ସୁପ୍ରିମ୍ କୋର୍ଟଙ୍କର ଛାଟ ପରେ କେନ୍ଦ୍ର ସରକାର ଅଭିଯୋଗର ଅନୁସନ୍ଧାନ କରି ବିହିତ ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ, ସେ ସମ୍ବନ୍ଧରେ ଅଦାଲତକୁ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆଶା କରାଯାଏ। ଇତିମଧ୍ୟରେ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଲସାଗୁ ଗଣତନ୍ତ୍ରର ଅନୁପ୍ରବେଶ କିପରି ବିପଜ୍ଜନକ ହୋଇପାରେ, ସମଗ୍ର ମାମଲାଟି ଆମକୁ ସେ ସଂପର୍କରେ ଚେତାଇ ଦେଇଥାଏ।
ଦାର୍ଶନିକ ପ୍ଲାଟୋ ଗଣତନ୍ତ୍ର ନାମକ ଲଘିଷ୍ଠ ସାଧାରଣ ଗୁଣିତକ (ଲସାଗୁ) ତନ୍ତ୍ରର ଘୋର ବିରୋଧୀ ଥିବା ଜଣାଶୁଣା। ଏହି ବହୁମତଭିତ୍ତିକ ଶାସନତନ୍ତ୍ର ପ୍ରତି ତାଙ୍କର ବିରୋଧ ଯେଉଁସବୁ ଯୁକ୍ତି ଉପରେ ପ୍ରତିଷ୍ଠିତ ଥିଲା, ସେଥିମଧ୍ୟରୁ ଏକ ଅତ୍ୟନ୍ତ ବଳିଷ୍ଠ ଯୁକ୍ତି ଦେଖିବାକୁ ମିଳିଥାଏ ତାଙ୍କର କଥୋପକଥନ ବା ‘ଡାଏଲଗ୍’ ରୂପେ ସୁପରିଚିତ ‘ପ୍ରୋଟାଗୋରାସ୍’ରେ। ଜ୍ଞାନଭିତ୍ତିକ ବିଶେଷଜ୍ଞ ମତ ସ୍ଥାନରେ ଅଜ୍ଞାନଭିତ୍ତିକ ବହୁମତ ଦ୍ବାରା ପରିଚାଳିତ ହେବାର ସମ୍ଭାବନା ଗଣତନ୍ତ୍ରକୁ କିପରି ବିପଜ୍ଜନକ କରି ତୋଳିଥାଏ, ପ୍ଲାଟୋ ତାହା ଏଥିରେ ପ୍ରଦର୍ଶିତ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୁଏ, ସେତେବେଳେ ସେ ତାହାର ସମାଧାନ ପାଇଁ ସେ କ୍ଷେତ୍ରରେ ବିଶେଷ ଜ୍ଞାନ ଥିବା କୌଣସି ବିଶେଷଜ୍ଞଙ୍କର ସାହାଯ୍ୟ ଲୋଡ଼ିଥାଏ। ପ୍ଲାଟୋ ଉଦାହରଣ ସ୍ବରୂପ କହିଛନ୍ତି, ତୁମେ ଯେତେବେଳେ ଅସୁସ୍ଥ ହୋଇପଡ଼, ସେତେବେଳେ ତୁମେ କୌଣସି ସୁଦକ୍ଷ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ିଥାଅ; ତୁମେ ରାସ୍ତାରେ ବୁଲିବୁଲି ଭେଟ ହେଉଥିବା ପ୍ରତ୍ୟେକ ଲୋକକୁ ତୁମର ଅସୁସ୍ଥତା ସମ୍ବନ୍ଧରେ ଜଣାଇ ସେମାନଙ୍କର ବହୁମତ ଅନୁଯାୟୀ ତୁମର ରୋଗ ନିରୂପଣ ଓ ଚିକିତ୍ସା କରି ନ ଥାଅ। (ପ୍ଲାଟୋଙ୍କ କହିବା ଅନୁଯାୟୀ ଏକ ରାଷ୍ଟ୍ରର ପରିଚାଳନା କୌଣସି ଏକ ବ୍ୟକ୍ତିର ଅସୁସ୍ଥତା ତୁଳନାରେ ଅସୀମ ଭାବରେ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ, ଏହାର ଦାୟିତ୍ବ ବହୁମତ ଉପରେ ନ୍ୟସ୍ତ କରିବା ବିପଜ୍ଜନକ ହେବ ନାହିଁ କି?)
ଏବେ ଏକ ଚିତ୍ରର କଳ୍ପନା କରାଯାଉ ଯେଉଁଥିରେ ଏକ ସମାଜର ସଂଖ୍ୟାଧିକ ସଦସ୍ୟ କୌଣସି ଏକ ଚିକିତ୍ସା ପଦ୍ଧତି କିମ୍ବା ଔଷଧର ଅପ୍ରମାଣିତ ଫଳପ୍ରଦତା ଉପରେ ଗଭୀର ବିଶ୍ବାସ ସ୍ଥାପନ କରିଛନ୍ତି, ଯାହା କୌଣସି ବିଶେଷଜ୍ଞ କିମ୍ବା ମାନ ନିର୍ଦ୍ଧାରଣକାରୀ ସଂସ୍ଥା ଠାରୁ ସ୍ବୀକୃତି ଲାଭ କରି ନାହିଁ। ଏହାର ଲୋକପ୍ରିୟତାର କାରଣ ହେଉଛି ଏହା ପଛରେ ନିହିତ ଥିବା ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଗୁରୁଙ୍କର ଆଶୀର୍ବାଦ ଓ ପ୍ରଚାର ଅଭିଯାନ। ଏଭଳି ଔଷଧର ପ୍ରଚାର ଦ୍ବାରା ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେ ଦେଶରେ ଆଇନ ଅନୁଯାୟୀ ଏଭଳି ପ୍ରଚାର ନିଷିଦ୍ଧ କରାଯାଇଥିବା ସତ୍ତ୍ବେ ସଂପୃକ୍ତ ପ୍ରଭାବଶାଳୀ ଗୁରୁଙ୍କ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଏହାର ଖୋଲାଖୋଲି ପ୍ରଚାର ଓ ପ୍ରସାର କରିବାରେ ଲାଗିଛି। ସର୍ବଦା ବହୁମତ ପଛରେ ଧାଇଁଥିବା ଗଣତାନ୍ତ୍ରିକ ସରକାର କିନ୍ତୁ ଏହି ଔଷଧକୁ ବିଶ୍ବାସ କରୁଥିବା ଗୁରୁଙ୍କର ଅସଂଖ୍ୟ ଅନୁଗାମୀମାନଙ୍କୁ ବିମୁଖ ନ କରିବା ପାଇଁ ଦେଖି ନ ଦେଖିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। ଅର୍ଥାତ୍ ‘ପ୍ରୋଟାଗୋରାସ୍’ରେ ପ୍ଲାଟୋ ଉଦାହରଣ ଛଳରେ ଆଶଙ୍କା ପ୍ରକାଶ କରିଥିବା ଭଳି ସେ କ୍ଷେତ୍ରରେ ରୋଗର ଚିକିତ୍ସା ଡାକ୍ତରଙ୍କ ପରାମର୍ଶରେ ସଂଘଟିତ ନ ହୋଇ ସାଧାରଣ ଜନତାଙ୍କ ବହୁମତ ଭିତ୍ତିରେ ସଂଘଟିତ ହେବ।
ଠିକ୍ ଏଇଭଳି ସମ୍ଭାବନା ପ୍ରତି ଚିନ୍ତା ପ୍ରକଟ କରି ଭାରତର ସୁପ୍ରିମ୍ କୋର୍ଟ ଏବେ ଲୋକପ୍ରିୟ ଯୋଗଗୁରୁ ରାମଦେବଙ୍କ ଦ୍ବାରା ପ୍ରତିଷ୍ଠିତ ପାତଞ୍ଜଳି ଆୟୁର୍ବେଦ ସଂସ୍ଥା ବିରୁଦ୍ଧରେ ଆଗତ ଅଭିଯୋଗର ବିଚାର କରି ନିର୍ଦ୍ଦେଶ ଦେବା ଅବସରରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି ମନ୍ତବ୍ୟ ଦେଇଛନ୍ତି ଯେ ଯେତେବେଳେ ଦେଶକୁ ‘‘ଭୁଆଁ ବୁଲାଯାଉଛି’’ ସରକାର ‘‘ଆଖି ବନ୍ଦ କରି ବସିଛନ୍ତି।’’ ସୁପ୍ରିମ୍ କୋର୍ଟ ପାତଞ୍ଜଳି ଆୟୁର୍ବେଦ ପ୍ରତି କଡ଼ା ଔଷଧ ପ୍ରୟୋଗ କରି ତାକୁ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଚିକିତ୍ସା ସମ୍ବନ୍ଧିତ ପ୍ରଚାରରୁ ନିବୃତ୍ତ କରିବା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଜର ତଥାକଥିତ ଔଷଧର ବିକ୍ରୟ ଓ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିଭ୍ରାନ୍ତିକାରୀ ଦାବି ପ୍ରସାରରୁ ନିବୃତ୍ତ ହେବା ପାଇଁ ଅଦାଲତ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ କରିଥିବାରୁ ସୁପ୍ରିମ୍ କୋର୍ଟ ରାମଦେବ ଏବଂ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଅଦାଲତ ଅବମାନନା ବିଜ୍ଞପ୍ତି ଜାରି କରିଛନ୍ତି।
ସୁପ୍ରିମ୍ କୋର୍ଟ ପାତଞ୍ଜଳି ଆୟୁର୍ବେଦ ବିରୋଧରେ ଶୁଣାଣି କରିଥିବା ଅଭିଯୋଗର ଦାଖଲକାରୀ ହେଉଛି ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (‘ଆଇଏମ୍ଏ’)। ଆଲୋପାଥି ଚିକିତ୍ସା ବ୍ୟବସ୍ଥା ଓ ଔଷଧ ଶିଳ୍ପ ଅନେକ ଭ୍ରମ ଧାରଣା ପ୍ରସାର କରୁଛନ୍ତି ବୋଲି ଅଭିଯୋଗ କରି ପାତଞ୍ଜଳି ତାହାର ବିଶଦ ବର୍ଣ୍ଣନା ବହନ କରୁଥିବା ଯେଉଁ ଦୃଷ୍ଟି ଆକର୍ଷଣକାରୀ ପ୍ରଚାର ଅଭିଯାନ ଚଳାଇଥିଲା, ତାହା ପରେ ‘ଆଇଏମ୍ଏ’ ୨୦୨୨ରେ ପାତଞ୍ଜଳି ବିରୋଧରେ ସୁପ୍ରିମ୍ କୋର୍ଟରେ ଉପରୋକ୍ତ ଅଭିଯୋଗ ଧରି ଉପସ୍ଥିତ ହୋଇଥିଲା। ପାତଞ୍ଜଳି ମଧ୍ୟ ନିଜ ଦ୍ବାରା ପ୍ରସ୍ତୁତ ଔଷଧର ଚମକପ୍ରଦ ଆରୋଗକାରୀ କ୍ଷମତାର ପ୍ରଚାର କରିବା ସହିତ ଏହାର ପ୍ରତିଷ୍ଠାତା ରାମଦେବ ସମଗ୍ର ଆଲୋପାଥି ଚିକିତ୍ସା ବ୍ୟବସ୍ଥାକୁ ଏକ ‘‘ନିର୍ବୋଧ ଓ ଦେବାଳିଆ ବିଜ୍ଞାନ’’ ରୂପେ ଖୋଲାଖୋଲି ଉପହାସ କରି ଚାଲିଥିଲେ। କହିବା ବାହୁଲ୍ୟ, ରାମଦେବଙ୍କର ଏହି ମନ୍ତବ୍ୟ କୌଣସି ପ୍ରମାଣ ଉପରେ ଅଧାରିତ ନ ଥିଲା। ଏପରିକି କୋଭିଡ୍-୧୯ ପାଣ୍ଡେମିକ୍ ସମୟରେ ସମସ୍ତେ ଯେତେବେଳେ ଭୀତତ୍ରସ୍ତ ଅବସ୍ଥାରେ ଥାଇ ଏହି ନୂତନ ଆତଙ୍କର ସ୍ବରୂପ ସମ୍ବନ୍ଧରେ ଅଜ୍ଞତା ଯୋଗୁଁ ଅନ୍ଧାରରେ ବାଡ଼ି ବୁଲାଇବାରେ ଲାଗିଥିଲେ, ରାମଦେବ ସେଇ ସମୟରେ ଏକ ସଂପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟର ପ୍ରସାର କରିବା ଦେଖାଯାଇଥିଲା ଯେ କୋଭିଡ୍-୧୯ ଯୋଗୁଁ ଘଟୁଥିବା ମୃତ୍ୟୁ ପାଇଁ ଦାୟୀ ହେଉଛି ଆଲୋପାଥି ଔଷଧ ସେବନ।
ଭାରତ ଭଳି ଏକ ବିକାଶଶୀଳ ଜନବହୁଳ ଦେଶରେ ଏଭଳି ପ୍ରଚାରର ବିପଜ୍ଜନକ ପରିଣତି ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ଏଠାରେ ଜଣାଶୁଣା ଭାବରେ ଜନସାଧାରଣଙ୍କ ମଧ୍ୟରେ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ସଚେତନତାର ଘୋର ଅଭାବ ରହିଥିବା ସଙ୍ଗେ ସଙ୍ଗେ ଅଶିକ୍ଷା ଓ ଅନ୍ଧବିଶ୍ବାସର ପ୍ରାଦୁର୍ଭାବରେ ଜଡ଼ିବୁଟି, ଗୁଣିଗାରେଡ଼ି ଇତ୍ୟାଦି ଉପରେ ଅନେକ ଲୋକ ତଥାପି ନିର୍ଭର କରିଥାନ୍ତି। ଏହି ପରିସ୍ଥିତିେର ରାମଦେବଙ୍କ ପରି ଜଣେ ପ୍ରଭାବଶାଳୀ ଗୁରୁଙ୍କ ଦ୍ବାରା ପରିଚାଳିତ ଏକ ପାରମ୍ପରିକ ଆୟୁର୍ବେଦିକ ଔଷଧ ଉତ୍ପାଦନକାରୀ ସଂସ୍ଥା ଚଳାଇଥିବା ପ୍ରଚାର ଅଭିଯାନ ଅଗଣିତ ଲୋକଙ୍କୁ ପ୍ରଭାବିତ କରି ସେମାନେ କୌଣସି ଅପ୍ରମାଣିତ ଚିକିତ୍ସା ବା ଔଷଧକୁ ଆଦରି ନେବା ଏବଂ ବିଜ୍ଞାନସମ୍ମତ ପଥକୁ ବର୍ଜନ କରିବାର ଅତ୍ୟନ୍ତ ଦୃଢ଼ ସମ୍ଭାବନା ଥାଏ।
ବାସ୍ତବରେ ସରକାର ଯଦି ଚାହିଁଥାନ୍ତେ, ତେବେ ‘ଡ୍ରଗ୍ସ ଆଣ୍ଡ୍ ଅଦର୍ ମ୍ୟାଜିକାଲ୍ ରେମେଡିଜ୍ ଆକ୍ଟ (‘ଡୋମା’), ୧୯୫୪’ର ଧାରା-୪ର ଉଲ୍ଲଂଘନ ଏବଂ ‘କନ୍ସ୍ୟୁମର୍ ପ୍ରୋେଟକ୍ସନ୍ ଆକ୍ଟ, ୨୦୧୯’ର ଉଲ୍ଲଂଘନକୁ ଦର୍ଶାଇ ପାତଞ୍ଜଳିକୁ ତା’ର ଏଭଳି ବିଭ୍ରାନ୍ତିକାରୀ ବିଜ୍ଞାପନଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇ ପାରିଥାନ୍ତେ। ‘ଡୋମା’, ୧୯୫୪ ଅନୁସାରେ ଏପରି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ସଂପର୍କିତ ପ୍ରଥମ ଥର ଅପରାଧ ଘଟାଇବା ପାଇଁ ଛ’ ମାସ ଜେଲ୍ ବା ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବା ବେଳେ ଦ୍ବିତୀୟ ଥର ଅପରାଧ ପାଇଁ ଜେଲ୍ ଦଣ୍ଡ ଏକ ବର୍ଷକୁ ବୃଦ୍ଧି ପାଇଥାଏ। କନ୍ସ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ ଅନୁସାରେ ପ୍ରଥମ ଥର ଏଭଳି ଅପରାଧ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବା ବେଳେ ଏହାର ପୁନରାବୃତ୍ତି ପାଇଁ ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡର ବ୍ୟବସ୍ଥା ରହିଛି।
ସୁପ୍ରିମ୍ କୋର୍ଟଙ୍କର ଛାଟ ପରେ କେନ୍ଦ୍ର ସରକାର ଅଭିଯୋଗର ଅନୁସନ୍ଧାନ କରି ବିହିତ ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ, ସେ ସମ୍ବନ୍ଧରେ ଅଦାଲତକୁ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆଶା କରାଯାଏ। ଇତିମଧ୍ୟରେ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଲସାଗୁ ଗଣତନ୍ତ୍ରର ଅନୁପ୍ରବେଶ କିପରି ବିପଜ୍ଜନକ ହୋଇପାରେ, ସମଗ୍ର ମାମଲାଟି ଆମକୁ ସେ ସଂପର୍କରେ ଚେତାଇ ଦେଇଥାଏ।