ହୁଏତ ଏହା ହୋଇପାରେ ଯେ ଏଭଳି ରିପୋର୍ଟଗୁଡ଼ିକ ପ୍ରକାଶିତ ହେଲେ ପ୍ରଭାବଶାଳୀମାେନ ସର୍ବସମକ୍ଷରେ ଉଲଗ୍ନ ହୋଇଯାଇ ସରକାରଙ୍କ ଲାଗି ଅସ୍ବସ୍ତିର କାରଣ ହେବେ ବୋଲି ସେ ସବୁକୁ ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ଦିଆଯାଏ। କେରଳର ପି. ବିଜୟନ ସରକାର ମଧ୍ୟ ସମ୍ଭବତଃ ତାହା ହିଁ କରିଥାଆନ୍ତେ! କିନ୍ତୁ ସେଭଳି ହେବାକୁ ନ ଦେଇ ‘ଡବ୍ଲୁ.ସି.ସି.’ ଏକ ଅପୂର୍ବ ଦୃଷ୍ଟାନ୍ତରେ ପରିଣତ ହୋଇଛି। ପୀଡ଼ିତାମାନେ ସଂଗଠିତ ହୋଇ ନ୍ୟାୟ ମାଗିବା ଓ ପାଇବା ହେଉଛି ଏହି ‘କେରଳ ଷ୍ଟୋରି’ର ନୀତି ଶିକ୍ଷା, ଯାହା ସବୁ କ୍ଷେତ୍ର ସକାଶେ ପ୍ରଯୁଜ୍ୟ!
ମାଲାୟାଲୀ ଚଳଚ୍ଚିତ୍ରଗୁଡ଼ିକ ସେମାନଙ୍କ ଉତ୍କର୍ଷ ହେତୁ ଭାଷା ବ୍ୟବଧାନ ଅତିକ୍ରମ କରି ଭାରତର ସର୍ବତ୍ର ଆଦୃତି ଲାଭ କରିଥିବାରୁ ସେଠାକାର ସିନେମା ଶିଳ୍ପ (‘ମଲିଉଡ୍’)ରେ ଦୀର୍ଘ କାଳ ଧରି ହୋଇ ଆସୁଥିବା ଅଭିନେତ୍ରୀମାନଙ୍କ ଯୌନ ଶୋଷଣ, ଉତ୍ପୀଡ଼ନ ଏପରିକି ଦୁଷ୍କର୍ମ ଏବଂ ସେଠାରେ ରାଜୁତି କରୁଥିବା ମହିଳା ପ୍ରତିକୂଳ କାର୍ଯ୍ୟ ପରିବେଶ ଇତ୍ୟାଦି ଭଳି ବିଷୟ ସହସା ଉଜାଗର ହୋଇଉଠି ସମଗ୍ର ଦେଶରେ ଉଦ୍ବେଗ ବିଜଡ଼ିତ ଚର୍ଚ୍ଚାର ତରଙ୍ଗମାନ ସୃଷ୍ଟି କରିଛି। କହିବାରେ ଦ୍ବିଧା ନାହିଁ ଯେ କେରଳର ମାତୃ-କୈନ୍ଦ୍ରିକ ସମାଜ, ଶିକ୍ଷାଦୀକ୍ଷାରେ ସେମାନଙ୍କ ଅତି ଉନ୍ନତ ସ୍ତର ଓ ପ୍ରଗତିକାମୀ ଭାବେ ମାଲାୟାଲୀମାନଙ୍କ ସୁପରିଚିତି ହେତୁ ଏଭଳି ଲିଙ୍ଗୀୟ ବିଦ୍ବେଷମୂଳକ ଅପରାଧ ଓ ଆଭିମୁଖ୍ୟ ଅଧିକ ଚିନ୍ତା ଉଦ୍ରେକକାରୀ ହୋଇଥାଏ। କିନ୍ତୁ, ଏଭଳି ବିମର୍ଷକର ଘଟଣାକ୍ରମ ମଧ୍ୟରେ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତର ମଧ୍ୟ ଆବିର୍ଭାବ ଘଟିଛି, ଯାହା ସବୁ କ୍ଷେତ୍ରରେ ଏଭଳି ପୀଡ଼ିତାମାନଙ୍କ ସକାଶେ ଧ୍ରୁବତାରା ସଦୃଶ ଦିଗ ସୂଚକ ହେବାର ପ୍ରତିଶ୍ରୁତି ମଧ୍ୟ ବହନ କରିଥାଏ। ଏହି ପରିପ୍ରେକ୍ଷୀରେ ଏ ସମସ୍ତ ବିଷୟରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମଧ୍ୟ ମନେ ହୋଇଥାଏ।
ତେବେ, ପ୍ରଥମେ ଚୁମ୍ବକରେ ଏହି ଘଟଣାକ୍ରମର ପୃଷ୍ଠଭୂମି। ୨୦୧୭ ମସିହା ଫେବ୍ରୁଆରି ମାସରେ ଜଣେ ଲୋକପ୍ରିୟ ମାଲାୟାଲୀ ଅଭିନେତ୍ରୀଙ୍କ ଉପରେ ହୋଇଥିବା ଦୁଷ୍କର୍ମର ଅଭିଯୋଗରୁ ଏହି ଘଟଣାକ୍ରମର ପ୍ରାରମ୍ଭ; ଯହିଁରେ ଦିଲୀପ ନାମକ ଜଣେ ସୁପର୍ଷ୍ଟାର୍ଙ୍କୁ ଗିରଫ କରାଯାଇଥିଲା, ଯିଏ ଏବେ ଜାମିନରେ ମୁକ୍ତ ଓ ଯେଉଁ ମାମଲା ଅଦାଲତରେ ବିଚାରାଧୀନ। ତେବେ, ଏହା ପରେ ଏକ ୧୭ ଜଣିଆ ମାଲାୟାଲୀ ଅଭିନେତ୍ରୀ ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପି. ବିଜୟନ (ବର୍ତ୍ତମାନ ମଧ୍ୟ କ୍ଷମତାସୀନ)ଙ୍କୁ ସାକ୍ଷାତ କରି ଏଭଳି ଅଭିଯୋଗ ସଂପର୍କରେ ଗଭୀର ଅନୁସନ୍ଧାନ ଲାଗି ଅନୁରୋଧ କରିଥିଲେ, ଯଦ୍ଦ୍ବାରା ବିଚାରପତି କେ. ହେମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା ଏବଂ ଏହି ୧୭ ଜଣିଆ ଅଭିଯୋଗକାରିଣୀଙ୍କ ଦଳ ମଧ୍ୟ ‘ଉମେନ୍ ଇନ୍ ସିନେମା କଲେକ୍ଟିଭ୍’ ବା ‘ଡବ୍ଲ୍ୟୁ.ସି.ସି.’ ନାମକ ସଂଗଠନକୁ ବିଧିବଦ୍ଧ ଭାବେ ଜନ୍ମ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ହେମା କମିଟି ଅକ୍ଳାନ୍ତ ପରିଶ୍ରମ କରି ଏକ ୫୦୦୦ ପୃଷ୍ଠା ସଂବଳିତ ରିପୋର୍ଟ ୨୦୧୯ ମସିହାରେ ଦାଖଲ କରିଥିଲେ। ତେବେ, ସୁଖର କଥା ଦୀର୍ଘ ପାଞ୍ଚ ବର୍ଷ କାଳ କୌଣସି ଏକ ସରକାରୀ ଦପ୍ତରର ଏକ ଟେବୁଲ ଉପରେ ଧୂଳିର ବହଳ ପରସ୍ତ ତଳେ ଅଜ୍ଞାତବାସ ଭୋଗୁଥିବା ଏହି ରିପୋର୍ଟ ଅନ୍ୟାନ୍ୟ ଅସଂଖ୍ୟ କମିଟି ରିପୋର୍ଟମାନଙ୍କ ଭଳି ଅଲୋଡ଼ା ଓ ବିସ୍ମୃତ ହୋଇପାରି ନ ଥିଲା, କାରଣ ‘ଡବ୍ଲ୍ୟୁ.ସି.ସି.’ ଓ ମାଲାୟାଲମ ଗଣମାଧ୍ୟମ ଅଗତ୍ୟା ସେଭଳି ହେବାକୁ ଦେଇ ନ ଥିଲେ। ସୁତରାଂ, ଅବିଶ୍ରାନ୍ତ ଚାପ ଫଳରେ ସରକାର ଏହି ରିପୋର୍ଟର ସାରାଂଶ (୨୯୦ ପୃଷ୍ଠା)କୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି, ଯହିଁରେ ମାଲାୟାଲମ ସିନେମା କିଭଳି ‘ମାଫିଆ’ସୁଲଭ ଢଙ୍ଗରେ ପରିଚାଳିତ ହୋଇଥାଏ, ସେ ସମ୍ବନ୍ଧରେ ଧାରଣା ମିଳିଥାଏ। ପ୍ରକାଶ ଥାଉ କି ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ଅଭିନେତ୍ରୀ ଲିଖିତ ଭାବେ ସେମାନେ ଭୋଗିଥିବା ଯୌନ ଉତ୍ପୀଡ଼ନର ଅଭିଯୋଗମାନ ଥାନାରେ ଦାଖଲ କରିବା ଆରମ୍ଭ କରିଛନ୍ତି; ବନ୍ଦ ଆଲମିରା ଖୋଲିଯାଇ ତହିଁରେ ଲୁକ୍କାୟିତ କଙ୍କାଳଗୁଡ଼ିକ ହଠାତ୍ ଅଜାଡ଼ି ହୋଇ ପଡ଼ିବା ଭଳି ନିପୀଡ଼କ ଭୂମିକାରେ କେତେକ ଅତ୍ୟନ୍ତ ଲୋକପ୍ରିୟ ମାଲାୟାଲୀ ସୁପର୍ଷ୍ଟାର୍ମାନଙ୍କ କୁକର୍ମ ସତେ ଯେମିତିି ପଦାରେ ପଡ଼ି ଯାଇଛି!
ଅବଶ୍ୟ, ଏଭଳି ଘଟଣା ଘଟିବା ପରେ ଗଲା ଅଗଷ୍ଟ ୨୭ ତାରିଖରେ ମାଲାୟାଲୀ ସିନେମାର ସର୍ବାଧିକ ପ୍ରଭାବଶାଳୀ ସଂଗଠନ ‘ଆସୋସିଏସନ୍ ଫର୍ ମାଲାୟାଲମ ମୁଭି ଆକ୍ଟର୍ସ’ ବା ‘ଅାମ୍ମା’ର ଅଧ୍ୟକ୍ଷ ମୋହନଲାଲଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ନୈତିକ ମୂଲ୍ୟବୋଧକୁ କାରଣ ରୂପେ ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି। କିନ୍ତୁ ଏଭଳି ଇସ୍ତଫା ପ୍ରଦାନକୁ ପ୍ରତିବାଦକାରିଣୀମାନେ ସତ୍ସାହସହୀନ ‘ପଳାୟନ’ ଭାବେ ଦେଖିଥାଆନ୍ତି। ସେମାନଙ୍କ ମତରେ ଏହି କାର୍ଯ୍ୟକର୍ତ୍ତାମାନେ ଇସ୍ତଫା ନ ଦେଇ ତ୍ରୁଟି ସଂଶୋଧନ କରିବା ନେଇ ପ୍ରୟାସ କରିବା ଉଚିତ ହୋଇଥାଆନ୍ତା। ଇତିମଧ୍ୟରେ ଗଲା ଶନିବାର ଦିନ ମୋହନଲାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ପରିପ୍ରେକ୍ଷୀରେ ପ୍ରଥମ ଥର ସକାଶେ ମୁହଁ ଖୋଲି ଯାହା କହିଛନ୍ତି, ତାହା ହେଲା: ‘ଅଭିଯୋଗଗୁଡ଼ିକର ତଦନ୍ତ ଜାରି ରହୁ, କିନ୍ତୁ ମାଲାୟାଲମ ସିନେମା ଶିଳ୍ପକୁ ଧ୍ବଂସ କରି ଦିଆ ନ ଯାଉ।’ କହିବା ବାହୁଲ୍ୟ, ଏଭଳି ବିବୃତ୍ତିରେ ମଧ୍ୟ ଅଭିଯୋଗକାରିଣୀମାନେ ଉପଦ୍ରବକାରୀ ରୂପେ ଚିତ୍ରିତ! ପ୍ରକାଶ ଥାଉ କି ଏ ଯାବତ୍ ଅଭିଯୋଗକାରିଣୀ ଓ ପ୍ରତିବାଦମୁଖର ଅଭିନେତ୍ରୀମାନେ ବିଦ୍ରୂପ ଓ ଚରିତ୍ର ହନନକାରୀ କଟାକ୍ଷମାନ ଶୁଣିବାକୁ ପାଉଛନ୍ତି; ସତେ ଯେମିତି ଏଭଳି କାର୍ଯ୍ୟମାନ ଦେହସୁହା, ତେଣୁ ସ୍ବାଭାବିକ ଏବଂ ପ୍ରତିବାଦର କାରଣ ହୋଇ ନ ଥାଏ। ଏବଂ ଏହାକୁ ପ୍ରମାଣ କଲା ଭଳି ଆମ ଦେଶର ଦୁର୍ଭାଗ୍ୟ ଯେ ପ୍ରତ୍ୟେକ କାର୍ଯ୍ୟ ସ୍ଥଳରେ; ସ୍କୁଲ୍-କଲେଜରୁ ଆରମ୍ଭ କରି ‘ନିଉଜ ରୁମ୍’, ଡାକ୍ତରଖାନା ଦେଇ ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ସ୍ଥାନରୁ ଏଭଳି ଅଭିଯୋଗମାନ ମଧ୍ୟ ଆସିଛି!
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ ସମଗ୍ର ପୃଥିବୀରେ (ଭାରତରେ ମଧ୍ୟ) ‘ମି ଠୁ’ (ମୁଁ ମଧ୍ୟ ଶିକାର)ର ଉଦ୍ବେଳନ ସୃଷ୍ଟି ହୋଇଥିଲା, ଯହିଁରେ ଯୌନ ଉତ୍ପୀଡ଼ିତାମାନେ ନିରବତା ଭଙ୍ଗ କରି ସେମାନେ ଭୋଗିଥିବା କଷଣମାନ ଲୋକଲୋଚନକୁ ଆଣିଥିଲେ। ସେହି ସମୟରେ ‘ଗଲ୍ଫ ନ୍ୟୁଜ୍’କୁ ସାକ୍ଷାତକାର ଦେଇ ପ୍ରସିଦ୍ଧତମ ମାଲାୟାଲୀ ଅଭିନେତା ମାମୁଟି ବିଦ୍ରୂପଭରା କଣ୍ଠରେ କହିଥିଲେ- ଏହା କିଛି ନୁହେଁ; ପୁରୁଷମାନେ ମଧ୍ୟ ‘ମି ଠୁ’ ବୋଲି କହିପାରିବେ! ପ୍ରକାଶ ଥାଉ କି ମାମୁଟି ଓ ମୋହନଲାଲ ହେଉଛନ୍ତି ମାଲାୟାଲୀ ସିନେମାର ଈଶ୍ବର, ଯାହାଙ୍କ ଇଙ୍ଗିତ ବିନା ସେଠାରେ ପତ୍ର ମଧ୍ୟ ହଲି ନ ଥାଏ! ଏହାକୁ ସମର୍ଥନ କଲା ଭଳି ହେମା କମିଟି ରିପୋର୍ଟ ମଧ୍ୟ ସ୍ପଷ୍ଟ ଭାବେ କହିଥାଏ ଯେ ମାଲାୟାଲୀ ସିନେମାରେ କେତେକ ପ୍ରଭାବଶାଳୀ ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ଦ୍ବାରା ‘ମାଫିଆ’ ରାଜୁତି ଚାଲିଛି, ଯହିଁରେ ଅଭିନେତ୍ରୀମାନେ କାର୍ଯ୍ୟ ପାଇବା ଲାଗି ଓ ବୃତ୍ତିରେ ତିଷ୍ଠି ରହିବା ସକାଶେ ତଥାକଥିତ ପ୍ରଭାବଶାଳୀମାନଙ୍କୁ ଯୌନ ସୁଖ ଦେବାକୁ ବାଧ୍ୟ ହୁଅନ୍ତି ଏବଂ ଅନେକ ସ୍ଥଳେ ଦୁଷ୍କର୍ମ ଭଳି ଦୁଭାର୍ଗ୍ୟ ମଧ୍ୟ ସହ୍ୟ କରନ୍ତି; ଏବଂ ହେମାଙ୍କ ରିପୋର୍ଟ ଅନୁସାରେ ‘ମଲିଉଡ୍’ରେ ଏଭଳି କାର୍ଯ୍ୟ ‘କଂପ୍ରମାଇଜ୍’ ବା ‘ଏଡ୍ଜଷ୍ଟମେଣ୍ଟ’ ରୂପେ ପରିଚିତ! ଯେଉଁମାନେ ଏହାର ପ୍ରତିବାଦ କରନ୍ତି ସେମାନଙ୍କୁ ଭୟ ଦେଖାଇ ବା ସାମାଜିକ ଗଣମାଧ୍ୟମରେ ‘ଟ୍ରୋଲିଂ’ର ଆୟୋଜନ କରାଇ ବା ବୃତ୍ତିରୁ ସମୂଳ ବହିଷ୍କାରର ଧମକ ଦେଇ ନିରବ ରହିବାକୁ ବାଧ୍ୟ କରାଯାଏ। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ କାବାନିଙ୍କ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ, ଯିଏ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ଗ୍ରେଟ୍ ଇଣ୍ଡିଆନ୍ କିଚେନ୍’ ଭଳି ଏକ ଚମତ୍କାର ସିନେମାରେ ଉଚ୍ଚକୋଟୀର ଅଭିନୟ ଲାଗି ପ୍ରଶଂସିତ ହୋଇ ଲୋକଲୋଚନକୁ ଆସି ପାରିଛନ୍ତି, ଅଥଚ ‘କଂପ୍ରମାଇଜ୍’ କରିବାକୁ ରାଜି ନ ହେବାରୁ ତାଙ୍କ ଭଳି ଜଣେ ପ୍ରତିଭାଶାଳୀ ଅଭିନେତ୍ରୀଙ୍କୁ ଏଭଳି ସୁଯୋଗଟିଏ ପାଇବାକୁ ୨୦ ବର୍ଷ କାଳ ଅପେକ୍ଷା କରିବାକୁ ପଡ଼ିଲା।
ଉଲ୍ଲେଖଯୋଗ୍ୟ ଯେ ତେଲୁଗୁ ସିନେମାର ଅଭିେନତ୍ରୀମାନଙ୍କ ଦ୍ବାରା ହୋଇଥିବା ଯୌନ ଶୋଷଣର ଅଭିଯୋଗର ତଦନ୍ତ ସକାଶେ ତେଲେଙ୍ଗାନା ସରକାର ମଧ୍ୟ ୨୦୧୯ ମସିହାରେ ଏକ କମିଟି ଗଠନ କରିଥିଲେ, ଯାହାର ଚୂଡ଼ାନ୍ତ ରିପୋର୍ଟ ୨୦୨୨ ମସିହାରେ ପ୍ରଦାନ କରାଯାଇଥିଲା, ଯାହା ସଂପ୍ରତି କେଉଁ ଏକ ଦପ୍ତରର ଟେବୁଲରେ ସତ୍ତା ହରାଇ ସାରିଛି। ହୁଏତ ଏହା ହୋଇପାରେ ଯେ ଏଭଳି ରିପୋର୍ଟଗୁଡ଼ିକ ପ୍ରକାଶିତ ହେଲେ ପ୍ରଭାବଶାଳୀମାେନ ସର୍ବସମକ୍ଷରେ ଉଲଗ୍ନ ହୋଇଯାଇ ସରକାରଙ୍କ ଲାଗି ଅସ୍ବସ୍ତିର କାରଣ ହେବେ ବୋଲି ସେ ସବୁକୁ ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ଦିଆଯାଏ। କେରଳର ପି. ବିଜୟନ ସରକାର ମଧ୍ୟ ସମ୍ଭବତଃ ତାହା ହିଁ କରିଥାଆନ୍ତେ! କିନ୍ତୁ ସେଭଳି ହେବାକୁ ନ ଦେଇ ‘ଡବ୍ଲୁ.ସି.ସି.’ ଏକ ଅପୂର୍ବ ଦୃଷ୍ଟାନ୍ତରେ ପରିଣତ ହୋଇଛି। ପୀଡ଼ିତାମାନେ ସଂଗଠିତ ହୋଇ ନ୍ୟାୟ ମାଗିବା ଓ ପାଇବା ହେଉଛି ଏହି ‘କେରଳ ଷ୍ଟୋରି’ର ନୀତି ଶିକ୍ଷା, ଯାହା ସବୁ କ୍ଷେତ୍ର ସକାଶେ ପ୍ରଯୁଜ୍ୟ!