ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା ନିମିତ୍ତ ଆବଶ୍ୟକ ଅନ୍ୟ ଏକ ପଦକ୍ଷେପ ହେଉଛି ଏକ ଶକ୍ତିଶାଳୀ ଡେଟା ଓ ଆନାଲିଟିକ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଯାହା ବିନା ସମସ୍ତ ମୁକାବିଲା ଉଦ୍ୟମ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ହେବ। ସୁଖର କଥା ‘ନିତି ଆୟୋଗ’ ପ୍ରତିଷ୍ଠା କରିଥିବା ‘ନେସ୍ନାଲ୍ ଡେଟା ଆଣ୍ଡ୍ ଆନାଲିଟିକ୍ସ ପ୍ଲାଟ୍ଫର୍ମ’ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ରୂପେ ଆବିର୍ଭୂତ ହୋଇଛି। ଆମେ ଚାହିଁଲେ ଏ ସମସ୍ତ ପଦକ୍ଷେପ ମାଧ୍ୟମରେ ଓମ୍ ପର୍ବତରେ ‘ଓଁ’ ଚିହ୍ନକୁ ନିଶ୍ଚିହ୍ନ ହେବାକୁ ଦେବା ନାହିଁ।
ଜଳବାୟୁ ପରିବର୍ତ୍ତନକୁ ଯେଉଁମାନେ ଏବେବି ସନ୍ଦେହ କରିଥାନ୍ତି (ଇଂରେଜୀରେ ସେମାନଙ୍କୁ ‘କ୍ଲାଇମେଟ୍ ସ୍କେପ୍ଟିକ୍’ ରୂପେ ଅଭିହିତ କରାଯାଇଥାଏ), ସେମାନଙ୍କ ସନ୍ଦେହ ଦୂରୀଭୂତ କରିବା ପାଇଁ ଭାରତରେ ବର୍ତ୍ତମାନ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରତୀକର ଆବିର୍ଭାବ ଘଟିଛି। ଏହି ପ୍ରତୀକର ନାମ ହେଉଛି- ‘ଓମ୍ ପର୍ବତ’। ଉତ୍ତରାଖଣ୍ଡ ଅନ୍ତର୍ଗତ ହିମାଳୟର ଏହି ଗିରିଶୃଙ୍ଗ ସନାତନୀ ହିନ୍ଦୁମାନଙ୍କ ପାଇଁ ସର୍ବଦା ଏକ ବିଶେଷ ତାତ୍ପର୍ଯ୍ୟ ବହନ କରିଆସିଛି। କୈଳାସ ମାନସରୋବର ଯାତ୍ରା ସମୟରେ ଭାରତ-ଚୀନ୍-ନେପାଳ ସୀମାରେ ପ୍ରାୟ ୬,୦୦୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ବରଫାବୃତ ଶୃଙ୍ଗ ଯାତ୍ରୀମାନଙ୍କର ଦୃଷ୍ଟି ପଥାରୂଢ଼ ହୋଇ ସେମାନଙ୍କ ଠାରେ ଏକ ଅନବଦ୍ୟ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥାଏ। ଏହାର କାରଣ ହେଲା, ଏହି ଶୃଙ୍ଗକୁ ଆଚ୍ଛାଦିତ କରିଥିବା ବରଫର ଆକୃତି ଏକ ପବିତ୍ର ‘ଓଁ’ ଭଳି ହୋଇଥାଏ। ଏହି ଓମ୍ ପର୍ବତ ବର୍ତ୍ତମାନ ପରିବେଶ ସୁରକ୍ଷା ମହଲରେ କଂପନ ସୃଷ୍ଟି କରିବାର କାରଣ ହେଲା ଏବେ ଏହି ଗିରିଶୃଙ୍ଗ ଏକ ସଂପୂର୍ଣ୍ଣ ଲଣ୍ଡା ଅବତାରରେ ଛିଡ଼ା ହୋଇଥିବା ଦେଖାଯାଉଛି, ଯେଉଁଥିରେ ତୁଷାରର ଚିହ୍ନବର୍ଣ୍ଣ ନାହିଁ।
ତାତି ଓ ତୁଷାର ଏକତ୍ର ବାସ କରିବା ସମ୍ଭବ ହୋଇ ନ ଥିବାରୁ ଏହା ସ୍ବାଭାବିକ ଭାବରେ ବିଶ୍ବାସ କରାଯାଉଛି ଯେ ଜଳବାୟୁ ପରିବର୍ତ୍ତନଜନିତ ପରିବେଶ ଉତ୍ତପ୍ତୀକରଣ ଯୋଗୁଁ ଓମ୍ ପର୍ବତରୁ ବରଫ ଉଭାନ ହୋଇଯାଇଛି। କିନ୍ତୁ ଅନ୍ୟ କେତେକ ସେ ଅଞ୍ଚଳରେ ପର୍ଯ୍ୟଟନର ବିସ୍ଫୋରକ ବୃଦ୍ଧିକୁ ଏଥିପାଇଁ ଦାୟୀ କରୁଛନ୍ତି- ବହୁସଂଖ୍ୟକ ଯାତ୍ରୀ ଓ ଗାଡ଼ିଘୋଡ଼ା ଚଳାଚଳ ଯୋଗୁଁ ଉତ୍ପନ୍ନ ତାତି ଯୋଗୁଁ ତୁଷାର ତରଳି ଯାଉଛି ବୋଲି ସେମାନେ କହନ୍ତି। କିନ୍ତୁ ଏହା ହେଉଛି ଏକ ଅନାବଶ୍ୟକ ମତପାର୍ଥକ୍ୟ, କାରଣ ପର୍ଯ୍ୟଟନ ପରି ମାନବକୈନ୍ଦ୍ରିକ କାର୍ଯ୍ୟରେ ଅତିରିକ୍ତ ବୃଦ୍ଧି ମଧ୍ୟ ହେଉଛି ପରିବେଶ ଉତ୍ତପ୍ତୀକରଣର ଅନ୍ୟତମ କାରଣ।
ଲଣ୍ଡା ଓମ୍ ପର୍ବତ କିନ୍ତୁ ଭାରତ ପାଇଁ ଯେଉଁ ସନ୍ଦେଶ ବହନ କରିଥାଏ, ସେଥିରେ କୌଣସି ମତପାର୍ଥକ୍ୟର କିଛିହେଲେ ଅବକାଶ ନାହିଁ। ତାହା ହେଲା, ଜଳବାୟୁ ପରିବର୍ତ୍ତନର ପ୍ରତ୍ୟେକ ଦିଗ - ପ୍ରଶମନ (ମିଟିଗେସନ୍), ଅନୁକୂଳନ (ଆଡାପ୍ଟେସନ୍), ନମନୀୟତା ନିର୍ମାଣ (ରେଜିଲିଏନ୍ସ ବିଲ୍ଡିଙ୍ଗ୍) ଆଦି - ପ୍ରତି ଆମର ଆଭିମୁଖ୍ୟକୁ ଆହୁରି ଦୃଢ଼ କରିବାକୁ ହେବ। ଅନେକ ସମୟରେ ଆମର ଦାୟିତ୍ବ ହ୍ରାସ କରିବାକୁ କୁହାଯାଇଥାଏ ଯେ ଭାରତର ମୁଣ୍ଡପିଛା ପ୍ରଦୂଷଣ ହେଉଛି ପାଶ୍ଚାତ୍ୟ ବିକଶିତ ଦେଶମାନଙ୍କ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ଏହା ସତ। କିନ୍ତୁ ଯେହେତୁ ପୃଥିବୀର ମୋଟ ଜନସଂଖ୍ୟାର ଏକ-ଷଷ୍ଠାଂଶ ଏହି ସର୍ବାଧିକ ଜନବହୁଳ ଦେଶରେ ବାସ କରନ୍ତି, ତାହା ଭାରତକୁ ପୃଥିବୀର ତୃତୀୟ ବୃହତ୍ତମ ତାପନ ସୃଷ୍ଟିକାରୀ ‘ଗ୍ରିନ୍ ହାଉସ୍ ଗ୍ୟାସ୍’ (‘ଜିଏଚ୍ଜି’) ବାଷ୍ପ ନିର୍ଗମନକାରୀ ଦେଶରେ ପରିଣତ କରିଛି।
ଯେହେତୁ ଜଳବାୟୁ ପରିବର୍ତ୍ତନ ଆମ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଥାଏ, ଏହି ସମସ୍ୟାର ସମାଧାନ ମଧ୍ୟ ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିବା ଆବଶ୍ୟକ। ଏହାର ଅର୍ଥ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଉଦ୍ୟମକୁ କେବଳ କେତେକ ବଡ଼ ବଡ଼ ପ୍ରକଳ୍ପ ପ୍ରତିଷ୍ଠାରେ ସୀମିତ ନ ରଖି ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ଅନୁସରଣୀୟ ନୀତିରେ ପରିଣତ କରାଯିବା ଦରକାର। ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ପ୍ରାୟ ଚାରି ଦଶନ୍ଧି ତଳେ ୧୯୮୬ରେ ଭାରତ ସରକାର ‘ଟେକ୍ନୋଲୋଜି ଇନ୍ଫର୍ମେସନ୍, ଫୋର୍କାଷ୍ଟିଙ୍ଗ୍ ଆଣ୍ଡ୍ ଆସେସ୍ମେଣ୍ଟ କାଉନ୍ସିଲ୍’ (‘ଟିଫାକ୍’) ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ, ଯାହାର କାର୍ଯ୍ୟ ଥିଲା ବୃହତ୍ ନିବେଶ ବା ଉତ୍ପାଦନରେ ସଂପୃକ୍ତ ଥିବା ମନ୍ତ୍ରଣାଳୟ ଓ ଏଜେନ୍ସିମାନଙ୍କୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରବିଧି ଅବଲମ୍ବନ କରିବା ପାଇଁ ପରାମର୍ଶ ପ୍ରଦାନ କରିବା। ବର୍ତ୍ତମାନ ଏହି ସଂସ୍ଥା ଲୋକଲୋଚନର ଅନ୍ତରାଳକୁ ଚାଲିଯାଇ ପ୍ରାୟ ନିଷ୍କ୍ରିୟ ହୋଇଯାଇଥିଲେ ହେଁ, ଏହାକୁ ପୁନରୁଜ୍ଜୀବିତ କରାଯାଇ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲା ପାଇଁ ନିୟୋଜିତ କରାଯାଇପାରନ୍ତା। ଜଳବାୟୁ ପରିବର୍ତ୍ତନ ଭଳି ଏକ ଦ୍ରୁତ ପରିବର୍ତ୍ତନଶୀଳ ସମସ୍ୟାର ପ୍ରତିକାର ପାଇଁ ପ୍ରସ୍ତୁତ ହେବାରେ ଏହି ସଂସ୍ଥାର ଗବେଷଣାପ୍ରସୂତ ବିଶେଷଜ୍ଞ ପରାମର୍ଶ ନିଶ୍ଚିତ ରୂପେ ସହାୟକ ହୁଅନ୍ତା। ଉଦାହରଣ ସ୍ବରୂପ ଓମ୍ ପର୍ବତ ଅଞ୍ଚଳରେ ଅତ୍ୟଧିକ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ସେଠାରେ ମଟରଗାଡ଼ି ଅନୁକୂଳ ସଡ଼କ ନିର୍ମାଣକୁ ଦାୟୀ କରାଯାଉଛି। ହୁଏତ ଯଦି ଏଭଳି ସଡ଼କ ନିର୍ମାଣ ନ କରିବାକୁ ‘ଟିଫାକ୍’ ସଂପୃକ୍ତ ବିଭାଗ ବା ସଂସ୍ଥାମାନଙ୍କୁ ପରାମର୍ଶ ଦେଇଥାନ୍ତା, ତା’ହେଲେ ଆଜି ସେଠାରେ ଏହି ସମସ୍ୟା ଦେଖାଦେଇ ନଥାନ୍ତା।
ସେଇଭଳି ୧୯୭୮ ଠାରୁ ଦେଶରେ କୌଣସି ନୂତନ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପରିବେଶ ଉପରେ ତାହାର ସମ୍ଭାବ୍ୟ ପ୍ରଭାବ ଆକଳନ କରିବା ପାଇଁ ‘ଏନ୍ଭାଇରନ୍ମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ’ (‘ଇଆଇଏ’) ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। କିନ୍ତୁ ଅନେକ ସମୟରେ ଦେଖାଯାଇଥାଏ ଯେ ଏହା ଏକ ଔପଚାରିକତା ମାତ୍ରରେ ପରିଣତ ହୋଇଛି ଯାହା। ସେଇ ଓମ୍ ପର୍ବତ ଅଞ୍ଚଳରେ ସଡ଼କ ନିର୍ମାଣ ଏହାର ଏକ ତାଜା ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ଏକ ଅସୁବିଧାଜନକ ସତ୍ୟ ଯେ ‘ଇଆଇଏ’ର ପରାମର୍ଶ ଅନୁସାରେ କାର୍ଯ୍ୟ କଲେ ବିକାଶ ବାଧାପ୍ରାପ୍ତ ହୋଇଥାଏ କିମ୍ବା ମନ୍ଥର ହୋଇଥାଏ। ତେଣୁ ବିକାଶବାଦୀମାନେ ସର୍ବଦା ପରିବେଶବାଦୀମାନଙ୍କୁ ସେମାନଙ୍କର ପ୍ରତିପକ୍ଷ ରୂପେ ଦେଖିଥାନ୍ତି। କିନ୍ତୁ ଏହା ମଧ୍ୟ ଏକ କଠୋର ସତ୍ୟ ଯେ ଯଦି ବିକାଶକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ପରିବେଶକୁ ଅବହେଳା କରାଯାଏ, ତେବେ ଅଦୂର ଭବିଷ୍ୟତରେ ସେଇ ବିକାଶ ବିନାଶର କାରଣ ହୋଇଥାଏ। ବୋଧହୁଏ ‘ନେସନାଲ୍ ଗ୍ରିନ୍ ଟ୍ରିବୁନାଲ୍’ (‘ଏନ୍ଜିଟି’) ସକ୍ରିୟ ପଦକ୍ଷେପ ଗ୍ରହଣ କରି ‘ଇଆଇଏ’କୁ ଏକ ଅଧିକ ଫଳପ୍ରଦ ପ୍ରକ୍ରିୟାରେ ପରିଣତ କରିପାରନ୍ତା।
ଏହା ବାଦ୍ ସମସ୍ତ ନୀତି ଓ କାର୍ଯ୍ୟକ୍ରମମାନଙ୍କର ମଧ୍ୟ ଏକ ‘ଷ୍ଟ୍ରାଟେଜିକ୍ ଏନ୍ଭାଇରନ୍ମେଣ୍ଟାଲ୍ ଆସେସ୍ମେଣ୍ଟ’ (‘ଏସ୍ଇଏ’) କରାଯିବା ଦରକାର। ‘ଏନ୍ଜିଟି’ ଯଦି ‘ଇଆଇଏ’ ଓ ‘ଏସ୍ଇଏ’ର ସମୀକ୍ଷା କରେ, ସେତେବେଳେ ଜଳବାୟୁ ପରିବର୍ତ୍ତନ ଉପରେ କୁହାଯାଇଥିବା ସମସ୍ତ ଦିଗମାନ କିପରି ଏହି ଦୁଇ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇପାରିବ, ସେ ସମ୍ବନ୍ଧରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା ନିମିତ୍ତ ଆବଶ୍ୟକ ଅନ୍ୟ ଏକ ପଦକ୍ଷେପ ହେଉଛି ଏକ ଶକ୍ତିଶାଳୀ ଡେଟା ଓ ଆନାଲିଟିକ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଯାହା ବିନା ସମସ୍ତ ମୁକାବିଲା ଉଦ୍ୟମ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ହେବ। ସୁଖର କଥା ‘ନିତି ଆୟୋଗ’ ପ୍ରତିଷ୍ଠା କରିଥିବା ‘ନେସ୍ନାଲ୍ ଡେଟା ଆଣ୍ଡ୍ ଆନାଲିଟିକ୍ସ ପ୍ଲାଟ୍ଫର୍ମ’ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ରୂପେ ଆବିର୍ଭୂତ ହୋଇଛି। ଆମେ ଚାହିଁଲେ ଏ ସମସ୍ତ ପଦକ୍ଷେପ ମାଧ୍ୟମରେ ଓମ୍ ପର୍ବତରେ ‘ଓଁ’ ଚିହ୍ନକୁ ନିଶ୍ଚିହ୍ନ ହେବାକୁ ଦେବା ନାହିଁ।