ଭାରତ ତେଣୁ ଏକ ଧର୍ମ ସଂକଟର ସମ୍ମୁଖୀନ ହେବାକୁ ଯାଉଛି: ଜଣେ ଆଶ୍ରିତ ବନ୍ଧୁକୁ ହାଣମୁହଁକୁ ଠେଲିଦେବ କିମ୍ବା ଜାତୀୟ ସ୍ବାର୍ଥ ତ୍ୟାଗ କରିବ? (ତେବେ ହସିନା‌ଙ୍କୁ ପ୍ରତ୍ୟର୍ପଣ କରିଦେଲେ ମଧ୍ୟ ବର୍ତ୍ତମାନର ବାଂଲାଦେଶ ସରକାର ଭାରତ ପ୍ରତି ବନ୍ଧୁଭାବାପନ୍ନ ହେବାର କୌଣସି ଗ୍ୟାରେଣ୍ଟି ନାହିଁ।) ତା’ଛଡ଼ା ବାଂଲାଦେଶରେ ଥିବା ୧୩ ନିୟୁତ ହିନ୍ଦୁମାନଙ୍କର ନିରାପତ୍ତା ପ୍ରଶ୍ନ ମଧ୍ୟ ଏଥିସହିତ ଜଡ଼ିତ ଅଛି। ଏହି ସଂକଟର ଏକ ସନ୍ତୋଷଜନକ ସମାଧାନର ଏକମାତ୍ର ପଥ ହେଉଛି ପର୍ଦ୍ଦା ଅନ୍ତରାଳର କୂଟନୈତିକ ପଥ।

Advertisment

ବାଂଲାଦେଶର କ୍ଷମତାଚ୍ୟୁତା ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ଭାରତରେ ଆଶ୍ରୟ ଗ୍ରହଣ ଭାରତ ସମ୍ମୁଖରେ ବର୍ତ୍ତମାନ ଦୁଇ କିସମର ସମସ୍ୟା ଛିଡ଼ା କରାଇଛି: ନୈତିକ ଓ କୂଟନୈତିକ। ବାଂଲାଦେଶରୁ ସୂଚନା ପ୍ରକାଶ ପାଇବାରେ ଲାଗିଛି ଯେ ସେଠାକାର ମହମ୍ମଦ ୟୁନୁସ୍ ସରକାର ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ନିମିତ୍ତ ଭାରତକୁ ବିଧିବଦ୍ଧ ଭାବରେ ଅନୁରୋଧ କରିବାକୁ ଯାଉଛି। ଏହା କେବଳ ଯଦି ଏକ ନୈତିକ ପ୍ରଶ୍ନ ହୋଇଥାନ୍ତା, ତେବେ ଭାରତ ତତ୍‌କ୍ଷଣାତ ବାଂଲାଦେଶର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତା, କାରଣ ଶେଖ୍ ହସିନା ହେଉଛନ୍ତି ଭାରତର ମିତ୍ର ଏବଂ ଶରଣ ରକ୍ଷଣ ହେଉଛି ଭାରତୀୟ ସଂସ୍କୃତିର ଅଂଶ। କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ‘କୂଟନୀତି’ ଶବ୍ଦରେ ‘ନୀତି’ ଉପସ୍ଥିତ ଥିଲେ ହେଁ, ଏହା ହେଉଛି ସଂପୂର୍ଣ୍ଣ ରୂପେ ଏକ ଅଣ‌-ନୈତିକ ଆଚରଣବିଧି, ଯେଉଁଥିରେ ରାଷ୍ଟ୍ରର ସ୍ବାର୍ଥ-ରକ୍ଷା ହୋଇଥାଏ ଏକମାତ୍ର ଅନୁସୃତ ଲକ୍ଷ୍ୟ। ଭାରତ ପାଇଁ ବର୍ତ୍ତମାନ ପରିସ୍ଥିତିରେ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ ନ କରି ଏଠାରେ ଆଶ୍ରୟ ପ୍ରଦାନ କରିବା ଜାତୀୟ ସ୍ବାର୍ଥର ପରିପନ୍ଥୀ ହୋଇପାରେ।
ବାଂଲାଦେଶର ସ୍ବାଧୀନତା ସଂଗ୍ରାମକୁ ନେତୃତ୍ବ ଦେଇଥିବା ଶେଖ୍ ହସିନାଙ୍କର ଅୱାମୀ ଲିଗ୍ ସେ ଦେଶରେ ଶାସନ କ୍ଷମତାରେ ଥିବାବେଳେ ସର୍ବଦା ଭାରତ ପ୍ରତି ଏକ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିବା ସହିତ ସେଠାରେ ଇସଲାମୀୟ ମୌଳବାଦୀମାନଙ୍କୁ ଦମନ କରିବାକୁ ଉଦ୍ୟମ କରିଆସିଛି, ଯେଉଁମାନେ ସର୍ବଦା ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥାନ୍ତି। ଭାରତର ମୁଖ୍ୟ ଶତ୍ରୁ ଦେଶ ଚୀନ୍ ମଧ୍ୟ ଭାରତ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ବାଂଲାଦେଶରେ ନିଜର ପ୍ରଭାବ ବିସ୍ତାର କରି ସେଠାରେ ଅସ୍ଥାନ ସୁଦୃଢ଼ କରିବା ପାଇଁ ସର୍ବଦା ସୁଯୋଗ ଉଣ୍ଡିବାରେ ଲାଗିଛି। ଏହି ଦ୍ବୈତ ବିପଦକୁ ପ୍ରତିହତ କରିବା ପାଇଁ ଭାରତ ବିଗତ ଦଶନ୍ଧିରେ ଶେଖ୍ ହସିନାଙ୍କ ସରକାର ସହିତ ବାଣିଜ୍ୟିକ, ଶକ୍ତି ଓ ସାମରିକ ସଂପର୍କକୁ ବ୍ୟାପକ ଓ ଗଭୀର କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଇ ଚାଲିଥିଲା।
କେବଳ ଭାରତ ନୁହେଁ, ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ବାଂଲାଦେଶରେ ଇସଲାମୀୟ ମୌଳବାଦର ପ୍ରସାର ଓ ଚୀନ୍‌ର ପ୍ରଭାବ ବିସ୍ତାର ନେଇ ଚିନ୍ତିତ ଥାଇ ଶେଖ୍ ହସିନାଙ୍କୁ ଏହି ଦୁଷ୍ଟଶକ୍ତିମାନଙ୍କର ଏକମାତ୍ର ପ୍ରତିହତକାରିଣୀ ରୂପେ ସମର୍ଥନ ପ୍ରଦାନ କରିଆସୁଥିଲେ। ୨୦୦୮ରେ ସାଧାରଣ ନିର୍ବାଚନ ପରେ ବାଂଲାଦେଶ ହାସଲ କରିଚାଲିଥିବା ଅର୍ଥନୈତିକ ଓ ସାମାଜିକ ପ୍ରଗତି ଯୋଗୁଁ ପାଶ୍ଚାତ୍ୟ ଜଗତ ଏହାକୁ ଏକ ବିରଳ ସଫଳତାର କାହାଣୀ ରୂପେ ପ୍ରଶଂସା କରିଚାଲିଥିଲା। ୨୦୦୦ରୁ ୨୦୧୬ ମଧ୍ୟରେ ବାଂଲାଦେଶରେ ଚରମ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କର ମୋଟ ଲୋକସଂଖ୍ୟାରେ ଅନୁପାତରେ ଦୁଇ-ତୃତୀୟାଂଶ ହ୍ରାସ ଘଟି ସମସ୍ତଙ୍କୁ ଚମତ୍କୃତ କରିଥିଲା।
କିନ୍ତୁ ଆମେରିକାର ପୃଷ୍ଠପୋଷକତା ଉପଭୋଗ କରୁଥିବା ଦେଶ ବା ନେତାମାନଙ୍କର ଶେଷରେ ଯେଉଁ ଦଶା ହୁଏ, ଶେଖ୍ ହସିନାଙ୍କର ସେଇ ଦଶା ହେଲା। ‌େସ ଯେତେବେଳେ ନିଜର ସ୍ବାଧୀନ ମତ ଜାହିର କରିବାକୁ ଆରମ୍ଭ କଲେ, ସେତେବେଳେ ପାଶ୍ଚାତ୍ୟ ଶକ୍ତିମାନଙ୍କ ପାଇଁ ତାହା ଗ୍ରହଣୀୟ ହେଲାନାହିଁ। ଉଦାହରଣ ସ୍ବରୂପ ସେ ଯେତେବେଳେ ସେଣ୍ଟ ମାର୍ଟିନ୍ ଦ୍ବୀପରେ ଏକ ସାମରିକ ଘାଟୀ ପ୍ରତିଷ୍ଠା କରିବା ପାଇଁ ଆମେରିକାକୁ ଅନୁମତି ପ୍ରଦାନ କଲେ ନାହିଁ, ଆମେରିକା ତାଙ୍କ ଉପରେ କ୍ଷୁବ୍‌ଧ ହୋଇଉଠିଲା। ‌େଯଉଁ ଛାତ୍ର ଆନ୍ଦୋଳନ ଯୋଗୁଁ ହସିନା ପଦତ୍ୟାଗ କରି ପଳାୟନ କରିବାକୁ ବାଧ୍ୟହେଲେ, ସେଥିରେ ପାଶ୍ଚାତ୍ୟ ସହାୟତାର ପ୍ରଚ୍ଛନ୍ନ ଉପସ୍ଥିତି କାହାରିକୁ ଅଛପା ନୁହେଁ। ଠିକ୍ ଯେମିତି ସୋମବାର ଦିନ ଏଇ ସ୍ତମ୍ଭରେ ଇସଲାମୀୟ ମୌଳବାଦୀ ଭାଲୁ ଧରିଥିବା ଅବସ୍ଥାରେ ପ୍ରଦର୍ଶିତ ତଥାକଥିତ ‘ଶାନ୍ତିଦୂତ’ ମହମ୍ମଦ ୟୁନୁସ୍ ସେଇ ପାଶ୍ଚାତ୍ୟ ଶକ୍ତିମାନଙ୍କର ଗେହ୍ଲାପୁଅ ହୋଇଥିବା କଥା କାହାରିକୁ ଅଗୋଚର ନୁହେଁ।
କିନ୍ତୁ ଏ ସବୁ ସ‌େତ୍ତ୍ବ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପ୍ରଶ୍ନକୁ କେନ୍ଦ୍ରକରି ଭାରତ ସମ୍ମୁଖୀନ ହୋଇଥିବା ବାସ୍ତବ କୂଟନୈତିକ ଚିତ୍ର ହେଉଛି ନିମ୍ନବର୍ଣ୍ଣିତ ଭଳି। ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କର ସଂଗଠନ ‘ସାର୍କ’ର ସଦସ୍ୟ ଦେଶମାନଙ୍କ ମଧ୍ୟରୁ ନେପାଳ, ଭୁଟାନ ଓ ବାଂଲାଦେଶ ସହିତ ଭାରତ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ଶ୍ରୀଲଙ୍କା ସହିତ ଏକ ପ୍ରତ୍ୟର୍ପଣ ବ୍ୟବସ୍ଥା କରାଯାଇଛି। ବାଂଲାଦେଶ ସହିତ ଏହି ଚୁକ୍ତି ୨୦୧୩ରେ ସ୍ବାକ୍ଷରିତ ହୋଇ ୨୦୧୬ରେ ସେଥିରେ ଏକ ସଂଶୋଧନ କରାଯାଇଥିଲା। ଉଭୟ ଦେଶ ଏହି ଚୁକ୍ତି ଦ୍ବାରା ଉପକୃତ ହୋଇଛନ୍ତି। ଏହି ଚୁକ୍ତି ବଳରେ କେତେକ ପଳାତକ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଭାରତ ବାଂଲାଦେଶକୁ ପ୍ରତ୍ୟର୍ପଣ କରିଥିବା ବେଳେ ୨୦୧୫ରେ ଆସାମର ଆତଙ୍କବାଦୀ ସଂଗଠନ ‘ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ’ (‘ଉଲ୍‌ଫା’)ର ଛାମୁଆ ନେତା ଅନୁପ ଚେଟିଆକୁ ବାଂଲାଦେଶ ଭାରତ ହସ୍ତରେ ପ୍ରତ୍ୟର୍ପଣ କରିଥିଲା।
ଏହି ଧାରାର ଅଂଶସ୍ବରୂପ ବାଂଲାଦେଶ ସରକାର ବର୍ତ୍ତମାନ ଯଦି ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଅନୁରୋଧ କରେ, ତେବେ ଭାରତ ସେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବ କି? ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଉପରୋକ୍ତ ସେଇ ପ୍ରତ୍ୟର୍ପଣ ଚୁକ୍ତିର ଦୁଇଟି ଧାରା ଅନୁସାରେ ଭାରତ ଚାହିଁଲେ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା କରିଦେଇପାରିବ। ଏ ଦୁଇଟି ଧାରା ହେଲେ ଧାରା-୬ ଓ ଧାରା-୮। ଧାରା-୬ ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ବି‌ରୁଦ୍ଧରେ ଯେଉଁ ଅପରାଧର ଅଭିଯୋଗ ହୋଇଥିବ, ତାହାର ରାଜନୈତିକ ଚରିତ୍ର ଚୁକ୍ତିର ବ୍ୟତିକ୍ରମର ଆଧାର ରୂପେ ବିବେଚିତ ହୋଇପାରିବ। ଧାରା-୮ (୧.୩) ଅନୁସାରେ ‘‘ଯଦି ନ୍ୟାୟ ରକ୍ଷା ପାଇଁ ବିଶୁଦ୍ଧ ବିଶ୍ବାସ (ଗୁଡ୍ ଫେଥ୍) ସହିତ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଆଗତ ‌କରାଯାଇ ନ ଥାଏ, ତେବେ ସେ ବ୍ୟକ୍ତିଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ।’’
ଆନ୍ତର୍ଜାତିକ ଆଇନର ଅଂଶ ହୋଇଥିବା ଏହି ଧାରାମାନ ଉଲ୍ଲେଖ କରି ଭାରତ ଚାହିଁଲେ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇପାରିବ। କିନ୍ତୁ ଭାରତ ଯଦି ସିଧାସଳଖ ଏଭଳି ନିଷ୍ପତ୍ତି ଗ୍ରହଣ କରେ, ‌ତାହା ଅବିଳମ୍ବେ ଏହି ଗୁରୁତ୍ବପୂର୍ଣ୍ଣ ପଡ଼ୋଶୀକୁ ଏକ ଖୋଲାଖୋଲି ଶତ୍ରୁ ଦେଶରେ ପରିଣତ କରି ସେ ଦେଶକୁ ଅପେକ୍ଷାରତ ଶତ୍ରୁ ଦେଶ ଚୀନ୍‌ର ଆଲିଙ୍ଗନ ମଧ୍ୟକୁ ଠେଲିଦେବ। ସେ ଦେଶରେ ବର୍ତ୍ତମାନ କ୍ଷମତା ରୂପକ ରକ୍ତ ଚାଖିଥିବା ହସିନା-ବିରୋଧୀ ଜନତାର ଧାରଣା ଯେ ଭାରତ ବାଂଲାଦେଶର ବନ୍ଧୁ ନୁହେଁ, ଭାରତ ହେଉଛି ଶେଖ୍ ହସିନା ଓ ଆୱାମୀ ଲିଗ୍‌ର ବନ୍ଧୁ। ହସିନାଙ୍କୁ ଆଶ୍ରୟଦାନ ଏହି ଧାରଣାକୁ ନିଶ୍ଚିତ ରୂପେ ଦୃଢ଼ୀଭୂତ କରିବ।
ଭାରତ ତେଣୁ ଏକ ଧର୍ମ ସଂକଟର ସମ୍ମୁଖୀନ ହେବାକୁ ଯାଉଛି: ଜଣେ ଆଶ୍ରିତ ବନ୍ଧୁକୁ ହାଣମୁହଁକୁ ଠେଲିଦେବ କିମ୍ବା ଜାତୀୟ ସ୍ବାର୍ଥ ତ୍ୟାଗ କରିବ? (ତେବେ ହସିନା‌ଙ୍କୁ ପ୍ରତ୍ୟର୍ପଣ କରିଦେଲେ ମଧ୍ୟ ବର୍ତ୍ତମାନର ବାଂଲାଦେଶ ସରକାର ଭାରତ ପ୍ରତି ବନ୍ଧୁଭାବାପନ୍ନ ହେବାର କୌଣସି ଗ୍ୟାରେଣ୍ଟି ନାହିଁ।) ତା’ଛଡ଼ା ବାଂଲାଦେଶରେ ଥିବା ୧୩ ନିୟୁତ ହିନ୍ଦୁମାନଙ୍କର ନିରାପତ୍ତା ପ୍ରଶ୍ନ ମଧ୍ୟ ଏଥିସହିତ ଜଡ଼ିତ ଅଛି। ଏହି ସଂକଟର ଏକ ସନ୍ତୋଷଜନକ ସମାଧାନର ଏକମାତ୍ର ପଥ ହେଉଛି ପର୍ଦ୍ଦା ଅନ୍ତରାଳର କୂଟନୈତିକ ପଥ। ଏହି ପଥ ଦେଇ ୟୁକ୍ରେନ୍-ରୁଷିଆ ବିବାଦର ସମାଧାନ କରିବାକୁ ଆଣ୍ଟା ଭିଡ଼ିଥିବା ମୋଦୀ-ଜୟଶଙ୍କର ଯୋଡ଼ି ନିଜ ବାଡ଼ିପଟର ଏହି ସଂକଟର ସମାଧାନ କରି ଶରଣ ରକ୍ଷଣ କରିବା ସହିତ ଭାରତର ସ୍ବାର୍ଥରକ୍ଷା କରିବାରେ କେତେଦୂର ସଫଳ ହେବ, ତାହା ହେଉଛି ସେମାନଙ୍କର ବହୁଚର୍ଚ୍ଚିତ କୂଟନୈତିକ ବିଚକ୍ଷଣତାର ଅସଲ ପରୀକ୍ଷା।