ରରାକ୍ଷସ ଏବ˚ ସ୍ଥଳରାକ୍ଷସ ମାନଙ୍କ ସମ୍ବନ୍ଧରେ ବହୁ ଅଧିକ ଶାରୀରିକ ତଥ୍ୟ ପ୍ରମାଣ ରହିଥିବା ବେଳେ ଆଧୁନିକ କାଳରେ ଜୀବିତ ଥିବା ଏକ ପକ୍ଷୀ ସମ୍ବନ୍ଧରେ ସେ ତୁଳନାରେ ପ୍ରାୟ କିଛି ଅବଶେଷ ନାହିଁ କହିଲେ ଚଳେ, ଯେଉଁ ପକ୍ଷୀଟି ‘ବଞ୍ଚି ରହିବା ପାଇଁ ଆମଠାରୁ କେବଳ ଆମର ଅନୁପସ୍ଥିତି ବ୍ୟତୀତ ଆଉ କିଛି ଚାହୁଁନଥିଲା।’ ଦେବଦତ୍ତଙ୍କ ପରି ତାଙ୍କର ଯଦି ପୁରାଣ-ଜ୍ଞାନ ଥା’ନ୍ତା, ତା’ହେଲେ ଷ୍ଟ୍ରିକ୍ଲାଣ୍ତ୍ ନିଶ୍ଚୟ କହିଥା’ନ୍ତେ- ମରିସସ୍ରେ ମନୁଷ୍ୟର ଅନୁପସ୍ଥିତି ‘ଡୋଡୋ’ ପାଇଁ ଥିଲା ସତ୍ୟ ଯୁଗ; ମନୁଷ୍ୟର ଉପସ୍ଥିତି ଆଣିଲା କଳି ଯୁଗ, ଯାହା ‘ଡୋଡୋ’ର ବିଲୟ ଘଟାଇଲା।
‘ଡୋଡୋ’ର ଦୁର୍ଦଶାର ସମୟ ସପ୍ତଦଶ ଶତାବ୍ଦୀ ଯଦି କାହାକୁ ପ୍ରାଚୀନ କାଳ ଭଳି ମନେ ହେଉଥାଏ, ତେବେ ଆମର ନିକଟ ସମୟ ବି˚ଶ ଶତାବ୍ଦୀରେ ଆମର ଏକ ଅତି ପରିଚିତ ପକ୍ଷୀ ଘରଚଟିଆ ଏକ ନିର୍ଦ୍ଦିଷ୍ଟ ଜାତିର ମନୁଷ୍ୟ ହାତରେ ଯେଉଁଭଳି ଦୁର୍ଦଶା ଭୋଗ କରିିଛି, ତାହା ଦେଖିଲେ ଦେବଦତ୍ତ-ବାଣୀର ଚିରନ୍ତନ ସତ୍ୟତା ସମ୍ବନ୍ଧରେ କୌଣସି ସନ୍ଦେହ ରହେ ନାହିଁ। ଆଉ ବର୍ତ୍ତମାନର ଆଲୋଚନା ଆରମ୍ଭ କରାଇଥିବା ‘ଲକ୍ଡାଉନ୍’ ମୂଳରେ ରହିଛି ଯେଉଁ ଜାତି, ଇଏ ହେଉଛି ସେଇ ଜାତି- ଚୀନା। କମ୍ୟୁନିଷ୍ଟ ଚୀନ୍ର ସ୍ଥାପୟିତା ମାଓ ଜେଡଙ୍ଗ୍ ସେ ଦେଶରେ ଥିବା ସମସ୍ତ ଘରଚଟିଆ ପକ୍ଷୀମାନଙ୍କୁ ମାରି ଦେବା ପାଇଁ ୧୯୫୮ରେ ଦେଶର ନାଗରିକମାନଙ୍କୁ ଆଦେଶ ଦେଲେ। କାରଣ, ମାଓଙ୍କ ବିଚାରରେ ଘରଚଟିଆମାନେ ବହୁ ପରିମାଣରେ ଶସ୍ୟ ଖାଇ ଯାଇ ଦେଶର ପ୍ରଗତି ପଥରେ ବାଧକ ସାଜୁଥିଲେ। ଚୀନାମାନେ ତା’ପରେ ବୀର ଦର୍ପରେ ମନୁଷ୍ୟର ଚିର ସହଚର ଏହି କୁନି ଚଢ଼େଇ ମାନଙ୍କର ଧ୍ବ˚ସ ସାଧନ କରିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରି ଚାଲିଲେ: ସେମାନେ ଅହରହ ଦେଶ ସାରା ଡ୍ରମ୍ ବଜେଇବାରେ ଲାଗିଲେ, ଯାହା ଫଳରେ ଛାନିଆ ହୋଇ ଘରଚଟିଆମାନେ ଅବିରତ ଭାବରେ ଆକାଶରେ ଉଡ଼ି ଉଡ଼ି ଶେଷରେ ଅବଶ ହୋଇ ମରିଯାଇ ତଳେ ଗଳି ପଡ଼ିଲେ; ଲୋକମାନେ ଖୋଜି ଖୋଜି ଘରଚଟିଆଙ୍କ ବସାସବୁ ଭାଙ୍ଗି ପକାଇଲେ; ଗୁଳି କରି, ବାଟୁଳି ମାରି ସେ ପକ୍ଷୀମାନଙ୍କୁ ମାରିଦେବାରେ ଲାଗିଲେ। ମାଓଙ୍କ ନେତୃତ୍ବରେ ଚୀନାମାନଙ୍କ ହାତରେ କେତେ ସ˚ଖ୍ୟାରେ ଘରଚଟିଆ ପ୍ରାଣ ହରାଇଲେ ତାହା ଅନୁମାନ ସାପେକ୍ଷ; ତେବେ ଯଦି ଜଣେ ଲୋକ ଅନ୍ତତଃ ଗୋଟିଏ ଘରଚଟିଆ ମାରିଥାଏ, ତେବେ ସେତେବେଳର ୬୦ କୋଟି ଚୀନାଙ୍କ ଦ୍ବାରା ଅନ୍ତତଃ ୬୦ କୋଟି ଘରଚଟିଆଙ୍କର ପ୍ରାଣ ନାଶ ହୋଇଥିଲା। ଏଭଳି ମଣିଷ ଯଦି ଲକ୍ଡାଉନ୍ ଯୋଗୁଁ ଘର ଭିତରେ ବନ୍ଦ ହୋଇ ରହେ, ବାହାର ଦୁନିଆ ‘ଡୋଡୋ’ ବା ଚଟିଆମାନଙ୍କର ସ୍ବର୍ଗରେ ପରିଣତ ହୋଇଯିବ ନାହିଁ କି?