ଯାତ୍ରୀମାନଙ୍କ ଆଚରଣରେ ସଂଶୋଧନ ଘଟାଇବା ପାଇଁ ମାତ୍ର ଦୁଇଟି ବାଟ ରହିଛି: ଆହ୍ବାନ ଓ ଦଣ୍ଡ ଦାନ। କର୍ମଚାରୀମାନଙ୍କ ଆଚରଣରେ ଉନ୍ନତି ଘଟାଇବା ନିମିତ୍ତ ଏକ ଶକ୍ତିଶାଳୀ ତୃତୀୟ ଉପାୟ ଉପଲବ୍‌ଧ ଅଛି: ଉପଯୁକ୍ତ ତାଲିମ। ସରକାର ଓ ବିମାନ କମ୍ପାନିମାନଙ୍କୁ ଯେ କର୍ମଚାରୀଙ୍କ ତାଲିମ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ, ଇଣ୍ଡିଗୋ ଘଟଣା ହେଉଛି ସେଥିପାଇଁ ଏକ ଚେତାବନୀ।

Advertisment

ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବାର ଠିକ୍ ପ୍ରାୟ ବର୍ଷକ ପୂର୍ବେ ଜର୍ମାନ୍ ଦଖଲରୁ ମୁକ୍ତ ହେବା ପରେ ପରେ ସଂସ୍କୃତିନଗରୀ ପ୍ୟାରିସ୍‌ରେ ସର୍ବପ୍ରଥମ ମଞ୍ଚସ୍ଥ ହୋଇଥିବା ନାଟକ ଥିଲା- ‘ନୋ ଏଗ୍‌ଜିଟ୍’ (‘ପ୍ରସ୍ଥାନ ନାହିଁ’)। ନାଟକଟିର ବିଷୟବସ୍ତୁ ଥିଲା- ନର୍କ, ଯେଉଁଠି ନାଟକର ତିନି ଜଣ ଚରିତ୍ର ଅଶେଷ ଯନ୍ତ୍ରଣା ଭୋଗ କରିବାକୁ ଯାଇ ପହଞ୍ଚିଛନ୍ତି। ଏହି ଅସାମାନ୍ୟ ଲୋକପ୍ରିୟତା ଲାଭ କରିଥିବା ନାଟକର ରଚୟିତା ପ୍ରସିଦ୍ଧ ଫରାସୀ ଅସ୍ତିତ୍ବବାଦୀ ଦାର୍ଶନିକ ଜିନ୍ ପଲ୍ ସାତ୍ର ସେଥିରେ ପ୍ରଦର୍ଶିତ ନର୍କର ଯେଉଁ ଦୃଶ୍ୟର ପରିକଳ୍ପନା କରିଥିଲେ, ତାହା ହେଲା ଗୋଟିଏ ଆଲୋକିତ କୋଠରିରେ ପଡ଼ିଥିବା ତିନିଟି ଛୋଟ ଛୋଟ ସୋଫା, ଯେଉଁଥିରେ ସେ ତିନି ଚରିତ୍ର ପରସ୍ପରର ନିକଟ ସାନ୍ନିଧ୍ୟରେ ବସି ରହିଛନ୍ତି ଏବଂ ସେ କୋଠରିରୁ ବାହାରି ପଳାଇବା ପାଇଁ କୌଣସି ବାଟ ନାହିଁ। ଏହା ବ୍ୟତୀତ ସେଇ ସାତ୍ରୀୟ ନର୍କରେ ଆଉ କିଛି ନାହିଁ- ଯମଦୂତ ନାହାନ୍ତି କି ତାତିଲା ତେଲ କଡ଼େଇ ନାହିଁ କି ଶିମିଳି ଗଛ କି କଣ୍ଟାଛାଟ ନାହିଁ। କେବଳ ଏକ ନିବୁଜ ପରିବେଶରେ ପରସ୍ପରର ଅନନ୍ତ ସାନ୍ନିଧ୍ୟ ହିଁ ସେ ଚରିତ୍ର ତିନି ଜଣଙ୍କ ପାଇଁ ନର୍କ ଯନ୍ତ୍ରଣା ସୃଷ୍ଟି କରିଛି।
‌େଯମିତି ବୋଧହୁଏ କରିଥିଲା ଜାନୁଆରି ୧୪ ତାରିଖ ଦିନ ଗୋଆ ଯିବାକୁ ଅପେକ୍ଷା କରି ଦିଲ୍ଲୀ ବିମାନ ବନ୍ଦରରେ ଛିଡ଼ା ହୋଇଥିବା ‘ଇଣ୍ଡିଗୋ ଏଆର୍‌ଲାଇନ୍‌ସ’ର ଏକ ବିମାନ ଭିତରେ ବନ୍ଦ ହୋଇ ରହିଥିବା ସାହିଲ୍ କଟାରିଆ ନାମକ ଜଣେ ଯାତ୍ରୀଙ୍କ ପାଇଁ। କାରଣ, ଗଣମାଧ୍ୟମରେ ବହୁଳ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳୁଛି କଟାରିଆ ବିମାନ ଭିତରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରୁଥିବା କୋ-ପାଇଲଟ୍‌ଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ଚିତ୍କାର କରୁଛନ୍ତି: ‘‘ଚଳାଇବାର ଅଛି ତ ଚଳା, ନାହିଁ ତ ଗେଟ୍‌ ଖୋଲ୍’’। କିନ୍ତୁ ସାତ୍ରଙ୍କ ନାଟକରେ ପ୍ରଦର୍ଶିତ ହୋଇଥିବା ଭଳି ବିମାନ ଭିତରେ ଯାତ୍ରୀମାନେ ଥରେ ପ୍ରବେଶ କରି ସାରିବା ପରେ - ବୋର୍ଡ କରି ସାରିବା ପରେ - ସେମାନଙ୍କ ପାଇଁ ଆଉ ବିମାନର ଗେଟ୍ ବା ଡୋର୍ ଖୋଲାଯାଇ ପାରିବାର ବ୍ୟବସ୍ଥା ନ ଥାଏ: ନୋ ଏଗ୍‌ଜିଟ୍।
ସେଦିନ ଇଣ୍ଡିଗୋ ଫ୍ଲାଇଟ୍‌ରେ ଘଟିଥିବା ଏହି ଘଟଣା ବର୍ତ୍ତମାନ ସମଗ୍ର ଭାରତୀୟ ଯାତ୍ରୀ ବିମାନ ଚଳାଚଳ କ୍ଷେତ୍ରରେ ଘୋର ଚହଳ ପକାଇଛି ଓ ଏପରିକି ଖୋଦ୍ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ କଟାରିଆଙ୍କ ଭଳି ବିଶୃଙ୍ଖଳିତ ଯାତ୍ରୀମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ସାବଧାନ କରିଦେଇଛନ୍ତି। ଏହି ଘଟଣାର ଗୁରୁତ୍ବ ହୃଦୟଙ୍ଗମ କରିବାକୁ ହେଲେ ଏହାର ପୂର୍ବାପର ପ୍ରସଙ୍ଗ ସମ୍ବନ୍ଧରେ ଏକ ସମ୍ୟକ୍‌ ଧାରଣା ବୋଧହୁଏ ଉପଯୋଗୀ ହେବ। ସୌଭାଗ୍ୟବଶତଃ ଏହି ଦୁର୍ଭାଗ୍ୟଜନକ ଘଟଣାର ଭିଡିଓ ରେକର୍ଡିଙ୍ଗ୍ କରି ସୋସିଆଲ୍ ମିଡିଆରେ ପ୍ରସାର କରିଥିବା ଏଭ୍‌ଜିନିଆ ବେଲ୍‌ସ୍କାଇଆ ନାମକ ଜଣେ ସହଯାତ୍ରୀଙ୍କ ବର୍ଣ୍ଣନାରୁ ଏ ସମ୍ବନ୍ଧରେ ଏକ ଆବଶ୍ୟକ ଧାରଣା କରିହୁଏ।
ଏହି ରୁଷ୍-ଭାରତୀୟ ପେସାଦାର ମଡେଲ୍‌ଙ୍କ କହିବା ଅନୁସରରେ ଏହି ଫ୍ଲାଇଟ୍‌ର ଯାତ୍ରୀମାନେ ବଡିଭୋର୍‌ରୁ ଆସି ସକାଳ ୭.୪୦ରେ ଗୋଆ ଅଭିମୁଖେ ପ୍ରସ୍ଥାନ କରିବାକୁ ଥିବା ବିମାନରେ ପ୍ରବେଶ କରିବା ନିମିତ୍ତ ବିମାନ ବନ୍ଦରରେ ଅପେକ୍ଷା କରିରହିଥିଲେ ହେଁ, କୁହୁଡ଼ି ଯୋଗୁଁ ବାରମ୍ବାର ଫ୍ଲାଇଟ୍ ସ୍ଥଗିତ ହେବା ଘୋଷଣା ଶୁଣିଶୁଣି ସେମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଶେଷରେ ଦଶ ଘଣ୍ଟା ‌ଅପେକ୍ଷା ପରେ ସେମାନେ ଯେତେବେଳେ ବିମାନରେ ପ୍ରବେଶ କଲେ, ବିମାନଟି ଏଥର ଆକାଶକୁ ଉଠିବା ପରିବର୍ତ୍ତେ ଆହୁରି ତିନି ଘଣ୍ଟା କାଳ ଯାତ୍ରୀମାନଙ୍କୁ ପେଟରେ ପୂରାଇ ସେଇ ଭୂଇଁ ଉପରେ ବସି ରହିଲା। ସ୍ବାଭାବିକ ଭାବରେ ଅତିଷ୍ଠ ହୋଇ ପଡ଼ିଥିବା ଯାତ୍ରୀମାନେ ବିମାନ ଭିତରେ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବିଳମ୍ବର କାରଣ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରିପକାଇଥିଲେ। ଏହି ସମୟରେ ଯାତ୍ରୀମାନଙ୍କୁ ବୁଝାଇବା ପାଇଁ ଉପରୋକ୍ତ କୋ-ପାଇଲଟ୍‌ ଜଣକ ଚେଷ୍ଟା କଲେ। ସେ କିନ୍ତୁ ଉତ୍ତେଜିତ ଯାତ୍ରୀମାନଙ୍କୁ ଆଶ୍ବସ୍ତ କରିବା ପରିବର୍ତ୍ତେ ଓଲଟା ସେମାନଙ୍କୁ ଦୋଷ ଦେଲେ ଯେ ସେମାନେ ସୃଷ୍ଟି କରିଥିବା କୋଳାହଳ ଯୋଗୁଁ ବିମାନଟି ତା’ର ନିର୍ଦ୍ଧାରିତ ସମୟରେ ଉଡ଼ିବା ଆରମ୍ଭ କରିପାରିଲା ନାହିଁ (ଏହା ଆମକୁ ଅବୋଧ୍ୟ ମନେ ହୋଇଥାଏ); ତେଣୁ ବିଳମ୍ବ ପାଇଁ ସେମାନେ ଦାୟୀ। ଏହି ସମୟରେ ଦୃଶ୍ୟପଟରେ କଟାରିଆଙ୍କର ଆବିର୍ଭାବ ଘଟେ। ତା’ପରର ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଜଣା।
କଟାରିଆଙ୍କ ଆଚରଣ ଯେ ଅାଇନ ଅନୁସାରେ ଏକ ସ୍ପଷ୍ଟ ଅପରାଧ ଓ ଏଥିପାଇଁ ସେ ଆଇନ ଅନୁଯାୟୀ ଦଣ୍ଡ ପାଇବା ଦରକାର, ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ। ତେବେ ଏଥିସହିତ ପ୍ରସଙ୍ଗଟିର ଅନ୍ୟ କେତେଗୋଟି ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ ମନେହୁଏ। ଗୋଟିଏ ହେଲା, ଏଭଳି ପରିସ୍ଥିତିରେ ବିମାନ ଯାତ୍ରୀମାନଙ୍କର ମାନସିକ ଅବସ୍ଥା। ମାଧ୍ୟାକର୍ଷଣକୁ ପରାସ୍ତ କରି ଆକାଶର ଛାତି ଚିରି ଉଡୁଥିବା ବିମାନଟିଏ ଯେତେ ଚମକପ୍ରଦ ମନେ ହେଉଥିଲେ ହେଁ, ଶେଷରେ ଏହା ହେଉଛି ଏକ ନିବୁଜ ଧାତବ ନଳୀ ମାତ୍ର। ଘଣ୍ଟା ଘଣ୍ଟା ଧରି ଏହି ନିବୁଜ ନଳୀ ଭିତରେ ସଂକୀର୍ଣ୍ଣ ଆସନରେ ଜାକିଜୁକି ହୋଇ ସାତ୍ରଙ୍କ ନାଟକର ଦୃଶ୍ୟ ଭଳି ସହଯାତ୍ରୀମାନଙ୍କ ଘନିଷ୍ଠ ସାନ୍ନିଧ୍ୟ ଲାଭ କରି ବସି ରହିବା କାହା ପାଇଁ ହେଲେ ଏକ ସ୍ବାଗତଯୋଗ୍ୟ ଅନୁଭୂତି ହୋଇ ନ ଥାଏ। ଆଉ ସେହି ଯାତ୍ରୀମାନେ ଯଦି ବିମାନରେ ପ୍ରବେଶ କରିବା ପୂର୍ବରୁ ଅପେକ୍ଷା ଗୃହରେ ଦଶ ଘଣ୍ଟା ବିତାଇ ସାରିଥାନ୍ତି ଓ ତା’ପରେ ଆହୁରି ତିନି ଘଣ୍ଟା ବିଳମ୍ବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କର ଧୈର୍ଯ୍ୟ ହାନି ଘଟି ତାହା ସେମାନଙ୍କର ଆଚରଣରେ ପ୍ରତିଫଳିତ ହେବାର ଦୃଢ଼ ସମ୍ଭାବନା ଦେଖା ଦେଇଥାଏ।
ଅପରପକ୍ଷେ ଯେଉଁ କୋ-ପାଇଲଟ୍ ଯାତ୍ରୀଜଣକର ଦୁର୍ବ୍ୟବହାରର ସମ୍ମୁଖୀନ ହେଲେ, ସେ ଆଦୌ ଯାତ୍ରୀମାନଙ୍କ ଭଳି ଚାପଗ୍ରସ୍ତ ନ ଥିଲେ, କାରଣ ମୁଖ୍ୟ ପାଇଲଟ୍ ଓ ବିମାନର ଅନ୍ୟ କର୍ମଚାରୀମାନଙ୍କ ସହିତ ସେ ସଦ୍ୟ ସଦ୍ୟ କାର୍ଯ୍ୟରେ ଯୋଗଦେଇଥିଲେ। ବିମାନ ଛିଡ଼ାହୋଇ ରହିଥିଲେ ମଧ୍ୟ ତାଙ୍କର ପୂର୍ବବର୍ତ୍ତୀ ଛେକର ବିମାନ କର୍ମଚାରୀମାନଙ୍କର ୧୦-୧୩ ଘଣ୍ଟାର କାର୍ଯ୍ୟସମୟ ସମାପ୍ତ ହୋଇଯିବାରୁ ସେମାନେ ବିମାନ ଛାଡ଼ି ନୂତନ ଛେକ କର୍ମଚାରୀମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଚାଲିଯାଇଥିଲେ। ଆଶା କରାଯିବା କଥା ଯେ ଏହି ତାଜା ଛେକର ଉତ୍ସାହପୂର୍ଣ୍ଣ କର୍ମଚାରୀମାନେ ବିମାନର ଶ୍ରାନ୍ତ, କ୍ଳାନ୍ତ, ବିବ୍ରତ ଯାତ୍ରୀମାନଙ୍କ ମାନସିକ ଚାପ ଦୂର କରିବା ପାଇଁ ସଯତ୍ନ ପ୍ରୟାସ କରିବେ କିମ୍ବା ଅନ୍ତତଃ ସେମାନଙ୍କର ଚାପରେ ବୃଦ୍ଧି ଘଟାଇବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ। ନିଶ୍ଚିତ ରୂପେ ଏଭ୍‌ଜିନିଆଙ୍କ ବର୍ଣ୍ଣନା ଅନୁସାରେ ସଂପୃକ୍ତ ଯୁବ କୋ-ପାଇଲଟ୍‌ଙ୍କ ଆଚରଣ ଏଭଳି ଆଦର୍ଶଶ୍ରେଣୀୟ ହୋଇନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଦେଶରେ ବିମାନ ଯାତ୍ରାରେ ଏକ ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଛି। ଉଦାହରଣ ସ୍ବରୂପ ୨୦୧୩ରୁ ୨୦୨୩ ଦଶ ବର୍ଷ ମଧ୍ୟରେ ବିମାନ ଯାତ୍ରାରେ ୧୪୦ ଶତାଂଶରୁ ଅଧିକ ହାରରେ ବୃଦ୍ଧି ଘଟି ୨୦୨୩ରେ ଦେଶରେ ମୋଟ ବିମାନ ଯାତ୍ରୀ ସଂଖ୍ୟା ୧୫୦ ନି‌ୟୁତ ଅତିକ୍ରମ କରିଛି। ବିମାନ ଯାତ୍ରାରେ ଏହି ବୃଦ୍ଧି ସହିତ ତାଳ ଦେଇ ଏହି ସମୟରେ ଉଭୟ ଯାତ୍ରୀ ଓ କର୍ମଚାରୀମାନଙ୍କ ତରଫରୁ ପ୍ରଦର୍ଶିତ ବିଶୃଙ୍ଖଳିତ ଆଚରଣ ଘଟଣା ସଂଖ୍ୟାରେ ମଧ୍ୟ ଚିନ୍ତାଜନକ ଭାବରେ ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ଯାତ୍ରୀମାନଙ୍କ ଆଚରଣରେ ସଂଶୋଧନ ଘଟାଇବା ପାଇଁ ମାତ୍ର ଦୁଇଟି ବାଟ ରହିଛି: ଆହ୍ବାନ ଓ ଦଣ୍ଡ ଦାନ। କର୍ମଚାରୀମାନଙ୍କ ଆଚରଣରେ ଉନ୍ନତି ଘଟାଇବା ନିମିତ୍ତ ଏକ ଶକ୍ତିଶାଳୀ ତୃତୀୟ ଉପାୟ ଉପଲବ୍‌ଧ ଅଛି: ଉପଯୁକ୍ତ ତାଲିମ। ସରକାର ଓ ବିମାନ କମ୍ପାନିମାନଙ୍କୁ ଯେ କର୍ମଚାରୀଙ୍କ ତାଲିମ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ, ଇଣ୍ଡିଗୋ ଘଟଣା ହେଉଛି ସେଥିପାଇଁ ଏକ ଚେତାବନୀ।