କହିବା ବାହୁଲ୍ୟ ଯେ ଦିଲ୍ଲୀ ଅଥବା କୋଟାର କୋଚିଂ ସେଣ୍ଟର ତଥା ଘରୋଇ ଛାତ୍ରାବାସଗୁଡ଼ିକର ପ୍ରତିକୂଳ ପରିବେଶ ଏଭଳି ଭାବନା ଦ୍ବାରା ଯଥାର୍ଥତା ମଧ୍ୟ ଲାଭ କରିଥାଏ! କହିବା ଅନାବଶ୍ୟକ ଯେ ଅଭିଭାବକମାନଙ୍କ ବିରୋଧ ବା ପ୍ରଶ୍ନ ସେମାନଙ୍କ ସନ୍ତାନମାନଙ୍କ ଜୀବନଯାପନରେ ଆଂଶିକ ସ୍ବାଚ୍ଛନ୍ଦ୍ୟ ଆଣି ଦିଅନ୍ତା। ପୁଣି ପ୍ରଶ୍ନ ଉଠିଥାଏ ଯେ ଏହି କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡ଼ିକରୁ ପ୍ରତି ବର୍ଷ ସଫଳତାର ଲମ୍ଫ ପ୍ରଦାନ କରୁଥିବା ବିଦ୍ୟାର୍ଥୀଗଣ ଅବଲୀଳା କ୍ରମେ ଉଚ୍ଚ ପଦାସୀନ ଓ ବିପୁଳ କ୍ଷମତାପ୍ରାପ୍ତ ହେଉଥିଲେ ସୁଦ୍ଧା ଏକଦା େସମାନେ ଭୋଗିଥିବା ସ୍ଥିତିରେ ପରିବର୍ତ୍ତନ ଘଟାଇବା ସକାଶେ ପ୍ରୟାସ କରନ୍ତି ନାହିଁ କାହିଁକି?
ଗଲା ଜୁଲାଇ ୨୭ ତାରିଖ ଦିନ ଦିଲ୍ଲୀର ପୁରୁଣା ରାଜିନ୍ଦର ନଗରସ୍ଥିତ ଏକ ଆଇ.ଏ.ଏସ୍. କୋଚିଂ ସେଣ୍ଟର୍ର ଭୂତଳ (ବେସ୍ମେଣ୍ଟ୍) ଲାଇବ୍ରେରିରେ ବର୍ଷା ଜଳ ପ୍ରବେଶ କରି ତିନି ଜଣ ଆଇ.ଏ.ଏସ୍. ଅଭିଳାଷୀଙ୍କ ମୃତ୍ୟୁର କାରଣ ହେବା ଭଳି ଘଟଣା ସମଗ୍ର ଦେଶକୁ ବିଷଣ୍ଣତା ମଧ୍ୟକୁ ଠେଲି ଦେଇଛି। ଦେଶର ରାଜଧାନୀର ଏକ ପାଠାଗାର ମଧ୍ୟରେ ସଲିଳ ସମାଧି ଲଭିବାର ଦୁର୍ଭାଗ୍ୟ ଏକ ବିୟୋଗାନ୍ତକ ଉଦ୍ଭଟ ନାଟକର ଦୃଶ୍ୟ ଭଳି ଅଗତ୍ୟା ମନେ ହେଉଥିଲେ ସୁଦ୍ଧା ଏହି ଦୁର୍ଘଟଣା ଯେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ନ ଥିଲା, ତାହା ନିଃସନ୍ଦେହରେ କୁହାଯାଇପାରେ। କାରଣ, ମାସକ ପୂର୍ବରୁ ସେହି କୋଚିଂ ସେଣ୍ଟର୍ର ଜଣେ ଛାତ୍ର ସେଠାରେ ଏଭଳି କିଛି ଘଟିବାର ଆଶଙ୍କା ପ୍ରକଟ କରି ଦିଲ୍ଲୀ ପୌରପାଳିକା ବା ‘ଏମ୍.ସି.ଡି.’କୁ ଏକ ପତ୍ର ଲେଖିଥିଲେ, ଯଦିଓ ତାହା ଗତାନୁଗତିକ ପ୍ରାଶାସନିକ ବିସ୍ମରଣର ଗର୍ଭରେ ଏକ ଅଦରକାରୀ କାଗଜ ଟୁକୁଡ଼ା ଭଳି ଅସ୍ତିତ୍ବ ହରାଇଥିଲା। ଏଭଳି ଦାୟିତ୍ବହୀନତା ଦୃଷ୍ଟିରୁ ଏହାକୁ ଏକ ଦୁର୍ଘଟଣା ମାତ୍ର ବୋଲି ନ କହି ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ଅଭିହିତ କରାଯାଉଛି; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଘୋର ବର୍ଷଣମୁଖର ସନ୍ଧ୍ୟାରେ ଗୋଟିଏ ବେଗବାନ ଗାଡ଼ି ଦ୍ବାରା ଉଛୁଳା ଜଳ ରାସ୍ତା କଡ଼ର ଏକ କ୍ଷୁଦ୍ର ଓ ଦୁର୍ବଳ ବନ୍ଧକୁ ଭାଙ୍ଗି ପକାଇ ଅଗତ୍ୟା ସଂପୃକ୍ତ କୋଚିଂ ସେଣ୍ଟର୍ର ଭୂତଳ ଲାଇବ୍ରେରିରେ ସଡ଼କ ଓ ନାଳ ଜଳର ଏକ ପ୍ରପାତ ସୃଷ୍ଟି କରିଥିଲା, ଯହିଁରେ ଅବିଳମ୍ବେ ‘ବେସ୍ମେଣ୍ଟ୍’ଟି ଜଳପୂର୍ଣ୍ଣ ହୋଇଯାଇଥିଲା। ଯଦିଓ ପ୍ରାଣାନ୍ତକ ଉଦ୍ୟମ କରି ପାଠାଗାରରେ ଅଧ୍ୟୟନରତ କେତେକ ଛାତ୍ରଛାତ୍ରୀ କୌଣସିମତେ ରକ୍ଷା ପାଇବାରେ ସଫଳ ହୋଇଥିଲେ, ତିନି ଜଣ ହତଭାଗ୍ୟ ଛାତ୍ରଛାତ୍ରୀ ବର୍ତ୍ତି ପାରି ନ ଥିଲେ। ଏଭଳି ଏକ ଟ୍ରାଜେଡି ଓ ଏହି କାରଣରୁ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତଥା ଗଣମାଧ୍ୟମରେ ଏ ନେଇ ତୀବ୍ର କୋଳାହଳ ପରେ ସଂପ୍ରତି ଯାହା ଦେଖିବାକୁ ମିଳିଛି, ତାହା ହେଲା ବିଜେପି ଓ ଆପ୍ ମଧ୍ୟରେ ପାରସ୍ପରିକ କର୍ଦ୍ଦମ ନିକ୍ଷେପର ପ୍ରତିଯୋଗିତା, ଲାଭଖୋର ମନୋବୃତ୍ତିର ଉଲଙ୍ଗ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସକାଶେ ଉଦ୍ଦିଷ୍ଟ ନିୟମର ପ୍ରକାଶ୍ୟ ଅଣଦେଖା ବା ଅବମାନନା କରୁଥିବା କୋଚିଂ ସେଣ୍ଟର୍ଗୁଡ଼ିକ ପ୍ରତି ଆକ୍ରୋଶ ଏବଂ ପ୍ରଶାସନର ନାକ ତଳେ ଏଭଳି ଘଟୁଥିବାରୁ ଦୁର୍ନୀତି ଆଡ଼କୁ ତର୍ଜନୀ ନିର୍ଦ୍ଦେଶମୂଳକ ଆକ୍ଷେପ। ଏବଂ କାର୍ଯ୍ୟାନୁଷ୍ଠାନ ରୂପେ ଦେଖିବାକୁ ମିଳିଛି ସଂପୃକ୍ତ କୋଚିଂ ସେଣ୍ଟର୍ର ମାଲିକ ଓ ପରିଚାଳକ, ‘ଏମ୍.ସି.ଡି.’ର ଦୁଇ ଜଣ ତଳ ପାହ୍ୟା କର୍ମଚାରୀ ଓ ନିଜ ଅଗୋଚରରେ ଅଘଟଣ ଘଟାଇଥିବା ଗାଡ଼ିର ଚାଳକଙ୍କ ଗିରଫଦାରି। ସୁତରାଂ, ପ୍ରଶାସନ ଓ ଶାସନର ଗୁରୁତ୍ବପୂର୍ଣ୍ଣ ପଦରେ ଆସୀନ ପ୍ରଭାବଶାଳୀମାନେ ଯେ ‘ଉତ୍ତରଦାୟିତ୍ବ’କୁ ଆପଣା ସ୍କନ୍ଧଚ୍ୟୁତ କରି ଅପର କାନ୍ଧରେ ଲଦିଦେଇ ଖସିଯିବାର ଉଦ୍ୟମରେ ପ୍ରବୃତ୍ତ, ତାହା ହୃଦ୍ବୋଧ କରି ହୋଇଥାଏ। ଏଭଳି ସ୍ଥଳେ ଏହି ଦୁର୍ଘଟଣା ଲାଗି ଦାୟୀ ତ୍ରୁଟିର ସୂକ୍ଷ୍ମ ବ୍ୟବଚ୍ଛେଦ ଅନିବାର୍ଯ୍ୟ ହୋଇଉଠେ।
ପ୍ରଥମତଃ, ନଗର-ରାଜ୍ୟ ଦିଲ୍ଲୀର ଶାସନ ପ୍ରଥମରୁ ସଂଶୟାକୁଳ, ଯହିଁରେ ନିର୍ବାଚିତ ସରକାର ଓ କେନ୍ଦ୍ର ଦ୍ବାରା ସ୍ଥାପିତ ଲେଫ୍ଟନାଣ୍ଟ ଗଭର୍ନର୍ଙ୍କ ମଧ୍ୟରେ କ୍ଷମତାର ବିଭାଜନ ରେଖାଟି ଅସ୍ପଷ୍ଟ; ସୁତରାଂ, ନିର୍ବାଚିତ ଆପ୍ ସରକାର ଅଧୀନସ୍ଥ ‘ଏମ୍ସିଡି’ ଓ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ‘ଡିଡିଏ’ (ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ) ଏକ ଛନ୍ଦହୀନ ଟ୍ୟାଂଗୋ ନୃତ୍ୟରେ ଅବତୀର୍ଣ୍ଣ, ଯେଉଁଥି ଲାଗି ଏଭଳି ପାରସ୍ପରିକ ଦୋଷାରୋପ! ‘ଏମ୍ସିଡି’ର ଅଭିଯୋଗ ହେଲା ତାହାର କାର୍ଯ୍ୟାଦେଶକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ବ୍ୟୁରୋକ୍ରାଟ୍ ବା କର୍ମଚାରୀମାନେ ସର୍ବଦା ଆମନ୍ୟ କରୁଥିବାରୁ ଜଳ ନିଷ୍କାସନ ପଥ ସଫା ହୋଇ ନ ପାରି ବର୍ଷା ଦିନେ ଦିଲ୍ଲୀ ସହରକୁ ଜଳାର୍ଣ୍ଣବ କରି ପକାଏ, ଯାହାର ପରିଣାମ ଏଭଳି ଟ୍ରାଜେଡି। ଏହା ସହିତ ରହିଛି ବିଭ୍ରାନ୍ତିକର ସରକାରୀ ପରିଭାଷା ଓ ନିୟମ; ଯେମିତି କି ‘ଡିଡିଏ’ର ୨୦୨୦ ମସିହା ନିୟମ ଅନୁସାରେ କୋଚିଂ ସେଣ୍ଟର୍ଗୁଡ଼ିକ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ବ୍ୟାବସାୟିକ ଅନୁଷ୍ଠାନ ରୂପେ ପରିଗଣିତ ଏବଂ ଶିକ୍ଷାନୁଷ୍ଠାନ ପରିସରଭୁକ୍ତ ହୋଇଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଯେଉଁଁଭଳି କଠୋର ନିରାପତ୍ତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି, କୋଚିଂ ସେଣ୍ଟର୍ଗୁଡ଼ିକ ଆପାତତଃ ତହିଁରୁ ମୁକ୍ତ ହୋଇ ରହିଛନ୍ତି। ଦିଲ୍ଲୀ ଅଗ୍ନି ପ୍ରଶମନ ବିଭାଗର ନିୟମ ଅନୁଯାୟୀ ଗୋଟିଏ ବ୍ୟାବସାୟିକ ପ୍ରତିଷ୍ଠାନର ଉଚ୍ଚତା ନଅ ମିଟର ମଧ୍ୟରେ ସୀମିତ ରହିଲେ, ଅର୍ଥାତ୍ ମୋଟାମୋଟି ଦ୍ବିତଳ ବିଶିଷ୍ଟ ହୋଇଥିଲେ, ଅଗ୍ନି ନିର୍ବାପନ ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଦିଲ୍ଲୀରେ ଅଧିକାଂଶ କୋଚିଂ ସେଣ୍ଟର୍ (ବ୍ୟାବସାୟିକ ପ୍ରତିଷ୍ଠାନ ହୋଇଥିବାରୁ) ଦ୍ବି-ତଳ ବିଶିଷ୍ଟ ଅଟ୍ଟାଳିକାରେ କାରବାର କରୁଥିବାରୁ ନିୟମାନୁସାରେ ଅଗ୍ନି ନିରୋଧକ ବ୍ୟବସ୍ଥା କରନ୍ତି ନାହିଁ, ଯଦିଓ ଦୈବାତ୍ ଅଗ୍ନିକାଣ୍ଡ ଘଟିଲେ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାଧିକ୍ୟ ଦୃଷ୍ଟିରୁ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ସୁତରାଂ, କୋଚିଂ ସେଣ୍ଟର୍ଗୁଡ଼ିକର ପ୍ରଭାବ ଓ ଭୂମିକା ପରିପ୍ରେକ୍ଷୀରେ ପୁରୁଣା ପରିଭାଷା ଓ ନିୟମରେ ପରିବର୍ତ୍ତନ ଅଣାଯିବା ଏକାନ୍ତ ଅପରିହାର୍ଯ୍ୟ।
ଏବେ ଆସିବା ଅଭିଭାବକ ବା ପିତାମାତାଙ୍କ ଦାୟିତ୍ବ ସଂଦର୍ଭକୁ, ଯେଉଁମାନଙ୍କ ସ୍ବପ୍ନକୁ ବହନ କରି ବର୍ଷକୁ ଲକ୍ଷାଧିକ ସଂଖ୍ୟକ ଆଇ.ଏ.ଏସ୍. ଅଭିଳାଷୀ ଦିଲ୍ଲୀ ପ୍ରବେଶ କରି ମୁଖାର୍ଜୀ ନଗର ବା ରାଜିନ୍ଦର ନଗର ବା କରୋଲ ବାଗରେ ଆଶ୍ରୟ ଖୋଜନ୍ତି। ସୁତରାଂ, ଦିଲ୍ଲୀର କୋଚିଂ ସେଣ୍ଟର୍ ଓ ଘରୋଇ ହଷ୍ଟେଲଗୁଡ଼ିକ ଏଭଳି ଛାତ୍ରଛାତ୍ରୀଙ୍କ ସାନ୍ଦ୍ରତାରେ ପରିପୃକ୍ତ ହୋଇ ଉଠୁଥିବା ବେଳେ ତାହା ସେମାନଙ୍କ ଜୀବନକୁ କିଭଳି ଦହଗଞ୍ଜମୟ କରିପକାଏ, ତାହା ଅନେକ ଆଲେଖ୍ୟ, ବୃତ୍ତଚିତ୍ର ଓ ଚଳଚ୍ଚିତ୍ରର ବିଷୟବସ୍ତୁ ହେଲାଣି। ତାହା ହେଲେ ଏ ସବୁ ଜାଣି ସୁଦ୍ଧା ଅଭିଭାବକଗଣ ଏହା ବିରୋଧରେ ପ୍ରଶ୍ନ କରନ୍ତି ନାହିଁ କାହିଁକି? ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ଲାଗି ସନ୍ତାନମାନଙ୍କୁ ଉପଦେଶ ଦିଅନ୍ତି କାହିଁକି? ଅନେକଙ୍କ ମତରେ ଏହାର କାରଣ ସମ୍ଭବତଃ ଏୟା ଯେ ଏ ଯାବତ୍ ଆମ ଦୃଷ୍ଟିରେ ପ୍ରାଚୀନ ଯୁଗର ଗୁରୁକୁଳ ଶିକ୍ଷା ଆଦର୍ଶ ସ୍ଥାନୀୟ ଶିକ୍ଷା ବ୍ୟବସ୍ଥା ଭାବେ ପରିଗଣିତ ହେଉଛି; ଯେଉଁ କାରଣରୁ କୌଣସି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକ ନିଷ୍କରୁଣ କୃଚ୍ଛ୍ର ସାଧନା ହେବା ଉଚିତ ବୋଲି ଆଶା କରାଯାଉଛି। କହିବା ବାହୁଲ୍ୟ ଯେ ଦିଲ୍ଲୀ ଅଥବା କୋଟାର କୋଚିଂ ସେଣ୍ଟର ତଥା ଘରୋଇ ଛାତ୍ରାବାସଗୁଡ଼ିକର ପ୍ରତିକୂଳ ପରିବେଶ ଏଭଳି ଭାବନା ଦ୍ବାରା ଯଥାର୍ଥତା ମଧ୍ୟ ଲାଭ କରିଥାଏ! କହିବା ଅନାବଶ୍ୟକ ଯେ ଅଭିଭାବକମାନଙ୍କ ବିରୋଧ ବା ପ୍ରଶ୍ନ ସେମାନଙ୍କ ସନ୍ତାନମାନଙ୍କ ଜୀବନଯାପନରେ ଆଂଶିକ ସ୍ବାଚ୍ଛନ୍ଦ୍ୟ ଆଣି ଦିଅନ୍ତା। ପୁଣି ପ୍ରଶ୍ନ ଉଠିଥାଏ ଯେ ଏହି କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡ଼ିକରୁ ପ୍ରତି ବର୍ଷ ସଫଳତାର ଲମ୍ଫ ପ୍ରଦାନ କରୁଥିବା ବିଦ୍ୟାର୍ଥୀଗଣ ଅବଲୀଳା କ୍ରମେ ଉଚ୍ଚ ପଦାସୀନ ଓ ବିପୁଳ କ୍ଷମତାପ୍ରାପ୍ତ ହେଉଥିଲେ ସୁଦ୍ଧା ଏକଦା େସମାନେ ଭୋଗିଥିବା ସ୍ଥିତିରେ ପରିବର୍ତ୍ତନ ଘଟାଇବା ସକାଶେ ପ୍ରୟାସ କରନ୍ତି ନାହିଁ କାହିଁକି? ଖୁବ୍ ସମ୍ଭବ ଯେ ଆଇ.ଏ.ଏସ୍. ହୋଇ ନିର୍ବାଣ ଲାଭ କରିବା ସହିତ ସେମାନଙ୍କ ଲାଗି ପୂର୍ବ ଜନ୍ମଗୁଡ଼ିକ ଅପ୍ରାସଙ୍ଗିକ ହୋଇ ଉଠୁଥିବ! ଏହା ହିଁ ବିଡ଼ମ୍ବନା! ସୁତରାଂ, ସରକାର, ନଗର ପ୍ରଶାସନ, ସଫଳତାର ସହିତ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ସମାଜ; ପ୍ରତ୍ୟେକ ଦିଲ୍ଲୀ ଟ୍ରାଜେଡିରେ ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭୂମିକାକୁ ଦେଖିବାକୁ ଚେଷ୍ଟା କରନ୍ତୁ!