ସନାତନ ଧର୍ମ ଅନୁସାରେ ଉଦୟନିଧି ଷ୍ଟାଲିନ୍ଙ୍କ ଠାରେ ମଧ୍ୟ ବ୍ରହ୍ମନ୍ ବିଦ୍ୟମାନ ଅଛନ୍ତି। ସେ ମଧ୍ୟ ତାଙ୍କ କିସମର ରାଜନୈତିକ ଧର୍ମ ପାଳନ କରି ସନାତନ ଧର୍ମ ଉପରେ ଆକମ୍ରଣ କରିଛନ୍ତି। ଏଭଳି ଆକ୍ରମଣର ସମ୍ମୁଖୀନ ହେବା ସନାତନ ଧର୍ମ ପାଇଁ କିଛି ନୂଆ କଥା ନୁହେଁ। ସନାତନ ଧର୍ମର ଚିରନ୍ତନ ଦୃଶ୍ୟପଟରେ ଏହା ଏକ ଅତି-କ୍ଷଣସ୍ଥାୟୀ ଘଟଣା ମାତ୍ର। ସାଗାନ୍ ଆଜି ଯଦି ଥାନ୍ତେ, କହନ୍ତେ ସୃଷ୍ଟି ଓ ପ୍ରଳୟର ଆବାହନ କରୁଥିବା ନଟରାଜଙ୍କର ଡମ୍ବରୁର ପ୍ରଚଣ୍ଡ ନିନାଦରେ ଉଦୟନିଧିଙ୍କ ଚିତ୍କାର ସମ୍ପୂର୍ଣ୍ଣ ରୂପେ ଡୁବି ଯାଇ ନିମିଷକେର ନିଶ୍ଚିହ୍ନ ହୋଇଯିବା ନିଶ୍ଚିତ।
‘‘ହିନ୍ଦୁ ଧର୍ମ ହେଉଛି ପୃଥିବୀର ମହାନ୍ ଧର୍ମମାନଙ୍କ ମଧ୍ୟରେ ଏକମାତ୍ର ଧର୍ମ ଯେଉଁଥିରେ ବିଶ୍ବାସ କରାଯାଏ ଯେ ଏ ବିଶ୍ବ ବ୍ରହ୍ମାଣ୍ଡ ମଧ୍ୟ ଖୋଦ୍ ଅସଂଖ୍ୟ ଥର ମୃତ୍ୟୁ ଓ ପୁନର୍ଜନ୍ମ ଲାଭ କରିଥାଏ। ଏହା ହେଉଛି ଏକମାତ୍ର ଧର୍ମ ଯେଉଁଥିରେ ସମୟର ମାପଦଣ୍ଡ ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନ ସହିତ ମେଳ ଖାଇଥାଏ। ଏହାର ସମୟ ଚକ୍ରମାନ ଆମର ସାଧାରଣ ଦିନ-ରାତିରୁ ଆରମ୍ଭ ହୋଇ ବ୍ରହ୍ମାଙ୍କର ଦିନ-ରାତି ପର୍ଯ୍ୟନ୍ତ ଲମ୍ବିଥାଏ, ଯାହା ହେଉଛି ୮୬୪ କୋଟି ବର୍ଷ ଲମ୍ବା, ଯାହା ପୃଥିବୀ କିମ୍ବା ସୂର୍ଯ୍ୟଙ୍କର ବୟସ ଠାରୁ ଦୀର୍ଘତର ଏବଂ ବିଗ୍ ବ୍ୟାଙ୍ଗ୍ ପରେ ଅତିକ୍ରାନ୍ତ ହୋଇଥିବା ସମୟର ପ୍ରାୟ ଅଧା। …ଏକ ଗଭୀର ଓ ଆକର୍ଷଣୀୟ ଧାରଣା ଅନୁସାରେ ଏ ବିଶ୍ବ ବ୍ରହ୍ମାଣ୍ଡ ହେଉଛି ଈଶ୍ବରଙ୍କ ସ୍ବପ୍ନ ମାତ୍ର, ଯିଏ ଶହେଟି ବ୍ରହ୍ମା-ବର୍ଷ ପରେ ଏକ ସ୍ବପ୍ନହୀନ ନିଦ୍ରାରେ ବୁଡ଼ି ଯାଆନ୍ତି। ତାଙ୍କ ସହିତ ବିଶ୍ବବ୍ରହ୍ମାଣ୍ଡ ମଧ୍ୟ ନିଶ୍ଚିହ୍ନ ହୋଇଯାଏ- ଆଉ ଏକ ବ୍ରହ୍ମା-ଶତାବ୍ଦୀ ଅତିକ୍ରାନ୍ତ ହେବା ପରେ ଈଶ୍ବର ପୁଣି ତାଙ୍କର ମହାଜାଗତିକ ସ୍ବପ୍ନ ଦେଖିବାକୁ ଆରମ୍ଭ କରିବା ପର୍ଯ୍ୟନ୍ତ। ଏଇ ଭଳି ଅସଂଖ୍ୟ ଅନ୍ୟ ବ୍ରହ୍ମାଣ୍ଡମାନ ରହିଛନ୍ତି, ଯେଉଁଠି ପ୍ରତ୍ୟେକର ନିଜର ଈଶ୍ବର ଏଇଭଳି ମହାଜାଗତିକ ସ୍ବପ୍ନ ଦେଖି ଚାଲିଛନ୍ତି। ଏହି ମହାନ୍ ଚିନ୍ତାଧାରା ଠାରୁ ଆହୁରି ମହତ୍ତର ଏକ ଚିନ୍ତାଧାରା ମଧ୍ୟ ରହିଛି। ତାହା ହେଲା, ମନୁଷ୍ୟ ହୁଏତ ଈଶ୍ବରଙ୍କ ସ୍ବପ୍ନ ନ ହୋଇପାରେ, ବରଂ ଈଶ୍ବର ହୋଇପାରିଥାନ୍ତି ମନୁଷ୍ୟର ସ୍ବପ୍ନ।’’ ଏହା ହେଉଛି ବିଂଶ ଶତାବ୍ଦୀର ମହାନ୍ ବ୍ରହ୍ମାଣ୍ଡ ବିଜ୍ଞାନୀ (କସ୍ମୋଲୋଜିଷ୍ଟ୍) କାର୍ଲ୍ ସାଗାନ୍ଙ୍କର ବିଶ୍ବବିଶ୍ରୁତ ପୁସ୍ତକ ‘କସ୍ମସ୍’ (‘ବିଶ୍ବବ୍ରହ୍ମାଣ୍ଡ’)ରୁ ଏକ ଉଦ୍ଧୃତି।
ଏହାପରେ ସାଗାନ୍ ତାଙ୍କ ପୁସ୍ତକର ସେଇ ଅଧ୍ୟାୟରେ ଆଉ ଯାହା କହିଛନ୍ତି, ତାହା ଆମ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଆଜି ବିେଶଷ ତାତ୍ପର୍ଯ୍ୟ ବହନ କରିଥାଏ। ‘‘ଭାରତରେ ଅନେକ ଈଶ୍ବର ଅଛନ୍ତି ଏବଂ ପ୍ରତ୍ୟେକ ଈଶ୍ବରଙ୍କର ଅନେକ ରୂପରେ ପ୍ରକାଶ ଘଟିଥାଏ। ଏକାଦଶ ଶତାବ୍ଦୀେର ନିର୍ମିତ ଚୋଳ ବ୍ରୋଞ୍ଜ୍ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଅଛନ୍ତି ଶିବଙ୍କର ବିଭିନ୍ନ ଅବତାରମାନ। ଏଗୁଡ଼ିକ ମଧ୍ୟରେ ସବୁଠାରୁ କମନୀୟ ଓ ମହିମାମୟ ମୂର୍ତ୍ତିଟି ପ୍ରତି ସମୟ ଚକ୍ରର ଆରମ୍ଭେର ବ୍ରହ୍ମାଣ୍ଡର ସର୍ଜନାର ପ୍ରତିରୂପ ରୂପେ ବିବେଚିତ ହୋଇଥାଏ, ଯେଉଁ ଶୈଳୀ ଶିବଙ୍କର ମହାଜାଗତିକ ନୃତ୍ୟ ରୂପେ ପରିଚିତ। ନଟରାଜ ରୂପେ ଜଣା ଏହି ମୂର୍ତ୍ତିଙ୍କର ଚାରିଟି ହାତ ରହିଛି। ଉପର ଦକ୍ଷିଣ ହସ୍ତରେ ଅଛି ଏକ ଡମ୍ବରୁ, ଯାହାର ଶବ୍ଦ ହେଉଛି ସର୍ଜନାର ଶବ୍ଦ। ଉପର ବାମ ହସ୍ତରେ ଅଛି ଏକ ଅଗ୍ନିଶିଖା, ଯାହା ମନେ ପକାଇ ଦେଇଥାଏ ଯେ େଯଉଁ ବ୍ରହ୍ମାଣ୍ଡ ବର୍ତ୍ତମାନ ନୂଆ କରି ସର୍ଜନା ହୋଇଛି, କେତେ ଶହ କୋଟି ବର୍ଷ ପରେ ତାହା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇବ। ଏହି ମନୋରମ ଗଭୀର ଜ୍ଞାନପୂର୍ଣ୍ଣ ମୂର୍ତ୍ତିଗୁଡ଼ିକ ଆଧୁନିକ ମହାକାଶ ବିଜ୍ଞାନର ଧାରଣାମାନଙ୍କର ପୂର୍ବାଭାଷ ଭଳି ମତେ ମନେ ହୁଏ। …ବ୍ରହ୍ମାଣ୍ଡ ମାତ୍ର କେତେ ହଜାର ବର୍ଷ ତଳେ ସୃଷ୍ଟି ବୋଲି ଇଉରୋପୀୟମାନେ ବାଇବ୍ଲରୁ ଆହରଣ କରିଥିବା ସେମାନଙ୍କର ଧାରଣା ପରିହାର କରିବାକୁ ରାଜି ହେବାର କେତେ ହଜାର ବର୍ଷ ପୂର୍ବରୁ… ଭାରତୀୟମାନେ ବ୍ରହ୍ମାଣ୍ଡର ବୟସ ଶହ ଶହ କୋଟି ବର୍ଷ ବୋଲି କଳ୍ପନା କରିପାରିଥିଲେ।’’
ସାଗାନ୍ ଯେଉଁ ନଟରାଜ ମୂର୍ତ୍ତିର ବୈଜ୍ଞାନିକ ଓ ଦାର୍ଶନିକ ମହାତ୍ମ୍ୟ ବର୍ଣ୍ଣନାରେ ଏପରି ଭାବବିହ୍ବଳ ଓ ଗଦ୍ ଗଦ୍ ହୋଇ ପଡ଼ିଛନ୍ତି, ତାହାକୁ ଯେଉଁ ସନାତନ ଧର୍ମ ଅବଲମ୍ବନକାରୀମାନେ ନିର୍ମାଣ କରିଥିଲେ, ସେମାନେ ଥିଲେ ପ୍ରସିଦ୍ଧ ଚୋଳ ସାମ୍ରାଜ୍ୟର ଅଧିବାସୀ, ଯାହା ହେଉଛି ମୁଖ୍ୟତଃ ଆଜିର ତାମିଲନାଡୁ ରାଜ୍ୟ। ଏଣୁ ଏହା ସମୟର ଏକ ବିଡ଼ମ୍ବନା ଭଳି ମନେହୁଏ ଯେ ସେଇ ଚୋଳମାନଙ୍କର ଜଣେ ଉତ୍ତର ପୁରୁଷ ତାମିଲନାଡୁର ରାଜନେତା ଉଦୟନିଧି ଷ୍ଟାଲିନ୍ ସେଇ ସନାତନ ହିନ୍ଦୁ ଧର୍ମକୁ ଏକ ସଂକ୍ରାମକ ରୋଗ ସହିତ ତୁଳନା କରି ତାହାର ସମ୍ପୂର୍ଣ୍ଣ ବିନାଶ ଘଟାଇବା ପାଇଁ ଆହ୍ବାନ ଦେଇ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି। ଅବଶ୍ୟ କନିଷ୍ଠ ଷ୍ଟାଲିନ୍ଙ୍କର ଏହି ଘୋଷଣା ଓ ଆହ୍ବାନ ହେଉଛି ତାଙ୍କର ଓ ତାଙ୍କ ଦଳର ରାଜନୀତିର ଏକ ଅଂଶ। ତାଙ୍କ ଠାରୁ ସନାତନ ହିନ୍ଦୁ ଧର୍ମ ସମ୍ବନ୍ଧରେ କାର୍ଲ୍ ସାଗାନ୍ଙ୍କର ଦାର୍ଶନିକ ଓ ବୈଜ୍ଞାନିକ ଆଭିମୁଖ୍ୟ ଆଶା କରିବା ଉଚିତ ହେବ ନାହିଁ। ତେବେ ସନାତନ ହିନ୍ଦୁ ଧର୍ମ ସମ୍ବନ୍ଧରେ କେହି କୌଣସି ମନ୍ତବ୍ୟ ପ୍ରଦାନ କରିବା ପୂର୍ବରୁ ଏହି ସୁପ୍ରାଚୀନ ଧର୍ମର କେତେକ ବିଶେଷ ମୌଳିକ ଚରିତ୍ର ସମ୍ବନ୍ଧରେ ଅବଗତ ଥିବା ଆଶା କରାଯାଏ, ବିଶେଷ କରି ଉଦୟନିଧିଙ୍କ ପରି ଯେଉଁମାନେ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି।
ଯେଉଁମାନେ ସନାତନ ହିନ୍ଦୁ ଧର୍ମ ସମ୍ବନ୍ଧରେ ଅଜ୍ଞ, ସେମାନଙ୍କର ଅଜ୍ଞତା ଦୂର କରିବା ପାଇଁଁ ଏକ ଉପଯୋଗୀ ପାଠ୍ୟ ହେଉଛି ଲିଣ୍ଡା ଜନ୍ସେନ୍ଙ୍କ ଦ୍ବାରା ରଚିତ ପୁସ୍ତକ, ‘‘ଦି କମ୍ପ୍ଲିଟ୍ ଇଡିଅଟ୍’ସ ଗାଇଡ୍ ଟୁ ହିନ୍ଦୁଇଜ୍ମ’’ (‘‘ସମ୍ପୂର୍ଣ୍ଣ ନିର୍ବୋଧଙ୍କ ପାଇଁ ହିନ୍ଦୁ ଧର୍ମ ସମ୍ବନ୍ଧରେ ମାର୍ଗଦର୍ଶିକା’’) ଏଥିରେ ସାଗାନ୍ଙ୍କର ଉପର ବର୍ଣ୍ଣିତ ଚିନ୍ତାଧାରାକୁ ଆଗେଇ ନେବା ଭଳି କୁହାଯାଇଛି ଯେ ହିନ୍ଦୁ ଧର୍ମ ଭଳି ଯେଉଁ ଧର୍ମର ତତ୍ତ୍ବ ସମୟର ପ୍ରବାହରେ ଘଟୁଥିବା ଘଟଣା ପ୍ରତି ଧ୍ୟାନ ନ ଦେଇ ଅନନ୍ତ କାଳ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥାଏ, ବାସ୍ତବ ରାଜନୈତିକ କ୍ଷେତ୍ରରେ ସେ ଧର୍ମ ସଦାବେଳେ କମ୍ ହିଂସାତ୍ମକ ଓ ଅଧିକ ମାନବବାଦୀ ଓ ଦୟାଶୀଳ େହାଇଥାଏ। ସେଥିପାଇଁ ଅନ୍ୟ ଧର୍ମମାନଙ୍କ ଭଳି ହିନ୍ଦୁଧର୍ମ କେବେ ହେଲେ ଅତ୍ୟାଚାରୀ ହୋଇ ନାହିଁ, ଧର୍ମାନ୍ତରଣ ଅଭିଯାନ ଚଳାଇ ନାହିଁ କିମ୍ବା ଧର୍ମ ଯୁଦ୍ଧରେ ପ୍ରବୃତ୍ତ ହୋଇନାହିଁ।
ବାସ୍ତବରେ ସନାତନ ଧର୍ମରେ ଯେ ମତାନ୍ଧତା କିମ୍ବା ଗୋଷ୍ଠୀବାଦର ସ୍ଥାନ ନାହିଁ, ତାହା ତା’ର ନାମରୁ ହିଁ ସାବ୍ୟସ୍ତ ହୋଇଥାଏ। ‘ସନାତନ’ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି- ଯାହା ହୋଇଥାଏ ଅନାଦି ଓ ଅନନ୍ତ, ଅର୍ଥାତ୍ ଯାହାର ଆରମ୍ଭ ନାହିଁ କିମ୍ବା ଶେଷ ନାହିଁ। ଯାହା ଚିରନ୍ତନ। ‘ଧର୍ମ’ ଉତ୍ପତ୍ତି ହୋଇଛି ‘ଧୃ’ ଧାତୁରୁ, ଯାହାର ଅର୍ଥ ହେଉଛି ଧରି ରଖିବା, ଅର୍ଥାତ୍ ଯେଉଁ ପ୍ରାକୃତିକ ନିୟମ ମାନ ସଂସାରକୁ ଧରି ରଖିଥାନ୍ତି। ଶ୍ରୀମଦ୍ ଭଗବଦ୍ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ଧର୍ମ ବିଷୟେର ଜ୍ଞାନ ପ୍ରଦାନ କରିଥିବା ଭଳି ପ୍ରାକୃତିକ ନିୟମ ଅନୁସାରେ ବ୍ୟକ୍ତି ନିଜର କର୍ତ୍ତବ୍ୟ କରିବା ହିଁ ହେଉଛି ଧର୍ମ। ‘ସନାତନ ଧର୍ମ’ ତେଣୁ ହେଉଛି- ‘ଚିରନ୍ତନ ପ୍ରାକୃତିକ ପନ୍ଥା’।
ସ୍ବାଭାବିକ ଭାବରେ ସନାତନ ଧର୍ମ ତେଣୁ କୌଣସି ପ୍ରଚାରକ-କୈନ୍ଦ୍ରିକ ନ ହୋଇ, ହୋଇଥାଏ ଈଶ୍ବର-କୈନ୍ଦ୍ରିକ। ଈଶ୍ବରଙ୍କ ସୃଷ୍ଟ ସାରା ସଂସାର ପ୍ରତି ଏକ ଆତ୍ମୀୟ ଭାବ ହେଉଛି ଏହାର ମୂଳାଧାର। ‘ତତ୍ ତ୍ବମ୍ ଅସି’ ହେଉଛି ଏହାର ମୂଳମନ୍ତ୍ର- ତୁମେ ହେଉଛ ମଧ୍ୟ ସିଏ; ଯିଏ ଆତ୍ମନ୍, ସେ ହିଁ ହେଉଛି ବ୍ରହ୍ମନ୍। ଏହାହିଁ ହେଉଛି ସନାତନ ସତ୍ୟ। ସନାତନ ଧର୍ମ ଅନୁସାରେ ଉଦୟନିଧି ଷ୍ଟାଲିନ୍ଙ୍କ ଠାରେ ମଧ୍ୟ ବ୍ରହ୍ମନ୍ ବିଦ୍ୟମାନ ଅଛନ୍ତି। ସେ ମଧ୍ୟ ତାଙ୍କ କିସମର ରାଜନୈତିକ ଧର୍ମ ପାଳନ କରି ସନାତନ ଧର୍ମ ଉପରେ ଆକମ୍ରଣ କରିଛନ୍ତି। ଏଭଳି ଆକ୍ରମଣର ସମ୍ମୁଖୀନ ହେବା ସନାତନ ଧର୍ମ ପାଇଁ କିଛି ନୂଆ କଥା ନୁହେଁ। ସନାତନ ଧର୍ମର ଚିରନ୍ତନ ଦୃଶ୍ୟପଟରେ ଏହା ଏକ ଅତି-କ୍ଷଣସ୍ଥାୟୀ ଘଟଣା ମାତ୍ର। ସାଗାନ୍ ଆଜି ଯଦି ଥାନ୍ତେ, କହନ୍ତେ ସୃଷ୍ଟି ଓ ପ୍ରଳୟର ଆବାହନ କରୁଥିବା ନଟରାଜଙ୍କର ଡମ୍ବରୁର ପ୍ରଚଣ୍ଡ ନିନାଦରେ ଉଦୟନିଧିଙ୍କ ଚିତ୍କାର ସମ୍ପୂର୍ଣ୍ଣ ରୂପେ ଡୁବି ଯାଇ ନିମିଷକେର ନିଶ୍ଚିହ୍ନ ହୋଇଯିବା ନିଶ୍ଚିତ।