ସଂପ୍ରତି ୱିଲିଅମ୍ସ ଓ ୱିଲ୍ମର୍ ଭୂପୃଷ୍ଠର ସମୟ ସାରଣୀରୁ ମୁକ୍ତ; ଏବଂ ‘ଆଇ.ଏସ୍.ଏସ୍.’ରେ ଉପଲବ୍ଧ ‘ୟୁନିଭର୍ସାଲ୍ ଟାଇମ୍ କ୍ଲକ୍’ ସେମାନଙ୍କୁ ‘ଗ୍ରିନ୍ୱିଚ୍ ମିନ୍ ଟାଇମ୍’ ଓ ଦିନ ଓ ବାର ଆଦି ଜଣାଉଥିବ। ନଚେତ ଅନ୍ତରୀକ୍ଷର ନିରନ୍ଧ୍ର ଅନ୍ଧକାରରେ ସେମାନେ ତରଳ ସମୟର ସ୍ରୋତରେ ଭାସୁଥିବେ, ଯହିଁରେ ଦିବସ ଓ ରଜନୀର ବିଭାଜନ ନ ଥିବ! ଏଭଳି ସ୍ଥଳେ ଭୂପୃଷ୍ଠରେ ରହିଥିବା ଆମ ଭଳି କେହି ନିଜ କଳ୍ପନାକୁ ରୂପ ଦେଇ ଏକ ନାଟକୀୟ କ୍ଷଣ ସୃଷ୍ଟି କରିପାରନ୍ତି ଯହିଁରେ ୨୦୨୫ ମସିହାର ଗୋଟିଏ ଫେବ୍ରୁଆରି ମୁହୂର୍ତ୍ତ ହଠାତ୍ ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିବ, ‘ତ୍ରିଶଙ୍କୁରୁ ମୁକ୍ତ ହେଲ, ଏବେ ଘରକୁ ଚାଲ!’
ଭୂପୃଷ୍ଠରେ ଘଟି ଚାଲିଥିବା ଯୁଦ୍ଧ, ବିଦ୍ରୋହ, ସଂତ୍ରାସ, ପ୍ରାକୃତିକ ଦୁର୍ବିପାକ, କ୍ରୀଡ଼ା, ନିର୍ବାଚନ, ଆବିଷ୍କାର-ଉଦ୍ଭାବନ, ମାନବୀୟ ବିଚ୍ୟୁତି ଓ ସଂବେଦନ ଇତ୍ୟାଦିର କାହାଣୀରେ ଭରପୂର ଖବରକାଗଜଗୁଡ଼ିକରେ ଅନ୍ତରୀକ୍ଷରେ ଘଟିଥିବା ଏକ ଘଟଣା ହୁଏତ ଖୁବ୍ କମ୍ ଲୋକଙ୍କ ଦୃଷ୍ଟି ପଥାରୂଢ଼ ହୋଇଥିବ, ଯାହା ହେଉଛି ‘ଇଣ୍ଟର୍ନେସ୍ନାଲ୍ ସ୍ପେସ୍ ଷ୍ଟେସନ୍’ (ଆଇ.ଏସ୍.ଏସ୍.) ବା ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ଅଗତ୍ୟା ଅଟକ ହୋଇ ରହିଯାଇଥିବା ଦୁଇ ମହାକାଶଚାରୀଙ୍କ ବିଷୟ, ଯେଉଁମାନେ ଗଲା ଜୁନ୍ ମାସରେ ମାତ୍ର ସପ୍ତାହକ ସକାଶେ ସେଠାକୁ ଯାଇଥିଲେ ଏବଂ ଇତିମଧ୍ୟରେ ଅଶୀରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କ ଧରାବତରଣ ନେଇ ଅନିଶ୍ଚିତତା ଏ ଯାବତ୍ ଲାଗି ରହିଛି। ଏହି ଘଟଣା ଆମ ଦେଶ ସକାଶେ ଅଧିକ ଆଲୋଚ୍ୟ ବୋଲି ମନେ କରିବାର କାରଣ ହେଲା ମହାକାଶଚାରୀ ଦ୍ବୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ମୂଳୋଦ୍ଭବ ସୁନୀତା ୱିଲିଅମ୍ସ, ଯିଏ ମହାକାଶ ବିଜ୍ଞାନ ଓ ମହାକାଶ ଯାତ୍ରା ସଂଦର୍ଭରେ ଅଗଣିତ ଭାରତୀୟ ଛାତ୍ରଛାତ୍ରୀଙ୍କ ସକାଶେ ପ୍ରେରଣାର ସ୍ରୋତ ପାଳଟିଥାଆନ୍ତି। ସୁତରାଂ, ସେମାନଙ୍କ ଏଭଳି ତ୍ରିଶଙ୍କୁ ସ୍ଥିତି ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଗଲା ଜୁନ୍ ୬ ତାରିଖରେ ପୃଥିବୀର କକ୍ଷ ପଥରେ ପ୍ରଦକ୍ଷିଣ କରୁଥିବା ‘ଆଇ.ଏସ୍.ଏସ୍.’ ସହିତ ସଫଳ ଭାବେ ସଂଯୁକ୍ତ ହୋଇ ପାରିଥିବା ‘ନାସା’ (ଆମେରିକୀୟ ମହାକାଶ ପ୍ରତିଷ୍ଠାନ) ପ୍ରେରିତ ମହାକାଶଯାନ ‘ଷ୍ଟାର୍ଲାଇନର୍’ର ପାଇଲଟ୍ ବା ଚାଳିକା ଥିଲେ ସୁନୀତା ୱିଲିଅମ୍ସ ଏବଂ ତାଙ୍କ ସହଯାତ୍ରୀ ଥିଲେ ବ୍ୟାରି ୱିଲ୍ମର୍। ବୋଇଂ କଂପାନି ଦ୍ବାରା ନିର୍ମିତ ମହାକାଶଯାନ ‘ଷ୍ଟାର୍ଲାଇନର୍’ ତା’ର ପ୍ରଥମ ମହାକାଶ ଯାତ୍ରାରେ ୩୪୫ କିଲୋଗ୍ରାମ ଓଜନର ମାଲ ଏବଂ ଉପରୋକ୍ତ ଦୁଇ ମହାକାଶଚାରୀଙ୍କୁ ଘେନି ଗନ୍ତବ୍ୟରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ ଭୂପୃଷ୍ଠରୁ ମହାକାଶ ବାରମ୍ବାର ଯିବାଆସିବା କରିପାରିବାର ସାମର୍ଥ୍ୟ ବହନ କରି ‘ଷ୍ଟାର୍ଲାଇନର୍’ର ଆବିର୍ଭାବ ଘଟିଥିଲା; କିନ୍ତୁ ମହାକାଶରେ ପହଞ୍ଚିବା ପରେ ତହିଁରେ ପରିଦୃଷ୍ଟ କେତେକ ଗୁରୁତର ପ୍ରଯୁକ୍ତିଗତ ତ୍ରୁଟି ହେତୁ ଅଗତ୍ୟା ୱିଲିଅମ୍ସ ଓ ୱିଲ୍ମର୍ଙ୍କ ଘର ବାହୁଡ଼ାର ସମ୍ଭାବନା ଅନିର୍ଦ୍ଦିଷ୍ଟତା ମଧ୍ୟରେ ଝୁଲି ରହିଛି। ‘ଷ୍ଟାର୍ଲାଇନର୍’ର ‘ପ୍ରପଲ୍ସନ୍’ ବା ଉତ୍େକ୍ଷପଣ ସିଷ୍ଟମ୍ରେ କେତେକ ତ୍ରୁଟି ଓ ହିଲିଅମ୍ ଲିକ୍ ଭଳି ଘଟଣା କାରଣରୁ ‘ଷ୍ଟାର୍ଲାଇନର୍’ ପ୍ରତ୍ୟାବର୍ତ୍ତନ ଅନୁପଯୁକ୍ତ ବୋଲି ‘ନାସା’ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଭଳି ସ୍ଥଳେ ବିକଳ୍ପ ଭାବେ ‘ସ୍ପେସ୍ ଏକ୍ସ’ ନିର୍ମିତ ‘କ୍ରିଉ ନାଇନ୍’କୁ ସେଠାକୁ ପ୍ରେରଣ କରିବା ସକାଶେ ପ୍ରୟାସ ଆରମ୍ଭ ହୋଇଛି। ଏଭଳି ସ୍ଥଳେ ବୋଇଂ କଂପାନିର ବିଶେଷଜ୍ଞମାନେ ‘ଷ୍ଟାର୍ଲାଇନର୍’ର ପୃଥିବୀ ପ୍ରତ୍ୟାବର୍ତ୍ତନକୁ ସମ୍ଭବ କରିବା ସକାଶେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ଏବଂ ସୁନୀତା ୱିଲିଅମ୍ସ ଏ ନେଇ ଆଶାବାଦୀ ଥିବା ସତ୍ତ୍ବେ ତିଳେ ମାତ୍ର ବିପଦ ବରଣ କରିବାର ସମ୍ଭାବନାକୁ ‘ନାସା’ ପକ୍ଷରୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରାଯାଇଥାଏ। ଏ ପରିପ୍ରେକ୍ଷୀରେ ଘର ବାହୁଡ଼ା ଯାତ୍ରା କାଳରେ ‘କଲମ୍ବିଆ’ ନାମଧାରୀ ମହାକାଶ ଯାନଟି ବିଧ୍ବସ୍ତ ହୋଇଯିବା ଏବଂ ସେଥିରେ ଥିବା ତିନି ଜଣ ମହାକାଶଚାରୀ (କଳ୍ପନା ଚାଵଲାଙ୍କ ସମେତ)ଙ୍କ ପ୍ରାଣହାନି ଘଟିବା ‘ନାସା’ ସକାଶେ ଏକ ଚିରନ୍ତନ ସତର୍କ ଘଣ୍ଟି ଭଳି କାମ କରିଥାଏ।
ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହାରୁ ‘ନାସା’ ପକ୍ଷରୁ ଘରୋଇ କଂପାନି ଦ୍ବାରା ନିର୍ମିତ ମହାକାଶ ଯାନର ବ୍ୟବହାର କରାଯାଉଛି, ଯେଉଁ କ୍ରମରେ ‘କ୍ରିଉ ନାଇନ୍’ର ମହାକାଶ ଅଭିଯାତ୍ରା ହେବ ‘ସ୍ପେସ୍ ଏକ୍ସ’ ଲାଗି ପଞ୍ଚଦଶ ଅନୁଭୂତି ଏବଂ ‘ବୋଇଂ’ ଓ ‘ସ୍ପେସ୍ଏକ୍ସ’ ମଧ୍ୟରେ ରହିଥିବା ପ୍ରତିଦ୍ବନ୍ଦ୍ବିତା ଦୃଷ୍ଟିରୁ ‘ବୋଇଂ’ ସକାଶେ ଏକ ହେବ ଏକ ବୃହତ୍ ଧକ୍କା। ଇତିମଧ୍ୟରେ ‘ସ୍ପେସ୍ ଏକ୍ସ’ ଦ୍ବାରା ବିକଶିତ ‘ଡ୍ରାଗନ କ୍ରିଉ’ ଶୃଙ୍ଖଳାର ମହାକାଶଯାନଗୁଡ଼ିକ ‘ଆଇ.ଏସ୍.ଏସ୍.’କୁ ଉଭୟ ମାଲ ଓ ମନୁଷ୍ୟ ପରିବହନ କରି ଆସୁଛନ୍ତି। ତେବେ, ଗଲା ଶୁକ୍ରବାର ଦିନ ‘ନାସା’ ପକ୍ଷରୁ ହୋଇଥିବା ଏକ ଘୋଷଣା ପରେ ସୁନୀତା ୱିଲିଅମ୍ସ ଓ ୱିଲ୍ମର୍ଙ୍କ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନର ସମ୍ଭାବନା ଆହୁରି ଅନିର୍ଦ୍ଦିଷ୍ଟତା ମଧ୍ୟକୁ ଠେଲି ହୋଇଯାଇଛି, କାରଣ ତାହା ଅନୁସାେର ‘କ୍ରିଉ ନାଇନ୍’ର ମହାକାଶ ଯାତ୍ରା ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି ଏବଂ ୨୦୨୫ ମସିହା ଫେବ୍ରୁଆରି ମାସ ପୂର୍ବରୁ ପ୍ରତ୍ୟାବର୍ତ୍ତନ ହୁଏତ ସମ୍ଭବ ନୁହେଁ। ଏଭଳି ସ୍ଥଳେ ଯାହା ଚିନ୍ତା ଉଦ୍ରେକକାରୀ, ତାହା ହେଲା ମାହକାଶର ‘ମାଇକ୍ରୋ ଗ୍ରାଭିଟି’ ବା ‘ମାଧ୍ୟାକର୍ଷଣର ପ୍ରାୟ ଅନୁପସ୍ଥିତି’ ଭଳି ପରିବେଶରେ ଏଭଳି ଦୀର୍ଘକାଳୀନ ରହଣି ଦ୍ବାରା ମହାକାଶଚାରୀ ଦ୍ବୟଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବର ଆଶଙ୍କା। ଏଭଳି ପରିସ୍ଥିତିରେ ଚକ୍ଷୁର କର୍ନିଆ ବା ଶ୍ବେତପଟଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ ଏବଂ ମାଂସାପେଶୀ କ୍ଷୟ ତଥା ଅସ୍ଥିର ସାର ଶୂନ୍ୟ ହେବାର ସମ୍ଭାବନା ଥାଏ। କେତେକ ବିଶେଷଜ୍ଞ କହିଥାଆନ୍ତି ଯେ ଅନ୍ତରୀକ୍ଷର ନିତାନ୍ତ ନିଃସଙ୍ଗତା ମଧ୍ୟରେ ଘର ବାହୁଡ଼ିବାକୁ ବାହାରିଥିବା ମହାକାଶଚାରୀ ଦ୍ବୟ ହଠାତ୍ ଅନିର୍ଦ୍ଦିଷ୍ଟ କାଳ ଲାଗି ଅଟକି ଯିବା ଏବଂ ଚାରି ଶହ କିଲୋମିଟର ଦୂର ଭୂ-ପୃଷ୍ଠରୁ େଯ କୌଣସି ପ୍ରତିକାର ବ୍ୟବସ୍ଥା ସହସା କାର୍ଯ୍ୟକାରୀ ହୋଇ ନ ପାରିବା ଭଳି ବିଷୟ ହୁଏତ ସେମାନଙ୍କୁ ମାନସିକ ଭାବେ ମଧ୍ୟ ଦୁର୍ବଳ କରି ଦେଉଥାଇପାରେ! ଏ କ୍ଷେତ୍ରେର ସୁନୀତାଙ୍କ ଅଭିଜ୍ଞତା ତାଙ୍କ ମନଃସ୍ଥିତିକୁ ଦୃଢ଼ ରଖିବ ଏବଂ ପ୍ରଥମ ଥର ଲାଗି ମହାକାଶ ଯାତ୍ରା କରିଥିବା ୱିଲ୍ମର୍ଙ୍କୁ ଆଶ୍ବାସନା ମଧ୍ୟ ଦେଉଥିବ। ପ୍ରକାଶ ଥାଉ କି ଜଣେ ମହାକାଶଚାରୀ ଭାବେ ସୁନୀତାଙ୍କ ଉପଲବ୍ଧି ଇତିହାସ ସୃଷ୍ଟିକାରୀ; କାରଣ ସେ ହେଉଛନ୍ତି ଅନ୍ତରୀକ୍ଷରେ ସାତ ଥର ବିଚରଣ କରିଥିବା ଓ ଅନ୍ତରୀକ୍ଷ ବିଚରଣରେ ପଚାଶ ଘଣ୍ଟାରୁ ଅଧିକ ସମୟ ବିତାଇଥିବା ଏକମାତ୍ର ମହିଳା! କେବଳ ସେତିକି ନୁହେଁ, ସୁନୀତା ୱିଲିଅମ୍ସଙ୍କ ପ୍ରଥମ ମହାକାଶ ଯାତ୍ରା କାଳରେ ତାଙ୍କ ଗୁଜରାଟୀ ପିତାଙ୍କ ଦ୍ବାରା ପ୍ରଦତ୍ତ ଗୀତା ଓ ଉପନିଷଦ୍ ‘ଆଇ.ଏସ୍.ଏସ୍.’ରେ ବିଦ୍ୟମାନ। ସଂଶୟ କାଳରେ ମାର୍ଗଦର୍ଶନ କରାଉଥିବା ଗୀତା ପ୍ରଦତ୍ତ ଗୂଢ଼ ଜ୍ଞାନ ସୁନୀତାଙ୍କୁ ସ୍ଥିତପ୍ରଜ୍ଞା ପ୍ରଦାନ କରିବ ଏବଂ ଉଭୟ ମହାକାଶଚାରୀ ସେମାନଙ୍କ ଗବେଷଣାରେ ନିମଜ୍ଜିତ ରହି ନିଃସଙ୍ଗ ସମୟର ତାଡ଼ନାରୁ ହୁଏତ ନିଜକୁ ମୁକ୍ତ ରଖିବେ!
‘ଆଇ.ଏସ୍.ଏସ୍.’ରୁ ପ୍ରଦାନ କରିଥିବା ଏକ ସାକ୍ଷାତକାରରେ ସୁନୀତା ଠାଏ କହିଥିଲେ ଯେ ଅନ୍ତରୀକ୍ଷରୁ ପୃଥିବୀ କେବଳ ଏକ ସୁନୀଳ ଗ୍ରହ ମାତ୍ର ଭଳି ଦିଶି ନ ଥାଏ, ବରଂ, ବିଭିନ୍ନ ଋତୁ ଓ ସମୟରେ ଏହା ଆକର୍ଷଣୀୟ ଭାବେ ବହୁବର୍ଣ୍ଣା ହୋଇଉଠେ, ଯହିଁରେ ମେଘ ଓ ପର୍ବତ ମାଳାଗୁଡ଼ିକ ମଧ୍ୟ ସତେ ଯେମିତି ସଜୀବ ହୋଇ ଉଠନ୍ତି। ସେ କହିଥିଲେ ଯେ ମହାକାଶରୁ ଚିରନ୍ତନ କାଳ ଲାଗି ପୃଥିବୀକୁ ଅକ୍ଳାନ୍ତ ଭାବେ ଅବଲୋକନ କରି ରହିହେବ। ସୁତରାଂ, ପ୍ରାଣପ୍ରିୟ ପୃଥିବୀକୁ ନିର୍ନିମେଷ ନୟନରେ ଚାହିଁ ରହିବାରେ ସେମାନଙ୍କ କିଛି ସମୟ କଟି ଯାଉଥାଇପାରେ! ସଂପ୍ରତି ୱିଲିଅମ୍ସ ଓ ୱିଲ୍ମର୍ ଭୂପୃଷ୍ଠର ସମୟ ସାରଣୀରୁ ମୁକ୍ତ; ଏବଂ ‘ଆଇ.ଏସ୍.ଏସ୍.’ରେ ଉପଲବ୍ଧ ‘ୟୁନିଭର୍ସାଲ୍ ଟାଇମ୍ କ୍ଲକ୍’ ସେମାନଙ୍କୁ ‘ଗ୍ରିନ୍ୱିଚ୍ ମିନ୍ ଟାଇମ୍’ ଓ ଦିନ ଓ ବାର ଆଦି ଜଣାଉଥିବ। ନଚେତ ଅନ୍ତରୀକ୍ଷର ନିରନ୍ଧ୍ର ଅନ୍ଧକାରରେ ସେମାନେ ତରଳ ସମୟର ସ୍ରୋତରେ ଭାସୁଥିବେ, ଯହିଁରେ ଦିବସ ଓ ରଜନୀର ବିଭାଜନ ନ ଥିବ! ଏଭଳି ସ୍ଥଳେ ଭୂପୃଷ୍ଠରେ ରହିଥିବା ଆମ ଭଳି କେହି ନିଜ କଳ୍ପନାକୁ ରୂପ ଦେଇ ଏକ ନାଟକୀୟ କ୍ଷଣ ସୃଷ୍ଟି କରିପାରନ୍ତି ଯହିଁରେ ୨୦୨୫ ମସିହାର ଗୋଟିଏ ଫେବ୍ରୁଆରି ମୁହୂର୍ତ୍ତ ହଠାତ୍ ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିବ, ‘ତ୍ରିଶଙ୍କୁରୁ ମୁକ୍ତ ହେଲ, ଏବେ ଘରକୁ ଚାଲ!’