ଦୁଇ ବର୍ଷ ପୂର୍ବର ସ୍ଥିତି ତୁଳନାରେ ବର୍ତ୍ତମାନ ଆନ୍ତର୍ଜାତିକ ତୈଳ ବଜାର ସ୍ଥିତି ଅପେକ୍ଷାକୃତ ଖାଉଟି-ଅନୁକୂଳ ହୋଇଥିଲେ ହେଁ, ଏହା କେତେଦୂର ସ୍ଥାୟୀ ହେବ, ତାହା ଆଗାମୀ ଦିନମାନଙ୍କରେ ଯୁଦ୍ଧର ମୋଡ଼ ଉପରେ ନିର୍ଭର କରେ। ଯୁଦ୍ଧର ତାତିରେ ତୈଳ ଦର ତାତିବାର ବାସ୍ତବ ସମ୍ଭାବନାର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ହେବ।

Advertisment

କୌଣସି ଏକ ପଦାର୍ଥର ଯୋଗାଣ ଓ ଦର ଯଦି ପୃଥିବୀ ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ କରିଥାଏ, ତାହା ହେଉଛି ତୈଳ। ପୃଥିବୀର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଅଞ୍ଚଳରେ ବିଗତ ଏକ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ଯେତେବେଳେ ଉନ୍ନତି ଘଟିବା ପରିବର୍ତ୍ତେ ତାହା ଏବେ ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି, ସ୍ବାଭାବିକ ଭାବରେ ତାହା ସରକାର, ଶିଳ୍ପ ବାଣିଜ୍ୟ, ଖାଉଟି- ସମସ୍ତଙ୍କ ପାଇଁ ଚିନ୍ତାର ବିଷୟରେ ପରିଣତ ହୋଇଛି। ଏହି ଅଞ୍ଚଳ ଅବଶ୍ୟ ହେଉଛି ମଧ୍ୟପ୍ରାଚ୍ୟ ଏବଂ ଏହି ଯୁଦ୍ଧରେ ବ୍ୟାପୃତ ପକ୍ଷମାନେ ହେଉଛନ୍ତି ଇସ୍ରାଏଲ୍ ଓ ତା’ର ଶତ୍ରୁ ହମାସ୍, ହେଜ୍‌ବୋଲ୍ଲା ଓ ଇରାନ୍। ଏହି ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅବସ୍ଥିତ ତୈଳ କ୍ଷେତ୍ରମାନଙ୍କରେ ପୃଥିବୀର ମୋଟ ତୈଳ ଯୋଗାଣର ପୂରା ଏକ-ତୃତୀୟାଂଶ ତୈଳ ଉତ୍ପାଦିତ ହୋଇଥାଏ।
ଇସ୍ରାଏଲ୍‌ର ଉତ୍ତର ସୀମା ସେପଟେ ଲେବାନନ୍‌ରେ ଆସ୍ଥାନ ଜମାଇଥିବା ଇସଲାମୀୟ ଆତଙ୍କବାଦୀ ସଂଗଠନ ହେଜ୍‌ବୋଲ୍ଲା ଉପରେ ଇସ୍ରାଏଲ ଆକ୍ରମଣ କରିବା ଓ ତା’ର ଜବାବରେ ଇସ୍ରାଏଲ୍ ଉପରେ ଇରାନ୍ କ୍ଷେପଣାସ୍ତ୍ର ବର୍ଷା କରିବା ପରେ ସପ୍ତାହକ ମଧ୍ୟରେ ଅଶୋଧିତ ତୈଳ ଦରରେ ୧୦ ଶତାଂଶ ବୃଦ୍ଧି ଘଟିବା ଦେଖାଯାଇଥିଲା। ଅକ୍ଟୋବର ୭ରେ ତାହା ବ୍ୟାରେଲ୍ ପିଛା ୮୧ ଡଲାର୍ ଛୁଇଁବା ପରେ ସେଥିରେ କିଛିମାତ୍ରାରେ ହ୍ରାସ ଘଟି ଏହା ଲେଖାହେବା ବେଳକୁ ପ୍ରାୟ ବ୍ୟାରେଲ୍ ପିଛା ୭୭ ଡଲାର୍ ହୋଇଛି। ଦୁଇ ବର୍ଷ ତଳେ ରୁଷିଆ ଯେତେବେଳେ ୟୁକ୍ରେନ୍ ଉପରେ ଆକ୍ରମଣ କଲା, ତୈଳ ଦରରେ ସେତେବେଳେ ଯେଉଁ ବୃଦ୍ଧି ଘଟିଥିଲା, ସେଇ ଅନୁଭୂତି ଏବେ ସମସ୍ତଙ୍କୁ ଆତଙ୍କିତ କରି ରଖିଛି। ସେତେବେଳେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷିଆ ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିବା ପରେ ତୈଳ ଦର ଏକ ସମୟରେ ବ୍ୟାରେଲ୍ ପିଛା ୧୨୦ ଡଲାର୍ ଅତିକ୍ରମ କରିଯାଇଥିଲା। ରୁଷିଆ ପୃଥିବୀର ଦ୍ବିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ ହୋଇଥିବା ହେତୁ ତୈଳ ଯୋଗାଣ ଗୁରୁତର ଭାବରେ ବ୍ୟାହତ ହେବା ଆଶଙ୍କା ସୃଷ୍ଟି ହେବା ଫଳରେ ‌େତୖଳ ଦରରେ ଏଭଳି ତୀକ୍ଷ୍‌ଣ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ଯଦି ଯୁଦ୍ଧ ପରିସ୍ଥିତି ଅଣାୟତ୍ତ ହୋଇଯାଏ, ତା’ହେଲେ ପୂର୍ବର ଏହି ଅନୁଭୂତିର ପୁନରାବୃତ୍ତି ଘଟିବାର ସମ୍ଭାବନା ରହିଛି।
ଇସ୍ରାଏଲ୍ ଏ ପର୍ଯ୍ୟନ୍ତ ଇରାନ୍ ଉପରେ ପ୍ରତିଆକ୍ରମଣ କରିନାହିଁ କିନ୍ତୁ ତାହା ଅନତିବିଳମ୍ବେ ଘଟିବା ଅନିବାର୍ଯ୍ୟ। ଇସ୍ରାଏଲ୍‌ର ଏହି ପ୍ରତିଆକ୍ରମଣ କେଉଁ ରୂପ ନେବ, ତାହା ଅନେକାଂଶରେ ତୈଳ ଯୋଗାଣ ପରିସ୍ଥିତିକୁ ପ୍ରଭାବିତ କରିବ। କିନ୍ତୁ ଇସ୍ରାଏଲ୍ ଯଦି ଇରାନ୍‌ର ତୈଳ ଉତ୍ପାଦନ ବ୍ୟବସ୍ଥା ଉପରେ ଆକ୍ରମଣ କରେ, ତଥାପି ମଧ୍ୟ ତୈଳ ଯୋଗାଣ ଉପରେ ତାହାର ପ୍ରଭାବ ସେଭଳି ସାଂଘାତିକ ହୋଇ ନ ପାରେ, ଯେଉଁଭଳି ରୁଷିଆ ପ୍ରତି ବାସନ୍ଦ ଲାଗୁ ହେବା ଯୋଗୁଁ ଦେଖାଯାଇଥିଲା। ଇରାନ୍ ଦୈନିକ ଯେଉଁ ପ୍ରାୟ ଦୁଇ ନିୟୁତ ବ୍ୟାରେଲ୍ ତୈଳ ରପ୍ତାନି କରିଥାଏ, ତାହା ହେଉଛି ପୃଥିବୀରେ ମୋଟ‌ ତୈଳ ଯୋଗାଣର ମାତ୍ର ପ୍ରାୟ ଦୁଇ ଶତାଂଶ। ସେ ତୁଳନାରେ ରୁଷିଆର ଦୈନିକ ତୈଳ ରପ୍ତାନି ହେଉଛି ପ୍ରାୟ ପାଞ୍ଚ ନିୟୁତ ବ୍ୟାରେଲ୍। ତା’ଛଡ଼ା ଦୁଇ ବର୍ଷ ତଳେ ରୁଷିଅା ଯେତେବେଳେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କଲା, ସେତେବେଳେ ପୃଥିବୀରେ ତୈଳର ଯୋଗାଣ ଓ ଚାହିଦାର ଚିତ୍ର ଥିଲା ଭିନ୍ନ। ସେ ସମୟରେ କୋଭିଡ୍ ପାଣ୍ଡେମିକ୍ କବଳରୁ ସଦ୍ୟ ମୁକୁଳିବାକୁ ଆରମ୍ଭ କରୁଥିବା ପୃଥିବୀରେ ତୈଳର ଚାହିଦାରେ ଦ୍ରୁତ ବୃଦ୍ଧି ଘଟିବାକୁ ଆରମ୍ଭ କରିଥାଏ, କିନ୍ତୁ ତୈଳ ଯୋଗାଣରେ ଅନୁରୂପ ବୃଦ୍ଧି ଘଟି ନ ଥାଏ; ତେଣୁ ଯୋଗାଣରେ ଆହୁରି ସଂକୋଚନ ଘଟିବା ଯୋଗୁଁ ତୈଳ ଦରରେ ଏପରି ଆକାଶଛୁଅଁା ବୃଦ୍ଧି ଘଟିଥିଲା।
ବର୍ତ୍ତମାନର ପରିସ୍ଥିତି କିନ୍ତୁ ପୃଥକ। ସାଉଦୀଆରବ ନେତୃତ୍ବାଧୀନ ତୈଳ ରପ୍ତାନିକାରୀ ଦେଶମାନଙ୍କର ସଂଗଠନ ‘ଓପେକ୍’ ଓ ତାହାର ସାଥୀ ଦେଶମାନେ ତୈଳ ଉତ୍ପାଦନକୁ ସଂକୁଚିତ କରି ତୈଳ ଦରରେ ବୃଦ୍ଧି ଘଟାଇବା ପାଇଁ ନିକଟରେ ଚେଷ୍ଟା କରିଥିଲେ। ସେମାନଙ୍କର ସେ ଯୋଜନା କିନ୍ତୁ ସଫଳ ହୋଇ ନ ଥିଲା; ସଦସ୍ୟ ଦେଶମାନେ ପରସ୍ପରକୁ ଠକିବାକୁ ଆରମ୍ଭ କରି ନିଜର ତୈଳ ଉତ୍ପାଦନକୁ ଯୋଜନା ମୁତାବକ ସୀମିତ କରିନାହାନ୍ତି। ହତାଶ ‘ଓପେକ୍’ ସେ ସଂକୋଚନ ଯୋଜନା ପରିତ୍ୟାଗ କରି ଡିସେମ୍ବରରେ ଉତ୍ପାଦନରେ ବୃଦ୍ଧି ଘଟାଯିବ ବୋଲି ସୂଚନା ଦେଇଛି। ଏପରିକି ତୈଳ ଉତ୍ପାଦନ ସଂକୋଚନର ମୁଖ୍ୟ ସମର୍ଥକ ତଥା ସେ ଗୋଷ୍ଠୀ ମଧ୍ୟରେ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ସାଉଦୀଆରବ ମଧ୍ୟ ହତାଶ ହୋଇ ନିଜର ସ୍ବାର୍ଥରକ୍ଷା କରିବା ପାଇଁ ତୈଳ ଉତ୍ପାଦନରେ ବୃଦ୍ଧି ଘଟାଇବା ପାଇଁ ପ୍ରସ୍ତୁତ ହେଲାଣି। କେବଳ ସାଉଦୀଆରବ ଦୈନିକ ଅତିରିକ୍ତ ତିନି ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ କରିବା ପାଇଁ ସକ୍ଷମ ହୋଇଥିବା ବେଳେ, ‘ଓପେକ୍’ର ସଦସ୍ୟ ଓ ସାଥୀ ଦେଶମାନେ ମିଶି ଦିନକୁ ଅତିରିକ୍ତ ପାଞ୍ଚ ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ କରିପାରିବେ।
ବର୍ତ୍ତମାନ ପୁଣି ତୈଳ ଯୋଗାଣ‌େର ଥିବା ‘ଓପେକ୍’ର ପୂର୍ବର ଏକଚାଟିଆ ଦଖଲରେ ଅନ୍ତ ଘଟିଲାଣି। ୨୦୧୯ରେ ପୃଥିବୀର ମୋଟ ତୈଳ ଯୋଗାଣରେ ଅଣ-‘ଓପେକ୍’ ଦେଶମାନଙ୍କର ମିଳିତ ଅଂଶ ୪୪ ଶତାଂଶ ଥିବାବେଳେ ବର୍ତ୍ତମାନ ତାହା ୬୦ ଶତାଂଶକୁ ବୃଦ୍ଧି ପାଇ ସାରିଲାଣି। ଏବେ ସେଲ୍-ତୈଳ ଉତ୍ପାଦନ କରୁଥିବା ଆମେରିକା ହେଉଛି ପୃଥିବୀର ବୃହତ୍ତମ ତୈଳ ଉତ୍ପାଦକାରୀ ଦେଶ। ବ୍ରାଜିଲ୍, କାନାଡ଼ା, ଗାୟନା ଭଳି ଅନ୍ୟ ଅଣ-‘‌ଓପେକ୍’ ଦେଶମାନେ ମଧ୍ୟ ନିକଟ ଅତୀତରେ ସେମାନଙ୍କର ତୈଳ ଉତ୍ପାଦନରେ ବୃଦ୍ଧି ଘଟାଇ ଚାଲିଛନ୍ତି।
ତୈଳ ଯୋଗାଣରେ ଏଭଳି ପ୍ରାବଲ୍ୟ ପରିଲକ୍ଷିତ ହେଉଥିବା ବେଳେ ଏହି ସମୟରେ ତୈଳ ଚାହିଦାରେ ମଧ୍ୟ ଶିଥିଳତା ପ୍ରବେଶ କରିଛି। ଆମେରିକା, ଇଉରୋପ ଓ ଚୀନ୍‌ରେ ପରିଦୃଷ୍ଟ ହୋଇଥିବା ଅର୍ଥନୈତିକ ଧିମା ଅବସ୍ଥା ଯୋଗୁଁ ସ୍ବାଭାବିକ ଭାବରେ ତୈଳ ଚାହିଦା ଧିମେଇ ଯାଇଛି। ତୈଳ ଯୋଗାଣ ଓ ଚାହିଦାରେ ଦେଖାଦେଇଥିବା ଏହି ଅସନ୍ତୁଳିତ ଅବସ୍ଥା ଯୋଗୁଁ ୨୦୨୫ରେ ତୈଳ ଦର ବ୍ୟାରେଲ୍ ପିଛା ୭୦ ଡଲାର୍ ତଳେ ରହିବ ବୋଲି ତୈଳ ବ୍ୟବସାୟୀମାନେ ଅନୁମାନ ପ୍ରକାଶ କରିଛନ୍ତି।
ଏହା ଭାରତ ଭଳି ତୈଳ ଆମଦାନି ଉପରେ ନିର୍ଭରଶୀଳ ଦେଶ ପାଇଁ ଆଶ୍ବସ୍ତି ସୃଷ୍ଟି କରୁଥିଲେ ହେଁ, ଯୁଦ୍ଧର ଗତି ଏହି ଆଶ୍ବସ୍ତିକୁ କ୍ଷଣସ୍ଥାୟୀ କରିଦେଇପାରେ। ଉଦାହରଣ ସ୍ବରୂପ, ଇସ୍ରାଏଲ୍ ଯଦି ଇରାନ୍‌ର ତୈଳ ଉତ୍ପାଦନ ବ୍ୟବସ୍ଥା ଉପରେ ଆକ୍ରମଣ କରେ, ପ୍ରତ୍ୟୁତ୍ତରରେ ଇରାନ୍ ସେ ଅଞ୍ଚଳରେ ଅବସ୍ଥିତ ବାହରେନ୍, ‘ୟୁଏଇ’ ଆଦି ଦେଶମାନଙ୍କର ତୈଳ ଉତ୍ପାଦନ ଭିତ୍ତିଭୂମି ଉପରେ ଆକ୍ରମଣ କରିପାରେ, ଯେଉଁମାନେ ଇସ୍ରାଏଲ୍ ସହିତ ଅର୍ଥନୈତିକ ଚୁକ୍ତିମାନ ସ୍ବାକ୍ଷର କରିଛନ୍ତି। କିମ୍ବା ଇରାନ୍ ପ୍ରମୁଖ ଉପସାଗରୀୟ ତୈଳବାହୀ ଜାହାଜ ଯାତାୟାତ ପଥ ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିଦେଇପାରେ। ଅବଶ୍ୟ ସେପରି ଘଟିଲେ ଆମେରିକା ସିଧାସଳଖ ସାମରିକ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇପାରେ। ଇରାନ୍ ଦ୍ବାରା ଏଭଳି ତୈଳ ପରିବହନ ଅବରୋଧ ପୃଥିବୀର ବୃହତ୍ତମ ତୈଳ ଆମଦାନିକାରୀ ଦେଶ ଚୀନ୍‌ର ଅର୍ଥନୀତି ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିବ, ଯାହା ଚୀନ୍ ଓ ଇରାନ୍ ମଧ୍ୟରେ ଥିବା ବର୍ତ୍ତମାନର ମିତ୍ରତାରେ ଫାଟ ସୃଷ୍ଟି କରିବ।
ତେବେ ଏ ସମସ୍ତ ସମ୍ଭାବନା ଇରାନ୍‌ର ଧର୍ମାନ୍ଧ ଏକଛତ୍ର ଶାସକମାନଙ୍କୁ କୌଣସି ଅପରିଣାମଦର୍ଶୀ ପଦକ୍ଷେପମାନ ଗ୍ରହଣ କରିବାକୁ ନିବୃତ୍ତ କରି ନ ପାରେ। ତେଣୁ ଦୁଇ ବର୍ଷ ପୂର୍ବର ସ୍ଥିତି ତୁଳନାରେ ବର୍ତ୍ତମାନ ଆନ୍ତର୍ଜାତିକ ତୈଳ ବଜାର ସ୍ଥିତି ଅପେକ୍ଷାକୃତ ଖାଉଟି-ଅନୁକୂଳ ହୋଇଥିଲେ ହେଁ, ଏହା କେତେଦୂର ସ୍ଥାୟୀ ହେବ, ତାହା ଆଗାମୀ ଦିନମାନଙ୍କରେ ଯୁଦ୍ଧର ମୋଡ଼ ଉପରେ ନିର୍ଭର କରେ। ଯୁଦ୍ଧର ତାତିରେ ତୈଳ ଦର ତାତିବାର ବାସ୍ତବ ସମ୍ଭାବନାର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ହେବ।