ବସନ୍ତ ବା ‘ସ୍ମଲ୍ପକ୍ସ’ ଭୂତାଣୁ ଏହିପରି ଏକ ସଂପର୍କୀୟ ଭୂତାଣୁ ହୋଇଥିବାରୁ ବସନ୍ତ ଟିକା ଏହା ବିରୁଦ୍ଧରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିଥାନ୍ତା। କିନ୍ତୁ ୧୯୮୦ ଠାରୁ ପୃଥିବୀରୁ ବସନ୍ତକୁ ସଂପୂର୍ଣ୍ଣ ବିତାଡ଼ିତ କରାଯିବା ପରେ ବସନ୍ତ ଟିକାଦାନ ବନ୍ଦ ହୋଇଯାଇଥିବାରୁ ପୃଥିବୀରେ କୌଣସି ଜନସମୁଦାୟ ଠାରେ ଆଉ ସେପରି ଗୋଷ୍ଠୀ ପ୍ରତିରୋଧିନୀ ଶକ୍ତି ଉପସ୍ଥିତ ନାହିଁ କିମ୍ବା ଯଥେଷ୍ଟ ପରିମାଣର ଟିକା ମଧ୍ୟ ମହଜୁଦ ନାହିଁ।
ଗାଜାରୁ ୟୁକ୍ରେନ୍ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ସ୍ଥାନରେ ମନୁଷ୍ୟ ଯେତେବେଳେ ନିଜ ନିଜ ମଧ୍ୟରେ ବିନାଶକାରୀ ଯୁଦ୍ଧରେ ମାତିଛି, ସେତିକିବେଳେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ଦ୍ବାରା ଅଗଷ୍ଟ ୧୪ରେ ପ୍ରସାରିତ ଏକ ଘୋଷଣା ଆମକୁ ସତର୍କ କରିଦେଇଛି ଯେ ସମଗ୍ର ମନୁଷ୍ୟ ଜାତି ବର୍ତ୍ତମାନ ପୁଣି ଏକ ଭୂତାଣୁ ଆକ୍ରମଣର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଲାଣି। ‘ହୁ’ର ଏହି ଘୋଷଣା ଅନୁସାରେ ଆଫ୍ରିକାର କଙ୍ଗୋରେ ପ୍ରଥମେ ଦେଖାଦେଇଥିବା ବସନ୍ତ ଭଳି ଏକ ଭୂତାଣୁଜନିତ ରୋଗ, ‘ବାନରବସନ୍ତ’ ବା ‘ମଙ୍କିପକ୍ସ’ ବା ବର୍ତ୍ତମାନ ‘ଏମ୍ପକ୍ସ’ ନାମରେ ଚିହ୍ନିତ ଏହି ସଂକ୍ରାମକ ରୋଗ ଏବେ ‘‘ଆନ୍ତର୍ଜାତିକ ଚିନ୍ତା ଉଦ୍ରେକ କରୁଥିବା ଜନସ୍ବାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା’’ ସୃଷ୍ଟି କଲାଣି। ଚଳିତ ବର୍ଷ ଏହି ରୋଗ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା (କେସ୍ ସଂଖ୍ୟା) ୧୫,୬୦୦ ଅତିକ୍ରମ କରିସାରିଲାଣି ଓ ଏଥିଯୋଗୁଁ ଘଟିଥିବା ମୃତ୍ୟୁ ସଂଖ୍ୟା ୫୩୭ ଛୁଇଁ ସାରିଲାଣି।
କୋଭିଡ୍-୧୯ ବା ବାର୍ଡ ଫ୍ଲୁ ବା ସ୍ବାଇନ୍ ଫ୍ଲୁ ଭଳି ଏହି ଏମ୍ପକ୍ସ ହେଉଛି ଜୀବଜନ୍ତୁଙ୍କ ଠାରୁ ଡେଇଁ ମନୁଷ୍ୟକୁ ସଂକ୍ରମିତ କରୁଥିବା (ଜୁନୋଟିକ୍) ଏକ ରୋଗ। ଆଫ୍ରିକାର ଉଷ୍ଣକଟୀବନ୍ଧୀୟ ଅରଣ୍ୟମାନଙ୍କରେ ପ୍ରଥମେ ମୂଷା ଓ ମାଙ୍କଡ଼ମାନଙ୍କ ଠାରୁ ଆବିର୍ଭୂତ ହୋଇ ପରବର୍ତ୍ତୀ ସମୟରେ ଏହା ମନୁଷ୍ୟ ଠାରେ ଦେଖାଦେଇଛି। ‘ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ (‘ଡିଆର୍ସି’) ହେଉଛି ପ୍ରଥମ ଦେଶ ଯେଉଁଠି ୧୯୭୦ରେ ବାନରବସନ୍ତ ଦ୍ବାରା ଆକ୍ରାନ୍ତ ହୋଇଥିବା ସର୍ବପ୍ରଥମ ମନୁଷ୍ୟ ଚିହ୍ନଟ କରାଯାଇଥିଲା। ଦୀର୍ଘ କାଳ ଧରି ଏହାକୁ କେହି ଗୁରୁତ୍ବ ପ୍ରଦାନ ନ କରିବାରୁ ୨୦୨୨ରେ ଏହାର ବ୍ୟାପକ ପ୍ରସାର ଘଟିବା ଆରମ୍ଭ କଲା। ‘ଡିଆର୍ସି’ର ପୂର୍ବାଞ୍ଚଳରେ ଓ ଆଫ୍ରିକାର ଅନ୍ୟାନ୍ୟ ଅଞ୍ଚଳରେ ବର୍ତ୍ତମାନ ଏହି ଏମ୍ପକ୍ସର ପ୍ରସାର ସହିତ ଏହାର ଏକ ଅଧିକ ଭୟାନକ ରୂପାନ୍ତରିତ ଅବତାରର ମଧ୍ୟ ଆବିର୍ଭାବ ଘଟିଲାଣି ଯାହା ଯୌନ ସଂପର୍କ ମାଧ୍ୟମରେ ପ୍ରସାରିତ ହେଉଛି।
ଏମ୍ପକ୍ସ ସଂକ୍ରମିତ ରୋଗୀ ଠାରେ ବସନ୍ତ ଭଳି ଲକ୍ଷଣମାନ ପ୍ରକାଶ ପାଇ ଶରୀରରେ ପୂଜଭର୍ତ୍ତି ଫୋଟକାମାନ ସୃଷ୍ଟି ହୋଇଥାଏ। ସଂକ୍ରମିତ ରୋଗୀ ସହିତ ଘନିଷ୍ଠ ସଂପର୍କ ମାଧ୍ୟମରେ ଏହାର ପ୍ରସାର ଘଟିଥାଏ। ସାଧାରଣତଃ ଯୌନ ସଂପର୍କ, ପ୍ରତ୍ୟକ୍ଷ ଶାରୀରିକ ସ୍ପର୍ଶ, ରୋଗୀର ଲୁଗାପଟା, ଅନ୍ୟାନ୍ୟ ବ୍ୟବହୃତ ପଦାର୍ଥମାନଙ୍କ ସହିତ ସଂସ୍ପର୍ଶ ସ୍ଥାପନ ଆଦି ଦ୍ବାରା ସୁସ୍ଥ ଲୋକମାନେ ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାନ୍ତି। ଅଧିକାଂଶ ରୋଗୀ ସହାୟକ ଚିକିତ୍ସା ପାଇ ଦୁଇରୁ ଚାରି ସପ୍ତାହ ମଧ୍ୟରେ ରୋଗମୁକ୍ତ ହୋଇଯାଉଥିଲେ ହେଁ କେତେକ ରୋଗୀଙ୍କ କ୍ଷେତ୍ରରେ ରୋଗ ଗୁରୁତର ଆକାର ଧାରଣ କରିଥାଏ, େଯଉଁଠି ଫୋଟକାମାନଙ୍କର ଆକାର ବହୁତ ବଡ଼ ହୋଇ ଆଖି, ପାଟି, ଯୌନାଙ୍ଗ ସମେତ ଦେହସାରା ବାହାରି ପଡ଼ିଥାଏ। ଏହା ଅନ୍ୟ ଜୀବାଣୁମାନଙ୍କ ଦ୍ବାରା ସଂକ୍ରମଣ ନିମିତ୍ତ ପଥ ଉନ୍ମୁକ୍ତ କରିଦେଇଥାଏ ଏବଂ ରୋଗୀର ମୃତ୍ୟୁର କାରଣ ହୋଇଥାଏ।
ଏକ ଜନସଂଖ୍ୟାର ଯେଉଁ ବର୍ଗମାନେ ବିଶେଷ କରି ଏମ୍ପକ୍ସ ସଂକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ଥାଏ, ସେମାନେ ହେଉଛନ୍ତି ଶିଶୁ, ନବଜାତ ଶିଶୁ, ଗର୍ଭବତୀ ମହିଳା, ଏବଂ ଅନ୍ୟ କୌଣସି ସଂକ୍ରମଣ ଯୋଗୁଁ ସେମାନଙ୍କ ଶରୀରର ରୋଗ ପ୍ରତିରୋଧିନୀ ଶକ୍ତିରେ ହ୍ରାସ ଘଟିଥିବା ଲୋକମାନେ। ଉପରୋକ୍ତ ‘କ୍ଲେଡ୍ ୧ବି’ ନାମକ ରୂପାନ୍ତରିତ ଭୂତାଣୁ ଦ୍ବାରା ଘଟୁଥିବା ସଂକ୍ରମଣ ଯୋଗୁଁ ମୃତ୍ୟୁର ସମ୍ଭାବନା ଅଧିକ ହେବା ଦେଖାଯାଇଥାଏ, ଯାହା ୧.୪ ଶତାଂଶରୁ ୧୦ ଶତାଂଶ ମଧ୍ୟରେ ହୋଇପାରେ ବୋଲି ଆକଳନ କରାଯାଇଛି। ଶିଶୁମାନେ ମୃତ୍ୟୁମୁଖରେ ପଡ଼ିବା ସମ୍ଭାବନା ଅଧିକ ହୋଇଥାଏ। ଯେଉଁ ଶିଶୁମାନଙ୍କ ଠାରେ ଅପପୁଷ୍ଟି ଯୋଗୁଁ ରୋଗ ପ୍ରତିରୋଧିନୀ ଶକ୍ତି କମ୍ ହୋଇଥାଏ, କିମ୍ବା ଯେଉଁମାନେ ଅନ୍ୟାନ୍ୟ ସଂକମ୍ରଣ ପ୍ରତିରୋଧକ ଟିକା ନେଇ ନଥାନ୍ତି କିମ୍ବା ମିଳିମିଳା ଆଦି ଶିଶୁରୋଗ ଦ୍ବାରା ଆକ୍ରାନ୍ତ ହୋଇ ପ୍ରତିରୋଧିନୀ ଶକ୍ତି ହରାଇ ବସିଥାନ୍ତି, ସେମାନେ ଏମ୍ପକ୍ସ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା ବହୁ ଅଧିକ ହୋଇଥାଏ।
ଇତିମଧ୍ୟରେ ସ୍ବିଡେନ୍, ପାକିସ୍ତାନ, ଥାଇଲାଣ୍ଡ ଆଦି ଦେଶମାନଙ୍କରେ କଁାଭଁା ଏମ୍ପକ୍ସ ସଂକମ୍ରଣ ଚିହ୍ନଟ ହୋଇଥିଲେ ହେଁ ଏବଂ ଦିଲ୍ଲୀରେ ଜଣେ ରୋଗୀ ଚିହ୍ନଟ ହେବାର ଖବର ପ୍ରକାଶ ପାଇଥିଲେ ହେଁ, ‘ହୁ’ ପୃଥିବୀବାସୀଙ୍କୁ ଆଶ୍ବସ୍ତ କଲାଭଳି ସାନ୍ତ୍ବନା ପ୍ରଦାନ କରି କହିଛି ଯେ ‘‘ଏମ୍ପକ୍ସ ନୂତନ କୋଭିଡ୍ ନୁହେଁ।’’ ‘ହୁ’ ଏପରି ଦୃଢ଼ୋକ୍ତି ପ୍ରକାଶ କରିବାର ଏକ ମୁଖ୍ୟ କାରଣ ହେଉଛି ଏହା ଯେ ଯେହେତୁ ବିକାଶିତ ଦେଶମାନଙ୍କରେ ଶିଶୁମାନେ ଅଧିକ ସ୍ବାସ୍ଥ୍ୟବାନ ହୋଇଥାନ୍ତି ଓ ଉତ୍ତମ ଲାଳନପାଳନ ଲାଭ କରିଥାନ୍ତି, ସେମାନଙ୍କ ଠାରେ ଉଚ୍ଚ ରୋଗ ପ୍ରତିରୋଧିନୀ ଶକ୍ତି ଉପସ୍ଥିତ ଥାଏ, ଯାହା ଏମ୍ପକ୍ସ ଭୂତାଣୁକୁ ପରାସ୍ତ କରିଥାଏ। ଏଭଳି ଚିନ୍ତାଧାରା କିନ୍ତୁ ଏକ ପାତରଅନ୍ତର ଆଭିମୁଖ୍ୟ ବହନ କରି ନ ଥାଏ କି? ଗରିବ ଓ ବିକାଶଶୀଳ ଦେଶର ଶିଶୁମାନଙ୍କ ଅବସ୍ଥା କଥା ଚିନ୍ତା କରିବା କ’ଣ ‘ହୁ’ର ଦାୟିତ୍ବ ନୁହେଁ? ତେବେ ‘ହୁ’ ଆଶା କରୁଛି ଯେ ଆଫ୍ରିକାର ଯେଉଁ ଅଞ୍ଚଳରେ ବର୍ତ୍ତମାନ ଏମ୍ପକ୍ସ ସଂକ୍ରମଣରେ ତୀକ୍ଷ୍ଣ ବୃଦ୍ଧି ଘଟିବା ଦେଖାଯାଇଛି, ସେ ସଂକ୍ରମଣକୁ ସେଇ ଅଞ୍ଚଳରେ ହିଁ ଆବଦ୍ଧ କରି ରଖି ଦିଆଯାଇପାରିବ। ଏହା ହେଉଛି ଏକ ଦିବାସ୍ବପ୍ନ ମାତ୍ର। ଏହାର ସରଳ କାରଣ ହେଲା କଙ୍ଗୋର ସଂକ୍ରମଣ ବ୍ୟାପିଥିବା ଅଞ୍ଚଳ ହେଉଛି ଏକ ଭୟଙ୍କର ଗୃହଯୁଦ୍ଧଗ୍ରସ୍ତ ଅଞ୍ଚଳ ଯେଉଁଠି ସ୍ବାସ୍ଥ୍ୟକର୍ମୀମାନଙ୍କର ପ୍ରବେଶ ହେଉଛି କାଠିକର ପାଠ।
ଏମ୍ପକ୍ସ ଭୂତାଣୁ ପାଇଁ ନିର୍ଦ୍ଦିଷ୍ଟ ଟିକା ବର୍ତ୍ତମାନ ଉପଲବ୍ଧ ହୋଇନାହିଁ, କିନ୍ତୁ ‘ହୁ’ କହିବା ଅନୁସାରେ ଏହାର ଅନ୍ୟ ସଂପର୍କୀୟ ‘ପକ୍ସ’ ଭୂତାଣୁମାନଙ୍କ ପାଇଁ ବ୍ୟବହୃତ ଟିକାଦାନ ଦ୍ବାରା ଶରୀରରେ ଏମ୍ପକ୍ସ ଭୂତାଣୁ ବିରୁଦ୍ଧରେ କିଛି ମାତ୍ରାରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୋଇଥାଏ। ବସନ୍ତ ବା ‘ସ୍ମଲ୍ପକ୍ସ’ ଭୂତାଣୁ ଏହିପରି ଏକ ସଂପର୍କୀୟ ଭୂତାଣୁ ହୋଇଥିବାରୁ ବସନ୍ତ ଟିକା ଏହା ବିରୁଦ୍ଧରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିଥାନ୍ତା। କିନ୍ତୁ ୧୯୮୦ ଠାରୁ ପୃଥିବୀରୁ ବସନ୍ତକୁ ସଂପୂର୍ଣ୍ଣ ବିତାଡ଼ିତ କରାଯିବା ପରେ ବସନ୍ତ ଟିକାଦାନ ବନ୍ଦ ହୋଇଯାଇଥିବାରୁ ପୃଥିବୀରେ କୌଣସି ଜନସମୁଦାୟ ଠାରେ ଆଉ ସେପରି ଗୋଷ୍ଠୀ ପ୍ରତିରୋଧିନୀ ଶକ୍ତି ଉପସ୍ଥିତ ନାହିଁ କିମ୍ବା ଯଥେଷ୍ଟ ପରିମାଣର ଟିକା ମଧ୍ୟ ମହଜୁଦ ନାହିଁ।
ଏହି ପୃଷ୍ଠଭୂମିରେ ଭାରତକୁ କୋଭିଡ୍ ଭଳି ଏକ ସମ୍ଭାବ୍ୟ ବାନରବସନ୍ତ ସଂକ୍ରମଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଏହି ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବିମାନ ବନ୍ଦରମାନଙ୍କରେ ସ୍ବାସ୍ଥ୍ୟ ନିରୀକ୍ଷକମାନଙ୍କୁ ବହିରାଗତମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ନିମିତ୍ତ ମୁତୟନ କରାଯିବା ଆବଶ୍ୟକ। ବର୍ତ୍ତମାନ ଦେଶରେ ଏହାର ପରୀକ୍ଷା କରିବା ପାଇଁ ୩୨ଟି ପରୀକ୍ଷାଗାର ଉପଲବ୍ଧ ଅଛନ୍ତି; ସେଗୁଡ଼ିକର ସଂଖ୍ୟାରେ ତୁରନ୍ତ ବୃଦ୍ଧି ଘଟାଇବା ଜରୁରି। ଆଇସିଏମ୍ଆର୍ ସହଯୋଗରେ ‘ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏହା ପାଇଁ ଏକ ଟିକା ଉଦ୍ଭାବନ ଉଦ୍ୟମ ଆରମ୍ଭ କରିଦେଲାଣି ବୋଲି ପ୍ରକାଶ ପାଇଥିବା ଖବର ବେଶ୍ ଉତ୍ସାହଜନକ। କୋଭିଡ୍ର ମୁକାବିଲାରୁ ଅାମେ ଲାଭ କରିଥିବା ଶିକ୍ଷା ନିଶ୍ଚିତ ରୂପେ ବାନରବସନ୍ତର ସମ୍ଭାବ୍ୟ ମୁକାବିଲାରେ ଉପଯୋଗୀ ହେବ, କିନ୍ତୁ ସେଥିପାଇଁ ଆମକୁ ବର୍ତ୍ତମାନ ସଦା ଜାଗ୍ରତ ରହିବାକୁ ହେବ।