ୟୁକ୍ରେନ୍ ପଛକେ ଯୁଦ୍ଧରେ ପରାସ୍ତ ହୋଇ ନିଜର ଅସ୍ତିତ୍ବ ହରାଇବ, ତଥାପି ଧର୍ଷଣକାରୀଙ୍କ ସାହାଯ୍ୟ ନେବ ନାହିଁ। ଏହା ହିଁ ହେଉଛି ୟୁକ୍ରେନ୍ର ଆତ୍ମାର ପରିଚାୟକ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦ୍ବାରା ଅନୁସୃତ ଆତ୍ମାହୀନ ରାଜନୀତି ହେଉଛି ଏହାର ଠିକ୍ ବିପରୀତ। ତାଙ୍କର ରାଜନୀତି ଯୁଦ୍ଧରେ ଧର୍ଷଣକାରୀମାନେ ହେଉଛନ୍ତି ଛାମୁଆ ଯୋଦ୍ଧା।
କଲିକତାର ଆର୍ଜି କର ମେଡିକାଲ୍ କଲେଜ୍-ହସ୍ପିଟାଲ୍ରେ ଘଟିଥିବା ସ୍ନାତକୋତ୍ତର ଛାତ୍ରୀଙ୍କର ଜଘନ୍ୟ ଧର୍ଷଣ ଓ ହତ୍ୟାକାଣ୍ଡ ଯେତେବେଳେ କେବଳ ଭାରତରେ ନୁହେଁ, ଲଣ୍ଡନ୍ରୁ ନ୍ୟୁୟର୍କ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ପ୍ରମୁଖ ନଗର ଓ ସହରମାନଙ୍କରେ ମଧ୍ୟ ଘୋର ନିନ୍ଦା ଓ ପ୍ରତିବାଦର ନିଶାଣରେ ପରିଣତ ହୋଇଛି, ସେତିକିବେଳେ ଏକ ଉଦ୍ଭଟ ନାଟକର ଏକ କୁଟିଳ ଦୃଶ୍ୟ ଭଳି ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏହି କୌଶଳ ଅବଲମ୍ବନ କେବଳ ଉଦ୍ଭଟ ନୁହେଁ, ସଂପୂର୍ଣ୍ଣ ଅନୈତିକ ମଧ୍ୟ। ତାହା ଉଦ୍ଭଟ ଏଇଥିପାଇଁ ଯେ ମମତା ବାନାର୍ଜୀ କେବଳ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ମଧ୍ୟ ହେଉଛନ୍ତି ଗୃହମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ- ଗୃହ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ତାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣାଧୀନ। ଅର୍ଥାତ୍ ଯେଉଁ ସରକାରୀ ହସ୍ପିଟାଲ୍ରେ ଏହି ଜଘନ୍ୟ ଅପରାଧ ସଂଘଟିତ ହେଲା, ତାହାର ସେ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ, ଓ ଯେଉଁମାନଙ୍କର କର୍ତ୍ତବ୍ୟ ହେଉଛି ସମାଜରେ ଏଭଳି ଅପରାଧକୁ ପ୍ରତିହତ କରିବା, ସେଇ ପୁଲିସ ବାହିନୀର ସେ ମଧ୍ୟ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ।
ଅତଏବ ମମତା ବାନାର୍ଜୀ ଏହି ବର୍ବର ଅପରାଧ ପାଇଁ ନିଜର ନୈତିକ ଦାୟିତ୍ବ ସ୍ବୀକାର କରିବା ପରିବର୍ତ୍ତେ ଯେତେବେଳେ ନିଜର ରାଜନୈତିକ ସମର୍ଥକମାନଙ୍କ ଗହଣରେ ରାସ୍ତାକୁ ଓହ୍ଲାଇ ପଡ଼ି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ସେ କ’ଣ ନିଜେ ନିଜ ବିରୋଧରେ ପ୍ରତିବାଦ କରୁଛନ୍ତି? ଏହା ସେଇ ସୁପରିଚିତ ଦୃଶ୍ୟ ଭଳି ପ୍ରତୀୟମାନ ହୋଇଥାଏ, ଯେଉଁଥିରେ ଚୋରଟିଏ ଚୋରି କରି ଧାଇଁ ପଳାଇବା ବେଳେ ତା’ ଉପରୁ ଅନୁଧାବନକାରୀମାନଙ୍କର ନଜର ହଟାଇବା ପାଇଁ ନିଜେ ‘ଚୋର, ଚୋର’ ଚିତ୍କାର କରି ଧାଇଁଥାଏ। ମମତା ପୁଣି ତାଙ୍କର ଏହି ଆତ୍ମରକ୍ଷାମୂଳକ ବିଭ୍ରାନ୍ତକାରୀ କୌଶଳକୁ ଅଧିକ ବିଶ୍ବାସଯୋଗ୍ୟ କରିବା ପାଇଁ ଦୋଷୀକୁ ତୁରନ୍ତ ଠାବ କରି ଫାଶୀ ଦିଆଯାଉ ବୋଲି ଆହ୍ବାନ ଦେଇ ଅନୁସନ୍ଧାନ ଦାୟିତ୍ବରେ ଥିବା ‘ସିବିଆଇ’ ପାଇଁ ରବିବାର ସମୟସୀମା ଘୋଷଣା କରିଦେଇଛନ୍ତି (ଯାହା ପାର ହୋଇସାରିଲାଣି)।
ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ମମତା ବାନାର୍ଜୀଙ୍କ ପାଇଁ ମାନବିକତାର ଛାତି ଫଟାଇ ଦେଉଥିବା ଏହି ନୃଶଂସ ଅପରାଧ ହେଉଛି ଏକ ରାଜନୈତିକ ଖେଳ ମାତ୍ର- ତାଙ୍କର ସୁପରିଚିତ ‘ଖେଲା ହୋବେ’ର ଏକ ଅଂଶ। ଆମର ରାଜନୈତିକ ବ୍ୟବସ୍ଥାରେ ସମାଜର ସୁରକ୍ଷା ଦାୟିତ୍ବ ଯେଉଁ ସର୍ବୋଚ୍ଚ ପଦାଧିକାରିଣୀଙ୍କ ହସ୍ତରେ ନ୍ୟସ୍ତ କରାଯାଇଛି, ସେ ଯଦି ଏଭଳି ହୃଦୟହୀନା ହୁଅନ୍ତି, ତେବେ ସେ ସମାଜରେ ଯେ ଏଭଳି ବର୍ବରତା ନିୟମିତ ଭାବରେ ପ୍ରଦର୍ଶିତ ହେବ, ତାହା ମମତାଙ୍କ ଦୀର୍ଘ ଶାସନ କାଳରେ ବାରମ୍ବାର ପ୍ରମାଣିତ ହୋଇଆସିଥିଲେ ହେଁ, ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ବର୍ତ୍ତମାନର ଘଟଣା ବର୍ବରତାର ତଥା ଅନୈତିକତାର ସମସ୍ତ ସୀମା ଲଂଘନ କରିଛି।
ମମତା ବାନାର୍ଜୀ ଯେତେବେଳେ ତାଙ୍କ ଖେଳରେ ଗୋଟି ଚାଳନା କରି ଦୋଷୀକୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ଦାବି କରୁଛନ୍ତି, ତାହା ପୃଥିବୀ ଇତିହାସରେ ଘଟିଥିବା ଜଘନ୍ୟତମ ଅପରାଧର ଅଭିଯୁକ୍ତମାନଙ୍କର ବିଚାର ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଅନ୍ତର୍ଭେଦୀ ମନ୍ତବ୍ୟ ସମ୍ବନ୍ଧରେ ଆମକୁ ମନେ ପକାଇ ଦେଇଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବା ପରେ ଜର୍ମାନୀର ନୁରେମ୍ବର୍ଗ ଠାରେ ଯେତେବେଳେ ବିଜେତା ମିତ୍ର ଶକ୍ତି ଦ୍ବାରା ଯୁଦ୍ଧ ଅପରାଧୀମାନଙ୍କର ବିଚାର କରାଯାଉଥିଲା ମିତ୍ର ଶକ୍ତିର ଅନ୍ୟତମ ସଦସ୍ୟ ରାଷ୍ଟ୍ର ଫ୍ରାନ୍ସ ପକ୍ଷରୁ ଅଦାଲତରେ ଜବାବସୁଆଲରେ ଅଂଶଗ୍ରହଣ କରୁଥିବା ମୁଖ୍ୟ ଅଭିଯୋଜକ (ଚିଫ୍ ପ୍ରସିକ୍ୟୁଟର୍) ଏକଦା ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିବା ସମୟରେ ଏହି ମନ୍ତବ୍ୟ ପ୍ରଦାନ କରିଥିଲେ। ଅବଶ୍ୟ ଏହା ତାଙ୍କର ନିଜସ୍ବ ମନ୍ତବ୍ୟ ନ ଥିଲା, ଏହା ଥିଲା ସେ ଉଦ୍ଧାର କରିଥିବା ନୋବେଲ୍ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଫରାସୀ ଦାର୍ଶନିକ ହେନ୍ରି ବର୍ଗସନ୍ଙ୍କର ଏକ ପୁସ୍ତକରୁ ଆନୀତ ମାନବିକତା ସଂପର୍କରେ ଏକ ପ୍ରସିଦ୍ଧ ଉକ୍ତି। ବର୍ଗସନ୍ ଲେଖିଥିଲେ: ‘‘ମାନବ ଜାତି ନିଜେ ହାସଲ କରିଥିବା ପ୍ରଗତିର ଓଜନ ତଳେ ଅଧା ଚାପିହୋଇ ରହିଥିବା ଅବସ୍ଥାରେ ଯନ୍ତ୍ରଣାରେ ଚିତ୍କାର କରୁଛି... ତା’ର ବୃଦ୍ଧି ପାଇଚାଲିଥିବା ଶରୀର ଏକ ଆତ୍ମାର ପ୍ରବେଶକୁ ଅପେକ୍ଷା କରି ରହିଛି...।’’ ଚିଫ୍ ପ୍ରସିକ୍ୟୁଟର୍ଙ୍କର କହିବା କଥା ଥିଲା, ଜର୍ମାନ୍ ଜାତି ହିଟ୍ଲର୍ଙ୍କ ଅଧୀନରେ ଚମକପ୍ରଦ ପ୍ରଗତି ହାସଲ କରିଥିଲେ ହେଁ ଏକ ଆତ୍ମା ବା ହୃଦୟର ଅନୁପସ୍ଥିତି ଯୋଗୁଁ, ସେମାନେ ବିଶ୍ବ ଇତିହାସରେ ଜଘନ୍ୟତମ ବର୍ବରତା ରଚନା କରିଥିଲେ, ଯାହା ମନୁଷ୍ୟ ପାଇଁ ଅକଥନୀୟ ଯନ୍ତ୍ରଣା ସୃଷ୍ଟି କରିଥିଲା।
ବିଗତ ବର୍ଷମାନଙ୍କରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଯେ ଭୟ ଓ ଭୋଟ୍ବ୍ୟାଙ୍କ୍ ସୃଷ୍ଟି ମାଧ୍ୟମରେ ନିଜର ଚମକପ୍ରଦ ରାଜନୈତିକ ପ୍ରଗତି ହାସଲ କରିଚାଲିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବର୍ଗସନ୍ ସୂଚାଇଥିବା ଭଳି ଏହି ପ୍ରଗତି ମାଧ୍ୟମରେ ମମତା ହାସଲ କରିଥିବା ଅତିକାୟ ରାଜନୈତିକ ଶରୀରରେ ଅନୁପସ୍ଥିତ ଅଛି ଏକ ଆତ୍ମା। ଏହି ଆତ୍ମାହୀନ ଶରୀରର ଚାପରେ ସେଠାରେ ନାରୀମାନେ ଅସହାୟ ଭାବରେ ଅର୍ତ୍ତନାଦ କରିଚାଲିଛନ୍ତି। ତାଙ୍କର ଏହି ଆତ୍ମାହୀନ ରାଜନୀତିର ଅଂଶ ସ୍ବରୂପ ଏହି ଧର୍ଷଣପ୍ରବଣ ରାଜ୍ୟରେ ଧର୍ଷିତାମାନଙ୍କୁ ଅଧିକାଂଶ ସମୟରେ ଦୋଷ ଦିଆଯିବା ଦେଖାଯାଇଥିବା ବେଳେ କ୍ଷମତାସୀନ ଦଳର ଛତ୍ରଛାୟା ତଳେ ଧର୍ଷଣକାରୀମାନେ ସୁରକ୍ଷିତ ରହିଥାନ୍ତି। ଏହି ପ୍ରକାର ମାନସିକତାର ବର୍ବରତା ହୃଦୟଙ୍ଗମ କରିବା ପାଇଁ ଏକ ସାଂପ୍ରତିକ ଘଟଣା ଏଠାରେ ଅବତାରଣା କରାଯିବା ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ।
ଗତକାଲି ଏହି ସ୍ତମ୍ଭରେ କୁହାଯାଇଥିବା ଭଳି ୟୁକ୍ରେନ୍ ବର୍ତ୍ତମାନ ଓଲଟ ଆକ୍ରମଣ ଚଳାଇ ରୁଷ୍ ସେନାବାହିନୀକୁ ଅପ୍ରସ୍ତୁତ କରି ରୁଷିଆ ସୀମା ଅତିକ୍ରମ କରି ସେଠାରେ ବ୍ୟାପକ ଅଞ୍ଚଳ ଦଖଲ କରିନେଇ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତା’ ପଛରେ ନିହିତ ଥିବା ଏକ ରହସ୍ୟ ଆମ ପାଇଁ ଏଠାରେ ପ୍ରାସଙ୍ଗିକ ହୋଇଥାଏ। ଏହି ଦୁଃସାହସିକ ଅଭିଯାନ ଚଳାଇବା ପାଇଁ ଲୋଡ଼ା ଦୁଃସାହସିକ ଯୋଦ୍ଧା। ୟୁକ୍ରେନ୍ରେ କିନ୍ତୁ ବର୍ତ୍ତମାନ ସୈନ୍ୟବଳର ଘୋର ଅଭାବ ଦେଖାଦେଇଛି। ସେ ଦେଶର ସେନାବାହିନୀ ଏହି ଲୋକଶକ୍ତି ଅଭାବ ପୂରଣ କରିବା ଉଦ୍ଦେଶ୍ୟରେ ଏକ ଅଣପାରମ୍ପରିକ ଉପାୟ ଅବଲମ୍ବନ କରିଛି। ଏହା ଅନୁଯାୟୀ ୟୁକ୍ରେନ୍ର ଜେଲ୍ମାନଙ୍କରେ ନରହତ୍ୟା ସମେତ ବିଭିନ୍ନ କଠୋର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ କାରାବାସ ଭୋଗ କରୁଥିବା ବନ୍ଦୀମାନଙ୍କୁ ଏହି ଯୁଦ୍ଧରେ ସୈନ୍ୟ ରୂପେ ମୁତୟନ କରାଯାଇଛି; ସର୍ତ୍ତ ଅନୁସାରେ ଯୁଦ୍ଧ ପରେ ସେମାନଙ୍କୁ ମୁକ୍ତି ପ୍ରଦାନ କରାଯିବ। ଏହି ଦୁର୍ଦ୍ଧର୍ଷ ଅପରାଧୀମାନେ ରଣଭୂମିରେ ମଧ୍ୟ ଦୁର୍ଦ୍ଧର୍ଷ ସୈନିକ ରୂପେ ଲଢ଼େଇ କରି ରୁଷ୍ ସେନାବାହିନୀକୁ ଘାଇଲା କରିବାରେ ଲାଗିଛନ୍ତି।
କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୟୁକ୍ରେନ୍ର ଜେଲ୍ମାନଙ୍କରେ ଥିବା ସମସ୍ତ ପ୍ରକାର ବନ୍ଦୀଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଉନାହିଁ। ଅନ୍ୟ ପ୍ରକାରେ କହିଲେ ସମସ୍ତ ପ୍ରକାର ବନ୍ଦୀ ସେନାବାହିନୀ ପାଇଁ ଗ୍ରହଣୀୟ, କେବଳ ଗୋଟିଏ ଶ୍ରେଣୀର ବନ୍ଦୀମାନଙ୍କୁ ଛାଡ଼ି। ଏହି ଅସ୍ପୃଶ୍ୟ ବନ୍ଦୀମାନେ ହେଲେ- ଧର୍ଷଣ ଅପରାଧୀମାନେ। ୟୁକ୍ରେନ୍ ପଛକେ ଯୁଦ୍ଧରେ ପରାସ୍ତ ହୋଇ ନିଜର ଅସ୍ତିତ୍ବ ହରାଇବ, ତଥାପି ଧର୍ଷଣକାରୀଙ୍କ ସାହାଯ୍ୟ ନେବ ନାହିଁ। ଏହା ହିଁ ହେଉଛି ୟୁକ୍ରେନ୍ର ଆତ୍ମାର ପରିଚାୟକ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦ୍ବାରା ଅନୁସୃତ ଆତ୍ମାହୀନ ରାଜନୀତି ହେଉଛି ଏହାର ଠିକ୍ ବିପରୀତ। ତାଙ୍କର ରାଜନୀତି ଯୁଦ୍ଧରେ ଧର୍ଷଣକାରୀମାନେ ହେଉଛନ୍ତି ଛାମୁଆ ଯୋଦ୍ଧା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)