ଏହା କ’ଣ ଏକ ବାସ୍ତବତା ନୁହେଁ କି ଯେ ସାମାଜିକ ଗଣମାଧ୍ୟମରେ ଦୀର୍ଘ କାଳ ଧରି ତୀବ୍ର ମୋଦୀ ସମାଲୋଚନା କରି ଆସୁଥିବା ଧ୍ରୁବ ରାଠୀ ବା ତାଙ୍କ ସମଧର୍ମାମାନେ ଏକ ଫାସିଷ୍ଟ ‌ରାଷ୍ଟ୍ରରେ ସମ୍ଭବ ହୁଅନ୍ତେ ନାହିଁ। ଦିଲୀପଙ୍କ ମତରେ ଅତି ସାଧାରଣ ପୃଷ୍ଠଭୂମିରୁ ଆସି ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀ ଭାରତୀୟ ଗଣତନ୍ତ୍ରର ଜଣେ ପରମ ଲାଭାର୍ଥୀ; ଏବଂ ତାଙ୍କର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ସେ ଅଯଥାରେ ଏକଛତ୍ରବାଦୀ ହେବାର ଦୁର୍ନାମ ମୁଣ୍ଡାଇବେ ବା କାହିଁକି? ତାଙ୍କ ମତରେ ଆକ୍ରମଣାତ୍ମକ ରାଜନୈତିକ ପରିବେଶରେ ସରକାର ମାତ୍ରକେ ହିଁ ଅସହିଷ୍ଣୁ, ପ୍ରତିଶୋଧପରାୟଣ ଏବଂ ପ୍ରତିକ୍ରିୟାଶୀଳ‌, ଯହିଁରେ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ବିରୋଧୀ ଦଳର ସରକାରଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ।

Advertisment

ଏଇ ମାତ୍ର କିଛି ଦିନ ତଳେ ଧ୍ରୁବ ରାଠୀ ନାମକ ଜଣେ ‘ୟୁଟ୍ୟୁବ୍‌ ଇନ୍‌ଫ୍ଲୁଏନ୍‌ସର’ ବା ‘ୟୁଟ୍ୟୁବ୍‌ ପ୍ରଭାବ ବିସ୍ତାରକାରୀ’ଙ୍କ ଦ୍ବାରା ପ୍ରସାରିତ ଏକ ଭିଡିଓ ବିତର୍କର ବିଷୟବସ୍ତୁ ହୋଇଛି, ଯହିଁରେ ସେ ସାବ୍ୟସ୍ତ କରିବାର ପ୍ରୟାସ କରିଛନ୍ତି ଯେ ଭାରତ ସଂପ୍ରତି ଗୋଟିଏ ‘ଏକଛତ୍ରବାଦୀ’ ଶାସନ (ଡିକ୍‌ଟାଟର୍‌ସିପ୍‌) ଅଧୀନରେ ରହିଛି। ପାଠକପାଠିକାମାନଙ୍କ ଅବଗତି ନିମନ୍ତେ ପ୍ରକାଶ ଥାଉ କି ‘ୟୁଟ୍ୟୁବ୍‌’ରେ ଧ୍ରୁବଙ୍କ ଲୋକପ୍ରିୟତା ଈର୍ଷଣୀୟ; ତାଙ୍କ ‘ୟୁଟ୍ୟୁବ୍‌’ ଚ୍ୟାନେଲର କୋଟିଏରୁ ଅଧିକ ଅନୁଗାମୀ ଅଛନ୍ତି। ତେବେ, କେବଳ ସେ ନୁହନ୍ତି, ଅନେକ ବିଦ୍ବାନ ସମଧର୍ମା ମଧ୍ୟ ଧ୍ରୁବଙ୍କ ତୁଲ୍ୟ ଆଶଙ୍କାର ବୃନ୍ଦଗାନ ଗାଇ ଚାଲିଥିବା ବେଳେ ଏହି ପ୍ରଶ୍ନର ଏକ ସମୁଚିତ ଉତ୍ତର ଖୋଜିବା ପ୍ରାସଙ୍ଗିକ ହୋଇଥାଏ ଯେ ସତରେ କ’ଣ ଭାରତ ଏକ ‘ଏକଛତ୍ରବାଦୀ’ ଶାସନ ଅଧୀନସ୍ଥ ହୋଇ ରହିଛି?
ଧ୍ରୁବ ରାଠୀଙ୍କ ମତାନୁସାରେ ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟ ସରକାରଗୁଡ଼ିକର ପତନ ଘଟାଇବା ଲାଗି ସରକାରୀ ଇଙ୍ଗିତରେ ରାଜ୍ୟପାଳମାନଙ୍କ ଦ୍ବାରା କ୍ଷମତାର ଅବିବେକୀ ଅପପ୍ରୟୋଗ; ବିରୋଧୀ ବିଧାୟକମାନଙ୍କୁ ଖର୍ଦ୍ଦି କରିବା ଲାଗି ଘୋଡ଼ା ବେପାର; ତହିଁରେ ବିଫଳ ହେଲେ ବିରୋଧୀ ପକ୍ଷଙ୍କୁ ଭୟଭୀତ କରିବା ଲାଗି ‘ଇ.ଡି.’ ଏବଂ ‘ସି.ବି.ଆଇ.’ ଭଳି କେନ୍ଦ୍ରୀୟ ସରକାରୀ ଏଜେନ୍‌ସିଙ୍କୁ ଅସ୍ତ୍ର ସ୍ବରୂପ ବ୍ୟବହାର; ଜନ ପ୍ରତିବାଦକୁ ଦମନ କରିବା ସକାଶେ କ୍ରୂର ପୁଲିସ ବଳର ପ୍ରୟୋଗ; ମୁଖ୍ୟସ୍ରୋତୀୟ ଗଣମାଧ୍ୟମର ପ୍ରାୟ ସଂପୂର୍ଣ୍ଣ ବଶୀକରଣ; ନିର୍ବାଚନ ବଣ୍ଡ୍‌ ଭଳି ଧୂର୍ତ୍ତ ଏବଂ ଅସ୍ବଚ୍ଛ ବ୍ୟବସ୍ଥା ଜରିଆରେ ଅଜସ୍ର ଅର୍ଥ ଆହରଣ; ଚଣ୍ଡୀଗଡ଼ ଭଳି କ୍ଷୁଦ୍ର ସହରର ମେୟର ନିର୍ବାଚନରେ ଜିଣିବା ଲାଗି ମଧ୍ୟ ଦୁର୍ନୀତିପୂର୍ଣ୍ଣ ପନ୍ଥାର ଅବଲମ୍ବନ ଇତ୍ୟାଦି ଏଭଳି ଏକଛତ୍ରବାଦୀ ଶାସନର ଚରିତ୍ରକୁ ସ୍ପଷ୍ଟ କରିଥାଏ। ସେ ତାଙ୍କର ମତକୁ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରମାଣିତ କରିଛନ୍ତି ମଧ୍ୟ। ଏକ ପରିସଂଖ୍ୟାନକୁ ଆଧାର କରି ସେ କହିଛନ୍ତି ଯେ ୨୦୧୪ ମସିହାରୁ ଏ ଯାବତ୍‌ କେବଳ ବିରୋଧୀ ପକ୍ଷଙ୍କ ଉପରେ ହୋଇଥିବା ‘ଇ.ଡି.’ ଓ ‘ସି.ବି.ଆଇ.’ ଚଢ଼ାଉର ସଂଖ୍ୟା ଏକ ରେକର୍ଡ ସଂଖ୍ୟକ ୩୦୦୦ରୁ ଅଧିକ। ସେ କହିଥାଆନ୍ତି ଯେ ମୋଦୀ ସରକାର ଅମଳରେ ଗଣତନ୍ତ୍ରର କିଭଳି ସଂହାର କରାଯାଇଛି, ତାହା ନିର୍ବାଚନ ବଣ୍ଡ୍‌ ମାମଲା ଏବଂ ଚଣ୍ଡୀଗଡ଼ ମେୟର ନିର୍ବାଚନ ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟରେ ସ୍ପଷ୍ଟ। ଧ୍ରୁବଙ୍କ ଅନୁସାରେ ପ୍ରଶ୍ନାତୀତ ଭାବେ ଏକଛତ୍ରବାଦୀ ଶାସକ ଉତ୍ତର କୋରିଆର କିମ୍‌ ୟୁନ ବା ରୁଷିଆର ଭ୍ଲାଡିମିର ପୁଟିନ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଦ୍ବାରା ନିର୍ବାଚିତ ହୁଅନ୍ତି ଏବଂ ସେମାନଙ୍କ ରାଷ୍ଟ୍ରର ନାମ ସହିତ ‘ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ ଭଳି ଏକ ବିଶେଷଣ ସର୍ବଦା ଯୋଡ଼ି ହୋଇଥାଏ; ଯାହା ଗଣତନ୍ତ୍ରର ଛଦ୍ମବେଶରେ ନିରୋଳା ଏକଛତ୍ରବାଦ। ଧ୍ରୁବଙ୍କ ମତରେ ଏହି ସରକାର ଅମଳରେ କେତେକ ସ୍ଥାନରେ ‘ଇଭିଏମ୍‌’ ମେସିନର ହରଣଚାଳ ଭଳି ଘଟଣା ବା ନିର୍ବାଚନ କମିସନରଙ୍କ କ୍ଷମତାର ଅପପ୍ରୟାଗ ବା ନିର୍ବାଚନ ବଣ୍ଡ୍‌ ଜରିଆରେ ପ୍ରଭୂତ ଅର୍ଥ ଆହରଣ ଇତ୍ୟାଦି ଭାରତୀୟ ଗଣତନ୍ତ୍ରକୁ ସନ୍ଦେହାସ୍ପଦ କରିଛି। ସୁତରାଂ, ତାଙ୍କର ସ୍ପଷ୍ଟ ଉପସଂହାର ଯେ ଭାରତ ସଂପ୍ରତି ଏକଛତ୍ରବାଦୀ ଶାସନାଧୀନ।
ଏବେ ଆସିବା ଧ୍ରୁବଙ୍କ ବିପକ୍ଷ ମତବାଦ ନିକଟକୁ, ଯେଉଁଠି ମଧ୍ୟ ଅନେକ ବିଦ୍ବାନ ସମ୍ମିଳିତ ଏବଂ ଏହି ନିର୍ଦ୍ଦିଷ୍ଟ ସଂଦର୍ଭରେ ଧ୍ରୁବଙ୍କ ବିପକ୍ଷରେ ଆବିର୍ଭୂତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଏବଂ ଲେଖକ ଦିଲୀପ ମଣ୍ଡଳ, ଯିଏ ସ୍ବରର ଉଚ୍ଚାଟରେ ଧ୍ରୁବଙ୍କୁ ହତବାକ୍‌ କରିବାର ପ୍ରଚେଷ୍ଟା ନ କରି ତାର୍କିକତାର ଆଶ୍ରୟ ନେଇ ‘ଦ ପ୍ରିଣ୍ଟ’‌େର ଏକ ଆଲେଖ୍ୟ ପ୍ରକାଶ କରିଛନ୍ତି। ତାଙ୍କ ବକ୍ତବ୍ୟର ସାରମର୍ମ ହେଲା: ସ୍ବାଧୀନତା ପରବର୍ତ୍ତୀ ଭାରତୀୟ ଶାସନ ଧାରାରେ ୨୦୧୪ ମସିହା (ବିଜେପି କ୍ଷମତାସୀନ ହେବାର ବର୍ଷ) ଏକ କାଳବିଭାଜିକା ନୁହେଁ; ଧ୍ରୁବଙ୍କ ଦ୍ବାରା ବର୍ଣ୍ଣିତ ରାଜନୈତିକ ଅପଲକ୍ଷଣର ପ୍ରବାହ ସ୍ବାଧୀନତା ପରବର୍ତ୍ତୀ କାଳରୁ ବହି ଆସିଛି। ଜୱାହରଲାଲ ନେହରୁଙ୍କ ଇଙ୍ଗିତରେ ୧୯୫୯ ମସିହାରେ କେରଳର ନିର୍ବାଚିତ ବାମପନ୍ଥୀ ସରକାରର ପତନ, ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ନିୟମିତ ଭାବେ ବିରୋଧୀ ରାଜ୍ୟ ସରକାରଗୁଡ଼ିକର ଉନ୍ମୂଳନ, ପି.ଭି. ନରସିଂହ ରାଓଙ୍କ ଅମଳରେ ଗୋଟିଏ ଦିନରେ ତିନିଟି ରାଜ୍ୟର ବିଜେପି ସରକାରଙ୍କ ନିଷ୍କାସନ, କଂଗ୍ରେସ ଶାସନ ଅମଳରେ ପ୍ରାୟ ଦଶ ବର୍ଷ ଧରି ପଞ୍ଜାବ ପ୍ରତ୍ୟକ୍ଷ କରିଥିବା ରାଷ୍ଟ୍ରପତି ଶାସନ ଇତ୍ୟାଦି ହେଉଛି ତାହାର ପ୍ରମାଣ ଏବଂ କଂଗ୍ରେସ ସରକାର ସମୟରେ ଘୋଡ଼ା ବେପାରର ପ୍ରାବଲ୍ୟ ଇତିହାସରେ ସ୍ପଷ୍ଟ ଭାବେ ଲିପିବଦ୍ଧ। ସେହିଭଳି କଂଗ୍ରେସ ସରକାର ଅମଳରେ ଦିଲ୍ଲୀ ପୁଲିସ ଆଇନ ସହିତ ରୂପ ପାଇଥିବା କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ‘ସି.ବି.ଆଇ.’ର ପରିକଳ୍ପନା ପଛରେ ଏକ ଅଭିସନ୍ଧି ଥିଲା ଅବୋଲକରା ବିରୋଧୀ ରାଜ୍ୟଗୁଡ଼ିକୁ ଜବତ କରିବା ଏବଂ ପ୍ରତ୍ୟେକ ସରକାର ଏଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବିରୋଧୀ ଦମନ ଅସ୍ତ୍ର ରୂପେ ବ୍ୟବହାର କରି ଆସିଛନ୍ତି। ଯଦି ୨୦୧୪ ପର ଠାରୁ ଏ ଯାବତ୍‌ କେନ୍ଦ୍ରୀୟ ସଂସ୍ଥାଙ୍କ ଚଢ଼ାଉର ସଂଖ୍ୟା ୩୦୦୦ରୁ ଅଧିକ, ୨୦୦୫ ମସିହାରୁ ୨୦୧୪ ମସିହା ମଧ୍ୟରେ ଏଭଳି ଚଢ଼ାଉ ସଂଖ୍ୟା ୨୯୦୦ରୁ ଅଧିକ। ଦିଲୀପ ମଣ୍ଡଳ ପ୍ରଶ୍ନ କରନ୍ତି ଯେ ସଂସଦରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ବିରୋଧୀ ଜନମତ ଏବଂ ସର୍ବୋଚ୍ଚ ଅଦାଲତର ରାୟକୁ ସମ୍ମାନ ଜଣାଇ ‘ଏନ୍‌.ଜେ.ସି.’ ବା ‘ନେସନାଲ ଜୁଡିସିଆଲ କମିସନ’ ଆଇନ, ନାଗରିକତା ସଂଶୋଧନ ଆଇନ, କୃଷକ ଆଇନ, ଜମି ଅଧିଗ୍ରହଣ ଆଇନକୁ କାର୍ଯ୍ୟକାରୀ ନ କରିବା ବା ପ୍ରତ୍ୟାହାର କରିନେବା ଭଳି ପଦକ୍ଷେପ କୌଣସି ଏକଛତ୍ରବାଦୀ ଶାସକର ଚରିତ୍ରରେ ଦିଶିଥାଏ କି? ‘ନିର୍ବାଚନ ବଣ୍ଡ୍‌’ ମାମଲା ହେଉ ବା ‘ଏନ୍‌.ଜେ.ସି’ ହେଉ; ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଏକ ଅଧ୍ୟାଦେଶ ମାଧ୍ୟମରେ ନାକଚ କରିଦେବାର ସାମର୍ଥ୍ୟ ଥିଲେ ସୁଦ୍ଧା ମୋଦୀ ସରକାର ତାହା କରିଛନ୍ତି କି? ତାଙ୍କ ମତରେ ଭାରତୀୟ ଗଣତନ୍ତ୍ର କିଭଳି ପ୍ରାଣବନ୍ତ ତା’ର ପ୍ରମାଣ ହେଲା ଅମିତ ଶକ୍ତିଶାଳୀ ବିଜେପି ଏ ପର୍ଯ୍ୟନ୍ତ ଦକ୍ଷିଣ ଭାରତ ଏବଂ ପୂର୍ବ ଭାରତୀୟ ଦୁଇଟି ରାଜ୍ୟରେ (ଓଡ଼ିଶା ଓ ପଶ୍ଚିମବଙ୍ଗ) ପଦଚିହ୍ନ ସୃଷ୍ଟି କରିପାରିନାହିଁ; କାରଣ ତାହା ଭୋଟରମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହେବାରେ ଲାଗିଛି। ସୁତରାଂ ଭାରତର ଗଣତନ୍ତ୍ରକୁ ଉତ୍ତର କୋରିଆ ବା ରୁଷିଆ ସହିତ ତୁଳନା କରିବା କେବଳ ଅତିରଂଜନ ନୁହେଁ, ନିର୍ବୋଧତାର ନିଦର୍ଶନ ମଧ୍ୟ।
କହିବାରେ ଦ୍ବିଧା ନାହିଁ ଯେ ଦକ୍ଷିଣପନ୍ଥୀ ବିଜେପିର ଉନ୍ମେଷ ସହିତ ଚରମ ଧ୍ରୁବୀକରଣ ପରିପ୍ରେକ୍ଷୀରେ ବିଜେପିର ଦଳେ ‘ଅନ୍ଧ’ ସ୍ତାବକ ଏବଂ ଆଉ ଦଳେ ‘ଅନ୍ଧ’ ନିନ୍ଦୁକ ଜନ୍ମ ନେଇଛନ୍ତି, ଯେଉଁମାନେ ନିଜ ନିଜ ପକ୍ଷକୁ ସୁଦୃଢ଼ କରିବା ଲାଗି ଅହେତୁକ ଭୟ ସଂଚାରକୁ ଏକ ଉପାୟ ରୂପେ ଅବଲମ୍ବନ କରିଥାଆନ୍ତି; ଯେମିତି ଚରମ ହିନ୍ଦୁତ୍ବବାଦୀଙ୍କ ପ୍ରଚାର ଅନୁସାରେ ଭାରତ ଅଚିରେ ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି, ଯାହା ଅସମ୍ଭବ; କାରଣ ଭାରତରେ ହିନ୍ଦୁଙ୍କ ସଂଖ୍ୟା ମୁସଲମାନଙ୍କ ତୁଳନାରେ ପ୍ରାୟ ପାଞ୍ଚ ଗୁଣ ଅଧିକ ଏବଂ ସଦ୍ୟତମ ରିପୋର୍ଟ ଅନୁସାରେ ସଂପ୍ରତି ଭାରତୀୟ ମୁସଲମାନ ମହିଳାଙ୍କ ‘ଟି.ଏଫ.ଆର.’ ବା ‘ପ୍ରସବ ହାର’ ନିମ୍ନଗାମୀ ହୋଇ ମାତ୍ର ୨.୩ରେ ପହଞ୍ଚିଲାଣି। ସେହି ଭଳି ‘ଅନ୍ଧ’ ନିନ୍ଦୁକମାନଙ୍କ ଅବିରାମ ପ୍ରଚାର ହେଲା, ଭାରତ ଏକ ‘ଫାସିଷ୍ଟ’ ରାଷ୍ଟ୍ରରେ ପରିଣତ ହୋଇସାରିଲାଣି, ଯାହା ଅଚିରେ ଏକ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ ହେବାକୁ ଯାଉଛି। କିନ୍ତୁ ଏହା କ’ଣ ଏକ ବାସ୍ତବତା ନୁହେଁ କି ଯେ ସାମାଜିକ ଗଣମାଧ୍ୟମରେ ଦୀର୍ଘ କାଳ ଧରି ତୀବ୍ର ମୋଦୀ ସମାଲୋଚନା କରି ଆସୁଥିବା ଧ୍ରୁବ ରାଠୀ ବା ତାଙ୍କ ସମଧର୍ମାମାନେ ଏକ ଫାସିଷ୍ଟ ‌ରାଷ୍ଟ୍ରରେ ସମ୍ଭବ ହୁଅନ୍ତେ ନାହିଁ। ଦିଲୀପଙ୍କ ମତରେ ଅତି ସାଧାରଣ ପୃଷ୍ଠଭୂମିରୁ ଆସି ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀ ଭାରତୀୟ ଗଣତନ୍ତ୍ରର ଜଣେ ପରମ ଲାଭାର୍ଥୀ; ଏବଂ ତାଙ୍କର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ସେ ଅଯଥାରେ ଏକଛତ୍ରବାଦୀ ହେବାର ଦୁର୍ନାମ ମୁଣ୍ଡାଇବେ ବା କାହିଁକି? ତାଙ୍କ ମତରେ ଆକ୍ରମଣାତ୍ମକ ରାଜନୈତିକ ପରିବେଶରେ ସରକାର ମାତ୍ରକେ ହିଁ ଅସହିଷ୍ଣୁ, ପ୍ରତିଶୋଧପରାୟଣ ଏବଂ ପ୍ରତିକ୍ରିୟାଶୀଳ‌, ଯହିଁରେ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ବିରୋଧୀ ଦଳର ସରକାରଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ।
ସୁତରାଂ, ଏଥିରୁ ଯେଉଁ ସାଧାରଣ ଜ୍ଞାନଟି ଉପଲବ୍‌ଧ, ତାହା ହେଲା ସମସ୍ତ ପ୍ରକାର ‘ଅନ୍ଧତ୍ବ’ ପରିହାର କରି ନିର୍ମଳ ଦୃଷ୍ଟିରେ ଅବଲୋକନ କରିବା, ସରକାରଙ୍କ ଉତ୍ତମ କାର୍ଯ୍ୟକୁ ଶ୍ରେୟ ଦେବା ସହିତ ଅବାଂଛିତ କାର୍ଯ୍ୟର ସମାଲୋଚନା କରିବା, ବିବେଚନାର ମଧ୍ୟମ ମାର୍ଗକୁ ଉନ୍ମୁକ୍ତ ରଖିବା। ସନ୍ଥ କବୀରଙ୍କ ଦୋହା କହିଥାଏ ଯେ ‘ଅତି ଭଲା ନା ବୋଲନା, ଅତି ଭଲି ନା ଚୁପ୍‌, ଅତି ଭଲା ନା ବରଷ୍‌ନା, ଅତି ଭଲି ନା ଧୂପ! ସୁତରାଂ, କବୀରଙ୍କୁ ଅନୁସରଣ କରି ‘ଅତି’ର ଆଶ୍ଳେଷରୁ ମୁକ୍ତ ରହିବା!