ଯଦିଓ ବାଂଲାଦେଶର ସୁପ୍ରିମ୍ କୋର୍ଟର ଏକ ରାୟ ଅନୁସାରେ ଜମାତ ଏ ଇସଲାମୀ କୌଣସି ରାଜନୈତିକ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବ ନାହିଁ, କିନ୍ତୁ ସଡ଼କର ଉଦ୍ଭ୍ରାନ୍ତ ଶକ୍ତି ଭାବେ ଏହି ସଂଗଠନ ହିଂସାର ଦାବାନଳ ସୃଷ୍ଟି କରିବାକୁ ସକ୍ଷମ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଭବିଷ୍ୟତ୍ରେ ବାଂଲାଦେଶର ରାଜନୀତି ସଡ଼କରୁ ନିୟନ୍ତ୍ରିତ ହେବାର ଆଶଙ୍କା ଅଧିକ। ଏହା ଦ୍ବାରା ଯେଉଁ ନୈରାଜ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି, ତାହା ବାଂଲାଦେଶକୁ ହୁଏତ ଅଗ୍ରଗତି କରିବାକୁ ଦେବନାହିଁ।
ସତୁରିରୁ ଅଶୀ ବା ତା’ ପାଖାପାଖି ବୟସର ଅସଂଖ୍ୟ ବାଂଲାଦେଶୀଙ୍କ ଦୁର୍ଭାଗ୍ୟ ହେଲା କୈଶୋର ଓ ତାରୁଣ୍ୟରେ ସେମାନେ ନିଜ ଶୋଣିତ ଦେଇ ଯେଉଁ ବାଂଲାଦେଶକୁ ଲାଭ କରିଥିଲେ, ତାହା ସେମାନଙ୍କୁ ତ୍ୟାଜ୍ୟ କରି ଦେଇଛି। ଏବଂ ବାଂଲାଦେଶର ଦୁର୍ଭାଗ୍ୟ ହେଲା ଗଲା କିଛି ବର୍ଷ ଧରି ବିଭିନ୍ନ ମାନବ ସୂଚକାଙ୍କରେ ଉନ୍ନତ ପ୍ରଦର୍ଶନ ସହିତ ଦ୍ରୁତ ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି କରିଥିବା ଏହି ଦେଶ ପଶ୍ଚାତ୍ଗାମୀ ହେବାର ସଂକେତ ମଧ୍ୟ ଦିଶିଲାଣି। କେବଳ ସେତିକି ନୁହେଁ, ଜନ୍ମ ଲାଭ କରିବାର ମାତ୍ର ତେପନ ବର୍ଷର ଅବଧି ମଧ୍ୟରେ ସେହି ରାଷ୍ଟ୍ର ଓ ରାଷ୍ଟ୍ରବାସୀଙ୍କ ମନୋଭାବରେ ଦିବା-ରାତ୍ର ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି, ଯହିଁରେ ଆଜିର ବାଂଲାଦେଶ ବା ତତ୍କାଳୀନ ପୂର୍ବ-ପାକିସ୍ତାନର ଦାରୁଣ ଦୁଃସମୟରେ ସହାୟକ ହୋଇଥିବା ଭାରତ ଆଜି ପରମ ମିତ୍ର ପରିବର୍ତ୍ତେ ଶତ୍ରୁ ଭାବେ ବିବେଚିତ; ସ୍ବାଧୀନ ବାଂଲା ସକାଶେ ମୁକ୍ତି ସଂଗ୍ରାମର ଉତ୍ପ୍ରେରକ ବଙ୍ଗବନ୍ଧୁ ତଥା ବାଂଲାଦେଶର ଜନକ ଶେଖ ମୁଜିବୁର ରହମନଙ୍କ ସମସ୍ତ ପ୍ରତିକୃତି ଭୂଲୁଣ୍ଠିତ ଓ ଚୂର୍ଣ୍ଣ; ବାଂଲାଦେଶର ବୃହତ୍ତମ ତଥା ସର୍ବପ୍ରାଚୀନ ରାଜନୈତିକ ଦଳ ଆୱାମୀ ଲିଗ୍ର ଭୟାତୁର ନେତା ଓ କର୍ମୀଗଣ ଅଜ୍ଞାତବାସରେ; ଉଭୟ ଜୀବିତ ମୁକ୍ତିଯୋଦ୍ଧା ଓ ସହିଦମାନଙ୍କ ସ୍ମୃତି ଅପମାନର ଶରବ୍ୟ ଏବଂ ସେ ଦିନର ଚରମ ଶତ୍ରୁ ପାକିସ୍ତାନ ହଠାତ୍ ଠାବ ହୋଇଥିବା କୌଣସି ନିରୁଦ୍ଦିଷ୍ଟ ସହୋଦର ଭଳି ବାଂଲାଦେଶର ଆଲିଙ୍ଗନାବଦ୍ଧ ହେବାକୁ ଏବେ ପ୍ରସ୍ତୁତ! ଏହାର କାରଣ କ’ଣ ହୋଇପାରେ?
ପ୍ରଥମ କାରଣ କ୍ଷମତା ଦଖଲର ମୋହ ଓ ପ୍ରତିଶୋଧମୂଳକ ରାଜନୀତି, ଯାହା ବାଂଲାଦେଶକୁ ଅଧିକ କାଳ ରାଜନୈତିକ ଅସ୍ଥିରତା ମଧ୍ୟରେ ରଖିଛି। ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ବଙ୍ଗବନ୍ଧୁ ମୁଜିବୁର ରହମନଙ୍କୁ ପରିବାର ସହିତ ହତ୍ୟା କରାଯାଇଥିଲା ଏବଂ ଏହି ଗଣହତ୍ୟାର ସୂତ୍ରଧର ତଥା ଦ୍ବିତୀୟ ରାଷ୍ଟ୍ରପତି ଜିଆଉର ରହମନ ମଧ୍ୟ ତାଙ୍କ ପରବର୍ତ୍ତୀ ଶାସକ ଜେନେରାଲ ଏରସାଦଙ୍କ ସାମରିକ ବିଦ୍ରୋହରେ ନିହତ ହୋଇଥିଲେ। ସ୍ବାଧୀନ ବାଂଲାର ଇତିହାସରେ କେବଳ ଦୁଇ ଥର ଅର୍ଥାତ୍ ୧୯୯୬ ଓ ୨୦୦୧ ମସିହାରେ ନିର୍ବାଚନ ପରେ ଶାସନ ହସ୍ତାନ୍ତର ସାବଲୀଳ ଭାବେ ହୋଇଛି; ଏବଂ ୨୦୦୯ ମସିହାରେ କ୍ଷମତା ଲାଭ କରି ୨୦୨୪ ମସିହା ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଶେଖ ହସିନାଙ୍କ କାର୍ଯ୍ୟ କାଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କୁ ୨୦୧୮ ମସିହାରେ କାରାରୁଦ୍ଧ କରାଯାଇଥିଲା ଏବଂ ତାଙ୍କ ଦ୍ବାରା ଗଠିତ ‘ୱାର ଟ୍ରିବ୍ୟୁନାଲ’ ଜରିଆରେ ୧୯୭୧ ମସିହାର ମୁକ୍ତି ସଂଗ୍ରାମରେ ବିଶ୍ବାସଘାତକତା କରିଥିବା ଆରୋପରେ ଅନେକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହୋଇ ରହିବାର ମୋହ ହେତୁ ସେ ନିର୍ବାଚନଗୁଡ଼ିକୁ ଅସାଧୁ ଉପାୟରେ ଜିଣି ଏଭଳି ବିରକ୍ତିର ପାତ୍ରୀ ହୋଇପଡ଼ିଥିଲେ ଯେ ହସିନାଙ୍କ ବିଦ୍ରୂପର ଶିକାର ହେଉଥିବା ‘ରଜାକାର’ ବା ୧୯୭୧ ମସିହାର ପାକିସ୍ତାନ ସପକ୍ଷବାଦୀ ବିଶ୍ବାସଘାତକମାନଙ୍କୁ ଆନ୍ଦୋଳନକାରୀମାନେ ଆଦର୍ଶ ଭଳି ଗ୍ରହଣ କରି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ମୁକ୍ତି ସଂଗ୍ରାମର ସହିଦମାନଙ୍କ ବଂଶଜମାନଙ୍କ ସକାଶେ ସରକାରୀ ଚାକିରିରେ ଆରକ୍ଷଣର ବ୍ୟବସ୍ଥା ହିଁ ଥିଲା ହସିନା ବିରୋଧୀ ଆନ୍ଦୋଳନର ମଞ୍ଜି। ଏଠାରେ ସ୍ମରଣଯୋଗ୍ୟ କିଭଳି ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦୀ ଓ ଅତ୍ୟାଚାରୀ ଶ୍ବେତାଙ୍ଗ ପ୍ରଧାନ ରାଜନୀତିର ସମାପ୍ତି ପରେ ରାଷ୍ଟ୍ର ପ୍ରତିଶୋଧର ଆବର୍ତ୍ତ ମଧ୍ୟକୁ ଠେଲି ହୋଇଯିବା ପୂର୍ବରୁ କ୍ଷମାଶୀଳ ନେଲସନ ମାଣ୍ଡେଲାଙ୍କ ଆଦର୍ଶ ଓ ଇଚ୍ଛା ଅନୁସାରେ ସେ ଦେଶରେ କ୍ଷମାର ରାଜନୀତି ସ୍ବରୂପ ପାଇଥିଲା, ଯାହା ସେହି ଦେଶକୁ ସଂକଟର ଘଡ଼ିସନ୍ଧି ବେଳରେ ଅପୂର୍ବ ସ୍ଥିରତା ପ୍ରଦାନ କରିଥିଲା। କିନ୍ତୁ ବାଂଲାଦେଶର ଦୁର୍ଭାଗ୍ୟ ଯେ ତାହା ପ୍ରତିଶୋଧମୂଳକ ରାଜନୀତିକୁ ଗୁରୁତ୍ବ ଦେଇଥାଏ। ଏପରିକି ଶାନ୍ତିରେ ନୋବେଲ୍ ପୁରସ୍କାର ଜିଣିଥିବା ମହମ୍ମଦ ୟୁନୁସଙ୍କ ପରାମର୍ଶ ଅଧୀନରେ କାର୍ଯ୍ୟ କରୁଥିବା ମଧ୍ୟବର୍ତ୍ତୀକାଳୀନ କାମଚଳା ସରକାର ଶେଖ ହସିନାଙ୍କ ଆନୁଷ୍ଠାନିକ ପ୍ରତ୍ୟର୍ପଣ ସକାଶେ ଅନୁରୋଧ କରିପାରେ ବୋଲି ଗୁଂଜରଣ ଶୁଭିଲାଣି। ଇତି ମଧ୍ୟରେ ହସିନାଙ୍କ ବିରୋଧରେ ୭୫ଟି ଗୁରୁତର ଫୌଜଦାରୀ ମାମଲା ରୁଜୁ ହୋଇ ସାରିଲାଣି, ଯହିଁରୁ ୬୩ଟି ହତ୍ୟା ଓ ଗଣହତ୍ୟାର ଅଭିଯୋଗ। କେବଳ ସେତିକି ନୁହେଁ, ଦାବି ଜୋର ଧରିଛି ଯେ ଯୁଦ୍ଧ ଅପରାଧୀ ଭାବେ ତାଙ୍କର ବିଚାର କରାଯାଉ, ଯହିଁରେ ତାଙ୍କର ପ୍ରାଣଦଣ୍ଡ ଅନିବାର୍ଯ୍ୟ! ହୁଏତ ସହସା ଏଭଳି କିଛି ଘଟିବ ନାହିଁ, କାରଣ ଭାରତ ପକ୍ଷରୁ ତାଙ୍କୁ ପ୍ରତ୍ୟର୍ପଣ କରାଯିବାର ଆଶା ଅତ୍ୟନ୍ତ କ୍ଷୀଣ। କିନ୍ତୁ ମୂଳ କଥା ହେଲା ପ୍ରତିଶୋଧର ରାଜନୀତିରୁ ମୁକ୍ତ ନ ହେଲେ ବାଂଲାଦେଶ କେବଳ ପଶ୍ଚାତ୍ଗତି ଦେଖି ଚାଲିବ!
ବାଂଲାଦେଶର ଆଉ ଏକ ଦୁର୍ଭାଗ୍ୟ ହେଲା ସଡ଼କର ଶକ୍ତି ଏହି ଦେଶର ରାଜନୈତିକ ଭାଗ୍ୟ ପରିବର୍ତ୍ତନରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି। ୧୯୭୧ ମସିହାର ମୁକ୍ତି ସଂଗ୍ରାମ ଲାଗି ସ୍ଫୁଲିଂଗ ସୃଷ୍ଟି ହୋଇଥିଲା ସଡ଼କରେ ଛାତ୍ର ଓ ଜନ ବିକ୍ଷୋଭରୁ। ସଂପ୍ରତି ତା’ର ଏକ ପ୍ରକାର ପୁନରାବୃତ୍ତି ଘଟିଛି। କିନ୍ତୁ, ବିଡ଼ମ୍ବନାଟି ହେଲା ସଡ଼କର ନ୍ୟାୟ ଅନେକ ସମୟରେ ବିବେଚନାଶୂନ୍ୟ ହୋଇଥାଏ; ତାହାର ଦୃଷ୍ଟାନ୍ତ ମିଳିଥିଲା ଶେଖ ହସିନାଙ୍କ ଭାରତକୁ ପଳାୟନ ସଂପର୍କିତ ଖବର ଉଜାଗର ହୋଇଯିବା ପରେ ଯେତେବେଳେ ଅାନ୍ଦୋଳନକାରୀମାନେ ନିଷ୍ଫଳ କ୍ରୋଧରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟ ଓ ସେମାନଙ୍କ ଉପାସନା ସ୍ଥଳ ଉପରେ ଆକ୍ରମଣ କରିବାରେ ପ୍ରବୃତ୍ତ ହୋଇଥିଲେ। ଏହା ହିଁ ହେଉଛି ସାଂପ୍ରତିକ ବାଂଲାଦେଶ ଲାଗି ଏକ ବଡ଼ ବିପଦ। ସଡ଼କର ଅନିୟନ୍ତ୍ରିତ ହିଂସ୍ର ଶକ୍ତି ଶାନ୍ତିକାମୀ ମହମ୍ମଦ ୟୁନୁସଙ୍କୁ କିଭଳି ଆକ୍ରାନ୍ତ କଲାଣି, ତାହାର ପ୍ରମାଣ ମିଳିଥାଏ ହତ୍ୟା ଲାଗି କାରାଦଣ୍ଡ ଭୋଗୁଥିବା ଅଲ୍-କାଏଦା ସମର୍ଥକ ଆତଙ୍କବାଦୀ ଜସିମୁଦ୍ଦିନ ରହମାନିକୁ ମୁକ୍ତ କରିଦେବାର ନିଷ୍ପତ୍ତିରୁ। ଇତିମଧ୍ୟରେ ଚରମ ମୌଳବାଦୀ ଗୋଷ୍ଠୀ ଜମାତ ଏ ଇସଲାମୀ ମଧ୍ୟ ନୂତନ ଉର୍ଜା ସହିତ ସକ୍ରିୟ ହୋଇଛି। ଯଦିଓ ବାଂଲାଦେଶର ସୁପ୍ରିମ୍ କୋର୍ଟର ଏକ ରାୟ ଅନୁସାରେ ଜମାତ ଏ ଇସଲାମୀ କୌଣସି ରାଜନୈତିକ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବ ନାହିଁ, କିନ୍ତୁ ସଡ଼କର ଉଦ୍ଭ୍ରାନ୍ତ ଶକ୍ତି ଭାବେ ଏହି ସଂଗଠନ ହିଂସାର ଦାବାନଳ ସୃଷ୍ଟି କରିବାକୁ ସକ୍ଷମ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଭବିଷ୍ୟତ୍ରେ ବାଂଲାଦେଶର ରାଜନୀତି ସଡ଼କରୁ ନିୟନ୍ତ୍ରିତ ହେବାର ଆଶଙ୍କା ଅଧିକ। ଏହା ଦ୍ବାରା ଯେଉଁ ନୈରାଜ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି, ତାହା ବାଂଲାଦେଶକୁ ହୁଏତ ଅଗ୍ରଗତି କରିବାକୁ ଦେବନାହିଁ।
ସଂପ୍ରତି ଢାକା ରାଜପଥରେ ଭାରତ ବିରୋଧୀ ଉତ୍ତେଜନା ଅତ୍ୟନ୍ତ ତୀବ୍ର ହୋଇଛି; ଯହିଁରେ ଭାରତକୁ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅବାନ୍ତର ଭାବେ ବାଂଲାଦେଶର ପ୍ରଳୟଙ୍କରୀ ବନ୍ୟା ସକାଶେ ଦାୟୀ କରାଯାଉଛି। ସେଠାରେ ଏକ ଧାରଣା ସୃଷ୍ଟି କରାଯାଇଛି ଯେ ହସିନାଙ୍କ ବହିଷ୍କାର ଦ୍ବାରା ଉତ୍କ୍ଷିପ୍ତ ଭାରତ ତ୍ରିପୁରାର ଦୁମବୁର ନଦୀବନ୍ଧରୁ ପାଣି ଛାଡ଼ି ଗୁମତୀ ନଦୀରେ ବନ୍ୟାର ପ୍ଳାବନ ଘଟାଇଛି। ଏହା ସୁବିଦିତ ଯେ ବାଂଲାଦେଶ ବନ୍ୟାର ପ୍ରମୁଖ କାରଣ ହେଉଛି ଅତିବୃଷ୍ଟି, ଯାହା ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀ ସାରା ସର୍ବତ୍ର ଘଟୁଛି। ତେବେ, କେବଳ ବାଂଲାଦେଶ ନୁହେଁ, ଗୁମତୀ ନଦୀ ଅବବାହିକାରେ ପ୍ରଚୁର ବର୍ଷା ହେତୁ ତ୍ରିପୁରା ମଧ୍ୟ ପ୍ରବଳ ବନ୍ୟା ଦ୍ବାରା ଜର୍ଜର ହୋଇଛି। ଦ୍ବିତୀୟରେ ଏଭଳି ଜଳାର୍ଣ୍ଣବ ସ୍ଥିତିରେ ନଦୀ ବନ୍ଧରୁ ଅତିରିକ୍ତ ଜଳ ଛଡ଼ାଯିବା ଏକ ସାଧାରଣ ବ୍ୟାପାର ଏବଂ ବାଂଲାଦେଶ ସୀମା ଠାରୁ ୧୨୦ କିଲୋମିଟର ଦୂରରେ ଥିବା ବନ୍ଧରୁ ନିଷ୍କାସିତ ଜଳ ଦ୍ବାରା ସହସା ବନ୍ୟା ସୃଷ୍ଟି ହେବାର କାରଣ ନ ଥାଏ। ତୃତୀୟରେ ଦୁମବୁର ବନ୍ଧର ଉଚ୍ଚତା ମାତ୍ର ୩୦ ଫୁଟ ହୋଇଥିବାରୁ ଏଥିରୁ ନିର୍ଗତ ଅତିରିକ୍ତ ଜଳ ଏଭଳି ପ୍ରଳୟଙ୍କରୀ ବନ୍ୟାର ଏକମାତ୍ର କାରଣ ହୋଇ ନପାରେ। କିନ୍ତୁ, ମଧ୍ୟବର୍ତ୍ତୀକାଳୀନ କାମଚଳା ସରକାରଙ୍କ ଜନୈକ ପରାମର୍ଶଦାତା ଭାବେ ନିଯୁକ୍ତ ଛାତ୍ର ନେତା ନାହିଦ ଇସଲାମଙ୍କ ଦ୍ବାରା ବିଧିବଦ୍ଧ ଲିଖିତ ଅଭିଯୋଗ ଜାରି କରାଯିବା ପରେ ସେଠାରେ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି। ଏହା ଆଉ ଏକ ବିଡ଼ମ୍ବନା ଯେ ସଡ଼କ ଶକ୍ତିର ଆବାହକ ନାହିଦ ଇସଲାମଙ୍କ ଭଳି ଅର୍ବାଚୀନମାନେ ଏଣିକି ବାଂଲାଦେଶର ରାଜନୀତିରେ ଅଧିକ ଉଚ୍ଚାଟ ସୃଷ୍ଟି କରିପାରନ୍ତି, ଯେଉଁମାନଙ୍କ ଆଗରେ ମହମ୍ମଦ ୟୁନୁସ ହୁଏତ ନତମସ୍ତକ ହୋଇ ରହିବେ ବା କ୍ରମେ ରାଜନୈତିକ ଦୃଶ୍ୟପଟରୁ ଅପସରିଯିବେ।