ତେଣୁ ଗୋଟିଏ ପକ୍ଷ ମତ ଦିଅନ୍ତି ଯେ ଏ ପ୍ରସଙ୍ଗରେ ଉଚିତ ହୁଅନ୍ତା ଯଦି ‘ଇନ୍‌ଡିଆ’ ପକ୍ଷରୁ ଚ୍ୟାନେଲଗୁଡ଼ିକର ବର୍ଜନ କରା ନ ଯାଇ ବରଂ ସେମାନଙ୍କ ଦ୍ବାରା ହେଉଥିବା ଉଲ୍ଲଂଘନଗୁଡ଼ିକ ବିରୋଧରେ ଅଦାଲତର ଆଶ୍ରୟ ନିଆଯାଆନ୍ତା। ତେବେ, ଆଉ ଏକ ପକ୍ଷର ଅନୁମାନ ହେଲା ସଂପ୍ରତି ଦେଶର ଏଗାରଟି ରାଜ୍ୟ‌ରେ କ୍ଷମତାସୀନ ଥିବା ‘ଇନ୍‌ଡିଆ’ ମେଣ୍ଟର ନେତାମାନେ ଟେଲିଭିଜନରେ ଅଦୃଶ୍ୟ ରହି ଯେଉଁ ଶୂନ୍ୟତା ସୃଷ୍ଟି କରିବେ, ତଦ୍ଦ୍ବାରା ସେମାନେ ଅଧିକ ଦୃଶ୍ୟମାନ ଓ ପ୍ରଗାଢ଼ ହୋଇ ଉଠିବେ, ଯାହା ସେମାନଙ୍କ ରାଜନୀତିକୁ ଦୃଢ଼ତା ମଧ୍ୟ ଦେଇପାରେ!

Advertisment

ଗଲା ଗୁରୁବାର ଦିନ କରାଯାଇଥିବା ଏକ ଘୋଷଣା ଅନୁସାରେ ବିରୋଧୀ ରାଜନୈତିକ ମେଣ୍ଟ ‘ଇନ୍‌ଡିଆ’ ଦ୍ବାରା ହିନ୍ଦୀ ଏବଂ ଇଂରେଜୀ ମାଧ୍ୟମ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲର ଚଉଦ ଜଣ ‘ଆଙ୍କୋର’ ତଥା ସେମାନଙ୍କ ଦ୍ବାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ବାସନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। କହିବା ନିଷ୍ପ୍ରୟୋଜନ ଯେ ‘କୋଳାଶ୍ରିତ ଗଣମାଧ୍ୟମ’ (‘‌େଗାଦୀ ମିଡିଆ’)ର ଚେହେରା ରୂପେ ପ୍ରତିଷ୍ଠିତ ଏହି ‘ଆଙ୍କୋର’ଗଣ ତୀବ୍ର ହିନ୍ଦୁତ୍ବବାଦୀ ଦକ୍ଷିଣପନ୍ଥା ରାଜନୀତିର ପକ୍ଷଧର ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରର ନିଃସର୍ତ୍ତ ସ୍ତାବକ ରୂପେ ସୁପରିଚିତ; ଯେଉଁମାନେ ଅନେକ ସମୟରେ ବିରୋଧୀ ପକ୍ଷ ଏବଂ ମତ ଉପରେ ସେମାନଙ୍କ ବାଚନିକ ଆକ୍ରମଣକୁ ଏକ ଜାନ୍ତବ ହିଂସ୍ର ସ୍ତରକୁ ନେଇ ଯାଆନ୍ତି, ଯହିଁରେ ବିରୋଧୀ ମତ ଅପମାନିତ, ଅବଦମିତ ଏବଂ ଅନେକ ସମୟରେ ଅପ୍ରକାଶିତ ହୋଇ ମଧ୍ୟ ରହିଯାଏ; ଯେଉଁ ପରିପ୍ରେକ୍ଷୀରେ ‘ଇନ୍‌ଡିଆ’ ମେଣ୍ଟ ଅନନ୍ୟୋପାୟ ହୋଇ ଅଗତ୍ୟା‌ ଏଭଳି ଏକ ନିଷ୍ପତ୍ତି ନେଇଛି। ତେବେ, ପ୍ରଶ୍ନ ଉଠେ ଯେ ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପରିତ୍ୟାଜ୍ୟ କରାଯିବାର ନିଷ୍ପତ୍ତି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ କେତେ ନୈତିକ ଏବଂ ଯୁକ୍ତିଯୁକ୍ତ? ଦ୍ବିତୀୟ ପ୍ରଶ୍ନ ହେଲା, ଆଉ ମାତ୍ର ମାସ କେଇଟା ମଧ୍ୟରେ ପାଞ୍ଚଟି ରାଜ୍ୟ ଏବଂ ସମଗ୍ର ଭାରତ ସାଧାରଣ ନିର୍ବାଚନକୁ ପ୍ରତ୍ୟକ୍ଷ କରିବାକୁ ପ୍ରତୀକ୍ଷାରତ ହୋଇ ରହିଥିବା ବେଳେ ଏଭଳି ଏକ ନିଷ୍ପତ୍ତି ରାଜନୈତିକ ଅପରିପକ୍ବତାର ପରିଚାୟକ ନୁହେଁ ତ?

ପ୍ରକାଶ ଥାଉ କି ‘ଇନ୍‌ଡିଆ’ ମେଣ୍ଟ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ପଛରେ ନିହିତ କାରଣମାନ ସ୍ଥୂଳତଃ ଏହିଭଳି: ଏହି ‘ଆଙ୍କୋର’ ଗୋଷ୍ଠୀ ଅଭିସନ୍ଧିମୂଳକ ଭାବେ ବିନା କାରଣରେ ତୀବ୍ର ସାଂପ୍ରଦାୟିକ ଘୃଣାର ସଂଚାର କରିଥାଆନ୍ତି; ସରକାରଙ୍କ ଅକ୍ଳାନ୍ତ ସ୍ତୁତିଗାନ କରୁଥିବା ବେଳେ ବିରୋଧୀ ରାଜନୈତିକ ଦଳଗୁଡ଼ିକ (ବିଶେଷ କରି କଂଗ୍ରେସ) ଉପରେ ସେମାନଙ୍କ ବାଚନିକ ଆକ୍ରମଣ ଅତ୍ୟନ୍ତ ନୀଚ ରୁଚିର ପରିଚୟ ଦେଇ ପ୍ରସଙ୍ଗ ବହିର୍ଭୂତ ଗର୍ହିତ ବ୍ୟକ୍ତିଗତ ଆକ୍ଷେପର ରୂପ ନେଇଥାଏ; ଏମାନଙ୍କ ଦ୍ବାରା କାର୍ଯ୍ୟକ୍ରମର ସଂଚାଳନର ଧାରା ଏଭଳି ହୋଇଥାଏ ଯେ ବିତର୍କ ସମୟରେ ବିରୋଧୀ ପକ୍ଷର ମୁଖପାତ୍ରଙ୍କୁ ପ୍ରାୟତଃ ବାକ୍‌ ଶୂନ୍ୟ ସ୍ଥିତିରେ ରଖାଯାଏ, ଯାହାଙ୍କ ଉପରେ ‘ଆଙ୍କୋର’ମାନଙ୍କ ସକ୍ରିୟ ପ୍ରେରଣାରେ ସରକାରଙ୍କ ପକ୍ଷଧରମାନେ କ୍ଷୁଧାର୍ତ୍ତ ହାଇନା ଭଳି କୁଦି ପଡ଼ନ୍ତି। ବିରୋଧୀ ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ବିଗତ ନଅ ବର୍ଷ ଧରି ଚାଲି ଆସିଥିବା ଏଭଳି ଅତ୍ୟାଚାର ଏକ ଅସହନୀୟ ସ୍ତରରେ ପହଞ୍ଚି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି।
ପ୍ରକାଶ ଥାଉ କି ଏଭଳି ଏକ ନିଷ୍ପତ୍ତି ସ୍ବାଧୀନତା ଉପରାନ୍ତ ଭାରତରେ ପ୍ରଥମ ବୋଲି ଅଭିହିତ କରି ଗୋଟିଏ ପକ୍ଷର ମତ କହିଥାଏ ଯେ ଏହା ଗୋଟିଏ ଅସମୀଚୀନ ପରଂପରାକୁ ଜନ୍ମ ଦେଇପାରେ। କିନ୍ତୁ ସତ କଥା ହେଲା, ୨୦୧୪ ମସିହା ମାର୍ଚ୍ଚ ମାସରେ ବିଜେପି ଦ୍ବାରା ‘ଏନଡିଟିଭି’ର ବର୍ଜନ ଏ ସଂଦର୍ଭରେ ପ୍ରଥମ ଦୃଷ୍ଟାନ୍ତ ସ୍ଥାପନ କରି ସାରିଛି। ଏବଂ ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ ଯେ ୨୦୧୪ ମସିହା ପର ଠାରୁ ଭାରତର ରାଜନୀତି, ଗଣମାଧ୍ୟମ, ବୌଦ୍ଧିକ ସମାଜ ଏବଂ ଜନସାଧାରଣ ଯେଉଁଭଳି ଭାବେ ତୀବ୍ର ଧ୍ରୁବୀକରଣ ଦ୍ବାରା ବିଭାଜିତ ହେବାରେ ଲାଗିଛନ୍ତି, ତହିଁରେ ଟେଲିଭିଜନ ଗଣମାଧ୍ୟମର ଏକ ବି‌େଶଷ ଭୂମିକା ରହିଛି, ଯେଉଁ ସ୍ଥିତି ପୂର୍ବବର୍ତ୍ତୀ ‘ୟୁପିଏ’ ସରକାର ଅମଳରେ ନ ଥିଲା। ସୁତରାଂ, ‘ଇନ୍‌ଡିଆ’ର ସପକ୍ଷବାଦୀମାନେ କହିଥାଆନ୍ତି ଯେ ‘ୟୁପିଏ’ ସରକାର ଅମଳରେ ବର୍ତ୍ତମାନ ଭଳି ‘କୋଳାଶ୍ରିତ ଗଣମାଧ୍ୟମ’ ଉପସ୍ଥିତ ଥିଲେ, ‘ନିର୍ଭୟା ଗଣଦୁଷ୍କର୍ମ’ ଭଳି ଘଟଣାରୁ ଆରମ୍ଭ କରି ‘ଟୁ-ଜି ସ୍ପେକ୍ଟ୍ରମ୍‌’ ବା ‘କୋଇଲା ବ୍ଲକ୍‌ ଆବଣ୍ଟନ’ ଭଳି ଦୁର୍ନୀତିର ଆରୋପ ପର୍ଯ୍ୟନ୍ତ ବିଷୟରେ କ୍ଷମତାସୀନ ସରକାର ଲହୁଲୁହାଣ ହୋଇ ନ ଥାଆନ୍ତେ; କଂଗ୍ରେସ ନେତା ପବନ ଖେଡ଼ାଙ୍କ ଦ୍ବାରା ଜାମ୍ମୁ-କାଶ୍ମୀରରେ ହୋଇଥିବା ୧୩,୦୦୦ କୋଟି ଟଙ୍କାର ଦୁର୍ନୀତିର ଆରୋପ ଯେମିତି ବର୍ତ୍ତମାନ ‘କୋଳାଶ୍ରିତ ଟେଲିଭିଜନ ଚ୍ୟାନେଲ’ର ‘ସ୍କ୍ରୋଲ’ରେ ସୁଦ୍ଧା ସ୍ଥାନ ପାଇନାହିଁ, ସେହିଭଳି ସେତେବେଳେ ସବୁ ଆରୋପ ପତଳା ପବନରେ ମିଳାଇ ଯାଇଥାଆନ୍ତି! ସୁତରାଂ, ଏକ ନିର୍ଦ୍ଦିଷ୍ଟ ବର୍ଗର ଗଣମାଧ୍ୟମ ଦ୍ବାରା ବିରୋଧୀ ପକ୍ଷ ବାରମ୍ବାର ଏଭଳି ଲାଂଛିତ ହେବାର ଏକ ସ୍ବାଭାବିକ ପରିଣତି ହେଉଛି ସେହି ଗଣମାଧ୍ୟମର ସଂପୂର୍ଣ୍ଣ ବର୍ଜନ।
ତେବେ, ଉଲ୍ଲେଖଯୋଗ୍ୟ ହେଲା, ‘କୋଳାଶ୍ରିତ ଗଣମାଧ୍ୟମ’ର ଅ‌େନକ ତୀବ୍ର ସମାଲୋଚକ ମଧ୍ୟ ‘ଇନ୍‌ଡିଆ’ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସହିତ ଏକମତ ହୁଅନ୍ତି ନାହିଁ। ସେମାନଙ୍କ ଯୁକ୍ତି କହିଥାଏ ଯେ ନଅ ବର୍ଷର ଶାସନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରେ ହେଲେ ସୁଦ୍ଧା ‘ପ୍ରେସ୍‌ କନ୍‌ଫରେନ୍‌ସ’ର ସମ୍ମୁଖୀନ ହୋଇ ନ ଥିବା ବିଷୟକୁ ନେଇ ବିରୋଧୀ ପକ୍ଷ ତୀବ୍ର ସମାଲୋଚନାର ଉଚ୍ଚାଟ ସୃଷ୍ଟି କରି ଆସୁଥିଲେ ହେଁ ବର୍ତ୍ତମାନ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଗଣମାଧ୍ୟମକୁ ବର୍ଜନ କରି ସେମାନେ ତତ୍ତୁଲ୍ୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଦ୍ବିତୀୟରେ ଏଭଳି ନିଷ୍ପତ୍ତି ସେହି ‘ଆଙ୍କୋର’ମାନଙ୍କ ଅଭିବ୍ୟକ୍ତିଗତ ସ୍ବାଧୀନତାକୁ ପ୍ରଶ୍ନସଂକୁଳ କରିଥାଏ; କାରଣ ଅଭିଯୋଗ ଉଠିପାରେ ଯେ ବିରୋଧୀ ପକ୍ଷକୁ ସୁହାଉ ନ ଥିବାରୁ ସେମାନେ କେତେକ ନିର୍ଦ୍ଦିଷ୍ଟ ‘ଆଙ୍କୋର’ଙ୍କୁ ଶରବ୍ୟ କରିଛନ୍ତି; ତୃତୀୟ ଏବଂ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ନିର୍ବାଚନ ସମୟରେ ନିଜକୁ ଦୃଶ୍ୟମାନ କରି ନ ରଖିବା ଏବଂ ନିଜ ଦଳର ଆଭିମୁଖ୍ୟକୁ ଦୃଢ଼ତା ଓ ପ୍ରାଂଜଳତା ପ୍ରଦାନ କରି ନ ପାରିବା ରାଜନୈତିକ ‘ହାରାକିରି’ର କାରଣ ମଧ୍ୟ ହୋଇପାରେ। ସେମାନଙ୍କ ମତରେ ଯୁଦ୍ଧଭୂମିରୁ ଛତ୍ରଭଙ୍ଗ ଦେବା ପରିବର୍ତ୍ତେ ରଣକୌଶଳରେ ପରିବର୍ତ୍ତନ ଘଟାଇବା ବରଂ ଅଧିକ ଶ୍ରେୟସ୍କର ହୁଅନ୍ତା।
ଏହି ପରିପ୍ରେକ୍ଷୀରେ ସେହି ଚଉଦ ଜଣ ‘ଆଙ୍କୋର’ଙ୍କ ମଧ୍ୟରୁ ଅନ୍ୟତମ ସୁଧୀର ଚୌଧୁରୀ କହିଥିବା ଶୁଣାଯାଇଛି ଯେ ସେ ଓ ତାଙ୍କର ସତୀର୍ଥମାନଙ୍କ ନିରବଚ୍ଛିନ୍ନ ପ୍ରଶ୍ନବାଣରେ ଜର୍ଜର ବିରୋଧୀ ମେଣ୍ଟ ବିବ୍ରତ ହୋଇ ଅଗତ୍ୟା ଏଭଳି ନିଷ୍ପତ୍ତି ନେଇଛି। କିନ୍ତୁ ଚୌଧୁରୀ ମହାଶୟ କ’ଣ ସଚେତନ ନୁହନ୍ତି ଯେ କ୍ଷମତା ଅଳିନ୍ଦରେ ବିଚରଣ କରୁଥିବା ବ୍ୟକ୍ତିତ୍ବମାନଙ୍କୁ ପ୍ରଶ୍ନ କରିବା ଭଳି ଗଣମାଧ୍ୟମର ମୌଳିକ ଆଦର୍ଶକୁ ଜଳାଂଜଳି ଦେଇ ସେ କ୍ଷମତାରିକ୍ତ ବିରୋଧୀ ଦଳଗୁଡ଼ିକୁୁ ପ୍ରଶ୍ନ ଜର୍ଜର କରୁଛନ୍ତି? ଏଥିରେ ସନ୍ଦେହ ନାହିଁ ଯେ ସଂପ୍ରତି ଅନେକ ଟେଲିଭିଜନ ‘ଆଙ୍କୋର’ ଅକାରଣେ ସାଂପ୍ରଦାୟିକ ଘୃଣାର ପ୍ରସାର ଘଟାଇବାରେ ବ୍ୟାପୃତ ଏବଂ ନ୍ୟୁଜ ଚ୍ୟାନେଲ ସକାଶେ ଲାଇସେନ୍‌ସ ପାଇବା ପାଇଁ ଯେଉଁ ସବୁ ଆଚରଣ ବିଧିର ବ୍ୟବସ୍ଥା ରହିଛି ସେମାନେ ତାହାର ଅବାଧ ଅମାନ୍ୟ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି ଆଙ୍କୋରମାନେ ଦଣ୍ଡିତ ହେବା ବା ବହିଷ୍କୃତ ହେବା ଉଚିତ ବୋଲି ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକାଧିକ ବାର ଆପଣା ଉଦ୍‌ବେଗ ପ୍ରକାଶ କରି ସାରିଛନ୍ତି। ତେଣୁ ଗୋଟିଏ ପକ୍ଷ ମତ ଦିଅନ୍ତି ଯେ ଏ ପ୍ରସଙ୍ଗରେ ଉଚିତ ହୁଅନ୍ତା ଯଦି ‘ଇନ୍‌ଡିଆ’ ପକ୍ଷରୁ ଚ୍ୟାନେଲଗୁଡ଼ିକର ବର୍ଜନ କରା ନ ଯାଇ ବରଂ ସେମାନଙ୍କ ଦ୍ବାରା ହେଉଥିବା ଉଲ୍ଲଂଘନଗୁଡ଼ିକ ବିରୋଧରେ ଅଦାଲତର ଆଶ୍ରୟ ନିଆଯାଆନ୍ତା। ତେବେ, ଆଉ ଏକ ପକ୍ଷର ଅନୁମାନ ହେଲା ସଂପ୍ରତି ଦେଶର ଏଗାରଟି ରାଜ୍ୟ‌ରେ କ୍ଷମତାସୀନ ଥିବା ‘ଇନ୍‌ଡିଆ’ ମେଣ୍ଟର ନେତାମାନେ ଟେଲିଭିଜନରେ ଅଦୃଶ୍ୟ ରହି ଯେଉଁ ଶୂନ୍ୟତା ସୃଷ୍ଟି କରିବେ, ତଦ୍ଦ୍ବାରା ସେମାନେ ଅଧିକ ଦୃଶ୍ୟମାନ ଓ ପ୍ରଗାଢ଼ ହୋଇ ଉଠିବେ, ଯାହା ସେମାନଙ୍କ ରାଜନୀତିକୁ ଦୃଢ଼ତା ମଧ୍ୟ ଦେଇପାରେ!