୨୦୨୨ରେ ‘ନିଉଜ୍କ୍ଲିକ୍’ ନିଉଜ୍ ପୋର୍ଟାଲ୍ରେ ପ୍ରକାଶିତ ଏକ ବହୁଚର୍ଚ୍ଚିତ ରିପୋର୍ଟରେ ପଶ୍ଚିମବଙ୍ଗକୁ ଦେଶର ‘‘ଧର୍ଷଣ ରାଜ୍ୟ’’ ରୂପେ ବର୍ଣ୍ଣନା କରାଯାଇ ଦର୍ଶାଯାଇଥିଲା ଯେ ସେଠାରେ ସେତେବେଳେ ୪୦ ଦିନ ମଧ୍ୟରେ ଯେଉଁ ୧୫ଟି ଧର୍ଷଣ ଘଟଣା ଘଟିଥିଲା, ସେଥିରେ ସମସ୍ତ ଅଭିଯୁକ୍ତମାନେ ଥିଲେ ଶାସକ ତୃଣମୂଳ କଂଗ୍ରେସ ଦଳର ନେତା ବା କର୍ମୀ। ଏବେ ନିକଟରେ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସନ୍ଦେଶଖାଲି ଘଟଣାରେ ଅଭିଯୁକ୍ତ ଅଭ୍ୟାସଗତ େଯୗନଶୋଷଣକାରୀ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ୍ ଶେଖ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ମମତା ସରକାର ପ୍ରଦର୍ଶନ କରିଥିବା ଅତିରିକ୍ତ ଆଗ୍ରହ ଯୋଗୁଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଭର୍ତ୍ସିତ ହେବା ଦେଖାଯାଇଥିଲା।
ଆଜି ସ୍ବାଧୀନତା ଦିବସ। ଆମ ଦେଶ ସ୍ବାଧୀନତା ଲାଭ କରିବାର ଆଜି ୭୭ ବର୍ଷ ପୂରଣ ହେଲା। ବିଭିନ୍ନ ଲୋକଙ୍କ ବିଚାରରେ ସ୍ବାଧୀନତାର ସ୍ବରୂପ ଭିନ୍ନ ଭିନ୍ନ ହୋଇଥାଏ। ଜାତିର ଜନକ ମହାତ୍ମା ଗାନ୍ଧୀ ସେଇ ଅନୁଯାୟୀ ସ୍ବାଧୀନତାକୁ ଏକ ନିର୍ଦ୍ଦିଷ୍ଟ ରୂପରେ ଦେଖିଥିଲେ। ସ୍ବାଧୀନତାର ସେଇ ରୂପ ମହାତ୍ମାଙ୍କର ଏହି ସୁପରିଚିତ ଉକ୍ତିରେ ପ୍ରତିଫଳିତ ହୋଇଥାଏ: ‘‘ଭାରତକୁ ସେତିକିବେଳେ ସ୍ବାଧୀନ ବୋଲି କୁହାଯିବ, ଯେତେବେଳେ ନାରୀମାନେ ଅଧରାତିରେ ଭାରତର ରାସ୍ତାଘାଟରେ ବିଚରଣ କରିବାକୁ ନିରାପଦ ବୋଧ କରିବେ।’’
ବାପୁଙ୍କର ସେଇ ମାପକାଠି ଅନୁସାରେ ଭାରତ ଯେ ଏବେ ମଧ୍ୟ ସ୍ବାଧୀନ ହୋଇନାହିଁ, ତାହାର ଏକ ଜଘନ୍ୟତମ ପ୍ରମାଣ ସଦ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ସାରା ଦେଶର ଛାତି ଥରାଇ ଦେଇଥିବା ଏହି ନାରକୀୟ ଘଟଣାରେ, ଦେଶର କୌଣସି ଖୋଲା ରାସ୍ତାଘାଟରେ ନୁହେଁ, କଲିକତାର ଏକ ପ୍ରମୁଖ ସରକାରୀ ହସ୍ପିଟାଲ-ମେଡିକାଲ କଲେଜର ଏକ ସୁରକ୍ଷିତ କୋଠରି ଭିତରେ ଦିନସାରା ୧୮ ଘଣ୍ଟା ଡ୍ୟୁଟି କରିସାରି ଥକା ହୋଇ ବିଳମ୍ବିତ ରାତିରେ ବିଶ୍ରାମ ନେଉଥିବା ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ ନିରାପଦ ରହିପାରି ନାହାନ୍ତି। ଏହି ବର୍ବର କାଣ୍ଡକୁ ଯାହା ଆହୁରି ଅଧିକ ଚିନ୍ତାଜନକ କରିଥାଏ, ତାହା ହେଲା, ଏହି କାଣ୍ଡ ଘଟାଇଥିବା ରାକ୍ଷସ ହେଉଛି କଲିକତା ପୁଲିସର ଜଣେ କର୍ମଚାରୀ, ଯାହାକୁ ସମାଜ ରକ୍ଷକ ରୂେପ ବିଚାର କରିଥାଏ।
ଏହି ଘଟଣାକୁ ଆମେ ନାରକୀୟ ବୋଲି ବର୍ଣ୍ଣନା କରିବା କେବଳ ଏକ ଗତାନୁଗତିକ ବର୍ଣ୍ଣନା ଶୈଳୀ ନୁହେଁ, ଏହା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ନିହିତ ଅଛି। ଊନବିଂଶ ଶତାବ୍ଦୀର ମହାନ ଜର୍ମାନ୍ ଦାର୍ଶନିକ ଆର୍ଥର୍ ସୋପେନ୍ହାଉଅର୍ କହିଥିଲେ ନରକ ଆଉ ଅନ୍ୟ କୌଣସି ସ୍ଥାନ ନୁହେଁ, ଆମର ବାସସ୍ଥାନ ଏହି ପୃଥିବୀ ହିଁ ହେଉଛି ଆମ ପାଇଁ ନରକ। ଆମେ ନରକ ସମ୍ବନ୍ଧରେ ଯେଉଁ ଧାରଣା ପୋଷଣ କରିଥାଉ, ତାହା ଅନୁସାରେ ମୃତ୍ୟୁ ପରେ ଅଭିଶପ୍ତ ଆତ୍ମାମାନଙ୍କୁ ନରକକୁ ପଠାଇ ଦିଆଯାଇଥାଏ ଓ ସେଠାରେ ଯମଦୂତମାନେ ସେଇ ଆତ୍ମାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇ ସେମାନଙ୍କୁ ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ କରିଥାନ୍ତି। ସୋପେନ୍ହାଉଅର୍ଙ୍କ ଅନୁସାରେ ପୃଥିବୀ ନାମକ ଏହି ନର୍କରେ ମନୁଷ୍ୟ ହେଉଛି ଅତ୍ୟାଚାରିତ ଆତ୍ମା ଓ ସେଇ ମନୁଷ୍ୟ ହିଁ ହେଉଛି ଅତ୍ୟାଚାର ଚଳାଉଥିବା ଦାନବ। କଲିକତାର ଆର୍ଜି କର ହସ୍ପିଟାଲରେ ଘଟିଥିବା ଏହି ଘଟଣାରେ କିଏ ଥିଲା ଅତ୍ୟାଚାରିତ ଆତ୍ମା ଓ କିଏ ଥିଲା ଅତ୍ୟାଚାରୀ ଦାନବ, ତାହା ସୂଚାଇବା ଅନାବଶ୍ୟକ।
ଏଇଭଳି ଦାନବମାନଙ୍କୁ ଦମନ କରି ନାରୀମାନଙ୍କୁ ନିରାପଦ ରଖିପାରିଲେ ଯାଇ ଭାରତ ଏକ ସ୍ବାଧୀନ ଦେଶ ରୂପେ ବିବେଚିତ ହେବ ବୋଲି ମହାତ୍ମା ତାଙ୍କର ଉପରୋକ୍ତ ଉକ୍ତି ମାଧ୍ୟମରେ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ତାହା ହେଲେ ଭାରତ ନର୍କରୁ ରୂପାନ୍ତରିତ ହୋଇ କ୍ରମେ ସ୍ବର୍ଗରେ ପରିଣତ ହେବ। ସେଇଥିପାଇଁ ଗାନ୍ଧୀଙ୍କ ମୃତ୍ୟୁ ପରେ ଲଣ୍ଡନ୍ରୁ ପ୍ରକାଶିତ ପ୍ରସିଦ୍ଧ ସମ୍ବାଦପତ୍ର ‘ଦି ଟାଇମ୍ସ’ ତା’ର ସଂପାଦକୀୟ ମନ୍ତବ୍ୟରେ ଲେଖିଥିଲା: ‘‘ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ସ୍ବର୍ଗର ଦ୍ବାର କେବେଠାରୁ ଖୋଲି ଦିଆଯାଇଥିଲା। ଗାନ୍ଧୀ କିନ୍ତୁ ଏ ପୃଥିବୀକୁ ଆଉ ଟିକିଏ ସ୍ବର୍ଗସମ କରିବାରେ ବ୍ୟସ୍ତ ଥିବାରୁ ସେମାନଙ୍କୁ ଅପେକ୍ଷା କରାଇ ରଖିଥିଲେ।’’ ପଶ୍ଚିମବଙ୍ଗରେ ଘଟିଥିବା ଏହି ଘଟଣା ପୁଣି ଥରେ ପ୍ରମାଣ କରିଥାଏ ଯେ ଗାନ୍ଧୀ ତାଙ୍କର ସେଇ ଉଦ୍ୟମରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି।
ଏହି ବିଫଳତାର ଅନେକ କାରଣ ରହିଛି; କିନ୍ତୁ ପଶ୍ଚିମବଙ୍ଗରେ ଯାହା ଏହାର ମୁଖ୍ୟ କାରଣ ରୂପେ ଆବିର୍ଭୂତ ହୋଇଛି, ତାହା ହେଉଛି ରାଜନୀତି। ଆଉ ସେଠାରେ ଏହି ରାଜନୀତିର ପ୍ରଭାବ ଏତେ ଶକ୍ତିଶାଳୀ ଯେ ସେ ରାଜ୍ୟରେ ପ୍ରାୟ ଦେଢ଼ ଦଶନ୍ଧି ଧରି ଜଣେ ନାରୀ ମୁଖ୍ୟମନ୍ତ୍ରୀ ରୂପେ ସର୍ବୋଚ୍ଚ ଶାସକ ହୋଇ ଅପ୍ରମିତ କ୍ଷମତାର ଅଧିକାରିଣୀ ହୋଇରହିଥିଲେ ହେଁ, ନିଜର ରାଜନୈତିକ ସ୍ବାର୍ଥ ସୁରକ୍ଷିତ ରଖିବା ପାଇଁ ସେ ତାଙ୍କ ରାଜ୍ୟରେ ଏପରି ଏକ ନାରୀ-ବିରୋଧୀ ପରିବେଶ ସୃଷ୍ଟି କରିଛନ୍ତି, ଯେଉଁଥିରେ ଉପରୋକ୍ତ ଯମଦୂତ ପୁଲିସ ଭଳି ନାରୀ-ଉତ୍ପୀଡ଼କମାନେ ଅବାଧରେ ବିଚରଣ କରୁଛନ୍ତି ଓ ସେମାନଙ୍କର ବଂଶ ବୃଦ୍ଧି ଘଟିବାରେ ଲାଗିଛି। ମହାତ୍ମା ଯଦି ଅାଜି ଜୀବିତ ଥାନ୍ତେ, ତାଙ୍କୁ ଏହାହିଁ ସର୍ବାଧିକ ବ୍ୟଥିତ କରୁଥାନ୍ତା।
ଦେଶର ଅନ୍ୟ ରାଜ୍ୟରେ ନାରୀମାନେ ଯେ ଅନୁରୂପ ଦୁର୍ଦ୍ଦଶା ଭୋଗ କରୁନାହାନ୍ତି, ତାହା ନୁହେଁ (ଓଡ଼ିଶାରେ ଏବେବି ଇତିଶ୍ରୀ, ବେବିନା, ମମିତାମାନଙ୍କର ଆତ୍ମା ସେ ସମୟରେ ଦୀର୍ଘ ଚଉଠ ଶତାବ୍ଦୀ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଉତ୍ତର ମାଗି ବୁଲୁଛନ୍ତି)। କିନ୍ତୁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁଭଳି ପୀଡ଼ିତାମାନଙ୍କ ପ୍ରତି ସମବେଦନା ପ୍ରକାଶ କରିବା ପରିବର୍ତ୍ତେ ସେମାନଙ୍କୁ ଓଲଟା ଦୋଷ ଦେବା କିମ୍ବା ଅପରାଧୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିବା କିମ୍ବା ସେମାନଙ୍କ ଦୁର୍ଦ୍ଦଶାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଥାନ୍ତି, ତାହା ଅନ୍ୟତ୍ର ଦେଖାଯାଇ ନ ଥାଏ।
ଏହାର ଏକ ଅବିଶ୍ବସନୀୟ ପ୍ରାରମ୍ଭିକ ଉଦାହରଣ ଦେଖିବାକୁ ମିଳିଥିଲା ୨୦୧୨ରେ ଯେତେବେଳେ ସୁଜେଟ୍ ଜର୍ଡାନ୍ ନାମ୍ନୀ ଜଣେ ୩୭ ବର୍ଷୀୟା ମହିଳା କଲିକତାର ପାର୍କ ଷ୍ଟ୍ରିଟ୍ସ୍ଥିତ ଏକ ନାଇଟ୍ କ୍ଲବ୍ରୁ ଘରକୁ ଫେରିବା ବାଟରେ ଏକ ଗାଡ଼ି ଭିତରେ ପାଞ୍ଚଜଣ ଦୁର୍ବୃତ୍ତଙ୍କ ଦ୍ବାରା ଗଣଧର୍ଷଣର ଶିକାର ହୋଇଥିଲେ। ସଦ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ ସୁଜେଟ୍ଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ତାଙ୍କୁ ଜଣେ ମିଥ୍ୟାବାଦିନୀ ରୂେପ ଅଭିହିତ କରି ତାଙ୍କ ସରକାରକୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ଓଲଟା ଅଭିଯୋଗ କରି ଦେଶବ୍ୟାପୀ ଭର୍ତ୍ସନାର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ସମୟରେ ପ୍ରତିପକ୍ଷ ପ୍ରତି ହିଂସାଚରଣ ଯେଉଁଭଳି ତାଙ୍କ ଦଳର ମୁଖ୍ୟ ରାଜନୈତିକ ରଣକୌଶଳରେ ପରିଣତ ହୋଇଯାଇଛି, ଧର୍ଷଣ ସେଥିରେ ନିୟମିତ ଭାବରେ ଏକ ପ୍ରଧାନ ଅସ୍ତ୍ର ରୂପେ ବ୍ୟବହୃତ ହେବା ଦେଖାଯାଇଛି। (ପାର୍କ ଷ୍ଟ୍ରିଟ୍ ଗଣଧର୍ଷଣର ମୁଖ୍ୟ ଅଭିଯୁକ୍ତ କାଦିର ଖାନ୍ର ତତ୍କାଳୀନ ବାନ୍ଧବୀ ନୁସରତ୍ ଜହାନ୍ ପରବର୍ତ୍ତୀ ସମୟରେ ମମତାଙ୍କ ତୃଣମୂଳ କଂଗ୍ରେସ ଟିକେଟ୍ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।)
୨୦୨୨ରେ ‘ନିଉଜ୍କ୍ଲିକ୍’ ନିଉଜ୍ ପୋର୍ଟାଲ୍ରେ ପ୍ରକାଶିତ ଏକ ବହୁଚର୍ଚ୍ଚିତ ରିପୋର୍ଟରେ ପଶ୍ଚିମବଙ୍ଗକୁ ଦେଶର ‘‘ଧର୍ଷଣ ରାଜ୍ୟ’’ ରୂପେ ବର୍ଣ୍ଣନା କରାଯାଇ ଦର୍ଶାଯାଇଥିଲା ଯେ ସେଠାରେ ସେତେବେଳେ ୪୦ ଦିନ ମଧ୍ୟରେ ଯେଉଁ ୧୫ଟି ଧର୍ଷଣ ଘଟଣା ଘଟିଥିଲା, ସେଥିରେ ସମସ୍ତ ଅଭିଯୁକ୍ତମାନେ ଥିଲେ ଶାସକ ତୃଣମୂଳ କଂଗ୍ରେସ ଦଳର ନେତା ବା କର୍ମୀ। ଏବେ ନିକଟରେ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସନ୍ଦେଶଖାଲି ଘଟଣାରେ ଅଭିଯୁକ୍ତ ଅଭ୍ୟାସଗତ େଯୗନଶୋଷଣକାରୀ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ୍ ଶେଖ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ମମତା ସରକାର ପ୍ରଦର୍ଶନ କରିଥିବା ଅତିରିକ୍ତ ଆଗ୍ରହ ଯୋଗୁଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଭର୍ତ୍ସିତ ହେବା ଦେଖାଯାଇଥିଲା।
ବର୍ତ୍ତମାନର ଆର୍ଜି କର ହସ୍ପିଟାଲରେ ଘଟିଥିବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତାହାକୁ ‘ସିବିଆଇ’କୁ ହସ୍ତାନ୍ତରିତ କରିବା ପାଇଁ ମମତା ଘୋର କୁଣ୍ଠା ପ୍ରଦର୍ଶନ କରିବା ପରେ କଲିକତା ହାଇକୋର୍ଟ ଏହି ତଦନ୍ତ ଦାୟିତ୍ବ ଏବେ ‘ସିବିଆଇ’ ହାତରେ ନ୍ୟସ୍ତ କରିଛନ୍ତି। ମମତାଙ୍କ ଏହି ନୀତିକୁ ଦେଶବ୍ୟାପୀ ଆନ୍ଦୋଳନକାରୀ ଡାକ୍ତରମାନେ ତୀବ୍ର ନିନ୍ଦା କରିଛନ୍ତି। କିନ୍ତୁ ଏ ସମସ୍ତ ନିଷ୍ଫଳ ପ୍ରତିବାଦ କେବଳ ଯେଉଁ ଏକମାତ୍ର ବିଚାରକୁ ପୁଣିଥରେ ସତ୍ୟ ପ୍ରମାଣିତ କରିଥାଏ, ତାହା ହେଉଛି ପ୍ରସିଦ୍ଧ ଜର୍ମାନ୍ ସମାଜ ବିଜ୍ଞାନୀ ମାକ୍ସ ୱେବର୍ଙ୍କର ସେଇ ସୁପରିଚିତ ଉକ୍ତି: ‘‘ଜଣେ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବା ସହିତ ସଇତାନ୍ ସହିତ ଏକ ଚୁକ୍ତିରେ ପ୍ରବେଶ କରିଥାଏ।’’ ସଇତାନ୍ ପାଖରେ ମହାତ୍ମାମାନେ ମଧ୍ୟ ବିଫଳ ହୋଇଥାନ୍ତି।