ଅନେକ ବିକାଶଶୀଳ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ସପକ୍ଷରେ ଦଣ୍ଡାୟମାନ ହୋଇଛନ୍ତି; ଯାହା ଫଳରେ ଇସ୍ରାଏଲ୍ର ସପକ୍ଷ ଏବଂ ବିପକ୍ଷ ରୂପେ ପୃଥିବୀ ଏବେ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ବିଭାଜିତ ହେବାକୁ ବସିଛି। ତେବେ ଫଳାଫଳ ଯେତେ ସାଂକେତିକ ଏବଂ ନିଷ୍ପ୍ରଭାବୀ ହେଲେ ସୁଦ୍ଧା ପରିଶେଷରେ ନ୍ୟାୟର ବିଜୟ ହେଉଛି କି ନାହିଁ, ତାହା ବଡ଼ କଥା! କିନ୍ତୁ ମୁଲ୍ଲା ନସିରୁଦ୍ଦିନ ଏକଦା କହିଥିବା ଭଳି ଅଦାଲତରେ ସର୍ବଦା ଓକିଲମାନଙ୍କର ହିଁ ବିଜୟ ଘଟିଥାଏ; ନ୍ୟାୟର ସର୍ବଦା ବିଜୟ ଘଟିବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ।
ଗଲା ୧୧ ତାରିଖ ଦିନ ନେଦରଲାଣ୍ଡର ରାଜଧାନୀ ‘ଦ ହେଗ୍’ସ୍ଥିତ ‘ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସ୍’ (ଆଇ.ସି.ଜେ.) ବା ‘ଅନ୍ତର୍ଜାତୀୟ ବିଚାରାଳୟ’ରେ ଦକ୍ଷିଣ ଆଫ୍ରିକା ଦ୍ବାରା ଆଗତ ଏକ ଅଭିଯୋଗ ଉଭୟ ଚର୍ଚ୍ଚା ଏବଂ କୌତୂହଳର ପାତ୍ର ହୋଇଛି, ଯହିଁରେ ଇସ୍ରାଏଲ୍କୁ ‘ଜେନୋସାଇଡ୍’ ବା ‘ଜାତି ସଂହାର’ର ସୂତ୍ରଧର ରୂପେ ଦର୍ଶାଯାଇଛି; କାରଣ ଗଲା ଦୁଇ ମାସ ଧରି ଗାଜା ପଟି ଉପରେ ନିରବଚ୍ଛିନ୍ନ ଆକ୍ରମଣ ଚଳାଇଥିବା ଇସ୍ରାଏଲ୍ ହାତରେ ଅଦ୍ୟାବଧି ଲିଙ୍ଗ ଓ ବୟସ ନିର୍ବିଶେଷରେ ପ୍ରାୟ ୧୪ ହଜାର ପାଲେଷ୍ଟିନୀୟ ପ୍ରାଣ ହରାଇ ସାରିଲେଣି। ଇତିମଧ୍ୟରେ ଅଦାଲତ ସମକ୍ଷରେ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଇସ୍ରାଏଲ ଦ୍ବାରା ଆପଣା ପକ୍ଷ ଉପସ୍ଥାପନ କରାଯାଇ ସାରିଲାଣି ଏବଂ ଏହାର ଚୂଡ଼ାନ୍ତ ରାୟ ଆସିବାରେ ବିଳମ୍ବ ହେବା ସୁନିଶ୍ଚିତ ଥିବା ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଲାଗି ଅନୁରୋଧ ମଧ୍ୟ କରାଯାଇଛି। ଏଭଳି ସ୍ଥଳେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏହି ବିଚାର ଚାଲିଥିବା ବେଳେ ଆଇ.ସି.ଜେ. ପକ୍ଷରୁ ଜାରି କୌଣସି ରହିତାଦେଶ ଏହି ଯୁଦ୍ଧକୁ ଅସ୍ଥାୟୀ ଭାବେ ହେଲେ ମଧ୍ୟ ବନ୍ଦ କରିଦେଇପାରେ କି? ବା ଏହି ବିଚାରାଳୟ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଇସ୍ରାଏଲ କ’ଣ ଦଣ୍ଡିତ ହେବ? ଉଲ୍ଲେଖଯୋଗ୍ୟ ଯେ ଦୁଇଟି ଯାକ ପ୍ରଶ୍ନର ଉତ୍ତର ନାସ୍ତିସୂଚକ; କେବଳ ସେତିକି ନୁହେଁ, ପ୍ରାୟ ୫୦ ପ୍ରତିଶତରୁ ଅଧିକ କ୍ଷେତ୍ରରେ ‘ଆଇ.ସି.ଜେ.’ ଦ୍ବାରା ପ୍ରଦତ୍ତ ନିଷ୍ପତ୍ତିଗୁଡ଼ିକୁ ଅମାନ୍ୟ କରାଯାଇଥାଏ ବା ସେଗୁଡ଼ିକ କାର୍ଯ୍ୟକାରୀ ହୋଇ ପାରି ନଥାଆନ୍ତି। ସୁତରାଂ, ସ୍ବାଭାବିକ ଭାବେ ଆଉ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ତେବେ ଏଭଳି ସ୍ଥଳେ ଦକ୍ଷିଣ ଆଫ୍ରିକା ଏକ ନିଷ୍ଫଳ କସରତରେ ପ୍ରବୃତ୍ତ କାହିଁକି? ଏହାର ଉତ୍ତର ଅନ୍ବେଷଣ କରାଯାଉ।
କହିବାରେ ଦ୍ବିଧା ନାହିଁ ଯେ ଦକ୍ଷିଣ ଆଫ୍ରିକାର ଏହି ଉଦ୍ୟମ ସମ୍ବେଦନଶୀଳତା ଏବଂ ନୈତିକ ଆଦର୍ଶ ପ୍ରସୂତ ହୋଇଥିବ; କାରଣ ପ୍ରାୟ ଅର୍ଦ୍ଧ-ଶତାବ୍ଦୀ ଧରି ବର୍ଣ୍ଣ ବୈଷମ୍ୟଜନିତ ପୀଡ଼ାକୁ ଅନୁଭବ କରିଥିବା ଏହି ରାଷ୍ଟ୍ର ସ୍ବତଃ ପାଲେଷ୍ଟିନୀୟଙ୍କ କଷଣ ସହିତ ଏକାତ୍ମ ହୋଇଥାଏ; ଯାହାର ପ୍ରମାଣ ହେଲା ନେଲସନ ମାଣ୍ଡେଲା ଏବଂ ୟାସେର ଆରାଫତଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରଗାଢ଼ ମିତ୍ରତା। ତେଣୁ, ପାଲେଷ୍ଟିନୀୟ ସ୍ମୃତିରେ ନ ଥିବା ଭଳି ଦାରୁଣ କଷଣ ସଂପ୍ରତି ସେମାନେ ଭୋଗୁଥିବା ବେଳେ ତା’ ବିରୋଧରେ ସ୍ବର ଉତ୍ତୋଳନ କରିବା ଦକ୍ଷିଣ ଆଫ୍ରିିକା ସକାଶେ ଖୁବ୍ ସ୍ବାଭାବିକ ହୋଇଥିବ! କିନ୍ତୁ, କଥା ହେଲା, ଅନେକ ପର୍ଯ୍ୟବେକ୍ଷକ ଉପରୋକ୍ତ ଧାରଣାକୁ ଗ୍ରହଣ କରି ନ ଥାଆନ୍ତି; ସେମାନେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଅଥବା କଂଗୋ ରିପବ୍ଲିକ୍କୁ ରୁଧିର ଆର୍ଦ୍ର କରିଥିବା ଭୟାବହ ତଥା ଦୀର୍ଘକାଳୀନ ଯୁଦ୍ଧ ପ୍ରସଙ୍ଗରେ ଦକ୍ଷିଣ ଆଫ୍ରିକାର ନିରବତାକୁ ପ୍ରଶ୍ନ ଜର୍ଜର କରି ପକାନ୍ତି। ଅନେକ ରଣନୈତିକ ବିଶେଷଜ୍ଞ ଏହା ମଧ୍ୟ ଇଙ୍ଗିତ କରନ୍ତି ଯେ ଆରବ ରାଷ୍ଟ୍ରଗୁଡ଼ିକ ସହିତ ବ୍ୟାବସାୟିକ ସଂପର୍କ ଦୃଢ଼ୀଭୂତ ହୋଇ ଚାଲିଥିବା କାରଣରୁ ଦକ୍ଷିଣ ଆଫ୍ରିକା ଏହି ‘ଆରବୀ ଯାତନା’ ସଂଦର୍ଭକୁ ଆଣି ନ୍ୟାୟ-ଅନ୍ୟାୟର ତରାଜୁରେ ଥୋଇଛି। କହିବା ବାହୁଲ୍ୟ, ଯଦି ‘ଆଇ.ସି.େଜ.’ର ରାୟ ଦ୍ବାରା ଇସ୍ରାଏଲ୍ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଦଣ୍ଡିତ ହେବାର କୌଣସି ସମ୍ଭାବନା ନ ଥିଲେ ହେଁ ଏହା ସାଂକେତିକ ଭାବେ ଦକ୍ଷିଣ ଆଫ୍ରିକା ଲାଗି ଏକ ବିରାଟ ବିଜୟ ହେବ ଏବଂ ଇସ୍ରାଏଲ ଲାଗି ଯାହା ଚରମ ଲଜ୍ଜାର କାରଣ ହେବ, ତାହା ହେଲା ‘ହଲୋକଷ୍ଟ’ର ଶିକାର ଭାବେ ସହାନୁଭୂତି ଲାଭ କରିଆସୁଥିବା ଏହି ଜାତି ଓ ରାଷ୍ଟ୍ର ଖୋଦ୍ ଏକ ‘ହଲୋକଷ୍ଟ’ର ରଚୟିତା ରୂପେ ଅପଖ୍ୟାତ ହେବ!
ପ୍ରକାଶ ଥାଉ କି ୧୯୪୮ ମସିହାରେ ଜାତିସଂଘ ଦ୍ବାରା ଗୃହୀତ ଯେଉଁ ‘ଜେନୋସାଇଡ୍ କନଭେନସନ’ ବା ‘ଜାତି ହତ୍ୟା ସନନ୍ଦ’କୁ ଆଧାର କରି ଦକ୍ଷିଣ ଆଫ୍ରିକା ‘ଆଇ.ସି.ଜେ.’ର ଦ୍ବାରସ୍ଥ ହୋଇଛି, ତାହାର ସ୍ବାକ୍ଷରକାରୀ ରାଷ୍ଟ୍ରଙ୍କ ମଧ୍ୟରେ ଇସ୍ରାଏଲ୍ ଅନ୍ୟତମ। କେବଳ ସେତିକି ନୁହେଁ, ‘ଜେନୋସାଇଡ୍’ ଭଳି ଇଂରେଜୀ ଅଭିବ୍ୟକ୍ତିର ଉଦ୍ଭବ ଘଟାଇଥିବା ରାଫେଲ ଲେମକିନ ଥିଲେ ପୋଲାଣ୍ଡ ଦେଶର ଜଣେ ଇହୁଦୀ ଓକିଲ ଏବଂ ଏହି ଅଭିବ୍ୟକ୍ତି ରୂପ ପାଇବା ପଛରେ ଥିଲା ହିଟଲର ଆୟୋଜିତ ସୁପରିକଳ୍ପିତ ଏବଂ ସୁବ୍ୟବସ୍ଥିତ ଇହୁଦୀ ମେଧ ଯଜ୍ଞ, ଯାହା ‘ହଲୋକଷ୍ଟ’ ଭାବେ କୁଖ୍ୟାତ। କିନ୍ତୁ ମୂଳ କଥା ହେଲା, ‘ଜେନୋସାଇଡ୍ କନ୍ଭେନ୍ସନ’ରେ ନିର୍ଦ୍ଧାରିତ ପରିଭାଷା ଅନୁସାରେ ଯୁଦ୍ଧ ବିଗ୍ରହ କାରଣରୁ ଘଟୁଥିବା ନରସଂହାରକୁ ‘ଜାତି ସଂହାର’ ବା ‘ଜେନୋସାଇଡ୍’ ରୂପେ ସର୍ବଦା ଅଭିହିତ କରାଯାଇ ନ ପାରେ; କାରଣ ‘ଜେନୋସାଇଡ୍’ ରୂପେ ପରିଗଣିତ ହେବା ଲାଗି କୌଣସି ନରସଂହାର ପଛରେ ଏକ ନିର୍ଦ୍ଦିଷ୍ଟ ଜାତି ବା ଗୋଷ୍ଠୀ କିମ୍ବା ସଂପ୍ରଦାୟକୁ ନିଶ୍ଚିହ୍ନ କରିବା ସକାଶେ ଏକ ସୁନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥିବା ଜରୁରୀ, ଯେମିତି ହିଟଲରଙ୍କ ଠାରେ ଥିଲା ବା ନିକଟ ଅତୀତର ଦୃଷ୍ଟାନ୍ତ ରୂପେ ୧୯୯୫ ମସିହାରେ ୟୁଗୋସ୍ଲୋଭିଆର ସାବ୍ରେନିକା ଅଞ୍ଚଳରେ ଦେଖାଯାଇଥିବା ନରସଂହାର ଯହିଁରେ ‘ବୋସନୀୟ ମୁସଲମାନ’ ସଂପ୍ରଦାୟର ପ୍ରାୟ ୮୦୦୦ ପୁରୁଷ ଏବଂ ବାଳକଙ୍କୁ ବାଛି ବାଛି ହତ୍ୟା କରାଯାଇଥିଲା, ଯେମିତି ସେହି ଜାତିର ପୁନରୁଜ୍ଜୀବିତ ହେବାର ସମ୍ଭାବନା ରହିବ ନାହିଁ। ଏଭଳି ସ୍ଥଳେ ଇସ୍ରାଏଲ୍କୁ ହୁଏତ ଗଣହତ୍ୟାର କାରଣ ହୋଇଥିବା ଏକ ଯୁଦ୍ଧ ଅପରାଧୀ ରୂପେ ସାବ୍ୟସ୍ତ କରାଯାଇପାରେ; କିନ୍ତୁ ‘ଜେନୋସାଇଡ୍’ ଅଭିଯୋଗକୁ ପ୍ରମାଣସିଦ୍ଧ କରିବା ଅସମ୍ଭବ ହେବ।
ପ୍ରକାଶ ଥାଉ କି ‘ଆଇ.ସି.ଜେ.’ ସମକ୍ଷରେ ଦକ୍ଷିଣ ଆଫ୍ରିକାର ବିଚକ୍ଷଣ ଓକିଲମାନଙ୍କ ଅତି ବିସ୍ତୃତ ଓ ଚମତ୍କାର ଯୁକ୍ତିଗୁଡ଼ିକର ଉତ୍ତରରେ ଇସ୍ରାଏଲ ଆପଣାକୁ ହମାସ ପ୍ରପୀଡ଼ିତ ରୂପେ ଦର୍ଶାଇଛି ଏବଂ ଗାଜା ଉପରେ ସେ କରୁଥିବା ଆକ୍ରମଣକୁ କେବଳ ‘ଆତ୍ମରକ୍ଷା’ ସକାଶେ ଉଦ୍ଦିଷ୍ଟ ବୋଲି କହିଛି। ଇସ୍ରାଏଲ ଅନୁସାରେ ହମାସ ସହିତ ଚାଲିଥିବା ଯୁଦ୍ଧକାଳୀନ ଗୁଳିଗୋଳା ବିନିମୟ ପଥରେ ଅଗତ୍ୟା ପାଲେଷ୍ଟିନୀୟମାନେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି, ଯାହା ଏକ ଦୁର୍ଭାଗ୍ୟଜନକ ବାସ୍ତବତା, କିନ୍ତୁ ଏହା କୌଣସିମତେ ‘ହଲୋକଷ୍ଟ’ ସହିତ ତୁଳନୀୟ ନୁହେଁ ବା ‘ଜେନୋସାଇଡ୍’ ନୁହେଁ! ପ୍ରକାଶ ଥାଉ କି ଦକ୍ଷିଣ ଆଫ୍ରିକାର ଏହି ପ୍ରୟାସକୁ ଆତ୍ମଘୋଷିତ ଉଦାରବାଦୀ ତଥା ମାନବବାଦୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଛନ୍ତି ଏବଂ ପାଶ୍ଚାତ୍ୟ ଗଣମାଧ୍ୟମରେ ମଧ୍ୟ ଏହାକୁ ଗୌଣ କରି ଦିଆଯାଇଛି। ଅଥଚ, ଅନେକ ବିକାଶଶୀଳ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ସପକ୍ଷରେ ଦଣ୍ଡାୟମାନ ହୋଇଛନ୍ତି; ଯାହା ଫଳରେ ଇସ୍ରାଏଲ୍ର ସପକ୍ଷ ଏବଂ ବିପକ୍ଷ ରୂପେ ପୃଥିବୀ ଏବେ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ବିଭାଜିତ ହେବାକୁ ବସିଛି। ତେବେ ଫଳାଫଳ ଯେତେ ସାଂକେତିକ ଏବଂ ନିଷ୍ପ୍ରଭାବୀ ହେଲେ ସୁଦ୍ଧା ପରିଶେଷରେ ନ୍ୟାୟର ବିଜୟ ହେଉଛି କି ନାହିଁ, ତାହା ବଡ଼ କଥା! କିନ୍ତୁ ମୁଲ୍ଲା ନସିରୁଦ୍ଦିନ ଏକଦା କହିଥିବା ଭଳି ଅଦାଲତରେ ସର୍ବଦା ଓକିଲମାନଙ୍କର ହିଁ ବିଜୟ ଘଟିଥାଏ; ନ୍ୟାୟର ସର୍ବଦା ବିଜୟ ଘଟିବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ।