ଆଶା କରାଯାଉଥିଲା ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ପରେ କ୍ଷମତାସୀନ ସରକାରମାନେ ଏଣିକି ସର୍ବଦା ଏହି ଦ୍ବୈତ ମାନଦଣ୍ଡ ପ୍ରୟୋଗ କରି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନମାନଙ୍କରେ ପଦାଧିକାରୀ ନିଯୁକ୍ତ କରିବେ। କିନ୍ତୁ ଉତ୍ତରାଖଣ୍ଡର ଭାଜପା ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତ କରି ପ୍ରମାଣ କରିଛନ୍ତି ଯେ ଅନ୍ଧାରରେ ସବୁ ବିଲେଇଙ୍କ ରଙ୍ଗ କଳା ଦିଶିବା ଭଳି କ୍ଷମତା ଅନ୍ଧାରରେ ସବୁ ରାଜନୈତିକ ଦଳମାନଙ୍କର ରଙ୍ଗ କଳା ହୋଇଥାଏ।
ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ଏକ ନିଯୁକ୍ତି ସଂପର୍କିତ ମାମଲାର ବିଚାର କରି ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ କରିଥିବା ଭର୍ତ୍ସନା ସେ ରାଜ୍ୟର ସୀମା ଅତିକ୍ରମ କରି ସମଗ୍ର ଦେଶର ସମସ୍ତ କ୍ଷମତାସୀନ ରାଜନେତାମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ବହନ କରିଥାଏ। ସଂପୃକ୍ତ ମାମଲାଟି ଥିଲା ରାହୁଲ ନାମକ ‘ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍’ ଅଫିସର୍ଙ୍କର ‘ରାଜାଜୀ ଟାଇଗର୍ ରିଜର୍ଭ’ର ନିର୍ଦ୍ଦେଶକ ରୂପେ ନିଯୁକ୍ତିକୁ କେନ୍ଦ୍ର କରି। ଦୁଇ ବର୍ଷ ତଳେ ଏହି ଅଫିସର୍ ଜଣକ ବେଆଇନ ଭାବରେ ଗଛ କାଟିବା ଓ ସଂରକ୍ଷିତ ଜଙ୍ଗଲରେ ସଡ଼କ ନିର୍ମାଣ କରିବା ଅଭିଯୋଗର ସମ୍ମୁଖୀନ ହୋଇ ‘କର୍ବେଟ୍ ଟାଇଗର୍ ରିଜର୍ଭ’ର ନିର୍ଦ୍ଦେଶକ ପଦରୁ ବହିଷ୍କୃତ ହୋଇଥିଲେ। ଉତ୍ତରାଖଣ୍ଡ ହାଇକୋର୍ଟ ଗତ ବର୍ଷ ତାଙ୍କ ବିରୋଧରେ ଏହି ଅଭିଯୋଗର ଅନୁସନ୍ଧାନ ଦାୟିତ୍ବ ସିବିଆଇ ହାତରେ ନ୍ୟସ୍ତ କରିଛନ୍ତି ଓ ସେ ମଧ୍ୟ ‘ଇଡି’ ଅନୁସନ୍ଧାନର ସମ୍ମୁଖୀନ।
ରାଜାଜୀ ଟାଇଗର୍ ରିଜର୍ଭର ନିର୍ଦ୍ଦେଶକ ରୂପେ ପୁଣି ସେଇ କଳଙ୍କିତ ଅଫିସରଙ୍କୁ ନିଯୁକ୍ତ କରିବା ପ୍ରସ୍ତାବକୁ ସେ ରାଜ୍ୟର ଜଙ୍ଗଲ ବିଭାଗ ମନ୍ତ୍ରୀ ଓ ପ୍ରମୁଖ ସଚିବ ବିରୋଧ କରିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଧାମି କାହାରି କଥା ନ ଶୁଣି ମନମୁଖୀ ଭାବରେ ରାହୁଲଙ୍କୁ ସେଇ ପଦରେ ନିଯୁକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏପରି ଏକଚାଟିଆ ନିଷ୍ପତ୍ତିର ତୀବ୍ର ନିନ୍ଦା କରି ସୁପ୍ରିମ୍ କୋର୍ଟ ଅତ୍ୟନ୍ତ କଠୋର ଶବ୍ଦ ବ୍ୟବହାର କରି ମନ୍ତବ୍ୟ ଦେଇଛନ୍ତି ଯେ ଆମେ ବର୍ତ୍ତମାନ ଏକ ରାଜାରାଜୁଡ଼ା ଯୁଗରେ ବାସ କରୁନାହୁଁ ଏବଂ ମୁଖ୍ୟମନ୍ତ୍ରୀ ଜଣେ ରାଜା ନୁହନ୍ତି ଯିଏ ସମସ୍ତ ବିଧିବିଧାନ ଏଡ଼ାଇ ଦେଇ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିପାରିବେ। ଅନ୍ୟ ଭାଷାରେ କହିଲେ ସରକାର ଏଭଳି ନିଯୁକ୍ତି ପ୍ରଦାନ କରିବା ବେଳେ ସମସ୍ତ ସାବଧାନତା ଅବଲମ୍ବନ କରିବା ଉଚିତ ଯେପରି ଏହାଦ୍ବାରା ସେ ଅନୁଷ୍ଠାନର ସାଧୁତା (ଇଣ୍ଟିଗ୍ରିଟି) କ୍ଷୁଣ୍ଣ ନ ହୁଏ।
ଉତ୍ତରାଖଣ୍ଡରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ସରକାର କ୍ଷମତାସୀନ ଅଛି। ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ପ୍ରମାଣ କରିଥାଏ ଯେ ଦଳ ନିର୍ବିଶେଷରେ କ୍ଷମତା ରାଜନେତାମାନଙ୍କ ଠାରେ ଧାମି ପ୍ରଦର୍ଶନ କରିଥିବା ଭଳି ସ୍ବେଚ୍ଛାଚାରିତା ସୃଷ୍ଟି କରିଥାଏ। କାରଣ, ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ଏକ ଦଶନ୍ଧିରୁ ଅଧିକ କାଳ ତଳେ ୨୦୧୧ରେ ଏହି ସର୍ବୋଚ୍ଚ ଅଦାଲତ ଅନ୍ୟ ଏକ ଅନୁରୂପ ମାମଲାରେ ପ୍ରଦାନ କରିଥିବା ରାୟର ପ୍ରତିଧ୍ବନି ପରି ପ୍ରତୀୟମାନ ହୋଇଥାଏ, େଯଉଁଥିରେ ଅଦାଲତର ଅନୁଶାସନମୂଳକ ସ୍ବର ଉଦ୍ଦିଷ୍ଟ ଥିଲା ଦେଶର ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତି। ସୁପ୍ରିମ୍ କୋର୍ଟ ସେତେବେଳେ ଯେଉଁ ମାମଲାର ବିଚାର କରି ସେଇ ରାୟ ପ୍ରଦାନ କରିଥିଲେ, ତାହା ଥିଲା ମଧ୍ୟ ଏକ ନିଯୁକ୍ତି ସଂପର୍କିତ। ତାହା ଥିଲା ଦେଶର ସେଣ୍ଟ୍ରାଲ୍ ଭିଜିଲାନ୍ସ କମିସନର୍ (‘ସିଭିସି’) ରୂପେ କେରଳ କ୍ୟାଡର୍ର ଆଇଏଏସ୍ ଅଫିସର୍ ପି ଜେ ଥମାସ୍ଙ୍କର ନିଯୁକ୍ତି, ଯାହାକୁ ବର୍ତ୍ତମାନ ଆଇଏଫ୍ଏସ୍ ଅଫିସର୍ ରାହୁଲଙ୍କ ନିଯୁକ୍ତି ଭଳି ସୁପ୍ରିମ୍ କୋର୍ଟ ଅବୈଧ ଘୋଷଣା କରି ନାକଚ କରିଦେଇଥିଲେ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଅତୀତର ସେଇ ଘଟଣାର ଏଠାରେ ଏକ ନାତିଦୀର୍ଘ ସ୍ମୃତିଚାରଣ ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ। ‘ସିଭିସି’ ରୂପେ ନିଯୁକ୍ତ କରିବା ନିମିତ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ତିନିଜଣିଆ କମିଟିର ସଦସ୍ୟମାନେ ଥିଲେ- ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ପି ଚିଦମ୍ବରମ୍, ଲୋକସଭାରେ ତତ୍କାଳୀନ ବିରୋଧୀ ଦଳ ନେତ୍ରୀ ସୁଷମା ସ୍ବରାଜ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଉକ୍ତ ପଦ ପାଇଁ ପି ଜେ ଥମାସ୍ଙ୍କ ନାମ ସୁପାରିସ କରିବାରୁ ସଂଖ୍ୟାଗରିଷ୍ଠ ସମର୍ଥନ ପାଇଁ ଥମାସ୍ ‘ସିଭିସି’ ନିଯୁକ୍ତ ହୋଇଥିଲେ। ସୁଷମା ସ୍ବରାଜ (ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ଭାରତୀୟ ଜନତା ପାର୍ଟିର ଜଣେ ତୁଙ୍ଗ ନେତ୍ରୀ) ଥମାସ୍ଙ୍କ ଚୟନକୁ ଦୃଢ଼ ଭାବରେ ବିରୋଧ କରିଥିଲେ। ତାଙ୍କ ବିରୋଧର କାରଣ ଥିଲା ୧୯୯୦ ଦଶକରେ ଥମାସ୍ ସମ୍ମୁଖୀନ ହୋଇଥିବା ଦୁର୍ନୀତି ଅଭିଯୋଗ ମାମଲା।
ସେ କେରଳ ସରକାରରେ ଖାଦ୍ୟ ସଚିବ ଥିବାବେଳେ ଥମାସ୍ ମାଲେସିଆରୁ ପାମୋଲିନ୍ ଖାଇବା ତେଲ ଆମଦାନି କରିବା ସପକ୍ଷରେ ଜୋରଦାର ଉଦ୍ୟମ ଚଳାଇଥିଲେ। ପରେ େଯତେବେଳେ ଜଣାପଡ଼ିଲା ଯେ ଏହି ତେଲକୁ ଏକ ଅହେତୁକ ଭାବରେ ଉଚ୍ଚା ମୂଲ୍ୟ ଦେଇ ଆମଦାନି କରାଯାଇଥିଲା, ସେତେବେଳେ ଥମାସ୍ଙ୍କ ବିରୋଧରେ ଦୁର୍ନୀତି ଓ ଅାପରାଧିକ ଚକ୍ରାନ୍ତ ଅଭିଯୋଗରେ ଅଦାଲତରେ ମାମଲା ରୁଜୁ କରାହେଲା। ଏହି କାରଣରୁ ‘ସିଭିସି’ ରୂପେ ଥମାସ୍ଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମ୍ କୋର୍ଟରେ ପିଆଇଏଲ୍ମାନ ଆଗତ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସରକାର ସୁପ୍ରିମ୍ କୋର୍ଟଙ୍କ ନିକଟରେ ସଫେଇ ଦେଇଥିଲେ ଯେ ଥମାସ୍ଙ୍କ ବିରୋଧରେ ଏହି ଦୁର୍ନୀତି ମାମଲା ବିଚାରାଧୀନ ଥିବା କଥା କମିଟି ପାଖରେ ଉପସ୍ଥାପନ କରାଯାଇଥିବା ପ୍ରାର୍ଥୀଙ୍କ ସଂପର୍କିତ ସୂଚନାବଳୀରେ ଉଲ୍ଲେଖ ନ ଥିଲା। ଏହା ହାସ୍ୟାସ୍ପଦ, କାରଣ ସୁଷମା ସ୍ବରାଜ ଏହାକୁ ଭିତ୍ତି କରି ହିଁ ଥମାସ୍ଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ, ଏବଂ ଏହା ସର୍ବଜନବିଦିତ ହୋଇଥିବାରୁ ଥମାସ୍ଙ୍କ ନିଯୁକ୍ତି ବିରୋଧରେ ଜନସ୍ବାର୍ଥ ମାମଲାମାନ ଆଗତ ହୋଇଥିଲା। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସରକାରଙ୍କର ଏହି ଶସ୍ତା ଚାଲାଖିକୁ ଭର୍ତ୍ସନା କରି କହିଥିଲେ ଯେ ପ୍ରାର୍ଥୀଙ୍କ ସମ୍ବନ୍ଧରେ ସମସ୍ତ ସମ୍ଭାବ୍ୟ ସୂତ୍ରରୁ ସୂଚନା ସଂଗ୍ରହ କରିବା ହେଉଛି ସରକାରଙ୍କର ଦାୟିତ୍ବ, କେବଳ ଉପସ୍ଥାପିତ ନଥିପତ୍ରରୁ ନୁହେଁ।
ସରକାର ଆଉ ଏକ ଯୁକ୍ତି ବାଢ଼ିଥିଲେ ଯେ ଯେହେତୁ ‘ସିଭିସି’ ହେଉଛି ଏକ ସାଂବିଧାନିକ ପଦ, ଏଥିରେ ନିଯୁକ୍ତିର ସମୀକ୍ଷା କରିବାର ଅଧିକାର ସୁପ୍ରିମ୍ କୋର୍ଟଙ୍କର କ୍ଷମତା ବହିର୍ଭୂତ। ଏହାର ଉତ୍ତରରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ସରକାର ଏ ସଂକ୍ରାନ୍ତରେ ଗ୍ରହଣ କରୁଥିବା ନୀତିଗତ ନିଷ୍ପତ୍ତି ପାଇଁ ସୁପ୍ରିମ୍ କୋର୍ଟଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି ସତ, କିନ୍ତୁ ଏଭଳି ନିଷ୍ପତ୍ତିର ବୈଧତା ପାଇଁ ସରକାର ଅଦାଲତ ନିକଟରେ ନିଶ୍ଚିତ ରୂପେ ଉତ୍ତରଦାୟୀ ହୋଇଥାନ୍ତି। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଚୟନ କମିଟି ଥମାସ୍ଙ୍କ କ୍ୟାରିଅର୍ରେ ଲାଗିଥିବା କଳା ଦାଗଗୁଡ଼ିକୁ ଜାଣିଶୁଣି ଅଣଦେଖା କରିଥିଲା ବୋଲି ଉଲ୍ଲେଖ କରିଥିଲେ।
ସୁପ୍ରିମ୍ କୋର୍ଟଙ୍କର ଏହି ୭୧ ପୃଷ୍ଠାବ୍ୟାପୀ ରାୟର କିନ୍ତୁ ଯାହା ଥିଲା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବାକ୍ୟ, ତାହା ହେଲା: ‘‘ସିଭିସି ନିଯୁକ୍ତି ପାଇଁ ଯାହା ହେଉଛି କଷଟି ପଥର, ତାହା ହେଲା ପ୍ରାର୍ଥୀଙ୍କର ବ୍ୟକ୍ତିଗତ ସାଧୁତା ସହିତ ଆନୁଷ୍ଠାନିକ ସାଧୁତା।’’ ଏହି ମନ୍ତବ୍ୟର ତାତ୍ପର୍ଯ୍ୟ ହେଉଛି ଅତ୍ୟନ୍ତ ଗଭୀର ଓ ସୁଦୂରପ୍ରସାରୀ। ଅଦାଲତଙ୍କ କହିବା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନମାନଙ୍କ ମାଧ୍ୟମରେ ହିଁ ଦେଶରେ ଆଇନର ଶାସନ ବାସ୍ତବରେ କାର୍ଯ୍ୟ କରିଥାଏ। ଏହି ଅନୁଷ୍ଠାନଗୁଡ଼ିକ ଫଳପ୍ରଦ ଭାବରେ ଏହି ଗୁରୁଦାୟିତ୍ବ ସଂପାଦନ କରିବାକୁ ହେଲେ ସେମାନଙ୍କ ଭାବମୂର୍ତ୍ତିରେ ସାଧୁତା (ଇଣ୍ଟିଗ୍ରିଟି) ସଂପୂର୍ଣ୍ଣ ଓ ପ୍ରଶ୍ନାତୀତ ଭାବରେ ବିଦ୍ୟମାନ ହେବା ଜରୁରି। ଏହା ହିଁ ହେଉଛି ଆନୁଷ୍ଠାନିକ ସାଧୁତା (ଇନ୍ଷ୍ଟିଚ୍ୟୁସ୍ନାଲ୍ ଇଣ୍ଟିଗ୍ରିଟି)ର ମର୍ମ। ଅଦାଲତ ଦ୍ବାରା ସେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ପି ଜେ ଥମାସ୍ଙ୍କ ବ୍ୟକ୍ତିଗତ ସାଧୁତାକୁ ହୁୁଏତ ପ୍ରଶ୍ନ କରାଯାଇ ପାରନ୍ତା ନାହିଁ, କିନ୍ତୁ ତାଙ୍କ ପରି ଗୁରୁତର ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଜଣେ ପ୍ରାର୍ଥୀଙ୍କୁ ଯଦି ‘ସିଭିସି’ ପଦରେ ନିଯୁକ୍ତ କରାଯାଏ, ତାହାଦ୍ବାରା ‘ସିଭିସି’ ଅନୁଷ୍ଠାନର ଭାବମୂର୍ତ୍ତି ଓ ବିଶ୍ବସନୀୟତା ଗୁରୁତର ବାଧାପ୍ରାପ୍ତ ହେବା ନିଶ୍ଚିତ, ଅର୍ଥାତ୍ ‘ସିଭିସି’ର ଆନୁଷ୍ଠାନିକ ସାଧୁତା ପ୍ରତି ଘୋର ଆଞ୍ଚ ଆସିବ।
ଆଶା କରାଯାଉଥିଲା ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ପରେ କ୍ଷମତାସୀନ ସରକାରମାନେ ଏଣିକି ସର୍ବଦା ଏହି ଦ୍ବୈତ ମାନଦଣ୍ଡ ପ୍ରୟୋଗ କରି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନମାନଙ୍କରେ ପଦାଧିକାରୀ ନିଯୁକ୍ତ କରିବେ। କିନ୍ତୁ ଉତ୍ତରାଖଣ୍ଡର ଭାଜପା ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତ କରି ପ୍ରମାଣ କରିଛନ୍ତି ଯେ ଅନ୍ଧାରରେ ସବୁ ବିଲେଇଙ୍କ ରଙ୍ଗ କଳା ଦିଶିବା ଭଳି କ୍ଷମତା ଅନ୍ଧାରରେ ସବୁ ରାଜନୈତିକ ଦଳମାନଙ୍କର ରଙ୍ଗ କଳା ହୋଇଥାଏ।