ଚିନ୍ମୟ ଚେତନା: ଚୂନର ନବ ଉନ୍ମେଷ

ଚିନ୍ମୟ କୁମାର ହୋତା

ଚଳନ୍ତି ପଞ୍ଚାୟତ ନିର୍ବାଚନର ସରଗରମ ଭିତରେ କଉତୁକିଆ ଘଟନାଟିଏ ବିଷୟରେ ଶୁଣିବାକୁ ମିଳିଲା। ଆମ ପାଇଁ ସିନା କଉତୁକିଆ, ହେଲେ ଯେଉଁ ସରକାରୀ ଅଧିକାରୀଙ୍କ ମୁଣ୍ଡରେ ଦାୟିତ୍ୱଟି ପଡ଼ିଲା, ତାଙ୍କ ଠାରେ ଯେଉଁ ହୃତ୍‌କମ୍ପ ଜାତ ହୋଇଥିବ ତାହା ସହଜରେ ଅନୁମେୟ। ଦାୟିତ୍ୱଟି ଥିଲା ଏହିପରି- ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବାରୁ ସର୍ବତ୍ର ଦୃଶ୍ୟମାନ ସରକାରୀ ସୂଚନା ଫଳକଗୁଡ଼ିକ ହଟାଇବାକୁ ପଡ଼ିବ, ଯେଉଁଗୁଡ଼ିକରେ ରାଜ୍ୟ ମୁଖିଆଙ୍କ ହସ ହସ ମୁହଁ ଜନସାଧାରଣଙ୍କୁ ଅଭୟ ବାଣୀ ପ୍ରଦାନ କରି ଚାଲିଛି। ଆଉ ଆଦେଶଟିକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ବିକଳ୍ପ ଥିଲା ଯେ ଚିତ୍ରରେ ମୁଖିଆଙ୍କ ମୁହଁରେ ଷ୍ଟିକର୍‌ ବା ଧଳା ରଙ୍ଗ ଲଗାଇ ଅସ୍ଥାୟୀ କାଳ ପାଇଁ ଜନତା ଜନାର୍ଦ୍ଦନଙ୍କ ନଜରରୁ ଲୁଚେଇ ରଖାଯାଇପାରେ। ଏ ତ କିଛି ମାମୁଲି କଥା ନୁହେଁ, ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା ସଙ୍ଗେ ସମାନ।

ସରକାରୀ ଅଧିକାରୀ ଜଣକ ସିନା ଫଳକରେ ଶୋଭା ପାଉଥିବା ମୁହଁଟିକୁ ଧଉଳିବା ବିଷୟରେ ଧର୍ମ ସଂକଟରେ ପଡ଼ିଗଲେ, ହେଲେ ଆଜିର ଦିନରେ ଅନ୍ୟକୁ ଚୂନ ଲଗେଇବା ଘଟନା ଢେର୍‌ ଘଟୁଛି ଏବଂ ଖବରକାଗଜ ପୃଷ୍ଠା ଓଲଟାଇବା ମାତ୍ରକେ ଆଖିରେ ପଡୁଛି। ସାଇବର ଠକଙ୍କ ଅଭିନବ କୌଶଳ ଆଗରେ ଆଜି ଯେମିତି ସମସ୍ତେ ଆତ୍ମସମର୍ପଣ କରି ସାରିଲେଣି। କିଏ କୌଣସି କାରଣ ନ ଥାଇ ‘ଛପର ଫଟା ଧନ ବର୍ଷା’ର ଆଶାରେ ତ କିଏ ସୁଲଭ ଦରରେ କିଛି ଜିନିଷ ହାତେଇ ନେବା ଲୋଭରେ ଅଥବା ଆଉ କେହି ଖାଲିଥିବା ହୃଦୟ ଘର ଭିତରର ଗୋପନୀୟତା ଭିତରେ କେଉଁ ଛଳନାମୟୀ ପ୍ରେମିକାର ସାନ୍ନିଧ୍ୟ ପାଇବାର ଲାଳସାରେ ନିଜର ସର୍ବସ୍ବ ହରାଇ ବସୁଛନ୍ତି। ବୁଦ୍ଧିଆ ପ୍ରତାରକର ପ୍ରଭାବୀ ଚୂନ ଦ୍ୱାରା ଧଉଳା ହେବା ପାଇଁ ଆଜି ସମସ୍ତେ ଯେମିତି ଅସ୍ଥିର ହୋଇ ଅପେକ୍ଷା କରିଛନ୍ତି।

ହେଲେ ପ୍ରଶ୍ନ ଉଠେ, ବିଚରା ଅଭାଗା ପ୍ରତାରିତ ଏତେ ହଟହଟା ହେବା ପରେ ବି କାହିଁକି ସମାଜ ‘ଚୂନ ଲଗାହେବା’ ଭଳି ବିଦ୍ରୂପସୂଚକ ଶବ୍ଦ ପ୍ରୟୋଗ କରି ତାଙ୍କ କଟା ଘା’ରେ ଚୂନ ଦିଏ? ଦୁନିଆର ସବୁ ବ୍ୟଙ୍ଗବିଦ୍ରୂପ କ’ଣ ଖାଇରେ ପଡ଼ିଥିବା ଭାଗ୍ୟହୀନମାନଙ୍କ ପାଇଁ? ହୁଏତ ଏହି ପରିହାସ, ପ୍ରତାରିତର ଲୋଭ, ଆସକ୍ତି ଓ ଅସାବଧାନତାକୁ ଚେତେଇ ଦେବା ପାଇଁ ବ୍ୟବହୃତ ହୋଇଥାଏ। ‘ଅତି ବୁଦ୍ଧିରେ କାଉ ବିଷ୍ଠା ଖାଏ’ ବୋଲି ବର୍ଣ୍ଣନା ହେଉଛି ଏଭଳି ଚଞ୍ଚକତାର ପ୍ରପୀଡ଼ିତମାନଙ୍କ ପ୍ରତି ଏକ ଆକ୍ଷେପ। ଅବଶ୍ୟ ଚୂନ କେବଳ ହତଭାଗ୍ୟ ଶିକାରମାନଙ୍କ ପାଇଁ ନୁହେଁ, ବେଳେବେଳେ ଏହା ଚୋର, ଖଣ୍ଟ ଓ ଅପରାଧୀମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇଯାଏ, ଯେତେବେଳେ ସେମାନେ ଧରାପଡ଼ି ଜନତାର ଦରବାରରେ ଦୋଷୀ ସାବ୍ୟସ୍ତ ହୁଅନ୍ତି। ସେତେବେଳେ ସର୍ବ ସମକ୍ଷରେ ସେମାନେ ମୁହଁରେ ଉଭୟ ଚୂନ ଓ କଳା ଧାରଣ କରି ଅନ୍ୟାନ୍ୟ ଶାରୀରିକ କଷଣ ସହ ଲାଂଛିତ ହୁଅନ୍ତି। ଅବଶ୍ୟ ଏ କଥା ଅଲଗା ଯେ ଆଜିର ଅଦୃଶ୍ୟ ଓ ଭୂଗୋଳ-ଅଣାଧୀନ ସାଇବର ଠକମାନେ ଧରାପଡ଼ିବା ହିଁ ବିରଳ ଘଟନା, ତେଣିକି ଥାଉ ଚୂନ କଳା କଥା। ସେ ଯାହା ବି ହେଉ, ଏଇଠୁ ଗୋଟିଏ ଜିନିଷ ସ୍ପଷ୍ଟ ହେଉଛି ଯେ ଚୂନର ପ୍ରୟୋଗ ଉଭୟ ପ୍ରବଞ୍ଚକ ଓ ତା’ର ଲକ୍ଷ୍ୟ ବ୍ୟକ୍ତି ଠାରେ, ହୁଏତ ଏଇଥି ପାଇଁ ଯେ ଆମେ ଭାରତୀୟମାନେ ଆମର ଆବେଗ ଓ ସଂସ୍କୃତିକୁ ରଙ୍ଗମାନଙ୍କ ମାଧ୍ୟମରେ ପ୍ରକାଶ କରିବାକୁ ଭଲ ପାଇଥାଉ। ଆମ ଠାକୁର ଠାକୁରାଣୀ ଧଳା, କଳା, ହଳଦିଆ କିମ୍ବା ନୀଳ ଇତ୍ୟାଦି ବର୍ଣ୍ଣର। ଆମ ଜାତୀୟ ପତାକାର ରଙ୍ଗ ସବୁ ଆମର ବିଭିନ୍ନତା, ଜାତୀୟ ସଂହତି ଓ ଶାନ୍ତିର ବାର୍ତ୍ତାବହ। ରଙ୍ଗ ପ୍ରତି ଏ ଦୁର୍ବଳତା ଚରମ ସୀମାରେ ପହଞ୍ଚି ଥାଏ ବସନ୍ତର ହୋଲି ଉତ୍ସବ ପାଳନ ବେଳେ। ହେଲେ ଆମ ଚୂନ ଧଉଳା ମନ୍ଦିର ଓ ଘରଗୁଡ଼ିକର ଶୁଭ୍ରତା ବଳିଯାଏ ସବୁ ରଙ୍ଗର ଆକର୍ଷଣକୁ। ଆର୍ଥିକ ସ୍ୱଚ୍ଛଳତାକୁ ନିର୍ଭର କରି ଘର ରଙ୍ଗ କରିବା ସମୟ ଘୁଞ୍ଚିଯାଏ ସିନା, ହେଲେ ଗୃହ କର୍ତ୍ତାର ଏହି ଆଶାଟି ସବୁ ବେଳେ ଉଜ୍ଜୀବିତ ହୋଇ ରହିଥାଏ। ପୁରୀ ଶ୍ରୀମନ୍ଦିରର ବିଭିନ୍ନ ଅଂଶ ଚୂନ ଧଉଳା ଯାଉଥିବା ବେଳେ ମନ୍ଦିରର ଶୀର୍ଷ ଭାଗରେ ଥିବା ଅଂଶକୁ ଚୂନ ଧଉଳା କରନ୍ତି ମନ୍ଦିରର ପତିତପାବନ ବାନା ବାନ୍ଧୁଥିବା ସେବକମାନେ। ତେଣୁ ସେମାନଙ୍କୁ ‘ଚୂନରା ସେବକ’ ବୋଲି ନାଁ ଦିଆଯାଇଥାଏ।

ଆଜିର ଆଧୁନିକ ଯୁଗରେ ଚୂନ ଧଉଳାକୁ ପଛରେ ପକାଇ ବାହାରିଲାଣି ପ୍ଲାଷ୍ଟିକ୍‌, ଆକ୍ରିଲିକ୍‌ ଓ ଆଉ କେତେ ପ୍ରକାରର ରଙ୍ଗ। ତା’ ଛଡା ଅନେକ ବଡ଼ ବଡ଼ କୋଠା ଓ ପ୍ରାସାଦର ବହିର୍ଭାଗ କାଚ ଓ ଇସ୍ପାତରେ ନିର୍ମିତ ହେଉ ଥିବାରୁ ଆଉ ସେଗୁଡ଼ିକୁ ଚୂନ ଧଉଳା କରିବାକୁ ପଡୁନାହିଁ। ଚୂନ ଭଳି ଅତି ପ୍ରାଚୀନ ରାସାୟନିକ ପଦାର୍ଥଟି ପୂର୍ବ କାଳେ ଇଟା ଯୋଡ଼େଇ କାମରେ ଲାଗୁଥିଲା; ହେଲେ ସିମେଣ୍ଟର ପ୍ରସାର ଫଳରେ ଚୂନର ସେ ବ୍ୟବହାର ଶେଷ ହୋଇଗଲା। ହେଲେ, ଚୂନ ଲାଗି ବିପତ୍ତିର ଏହି ସମୟରେ ଠକମାନଙ୍କର କାରନାମା ଚୂନକୁ ପୁଣି ଲୋକଲୋଚନକୁ ଫେରାଇ ଆଣିଛି ବୋଲି ମନେ ହୁଏ। ପୁଣି ଆମ ରାଜ୍ୟ ସରକାରଙ୍କ ବର୍ତ୍ତମାନର ବିଦ୍ୟାଳୟ ରୂପାନ୍ତରଣ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କୁ ସୁନ୍ଦର ପରିବେଶ ଯୋଗାଇଦେବା ପାଇଁ ସ୍କୁଲ୍‌ ଘରଗୁଡ଼ିକୁ ଚୂନ ଧଉଳା କରାଯିବାର କାର୍ଯ୍ୟକ୍ରମ ଚୂନର ନବ ଉନ୍ମେଷ ଆଣିଛି।

ଅବଶ୍ୟ ଏହି ଧଉଳା କାର୍ଯ୍ୟକ୍ରମ ଭିତରେ ଗୋଟିଏ ମସ୍ତବଡ଼ ତ୍ରୁଟିଟିଏ ପଶିଗଲା ଭଳି ଲାଗୁଛି। ବହୁତ ବର୍ଷରୁ ସ୍କୁଲ୍‌ ପିଲାମାନେ ସ୍କୁଲ୍‌ କାନ୍ଥରେ ଦେଖି ଆସୁଥିଲେ ଗାନ୍ଧୀ, ଗୋପବନ୍ଧୁ ଓ ଅନ୍ୟାନ୍ୟ ମହାପୁରୁଷମାନଙ୍କର ଛବି ସବୁ। କାନ୍ଥର ଅବସ୍ଥା କି ଚିତ୍ରକରଙ୍କ ଛବି ଆଙ୍କିବାର ଦକ୍ଷତା, ଯାହା ବି ହେଉ, ସେହି ଚିତ୍ରଗୁଡ଼ିକ ପ୍ରତ୍ୟହ ଦେଖି ଦେଖି କୋମଳମତି ବାଳକ-ବାଳିକାମାନେ ଆମ ଇତିହାସର ବିଶିଷ୍ଟ ମନୀଷୀମାନଙ୍କୁ ଚିହ୍ନି ପାରୁଥିଲେ। ଦୁଃଖର କଥା ଯେ ଚୂନ ଧଉଳା ବେଳେ ସବୁ ମହାପୁରୁଷମାନଙ୍କୁ ଧଉଳାଇ ତାଙ୍କରି ସ୍ଥାନରେ ରାଜ୍ୟ ମୁଖିଆଙ୍କ ହସ ହସ ମୁହଁକୁ ସ୍ଥାନିତ କରାଯାଇଛି। ଫଳକରେ ଅଙ୍କିତ ସେ ମୁହଁ ଉପରେ ଧଳା ରଙ୍ଗ ଲଗାଇବାର ଆବଶ୍ୟକତା ସିନା ଆରମ୍ଭରେ ବର୍ଣ୍ଣିତ ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରିଥିଲା, ହେଲେ ଖୋଲା ଶୁଭ୍ର ପୃଷ୍ଠଭୂମି ଉପରେ ସେହି ମୁହଁକୁ ସ୍ଥାନ ଦେବାରେ ଅସୁବିଧା ବା କେଉଁଠି?
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର