ଏବେ ଇତିହାସ ପୃଷ୍ଠାରେ ସିପିଓ ଜଣେ ବୀର ସେନାପତି ଭାବେ ବର୍ଣ୍ଣିତ ଏବଂ ତାଙ୍କ ଦ୍ବାରା ହୋଇଥିବା ରକ୍ତପାତକୁ ଯୁଦ୍ଧକାଳୀନ ସ୍ବାଭାବିକତା ରୂପେ ଦେଖାଯାଇଥାଏ। ଯୁଦ୍ଧଖୋ‌ର ନେତନ୍ୟାହୁ ନିଶ୍ଚିିତ ରୂପେ ସିପିଓଙ୍କ ସଂପର୍କରେ ଅବଗତ ଥିବେ। ସେ ଏହା ମଧ୍ୟ ଜାଣିଥିବେ ଯେ ଅଗଣିତ ମନୁଷ୍ୟ ପ୍ରାଣ ଓ ସହରମାନଙ୍କୁ ନିଶ୍ଚିହ୍ନ କରିଦେଇଥିବା ସତ୍ତ୍ବେ ଭବିଷ୍ୟତ୍‌ର ଇସ୍ରାଏଲ୍ ତାଙ୍କୁ ଜ୍ୟୁମାନଙ୍କ ତ୍ରାଣକର୍ତ୍ତା ରୂପେ ସ୍ମରଣରେ ରଖିବ! ତେଣୁ ସେ ରକ୍ତର ଏକ ମହାନଦୀ ବୁହାଇ ଦେଇପାରନ୍ତି!

Advertisment

ଏଇ କିଛି ଦିନ ଧରି କରାଯାଉଥିବା ଆଶଙ୍କାକୁ ସତ‌େର ପରିଣତ କରି ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ସିରିଆର ରାଜଧାନୀ ଦାମାସ୍କସ୍‌ ଠାରେ ଅବସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଗଲା ଏପ୍ରିଲ୍‌ ମାସରେ ଇରାନ ପକ୍ଷରୁ ହୋଇଥିବା ନିଷ୍ପ୍ରଭାବୀ ରକେଟ୍‌ ପ୍ରହାର ତୁଳନାରେ ସଦ୍ୟ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଅଧିକ ଦମ୍‌ଦାର ହୋଇଛି, କାରଣ ଏଥିରେ ଶକ୍ତିଶାଳୀ ବାଲାଷ୍ଟିକ୍‌ ମିସାଇଲ୍‌ର ବ୍ୟବହାର କରାଯାଇଛି। ପ୍ରକାଶ ଥାଉ କି ଗଲା ସେପ୍‌ଟେମ୍ବର ୨୭ ତାରିଖରେ ଇସ୍ରାଏଲ୍‌ ହାତରେ ହେଜବୋଲ୍ଲା ମୁଖ୍ୟ ହାସାନ ନସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ ସ୍ବରୂପ ଇରାନ ଏହି ଆକ୍ରମଣ କରିଛି। ଏହା ସହିତ ମଧ୍ୟ-ପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧ ଅଧିକ ତୀବ୍ର ହେବ; କିନ୍ତୁ ଭବିଷ୍ୟତ୍‌ରେ ଯୁଦ୍ଧର ଚରିତ୍ର କିଭଳି ସ୍ବରୂପ ଗ୍ରହଣ କରିବ, ତାହା କେବଳ ଅନୁମାନ ସ୍ତରରେ ହିଁ ରହିଛି। ସୁତରାଂ, ଏ ସଂପର୍କରେ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଛି।
ପ୍ରଥମ କଥା ହେଲା ଇରାନର କାର୍ଯ୍ୟକଳାପ ସ୍ପଷ୍ଟ କରିଥାଏ ଯେ ଏହା ସମରାଭିଳାଷୀ ଏପରିକି ଉପଦ୍ରବ ସୃଷ୍ଟିକାରୀ ହୋଇଥିଲେ ହେଁ ଏକ ଯୁଦ୍ଧ କୁଣ୍ଠିତ ରାଷ୍ଟ୍ର; କାରଣ ହମାସ୍‌, ହେଜବୋଲ୍ଲା ଓ ହୁଥି ଭଳି ସଂଗଠନ ମାଧ୍ୟମରେ ଏହି ରାଷ୍ଟ୍ର ଅନେକ ଅଞ୍ଚଳରେ ଅପ୍ରତ୍ୟକ୍ଷ ବା ପ୍ରକ୍‌ସି ଯୁଦ୍ଧରେ ବ୍ୟାପୃତ ଥିବାବେଳେ ଦୀର୍ଘ ସାଢ଼େ ତିନି ଦଶନ୍ଧି ଧରି ପ୍ରତ୍ୟକ୍ଷ ଯୁଦ୍ଧରୁ ନିଜକୁ ଦୂରେଇ ବା ବଞ୍ଚାଇ ରଖିଛି (ଇରାକ ସହିତ ଚାଲିଥିବା ଦୀର୍ଘ ଆଠ ବର୍ଷର ଯୁଦ୍ଧ ୧୯୮୮ ମସିହାରେ ସରିଥିଲା)। ଦ୍ବିତୀୟରେ ଇସ୍ରାଏଲ୍‌ ଉପରେ ଇରାନର ଏହି ଆକ୍ରମଣ ଏକ ବାଧ୍ୟବାଧକତା ଭଳି ମନେ ହୋଇଥାଏ, ଯାହାର ମୂଳ ଉଦ୍ଦେଶ୍ୟ ଆପଣା ସମ୍ମାନକୁ ଅକ୍ଷୁଣ୍ଣ ରଖିବା। କହିବା ବାହୁଲ୍ୟ ଯେ ଇରାନ ଗଲା କିଛି ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍‌ ଦ୍ବାରା ଅପମାନର ଶିକାର ହୋଇ ଆସିଛି, ଯହିଁରେ ଇରାନୀୟ ଅଣୁ ବିଜ୍ଞାନୀ ମୋସିନ ଫକ୍ରଜାଦେ ଓ ସେନାପତି ଜେନେରାଲ୍‌ କାସିମ ସୁଲେମାନୀଙ୍କ ହତ୍ୟା ଅନ୍ତର୍ଭୁକ୍ତ, ଯାହା ବିରୋଧରେ ଇରାନ କେବଳ ପ୍ରତିଶୋଧର ହୁଙ୍କାର ସୃଷ୍ଟି କରିଛି ସିନା କୌଣସି ପଦକ୍ଷେପ ନେଇନାହିଁ। ତେବେ, ହମାସ ନେତା ଇସମାଇଲ ହାନିୟାଁ ଓ ହେଜବୋଲ୍ଲା ମୁଖ୍ୟ ହାସାନ ନସରାଲ୍ଲାଙ୍କ ନିଧନ ଇରାନ ସକାଶେ ପ୍ରତିଶୋଧାତ୍ମକ ଆକ୍ରମଣକୁ ଅଗତ୍ୟା ଅନିବାର୍ଯ୍ୟ କରି ଦେଇଥିଲା, କାରଣ, ତାହା ନ ହେଲେ ଇରାନ ସକାଶେ ବିନା ଦ୍ବିଧାରେ ପ୍ରାଣ ବଳି ଦେବାକୁ ପ୍ରସ୍ତୁତ ଅନୁଗତ ସଂଗଠନଗୁଡ଼ିକ ସେମାନଙ୍କ ଗାର୍ଜନ ଇରାନ ଉପରେ ବିଶ୍ବାସ ହରାନ୍ତେ। ସେହି କାରଣରୁ ଅନେକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି ଯେ ଇରାନ ଦ୍ବାରା ନି‌େକ୍ଷପିତ ବାଲାଷ୍ଟିକ୍‌ ମିସାଇଲ୍‌ଗୁଡ଼ିକ ଇସ୍ରାଏଲୀ ନାଗରିକଙ୍କ ସକାଶେ ପ୍ରାଣଘାତୀ ନ ହେବା ଇରାନର ସୁଚିନ୍ତିତ ରଣକୌଶଳର ଅଂଶ। ଏହି ମିସାଇଲ୍‌ଗୁଡ଼ିକ ଇସ୍ରାଏଲ୍‌ର କେତେକ ‘ଏୟାରବେସ୍‌’ରେ ଆଘାତ ପହଞ୍ଚାଇଛନ୍ତି ଯାହା! ଏହି ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଏଭଳି କରି ଇରାନ ଏକ ଧାରଣା ସୃଷ୍ଟି କରିବାକୁ ଚାହିଥାଏ ଯେ ତାହା ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଅଧୀନସ୍ଥ ଇସ୍ରାଏଲ୍‌ ଭଳି ଏକ ଅବିବେକୀ ରାଷ୍ଟ୍ର ନୁହେଁ। କିମ୍ବା, ଏହା ମଧ୍ୟ ହୋଇପାରେ ଯେ ଗାଜାର ଦୃଷ୍ଟାନ୍ତ ଦେଖିବା ପରେ ଇସ୍ରାଏଲୀ ପ୍ରାଣ କ୍ଷୟ କରି ଇରାନ ଆତ୍ମଘାତ କରିବାର ଦୁଃସାହସ ହୁଏତ କରି ନ ଥିବ। ଏହା ସୁବିଦିତ ଯେ ଯୁଦ୍ଧ ବିଭୋର ନେତନ୍ୟାହୁଙ୍କ ଆଦେଶରେ ବର୍ଷାଧିକ କାଳ ହମାସ ଉପରେ ଜାରି ରହିଥିବା ଆକ୍ରମଣରେ ଗାଜା ଅଞ୍ଚଳ ସଂପୂର୍ଣ୍ଣ ଚୂର୍ଣ୍ଣୀଭୂତ ହେବା ସହିତ ୪୫ ହଜାରରୁ ଅଧିକ ସାଧାରଣ ପାଲେଷ୍ଟିନୀୟ ନାଗରିକ ପ୍ରାଣ ହରାଇ ସାରିଛନ୍ତି। ସେହିଭଳି ହେଜବୋଲ୍ଲାକୁ ଶାସ୍ତି ଦେବା‌ ସକାଶେ ଲେବାନନ୍‌ର ରାଜଧାନୀ ବିରୁଟ୍‌ ଉପରେ ହୋଇଥିବା ସଦ୍ୟ ଇସ୍ରାଏଲୀ ଆକ୍ରମଣରେ ସହସ୍ରାଧିକ ସାଧାରଣ ନାଗରିକ ପ୍ରାଣ ହରାଇ ସାରିଲେଣି। କିନ୍ତୁ, ଏହି ଆକ୍ରମଣ ସହିତ ଇରାନ ସାବ୍ୟସ୍ତ କରିଦେଇଛି ଯେ ଇରାନ ସୀମାକୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଥିବା ତ୍ରିସ୍ତରୀୟ ଦୁର୍ଭେଦ୍ୟ ବଳୟ ‘ଆଇରନ୍‌ ଡୋମ୍‌’ ବା ‘ଲୌହ ଛାତ’ର ଧାରଣା ଭ୍ରମାତ୍ମକ; ଯଦିଓ ଇରାନ ଦ୍ବାରା ନିକ୍ଷେପିତ ପ୍ରାୟ ଦୁଇ ଶହ ବାଲାଷ୍ଟିକ୍‌ ମିସାଇଲ୍‌ ମଧ୍ୟରୁ ପାଞ୍ଚ ବା ଦଶ ପ୍ରତିଶତ ମାତ୍ର ଏହି ସୁରକ୍ଷା ବର୍ମ ଭେଦ କରିବାରେ ସମର୍ଥ ହୋଇଛନ୍ତି, ବିପୁଳ କ୍ଷତି ପହଞ୍ଚାଇବା ସକାଶେ ସେତିକି ଯଥେଷ୍ଟ। ସୁତରାଂ, ଇରାନ ଏହି ଆକ୍ରମଣ ମାଧ୍ୟମରେ ଆଉ କିଛି ନ କଲେ ସୁଦ୍ଧା ତା’ର ଉପସ୍ଥିତି ଜାହିର କରି ପାରିଛି!
ଇତିମଧ୍ୟରେ ଇସ୍ରାଏଲ୍‌ ପକ୍ଷରୁ ଏକ ଅତ୍ୟନ୍ତ ଭୟାବହ ପ୍ରତିଆକ୍ରମଣର ଧମକ ଦିଆ ଯାଇସାରିଲାଣି। କିନ୍ତୁ କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଗାଜା ଓ ଲେବାନନ୍‌ ଭଳି ଦୁଇଟି ସାମ୍ମୁଖ୍ୟରେ ସମର ବ୍ୟାପୃତ ଇସ୍ରାଏଲ୍‌ ଆଉ ଏକ ନୂତନ ଯୁଦ୍ଧରେ ସହସା ସାମିଲ ହୋଇ ନ ପାରେ! ସେମାନେ ଆହୁରି ଅନୁମାନ କରନ୍ତି ଯେ ବର୍ଷାଧିକ କାଳ ଯୁଦ୍ଧରେ ଲିପ୍ତ କ୍ଳାନ୍ତ ଇସ୍ରାଏଲୀ ସାମରିକ ବାହିନୀ ସକାଶେ ପୁଣି ଏକ ଯୁଦ୍ଧ ହୁଏତ ସ୍ଫୃହଣୀୟ ହୋଇ ନ ପାରେ! ସେହି କାରଣରୁ ସେମାନଙ୍କ ଅନୁମାନ ଯେ ଇସ୍ରାଏଲୀ ଆକ୍ରମଣ ଏଣିକି ଅନ୍ତର୍ଘାତ-ମୂଳକ ହୋଇପାରେ; ଲେବାନନ୍‌ରେ ପେଜର ବୋମା ବିସ୍ଫୋରଣ ଭଳି ଅଥବା ସାଇବର ଆକ୍ରମଣ ଭଳି ପଦ୍ଧତିର ଅଧିକ ବ୍ୟବହାର ଦୃଷ୍ଟିଗୋଚର ହୋଇପାରେ! କିନ୍ତୁ, ସମସ୍ତେ ଏକମତ ଯେ ଏହା ଦ୍ବାରା ଆଉ ଏକ ବିଶ୍ବଯୁଦ୍ଧ ସୃଷ୍ଟି ହେବାର ଆଦୌ କୌଣସି ସମ୍ଭାବନା ନାହିଁ; କାରଣ ଆମେରିକା ବିରୋଧୀ ହୋଇଥିବାରୁ ଇରାନର ମିତ୍ର ଭାବେ ଯେଉଁ ଦୁଇଟି ଶକ୍ତିଶାଳୀ ରାଷ୍ଟ୍ର ବିଦ୍ୟମାନ, ସେମାନେ ହେଲେ ଚୀନ ଓ ରୁଷିଆ; ଏବଂ ପ୍ରାୟ ସମସ୍ତ ଆରବ ରାଷ୍ଟ୍ର ଇସଲାମୀୟ ହୋଇଥିଲେ ହେଁ ଆମେରିକାର ଦୃଢ଼ ସମର୍ଥକ ଭାବେ ଇରାନ ବିରୋଧୀ ମନୋଭାବ ପୋଷଣ କରନ୍ତି। ଏବଂ ଇରାନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ କୌଣସି ରାଷ୍ଟ୍ର ଇରାନ ପକ୍ଷଭୁକ୍ତ ହୋଇ ପ୍ରତ୍ୟକ୍ଷ ଭାବେ ରଣାଙ୍ଗନକୁ ଓହ୍ଲାଇବାର ଲେଶ ମାତ୍ର ସମ୍ଭାବନା ଦିଶି ନ ଥାଏ।
ତେବେ, ଅନେକ ପର୍ଯ୍ୟବେକ୍ଷକ ଯେଉଁମାନେ ନେତନ୍ୟାହୁଙ୍କ ଯୁଦ୍ଧବିଳାସ, ପ୍ରତିଶୋଧପରାୟଣତା‌ ଓ ରକ୍ତ-ତୃଷ୍ଣା ବିଷୟରେ ଅବଗତ, କହନ୍ତି ଯେ ଇରାନ ଉପରେ ପ୍ରତି-ଆକ୍ରମଣ ଅତ୍ୟନ୍ତ ଭୟାବହ ହୋଇପାରେ! ସେମାନେ ନେତନ୍ୟାହୁଙ୍କୁ ପ୍ରାଚୀନ ରୋମ ସାଧାରଣତନ୍ତ୍ରର ସେନାପତି ସିପିଓଙ୍କ ସହିତ ତୁଳନା କରନ୍ତି, ଯିଏ ଖ୍ରୀଷ୍ଟପୂର୍ବ ୨୦୬ ମସିହାରେ ସଂଘଟିତ ତୃତୀୟ ପ୍ୟୁନିକ୍‌ ଯୁଦ୍ଧରେ ସମୃଦ୍ଧ କାର୍ଥେଜ୍‌କୁ ନିର୍ଣ୍ଣାୟକ ଭାବେ ପରାଜିତ କରିଥିବା ସତ୍ତ୍ବେ ତହିଁରେ ସନ୍ତୁଷ୍ଟ ନ ରହି ନାଗରିକମାନଙ୍କୁ ଅବିଚାରିତ ଭାବେ ହତ୍ୟା କରି ଓ କ୍ରୀତଦାସ ବଜାରରେ ବିକ୍ରୟ କରି କାର୍ଥେଜ୍‌ ନଗରୀକୁ ସଂପୂର୍ଣ୍ଣ ଜନଶୂନ୍ୟ କରି ଦେଇଥିଲେ। ପୁଣି ସେତିକିରେ ସନ୍ତୁଷ୍ଟ ନ ରହି ସୁବ୍ୟବସ୍ଥିତ ଢଙ୍ଗରେ କାର୍ଥେଜ୍‌କୁ ଚୂର୍ଣ୍ଣ କରି ସମତଳ ଭୂମିରେ ପରିଣତ କରିଦେବା ପରେ ତା’ ଉପରେ ଳଙ୍ଗଳ ବୁଲାଇ ଦେଇଥିଲେ! ଏବେ ଇତିହାସ ପୃଷ୍ଠାରେ ସିପିଓ ଜଣେ ବୀର ସେନାପତି ଭାବେ ବର୍ଣ୍ଣିତ ଏବଂ ତାଙ୍କ ଦ୍ବାରା ହୋଇଥିବା ରକ୍ତପାତକୁ ଯୁଦ୍ଧକାଳୀନ ସ୍ବାଭାବିକତା ରୂପେ ଦେଖାଯାଇଥାଏ। ଯୁଦ୍ଧଖୋ‌ର ନେତନ୍ୟାହୁ ନିଶ୍ଚିିତ ରୂପେ ସିପିଓଙ୍କ ସଂପର୍କରେ ଅବଗତ ଥିବେ। ସେ ଏହା ମଧ୍ୟ ଜାଣିଥିବେ ଯେ ଅଗଣିତ ମନୁଷ୍ୟ ପ୍ରାଣ ଓ ସହରମାନଙ୍କୁ ନିଶ୍ଚିହ୍ନ କରିଦେଇଥିବା ସତ୍ତ୍ବେ ଭବିଷ୍ୟତ୍‌ର ଇସ୍ରାଏଲ୍ ତାଙ୍କୁ ଜ୍ୟୁମାନଙ୍କ ତ୍ରାଣକର୍ତ୍ତା ରୂପେ ସ୍ମରଣରେ ରଖିବ! ତେଣୁ ସେ ରକ୍ତର ଏକ ମହାନଦୀ ବୁହାଇ ଦେଇପାରନ୍ତି!