ଏହି ପ୍ରସଙ୍ଗରେ ଏକ ଅନସ୍ବୀକାର୍ଯ୍ୟ ସତ୍ୟ ହେଉଛି ଏହା ଯେ ଦେଖାଯାଏ ଏକ ଦେଶର ମୁଣ୍ଡପିଛା ଆୟର ସ୍ତର ସହିତ ସେ ଦେଶର ଖେଳାଳିମାନେ ଜିଣୁଥିବା ଅଲିମ୍ପିକ୍ସ ପଦକ ସଂଖ୍ୟାର ସହଯାତ୍ରୀ ସଂପର୍କ ରହିଛି- ଗୋଟିକରେ ବୃଦ୍ଧି ଘଟିଲେ ଅନ୍ୟଟିରେ ମଧ୍ୟ ବୃଦ୍ଧି ଘଟିଥାଏ। ଏଣୁ ଆମର ଅର୍ଥନୈତିକ ବିକାଶ ଯେତେ ତ୍ବରାନ୍ବିତ ହେବ, ଆମର ଅଲିମ୍ପିକ୍ସ ପଦକ ସଂଖ୍ୟାରେ ବୃଦ୍ଧି ସେତେ ତ୍ବରାନ୍ବିତ ହେବ।
ପ୍ୟାରିସ୍ ଅଲିମ୍ପିକ୍ସ ସମାପ୍ତ ହୋଇଛି। ଏଠାରେ ଭାରତର ପ୍ରଦର୍ଶନ ପୁଣି ପରମ୍ପରା ରକ୍ଷା କଲା ଭଳି ଶୋଚନୀୟ ହୋଇଛି। ଏକଶହ ଚାଳିଶ କୋଟି ଲୋକସଂଖ୍ୟା ବିଶିଷ୍ଟ ପୃଥିବୀର ଏହି ସର୍ବାଧିକ ଜନବହୁଳ ଦେଶ ଏହି ପ୍ରତିଯୋଗିତାରେ ଗୋଟିଏ ହେଲେ ବି ସ୍ବର୍ଣ୍ଣ ପଦକ ଜିଣିବାରେ ସକ୍ଷମ ହୋଇନାହିଁ। ଗୋଟିଏ ମାତ୍ର ରୌପ୍ୟ ଓ ପାଞ୍ଚଟି କାଂସ୍ୟ ପଦକ ସହିତ ମୋଟ ଛ’ଟି ପଦକ ପାଇ ଆମକୁ ଏଥର ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଆମର ଦୁର୍ବଳତା ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା କରିବା ପାଇଁ ଅନ୍ୟ କେତେକ ଦେଶ ଜିଣିଥିବା ପଦକ ସଂଖ୍ୟା ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ପୃଥିବୀର ଦ୍ବିତୀୟ ଜନବହୁଳ ଦେଶ ଚୀନ୍ ପାଇଛି ୪୦ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୯୧ଟି ପଦକ। ପୃଥିବୀର ବୃହତ୍ତମ ଅର୍ଥନୀତି ହୋଇଥିବା ଦେଶ ଯୁକ୍ତରାଷ୍ଟ୍ର ଅାମେରିକା ପାଇଛି ୪୦ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୧୨୬ଟି ପଦକ। ପ୍ରାୟ ଏକ କୋଟି ଜନସଂଖ୍ୟା ବିଶିଷ୍ଟ ଇଉରୋପ୍ର ସ୍ବିଡେନ୍ ୪ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୧୧ଟି ପଦକ ପାଇଥିବା ବେଳେ ପ୍ରାୟ ୫ କୋଟି ଲୋକସଂଖ୍ୟା ବିଶିଷ୍ଟ ଆଫ୍ରିକାର କେନିଆ ମଧ୍ୟ ପାଇଛି ୪ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୧୧ଟି ପଦକ।
ତେବେ ଭାରତର ଏଭଳି ଶୋଚନୀୟ ପ୍ରଦର୍ଶନକୁ ମଧ୍ୟ ଆମ ପାଇଁ ଏକ ସାନ୍ତ୍ବନା ରୂପେ ବିଚାର କରାଯାଉଛି, କାରଣ ୨୦୧୬ର ରିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ମାତ୍ର ରୌପ୍ୟ ଓ ଗୋଟିଏ ମାତ୍ର କାଂସ୍ୟ, ମୋଟ ମାତ୍ର ଦୁଇଟି ପଦକ ଜିଣି ପାରିଥିଲା। ଏହାର ପରବର୍ତ୍ତୀ ଅଲିମ୍ପିକ୍ସ, ୨୦୨୦ର କୋଭିଡ୍ ପ୍ରଭାବିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନରେ ସାମାନ୍ୟ ଉନ୍ନତି ଘଟି ଆମକୁ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରିଟି କାଂସ୍ୟ ପଦକ ମିଳିବା ପରେ, ଏଥରର ଫଳାଫଳରେ ପୁଣି ଅବନତି ଘଟିବା ଦେଖାଯାଇଛି।
କ୍ରୀଡ଼ା ଭୂମିରେ ଆମେ ଅଭ୍ୟସ୍ତ ହୋଇ ଆସିଥିବା ଏଭଳି ଦୀର୍ଘକାଳୀନ ନୈରାଶ୍ୟ ସ୍ବାଭାବିକ ଭାବରେ ଆମ ସମ୍ମୁଖରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଛିଡ଼ା କରାଇଥାଏ। ପ୍ରଶ୍ନଟି ହେଉଛି ଅର୍ଥଶାସ୍ତ୍ରୀୟ। ଅର୍ଥଶାସ୍ତ୍ରରେ ଏକ ସୁପରିଚିତ ଅନୁଶୀଳନର ନାମ ହେଉଛି ‘କଷ୍ଟ୍ ବେନିଫିଟ୍ ଆନାଲିସିସ୍’, ଯେଉଁଥିରେ କୌଣସି ଏକ ଉଦ୍ୟମ ଆରମ୍ଭ କରିବା ପୂର୍ବରୁ ତା’ର ସମ୍ଭାବ୍ୟ ଲାଭ ସହିତ ସେଥିପାଇଁ ବହନ କରାଯିବାକୁ ଆବଶ୍ୟକ ସମ୍ଭାବ୍ୟ ବ୍ୟୟର ତୁଳନା କରି ଦେଖାଯାଏ, ତାହା ଲାଭଜନକ ହେବ କି ନାହିଁ, ଓ ଯଦି ଲାଭଜନକ ହୁଏ, ସେ ଲାଭର ମାତ୍ରା ସନ୍ତୋଷଜନକ ହେବ ନା ନାହିଁ। ଅଲିମ୍ପିକ୍ସ ପ୍ରତିଯୋଗିତାରେ ଦେଶ ଅଂଶଗ୍ରହଣ କରିବା ପାଇଁ ସରକାର ବିପୁଳ ପରିମାଣର ସମ୍ବଳ ବିନିଯୋଗ କରିଥାନ୍ତି। ଏକ ଉଦାହରଣ ସ୍ବରୂପ ପ୍ରକାଶିତ ସମ୍ବାଦ ଅନୁସାରେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ପ୍ରତିଯୋଗୀମାନଙ୍କୁ ପ୍ରସ୍ତୁତ କରିବା ବାବଦରେ ଭାରତ ସରକାର ବିଗତ ତିନି ବର୍ଷ ମଧ୍ୟରେ ଖର୍ଚ୍ଚ କରିଛନ୍ତି ୪୭୦ କୋଟି ଟଙ୍କା। ଏହା ବାଦ୍ ସରକାରଙ୍କର କ୍ରୀଡ଼ା ମନ୍ତ୍ରଣାଳୟ ନିୟମିତ ଭାବରେ ଦେଶରେ କ୍ରୀଡ଼ା କସରତର ଉନ୍ନତି ପାଇଁ ବିପୁଳ ଅର୍ଥ ବ୍ୟୟ କରିଚାଲିଥାଏ। ପ୍ରଶ୍ନ ଉଠୁଛି, ଯଦି ଭାରତ ଜିଣୁଥିବା ପଦକ ସଂଖ୍ୟାକୁ ଏହି ବ୍ୟୟରୁ ସୃଷ୍ଟ ଲାଭ ରୂପେ ବିଚାର କରାଯାଏ, ତା’ହେଲେ ସ୍ବାଧୀନତା ପରଠାରୁ ଅଲିମ୍ପିକ୍ସମାନଙ୍କରେ ଭାରତର ନିୟମିତ ହତାଶାଜନକ ପ୍ରଦର୍ଶନ ପରେ ଭାରତ ସରକାର ଦେଶରେ କ୍ରୀଡ଼ା କସରତ ବାବଦରେ ଆଉ ଏପରି କରଦାତା-ନାଗରିକମାନଙ୍କର ଅର୍ଥ ବିନିଯୋଗ କରିବା ଉଚିତ କି?
କାଳ ବିଳମ୍ବ ନ କରି କୁହାଯାଇପାରେ ଯେ ଏ ପ୍ରଶ୍ନର ଉତ୍ତର ହେଉଛି ଏକ ନିର୍ଦ୍ବନ୍ଦ୍ବ, ସ୍ପଷ୍ଟ ହଁ। ଏହାର କାରଣ ହେଲା, ଖେଳ କସରତର ଲାଭ କେବଳ ମିଳୁଥିବା ପଦକମାନଙ୍କ ମଧ୍ୟରେ ସୀମିତ ନୁହେଁ। ଯେଉଁ ଅର୍ଥଶାସ୍ତ୍ରରେ ‘କଷ୍ଟ୍ ବେନିଫିଟ୍ ଆନାଲିସିସ୍’ କଥା କୁହାଯାଇଛି, ସେଇ ଅର୍ଥଶାସ୍ତ୍ରରେ ମଧ୍ୟ ବ୍ୟୟରୁ, ବିଶେଷ କରି ସରକାରୀ ବ୍ୟୟରୁ ସୃଷ୍ଟି ହେଉଥିବା ଲାଭ ସବୁକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ: ଆଭ୍ୟନ୍ତରୀଣ ଲାଭ ଓ ବାହ୍ୟ ଲାଭ। ଆମ ଆଲୋଚିତ ପ୍ରସଙ୍ଗରେ ପ୍ରତିଯୋଗିତାରୁ ମିଳୁଥିବା ପଦକମାନ ହେଉଛନ୍ତି ସ୍ପଷ୍ଟ ରୂପେ ସରକାରୀ ବ୍ୟୟରୁ ଉତ୍ପନ୍ନ ହେଉଥିବା ଆଭ୍ୟନ୍ତରୀଣ ଲାଭ। କିନ୍ତୁ ବ୍ୟୟ ସହିତ ତୁଳନା କରିବା ପାଇଁ ଆମକୁ ଏଥିରୁ ଉପୁଜୁଥିବା ସାମଗ୍ରିକ ଲାଭକୁ ବିଚାରକୁ ନେବା ଦରକାର, ଯେଉଁଥିରେ ବାହ୍ୟ ଲାଭ ମଧ୍ୟ ଅନ୍ତର୍ଭୁକ୍ତ।
ଏଭଳି ଏକ ପ୍ରମୁଖ ବାହ୍ୟ ଲାଭ (ପଜିଟିଭ୍ ଏକ୍ସଟର୍ନାଲିଟି) ହେଉଛି ଖେଳ କସରତର ପ୍ରସାର ଯୋଗୁଁ ଜନସ୍ବାସ୍ଥ୍ୟରେ ଘଟୁଥିବା ଉନ୍ନତି। ବୁଝାଇବା ଅନାବଶ୍ୟକ ଯେ ଯୁବକଯୁବତୀମାନେ ଓ ବିଶେଷ କରି ଆଜିର ଯୁବପିଢ଼ି କମ୍ପ୍ୟୁଟର୍ ବା ସ୍ମାର୍ଟ ଫୋନ୍ ଠାରୁ ସାମୟିକ ସଂପର୍କ ଛିନ୍ନ କରି ଯେତେ ଅଧିକ ସମୟ ଦୈହିକ ପରିଶ୍ରମ ଆବଶ୍ୟକ କରୁଥିବା ଖେଳ କସରତରେ ବିତାଇବେ, ସେମାନଙ୍କ ଶରୀର ଯେତେ ଅଧିକ ସୁସ୍ଥ ରହିବ। ‘ଶରୀରମାଦ୍ୟମ୍ ଖଳୁ ଧର୍ମସାଧନମ୍’ ନିୟମ ଅନୁସାରେ ଏହି ସୁସ୍ଥ ଶରୀରଧାରୀ/ଧାରିଣୀମାନେ ସମାଜର ଅଧିକ ଉତ୍ପାଦନଶୀଳ ସଦସ୍ୟରେ ପରିଣତ ହେବେ, ଯାହା ଜାତୀୟ ଉତ୍ପାଦ ବୃଦ୍ଧିରେ ସହାୟକ ହେବ। ଜନସ୍ବାସ୍ଥ୍ୟରେ ଏଭଳି ଉନ୍ନତି ଘଟିବା ଦ୍ବାରା ସାମଗ୍ରିକ ସ୍ବାସ୍ଥ୍ୟ ସେବା ଯୋଗାଣ ବ୍ୟୟରେ ହ୍ରାସ ଘଟିବ।
ପୁଣି, ସାମାଜିକ ମନୋବିଜ୍ଞାନୀମାନେ ସମାଜ ମଙ୍ଗଳ ପ୍ରତି ଖେଳକୁଦର ଏକ ବିଶେଷ ଅବଦାନ ପ୍ରତି ଦୃଷ୍ଟି ଅାକର୍ଷଣ କରିଥାନ୍ତି। ଜୈବିକ କାରଣରୁ ଯୁବାବସ୍ଥାରେ ମନୁଷ୍ୟ ଅତ୍ୟଧିକ ଆକ୍ରମଣାତ୍ମକ ପ୍ରବୃତ୍ତି ପ୍ରଦର୍ଶନ କରିବା ଦେଖାଯାଇଥାଏ। ଏହି ପ୍ରବୃତ୍ତିକୁ ଲଗାମହୀନ ଭାବରେ ଛାଡ଼ି ଦିଆଗଲେ ସମାଜରେ ତାହା ହିଂସାତ୍ମକ ଅସ୍ଥିରତା ସୃଷ୍ଟି କରେ। ଏହାକୁ ଯଦି କୌଣସି ସକାରାତ୍ମକ ଲକ୍ଷ୍ୟ ସାଧନ ଉଦ୍ୟମରେ ନିୟୋଜିତ କରି ଦିଆଯାଇପାରେ, ତାହା ଦ୍ବାରା ସମାଜ ସମ୍ମୁଖୀନ ହେଉଥିବା ଏହି ଅନ୍ତର୍ନିହିତ ସମସ୍ୟା ଲାଘବ ହୋଇଥାଏ। ଖେଳପଡ଼ିଆରେ ପ୍ରତିଯୋଗିତା ଏହି ହିଂସାତ୍ମକ ଲଢ଼େଇର ଏକ ସକାରାତ୍ମକ ବିକଳ୍ପ ରୂପେ କାର୍ଯ୍ୟ କରିଥାଏ। ଖେଳକୁଦ ତେଣୁ ସମାଜରେ ସଂହତି ପ୍ରତିଷ୍ଠାରେ ସହାୟକ ହୋଇଥାଏ। ସେତିକି ନୁହେଁ, କେତେକାଂଶରେ ମଧ୍ୟ ଦେଶ ଦେଶ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଯୁଦ୍ଧର ବିକଳ୍ପ ରୂପେ କାର୍ଯ୍ୟ କରି ବିଶ୍ବଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇଥାଏ।
ଏ ସବୁ ବାଦ୍ ଖେଳ କସରତରୁ ଉପୁଜୁଥିବା ଅର୍ଥନୈତିକ ଲାଭ ମଧ୍ୟ ସୁବିଦିତ। ଏହି କାରଣରୁ ପୃଥିବୀର ବିଭିନ୍ନ ଦେଶ ଓ ନଗରୀମାନ - ଦୋହାରୁ ରିଓ ପର୍ଯ୍ୟନ୍ତ, ସାଉଦୀ ଆରବରୁ ସିଙ୍ଗାପୁର ପର୍ଯ୍ୟନ୍ତ - ଫୁଟ୍ବଲ୍ ଷ୍ଟାଡିଅମ୍ ଠାରୁ ଫର୍ମୁଲା ୱାନ୍ ମଟରଗାଡ଼ି ରେସିଙ୍ଗ୍ ସର୍କିଟ୍ ପର୍ଯ୍ୟନ୍ତ ନିର୍ମାଣରେ ଅକଳନ ପୁଞ୍ଜି ନିବେଶ କରିବା ଦେଖାଯାଇଥାଏ। ଏହି ଧାରାରେ ଭାରତରେ କ୍ରିକେଟ୍ ଆଇପିଏଲ୍ ପ୍ରତିଯୋଗିତା ଆୟୋଜନ ଏକ ପ୍ରମୁଖ ଉଦାହରଣ ରୂପେ ଆବିର୍ଭୂତ ହୋଇଛି।
ଏହି ସମସ୍ତ କାରଣକୁ ବିଚାରକୁ ନେଲେ କୌଣସି ସନ୍ଦେହର ଅବକାଶ ରହେନାହିଁ ଯେ ଅଲିମ୍ପିକ୍ସରେ ଆମର ପ୍ରଦର୍ଶନ ହତାଶାଜନକ ହୋଇ ଚାଲିଥିବା ସତ୍ତ୍ବେ ସରକାର ଖେଳ କସରତ ପାଇଁ ମୁକ୍ତ ହସ୍ତରେ ସମ୍ବଳ ବିନିଯୋଗ କରିଚାଲିବା ଉଚିତ। ତେବେ ଅଲିମ୍ପିକ୍ସ ପଦକ ଉପରୁ ଆମେ କେବେହେଲେ ଲକ୍ଷ୍ୟ ହଟାଇବା ନାହିଁ। ଏହି ପ୍ରସଙ୍ଗରେ ଏକ ଅନସ୍ବୀକାର୍ଯ୍ୟ ସତ୍ୟ ହେଉଛି ଏହା ଯେ ଦେଖାଯାଏ ଏକ ଦେଶର ମୁଣ୍ଡପିଛା ଆୟର ସ୍ତର ସହିତ ସେ ଦେଶର ଖେଳାଳିମାନେ ଜିଣୁଥିବା ଅଲିମ୍ପିକ୍ସ ପଦକ ସଂଖ୍ୟାର ସହଯାତ୍ରୀ ସଂପର୍କ ରହିଛି- ଗୋଟିକରେ ବୃଦ୍ଧି ଘଟିଲେ ଅନ୍ୟଟିରେ ମଧ୍ୟ ବୃଦ୍ଧି ଘଟିଥାଏ। ଏଣୁ ଆମର ଅର୍ଥନୈତିକ ବିକାଶ ଯେତେ ତ୍ବରାନ୍ବିତ ହେବ, ଆମର ଅଲିମ୍ପିକ୍ସ ପଦକ ସଂଖ୍ୟାରେ ବୃଦ୍ଧି ସେତେ ତ୍ବରାନ୍ବିତ ହେବ।