ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ବିଭିନ୍ନ ଦେଶରେ ସୂର୍ଯ୍ୟଙ୍କ ସମ୍ବନ୍ଧ‌େର ଅନୁସନ୍ଧିତ୍ସାରେ ବୃଦ୍ଧି ଘଟି ତାହା ସୂର୍ଯ୍ୟ ଅଭିଯାନରେ ରୂପାନ୍ତରିତ ‌େହବା ଦେଖାଯାଇଛି। ଆମେରିକାର ‘ନାସା’ ଏଥିରେ ନେତୃ ସ୍ଥାନରେ ରହିଥିବା ବେଳେ ଜାପାନ, ଇଉରୋପ, ରୁଷିଆ ଓ ଚୀନ୍‌ର ମହାକାଶ ଗବେଷଣା ସଂସ୍ଥାମାନେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଏ ସମସ୍ତ ଅଭିଯାନମାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଯାହାକୁ ସବୁଠାରୁ ଚମକପ୍ରଦ ବୋଲି କୁହାଯିବ, ତାହା ହେଉଛି ୨୦୧୮ରେ ‘ନାସା’ ପ୍ରେରଣ କରିଥିବା ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’, ଯିଏ ୨୦୨୧ ଡିସେମ୍ବରରେ ସୂର୍ଯ୍ୟର ବାୟୁମଣ୍ଡଳର ଉପର ସ୍ତର ଓ କରୋନା ଭେଦ କରି ଯାତ୍ରା କରିବାରେ ସକ୍ଷମ ହୋଇଥିଲା, ଯେଉଁଠି ହାରାହାରି ତାପମାତ୍ରା ପ୍ରାୟ ଏକ ନିୟୁତ ସେଲ୍‌ସିଅସ୍‌ ଛୁଇଁଥାଏ।

Advertisment

ଆମେରିକୀୟ ଔପନ୍ୟାସିକ ଆଲେକ୍ସ ହେଲୀଙ୍କର ୧୯୭୬ରେ ପ୍ରକାଶିତ ବହୁଳ ଆଦୃତ ଆତ୍ମଜୀବନୀମୂଳକ ଉପନ୍ୟାସ ‘ରୁଟ୍‌ସ’ (‘ମୂଳ’)ରେ ହେଲୀ ନିଜର ପୈତୃକ ମୂଳ ଖୋଜି ଖୋଜି ଅଷ୍ଟାଦଶ ଶତାବ୍ଦୀର ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ପହଞ୍ଚିଛନ୍ତି, ଯେଉଁଠୁ କୁଣ୍ଟା କିଣ୍ଟେ ନାମକ ତାଙ୍କର ପୂର୍ବ ପୁରୁଷଙ୍କୁ କ୍ରୀତଦାସ ବେପାରୀମାନେ ଉଠାଇ ଆଣିଥିଲେ। ହେଲୀଙ୍କର ଏହି କାହାଣୀ ଏପରି ମର୍ମସ୍ପର୍ଶୀ ଓ ଶକ୍ତିଶାଳୀ ‌େହାଇଥାଏ ଯେ ଏହା ପ୍ରକାଶ ପାଇବା ପରେ ତାଙ୍କୁ ଅନୁକରଣ କରି ପୃଥିବୀର ବିଭିନ୍ନ ଦେଶରେ ପୂର୍ବପୁରୁଷ ସନ୍ଧାନ ଅନେକଙ୍କ ପାଇଁ ଏକ ନିଶାରେ ପରିଣତ ହୋଇ ଯାଇଥିଲା। ମନେ ହେଉଛି, ପୃଥିବୀର ସନ୍ତାନ ଚନ୍ଦ୍ରର ଭଲମନ୍ଦ ଜାଣିବା ପାଇଁ ଭାରତ ଚନ୍ଦ୍ରକୁ ‘ଚନ୍ଦ୍ରଯାନ-୩’ ପ୍ରେରଣ କଲା ପରେ ଏବେ ହେଲୀଙ୍କୁ ଅନୁସରଣ କଲା ଭଳି ପୃଥିବୀର ପିତୃପୁରୁଷ ସୂର୍ଯ୍ୟଙ୍କ ସମ୍ବନ୍ଧରେ ଜଣା ନ ଥିବା ତଥ୍ୟ ଆବିଷ୍କାର କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟଲୋକକୁ ମହାକାଶ ଯାନ ‘ଆଦିତ୍ୟ ଏଲ୍‌୧’ ପ୍ରେରଣ କରିଛି।
ପ୍ରାୟ ୪୬୦ କୋଟି ବର୍ଷ ତଳେ ମହାଶୂନ୍ୟର ଯେଉଁ ଅଞ୍ଚଳରେ ଆମେ ବର୍ତ୍ତମାନ ବାସ କରୁଛୁ, ସେଇ ଅଞ୍ଚଳରେ ଏକ ବିଶାଳ ଧୂଳି ଓ ବାଷ୍ପର ପଟଳ ଦେଖା ଦେଲା, ଯାହା ପ୍ରାୟ ୨୪୦୦ କୋଟି କିଲୋମିଟର ଧରି ବ୍ୟାପିଥିଲା ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ମହାନ୍‌ ମହାକାଶବିଜ୍ଞାନୀ ଫ୍ରେଡ୍‌ ହଏଲ୍‌ଙ୍କ ‘ମହାବିସ୍ଫୋରଣ’ ବା ‘ବିଗ୍‌ ବ୍ୟାଙ୍ଗ୍‌’ ତତ୍ତ୍ବ ଅନୁସାରେ ଏକ ତାରକାର ମହାବିସ୍ଫୋରଣ ଘଟିବା ଯୋଗୁଁ ଏହି ବିଶାଳ ଧୂଳି ଓ ବାଷ୍ପର ପଟଳ ସୃଷ୍ଟି ହୋଇଥିଲା। ଏହି ପଟଳ କ୍ରମେ ଏକାଠି ହୋଇ ବିଣ୍ଡା ବାନ୍ଧିବାକୁ ଆରମ୍ଭ କଲା, ଯାହାର ପ୍ରାୟ ୯୯.୯ ଶତାଂଶ ଗୋଟିଏ ପିଣ୍ଡରେ ପରିଣତ ହୋଇଗଲା। ଏହି ପିଣ୍ଡଟି ହେଉଛି ସୂର୍ଯ୍ୟ। ଏହି ପଟଳର ବାକି ୦.୧ ଶତାଂଶରେ ଥିବା ବାଷ୍ପ ଓ ଧୂଳି କଣିକାମାନ କ୍ର‌େମ ଅଲଗା ଅଲଗା ଏକାଠି ହୋଇ ଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ ଆଦି ସୂର୍ଯ୍ୟଙ୍କ ପରିବାର ବା ସୌରଜଗତର ଅନ୍ୟ ସଦସ୍ୟମାନଙ୍କର ଜନ୍ମ ଘଟିଲା।
ଏହି ପ୍ରକ୍ରିୟାରେ ଯେତେବେଳେ ଆମର ନିବାସ ପୃଥିବୀ ଗ୍ରହ ଗଠିତ ହେଉଥିଲା, ସେଇ ଆଦ୍ୟ ସମୟରେ, ପ୍ରାୟ ୪୪୦ ‌କୋଟି ବର୍ଷ ତଳେ ମହାଶୂନ୍ୟରେ ଭାସି ବୁଲୁଥିବା ମଙ୍ଗଳ ଗ୍ରହ ଆକାରର ଏକ ବୃହତ୍‌ ପିଣ୍ଡ ପ୍ରଚଣ୍ଡ ବେଗରେ ପୃଥିବୀ ସହ ଧକ୍‌କା ଖାଇବାରୁ ଯେଉଁ ଧୂଳି ପଟଳ ସୃଷ୍ଟି ହେଲା, ତାହା ଅନତି ବିଳମ୍ବେ ଏକତ୍ର ହୋଇ ପୃଥିବୀର ସନ୍ତାନ ଓ ସହଚର ଚନ୍ଦ୍ରରେ ପରିଣତ ହେଲା, ଯାହା ପ୍ରତି ଅପତ୍ୟ ସ୍ନେହରେ ଆକୃଷ୍ଟ ହୋଇ ‘ଚନ୍ଦ୍ରଯାନ-୩’ ଯାଇ ସେଠାରେ ପହଞ୍ଚିଛି।
ଏହି ପୃଷ୍ଠଭୂମିରେ ‘ଆଦିତ୍ୟ ଏଲ୍‌୧’ ଯେତେବେଳେ ଆମର ପୂର୍ବଜ ସୂର୍ଯ୍ୟଙ୍କ ଦିଗରେ ଅଗ୍ରସର ହେଉଛି, ସେତେବେଳେ ମନରେ ଏକ ପ୍ରଶ୍ନ ଉଠିପାରେ ସୂର୍ଯ୍ୟ ଏକ ତେଜୀୟାନ୍‌ ତାରକା ହୋଇଥିବା ବେଳେ ତାଙ୍କର କନ୍ୟା ଧରିତ୍ରୀ କାହିଁକି ହେଉଛି ମାତ୍ର ଏକ ତେଜହୀନ ଗ୍ରହ? ଏହାର ସରଳ ଉତ୍ତର ନିହିତ ଅଛି ଉଭୟଙ୍କର ଆକାରରେ ଥିବା ତାରତମ୍ୟରେ। ସୂର୍ଯ୍ୟର ବ୍ୟାସ ହେଉଛି ପୃଥିବୀର ବ୍ୟାସର ପ୍ରାୟ ୧୦୯ ଗୁଣ; ସୂର୍ଯ୍ୟର ଓଜନ ହେଉଛି ପୃଥିବୀର ଓଜନର ପ୍ରାୟ ୩,୩୩,୦୦୦ ଗୁଣ। ପୃଥିବୀ ତୁଳନାରେ ସୂର୍ଯ୍ୟ ଏତେ ବିଶାଳ ଯେ ସୂର୍ଯ୍ୟ ଭିତରେ ୧୩ ଲକ୍ଷଟି ପୃଥିବୀ ଆକାରର ଗ୍ରହମାନଙ୍କୁ ଖଞ୍ଜି ଦିଆଯାଇପାରିବ। ସୂର୍ଯ୍ୟର ଏହି ବିଶାଳ ବପୁଃରୁ ସୃଷ୍ଟ ମାଧ୍ୟାକର୍ଷଣ କ୍ଷୁଦ୍ରକାୟ ପୃଥିବୀର ମାଧ୍ୟାକର୍ଷଣ ଅପେକ୍ଷା ବହୁଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ, ଯାହା ସୂର୍ଯ୍ୟର ସମସ୍ତ ଶରୀରକୁ ତା’ର କେନ୍ଦ୍ରସ୍ଥଳୀକୁ ଭିଡ଼ିନେବାକୁ ଚେଷ୍ଟା କରିଥାଏ। ସେପରି ଘଟିଲେ ସୂର୍ଯ୍ୟ ଅଭ୍ୟନ୍ତରରେ ପୁଣି ଏକ ମହାବିସ୍ଫୋରଣ ଘଟି ସୂର୍ଯ୍ୟ ନାମକ ତାରକାର ଅନ୍ତ ଘଟନ୍ତା, ଯେଉଁଭଳି ଏକ ମହାବିସ୍ଫୋରଣରୁ ସୂର୍ଯ୍ୟର ଜନ୍ମ ହୋଇଥିଲା। ଅବଶ୍ୟ ଆଉ ପ୍ରାୟ ୫୦୦ କୋଟି ବର୍ଷ ପରେ ତାହା ଘଟିବାକୁ ଯାଉଛି।
ବର୍ତ୍ତମାନ କିନ୍ତୁ ସୂର୍ଯ୍ୟ ନିରାପଦ ରହିବାର କାରଣ ହେଲା ତା’ର ଅଭ୍ୟନ୍ତରରେ ଘଟି ଚାଲିଥିବା ‘ଥର୍ମୋନିଉକ୍ଲିଆର୍‌ ଫ୍ୟୁଜନ୍‌ ରିଆକ୍‌ସନ୍‌’। ଏହି ରିଆକ୍‌ସନ୍‌ରୁ ଉତ୍ପନ୍ନ ପ୍ରଚଣ୍ଡ ବହିର୍ମୁଖୀ ଶକ୍ତି ସୂର୍ଯ୍ୟର ଦୁର୍ବାର ଅନ୍ତର୍ମୁଖୀ ମାଧ୍ୟାକର୍ଷଣ ଶକ୍ତିକୁ ପ୍ରତିହତ କରି ସୂର୍ଯ୍ୟକୁ ବର୍ତ୍ତମାନ ପାଇଁ ସନ୍ତୁଳିତ ଅବସ୍ଥାରେ ରଖି ଚାଲିଛି। ଏଠାରେ ଉଲ୍ଲେଖ ଆବଶ୍ୟକ ଯେ ଏଭଳି ‘ଥର୍ମୋନିଉକ୍ଲିଆର୍‌ ରିଆକ୍‌ସନ୍‌’ ଘଟିବା ପାଇଁ ମଧ୍ୟ ବିପୁଳ ଶକ୍ତି ଆବଶ୍ୟକ ହୋଇଥାଏ, ଯାହା ସୂର୍ଯ୍ୟର ପ୍ରବଳ ମାଧ୍ୟାକର୍ଷଣ ଯୋଗାଇଥାଏ। ଗ୍ରହମାନଙ୍କର କ୍ଷୁଦ୍ର ଆକାର ଜନିତ ଦୁର୍ବଳ ମାଧ୍ୟାକର୍ଷଣ ଯୋଗୁଁ ପୃଥିବୀ ସମେତ କୌଣସି ଗ୍ରହରେ ପ୍ରାକୃତିକ ପରିବେଶରେ ‘ଥର୍ମୋନିଉକ୍ଲିଆର୍‌ ଫ୍ୟୁଜନ୍‌ ରିଆକ୍‌ସନ୍‌’ ସମ୍ଭବ ହୋଇନଥାଏ।
ନିଉକ୍ଲିଆର୍‌ ଫ୍ୟୁଜନ୍‌ ଅମାପ ପରିମାଣର ଆଲୋକ ଓ କଣିକା ବା ‘ପାର୍ଟିକ୍‌ଲ’ ସବୁକୁ ନିର୍ଗମନ କରିଥାଏ, ଯାହା ‘ପ୍ଲାଜ୍‌ମା’ ରୂପେ ପରିଚିତ ଏକ ଅତି ଉତ୍ତପ୍ତ, ଅତି ଉଜ୍ଜ୍ବଳ ଇଲେକ୍‌ଟ୍ରନ୍‌, ଆଂଶିକ ଭାବରେ ଇଲେକ୍‌ଟ୍ରନ୍‌ମୁକ୍ତ ଅଣୁ ଓ ସମ୍ପୂର୍ଣ୍ଣ ରୂପେ ଇଲେକ୍‌ଟ୍ରନ୍‌ମୁକ୍ତ ଅଣୁମାନଙ୍କର ମିଶ୍ରଣର ଏକ ପିଣ୍ଡୁଳା ରୂପରେ ଆମକୁ ଦୃଶ୍ୟମାନ ହୋଇଥାଏ, ଯିଏ ହେଉଛନ୍ତି ସୂର୍ଯ୍ୟ- ଅନ୍ୟ ତାରାମାନଙ୍କ ଭଳି ଏକ ତାରା। ଏହି ପ୍ରକ୍ରିୟା ସୂର୍ଯ୍ୟଙ୍କ ଠାରେ ଯେଉଁ ଉତ୍ତାପ ସୃଷ୍ଟି କରିଥାଏ, ତାହା ହେଉଛି ପ୍ରାୟ ୧୬ ନିୟୁତ ଡିଗ୍ରୀ ସେଲ୍‌ସିଅସ୍‌। ସୂର୍ଯ୍ୟ ପୃଥିବୀଠାରୁ ପ୍ରାୟ ୧୫୦ ନିୟୁତ କି.ମି. ଦୂରରେ ଥାଇ ତାଙ୍କର ଏହି ତେଜ ପ୍ରକାଶ କରୁଛନ୍ତି। କହିବା ବାହୁଲ୍ୟ ପିତୃପୁରୁଷ ସନ୍ଧାନରେ ବାହାରିଥିବା ‘ଆଦିତ୍ୟ ଏଲ୍‌୧’ ପକ୍ଷରେ ତାଙ୍କର ଏହି ପ୍ରଚଣ୍ଡ ତେଜ ସମ୍ଭାଳିବା ସମ୍ଭବ ନୁହେଁ। ତେଣୁ କେବଳ ଦୂରରୁ ରହି ଦର୍ଶନ କରିବା ହିଁ ‘ଆଦିତ୍ୟ’ ପାଇଁ ସମ୍ଭବ।
ଭାରତୀୟ ମହାକାଶ ବୈଜ୍ଞାନିକମାନେ ସୂର୍ଯ୍ୟ ଅଭିଯାନର ଏଭଳି ନକ୍‌ସା ପ୍ରସ୍ତୁତ କରିଛନ୍ତି ଯେପରି ‘ଆଦିତ୍ୟ’ ସୂର୍ଯ୍ୟଙ୍କ ଠାରୁ ନିରାପଦ ଦୂରତାରେ ରହିବା ସଙ୍ଗେ ସଙ୍ଗେ ପ୍ରତିବନ୍ଧକହୀନ ଭାବରେ ଲଗାତାର ସୂର୍ଯ୍ୟଙ୍କୁ ପର୍ଯ୍ୟବେକ୍ଷଣ କରିପାରିବ। ସୂର୍ଯ୍ୟ ଓ ପୃଥିବୀ ମଝିରେ ଏଇଭଳି ପାଞ୍ଚଟି ସ୍ଥଳୀ ରହିଛି ଯେଉଁଗୁଡ଼ିକର ନାମକରଣ କରାଯାଇଛି- ‘ଲାଗ୍ରାଞ୍ଜ୍‌ ପଏଣ୍ଟ୍‌ସ’। ‘ଆଦିତ୍ୟ’ ଯାଇ ଯେଉଁଠି ରହି ସୂର୍ଯ୍ୟଙ୍କୁ ପର୍ଯ୍ୟବେକ୍ଷଣ କରିବ, ସେଇଟି ହେଉଛି ‘ଲାଗ୍ରାଞ୍ଜ୍‌ ପଏଣ୍ଟ-୧’ ବା ‘ଏଲ୍‌୧’। ଏହା ଏପରି ଏକ ସ୍ଥାନ ଯେ ‘ଆଦିତ୍ୟ’ ସେଠାରେ ଥିବା ବେଳେ ଅନ୍ୟ କୌଣସି ଗ୍ରହ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ଅବସରରେ ‘ଆଦିତ୍ୟ’ ଓ ‘ସୂର୍ଯ୍ୟ’ ମଝିକୁ ଆସି ଯାଇ ଆଦିତ୍ୟର ଦୃଷ୍ଟି ପଥରେ ବାଧା ସୃଷ୍ଟି କରିବେ ନାହିଁ। ଏହି ‘ଏଲ୍‌୧ ପଏଣ୍ଟ୍‌’ଟି ଅବଶ୍ୟ ସୂର୍ଯ୍ୟଙ୍କ ଠାରୁ ପ୍ରାୟ ୧୪୮.୫ ନିୟୁତ କି.ମି. ଦୂରରେ ଅର୍ଥାତ୍‌ ପୃଥିବୀଠାରୁ ମାତ୍ର ୧.୫ ନିୟୁତ କି.ମି. ଦୂରରେ ଅବସ୍ଥିତ। ସୂର୍ଯ୍ୟଙ୍କ ଠାରୁ ଏତେ ଦୂରରେ ଥାଇ ମଧ୍ୟ ‘ଆଦିତ୍ୟ’ ସାଙ୍ଗରେ ନେଇଥିବା ସାତ ପ୍ରକାର ଯନ୍ତ୍ରପାତି ‘ପେଲୋଡ୍‌’ ସାହାଯ୍ୟରେ ସୌର ପରିବେଶର କେତେକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିପାରିବ।
‘ଇସ୍ରୋ’ର ଏହି ସୂର୍ଯ୍ୟ ଅଭିଯାନ ଅବଶ୍ୟ ପୃଥିବୀରେ ସର୍ବପ୍ରଥମ ନୁହେଁ। ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ବିଭିନ୍ନ ଦେଶରେ ସୂର୍ଯ୍ୟଙ୍କ ସମ୍ବନ୍ଧ‌େର ଅନୁସନ୍ଧିତ୍ସାରେ ବୃଦ୍ଧି ଘଟି ତାହା ସୂର୍ଯ୍ୟ ଅଭିଯାନରେ ରୂପାନ୍ତରିତ ‌େହବା ଦେଖାଯାଇଛି। ଆମେରିକାର ‘ନାସା’ ଏଥିରେ ନେତୃ ସ୍ଥାନରେ ରହିଥିବା ବେଳେ ଜାପାନ, ଇଉରୋପ, ରୁଷିଆ ଓ ଚୀନ୍‌ର ମହାକାଶ ଗବେଷଣା ସଂସ୍ଥାମାନେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଏ ସମସ୍ତ ଅଭିଯାନମାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଯାହାକୁ ସବୁଠାରୁ ଚମକପ୍ରଦ ବୋଲି କୁହାଯିବ, ତାହା ହେଉଛି ୨୦୧୮ରେ ‘ନାସା’ ପ୍ରେରଣ କରିଥିବା ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’, ଯିଏ ୨୦୨୧ ଡିସେମ୍ବରରେ ସୂର୍ଯ୍ୟର ବାୟୁମଣ୍ଡଳର ଉପର ସ୍ତର ଓ କରୋନା ଭେଦ କରି ଯାତ୍ରା କରିବାରେ ସକ୍ଷମ ହୋଇଥିଲା, ଯେଉଁଠି ହାରାହାରି ତାପମାତ୍ରା ପ୍ରାୟ ଏକ ନିୟୁତ ସେଲ୍‌ସିଅସ୍‌ ଛୁଇଁଥାଏ। ‘ଇସ୍ରୋ’ ବିଳମ୍ବରେ ଏହି ମୂଳ ଅନୁସନ୍ଧାନ ଅଭିଯାନରେ ଯୋଗ ଦେଇଥିଲେ ହେଁ, ଏଥିରେ ସନ୍ଦେହ ନାହିଁ ଯେ ଅନତି ବିଳମ୍ବେ ଏକ ‘ଆଦିତ୍ୟ’ ‘ପାର୍କର୍‌’ର ଏହି ରେକର୍ଡ ଭଙ୍ଗ କରି ପିତୃଲୋକର ଆହୁରି ନିକଟରେ ପହଞ୍ଚିଯିବାରେ ସକ୍ଷମ ହେବ।