ଏହା ସୁବିଦିତ ଯେ ଯୁଦ୍ଧ ପୂର୍ବରୁ ୟୁକ୍ରେନ ଥିଲା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଏବଂ ଭ୍ଲୋଡିମିର ଜେଲେନସ୍କି ଥିଲେ ତାହାର ଜେଣ ନିର୍ବାଚିତ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପୂର୍ବରୁ ଜେଲେନ୍ସ୍କି ମଧ୍ୟ ଥିଲେ ଜଣେ ହାସ୍ୟାଭିନେତା। ସୁତରାଂ, ପୁଟିନ ତାଙ୍କୁ ଜଣେ ନରମ ମେରୁଦଣ୍ଡଧାରୀ ବ୍ୟକ୍ତି ରୂପେ ଧରି ନେଇଥିବେ; ଏବଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚିତ ରାଷ୍ଟ୍ରପତି ରୂପେ ସେ ଅତ୍ୟନ୍ତ ପତନଶୀଳ ହୋଇଥିବେ ବୋଲି ମଧ୍ୟ ତାଙ୍କର ଧାରଣାଟିଏ ଥିବ। କିନ୍ତୁ ଜେଲେନ୍ସ୍କି ସେଭଳି ନମନୀୟତା ବା ଭୟ ବା ଭଙ୍ଗୁରତା ପ୍ରଦର୍ଶନ କରିନାହାନ୍ତି। ବରଂ ତାଙ୍କ ଅଭିନେତାସୁଲଭ ପ୍ରତିଭାର ପ୍ରଦର୍ଶନ ପୂର୍ବକ ଏ ଯୁଦ୍ଧରେ ଅନେକ ନାଟକୀୟ କ୍ଷଣମାନ ସୃଷ୍ଟି କରି ସମସ୍ତଙ୍କୁ ହତଚକିତ କରି ଚାଲିଛନ୍ତି।
ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ୯୦୦ ଦିନ ଅତିକ୍ରମ କରି ଗତାନୁଗତିକତାର କ୍ଳାନ୍ତି ମଧ୍ୟରେ ଜନ-ମାନସ ଓ ସମ୍ବାଦପତ୍ରର ଶିରୋନାମାରୁ ଅନ୍ତର୍ହିତ ହେବାକୁ ବସିଥିବା ବେଳେ ଏବଂ ଶୀଘ୍ର ବିଜୟ ଲାଭ କରିବାର ଅଭିଳାଷୀ ରୁଷୀୟ ସେନାବାହିନୀ ଏକ ଉତ୍ସାହଶୂନ୍ୟ ସଂଘର୍ଷରେ ଯଥାତଥା ଲିପ୍ତ ଥିବା ବେଳେ ଏକ ନାଟକୀୟ କ୍ଷଣ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ଉପନୀତ ହୋଇ ସମସ୍ତଙ୍କୁ ତଟସ୍ଥ କରିଦେଇଛି। ସେଇଟି ହେଲା ପ୍ରାୟ ଦୁଇ ସପ୍ତାହ ତଳେ ୟୁକ୍ରେନ ସେନା ଦ୍ବାରା ରୁଷିଆର କୁର୍ସ୍କ ଅଞ୍ଚଳ ଦଖଲ। ପ୍ରକାଶ ଥାଉ କି ସାମରିକ ଶକ୍ତି ଦୃଷ୍ଟିରୁ ପୃଥିବୀର ଚବିଶତମ ସ୍ଥାନରେ ଥିବା ୟୁକ୍ରେନକୁ ମାତ୍ର ଦିନ କେଇଟାରେ ଧରାଶାୟୀ କରିଦେବାର ଦୃଢ଼ ପ୍ରତ୍ୟୟ ଓ ପଣ ନେଇ ୨୦୨୨ ମସିହା ଫେବ୍ରୁଆରି ମାସରେ ପୃଥିବୀର ଦ୍ବିତୀୟ ବୃହତ୍ତମ ଶକ୍ତି ରୁଷିଆ ଦ୍ବାରା ପ୍ରାରମ୍ଭ ହୋଇଥିବା ସାମରିକ ଅଭିଯାନ ବସ୍ତୁତଃ ବିଫଳ ହୋଇଛି ବୋଲି ଧାରଣା କ୍ରମେ ଦୃଢ଼ ହୋଇ ଚାଲିଛି। ଏତିକି ବେଳେ କାଳ ଚକ୍ର ଥରଟିଏ ସଂପୂର୍ଣ୍ଣ ଘୂରିଗଲା ଭଳି ୨୦୧୬ ମସିହାରେ ରୁଷିଆ ଦ୍ବାରା କ୍ରିମିଆ (ୟୁକ୍ରେନର) ଅତିକ୍ରମଣର ଏକ ପ୍ରତ୍ୟୁତ୍ତର ସତେ ଯେମିତି ଏହିଭଳି ଭାବେ ମିଳିଯାଇଛି। ଏଭଳି ସ୍ଥଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପ୍ରଭାବ ଓ ପ୍ରତିପତ୍ତି କିଭଳି ତାଙ୍କ ଦେଶ ଭିତରେ ଓ ବାହାରେ କ୍ଷୁଣ୍ଣ ହୋଇଛି, ସେ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ରୁଷିଆର କୁର୍ସ୍କ ଅଞ୍ଚଳରେ ପ୍ରାୟ ହଜାରେ ସରିକି ୟୁକ୍ରେନୀୟ ସୈନ୍ୟଙ୍କ ଅଚାନକ ଅନୁପ୍ରବେଶକୁ ଅନେକ ରଣନୀତିକାର ରୁଷିଆ ସକାଶେ ଏକ ଚେତାବନୀମୂଳକ ସାଂକେତିକ ପଦକ୍ଷେପ ବୋଲି ପ୍ରାରମ୍ଭରେ ବିବେଚନା କରୁଥିଲେ ହେଁ ସଂପ୍ରତି ଧାରଣା ଦୃଢ଼ ହେଲାଣି ଯେ ୟୁକ୍ରେନ ଏଠାରେ ତା’ର ଆସ୍ଥାନ ଜମାଇବ, ଯାହାର ସଦ୍ୟତମ ପ୍ରମାଣ େହଲା ୟୁକ୍ରେନ ପକ୍ଷରୁ ସେଠାରେ ଏକ ‘ସାମରିକ କାର୍ଯ୍ୟାଳୟର ସ୍ଥାପନା, ଯାହାର ଉଦ୍ଦେଶ୍ୟ କୁର୍ସ୍କ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ନାଗରିକ ଜୀବନଧାରାକୁ ପୂର୍ବବତ୍ ଅବ୍ୟାହତ ରଖିବା। ଏଠାରେ ସ୍ମରଣକୁ ଆସିଥାଏ କିଭଳି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନି (ଅକ୍ଷ ଶକ୍ତି) ଦ୍ବାରା କୁର୍ସ୍କ ଦଖଲର ଉଦ୍ୟମକୁ ସୋଭିଏତ୍ ରୁଷିଆ ଦ୍ବାରା ପ୍ରତିହତ କରିବାର ପ୍ରୟାସ ଇତିହାସର ସର୍ବାଧିକ ଭୟାବହ ଟ୍ୟାଙ୍କ ଓ କମାଣ ଯୁଦ୍ଧ ଦେଖିଥିଲା; ଅଥଚ, ସଂପ୍ରତି ୟୁକ୍ରେନ ସେନାଙ୍କ ଅନୁପ୍ରବେଶ ଥିଲା ବସ୍ତୁତଃ ପ୍ରତିରୋଧଶୂନ୍ୟ। କେବଳ ସେତିକି ନୁହେଁ, ସେଠାରେ ଅବସ୍ଥାପିତ ରୁଷୀୟ ସୈନିକମାନେ ୟୁକ୍ରେନ ବାହିନୀ ନିକଟରେ ଆତ୍ମସମର୍ପଣ କରୁଥିବାର ଭିଡିଓମାନ ଇତିମଧ୍ୟରେ ପ୍ରସାରିତ ହେବାରେ ଲାଗିଲାଣି। ଏହା ନିଃସନ୍ଦେହ ଯେ ଏହି ପ୍ରଲମ୍ବିତ ଯୁଦ୍ଧ ଅବଧିରେ ଏହା ହିଁ ହେଉଛି ଭ୍ଲାଡିମିର ପୁଟିନ ଭୋଗିଥିବା ସର୍ବାଧିକ ଅପମାନଜନକ ପରାଭବର କ୍ଷଣ, ଯାହା ଅଗତ୍ୟା ତାଙ୍କ ପ୍ରତିକ୍ରିୟାମାନରୁ ସ୍ପଷ୍ଟ ହୋଇଥାଏ; କାରଣ ସେ ଏହାକୁ ଏକ ଅତିକ୍ରମଣ ରୂପେ ସ୍ବୀକାର ନ କରି ଆତଙ୍କବାଦୀ କାର୍ଯ୍ୟ ରୂପେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ପୁଟିନ ମଧ୍ୟ ଜାତିସଂଘ ଦ୍ବାରା ପ୍ରଣୀତ ଅନ୍ୟ ରାଷ୍ଟ୍ରର ସୀମା ଅତିକ୍ରମଣ ସନନ୍ଦର ଉଲ୍ଲେଖ କରି ଜାତିସଂଘ ଠାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଲୋଡ଼ିଛନ୍ତି। ଏହା ସୁବିଦିତ ଯେ ସାମରିକ ଶକ୍ତି ଦୃଷ୍ଟିରୁ ଖୁବ୍ ଅଧିକ ଉନ୍ନତ ରୁଷୀୟ ସେନା ତା’ର ଅଢ଼େଇ ବର୍ଷର ଦୀର୍ଘ ଅଭିଯାନ ସତ୍ତ୍ବେ ଅଳ୍ପ କେତେକ ସ୍ଥାନରେ ୟୁକ୍ରେନକୁ ଖୁଂପି ଖାଇଥିବା ଭଳି ସାମନ୍ୟ ସାଫଲ୍ୟ ଅର୍ଜନ କରିପାରିଛି, ଯହିଁରେ ରୁଷ୍ ଅଧିକୃତ ୟୁକ୍ରେନୀୟ ଅଞ୍ଚଳର କ୍ଷେତ୍ରଫଳ ୧୩୦୦ ବର୍ଗ କିଲୋମିଟର। ଅଥଚ, ମାତ୍ର ଦୁଇ ସପ୍ତାହ ମଧ୍ୟରେ ୟୁକ୍ରେନ ୧୦୦୦ ବର୍ଗ କିଲୋମିଟରରୁ ଅଧିକ ରୁଷୀୟ ଅଞ୍ଚଳକୁ ଅକ୍ତିଆର କରି ସାରିଲାଣି। ଏହି ପରିପ୍ରେକ୍ଷୀରେ ରଣନୀତିକାରମାନେ ୟୁକ୍ରେନ-ରୁଷିଆ ଯୁଦ୍ଧର ଭବିଷ୍ୟତ୍ ନେଇ ଭିନ୍ନ ସମ୍ଭାବନାର ପୂର୍ବାନୁମାନ କରିଥାଆନ୍ତି। ସେମାନଙ୍କ ମତରେ ୟୁକ୍ରେନ ସେନାକୁ ବହିଷ୍କାର କରିବା ଲାଗି ସେଠାରେ ଭୟାବହ ଯୁଦ୍ଧ ସଂଘଟିତ ହେବାର ସମ୍ଭାବନା ଅତ୍ୟନ୍ତ ଅଧିକ। କିନ୍ତୁ, ଏହା ମଧ୍ୟ ସତ ଯେ ରୁଷୀୟ େସୖନ୍ୟ ବାହିନୀର କୌଣସି ଅଂଶ ସହସା ଆକ୍ରମଣର ଖସଡ଼ାରେ ବ୍ୟତିକ୍ରମ ଘଟାଇ କୁର୍ସ୍କ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କଲେ ପରିଚାଳନାଗତ ବିଭ୍ରାଟ ସୃଷ୍ଟି ହେବା ସହିତ କେତେକ ସ୍ଥାନରେ ରୁଷୀୟ ସେନାଙ୍କ ପ୍ରଭାବ ଦୁର୍ବଳ ହୋଇ ପଡ଼ିବ। ସୁତରାଂ, ପୁଟିନଙ୍କ ସକାଶେ ଏହା ଏକ ଧର୍ମ ସଂକଟ ସୃଷ୍ଟି କରିବ। ଅନେକ ବିଶେଷଜ୍ଞଙ୍କ ଅନୁମାନ କହିଥାଏ ଯେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍ସ୍କି ତାଙ୍କ ଦ୍ବାରା ଅଧିକୃତ ଅଞ୍ଚଳ ବିନିମୟରେ ରୁଷୀୟ ଦଖଲରେ ଥିବା ୟୁକ୍ରେନୀୟ ଅଞ୍ଚଳର ମୁକ୍ତି ଦାବି କରିପାରନ୍ତି। ଏଭଳି ଭିନ୍ନ ଭିନ୍ନ ଅନ୍ଦାଜ ଲଗାଉଥିବା ରଣନୀତିକାରମାନେ କିନ୍ତୁ ପ୍ରାୟ ସହମତ ଯେ ସମ୍ଭବତଃ ଏହି ଠାରୁ ପୁଟିନଙ୍କ ପତନର ପର୍ବର ଅୟମାରମ୍ଭ ହୋଇଯାଇପାରେ!
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଯୁଦ୍ଧରୁ ଆଶାନୁରୂପକ ସଫଳତା ପାଉ ନ ଥିବା ଭ୍ଲାଡିମିର ପୁଟିନଙ୍କ ଦୋଦୁଲ୍ୟମାନ ଆତ୍ମ-ପ୍ରତ୍ୟୟ ଏହା ଫଳରେ ସଂପୂର୍ଣ୍ଣ ଭାବେ ଦୋହଲି ଯାଇଥିବ! ଏହି ଯୁଦ୍ଧରେ ୟୁକ୍ରେନୀୟ ସୈନ୍ୟ ବାହିନୀ ସେମାନଙ୍କ ସୀମିତ ସାଧନ (ପାଶ୍ଚାତ୍ୟ ଦେଶରୁ ସାମରିକ ସହାୟତା ମିଳୁଥିଲେ ସୁଦ୍ଧା) ସତ୍ତ୍ବେ ରୁଷୀୟ ସାମରିକ ବାହିନୀର ଯେଉଁ ବିପୁଳ କ୍ଷତି ଘଟାଇ ସାରିଲେଣି, ତହିଁରୁ ଯୁଦ୍ଧ ଓ ତା’ର ପରିଣାମ ନେଇ ରହିଥିବା ଅନେକ ପୂର୍ବ ଧାରଣା ଧୂଳିସାତ୍ ହୋଇ ସାରିଲାଣି। ନିକଟରେ କୃଷ୍ଣ ସାଗରରେ ମୁତୟନ ହୋଇଥିବା ରୁଷୀୟ ଆଣବିକ ବୁଡ଼ାଜାହାଜକୁ ଧ୍ବଂସ କରିଦେଇ ୟୁକ୍ରେନ ଏକ ଅତୁଲ୍ୟ ସଫଳତା ହାସଲ କରିଛି, ଯାହା ଫଳରେ ରୁଷୀୟ ନୌବାହିନୀ ନିଜ ନୌଶକ୍ତିରେ ଅଧିକ କ୍ଷତି ସହ୍ୟ କରିବାର ସାହସ ଜୁଟାଇ ନ ପାରି କୃଷ୍ଣ ସାଗରରୁ ଅଗତ୍ୟା ସଂପୂର୍ଣ୍ଣ ରୂପେ ଅପସରି ଗଲାଣି। ସେହିଭଳି ନିକଟରେ ଏକ ଭିଡିଓରେ ଦେଖିବାକୁ ମିଳିଛି କିଭଳି ୫୦ ଡଲାର ମୂଲ୍ୟର ଏକ ବେସିକ୍ ଏଫ୍ପିଭି ବା ଖେଳଣା ଡ୍ରୋନ୍ ବ୍ୟବହାର କରି ୟୁକ୍ରେନୀୟ ସେନା ଦୁଇଟି ଅତି ମୂଲ୍ୟବାନ ରୁଷୀୟ ସାମରିକ ହେଲିକପ୍ଟର ଧରାଶାୟୀ କରି ଦେଇଛନ୍ତି। ଏହି ବିଷୟରେ ଆଲୋଚନା ବେଳେ ଭ୍ଲାଡିମିର ପୁଟିନ ହେରୋଡୋଟସଙ୍କ ପ୍ରାଚୀନ ପୃଥିବୀ ଇତିହାସରେ ବର୍ଣ୍ଣିତ ଅସାମାନ୍ୟ ଶକ୍ତିଶାଳୀ ଓ ବିତ୍ତଶାଳୀ ସମ୍ରାଟ କ୍ରୋସସଙ୍କ ତୁଲ୍ୟ ଦିଶନ୍ତି। ହେରୋଡୋଟସଙ୍କ ଇତିହାସରେ ରହିଛି କିଭଳି ଡେଲଫିର ଅକାଟ୍ୟ ଦୈବୀ ଭବିଷ୍ୟବାଣୀ ଲିଡିଆର ଅହଙ୍କାରୀ ରାଜା କ୍ରୋସସଙ୍କୁ କହିଥିଲା ଯେ ପର୍ସିଆ ଉପରେ ଆକ୍ରମଣ କଲେ ସେ ଗୋଟିଏ ରାଜ୍ୟକୁ ସଂପୂର୍ଣ୍ଣ ରୂପେ ବିଧ୍ବସ୍ତ କରିଦେବେ ଏବଂ ତହିଁରେ ପୁଲକିତ କ୍ରୋସସ କ୍ଷୁଦ୍ର ରାଜ୍ୟ ପର୍ସିଆ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। କିନ୍ତୁ ବିଧିର ବିଡ଼ମ୍ବନା, ସେହି ଯୁଦ୍ଧରେ ଯେଉଁ ରାଜ୍ୟ ଚୂର୍ଣ୍ଣୀଭୂତ ହୋଇଯିବ ବୋଲି ଦୈବୀ ବାଣୀ ହୋଇଥିଲା, ତାହା ପ୍ରକୃତରେ ଥିଲା କ୍ରୋସସଙ୍କ ଅସାମାନ୍ୟ ସାମ୍ରାଜ୍ୟ ଲିଡିଆ। ସାଇରସଙ୍କ ନେତୃତ୍ବରେ ଦୁର୍ବଳ ପର୍ସିଆ ଯୁଦ୍ଧରେ ଜୟଯୁକ୍ତ ହୋଇଥିଲା। ଶାସକର ଅହମିକା କିଭଳି ଚକ୍ଷୁ ବନ୍ଧନ କରିଥାଏ, ଏହା ତା’ର ଏକ ପ୍ରାଚୀନ ଦୃଷ୍ଟାନ୍ତ, ଯାହା ପୁର୍ନବାର ପୁଟିନଙ୍କ କ୍ଷେତ୍ରରେ ଘଟିବାକୁ ଯାଉଛି କି?
ଏହା ସୁବିଦିତ ଯେ ଯୁଦ୍ଧ ପୂର୍ବରୁ ୟୁକ୍ରେନ ଥିଲା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଏବଂ ଭ୍ଲୋଡିମିର ଜେଲେନସ୍କି ଥିଲେ ତାହାର ଜେଣ ନିର୍ବାଚିତ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପୂର୍ବରୁ ଜେଲେନ୍ସ୍କି ମଧ୍ୟ ଥିଲେ ଜଣେ ହାସ୍ୟାଭିନେତା। ସୁତରାଂ, ପୁଟିନ ତାଙ୍କୁ ଜଣେ ନରମ ମେରୁଦଣ୍ଡଧାରୀ ବ୍ୟକ୍ତି ରୂପେ ଧରି ନେଇଥିବେ; ଏବଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚିତ ରାଷ୍ଟ୍ରପତି ରୂପେ ସେ ଅତ୍ୟନ୍ତ ପତନଶୀଳ ହୋଇଥିବେ ବୋଲି ମଧ୍ୟ ତାଙ୍କର ଧାରଣାଟିଏ ଥିବ। କିନ୍ତୁ ଜେଲେନ୍ସ୍କି ସେଭଳି ନମନୀୟତା ବା ଭୟ ବା ଭଙ୍ଗୁରତା ପ୍ରଦର୍ଶନ କରିନାହାନ୍ତି। ବରଂ ତାଙ୍କ ଅଭିନେତାସୁଲଭ ପ୍ରତିଭାର ପ୍ରଦର୍ଶନ ପୂର୍ବକ ଏ ଯୁଦ୍ଧରେ ଅନେକ ନାଟକୀୟ କ୍ଷଣମାନ ସୃଷ୍ଟି କରି ସମସ୍ତଙ୍କୁ ହତଚକିତ କରି ଚାଲିଛନ୍ତି। ଏହି ସ୍ଥିତିରେ ଟିକିଏ ଚଟୁଳତା ପ୍ରୟୋଗ କରି ଏହା ମଧ୍ୟ କୁହାଯାଇପାରେ କି ଜେଲେନ୍ସ୍କିଙ୍କ ଦ୍ବାରା କୁର୍ସକ୍ ଦଖଲ ହେଉଛି ଅଦ୍ବିତୀୟ ରୁଷୀୟ ଚେସ୍ ଖେଳାଳି ଗେରି କାସପାରୋଭଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ଉପହାର; ଯିଏ ତୀବ୍ର ପୁଟିନ ବିରୋଧୀ ଏବଂ ୟୁକ୍ରେନ ଉପରେ ରୁଷୀୟ ଆକ୍ରମଣର ଉତ୍କଟ ସମାଲୋଚକ ରୂପେ ପରିଚିତ? କାରଣ ଏହି ଯୁଦ୍ଧର ଚେସ୍ ବୋର୍ଡରେ ଏହା ହିଁ ହେଉଛି ୟୁକ୍ରେନର ସର୍ବୋତ୍କୃଷ୍ଟ ଗୋଟି ଚାଳନା।