ଝରକା: ଶ୍ରୀଲଙ୍କାର ନୂତନ ଆଇନ ହାତୀଙ୍କୁ ପରିଚୟପତ୍ର

ଶ୍ରୀଲଙ୍କା ସରକାର ନୂତନ ଆଇନ ଜରିଆରେ ପାଳିତ ହାତୀଙ୍କ ଶୋଷଣ ବନ୍ଦ ଦିଗରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଶ୍ରୀଲଙ୍କାରେ ପ୍ରାୟ ୭,୫୦୦ ଜଙ୍ଗଲୀ ହାତୀ ଥିବା ବେଳେ ପୋଷା ହାତୀଙ୍କ ସଂଖ୍ୟା ୨୦୦। ବିତ୍ତଶାଳୀ ସିଂହଳୀମାନେ ନିଜର ସମ୍ପତ୍ତି ପ୍ରଦର୍ଶନର ମାଧ୍ୟମ ସ୍ବରୂପ ହାତୀ ରଖୁଥିବା ବେଳେ ଅନେକ ସମୟରେ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବାର ଅଭିଯୋଗ ହୋଇଥାଏ। ଏହିଭଳି ପୋଷା ହାତୀଙ୍କ ସୁରକ୍ଷା ପାଇଁ ହୋଇଥିବା ଆଇନ ଅନୁଯାୟୀ ମାଲିକମାନେ ହାତୀଙ୍କର ଡିଏନ୍‍ଏ ଷ୍ଟାମ୍ପ ସହିତ ଫଟୋ ପରିଚୟ ପତ୍ର ତିଆରି କରିବେ ଏବଂ ସେମାନଙ୍କୁ ଦୈନିକ ଅନ୍ୟୂନ ଅଢ଼େଇ ଘଣ୍ଟା ଗାଧୋଇବା ପାଇଁ ଛାଡ଼ିବେ। ଏହା ବାଧ୍ୟତାମୂଳକ ହୋଇଛି।

ସେମିତି ହାତୀ ଛୁଆଙ୍କୁ କୌଣସି ଶ୍ରମ କାର୍ଯ୍ୟରେ ଲଗାଇବା ବା ମାଆ ଠାରୁ ଦୂରେଇ ରଖିବା ଦଣ୍ଡନୀୟ। କାର୍ଯ୍ୟକ୍ଷମ ହାତୀଙ୍କୁ ଦିନକୁ ଚାରି ଘଣ୍ଟାରୁ ଅଧିକ ବା ରାତିରେ କାମ କରାଇବା ମନା। ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହୃତ ହାତୀଙ୍କ ଉପରେ ସର୍ବାଧିକ ଚାରି ଜଣ ବସିବାର ନିୟମ କରାଯାଇଛି। ଚଳଚ୍ଚିତ୍ରରେ ହାତୀ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଆଇନ ଅନୁଯାୟୀ ହାତୀ ମାଲିକ ସୁନିଶ୍ଚିତ କରିବେ ଯେପରି ମାହୁନ୍ତ କୌଣସି ନିଶା ଦ୍ରବ୍ୟ ସେବନ କରି ହାତୀକୁ ଚଳାଉ ନ ଥିବେ। ସେହିପରି ପ୍ରତି ଛଅ ମାସରେ ପଶୁମାନଙ୍କ ଡାକ୍ତରୀ ପରୀକ୍ଷା କରାଇବା ଜରୁରୀ। ଏହିସବୁ ଆଇନ ଅମାନ୍ୟ କଲେ ମାଲିକଙ୍କ ନିକଟରୁ ହାତୀଙ୍କୁ ନେଇଯିବା ସହିତ ମାଲିକଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।

ଶ୍ରୀଲଙ୍କାରେ ଜଙ୍ଗଲୀ ହାତୀ ଧରିବା ଦଣ୍ଡନୀୟ ଅପରାଧ ପରିସରଭୁକ୍ତ ହୋଇଥିଲେ ହେଁ ବିଗତ ୧୫ ବର୍ଷରେ ଜାତୀୟ ଉଦ୍ୟାନମାନଙ୍କରୁ ୪୦ରୁ ଅଧିକ ଜଙ୍ଗଲୀ ହାତୀ ଶାବକ ଚୋରି କରାଯାଇଥିବା ପରିବେଶବିତ୍‍ମାନେ ଅଭିଯୋଗ କରନ୍ତି। ଏହି ନୂତନ ଆଇନ ପୋଷା ହାତୀଙ୍କ ଜୀବନରେ ଉନ୍ନତି ଆଣିବା ସହିତ ଜଙ୍ଗଲୀ ହାତୀ ଚୋରିକୁ ରୋକିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର