କେତେକ ନୀତି ବା ନିୟମ ଆଧାରରେ ପରିଚାଳିତ ମାନବୀୟ ଜୀବନଧାରାର ଅନ୍ୟ ନାମ ଶାସନ। ନିୟମ ଶାସନର ମୂଳ ଭିତ୍ତି। ନିୟମ ନାହିଁ ତ ଶାସନ ନାହିଁ। ହେଲେ ତାହା କେଉଁ ନିୟମ? ପୂର୍ବକାଳରେ ରାଜା, ମହାରାଜାମାନେ ଯେ ଶାସନ କରୁଥିଲେ ତାହା କେଉଁ ନିୟମକୁ ଆଧାର କରି ଚାଲୁଥିଲା? ପ୍ରଭୁ ଶ୍ରୀରାମ ଶ୍ରେଷ୍ଠ ଶାସକର ମର୍ଯ୍ୟାଦା ପାଇଁ ଏବେ ବି ପ୍ରସିଦ୍ଧ। ସେଥିପାଇଁ ଆଜି ସୁଦ୍ଧା ଲୋକେ ରାମରାଜ୍ୟର ଆଶା କରନ୍ତି। ଥାଇଲାଣ୍ଡ ଭଳି ଦେଶ ରାମାୟଣ ଓ ରାମଙ୍କୁ ସାମ୍ପ୍ରତିକ କାଳରେ ବି ମୁଣ୍ଡରେ ବସାଇଛନ୍ତି! ଯୁଧିଷ୍ଠିର ଥିଲେ ସୁଶାସକ, ଧର୍ମରାଜ। ସେତେବେଳେ ଲିଖିତ ନିୟମ ବୋଲି ତ କିଛି ନ ଥିଲା!
ଭାରତରେ ସମ୍ରାଟ ଅଶୋକ, ଆକବର, ରଣଜିତ୍‌ ସିଂହ ଆଦିଙ୍କର ସୁଶାସନ କଥା କୁହାଯାଏ। ସେସବୁ କେଉଁ ନିୟମ ବା ବିଧାନକୁ ଧରି ଲକ୍ଷ ଲକ୍ଷ ଲୋକଙ୍କର ଜୀବନଧାରାକୁ ପରିଚାଳିତ କରୁଥିଲା? ଆଜିର ସଂବିଧାନ ପରିଚାଳିତ ବ୍ୟବସ୍ଥା ଭଳି ସେତେବେଳେ ସେମିତି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନ ଥିଲା। ଶାସନର ମୁଖ୍ୟ, ରାଜା ବା ସମ୍ରାଟ ଯାହା କହୁଥିଲେ ତାହା ପାଲଟି ଯାଉଥିଲା ନିୟମ।
ଶାସନ ପାଇଁ ‌ଶାସକଟିଏ ଯେ ଲୋଡ଼ା ଏ କଥା କାହିଁ କେତେ ପ୍ରାଚୀନ। ଏପରି କି ହିନ୍ଦୁ ମତରେ ସ୍ବର୍ଗର ପରିଚାଳନା ପାଇଁ ରାଜାଟିଏ ଲୋଡ଼ା ହେବାରୁ ଇନ୍ଦ୍ରପଦ ସୃଷ୍ଟିର ପରିକଳ୍ପନା ହୋଇଛି। ସୃ‌ଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ଶିବ ଥାଉ ଥ‌ାଉ ଇନ୍ଦ୍ରପଦ ସୃଷ୍ଟି କରି ତା’ଙ୍କୁ ଶାସନଭାର ଦିଆଯାଇଛି। ଅଦ୍ଭୁତ କଥା, ଜଣେ ପାଳିବ ଆଉ ଜଣେ ଶାସନ କରିବ। ସ୍ବର୍ଗରେ ବ୍ରହ୍ମା, ବିଷ୍ଣୁ, ଶିବଙ୍କର ଶାସନ କାହାଣୀ ନାହିଁ, ସବୁ ଏଇ ମର୍ତ୍ତ୍ୟ ନ ହେଲେ ପାତାଳକୁ ନେଇ। ଅସୁବିଧା ହେଲେ ସ୍ବର୍ଗ, ମର୍ତ୍ତ୍ୟ, ପାତାଳର ଲୋକେ ଏଇମାନଙ୍କ ପାଖକୁ ଯାଆନ୍ତି, ଅଥଚ ତିନି ଲୋକର ଶ୍ରେଷ୍ଠ ଇଲାକା ସ୍ବର୍ଗର ଶାସକ ହେଉଛନ୍ତି ଇନ୍ଦ୍ର। ମନେ ରଖିବା ଦରକାର ଯେ ଏ ଇନ୍ଦ୍ରପଦରେ ବସୁଥିବା ବ୍ୟକ୍ତି ସ୍ଥିର ନୁହନ୍ତି। ‌େବଳେ ବେଳେ ସେ ପଦକୁ ସ୍ଥଳ ବିଶେଷରେ ଅସୁର ବା ମଣିଷ ବି ଅଧିକାର କରି ନିଅନ୍ତି। ତେଣୁ କଥାରେ ଅଛି- କେତେ ଇନ୍ଦ୍ର ଗଲେଣି କିନ୍ତୁ ସେଇ ଏକା ଶଚ୍ଚି (ରାଣୀ) ଅଛନ୍ତି।
ଶଚ୍ଚି କ’ଣ ଶାସନର ପ୍ରତୀକ? କିଏ ଜାଣେ?
କେତେ ଶାସକ ଗଲେଣି, ମାତ୍ର ଶାସନ ଅଛି। କେତେ ନିୟମ ହେଲାଣି ହେଲେ ଲିଖିତ ହେଉ କି ଅଲିଖିତ, ନିୟମ ନାହିଁ ତ ଶାସନ ନାହିଁ।
ଏମିତିରେ ଆମେ ସାଧାରଣତଃ ତିନିଗୋଟି ନିୟମ ବିଷୟରେ ଜାଣୁ। ପ୍ରଥମଟି ହେଲା ପ୍ରକୃତିର ନିୟମ। ଦିନ, ରାତି, ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ ଠାରୁ ଆରମ୍ଭ କରି ପ୍ରାଣୀଜଗତର ନାରୀ-ପୁରୁଷ ସମ୍ପର୍କ ମୂଳତଃ ପ୍ରାକୃତିକ। ଦ୍ବିତୀୟଟି ହେଉଛି ମଣିଷଦ୍ବାରା ସୃଷ୍ଟ କାଳ୍ପନିକ ନିୟମ। ଏଇଟା ଭଲ, ସେଇଟା ମନ୍ଦ; ଏଇଟା ଶୁଭ ସେଇଟା ଅଶୁଭ; ଈଶ୍ବର ଏକ ଈଶ୍ବର ଅନେକ, ଈଶ୍ବର ଅଣାକାର ଈଶ୍ବର ଗୁଣାକାର ଆଦି ସବୁ କଥା ମଣିଷ କଳ୍ପନା କରିଛି। ସ୍ବର୍ଗ ବି କଳ୍ପନା। ଆମର ସ୍ବର୍ଗ ଆକାଶରେ। ପୁରୁଣା ଦିନରେ ଗ୍ରୀକ୍‌ମାନଙ୍କର ଦେବଭୂମି ସ୍ବର୍ଗ ଥିଲା ଅଲିମ୍ପିଆ ପର୍ବତ ଉପରେ। ଚନ୍ଦ୍ରକୁ, ସୂର୍ଯ୍ୟକୁ ଯିବା ପାଇଁ ଯାନ ତିଆରି ହେଲାଣି ମାତ୍ର ସ୍ବର୍ଗକୁ ଯିବା ଯାନ ଏ ଯାଏ ମଣିଷ ତିଆରି କରିନି। ସେଇ ପୁଷ୍ପକ ବିମାନ ପରିକଳ୍ପନାରେ ଅଛି। ଧର୍ମ ବୋଲି କଥାଟି ଯେ କାଳ୍ପନିକ-ନିୟମ ଆଧାରରେ ଗଢ଼ା ଏ ନେଇ ଅଧିକାଂଶ ସମାଜଶାସ୍ତ୍ରୀ ଏକମତ।
ତୃତୀୟ କଥାଟି ଆଜି ସବୁଆଡ଼େ ପରିବ୍ୟାପ୍ତ। ତାହା ହେଉଛି ସମସାମୟିକ କାଳକୁ ଧରି ମଣିଷ ତିଆରି କରିଥିବା ବାସ୍ତବବାଦୀ ନିୟମ। ବହୁ ବର୍ଷ ଯାଏ ଏ ନିୟମ ଥିଲା ମୌଖିକ, ମାତ୍ର ଆଜି ସାରା ପୃଥିବୀରେ ଏହା ଲିଖିତ। ଏ ନିୟମ କିନ୍ତୁ ପ୍ରାୟ ସବୁଠାରେ ପ୍ରକୃତି ଓ ଧର୍ମକୁ ପ୍ରାଧାନ୍ୟ ଦେଇଛି। କେଉଁଠି ଜୀବନ-ପରିଚାଳନାର ଏ ନିୟମ ପୂରା ଧର୍ମ ଆଧାରିତ ତ ପୁଣି କେଉଁଠି ଧର୍ମ ନିରପେକ୍ଷ। ପାକିସ୍ତାନ ଧର୍ମ ଆଧାରିତ ରାଷ୍ଟ୍ରଭାବେ ନିଜକୁ ଘୋଷଣା କରିଛି। ଭାରତ ଆରମ୍ଭରୁ ଧର୍ମ ନିରପେକ୍ଷ। କାହିଁ କେତେ ପ୍ରାଚୀନ କାଳରୁ ନାନା ବିଶ୍ବାସକୁ ଏ ମାଟି ସ୍ଥାନ ଦେଇଛି।
ସ୍ମରଣ ରଖିବା ଉଚିତ୍‌ ଯେ ଧର୍ମକୁ ଧରି ଭାରତ ଭଳି ଗୋଟେ ପୁରୁଣା ଭୂଖଣ୍ଡରୁ ଲୋକେ ଅଲଗା ହୋଇ ପାକିସ୍ତାନ ଗଢ଼ିଛନ୍ତି। ଜିନ୍ନା ଥିଲେ ମୁଖିଆ। ଜିନ୍ନାଙ୍କ ଜେଜେ ଥିଲେ ହିନ୍ଦୁ। ଜିନ୍ନା ନିଜେ ମସଜିଦ୍‌ ଯାଆନ୍ତି ନି କି ନମାଜ କରନ୍ତିନି। ଭାରତୀୟ ସ୍ବାଧୀନତା ସଂଗ୍ରାମ କାଳରେ ଦ‌ିନେ ବି ଜେଲ୍‌ ଯାଇନାହାନ୍ତି ସେ। ମୁସଲମାନୀ ନ କରି ବି ସେ ମୁସଲମାନଙ୍କ ସୁରକ୍ଷା କଥା କହି ଭିନ୍ନେ ହେଲେ। ୧୯୪୭ ଅଗଷ୍ଟରେ ଭିନ୍ନେ ହେଲେ, ୧୯୪୮ ସେପ୍‌ଟେମ୍ବର ବେଳକୁ ଆର ପାରିକି ଚାଲିଗଲେ।
ଯେଉଁମାନେ ଭାରତ ବିଭାଜନ କଥା କହନ୍ତି ସେମାନେ ବୁଝନ୍ତି ନାହିଁ ଯେ ଭାରତ ବିଭାଜିତ ହୋଇନାହିଁ, ଖଣ୍ଡେ ସେଥିରୁ ଅଲଗା ବା ଭିନ୍ନେ ହୋଇ ପାକିସ୍ତାନ ନାଁ ଦେଇଛି। ଏପଟେ ମୁସଲମାନ୍‌, ସେପଟେ ମୁସଲମାନ୍‌। ଏପଟେ ଭାରତୀୟ ସେପଟେ ପୁରୁଣା ଭାରତୀୟ। ଏପଟର ଶାସନ ଧର୍ମ ନିରପେକ୍ଷ ସେପଟର ଶାସନ ଧର୍ମ ଆଧାରିତ। ଇଣ୍ଡିଆନ୍‌ ଡିମୋକ୍ରାଟିକ୍‌ ରିପବ୍ଲିକ୍‌ ବା ଭାରତୀୟ ଗଣତାନ୍ତ୍ରିକ ସାଧାରଣତନ୍ତ୍ର। ସେପଟେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ପାକିସ୍ତାନ ବା ପାକିସ୍ତାନୀ ଇସ୍‌ଲାମୀୟ ସାଧାରଣତନ୍ତ୍ର। ପାକିସ୍ତାନ ମାଟିରେ କାଗଜପତ୍ରରେ ଏବେ ୨.୧ ଶତାଂଶ ହିନ୍ଦୁ ମାତ୍ର ପ୍ରକୃତରେ ୧ ଶତାଂଶ, ଅଥଚ ୧୯୪୭ରେ ଭିନ୍ନେ ହେବାବେଳେ ସେଠି ହିନ୍ଦୁମାନଙ୍କର ସଂଖ୍ୟା ଥିଲା ୨୪%। ଭାରତରେ ୧୯୪୭ ବେଳେ ମୁସଲମାନ ଥିଲେ ୩ କୋଟି ୫୪ ଲକ୍ଷ। ଏବେ ୧୮ କୋଟି। ପ୍ରତି ୧୦୦ ଜଣରେ ୧୫ ଜଣ ମୁସଲମାନ୍‌।
ସାରା ପୃଥିବୀ ଆଗରେ ବିଭିନ୍ନ ଧର୍ମର ଏକ ଅପୂର୍ବ ଆଶ୍ରୟସ୍ଥଳୀ ଭାବ‌େର ଭାରତ ପରିଚିତ। ଜଣେ ଇହୁଦି ତ ଏବେ ସାକ୍ଷାତକାରରେ କହିଛନ୍ତି ଯେ ସାରା ବିଶ୍ବରେ ସବୁ ଦେଶରେ ଇହୁଦିମାନେ ବୈଷମ୍ୟର ଶିକାର ହେଉଥିବାବେଳେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ସେମାନେ ନିଜକୁ ଅଧିକ ସୁରକ୍ଷିତ ମଣନ୍ତି।
ପ୍ରକୃତି, ଧର୍ମ (କଳ୍ପନା) ଓ ବାସ୍ତବତା, ଏ ତିନିଗୋଟି ଯେ କୌଣସି ଦେଶର ସାଂବିଧାନିକ ନିୟମକୁ ପ୍ରଭାବିତ କରେ। ହେଲେ ଆଶ୍ଚର୍ଯ୍ୟର କଥା, କେତେଗୋଟି ଦେଶ ପ୍ରକୃତି ଓ ବାସ୍ତବତା ବିରୋଧୀ ହୋଇ କେବଳ ଧର୍ମ ଆଧାରରେ ନିଜର ଶାସନ ବ୍ୟବସ୍ଥାକୁ ପରିଚାଳିତ କରନ୍ତି ଓ ସେଇ ଅନୁସାରେ ସଂବିଧାନ ଗଢ଼ନ୍ତି।
ଧର୍ମ ମାତ୍ରେ ସମୂହ ହିତକାମୀ। ସତ୍ୟ ଓ ନ୍ୟାୟର ଅନୁଗାମୀ। ତେବେ ଧର୍ମକୁ ନିୟମ କରି ବୈଷମ୍ୟକୁ ଯେ ପ୍ରାଧାନ୍ୟ ଦିଆଯାଉଛି ତାହା ହିଁ କାଳେ କାଳେ ମାନବ ସମାଜରେ ସବୁଠାରୁ ଅଧିକ ବିଭ୍ରାଟ ସୃଷ୍ଟି କରିଛି। ପୃଥିବୀରେ ଧର୍ମକୁ ନେଇ ଯେତେ ଯୁଦ୍ଧ, ନରସଂହାର ଓ କ୍ଷୟକ୍ଷତି ହୋଇଛି ତାହା ଅାଉ କାହାକୁ ନେଇ ହୋଇନାହିଁ। ସ୍ବର୍ଗ ଏକ କଳ୍ପନା ଅଥଚ ଧର୍ମ ଲାଗି ପ୍ରାଣପାତ କରି ଲୋକେ ସ୍ବର୍ଗକୁ ଯିବାକୁ ପ୍ରସ୍ତୁତ। ଅନେକ ଦେଶର ଶାସନ ଏଭଳି କଳ୍ପନାକୁ ବାସ୍ତବତା ଠାରୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ଧର୍ମ ନାମରେ ଅନ୍ୟ ଧର୍ମର ଲୋକଙ୍କୁ ନିପାତ କରିବାକୁ ଚେଷ୍ଟା କରନ୍ତି। ଧର୍ମ ହେଉଛି ତାହା ‌ଯାହା ଧାରଣ କରେ। ଏଇ ‘‘ଧାରଣ’’ ଭିତରେ ରହିଛି ସହନଶୀଳତା। ଯେ ନିଜେ ସହନଶୀଳ ନୁହେଁ ସେ ଧରି ରଖିବ କେମିତି? ତାହା ବିଶ୍ବାସ ହେଉ କି ମଣିଷ। ଗୋଟାଏ ବିଶ୍ବାସକୁ ଧ୍ବଂସ କଲେ ଯେ ଅନ୍ୟ ବିଶ୍ବାସଟି ମହନୀୟ ହେବ ବା ଆପେ ମୂଲ୍ୟବାନ ହୋଇଯିବ ଏ ଭଳି କଥା ସଂପ୍ରତି ସଚରାଚର ବ୍ୟାପିଛି।
ଗାନ୍ଧୀଜୀଙ୍କର ଗୋଟିଏ କଥା ମନେ ପଡୁଛି। କେହି ବ୍ୟକ୍ତି ନିଜର ମାଆକୁ ବା ଧର୍ମକୁ ବଦଳେଇ ପାରିବେ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ମାଆଙ୍କ ଠାରୁ ଜଣେ ଜନ୍ମ ହେଲାପରେ ସେ ମାଆଙ୍କୁ ବଦଳେଇ ହେବ କେମିତି? ସେଇଭଳି ଗୋଟିଏ ବିଶ୍ବାସ ଆଧାରରେ ଜଣେ ବିଚାରଗତ ହୋଇ ଜୀବନ ଆରମ୍ଭ କରିସାରିବା ପରେ ତା’କୁ ବଦଳେଇବ କେମିତି? ବିଭିନ୍ନ ପ୍ରକାରର ବିଶ୍ବାସ ଅଛି, ମାତ୍ର ଯେଉଁ ବିଶ୍ବାସ ସହ ଯାହାର ଚେତନାଗତ ଜୀବନର ଯାତ୍ରାରମ୍ଭ ତାହାକୁ ବଦଳେଇଲେ ବି ସେ ବିଶ୍ବାସ କ’ଣ ସହଜରେ ମନରୁ ଲିଭିବ? ଖାସ୍‌ ସେଇଥିପାଇଁ ମୁସଲମାନ ଧର୍ମର ମୂଳଭୂମି ଥିବା କେତେକ ଆରବ ଦେଶ ଗୋଟେ ଭିନ୍ନ ବିଶ୍ବାସରୁ ଧର୍ମାନ୍ତରିତ ହୋଇ ଯାଇଥିବା ମୁସଲମାନମାନଙ୍କୁ ମୌଳିକ ଭାବେ ମୁସଲମାନ ବା ଶୁଦ୍ଧ ମୁସଲମାନ ବୋଲି ଗ୍ରହଣ କରନ୍ତି ନାହିଁ।
ସ୍ମରଣ ରଖିବା ଯେ ଧର୍ମ ପ୍ରଚାର ପାଇଁ ଶାସନ ଗଢ଼ାଯାଏ ନାହିଁ କି ପ୍ରକୃତିର ନିୟମ ଭାଙ୍ଗିବା ଲାଗି ଶାସନ ଉଦ୍ଦିଷ୍ଟ ନୁହେଁ। ଶାସନର କାମ ହେଲା ଲୋକଙ୍କୁ ସୁଖୀ ଓ ସୁରକ୍ଷିତ ଜୀବନ ପ୍ରଦାନ କରିବା। ଏମିତି କେଉଁ ଦେଶ ଅଛି ଯାହା ଲୋକଙ୍କର ସୁଖ ଚାହେଁ ନାହିଁ? ଯେଉଁଠି ଲୋକ ଲୋକ ଭିତରେ ବିଭେଦ ଅଣାଯାଇଛି ସେଠି ହିଂସା ହିଁ ନିୟାମକ ସାଜିଛି। ଜାତିଭେଦ, ଧର୍ମଭେଦ, ରଙ୍ଗଭେଦ ଏବଂ ଭୂଗୋଳଭେଦ କାରଣରୁ ସାମୂହିକ ସୁଖ ଓ କଲ୍ୟାଣ ସବୁଦେଶରେ ସମ୍ପ୍ରତି ମୁଣ୍ଡ ଟେକିଛି। ସବୁଦେଶ ଗଣତାନ୍ତ୍ରିକ ବୋଲି ନିଜକୁ ଘୋଷଣା କରନ୍ତି। ଗଣତନ୍ତ୍ର କହିଲେ ସମାନତା ଓ ବ୍ୟକ୍ତି ସ୍ବାଧୀନତାର କଥା ଉଠେ। ଅଥଚ ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏବେ ‌ସେସବୁର ଅନୁପସ୍ଥିତି।
ଆମ ଦେଶର ମୂଳମନ୍ତ୍ର ‘‘ସତ୍ୟମେବ ଜୟତେ’’, ସବୁଆଡ଼େ ସତ୍ୟର ଜୟ ହେଉ। ସେମିତି ଆମଠାରୁ ଅଲଗା ହୋଇଥିବା ମାଟି ପାକିସ୍ତାନ, ‘‘ଇମାନ୍‌, ଇତ୍ତେ‌ହାଦ୍‌ ଓ ନଜ୍‌ମ ଜବ୍‌ତ’’ ବା ବିଶ୍ବାସ, ଏକତା ଓ ଶୃଙ୍ଖଳାକୁ ରାଷ୍ଟ୍ର ଲକ୍ଷ୍ୟ ଭାବରେ ଘୋଷଣା କରିଛି। ସବୁ ରାଷ୍ଟ୍ର ଏକତା ଓ ଶୃଙ୍ଖଳା ଉପରେ ପ୍ରାଧାନ୍ୟ ଦେବା ସ୍ବାଭାବିକ। ଦେଶରେ ଐତିହାସିକ କାରଣରୁ ଭିନ୍ନ ଭିନ୍ନ ବିଶ୍ବାସ ଥାଇପାରେ, ମାତ୍ର ସାରା ଦେଶରେ ବା ଲୋକ ସମୂହରେ ଯେ ଗୋଟିଏ ପ୍ରକାରର ବିଶ୍ବାସ ରହିବ ସେ କଥା ଭାବିବା ହିଁ ବିଡ଼ମ୍ବନା।
ପ୍ରାଣୀ ଦେହର ଜୀବନ ପରି ପ୍ରତିଟି ରାଷ୍ଟ୍ରର ଏକ ସାମୂହିକ ଜୀବନ ଅଛି। ରାଷ୍ଟ୍ର ଜୀବନର ମୂଳନୀତି ପ୍ରତିଫଳିତ ହୋଇଥାଏ ତା’ର ସଂବିଧାନରେ। ସଂବିଧାନରେ ଯେଉଁ ଉପୋଦ୍‌ଘାତ, ମୁଖବନ୍ଧ ବା ଉଦ୍‌ଘେ‌ାଷଣା ଥାଏ ତାହା ହିଁ ସୂଚାଇଦିଏ ସେ ରାଷ୍ଟ୍ରର ଆତ୍ମା।
୧୭୭୬ରେ ଆମେରିକା ତା’ର ସ୍ବାଧୀନତା ଘୋଷଣା କଲାବେଳେ ଦୁଇଟି କଥାକୁ ଆତ୍ମା କରିଥିଲା। ଗୋଟିଏ ହେଉଛି ମଣିଷ ମଣିଷ ଭିତରେ ‘‘ସମାନତା’’ ଏବଂ ଅନ୍ୟଟି ହେଲା ‘‘ଜୀବନ, ସ୍ବାଧୀନତା ଓ ସୁଖ ଆଧାରିତ ଅଧିକାର’’। ୧୭୮୯ର ଫରାସୀ ଆନ୍ଦୋଳନ ‘‘ସମାନତା’’ ସହ ‘‘ସ୍ବାଧୀନତା, ଧନ, ସୁରକ୍ଷା ଓ ନିର୍ଯାତନା ବିରୋଧୀ ଅଧିକାର’କୁ କରିଥିଲା ମୂଳ।
ଆମ ଦେଶ ତା’ର ସଂବିଧାନ ଗଢ଼ିଲା ବେଳେ ଯେଉଁ ପ୍ରସ୍ତାବିତ ଲକ୍ଷ୍ୟ ଡିସେମ୍ବର ୧୩, ୧୯୪୬ରେ ଗ୍ରହଣ କରିଥିଲା ସେଥିରେ ଭାରତର ସଂହତି ତଥା ସୀମା ସୁରକ୍ଷା ଉପରେ ଯେମିତି ଗୁରୁତ୍ବ ଦିଆଯାଇଥିଲା ଅନୁରୂପ ଗୁରୁତ୍ବ ଦିଆଯାଇଥିଲା ସଂଖ୍ୟାଲଘୁ, ପଛୁଆବର୍ଗ ଓ ଜନଜାତିଙ୍କ ସୁରକ୍ଷା ଉପରେ। ତା’ ସହିତ ଭାରତୀୟ ଶାସନ ନ୍ୟାୟ, ସ୍ବାତନ୍ତ୍ରୢ, ସମାନତା ଓ ଭାତୃତ୍ବ ଦିଗରେ ତା’ର ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଏ ସବୁର ତାତ୍ପର୍ଯ୍ୟ ହେଉଛି ସବୁ ବର୍ଗକୁ ନ୍ୟାୟ ଦେଇ ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ତଥା ଉପାସନାକୁ ସ୍ବାଧୀନତା ପ୍ରଦାନ କରିବା।
ଭାରତୀୟ ପ୍ରଶାସନର ଆତ୍ମା ଲଟକିଛି ସମାନତା ଓ ସ୍ବାଧୀନତା‌େର। ଆମେ ସଂବିଧାନରେ ଲେଖି ଦେଇ ଖାଲି ବସିଗଲେ ଚଳିବ ନାହିଁ। ଚନ୍ଦ୍ରକୁ ଯାନ, ବେଗବାନ-ରେଳ ଚଳାଚଳ, ଆୟ ଅଭିବୃଦ୍ଧି, ନୂଆ ନୂଆ ଇମାରତ୍‌ ଗଢ଼ିବା ଆଦି ଆମ ବିକାଶର ପରିସଂଖ୍ୟାନ ଦେଇପାରେ ହେଲେ ସେସବୁ ଶାସନର ଆତ୍ମା ନୁହେଁ।
ଦେଶର ଯେ କୌଣସି ଅଞ୍ଚଳରେ ମଣିପୁର ହେଉ କି ହରିୟାଣା ଯେଉଁଠି ‘‘ସମାନତା’’ ଓ ‘‘ସ୍ବାଧୀନତା’’ ଉପରେ କୁରାଢ଼ି ଚୋଟ ପଡୁଛି ସେଠି ଆତ୍ମା ଲହୁଲୁହାଣ ହେବାକୁ ବାଧ୍ୟ। ଶାସନର ଆତ୍ମା ଆପେ ସେଠାରେ ପରାହତ।
ସରକାରରେ ଯିଏ ଥାଆନ୍ତୁ ନା କାହିଁକି ତା’ଙ୍କର ପରମ କର୍ତ୍ତବ୍ୟ ହେଲା ପ୍ରତିଟି ଭାରତୀୟଙ୍କ ଧନ, ଜୀବନ ଓ ସ୍ବାତନ୍ତ୍ରୢର ସୁରକ୍ଷା କରିବା। ଯେଉଁଠି ସାଧାରଣର ଜୀବନ ବିପନ୍ନ ସେଠାରେ ଯେ କୌଣସି ବିକାଶର ଅର୍ଥ କ’ଣ? ସଂବିଧାନ ପ୍ରଦତ୍ତ ମୂଳ ରାଷ୍ଟ୍ରଧର୍ମ ଯେଉଁଠାରେ ପାଳିତ ହୋଇପାରୁନାହିଁ ସେଠାରେ ଶାସନ ଚାଲିଛି ବୋଲି ଆମେ କେମିତି କହିବା?
ନିୟମ ହାରୁଛି ମାନେ ସଂବିଧାନ ହାରୁଛି। ସଂବିଧାନ ହାରୁଛି ମାନେ ଶାସନ ହାରୁଛି, ଶାସନର ଆତ୍ମା ହାରୁଛି।
[email protected]