ଯେତେବେଳେ ପରସ୍ପର ମଧ୍ୟରେ ସେଇ ମୁହୂର୍ତ୍ତରେ ଦୂରତାରେ ପାର୍ଥକ୍ୟ ଯୋଗୁଁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଗତି କଲାବେଳେ ଚନ୍ଦ୍ରର ଆକାର ସୂର୍ଯ୍ୟଙ୍କର ଆକାର ଠାରୁ କ୍ଷୁଦ୍ର ଭଳି ପ୍ରତୀୟମାନ ହୋଇଥାଏ, ତାହା ଆଂଶିକ ପରାଗ ସୃଷ୍ଟି କରିଥାଏ; ଯେତେବେଳେ କିନ୍ତୁ ସେଇ ଅବସ୍ଥାରେ ଚନ୍ଦ୍ରର ଆକାର ସୂର୍ଯ୍ୟଙ୍କର ଆକାର ସହିତ ସମାନ ଭଳି ପ୍ରତୀୟମାନ ହୋଇ ତାଙ୍କର ଆଲୋକିତ ଅଞ୍ଚଳ ବା ‘ଫଟୋସ୍ଫିଅର୍’କୁ ସଂପୂର୍ଣ୍ଣ ଆଚ୍ଛାଦିତ କରିଦିଏ, ସେତେବେଳେ ସୂେର୍ଯ୍ୟାପରାଗ ସଂପୂର୍ଣ୍ଣ େହାଇ ଦିନରେ କେତେ କ୍ଷଣ ପାଇଁ ରାତିର ଅନ୍ଧାର ସୃଷ୍ଟି ହୋଇଥାଏ- କେବଳ ସୂର୍ଯ୍ୟଙ୍କୁ ପରିବେଷ୍ଟିତ କରିଥିବା କରୋନାର ଏକ ଅପୂର୍ବ ମନୋଲୋଭା ଦୃଶ୍ୟ ଦୃଷ୍ଟିଗୋଚର ହୋଇଥାଏ, ଯାହା ହେଉଛି ‘ଏକ୍ଲିପ୍ସୋନୋମିକ୍ସ୍’ ସୃଷ୍ଟି ହେବା ପଛରେ ନିହିତ ଥିବା ମୁଖ୍ୟ କାରଣ।
ଆମେରିକୀୟ ପପ୍ଷ୍ଟାର୍ ଟେଲର୍ ସୁଇଫ୍ଟ ଯେଉଁ ସହରରେ ତାଙ୍କର ନୃତ୍ୟସଙ୍ଗୀତ ପ୍ରଦର୍ଶନ କରନ୍ତି, ସେଠାରେ ଏତେ ସଂଖ୍ୟକ ଅନୁଗାମୀମାନେ ଆସି ଏକତ୍ରିତ ହୁଅନ୍ତି ଯେ ସେଠାକାର ଅର୍ଥନୀତିରେ ସାମୟିକ ଭାବରେ ଏକ ବିସ୍ଫୋରକ ଅଭିବୃଦ୍ଧି ଘଟିବା ସଙ୍ଗେସଙ୍ଗେ ସେଠାକାର ଦରଦାମ୍ ହଠାତ୍ ଆକାଶଛୁଆଁ ହୋଇ ଏକ ସାମୟିକ ମୁଦ୍ରାସ୍ଫୀତି ପରିସ୍ଥିତି ସୃଷ୍ଟି ହୋଇଥାଏ। ଷ୍ଟକ୍ହୋମ୍ରୁ ସିଙ୍ଗାପୁର ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ନଗରୀମାନଙ୍କରେ ଅନୁଭୂତ ହୋଇଥିବା ଟେଲର୍ ସୁଇଫ୍ଟ ସୃଷ୍ଟ ଏହି ଅର୍ଥନୈତିକ ପ୍ରଭାବର ରହସ୍ୟରେ ନାମକରଣ କରାଯାଇଛି- ‘ସୁଇଫ୍ଟୋନୋମିକ୍ସ୍।’ ଗତ ସୋମବାର ଦିନ ଉତ୍ତର ଆମେରିକାର ଏକ ବିସ୍ତୃତ ଅଞ୍ଚଳରେ ଅବସ୍ଥିତ ଶହଶହ ଛୋଟଛୋଟ ନଗର ଓ ସହରମାନଙ୍କରେ ଠିକ୍ ଏଇଭଳି ଯେଉଁ ଅଭୂତପୂର୍ବ ଅର୍ଥନୈତିକ ଉଦ୍ଗିରଣ ଦେଖିବାକୁ ମିଳିଥିଲା, ତାହା ପଛରେ ଟେଲର୍ ସୁଇଫ୍ଟଙ୍କର କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମର ଅବଦାନ ନ ଥିଲା ସତ; କିନ୍ତୁ ଅର୍ଥନୀତିଜ୍ଞମାନେ ତାଙ୍କୁ ଏକ ମାପକାଠି ରୂପେ ଗ୍ରହଣ କରି ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଛି, ସତେ ଯେମିତି ଟେଲର୍ ସୁଇଫ୍ଟ କୌଣସି ଅଲୌକିକ ଶକ୍ତିର ଅଧିକାରିଣୀ ହୋଇ ସେଇଦିନ ସେଇ ମହାଦେଶର ସେଇ ସହରମାନଙ୍କରେ ଖୁବ୍ କମ୍ ସମୟ ବ୍ୟବଧାନରେ ନିଜର ପ୍ରଦର୍ଶନମାନଙ୍କରେ ଆବିର୍ଭୂତ ହୋଇ ସେଠାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମୁଗ୍ଧ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ।
ଅବଶ୍ୟ ଯେଉଁ ପ୍ରଦର୍ଶନ ସେ ଅଞ୍ଚଳରେ ଏଭଳି ପର୍ଯ୍ୟଟକ ବିସ୍ଫୋରଣ ଘଟାଇଥିଲା, ତାହା ଥିଲା ବାସ୍ତବରେ ଅଲୌକିକ- ଏକ ମହାଜାଗତିକ ଦୃଶ୍ୟ। ଦୃଶ୍ୟଟି ହେଉଛି ସେ ଦିନ ମେକ୍ସିକୋରୁ କାନାଡା ପର୍ଯ୍ୟନ୍ତ ୬,୫୦୦ କି.ମି. ଦୀର୍ଘ ଓ ୨୫୦ କି.ମି. ପ୍ରସ୍ଥ ଏକ ପଥରେ ଅବସ୍ଥିତ ଜନବସତିମାନଙ୍କରେ ପ୍ରାୟ ଦୀର୍ଘ ଅଢ଼େଇ ଘଣ୍ଟା ଧରି ବିଭିନ୍ନ ସମୟରେ ପରିଦୃଷ୍ଟ ହୋଇଥିବା ସଂପୂର୍ଣ୍ଣ ସୂେର୍ଯ୍ୟାପରାଗ (ଟୋଟାଲ୍ ସୋଲାର୍ ଏକ୍ଲିପ୍ସ)। ଯେହେତୁ ୨୦୪୪ ପୂର୍ବରୁ ଏହି ବିରଳ ସୌର ଦୃଶ୍ୟ ଉତ୍ତର ଆମେରିକାରେ ଆଉ ଦେଖିବାକୁ ମିଳିବ ନାହିଁ, ଏହା ଜନସାଧାରଣଙ୍କ ମଧ୍ୟରେ ଯେଉଁ ଚରମ କୌତୂହଳ ଓ ଆଗ୍ରହ ସୃଷ୍ଟି କରିଥିଲା, ତାହାର ମୋଟ ଅର୍ଥନୈତିକ ପ୍ରଭାବ ହେଉଛି ଆମେରିକା ପାଇଁ ଅନ୍ୟୂନ ୬ ବିଲିଅନ୍ ଡଲାର୍ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଓ ‘ସୁଇଫ୍ଟୋନୋମିକ୍ସ୍’କୁ ଅନୁକରଣ କରି ଏହାର ନାମକରଣ କରାଯାଇପାରେ- ‘ଏକ୍ଲିପ୍ସୋନୋମିକ୍ସ୍’। ପରିବହନରୁ ଆରମ୍ଭ କରି ହୋଟେଲ ରୁମ୍ ଭଡ଼ା ପର୍ଯ୍ୟନ୍ତରେ ଘଟିଥିବା ଆକାଶଛୁଆଁ ସାମୟିକ ବୃଦ୍ଧି ପର୍ଯ୍ୟନ୍ତ ହେଉଛି ଏହି ଅର୍ଥନୈତିକ ପ୍ରଦର୍ଶନର କାରଣ।
ପୃଥିବୀର ଅଧିବାସୀମାନଙ୍କୁ ସଂପୂର୍ଣ୍ଣ ସୂେର୍ଯ୍ୟାପରାଗ ଏପରି ସମ୍ମୋହିତ କରିବାର ଏହା ସର୍ବପ୍ରଥମ ଘଟଣା ନୁହେଁ। ଏହାର ସର୍ବପ୍ରଥମ ଲିପିବଦ୍ଧ ଉଦାହରଣ ଦେଖିବାକୁ ମିଳିଥାଏ ଆଧୁନିକ ସିରିଆରେ ଆବିଷ୍କୃତ ଏକ ମୃତ୍ତିକାପତ୍ରରେ ଖୋଦିତ ଏହାର ଚିତ୍ରରେ, ଯାହା ସମ୍ଭବତଃ ଖ୍ରୀ.ପୂ. ତ୍ରୟୋଦଶ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିଲା। ଆଧୁନିକ ବିଜ୍ଞାନ ଏହି ସୌର ଗ୍ରାସର କାରଣ ଠାବ କରିବା ପୂର୍ବରୁ ଅବଶ୍ୟ ବିଭିନ୍ନ ସଂସ୍କୃତିରେ ଏହାର ବିଭିନ୍ନ କପୋଳକଳ୍ପିତ କାରଣମାନଙ୍କରେ ବିଶ୍ବାସ କରାଯାଉଥିଲା। ହିନ୍ଦୁମାନେ ବିଶ୍ବାସ କରୁଥିଲେ ଯେ ଅମୃତ ମନ୍ଥନ ସମୟରେ ଛଦ୍ମବେଶରେ ଅମୃତ ପାନ କରିବାକୁ ଚେଷ୍ଟା କରୁଥିବା ଦୈତ୍ୟ ସ୍ବରଭାନୁ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଦ୍ବାରା ଦ୍ବିଖଣ୍ଡିତ ହେବା ପରେ ତା’ର ରାହୁ ନାମକ ମସ୍ତକ ପାର୍ଶ୍ବର ଅଂଶ ସୂର୍ଯ୍ୟଙ୍କୁ ଗିଳିବା ଦ୍ବାରା ସୂେର୍ଯ୍ୟାପରାଗ ଘଟିଥାଏ। ସେଇଭଳି କେଉଁଠି ସୂର୍ଯ୍ୟକୁ ଏକ ଡ୍ରାଗନ୍ ଗିଳିଥାଏ ତ କେଉଁଠି ଏକ କୁକୁର ଗିଳିଥାଏ ବୋଲି ବିଶ୍ବାସ କରାଯାଇଥାଏ ତ କେଉଁଠି ଏକ ବେଙ୍ଗ ସେ କାର୍ଯ୍ୟ କରିଥାଏ ବୋଲି ବିଶ୍ବାସ କରାଯାଇଥାଏ।
ଏବେ କିନ୍ତୁ ଯେଉଁ ସତ୍ୟ ପ୍ରତ୍ୟେକ ସ୍କୁଲ୍ ଛାତ୍ରକୁ ମଧ୍ୟ ଜଣା, ତାହା ହେଲା, ଆକାଶରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ରର ଏକ ବିଶେଷ ଅବସ୍ଥିତି ଯୋଗୁଁ ଯେତେବେଳେ ପୃଥିବୀର କୌଣସି ଅଞ୍ଚଳରେ ତା’ର ଛାଇ ପଡ଼ିଥାଏ, ସେତେବେଳେ ସେଇ ଅଞ୍ଚଳରେ ସୂର୍ଯ୍ୟଙ୍କର ଆଂଶିକ ବା ଅଧିକ ବିରଳ ସଂପୂର୍ଣ୍ଣ ପରାଗ ଦେଖିବାକୁ ମିଳିଥାଏ। ସରଳ କଥାଟି ହେଲା, ଯେତେବେଳେ ଏକ ମଧ୍ୟବର୍ତ୍ତୀ ବସ୍ତୁ ଏକ ତାରାର ଆଲୋକ ଦର୍ଶକ ନିକଟରେ ପହଞ୍ଚିବାରେ ପ୍ରତିବନ୍ଧକ ସୃଷ୍ଟି କରେ, ସେତେବେଳେ ତାହା ଏକ ପରାଗ ଭଳି ପରିସ୍ଥିତି ସୃଷ୍ଟି କରିଥାଏ। ଯଦି ଆକାଶରେ ଏହି ପ୍ରତିବନ୍ଧକ-ସୃଷ୍ଟିକାରୀ ବସ୍ତୁର ଆକାର ସେଇ ତାରାର ଆକାର ଠାରୁ କ୍ଷୁଦ୍ର ଭଳି ପ୍ରତୀୟମାନ ହେଉଥାଏ, ତେବେ ତାହା ତାରାଟିର ସମ୍ମୁଖ ଦେଇ ଗତି କଲାବେଳେ ତାରାର ଶରୀରରେ ମାତ୍ର ଏକ ଦାଗ ଭଳି ଦେଖାଯାଇଥାଏ, ଯେମିତି ବୁଧ ବା ଶୁକ୍ର ଗ୍ରହମାନେ ସୂର୍ଯ୍ୟଙ୍କ ସମ୍ମୁଖ ଦେଇ ଗତି କଲାବେଳେ ପୃଥିବୀବାସୀଙ୍କୁ ପରିଦୃଷ୍ଟ ହୋଇଥାନ୍ତି। ଯଦି ମଧ୍ୟବର୍ତ୍ତୀ ବସ୍ତୁଟିର ଆକାର ତାରାଟିର ଆକାର ଠାରୁ ବଡ଼ ଭଳି ପ୍ରତୀୟମାନ ହୁଏ (ଯାହା ବାସ୍ତବ ନୁହେଁ), ତେବେ ତାରାଟି ଦର୍ଶକର ଦୃଷ୍ଟି ପଥରୁ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ (ଯେମିତି ସଂପୂର୍ଣ୍ଣ ପରାଗ)।
ସୂର୍ଯ୍ୟଙ୍କର ଆକାର ଚନ୍ଦ୍ରର ଆକାର ଠାରୁ ବହୁଗୁଣ ଅଧିକ ହୋଇଥିଲେ ହେଁ, ଆକାଶରେ ସେମାନଙ୍କର ଆମଠାରୁ ଦୂରତାରେ ବିଶାଳ ପାର୍ଥକ୍ୟ ଯୋଗୁଁ ଆମକୁ ଉଭୟଙ୍କର ଆକାର ସମାନ ଭଳି ପ୍ରତୀୟମାନ ହୋଇଥାଏ। ଏମାନଙ୍କର ଆକାଶରେ ବିଭିନ୍ନ ସମୟରେ ଅବସ୍ଥିତି ଉପରେ ଏମାନଙ୍କର ଏହି ପ୍ରତୀୟମାନ ଆକାରରେ ପାର୍ଥକ୍ୟ ନିର୍ଭର କରିଥାଏ। ଯେତେବେଳେ ପରସ୍ପର ମଧ୍ୟରେ ସେଇ ମୁହୂର୍ତ୍ତରେ ଦୂରତାରେ ପାର୍ଥକ୍ୟ ଯୋଗୁଁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଗତି କଲାବେଳେ ଚନ୍ଦ୍ରର ଆକାର ସୂର୍ଯ୍ୟଙ୍କର ଆକାର ଠାରୁ କ୍ଷୁଦ୍ର ଭଳି ପ୍ରତୀୟମାନ ହୋଇଥାଏ, ତାହା ଆଂଶିକ ପରାଗ ସୃଷ୍ଟି କରିଥାଏ; ଯେତେବେଳେ କିନ୍ତୁ ସେଇ ଅବସ୍ଥାରେ ଚନ୍ଦ୍ରର ଆକାର ସୂର୍ଯ୍ୟଙ୍କର ଆକାର ସହିତ ସମାନ ଭଳି ପ୍ରତୀୟମାନ ହୋଇ ତାଙ୍କର ଆଲୋକିତ ଅଞ୍ଚଳ ବା ‘ଫଟୋସ୍ଫିଅର୍’କୁ ସଂପୂର୍ଣ୍ଣ ଆଚ୍ଛାଦିତ କରିଦିଏ, ସେତେବେଳେ ସୂେର୍ଯ୍ୟାପରାଗ ସଂପୂର୍ଣ୍ଣ େହାଇ ଦିନରେ କେତେ କ୍ଷଣ ପାଇଁ ରାତିର ଅନ୍ଧାର ସୃଷ୍ଟି ହୋଇଥାଏ- କେବଳ ସୂର୍ଯ୍ୟଙ୍କୁ ପରିବେଷ୍ଟିତ କରିଥିବା କରୋନାର ଏକ ଅପୂର୍ବ ମନୋଲୋଭା ଦୃଶ୍ୟ ଦୃଷ୍ଟିଗୋଚର ହୋଇଥାଏ, ଯାହା ହେଉଛି ‘ଏକ୍ଲିପ୍ସୋନୋମିକ୍ସ୍’ ସୃଷ୍ଟି ହେବା ପଛରେ ନିହିତ ଥିବା ମୁଖ୍ୟ କାରଣ।
କିନ୍ତୁ ମନେ ରଖିବା କଥା, ଆକାଶରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାରେ ପ୍ରତିବର୍ଷ ୩.୮ ସେ.ମି. ଲେଖାଏଁ ବୃଦ୍ଧି ଘଟିବାରେ ଲାଗିଛି; ଏହାର ଅର୍ଥ, ୬୦୦ ନିୟୁତ ବର୍ଷ ପରେ ପୃଥିବୀ ପୃଷ୍ଠର ଦର୍ଶକମାନଙ୍କ ପାଇଁ ଚନ୍ଦ୍ରର ପ୍ରତୀୟମାନ ଆକାର ଏତେ କ୍ଷୁଦ୍ର ହୋଇଯିବ ଯେ ତାହା ଯୋଗୁଁ ଆଉ ସଂପୂର୍ଣ୍ଣ ସୂେର୍ଯ୍ୟାପରାଗ ଘଟି ପାରିବ ନାହିଁ। ମନୁଷ୍ୟ ଯଦି ଏତେ କାଳ ଧରି ତଥାପି ଜୀବିତ ଥାଏ, ତେବେ ଏହି କ୍ଷଣସ୍ଥାୟୀ(!) ମହାଜାଗତିକ ପ୍ରଦର୍ଶନକୁ ସଂପୂର୍ଣ୍ଣ ରୂପେ ଉପଭୋଗ କରି ‘ଏକ୍ଲିପ୍ସୋନୋମିକ୍ସ୍’ ସୃଷ୍ଟି କରିଚାଲୁ।