୨୦୨୪ ସାଧାରଣ ନିର୍ବାଚନରେ ୯୦ କୋଟି ୭୦ ଲକ୍ଷ ସାବାଳକ ଭାରତୀୟ ଭୋଟ ଦେବେ ବୋଲି ଆକଳନ କରାଯାଇଛି। ଇତିମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅର୍ଦ୍ଧେକ ପଥ ଅତିକ୍ରମ କରି ସାରିଲାଣି। କିନ୍ତୁ, ଏହି ସମୟରେ ଆମ ଦେଶ ପ୍ରତ୍ୟକ୍ଷ କରୁଥିବା ଅସହ୍ୟ ଗ୍ରୀଷ୍ମ ଲହରି ଓ ଉଚ୍ଚ ତାପମାତ୍ରା ନିର୍ବାଚନରେ ଭାଗ ନେଇଥିବା ସରକାରୀ କର୍ମଚାରୀ, ରାଜନେତା, ଦଳୀୟ କର୍ମୀ ଓ ସର୍ବୋପରି ଭୋଟର; ସମସ୍ତଙ୍କ ସକାଶେ ଏକ ମୁଖ୍ୟ ଆହ୍ବାନ ଭାବେ ଉଭା ହୋଇଛି। ଏ ଯାବତ୍ ପଡ଼ିଥିବା ଭୋଟ୍‌ର ହାର ପୂର୍ବ ନିର୍ବାଚନମାନ ତୁଳନାରେ କମ୍‌ ରହିଥିବାରୁ ଏହାର ଏକ ବଡ଼ କାରଣ ଭାବେ ରେକର୍ଡ ଭଙ୍ଗକାରୀ ଉତ୍ତପ୍ତ ଗ୍ରୀଷ୍ମକୁ ଦର୍ଶାଯାଉଛି। ଏହି ପରିପ୍ରେକ୍ଷୀରେ ପାଣିପାଗ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ହୃଦୟଙ୍ଗମ କରୁଛନ୍ତି ଯେ ୨୦୨୯ ମସିହାରେ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନର ଆୟୋଜନ ଗ୍ରୀଷ୍ମ ଋତୁ ଅର୍ଥାତ୍ ଏପ୍ରିଲ-ଜୁନ୍‌ରେ କରିବା ଅପରିଣାମଦର୍ଶୀ ହେବ।
ଜଳବାୟୁ ପରିବର୍ତ୍ତନ ଓ ତଜ୍ଜନିତ ତାପମାତ୍ରା ବୃଦ୍ଧି ଆମର ପାଣିପାଗକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ଆମ ପାଖରେ ଉପଲବ୍‌ଧ ରେକର୍ଡ ଦେଖିଲେ ଜଣାପଡ଼େ ଯେ ଏହି ଦଶନ୍ଧି ହେଉଛି ଏହି ଉପମହାଦେଶ ଲାଗି ସର୍ବାଧିକ ଉତ୍ତପ୍ତ ଦଶନ୍ଧି ଏବଂ ପ୍ରତ୍ୟେକ ଗ୍ରୀଷ୍ମ ଋତୁ ତା’ର ପୂର୍ବ ବର୍ଷ ତୁଳନାରେ ଅଧିକ ଉତ୍ତପ୍ତ ହେବାରେ ଲାଗିଛି।
ତେବେ ଏହା ମଧ୍ୟ ସତ ଯେ ସମଗ୍ର ପୃଥିବୀ ଏବେ ଜଳବାୟୁ ଉତ୍ତପ୍ତୀକରଣର ଶିକାର। ଅସହ୍ୟ ଗ୍ରୀଷ୍ମ ଲହରି ଆଉ କେବଳ ଗ୍ରୀଷ୍ମପ୍ରଧାନ ବିଷୁବ ମଣ୍ଡଳୀୟ ରାଷ୍ଟ୍ରଙ୍କ ସମସ୍ୟା ହୋଇ ରହିନାହିଁ, ଶୀତପ୍ରଧାନ ଦେଶରେ ମଧ୍ୟ ଅସହ୍ୟ ଗ୍ରୀଷ୍ମ ଲହରି ଓ ଉତ୍ତାପ ଅନୁଭୂତ ହେଉଛି। ଏହି ବର୍ଷ ପୃଥିବୀର ୬୪ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ତହିଁରେ ଭାଗ ନେଉଥିବା ବିଶ୍ୱର ମୋଟ ଜନସଂଖ୍ୟାର ୪୯ ପ୍ରତିଶତ ଭୋଟରଙ୍କ ମଧ୍ୟରୁ ଏକ ବଡ଼ ଅଂଶ ତାପମାତ୍ରା ବୃଦ୍ଧିଜନିତ ଅସୁବିଧାର ସମ୍ମୁଖୀନ ହେବେ। ଆମ ଦେଶରେ ଏହି ନିର୍ବାଚନକାଳୀନ ଅସହ୍ୟ ତାପମାତ୍ରା କାରଣରୁ ନୀତି ନିର୍ଦ୍ଧାରକମାନଙ୍କ ଚୈତନ୍ୟ ଉଦୟ ହେଲାଣି। ଏଣିକି ସମସ୍ତେ ନିର୍ବାଚନ ଲାଗି ଏକ ଅନୁକୂଳ ପାଗଯୋଗ କଥା ଚିନ୍ତା କଲେଣି। ସଂପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବିଚାର କରି ଆମ ଦେଶରେ କୃଷି କାର୍ଯ୍ୟ, ଫସଲ କିସମ, ନଦୀଜଳ ପରିଚାଳନା, ଶ୍ରମ ଶକ୍ତିର ବିନିଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ପୁରୁଣା ଓ ପାରଂପରିକ ନୀତି ଓ ଅଭ୍ୟାସରେ ପରିବର୍ତ୍ତନ କରାଯାଇ ନୂଆ ନୀତି ଓ ନିୟମମାନର ଅନୁସରଣ କରାଗଲାଣି। ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟ ଯେ ଏଭଳି ଉଦ୍ୟମ ଆବଶ୍ୟକ, ସେ ନେଇ ପ୍ରାୟ ସମସ୍ତେ ଏକମତ। ପୁଣି ଏକ ବଡ଼ କଥା ହେଲା, ସଂପ୍ରତି ନିର୍ବାଚନ ପ୍ରକ୍ରିୟା ମାସାଧିକ କାଳ ଧରି ଚାଲୁଛି। ଏଭଳି ସ୍ଥଳେ ଏକ ଅନୁକୂଳ ବାତାବରଣରେ ନିର୍ବାଚନ ଆ‌ୟୋଜନ କରାଯିବା ଅଧିକ ଆବଶ୍ୟକ ହୋଇପଡ଼େ। ଏହି ସଂଦର୍ଭରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର୍‌ ଓ. ପି. ରାୱତଙ୍କ ମତରେ ସାଂପ୍ରତିକ ପାଣିପାଗକୁ ବିଚାରକୁ ନେଲେ ସାଧାରଣ ନିର୍ବାଚନ ପାଇଁ ଫେବ୍ରୁଆରି ଓ ମାର୍ଚ୍ଚ ମାସ ହେଉଛି ସର୍ବୋତ୍କୃଷ୍ଟ। ପୂର୍ବତନ ନିର୍ବାଚନ କମିସନର୍‌ ଅଶୋକ ଲାଭାସା ମଧ୍ୟ ଅନୁରୂପ ମତ ପ୍ରଦାନ କରନ୍ତି।
କେବଳ ସେତିକି ନୁହେଁ, ମେ’ ମାସରେ ଭାରତର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଲାଗି ବଡ଼ ବାତ୍ୟାର ଭୟ ହେଉଛି ଏକ ବାସ୍ତବତା। ୨୦୧୯ ମସିହା, ମେ’ ମାସରେ ଫନି ଭଳି ଏକ ଅତ୍ୟନ୍ତ ଶକ୍ତିଶାଳୀ ବାତ୍ୟା ତଟୀୟ ଓଡ଼ିଶାକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲା। ତା’ ପରଠାରୁ ପ୍ରତି ବର୍ଷ ମେ’ ମାସରେ ଘୂର୍ଣ୍ଣିବଳୟର ସୃଷ୍ଟି ଓ ବାତ୍ୟାର ଆଗମନ ଏକ ନିୟମିତ ବ୍ୟାପାର ହୋଇଛି। ମେ’ ମାସରେ ବଡ଼ ଓ ଶକ୍ତିଶାଳୀ ବାତ୍ୟା କେତେବେଳେ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କ୍ଷୟକ୍ଷତି ଘଟାଉଛ ତ କେତେବେଳେ ଉପକୂଳ ଭାରତକୁ ସାମାନ୍ୟ କରୁଣା ପ୍ରଦର୍ଶନ କରି ବାଂଲାଦେଶ ବା ମ୍ୟାନ୍‌ମାର ମୁହଁା ହେଉଛି। କିନ୍ତୁ ନିର୍ବାଚନ ଭଳି ଏକ ଅତ୍ୟନ୍ତ ବିଶାଳ ଆୟୋଜନ ପରିପ୍ରେକ୍ଷୀରେ ମେ’ ମାସର ବାତ୍ୟାର ବିପଦକୁ ନଜରଅନ୍ଦାଜ କରାଯାଇ ନ ପାରେ। ଏକ ନିର୍ବାଚନ ମଝିରେ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ‌େଯ କିଭଳି ଅସ୍ଥିରତା ସୃଷ୍ଟି କରିବ, ତାହା ମଧ୍ୟ ଅନୁମାନସାପେକ୍ଷ। ବାତ୍ୟାର ଭୟ ହେତୁ ଅକ୍‌ଟୋବର ମାସ ମଧ୍ୟ ନିର୍ବାଚନ ସକାଶେ ଉପଯୁକ୍ତ ହୋଇ ନ ପା‌ରେ। ନଭେମ୍ବର ଓ ଡିସେମ୍ବର ମାସ‌େର ଉତ୍ତର ପୂର୍ବୀୟ ରାଜ୍ୟଗୁଡ଼ିକରେ ଦିନ ଅତ୍ୟନ୍ତ ଛୋଟ ହୋଇଯାଉଥିବାରୁ ସେଠାରେ ନିର୍ବାଚନ ପରିଚାଳନା କଷ୍ଟପ୍ରଦ ହୋଇପାରେ। ସେହି ଦୃଷ୍ଟିରୁ ସାଧା‌ରଣ ଜ୍ଞାନ କହିଥାଏ ଯେ ୨୦୨୯ ମସିହାର ନିର୍ବାଚନ ଫେବ୍ରୁଆରି-ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବା ଉଚିତ।
ମୋ: ୯୯୧୦୭୪୦୮୩୯