ଧୂମ ବିପ୍ଳବ

ଊନବି˚ଶ ଶତାବ୍ଦୀରେ ବ୍ରିଟେନ୍‌ରେ ମଥ୍‌ମାନଙ୍କ ଠାରେ ଏକ ପରିବର୍ତ୍ତନ ଘଟିବା ଲକ୍ଷ୍ୟ କରାଯାଇଥିଲା। ସେଠାରେ ଫିକା ଶେତା ରଙ୍ଗର ମଥ୍‌ମାନଙ୍କ ତୁଳନାରେ ଗାଢ଼ କଳା ରଙ୍ଗର ମଥ୍‌ମାନଙ୍କୁ ଅଧିକରୁ ଅଧିକ ସ˚ଖ୍ୟାରେ ଦେଖିବାକୁ ମିଳିଲା। ଏହା ଥିଲା ଡାର‌୍‌ଵିନ୍‌ଙ୍କ ବିବର୍ତ୍ତନବାଦର ମୂଳଭିତ୍ତି ‘ପ୍ରାକୃତିକ ଚୟନ’ ନିୟମ ସକ୍ରିୟ ଥିବାର ଏକ ଚାକ୍ଷୁଷ ପ୍ରମାଣ। ଅଷ୍ଟାଦଶ ଶତାବ୍ଦୀର ମଧୢ ଭାଗରେ ସେ ଦେଶରେ ଶିଳ୍ପ ବିପ୍ଳବ ଆରମ୍ଭ ହେବା ପରେ କ୍ରମେ ଦେଶରେ ଅସ˚ଖ୍ୟ କଳ କାରଖାନା ମୁଣ୍ତ ଟେକିବାକୁ ଲାଗିଲେ। ଏହି କାରଖାନା ସବୁର ଚିମ୍‌ନୀମାନଙ୍କରୁ ଅହର୍ନିଶ ନିର୍ଗତ ହେଉଥିବା କୋଇଲା ଜାଳେଣିର ଧୂଆଁ ଓ ଧୂଳି ସାରା ପରିବେଶକୁ ଏଭଳି ଆଚ୍ଛାଦିତ କରି ଦେଲା ଯେ ଗଛପତ୍ର, ଘରଦ୍ବାର, ରାସ୍ତାଘାଟ- ସମସ୍ତେ ଏକ ଧୂଆଁଳିଆ କଳା ରୂପ ଧାରଣ କଲେ। ମଥ୍‌ମାନଙ୍କର ଖାଦକ ହେଉଛନ୍ତି ବିଭିନ୍ନ ଚଢ଼େଇମାନେ। ଏକ କଳା ପୃଷ୍ଠଭୂମିରେ ଶେତା ରଙ୍ଗର ମଥ୍‌ଟିଏ ସହଜରେ ଚଢେ଼ଇମାନଙ୍କ ଦୃଷ୍ଟିରେ ପଡ଼ିବ। ତେଣୁ ଶେତା ମଥ୍‌ମାନେ ଚଢେ଼ଇ ଥଣ୍ଟରୁ ବର୍ତ୍ତିବା ସମ୍ଭାବନା କମ୍‌ ହୋଇଥାଏ। କଳା ପୃଷ୍ଠଭୂମିରେ କଳାରଙ୍ଗର ମଥ୍‌ ଉପରେ ଚଢେ଼ଇମାନଙ୍କର ସହଜରେ ନଜର ପଡ଼ିନଥାଏ। ତେଣୁ କଳା ମଥ୍‌ମାନଙ୍କର ବଞ୍ଚିରହିବା ସମ୍ଭାବନା ଅଧିକ ହୋଇଥାଏ ଓ ସେମାନେ ହିଁ ସଫଳ ଭାବରେ ବ˚ଶ ବିସ୍ତାର କରି ପିଢ଼ି ପରେ ପିଢ଼ି କଳାରଙ୍ଗ ସୃଷ୍ଟି କରୁଥିବା ଜିନ୍‌ଙ୍କୁ ହସ୍ତାନ୍ତର କରି ଚାଲିଥାନ୍ତି। ତେଣୁ ଏହି ପ୍ରାକୃତିକ ଚୟନ ପ୍ରକ୍ରିୟା ଦେଇ କାଳକ୍ରମେ ଊନବି˚ଶ ଶତାବ୍ଦୀ ବେଳକୁ ବ୍ରିଟେନ୍‌ରେ ଅଧିକା˚ଶ ମଥ୍‌ମାନଙ୍କର ରଙ୍ଗ ଧୂଆଁଳିଆ କଳା ହୋଇଯାଇଥିଲା।

ଶିଳ୍ପ ବିପ୍ଳବର ପ୍ରଭାବରେ ମଥ୍‌ମାନଙ୍କ ଠାରେ ଏପରି କଳା ରଙ୍ଗର ପ୍ରାଧାନ୍ୟ ଦେଖା ଯାଇଥିବାରୁ ଏହି ପ୍ରକ୍ରିୟାର ନାମକରଣ କରାଯାଇଛି- ‘ଇଣ୍ତଷ୍ଟ୍ରିଆଲ୍‌ ମେଲାନିଜ୍‌ମ’ ବା ‘ଶିଳ୍ପ ସୃଷ୍ଟ କୃଷ୍ଣକାୟା’।  ବ୍ରିଟେନ୍‌ରେ ସେ କାଳରେ ‘ଶିଳ୍ପ ବିପ୍ଳବ’ ଯେଉଁଭଳି ସହରମାନଙ୍କୁ ଧୂମାଚ୍ଛାଦିତ କରି ଦେଇଥିଲା, ଭାରତରେ ବର୍ତ୍ତମାନ ‘ସବୁଜ ବିପ୍ଳବ’ ସେହିପରି ଏ ଦେଶର ରାଜଧାନୀ ଦିଲ୍ଲୀକୁ ନିୟମିତ ଭାବରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଦୂଷଣକାରୀ ଧୂମ କଣିବାରେ ଆଚ୍ଛାଦିତ କରି ଦେଉଛି। ଏହି ସମୟ ହେଉଛି ଶୀତ ଋତୁ। ଉଦାହରଣ ସ୍ବରୂପ ଚଳିତ ଶୀତ ଋତୁ ଆରମ୍ଭରେ ନଭେମ୍ବର ୫ ତାରିଖ ଦିନ ଏ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀ ବାୟୁମଣ୍ତଳର ଗୁଣାତ୍ମକ ମାନ ସୂଚକ ‘ଏକ୍ୟୁଆଇ’ ଭୀଷଣ ବା ‘ସିଭିଅର‌୍‌’ ସ୍ତରକୁ ଖସି ଆସିବା ରେକର୍ଡ କରାଯାଇଥିଲା। ସେଦିନ ପୂର୍ବାହ୍ନ ୧୧ଟା ବେଳକୁ ଏହି ସୂଚକାଙ୍କର ମୂଲ୍ୟ ୪୭୧ ଛୁଇଁ ଥିଲା। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ଏହି ତଥ୍ୟ ଉପରେ ଏକ କ୍ଷିପ୍ର ନଜର ପକା ଯାଇପାରେ। ‘ଏକ୍ୟୁଆଇ’ ୦-୫୦ ହୋଇଥିଲେ, ତାହା ‘ଉତ୍ତମ’ ରୂପେ ବିବେଚିତ ହୋଇଥାଏ; ୫୧-୧୦୦ ହେଉଛି ‘ସନ୍ତୋଷଜନକ’; ୧୦୧-୨୦୦ ହେଉଛି ‘ମଧୢମ ଧରଣର’; ୨୦୧-୩୦୦ ହେଉଛି ‘ଶୋଚନୀୟ’; ୩୦୧-୪୦୦ ହେଉଛି ‘ଅତି ଶୋଚନୀୟ’ ଏବ˚ ୪୦୧-୫୦୦ ହେଉଛି ‘ଭୀଷଣ’। ୫୦୦ ଉପରକୁ ସୂଚକାଙ୍କ ଗଲେ ସେଠାକାର ବାୟୁମଣ୍ତଳ ଅବସ୍ଥା ‘ଅତି ଭୀଷଣ’ ବା ‘ଜରୁରୀକାଳୀନ’ ହୋଇଥାଏ। ଦିଲ୍ଲୀର ବାୟୁମଣ୍ତଳରେ କ୍ଷତିକାରକ ଓ ବିଷାକ୍ତ କଣିକାମାନଙ୍କର ସାନ୍ଦ୍ରତା ଅନୁମୋଦିତ ମାତ୍ରାଠାରୁ ସାଢ଼େ ପାଞ୍ଚଗୁଣ ଅଧିକ ଥିଲା ବୋଲି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ହୁ) ନିର୍ଦ୍ଧାରଣ କରିଥିବା ମାନକରୁ  ଜଣାପଡ଼ିଥାଏ।

ନଭେମ୍ବର ୪ ତାରିଖ ଦିନ ଦିଲ୍ଲୀର ବାୟୁମଣ୍ତଳରେ ଉପସ୍ଥିତ ଥିବା ମୋଟ ପିଏମ୍‌ ୨.୫ ପ୍ରଦୂଷକ କଣିକାର ୪୨ ଶତା˚ଶ ଆସିଥିଲା ପଞ୍ଜାବ ଓ ହରିଆନାରେ କିଆରିମାନଙ୍କରେ ଜଳାଇ ଦିଆଯାଉଥିବା ଧାନ ନଡ଼ାରୁ ବୋଲି ‘ସାଫାର‌୍‌’ ନାମକ ପାଣିପାଗ ଗବେଷଣା ଓ ପୂର୍ବାନୁମାନ ସ˚ସ୍ଥା ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ ସମସ୍ତେ ଜାଣନ୍ତି ଯେ ଦେଶରେ ସବୁଜ ବିପ୍ଳବର ଅଗ୍ରଦୂତ ପଞ୍ଜାବ ଏକ ପ୍ରମୁଖ ଧାନ ଉତ୍ପନ୍ନକାରୀ ରାଜ୍ୟରେ ପରିଣତ ହୋଇଛି ଏବ˚ ଶୀତଋତୁ ପୂର୍ବରୁ ଅମଳ ସରିଥିବା ଧାନ କିଆରିରେ ପଡ଼ି ରହିଥିବା ନଡ଼ାକୁ ଜଳାଇ ଦିଆଯାଇ ସେ ଜମିକୁ ପୁଣି ଗହମ ଚାଷ ପାଇଁ ପ୍ରସ୍ତୁତ କରାଯାଇଥାଏ। ଏଇ ସମୟରେ ପ୍ରବାହିତ ଉତ୍ତର-ପଶ୍ଚିମା ପବନ ସେ ନଡ଼ା ଧୂଆଁକୁ ଆଣି ଦିଲ୍ଲୀରେ ପହଞ୍ଚାଇ ଦେଇଥାଏ। ଦିଲ୍ଲୀବାସୀଙ୍କୁ ଏହି ନଡ଼ାଧୂଆଁ କବଳରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏକ ସଦ୍ୟତମ ପଦକ୍ଷେପ ସ୍ବରୂପ କେନ୍ଦ୍ର ସରକାର ଗତ ଅକ୍‌ଟୋବରରେ ଜାତୀୟ ରାଜଧାନୀ ଓ ପାରିପାର୍ଶ୍ବିକ ଅଞ୍ଚଳର ବାୟୁମଣ୍ତଳ ମାନ ପରିଚାଳନା ପାଇଁ ଏକ ୨୦ ସଦସ୍ୟ ବିଶିଷ୍ଟ ନୂତନ କମିସନ ପ୍ରତିଷ୍ଠା ପାଇଁ ଅଧୢାଦେଶ ଜାରି କରିଛନ୍ତି। ଏହି ଅଧ୍ୟାଦେଶରେ ଥିବା କୌଣସି ନିୟମ ଉଲ୍ଲ˚ଘନ ପାଇଁ ସମ୍ପୃକ୍ତ ଉଲ୍ଲ˚ଘନକାରୀଙ୍କୁ ସର୍ବାଧିକ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ତ କିମ୍ବା ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ତ କିମ୍ବା ଉଭୟ ଦଣ୍ତରେ ଦଣ୍ତିତ କରିବା ପାଇଁ କମିସନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ପଞ୍ଜାବରେ ନଡ଼ା ଜଳାଉଥିବା କୃଷକମାନେ ମଧୢ ଏହି କମିସନର କ୍ଷମତା ପରିସରଭୁକ୍ତ ହୋଇଛନ୍ତି। ଏଥିପୂର୍ବରୁ ପଞ୍ଜାବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଡ଼ା ଜଲାଇବା ପାଇଁ ଜରିମାନା ପକାଉଥିଲେ ମଧୢ ତାହା ଆଦୌ ସନ୍ତୋଷଜନକ ରୂପେ କାର୍ଯ୍ୟକାରୀ ହୋଇପାରିନାହିଁ, ଯାହାର କାରଣ ହେଉଛି ଜଣାଶୁଣା ଭାବରେ ରାଜନୈତିକ। ଏହି ଅଧୢାଦେଶ ପ୍ରଦୂଷଣକୁ ଏକ ଅପରାଧରେ ପରିଣତ କରୁଥିବାରୁ ଏହା ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଉଥିଲା।

ଜାନୁଆରି ୪ ତାରିଖରେ ଆନ୍ଦୋଳନକାରୀ ଓ କେନ୍ଦ୍ର ସରକାରଙ୍କ ମଧୢରେ ଅନୁଷ୍ଠିତ ସପ୍ତମ ଥର ଆଲୋଚନାରେ କୌଣସି ଅଗ୍ରଗତି ହୋଇପାରିନାହିଁ। କିନ୍ତୁ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ଷଷ୍ଠ ଥର ଆଲୋଚନାରେ ସମସ୍ୟାର ଯେଉଁ ୫୦ ଶତା˚ଶ ସମାଧାନ ହୋଇଥିଲା ବୋଲି ଦାବି କରାଯାଉଛି, ସେଥିରେ ଉଭୟ ପକ୍ଷ ଯେଉଁ ଦୁଇଟି ସମସ୍ୟାର ସମାଧାନ ପାଇଁ ସହମତିରେ ପହଞ୍ଚିଛନ୍ତି ବୋଲି କୁହାଯାଉଛି, ସେ ଦୁଇଟି ହେଲା-ନଡ଼ା ଜଳା ସମସ୍ୟା ଏବ˚ ପଞ୍ଜାବର କୃଷକମାନଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ବିଜୁଳି ସମସ୍ୟା। ବୁଝାମଣା ଅନୁସାରେ ଉପରୋକ୍ତ ଅଧୢାଦେଶର ସ˚ଶୋଧନ କରାଯାଇ ନଡ଼ା ଜଳାଉଥିବା କୃଷକମାନଙ୍କୁ ତା’ର ପରିସର ବହିର୍ଭୁକ୍ତ କରାଯିବ ଏବ˚ ବିଜୁଳି ଆଇନରେ ପ୍ରସ୍ତାବିତ ସ˚ଶୋଧନ କରାଯିବ ନାହିଁ। ଏହାର ମର୍ମ ହେଲା ପଞ୍ଜାବର କୃଷକମାନେ ପୂର୍ବଭଳି ଅବାଧରେ ନଡ଼ା ଜଳାଇ ଚାଲିବେ ଏବ˚ ମାଗଣାରେ ବିଜୁଳି ବ୍ୟବହାର କରି କୃଷି କାର୍ଯ୍ୟ କରି ଚାଲିବେ (ଏ ଦୁଇଟି ମଧୢରେ ଥିବା ଘନିଷ୍ଠ ସମ୍ପର୍କ ଏତେ ସୁବିଦିତ ଯେ ଏହାର ଅଧିକ ବ୍ୟାଖ୍ୟା ଅନାବଶ୍ୟକ)। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଧୂଆଁମାଡ଼ ଖାଉଥିବା ଦିଲ୍ଲୀ ରାଜ୍ୟବାସୀଙ୍କ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ୍‌ କୃଷକମାନଙ୍କର ଏହି ଦୁଇ ଦାବିକୁ ମଧୢ ଦୃଢ଼ ଭାବରେ ସମର୍ଥନ କରିବାରେ ଲାଗିଛନ୍ତି। ଏହାର ଅର୍ଥ ଆଗାମୀ ବର୍ଷମାନଙ୍କରେ ପଞ୍ଜାବର କୃଷକମାନେ ପୂର୍ବଭଳି ସେମାନଙ୍କର ପ୍ରାୟ ୧୮ ଲକ୍ଷ ହେକ୍ଟର ବ୍ୟାପୀ କିଆରିମାନଙ୍କରେ ଧାନନଡ଼ା ଜଳାଇ ଚାଲିବେ ଏବ˚ ଶିଳ୍ପ ବିପ୍ଳବ ପରବର୍ତ୍ତୀ ବ୍ରିଟେନ୍‌ର ମଥ୍‌ମାନଙ୍କ ଭଳି ଦିଲ୍ଲୀର ବାସିନ୍ଦାମାନେ ଏକ ଧୂମାଭ ପରିବେଶରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟ ଅତିବାହିତ କରିଚାଲିବେ।

ପଞ୍ଜାବରେ କୃଷକମାନେ ଧାନ ନଡ଼ା ଜଳାଇବା ପଛରେ ମୁଖ୍ୟତଃ ତିନିଟି କାରଣ ଥିବା ଚିହ୍ନଟ କରାଯାଇଛି। ପ୍ରଥମ ହେଲା- ବୃହତ୍‌ ଆକାରର କୃଷିକ୍ଷେତ୍ର। ଦେଖାଯାଇଛି ଯେ ବିଗତ ବର୍ଷମାନଙ୍କରେ ଜାତୀୟ ସ୍ତରରେ ଚାଷ ଜମିର ଆକାର ହ୍ରାସ ପାଇବାକୁ ଲାଗିଥିଲା ବେଳେ ପଞ୍ଜାବରେ ଚାଷ କ୍ଷେତର ଆକାରରେ ବୃଦ୍ଧି ଘଟିବାରେ ଲାଗିଛି। ସର୍ବେକ୍ଷଣ ଅନୁସାରେ ୧୯୭୦-୭୧ରେ ଏହି ରାଜ୍ୟରେ କ୍ଷେତର ହାରାହାରି ଆକାର ୭ ଏକର ଥିଲା ବେଳେ ୨୦୧୦-୧୧ ବେଳକୁ ତାହା ବୃଦ୍ଧି ପାଇ ପହଞ୍ଚିଥିଲା ୯.୩ ଏକରରେ। ଦ୍ବିତୀୟ କାରଣଟି ଏହି ପ୍ରଥମ କାରଣରୁ ସୃଷ୍ଟ: ବଡ଼ ଆକାରର କ୍ଷେତରେ ଚାଷ କାର୍ଯ୍ୟରେ ଯନ୍ତ୍ର ବ୍ୟବହାର ସୁଗମ ହୋଇଥାଏ। ଧାନ ଅମଳ କାର୍ଯ୍ୟ ଯନ୍ତ୍ର ଦ୍ବାରା କରା ହେଲେ ଯନ୍ତ୍ର କେବଳ ଧାନ ଶିଶାକୁ କାଟି ଆଣେ ଏବ˚ ଧାନ ନଡ଼ା ଏହି ପ୍ରକ୍ରିୟାରେ ଛିଣ୍ତି ଛିଣ୍ତି ଏପରି ଗୁଣ୍ତ ହୋଇଯାଏ ଯେ ତାହାକୁ ସ˚ଗ୍ରହ କରି ସ୍ଥାନାନ୍ତର କରିବା ଏକ ବ୍ୟୟବହୁଳ କାର୍ଯ୍ୟରେ ପରିଣତ ହୋଇଯାଏ। ସେଇ କିଆରିରେ ନଡ଼ାକୁ ଜଳାଇ ଦେବା କୃଷକଙ୍କ ପାଇଁ ବ୍ୟୟହୀନ କାର୍ଯ୍ୟ ହୋଇଥାଏ। ଏହା ଶିଳ୍ପ ବିପ୍ଳବର ଆଧାର ଯନ୍ତ୍ର ଭିତ୍ତିକ ଉତ୍ପାଦନ ସହିତ ତୁଳନୀୟ। ତୃତୀୟ ହେଲା- ସେ ରାଜ୍ୟରେ ବଳବତ୍ତର ଥିବା ବାଧୢତାମୂଳକ ବିଳମ୍ବିତ ଧାନ ବୁଣା ଆବଶ୍ୟକତା। ଭୂତଳ ଜଳ ଉପରେ ଚାପ କମ୍‌ କରିବା ପାଇଁ ସେଠାରେ ବର୍ଷା ଋତୁ ଆରମ୍ଭ ହେଲେ ଯାଇ ଧାନ ଚାଷ ଆରମ୍ଭ ହୁଏ। ଏଣୁ ଧାନ ଅମଳ ବିଳମ୍ବିତ ହୁଏ ଓ ପର ଫସଲ ଗହମ ଚାଷ ଆରମ୍ଭ ମଧୢରେ ଉପଲବ୍‌ଧ ସମୟ ବ୍ୟବଧାନ ଅତ୍ୟନ୍ତ ସ˚କୀର୍ଣ୍ଣ ହୁଏ। କୃଷକ ତେଣୁ ତରବର ହୋଇ ଗହମ ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରିବା ପାଇଁ ଧାନ ନଡ଼ାକୁ କିଆରିରେ ହିଁ ଜଳାଇ ଦିଅନ୍ତି। ଏହା ନିଶ୍ଚିନ୍ତ ଯେ ବର୍ତ୍ତମାନ ବିବଦମାନ କୃଷି ସ˚ସ୍କାର ଆଇନ୍‌ ତିନିଟି ବଳବତ୍ତର ରହୁ କି ଉଚ୍ଛେଦ ହେଉ, ପଞ୍ଜାବରେ ଧାନ-ଗହମ ଚାଷ ଚକ୍ର ଅପରିବର୍ତ୍ତିତ ରହି ଚାଲିବ।

ଧୂୂଆଁରୁ ମୁକ୍ତି ପାଇବାର ଏକ ଉପାୟ କିନ୍ତୁ ଉପଲବ୍‌ଧ ଅଛି- ‘ହାପ୍ପିି ସିଡର’ ନାମକ ଏକ ଯନ୍ତ୍ର, ଯିଏ ସଫଳ ଭାବରେ କ୍ଷେତରେ ପଡ଼ିରହିଥିବା ଧାନ ନଡ଼ାକୁ ଭେଦ କରି ଗହମ ବିହନ ରୋପଣ କରିପାରେ, ଏ ଯନ୍ତ୍ର ଗୋଟିକର ଦାମ୍‌ ହେଉଛି ପ୍ରାୟ ଦେଢ଼ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀ କେଜ୍ରିଵାଲ ଯଦି ଦିଲ୍ଲୀବାସୀଙ୍କ ମଙ୍ଗଳ ଚାହାନ୍ତି, ତାଙ୍କ ରାଜ୍ୟ ବଜେଟ୍‌ରୁ ଅର୍ଥ ବ୍ୟବସ୍ଥା କରି ପଞ୍ଜାବ କୃଷକମାନଙ୍କୁ ଏହି ‘ହାପ୍ପି ସିଡ଼ର‌୍‌’ ଯନ୍ତ୍ରମାନ ଯୋଗାଇ ଦିଅନ୍ତୁ। କାରଣ ପ୍ରାକୃତିକ ଚୟନ ହେଉଛି ଏକ ଅତ୍ୟନ୍ତ ମନ୍ଥର ପ୍ରକ୍ରିୟା; ବ୍ରିଟିସ ମଥ୍‌ମାନଙ୍କ ଭଳି ନିଜର ଚରିତ୍ରରେ ପରିବର୍ତ୍ତନ ଘଟାଇ ପଞ୍ଜାବୀ ଧୂଆଁର ମୁକାବିଲା କରିବାକୁ ଦିଲ୍ଲୀବାସୀଙ୍କୁ ଅତି ଦୀର୍ଘ କାଳ ଲାଗିଯିବ।

ସମ୍ବନ୍ଧିତ ଖବର