ଆନ୍ତର୍ଜାତିକ କନ୍‌ସଲ୍‌ଟାନ୍‌ସି ସଂସ୍ଥା ‘ଇୱାଇ’ (ପୂର୍ବେ ‘ଅର୍ନ‌ଷ୍ଟ ଆଣ୍ଡ୍ ୟଙ୍ଗ୍’ ନାମ ବହନ କରୁଥିଲା)ର ଏକ ‌ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତରେ ପୂରଣ ହୋଇପାରୁ ନ ଥିବା ‘ଏମ୍ଏସ୍ଏମ୍ଇ’ମାନଙ୍କର ଋଣ ଆବଶ୍ୟକତାର ଆକାର ହେଉଛି ୨୫ ଲକ୍ଷ କୋଟି ଟଙ୍କା। ସେଇ ରିପୋର୍ଟ ଅନୁସାରେ ଏହି କ୍ଷେତ୍ରର ଋଣ ଆବଶ୍ୟକତାର ମାତ୍ର ୧୪ ଶତାଂଶ ଏବେ ପୂରଣ ହୋଇପାରୁଛି। ‘ୟୁଏଲ୍ଆଇ’ ମାଧ୍ୟମରେ ଯଦି ଏହି ଅଭାବ ପୂରଣ ହେବାରେ ଉଲ୍ଲେଖନୀୟ ଉନ୍ନତି ଦେଖାଦିଏ, ତେବେ ତାହା ଦ୍ବାରା ଭାରତୀୟ ଅର୍ଥନୀତିର ଏକ ବିଶେଷ ଦୁର୍ବଳତା ଦୂର ହେବ।

Advertisment

କୁହାଯାଇଥାଏ ଋଣ ଏକ ଅର୍ଥନୀତିର କଳକବ୍‌ଜା ସବୁକୁ ସାବଲୀଳ ଭାବରେ ଚଳନକ୍ଷମ କରିଥାଏ, ଠିକ୍ ଯେମିତି ଏକ କାରଖାନାରେ କଳକବ୍‌ଜା ସବୁକୁ ଚିକ୍‌କଣକାରୀ ତୈଳ ସାବଲୀଳ କରିବାରେ ସହାୟକ ହୋଇଥାଏ। କିନ୍ତୁ ଏହି ଚିକ୍‌କଣକାରୀ ତୈଳ ବା ‘ଲ୍ୟୁବ୍ରିକାଣ୍ଟସ୍’ରେ ଯଦି ଖଦଡ଼ା ଉପସ୍ଥିତ ଥାଏ, ତାହା କଳକବ୍‌ଜାର ଚଳନକୁ ସାବଲୀଳ କରିବା ପରିବର୍ତ୍ତେ, ତାହାର ଗତିରୋଧକାରୀ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିଥାଏ ଓ ସେଗୁଡ଼ିକର କ୍ଷତିସାଧନ ମଧ୍ୟ କରିଥାଏ। ତେଣୁ କାରଖାନାରେ କଳକବ୍‌ଜା ସବୁର ଚଳନ ବାଧାହୀନ ହେବାକୁ ହେଲେ, ସେଥିରେ ପ୍ରୟୋଗ କରାଯାଉଥିବା ‘ଲ୍ୟୁବ୍ରିକାଣ୍ଟସ୍’ର ଚଳନ ମଧ୍ୟ ଖଦଡ଼ାମୁକ୍ତ ଅର୍ଥାତ୍ ବାଧାହୀନ ହେବା ଆବଶ୍ୟକ। ଏହି ରୂପକଳ୍ପକୁ ଅର୍ଥନୀତି ପ୍ରତି ପ୍ରୟୋଗ କଲେ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଏକ ଅର୍ଥନୀତିର କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟାଇ ସମୃଦ୍ଧି ହାସଲକୁ ତ୍ବରାନ୍ବିତ କରିବାକୁ ହେଲେ, ସେଥିରେ ଋଣର ପରିଚଳନକୁ ଯେତେଦୂର ସମ୍ଭବ ବାଧାହୀନ କରାଯିବା ଆବଶ୍ୟକ।
ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଗତ ବର୍ଷ ଅଗଷ୍ଟରେ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ଦେଶରେ ଏକ ଋଣ-ତ୍ବରାନ୍ବିତକାରୀ ସର୍ବସାଧାରଣ ପ୍ରାବିଧିକ ପ୍ଲାଟ୍‌ଫର୍ମ ବା ‘ପବ୍ଲିକ୍ ଟେକ୍ ପ୍ଲାଟ୍‌ଫର୍ମ’ କାର୍ଯ୍ୟକାରୀ କରିବା ପୂର୍ବରୁ ତାହାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଋଣ ଆଦାନପ୍ରଦାନ ପ୍ରକ୍ରିୟାରେ ବର୍ତ୍ତମାନ ଆବଶ୍ୟକ ହେଉଥିବା କାଳକ୍ଷେପଣକାରୀ ଯାଞ୍ଚ, ତଜ୍ଜନିତ ଜଟିଳତା ଓ ବ୍ୟୟ ଅାଦିରେ ତୀକ୍ଷ୍‌ଣ ହ୍ରାସ ଘଟାଇ ତାହାକୁ ତ୍ବରାନ୍ବିତ ଓ ସୁଗମ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ଲାଟ୍‌ଫର୍ମର ନାମକରଣ କରାଯାଇଛି ‘ୟୁନିଫାଏଡ୍ ଲେଣ୍ଡିଙ୍ଗ୍ ଇଣ୍ଟର୍‌ଫେସ୍’ ବା ‘ୟୁଏଲ୍ଆଇ’, ଯାହା ହେଉଛି ଦେଶରେ ଅର୍ଥ ପ୍ରେରଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ‘ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟର୍‌ଫେସ୍’ ବା ‘ୟୁପିଆଇ’ର ଏକ ଯମଜ ଭଗ୍ନୀ ଭଳି। ଗତ ସପ୍ତାହରେ ଏହି ପ୍ରକଳ୍ପର ଆସନ୍ନ କାର୍ଯ୍ୟାନ୍ବୟନ ସମ୍ବନ୍ଧରେ ସୂଚନା ଦେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଅନତି ବିଳମ୍ବେ ସାରା ଦେଶରେ ‘ୟୁଏଲ୍ଆଇ’ କାର୍ଯ୍ୟକାରୀ ହେବାକୁ ଯାଉଛି।
ବ୍ୟାଙ୍କ୍ ଓ ଅନ୍ୟ ଋଣ ପ୍ରଦାନକାରୀ ସଂସ୍ଥାମାନେ ଋଣ ଅନୁମୋଦନ କରିବା ପୂର୍ବରୁ ଆବେଦନକାରୀଙ୍କ ଆର୍ଥିକ ଅବସ୍ଥା ଓ ଋଣ ପରିଶୋଧ କରିବା କ୍ଷମତା ସମ୍ବନ୍ଧରେ ଆବଶ୍ୟକ ସୂଚନା ସଂଗ୍ରହ କରିବାରେ ବହୁତ ସମୟ ଲାଗିଥା‌ଏ ଓ ତାହା ମଧ୍ୟ ଅନେକ କାଗଜପତ୍ରଭିତ୍ତିକ ଏକ ଜଟିଳ ପ୍ରକ୍ରିୟା ହୋଇଥାଏ। ‘ୟୁଏଲ୍ଆଇ’ କାର୍ଯ୍ୟକାରୀ ହେଲେ ଋଣ ଆବେଦନକାରୀଙ୍କର ଭୂ-ସଂପତ୍ତି ରେକର୍ଡ ସମେତ ଅନ୍ୟାନ୍ୟ ଏଭଳି ତଥ୍ୟମାନ ଡିଜିଟାଲ୍ ସୂଚନା ଆକାରରେ ଏକାଧିକ ସୂତ୍ରରୁ ଋଣ ପ୍ରଦାନକାରୀ ସଂସ୍ଥାକୁ ତତ୍‌କ୍ଷଣାତ୍‌ ଉପଲବ୍‌ଧ ହୋଇପାରିବ। ଶକ୍ତିକାନ୍ତ ଦାସ କହିଛନ୍ତି ‌େଯ ‘ୟୁପିଆଇ’ ଅର୍ଥପ୍ରେରଣ ଜଗତର ଚିତ୍ରରେ ଚମକପ୍ରଦ ପରିବର୍ତ୍ତନ ଘଟାଇଥିବା ଭଳି ‘ୟୁଏଲ୍ଆଇ’ ଋଣ ପ୍ରଦାନ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବାକୁ ଯାଉଛି।
ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟ ଅନୁସାରେ ମାର୍ଚ୍ଚ ଶେଷ ସୁଦ୍ଧା ଏହି ନୂତନ ପ୍ଲାଟ୍‌ଫର୍ମକୁ ପାଞ୍ଚଗୋଟି ଋଣ କ୍ଷେତ୍ରରେ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇଥିଲା: କିଷାନ୍ କ୍ରେଡିଟ୍ କାର୍ଡ (‌‘କେସିସି’) ଋଣ, ଗୋପାଳନ ବା ‘ଡେଇରି’ ଋଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ‘ଏମ୍‌ଏସ୍‌ଏମ୍‌ଇ’ ଋଣ, ବ୍ୟକ୍ତିଗତ ଋଣ ଓ ଗୃହ ଋଣ। ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିବା ଏହି ପାଇଲଟ୍ ପ୍ରୋଜେକ୍ଟରେ ୧୨ଟି ବ୍ୟାଙ୍କ୍ ଅଂଶଗ୍ରହଣ କରିଥିଲେ। ମାର୍ଚ୍ଚ ଶେଷ ସୁଦ୍ଧା ଏହି ବ୍ୟାଙ୍କ୍‌ମାନେ ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ମୋଟ ୫,୫୩୫ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ, ଯେଉଁଥିରେ କେବଳ ‘ଏମ୍‌ଏସ୍ଏମ୍ଇ’ର ଅଂଶ ଥିଲା ୩,୬୪୦ କୋଟି ଟଙ୍କା। ଏହି ପ୍ଲାଟ୍‌ଫର୍ମ ସହିତ ବର୍ତ୍ତମାନ ୩୧ଟି ଭିନ୍ନ ଭିନ୍ନ ଡିଜିଟାଲ୍ ସୂଚନା ପ୍ରଦାନକାରୀ ସେବା ବା ‘ଡେଟା ସର୍ଭିସେସ୍’ ସଂଯୁକ୍ତ ଅଛନ୍ତି। ଓଡ଼ିଶା ସମେତ ସାତଟି ରାଜ୍ୟ ଏହି ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ କରିଛନ୍ତି, ‌େଯଉଁଥିରେ ଅନ୍ୟ ରାଜ୍ୟମାନେ ହେଲେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ। ଉପରୋକ୍ତ ଡିଜିଟାଲ୍ ସୂଚନା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କେତେକ ପ୍ରମୁଖ ସଂସ୍ଥା ହେଉଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନ, ଆକାଉଣ୍ଟ ଆଗ୍ରିଗେଟର୍, ବ୍ୟାଙ୍କ୍‌ମାନ, କ୍ରେଡିଟ୍ ଇନ୍‌ଫର୍ମେସନ୍ କଂପାନିମାନ ଏବଂ ଡିଜିଟାଲ୍ ପରିଚୟ କର୍ତ୍ତୃପକ୍ଷମାନ। ଏହି ନୂତନ ‘ୟୁଏଲ୍ଆଇ’ ପ୍ଲାଟ୍‌ଫର୍ମ ଭାରତର ବୃହତ୍ତର ‘ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍’ (‘ଡିପିଆଇ’) ସହିତ ସଂଯୁକ୍ତ ହେବ, ଯେଉଁଥିରେ ବ୍ୟାପକ ପ୍ରସିଦ୍ଧି ଲାଭ କରିଥିବା ତ୍ରିମୂର୍ତ୍ତି- ଜନଧନ ଆକାଉଣ୍ଟସ୍, ଆଧାର ଓ ମୋବାଇଲ୍ ଫୋନ୍‌ସ (‘ଜାମ୍’) ଅନ୍ତର୍ଭୁକ୍ତ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ‘ୟୁଏଲ୍ଆଇ’ କୃଷି ଓ ‘ଏମ୍ଏସ୍ଏମ୍ଇ’ ପରି ଦେଶର ପ୍ରଧାନ ନିଯୁକ୍ତ ସୃଷ୍ଟିକାରୀ କ୍ଷେତ୍ରମାନଙ୍କରେ ଋଣ ଉପଲବ୍‌ଧତାକୁ ତ୍ବରାନ୍ବିତ କରି ଦେଶ ସମ୍ମୁଖୀନ ହେଉଥିବା ନିଯୁକ୍ତି ଅଭାବ ସମସ୍ୟା ସମାଧାନରେ ବିଶେଷ ସହାୟକ ହେବ। ଉଦାହରଣ ସ୍ବରୂପ ‘ଏମ୍ଏସ୍ଏମ୍ଇ’ମାନଙ୍କରେ ଦେଶର ‘ଜିଡିପି’ର ୨୭ ଶତାଂଶ ଉତ୍ପାଦିତ ହୋଇଥାଏ, ମୋଟ ରପ୍ତାନିର ୪୫ ଶତାଂଶ ସେଇ ‌େକ୍ଷତ୍ରରୁ ଆସିଥାଏ, ମୋଟ ଶିଳ୍ପ ଉତ୍ପାଦନରେ ଏହାର ଅଂଶ ହେଉଛି ୩୮.୪ ଶତାଂଶ, ଦେଶର ଶ୍ରମ ଶକ୍ତିର ୨୩ ଶତାଂଶ ଏହି କ୍ଷେତ୍ରରେ ନିଯୁକ୍ତି ଲାଭ କରିଥାନ୍ତି। କିନ୍ତୁ ଆନ୍ତର୍ଜାତିକ କନ୍‌ସଲ୍‌ଟାନ୍‌ସି ସଂସ୍ଥା ‘ଇୱାଇ’ (ପୂର୍ବେ ‘ଅର୍ନ‌ଷ୍ଟ ଆଣ୍ଡ୍ ୟଙ୍ଗ୍’ ନାମ ବହନ କରୁଥିଲା)ର ଏକ ‌ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତରେ ପୂରଣ ହୋଇପାରୁ ନ ଥିବା ‘ଏମ୍ଏସ୍ଏମ୍ଇ’ମାନଙ୍କର ଋଣ ଆବଶ୍ୟକତାର ଆକାର ହେଉଛି ୨୫ ଲକ୍ଷ କୋଟି ଟଙ୍କା। ସେଇ ରିପୋର୍ଟ ଅନୁସାରେ ଏହି କ୍ଷେତ୍ରର ଋଣ ଆବଶ୍ୟକତାର ମାତ୍ର ୧୪ ଶତାଂଶ ଏବେ ପୂରଣ ହୋଇପାରୁଛି। ‘ୟୁଏଲ୍ଆଇ’ ମାଧ୍ୟମରେ ଯଦି ଏହି ଅଭାବ ପୂରଣ ହେବାରେ ଉଲ୍ଲେଖନୀୟ ଉନ୍ନତି ଦେଖାଦିଏ, ତେବେ ତାହା ଦ୍ବାରା ଭାରତୀୟ ଅର୍ଥନୀତିର ଏକ ବିଶେଷ ଦୁର୍ବଳତା ଦୂର ହେବ।
କିନ୍ତୁ କଥାଟି ଏତେ ସରଳ ଓ ସହଜ ମନେ ହୁଏନାହିଁ। ‘ଏମ୍ଏସ୍ଏମ୍ଇ’ମାନେ ବିଧିବଦ୍ଧ ଋଣ ପାଇପାରିବା ପଥରେ ଯେଉଁ କେତେଗୁଡ଼ିଏ ପ୍ରତିବନ୍ଧକ ଦେଖାଯାଇଥାଏ, ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ: ବନ୍ଧକ (‘କୋଲାଟରାଲ୍’)ର ଆବଶ୍ୟକତା, ଏ କ୍ଷେତ୍ରର ଋତୁକାଳୀନ ବ୍ୟବସାୟ, ବିତ୍ତୀୟ ସଚେତନତା‌ର ଅଭାବ, ଋଣ ଇତିହାସ ଓ ରେକର୍ଡର ଅନୁପସ୍ଥିତି। ଏହା ସ୍ପଷ୍ଟ ଯେ ଶେଷୋକ୍ତ ପ୍ରତିବନ୍ଧକ ଲଂଘନ କରିବାରେ ‘ୟୁଏଲ୍ଆଇ’ ସହାୟକ ହେବ, କିନ୍ତୁ ଅନ୍ୟ ପ୍ରତିବନ୍ଧକମାନ ଦୂର କରିବା ହେଉଛି ‘ୟୁଏଲ୍ଆଇ’ର କ୍ଷମତା ପରିସର ବାହାରେ। ଶେଷୋକ୍ତ ପ୍ରତିବନ୍ଧକ ଦୂର କରି ‘ୟୁଏଲ୍ଆଇ’ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଦେଇପାରିବ, କିନ୍ତୁ ଋଣ ପରିଶୋଧକୁ ସମୟାନୁବର୍ତ୍ତୀ ଓ ନିଶ୍ଚିତ କରିବା ହେଉଛି ଏକ ସଂପୂର୍ଣ୍ଣ ଭିନ୍ନ ବ୍ୟାପାର, ଯାହା ପ୍ରଥମୋକ୍ତ ପ୍ରତିବନ୍ଧକମାନଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ। ତେବେ ଆଶା କରାଯାଏ ଯେ ସେମାନଙ୍କର ଋଣ ଆବଶ୍ୟକତା ପୂରଣ ତ୍ବରାନ୍ବିତ ହେବା ଦ୍ବାରା ‘ଏମ୍ଏସ୍ଏମ୍ଇ’ମାନଙ୍କର ପ୍ରଦର୍ଶନରେ ଉନ୍ନତି ଘଟିଲେ, ସେମାନଙ୍କର ଋଣ ପରିଶୋଧ ଆଚରଣରେ ମଧ୍ୟ ଉନ୍ନତି ଘଟିବ।