ବଜେଟ୍‌ ଉପସ୍ଥାପନ ସଂଦର୍ଭରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦର ଶିରୋନାମାଟି ଥିଲା: ‘କଥା ରଖିଲେ।’ କିନ୍ତୁ, ବାସ୍ତବରେ ମୁଖ ନିସୃତ କଥା ବା ପ୍ରତିଶ୍ରୁତି ଏବେ କେବଳ ଯାହା ଲିଖିତ ଅକ୍ଷରର ରୂପ ପାଇଛି। ପ୍ରତି ବଜେଟ୍‌ର ଆତ୍ମା ତହିଁରେ ପ୍ରତିଶ୍ରୁତ ପ୍ରକଳ୍ପମାନ ସାକାର ହେବା ସହିତ ଉଦ୍ଦିଷ୍ଟ ଶରୀର ଲାଭ କରିଥାଏ; ତା’ ନ ହେଲେ କାଗଜର ନଥି ମଧ୍ୟରେ ତାହା ଅତୃପ୍ତ ହୋଇ ରହେ। ସୁତରାଂ, ବଜେଟ୍‌ର ଆତ୍ମାକୁ ତୃପ୍ତ କରିବାର ପ୍ରୟାସ ହେବ ସରକାରଙ୍କ ଲାଗି ସର୍ବାଧିକ ଗୁରୁଦାୟିତ୍ବ।

Advertisment

ଗଲା ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ‘ଓଡ଼ିଶା ବଜେଟ୍‌ ୨୦୨୪-୨୫’ ଅନେକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ; ରାଜ୍ୟର ଇତିହାସରେ ପ୍ରଥମ ଥର ଲାଗି ପୂର୍ଣ୍ଣ ବହୁମତ ସହିତ ଏକାକୀ ଶାସନରେ ଅଧିଷ୍ଠିତ ହୋଇଥିବା ବିଜେପି ସରକାରଙ୍କ ଏହା ହେଉଛି ପ୍ରଥମ ବଜେଟ୍‌। ସେହି ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କ ଆୟ-ବ୍ୟୟ ଅଟକଳର ଶୁଷ୍କ ହିସାବ ସମ୍ବଳିତ ଏକ ନଥି ମାତ୍ର ନୁହେଁ, ଏଥିରେ ସରକାରଙ୍କ ଚେହେରା, ତାଙ୍କ ଆଭିମୁଖ୍ୟ, ଇଚ୍ଛା, ଲକ୍ଷ୍ୟ ଏପରିକି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ମଧ୍ୟ ଦିଶିଯାଇପାରେ! ଅର୍ଥ ବିଭାଗକୁ ନିଜ ଦାୟିତ୍ବରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ଲେଖାକୁ ପଢ଼ି ସଂପୂର୍ଣ୍ଣ କରିବା ଲାଗି ନେଇଥିଲେ ଦୁଇ ଘଣ୍ଟା ଆଠ ମିନିଟ୍‌ ସମୟ, ଯେଉଁ ଅବଧି ରାଜ୍ୟ ବଜେଟ୍‌ ଇତିହାସରେ ଦୀର୍ଘତମ ବୋଲି କୁହାଯାଇଥାଏ। ଏଥିରୁ ଏକ ସହଜ ଅନୁମାନ ଲଗାଯାଇପା‌େର କି ରାଜ୍ୟ ଓ ନାଗରିକଙ୍କ ସ୍ବାର୍ଥ ବିଜଡ଼ିତ ଅଧିକରୁ ଅଧିକ କ୍ଷେତ୍ରକୁ ସ୍ପର୍ଶ କରିବାର ଉଦ୍ୟମ ହୁଏତ ଏହାକୁ ଏଭଳି ଦୀର୍ଘତା ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ ଏକ ଅଭିନବ ପ୍ରୟାସ ସ୍ବରୂପ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କ ପରାମର୍ଶ ଲୋଡ଼ି ତହିଁରୁ ପ୍ରାପ୍ତ ୧୨,୦୦୦ ମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି, ଯେଉଁ କାରଣରୁ ସମ୍ଭବତଃ ମୁଖ୍ୟମନ୍ତ୍ରୀ ଏହାକୁ ଲୋକଙ୍କ ବଜେଟ୍‌ ରୂପେ ଅଭିହିତ କରିଛନ୍ତି। କେବଳ ସେତିକି ନୁହେଁ, ଏହି ବଜେଟ୍‌ଟି ମଧ୍ୟ ହେଉଛି ବିଜେପି ପକ୍ଷରୁ ପ୍ରଦତ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଏକ ଦସ୍ତାବିଜ।
ଏହି ବଜେଟ୍‌ର ଆକାର ହେଉଛି ୨.୬୫ ଲକ୍ଷ କୋଟି ଟଙ୍କା, ଯାହା ପୂର୍ବ ବଜେଟ୍‌ ଠାରୁ ୩୫ ହଜାର କୋଟି ବା ୧୫ ପ୍ରତିଶତ ଅଧିକ ଏବଂ ଏକ ତୁଳନାତ୍ମକ ଆକଳନ ସ୍ପଷ୍ଟ କରିଥାଏ ଯେ ସମସ୍ତ କ୍ଷେତ୍ରରେ ପୂର୍ବ ବଜେଟ୍‌ ତୁଳନାରେ ଏହି ବଜେଟ୍‌‌େର ଅଧିକ ବ୍ୟୟ ବରାଦ କରାଯାଇଛି। ସାଂପ୍ରତିକ ସମୟର ବର୍ଣ୍ଣାଶ୍ରମ ରୂପେ ଯେଉଁ ଚାରି ଜାତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର କହିଥାଆନ୍ତି, ସେହି ଚତୁଃ-ବର୍ଗ ଏହି ବଜେଟ୍‌ର ଧ୍ୟାନର କେନ୍ଦ୍ରରେ ରହିଛନ୍ତି; ଅର୍ଥାତ୍‌ କୃଷକ, ଯୁବକ, ମହିଳା ଓ ଦରିଦ୍ର। ମହିଳାଙ୍କ ସଶକ୍ତୀକରଣ ସକାଶେ ଉଚ୍ଚାଭିଳାଷୀ ‘ସୁଭଦ୍ରା ଯୋଜନା’ରେ ଏକ ବିଶାଳ ୧୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯେଉଁ ଯୋଜନାର ପ୍ରତିଶ୍ରୁତି ଉପରେ ଆସ୍ଥା ପ୍ରଦର୍ଶନ କରି ବିଜେଡି ସଞ୍ଚୟ ଖାତାରେ ‘ଫିକ୍‌ସଡ୍‌ ଡିପୋଜିଟ୍‌’ ତୁଲ୍ୟ ରହି ଆସିଥିବା ‘ମହିଳା ଭୋଟ’ ଅନେକାଂଶରେ ବିଜେପି ଖାତାକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା ବୋଲି ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି। ‌େସହି ଭଳି କୃଷକଙ୍କ ଆୟରେ ବୃଦ୍ଧି ଘଟାଇବା ଭଳି ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା କରି ସେ ବାବଦରେ ୫୦୦୦ କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି। ଉଲ୍ଲେଖ ଥାଉ କି ଏହି ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨,୩୦୦ ଟଙ୍କା ଥିଲା। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଦରିଦ୍ର ଓ ବଞ୍ଚିତ ବର୍ଗଙ୍କ ସର୍ବାଙ୍ଗୀନ ବିକାଶ ସକାଶେ ଏହି ବଜେଟ୍‌ରେ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟବସ୍ଥା କରାଯାଇଥିବା ବେଳେ ତନ୍ମଧ୍ୟରୁ ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ହୋଇଛି ସାମାଜିକ ସୁରକ୍ଷା ଭତ୍ତାର ପରିମାଣକୁ ମାସିକ ୧୦୦୦ ଟଙ୍କାରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବା, ଯେଉଁ ପରିପ୍ରେକ୍ଷୀରେ ୭,୭୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯୁବ ବର୍ଗଙ୍କ ସକାଶେ ଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ସହିତ କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ କ୍ରୀଡ଼ା ପ୍ରତିଭା ଅନ୍ବେଷଣ ଦିଗରେ ବିଶେଷ ବ୍ୟବସ୍ଥା ଏହି ବଜେଟ୍‌ର ଏକ ବୈଶିଷ୍ଟ୍ୟ, ଯେଉଁଥି ଲାଗି ୯୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହି ଭଳି ସରକାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୨୧,୨୦୦ କୋଟିର ଏକ ରେକର୍ଡ ବ୍ୟୟ ବରାଦ, ଯାହା ସମଗ୍ର ବଜେଟ୍‌ ପରିମାଣର ୮ ପ୍ରତିଶତ, ମଧ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ, ଯହିଁରେ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ଅଧିକ ମାନବ ସମ୍ବଳ ନିଯୁକ୍ତି, ଅଧିକ ଚିକିତ୍ସା କେନ୍ଦ୍ର ଓ ମେଡିକାଲ କଲେଜ ପ୍ରତିଷ୍ଠା ଇତ୍ୟାଦିର ଲକ୍ଷ୍ୟ ରଖାଯାଇଛି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସରକାରୀ ସ୍ବାସ୍ଥ୍ୟସେବା ପାରଦର୍ଶୀ ଓ ସମର୍ଥ ହେଲେ ସ୍ବାସ୍ଥ୍ୟ ବୀମା ଭଳି ବ୍ୟବସ୍ଥା କେବଳ ବିଶେଷ ସ୍ଥିତିରେ ଲୋଡ଼ା ପଡ଼ନ୍ତା ଏବଂ ସାଧାରଣ ଲୋକେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଭ କରି ଦୂର ସ୍ଥାନରେ ଚିକିତ୍ସା କରାଇବା ଜନିତ ବିଶାଳ ଆନୁଷଙ୍ଗିକ ବ୍ୟୟରୁ ମଧ୍ୟ ମୁକ୍ତି ପାଆନ୍ତେ। କହିବା ବାହୁଲ୍ୟ ‌ଯେ ଜଳସେଚନରୁ ପ୍ରାରମ୍ଭ କରି ସେତୁ-ଆନିକଟ ଏବଂ ସଡ଼କ ଓ ରେଳ ପଥ ନିର୍ମାଣ (କଟକ-ଭୁବନେଶ୍ବର ମଧ୍ୟରେ ‘ମେଟ୍ରୋ’ ରେଳ), ପରିବହନ ବ୍ୟବସ୍ଥାରେ ବିକାଶ, ଶିକ୍ଷା ଓ ଦକ୍ଷତା ବୃଦ୍ଧିର ଉଦ୍ୟମ ପର୍ଯ୍ୟନ୍ତ ନାଗରିକ ଜୀବନକୁ ସ୍ପର୍ଶ କରୁଥିବା ପ୍ରତ୍ୟେକ କ୍ଷେତ୍ରକୁ ଏହି ବଜେଟ୍‌ କୌଣସି ନା କୌଣସି ପ୍ରକାରେ ସ୍ପର୍ଶ କରିଛି। ସେହି ଦୃଷ୍ଟିରୁ ଏହା ବେଶ୍‌ ସୁବିସ୍ତୃତ। କେବଳ ସେତିକି ନୁହେଁ, ଅନେକ ନୂତନ କ୍ଷେତ୍ରରେ ମଧ୍ୟ ଏହି ବଜେଟ୍‌ରେ ପ୍ରସ୍ତାବ ରହିଛି, ଯେମିତି ଶ୍ରୀଜଗନ୍ନାଥ ମନ୍ଦିରର ସୁଚାରୁ ପରିଚାଳନା ସକାଶେ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବା ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର ପାଣ୍ଠି ସୃଷ୍ଟିର ପ୍ରସ୍ତାବ ଅଥବା ଅଧାରୁ ବିଦ୍ୟାଳୟ ପରିତ୍ୟାଗ କରିଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସକାଶେ ୫୬ କୋଟି ଟଙ୍କା ସମ୍ବଳିତ ‘ମାଧୋ ସିଂହ ହାତଖର୍ଚ୍ଚ ଯୋଜନା’ କିମ୍ବା ଛାତ ଉପରେ ସୌର ଶକ୍ତି ଉତ୍ପାଦନ ଲାଗି ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ ବା ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନର ଉନ୍ନତୀକରଣ ଲାଗି ଅର୍ଥର ପ୍ରାବଧାନ ଇତ୍ୟାଦି। ତେବେ ବିଶାଳ ବଜେଟ୍‌ର ସବୁଠାରୁ ବଡ଼ ସମସ୍ୟା ହେଲା ଏଥିରେ ସନ୍ନିହିତ ଯୋଜନାର ଆଧିକ୍ୟ। କାରଣ ସେ ସବୁର ରୂପାୟନ ତୀବ୍ର ଆହ୍ବାନ ସୃଷ୍ଟି କରିଥାଏ ଏବଂ ରୂପାୟନ ଉପରେ ହିଁ ବଜେଟ୍‌ର ପ୍ରକୃତ ଫଳପ୍ରଦତା ନିର୍ଭର କରିଥାଏ।
ତେବେ, କେତେକ କ୍ଷେତ୍ରରେ ସ୍ବଳ୍ପ ସମ୍ବଳର ପ୍ରାବଧାନ ହେଉଛି ଏହି ବଜେଟ୍‌ର ଦୁର୍ବଳତାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଉଦାହରଣ ସ୍ବରୂପ ଶହେ ବର୍ଷ ଅତିକ୍ରମ କରିଥିବା ୪୫ଟି ଐତିହ୍ୟସଂପନ୍ନ ବିଦ୍ୟାଳୟର ବିକାଶ ଲାଗି ମାତ୍ର ୧ କୋଟି ଟଙ୍କାର ଅଟକଳ ଆଦୌ ଯଥେଷ୍ଟ ଭଳି ମନେ ହୋଇ ନ ଥାଏ। ଦ୍ବିତୀୟଟି ହେଲା ବର୍ଦ୍ଧିତ ମଧୁବାବୁ ପେନ୍‌ସନ୍‌ ଓ ଦିବ୍ୟାଙ୍ଗ ଭତ୍ତା ପାଇବା ଲାଗି ମାପଦଣ୍ଡର ବ୍ୟବସ୍ଥା। ଏହା ସତ ନୁହେଁ କି ଦରିଦ୍ର ପରିବାରରେ ୮୦ ବର୍ଷ ବୟସ ଅତିକ୍ରମ କରିପାରିବାର ସୌଭାଗ୍ୟ ଅତ୍ୟନ୍ତ ବିରଳ ଏବଂ ଅଧିକାଂଶ ବୟୋବୃଦ୍ଧ ମାସିକ ୩,୫୦୦ ଟଙ୍କା ପାଇବା ପୂର୍ବରୁ ହିଁ ଇହଲୀଳା ସମ୍ବରଣ କରିସାରିଥି‌େବ! ସେହିଭଳି ୫୦ ପ୍ରତିଶତ ଅକର୍ମଣ୍ୟତା ଭୋଗୁ ନ ଥିବା ଅନେକ ଦିବ୍ୟାଙ୍ଗ ଜୀବିକା ହୀନ ଓ ଅତ୍ୟନ୍ତ ଦରିଦ୍ର ଏବଂ ସେହି ଦୃଷ୍ଟିରୁ ବର୍ଦ୍ଧିତ ଭତ୍ତାର ହକ୍‌ଦାର। ଏହି କ୍ଷୁଦ୍ରମନା ମାପଦଣ୍ଡଟି ନ ଥିଲେ ଏହି ବଜେଟ୍‌ ପ୍ରଶସ୍ତ ହୃଦୟର ଅଧିକାରୀ ଭଳି ପ୍ରତୀତ ହୁଅନ୍ତା। ସେହିଭଳି ଏହି ବଜେଟ୍‌ ଅନୁସାରେ ତିନି ପ୍ରକା‌ର ସ୍ବାସ୍ଥ୍ୟ ବୀମାର ବ୍ୟବସ୍ଥା ସୂକ୍ଷ୍ମ ସମନ୍ବୟ ଲୋଡ଼ିଥାଏ; ତାହା ନ ହେଲେ ଅଯଥା ସଂଶୟ ଓ ଜଟିଳତା ସୃଷ୍ଟି ହୋଇ ଦରିଦ୍ର ବ୍ୟାଧିଗ୍ରସ୍ତଙ୍କ ଯନ୍ତ୍ରଣା ବୃଦ୍ଧିର ଆଉ ଏକ କାରଣ ହେବ।
ଏହା ମଧ୍ୟ ସତ ଯେ ଏହା ପୂର୍ବରୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରି ଆସିଥିବା ଦଳଟିର ଚକ୍ଷୁ ବନ୍ଧନ ଫିଟାଇ ଦେଇଥିବ ଏହି ବଜେଟ୍‌! କାରଣ ଅମରତ୍ବ ପ୍ରଦାନ କରିବାର ନିରର୍ଥକ ବୈକଲ୍ୟରେ ଏହି ଦଳ ସମସ୍ତ ସରକାରୀ ଯୋଜନାକୁ ‘ବିଜୁ ବାବୁ’ଙ୍କ ନାମ ସହିତ ଯୋଡ଼ି ସେହି ସୁଦୀର୍ଘ ସୁପୁରୁଷ ଓ ସମର୍ଥ ରାଜନେତାଙ୍କୁ ବାସ୍ତବରେ କିଭଳି ଖର୍ବକାୟ କରିଦେଇଥିଲା, ତାହା ଏବେ ସେମାନଙ୍କ ସକାଶେ ସ୍ପଷ୍ଟ ହୋଇ ଉଠୁଥିବ! ଏବେ ପ୍ରାୟ ସମସ୍ତ ଯୋଜନାରୁ ‘ବିଜୁ’ ଶବ୍ଦଟି ଅପସାରିତ ହେବାରେ ଲାଗିଛି। ଆଶା କରିବା ଯେ କ୍ଷମତାର ଅହଙ୍କାରରେ ଦୂରଦୃଷ୍ଟି ହରାଉଥିବା ରାଜନୈତିକ ଦଳଗୁଡ଼ିକ ଠାରେ ଏହା ଚୈତନ୍ୟ ଉଦୟ କରୁ। ବଜେଟ୍‌ ଉପସ୍ଥାପନ ସଂଦର୍ଭରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦର ଶିରୋନାମାଟି ଥିଲା: ‘କଥା ରଖିଲେ।’ କିନ୍ତୁ, ବାସ୍ତବରେ ମୁଖ ନିସୃତ କଥା ବା ପ୍ରତିଶ୍ରୁତି ଏବେ କେବଳ ଯାହା ଲିଖିତ ଅକ୍ଷରର ରୂପ ପାଇଛି। ପ୍ରତି ବଜେଟ୍‌ର ଆତ୍ମା ତହିଁରେ ପ୍ରତିଶ୍ରୁତ ପ୍ରକଳ୍ପମାନ ସାକାର ହେବା ସହିତ ଉଦ୍ଦିଷ୍ଟ ଶରୀର ଲାଭ କରିଥାଏ; ତା’ ନ ହେଲେ କାଗଜର ନଥି ମଧ୍ୟରେ ତାହା ଅତୃପ୍ତ ହୋଇ ରହେ। ସୁତରାଂ, ବଜେଟ୍‌ର ଆତ୍ମାକୁ ତୃପ୍ତ କରିବାର ପ୍ରୟାସ ହେବ ସରକାରଙ୍କ ଲାଗି ସର୍ବାଧିକ ଗୁରୁଦାୟିତ୍ବ।