ଦାରିଦ୍ର୍ୟର କଷାଘାତ ମଧ୍ୟରେ ଖୁସିର ଅନୁସନ୍ଧାନର ରୋମାଣ୍ଟିକ୍ ଆବେଦନ ଯେତେ ଆକର୍ଷଣୀୟ ମନେ ହେଲେ ହେଁ ଏହା ସ୍ବୀକାର କରିବାକୁ ହେବ ଯେ ଖୁସିର ମୁଖ୍ୟ ବିନାଶକର୍ତ୍ତାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛି- ଦାରିଦ୍ର୍ୟ। ଆଜି ଆମେ ନିଜକୁ ମନେ ପକାଇ ଦେବା ଉଚିତ ଯେ ଏହି ଅଣରୋମାଣ୍ଟିକ୍ ଅର୍ଥନୈତିକ ଅଭିବୃଦ୍ଧି ହିଁ ହେଉଛି ସେଇ ଦାରିଦ୍ର୍ୟରୁ ମୁକ୍ତି ପାଇବାର ଏକମାତ୍ର ନିଶ୍ଚିତ ଉପ‌ାୟ।

Advertisment

ଆଜିକୁ ୧୨ ବର୍ଷ ତଳେ ମିଳିତ ଜାତିସଂଘର ସାଧାରଣ ପରିଷଦ ଆଜିର ଦିନଟିକୁ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖକୁ ପୃଥିବୀବାସୀମାନେ ‘ଆନ୍ତର୍ଜାତିକ ଖୁସି ଦିବସ’ ବା ‘ଇଣ୍ଟର୍‌ନେସନାଲ୍ ଡେ ଅଫ୍ ହାପିନେସ୍’ ରୂପେ ପ୍ରତିବର୍ଷ ପାଳନ କରିବେ ବୋଲି ଏକ ନିଷ୍ପତ୍ତି ଗ୍ରହଣ କରିଥିଲା। ଆଜିକାଲି କ୍ୟାଲେଣ୍ଡର୍‌ର ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ଏକ ‘ଦିବସ’ରେ ପରିଣତ ହୋଇସାରିଥିବା ବେଳେ ଆଜିର ଏହି ‘ଦିବସ’ କାହାରି ପାଇଁ କିଛି ନୂତନ ଚମକ ବହନ କରିବାର ସମ୍ଭାବନା କ୍ଷୀଣ କହିଲେ ଭୁଲ୍ ହେବନାହିଁ। ତେବେ ଯେଉଁମାନେ ଆଜିର ଏହି ‘ଖୁସି ଦିବସ’ ସଂପର୍କରେ ସଚେତନ ଥିବେ, ସେମାନଙ୍କୁ ଏହା ବହନ କରୁଥିବା ଏକ ନିଷ୍ଠୁର ବିଡ଼ମ୍ବନା ନିଶ୍ଚିତ ରୂପେ ଘୋର ବ୍ୟଥିତ କରୁଥିବାର ଦୃଢ଼ ସମ୍ଭାବନା ରହିଛି।
ପୃଥିବୀରେ ମନୁଷ୍ୟ ପାଇଁ ଯାହାସବୁ ଖୁସି ହରଣକାରୀ ବା ଦୁଃଖର କାରଣ ରହିଛି, ତା’ ମଧ୍ୟରେ ଅଗ୍ରଗଣ୍ୟ ତଥା ଅତ୍ୟନ୍ତ ଭୟାନକ ହେଉଛି ମନୁଷ୍ୟକୃତ- ଯୁଦ୍ଧ। ଆଉ ଏହି ଯୁଦ୍ଧ ବିଭୀଷିକାରେ ଅନ୍ତ ଘଟାଇବା ପାଇଁ ହିଁ ସୃଷ୍ଟି ହୋଇଛି- ମିଳିତ ଜାତିସଂଘ। ବିଡ଼ମ୍ବନା ହେଉଛି ଏହା ଯେ ଆଜି ଯେତେବେଳେ ଜାତିସଂଘ ଆନୁକୂଲ୍ୟରେ ବିଶ୍ବବାସୀ ‘ଖୁସି ଦିବସ’ ପାଳନ କରୁଛନ୍ତି, ସେତିକିବେଳେ ଦୁଇଟି ଭୟଙ୍କର ଯୁଦ୍ଧ ଏଠାରେ ଲାଗି ରହିଛି, ଯାହାକୁ ପ୍ରତିହତ କରିବାରେ କିମ୍ବା ନିୟନ୍ତ୍ରଣ କରିବାରେ ସେଇ ଜାତିସଂଘ ସଂପୂର୍ଣ୍ଣ ରୂପେ ବିଫଳ ‌େହାଇଛି- ୟୁକ୍ରେନ୍ ଓ ଗାଜା।
ଅବଶ୍ୟ ଜାତିସଂଘ କର୍ତ୍ତୃପକ୍ଷ ଏହାର ଜବାବରେ କହିପାରନ୍ତି ଯେ ସେମାନେ ଯେଉଁ ଖୁସି ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି, ତାହାର ଯୁଦ୍ଧ ସହିତ କୌଣସି ସଂପର୍କ ନାହିଁ (‌େଯମିତି କୁହାଯାଇଥାଏ- ଜଣେ ସ୍ବର୍ଗରେ ଦୁଃଖୀ‌ ହୋଇ ରହିପାରେ, ନର୍କରେ ଖୁସି ହୋଇ ରହିପାରେ)। ଏହାର ପ୍ରମାଣ ସ୍ବରୂପ ସେମାନେ ୨୦୨୩ର ଆନ୍ତର୍ଜାତିକ ଖୁସି ସୂଚକ ମାନ୍ୟତା ତାଲିକା ଉପସ୍ଥାପନ କରିପାରନ୍ତି (୨୦୨୪ର ତାଲିକା ଆଜି ପ୍ରକାଶ ପାଇବ), ଯେଉଁଥିରେ ପୃଥିବୀର ସର୍ବାଧିକ ସୁଖୀ ପ୍ରଥମ ଦଶଟି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଦେଶ ହେଉଛି ବର୍ବର ହମାସ୍ ଆକ୍ରମଣର ଶିକାର ହୋଇ ଗାଜା ଯୁଦ୍ଧରେ ପ୍ରବୃତ୍ତ ଥିବା ଇସ୍ରାଏଲ୍ ଓ ସେଥିରେ ସଂଶ୍ଳିଷ୍ଟ ପାଲେଷ୍ଟାଇନ୍‌ର ସ୍ଥାନ ହେଉଛି ୧୩୬ଟି ‌େଦଶ ମଧ୍ୟରେ ୯୮ତମ, ଯାହା ଭାରତର ଶୋଚନୀୟ ୧୨୬ତମ ସ୍ଥାନଠାରୁ ୨୮ ପାହାଚ ଉପରେ। ଯୁଦ୍ଧବିଧ୍ବସ୍ତ ୟୁକ୍ରେନ୍‌ର ସ୍ଥାନ ମଧ୍ୟ ହେଉଛି ୯୨ତମ, ସେମାନେ ମଧ୍ୟ ଭାରତୀୟମାନଙ୍କ ଠାରୁ ଅଧିକ ଖୁସିରେ କାଳାତିପାତ କରୁଛନ୍ତି।
ଜାତିସଂଘ ତା’ହେଲେ ‌େଯଉଁ ଖୁସି କଥା କହୁଛି, ତାହାର ସଂପର୍କ କାହା ସହିତ? ଏହାର ସୂଚନା ମିଳିଥାଏ ୨୦୧୧ରେ ଜାତିସଂଘର ସାଧାରଣ ଅଧିବେଶନରେ ଗୃହୀତ ଏ ସଂପର୍କିତ ସଂକଳ୍ପର ଏହି ଉଦ୍ଧୃତାଂଶରୁ: ଖୁସି ବା ‘ହାପିନେସ୍’ ହେଉଛି ଏକ ‘‘ମୌଳିକ ମାନବୀୟ ଲକ୍ଷ୍ୟ’’... ‘‘ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଏକ ଅଧିକ ଅନ୍ତର୍ଭୁକ୍ତକାରୀ, ନ୍ୟାୟୋଚିତ ଓ ସନ୍ତୁଳିତ ଆଭିମୁଖ୍ୟ ଲୋଡ଼ା ଯାହା ପୃଥିବୀର ସମସ୍ତ ଅଧିବାସୀମାନଙ୍କ ପାଇଁ ଆନନ୍ଦ ଓ ମଙ୍ଗଳ ବର୍ଦ୍ଧନକାରକ ହେବ।’’ ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଖୁସି ବା ଆନନ୍ଦର ଅର୍ଥନୈତିକ ଅଭିବୃଦ୍ଧି ସହିତ ଘନିଷ୍ଠ ସଂପର୍କ ରହିଛି ଏବଂ ଏହାକୁ ଅଧିକ ଆନନ୍ଦ-ଅନୁକୂଳ କରିବା ନିମିତ୍ତ କେବଳ ଏହି ଅଭିବୃଦ୍ଧିର ଚରିତ୍ରରେ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଘଟାଇବା ଯାହା ଆବଶ୍ୟକ।
ଅର୍ଥନୈତିକ ଅଭିବୃଦ୍ଧିକୁ ଆନନ୍ଦର କାରଣ ରୂପେ ଗ୍ରହଣ କରିବା ପାଇଁ କିନ୍ତୁ ଅନେକ ଅର୍ଥନୀତିଜ୍ଞମାନେ ମଧ୍ୟ କୁଣ୍ଠା ପ୍ରଦର୍ଶନ କରିଥାନ୍ତି। ‌େଯମିତି ସ୍ବନାମଧନ୍ୟ ଅର୍ଥନୀତିଜ୍ଞ ରିଚାର୍ଡ ଇଷ୍ଟର୍ଲିନ୍। ବାସ୍ତବରେ ଆନନ୍ଦ ଓ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ କାର୍ଯ୍ୟ-କାରଣ ସଂପର୍କ ବିରୁଦ୍ଧରେ ଯେଉଁ ମତବାଦ ବ୍ୟାପକ ପ୍ରସାର ଲାଭ କରିଛି, ତାହାର ମୂଳରେ ରହିଛି ଇଷ୍ଟର୍ଲିନ୍‌ଙ୍କର ଏ ସଂପର୍କିତ ଏକ ପ୍ରସିଦ୍ଧ ନିବନ୍ଧ। ଅର୍ଥନୈତିକ ଅଭିବୃଦ୍ଧି ଭଳି ଏକ ବ୍ୟାପକ ପ୍ରକ୍ରିୟା ସମ୍ବନ୍ଧରେ ଯାହା ଏକ ନିର୍ଦ୍ଦିଷ୍ଟ ଧାରଣା ପ୍ରଦାନ କରିଥାଏ, ତାହା ହେଉଛି ସଂପୃକ୍ତ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ରେ ଅଭିବୃଦ୍ଧି। ଇଷ୍ଟର୍ଲିନ୍‌ ତାଙ୍କ ନିବନ୍ଧରେ ‘ଜିଡିପି’ ଓ ଖୁସି ମଧ୍ୟରେ ପରିଦୃଷ୍ଟ ସଂପର୍କ ଥିବା ଏକ ବିରୋଧାଭାସ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଉପଲବ୍‌ଧ ପରିସଂଖ୍ୟାନ ଅନୁଶୀଳନ କରି ଦେଖିବାକୁ ପାଇଲେ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ କରାଯାଇଥିବା ସର୍ବେକ୍ଷଣର ଫଳାଫଳ ଅନୁସାରେ ଉଚ୍ଚ ଜିଡିପିସଂପନ୍ନ ଧନୀ ଦେଶମାନଙ୍କରେ ଲୋକମାନେ ନୀଚା ଜିଡିପିସଂପନ୍ନ ଗରିବ ଦେଶମାନଙ୍କର ଲୋକମାନଙ୍କ ତୁଳନାରେ ଅଧିକ (ହାରାହାରି) ଖୁସିରେ ଜୀବନଯାପନ କରିଥାନ୍ତି ବୋଲି ଜଣାପଡ଼ିଥାଏ, ଯାହା ଅର୍ଥନୈତିକ ଅଭିବୃଦ୍ଧି ଓ ଆନନ୍ଦ ମଧ୍ୟରେ କାର୍ଯ୍ୟ-କାରଣ ସଂପର୍କ ସାବ୍ୟସ୍ତ କରିବା ଭଳି ମନେ ହୋଇଥାଏ। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଯେତେବେଳେ ସମୟ ଅତିକ୍ରାନ୍ତ ହେବା ସହିତ ଏକ ନିର୍ଦ୍ଦିଷ୍ଟ ଦେଶରେ ଉପଲବ୍‌ଧ ସୂଚନା ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ସେତେବେଳେ ଏକ ବର୍ଦ୍ଧିଷ୍ଣୁ ଜିଡିପି ସହିତ ତାଳ ଦେଇ ସେ ଦେଶର ଲୋକମାନଙ୍କର (ହାରାହାରି) ଖୁସିରେ ଅନୁରୂପ ବୃଦ୍ଧି ଘଟିବା ଦେଖାଯାଇ ନ ଥାଏ। ଏଣୁ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ଦେଶର ଅଧିବାସୀମାନଙ୍କର ଅନନ୍ଦ ବୃଦ୍ଧି କରିବାର ନିଶ୍ଚିତ ଉପାୟ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ।
ଅର୍ଥନୀତିଜ୍ଞମାନେ ଏହି ବିରୋଧାଭାସ ପଛରେ ଯେଉଁ କାରଣ ନିହିତ ଥିବା ଚିହ୍ନଟ କରିଛନ୍ତି, ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ହେଉଛି ସଂପୃକ୍ତ ପରିସଂଖ୍ୟାନର ଚରିତ୍ରରେ ଥିବା ଫରକ୍: ‘ଜିଡିପି’ ହେଉଛି ଏକ କୃତ୍ରିମ ପରିସଂଖ୍ୟାନ ଯେଉଁଥିରେ ବୃଦ୍ଧି ହେଉଛି ସୀମାହୀନ ବୋଲି କୁହାଯାଇପାରେ; ଅପରପ‌େକ୍ଷ ଖୁସିର ପ୍ରତିନିଧିତ୍ବ କରୁଥିବା ପରିସଂଖ୍ୟାନ ହେଉଛି ସୀମାବଦ୍ଧ। ଏ ଦୁହିଁଙ୍କ ମଧ୍ୟରେ ସଂପର୍କ ହେଉଛି ‘ଜିଡିପି’ ଓ ସେ ଦେଶର ଲୋକମାନଙ୍କର ହାରାହାରି ଉଚ୍ଚତା ମଧ୍ୟରେ ରହିଥିବା ସଂପର୍କ ଭଳି କିମ୍ବା ‘ଜିଡିପି’ ଓ ହାରାହାରି ଆୟୁଷ ମଧ୍ୟରେ ଥିବା ସଂପର୍କ ଭଳି। ଉପଯୁକ୍ତ କୌଶଳ ପ୍ରୟୋଗ ଦ୍ବାରା ଜିଡିପିରେ ଅବିରତ ଅଭିବୃଦ୍ଧିର ପରିକଳ୍ପନା କରାଯାଇପାରେ, କିନ୍ତୁ ଶରୀରର ଉଚ୍ଚତାରେ କିମ୍ବା ଆୟୁଷରେ ସେଇଭଳି ସୀମାହୀନ ବୃଦ୍ଧି ହେଉଛି କଳ୍ପନାତୀତ। ଯେଉଁ ସର୍ବେକ୍ଷଣ ମାଧ୍ୟମରେ ଖୁସିର ପରିମାପ କରାଯାଇଥାଏ, ସେଥିରେ ନିଜର ଅନୁଭବକୁ ଏକ ୧ରୁ ୧୦ ମାପକାଠିରେ ତଉଲ କରି ପ୍ରକାଶ କରିବାକୁ ଉତ୍ତରଦାତାମାନଙ୍କୁ କୁହାଯାଇଥାଏ। ଶହଶହ ବର୍ଷ ଧରି ଏହା ଅନୁସାରେ ତଥ୍ୟ ସଂଗ୍ରହ କରାଗଲେ ମଧ୍ୟ ଖୁସିର ମୂଲ୍ୟ କେବେହେଲେ ୧୦ ଅତିକ୍ରମ କରିବ ନାହିଁ; କିନ୍ତୁ ‘ଜିଡିପି’ ନାମକ କୃତ୍ରିମ ପରିସଂଖ୍ୟାନରେ ଅବିରତ ବୃଦ୍ଧି ଘଟିପାରିବ।
କିନ୍ତୁ ଏହାର ଅର୍ଥ ନୁହେଁ ‌େଯ ଜିଡିପି ଓ ଖୁସି ମଧ୍ୟରେ କୌଣସି ସଂପର୍କ ନାହିଁ। ‌େଯମିତି ଉଚ୍ଚତା ବା ଆୟୁଷରେ ସୀମାହୀନ ବୃଦ୍ଧି ସମ୍ଭବ ନ ହେଲେ ମଧ୍ୟ ଜିଡିପିରେ ବୃଦ୍ଧି ଯୋଗୁଁ ଏକ ସର୍ବୋଚ୍ଚ ସୀମା ମଧ୍ୟରେ ଉଚ୍ଚତା ବା ଆୟୁଷରେ ବୃଦ୍ଧି ଘଟିବା ଦେଖାଯାଇଥାଏ, ସେମିତି ଜିଡିପିରେ ବୃଦ୍ଧି ଘଟି ଚାଲିଲେ ଏକ ସର୍ବୋଚ୍ଚ ସୀମା ମଧ୍ୟରେ ଲୋକମାନେ ଅନୁଭବ କରୁଥିବା ଆନନ୍ଦରେ ମଧ୍ୟ ଧୀରେ ଧୀରେ ବୃଦ୍ଧି ଘଟିଥାଏ। ଏହାର ଏକ ଓଲଟ ପ୍ରମାଣ ସ୍ବରୂପ ଦେଖାଯାଇଛି ଏକ ଦେଶର ଅର୍ଥନୀତି ଯେତେବେଳେ ଅବପାତ କବଳରେ ପଡ଼ି ‘ଜିଡିପି’ରେ ସାମାନ୍ୟ ସଂକୋଚନ ମଧ୍ୟ ଘଟିଥାଏ, ସେତେବେଳେ ଲୋକମାନେ ସର୍ବେକ୍ଷଣରେ ପ୍ରକାଶ କରିଥିବା ଖୁସିରେ ତୀକ୍ଷ୍‌ଣ ସ୍ଖଳନ ଘଟିଥାଏ, ଯାହାର ମୁଖ୍ୟ କାରଣ ହେଉଛି ସେ ସମୟରେ ନିଯୁକ୍ତି ଓ ଆୟରେ ଘଟୁଥିବା ସଂକୋଚନ। ଏହା ମଧ୍ୟ ମନେ ରଖିବା ଉଚିତ ଯେ ଯେହେତୁ ଶ୍ରମ ଉତ୍ପାଦନଶୀଳତାରେ ଅନବରତ ବୃଦ୍ଧି ଘଟି ଚାଲିଛି, ସେଥିଯୋଗୁଁ ନିଯୁକ୍ତିରେ ହ୍ରାସ ଘଟିବାକୁ ନ ଦେବା ପାଇଁ ଜିଡିପିରେ ଅନବରତ ବୃଦ୍ଧି ଘଟିବା ଆବଶ୍ୟକ।
ଏଣୁ ଆଜି ‘ଖୁସି ଦିବସ’ ପାଳନ ଏକ ହାସ୍ୟ କ୍ଲବ୍‌ର ‌ସଦସ୍ୟମାନେ କୌଣସି ପାର୍କରେ ରୁଣ୍ଡ ହୋଇ ବିନା କାରଣରେ ହୋ ହୋ ହୋଇ ହସିବା ପରି ମନେ ହେଉଥିଲେ ବି, ଆଜି ଦିନରେ ଆମେମାନେ ପୁଣିଥରେ ଜାତିସଂଘର ଉପରୋକ୍ତ ସଂକଳ୍ପ ଦ୍ବାରା ସଚେତନ ହେବା ଉଚିତ ଯେ ଖୁସି ଭଳି ଏକ ଖସଡ଼ା ପଦାର୍ଥକୁ ଧରି ରଖିବାର କୌଣସି ଶତପ୍ରତିଶତ ନିଶ୍ଚିତ ଉପାୟ ନ ଥିଲେ ହେଁ ଅର୍ଥନୈତିକ ଅଭିବୃଦ୍ଧି ସେଥିରେ କିଛିମାତ୍ରାରେ ସହାୟକ ହୋଇଥାଏ। ଦାରିଦ୍ର୍ୟର କଷାଘାତ ମଧ୍ୟରେ ଖୁସିର ଅନୁସନ୍ଧାନର ରୋମାଣ୍ଟିକ୍ ଆବେଦନ ଯେତେ ଆକର୍ଷଣୀୟ ମନେ ହେଲେ ହେଁ ଏହା ସ୍ବୀକାର କରିବାକୁ ହେବ ଯେ ଖୁସିର ମୁଖ୍ୟ ବିନାଶକର୍ତ୍ତାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛି- ଦାରିଦ୍ର୍ୟ। ଆଜି ଆମେ ନିଜକୁ ମନେ ପକାଇ ଦେବା ଉଚିତ ଯେ ଏହି ଅଣରୋମାଣ୍ଟିକ୍ ଅର୍ଥନୈତିକ ଅଭିବୃଦ୍ଧି ହିଁ ହେଉଛି ସେଇ ଦାରିଦ୍ର୍ୟରୁ ମୁକ୍ତି ପାଇବାର ଏକମାତ୍ର ନିଶ୍ଚିତ ଉପ‌ାୟ।