ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଯଦି ବର୍ତ୍ତମାନ ନୀଚା ଥାନ୍ତା, ତେବେ ହୁଏତ ଖାଦ୍ୟ ମୁଦ୍ରାସ୍ଫୀତି ଲାଗିରହିଥିଲେ ମଧ୍ୟ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇ ସାରିଥାନ୍ତା‌; କିନ୍ତୁ ଯେହେତୁ ଅଭିବୃଦ୍ଧି ସନ୍ତୋଷଜନକ ଅଛି, ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଖାଦ୍ୟ ମୁଦ୍ରାସ୍ଫୀତିରେ ହ୍ରାସ ଘଟିବାକୁ ଅପେକ୍ଷା କରିଛି। ତେବେ, ଯଦି ପରିସ୍ଥିତିରେ ପରିବର୍ତ୍ତନ ଘଟେ ଓ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଭଳି ନୀଚା ରହିଚାଲେ, ଅ‌କ୍‌ଟୋବରରେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ବହୁ ପ୍ରତୀକ୍ଷିତ ହ୍ରାସ ଘଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ।

Advertisment

ଭାରତରେ ଖାଉଟି ମୁଦ୍ରାସ୍ଫୀତି ହାର ଜୁଲାଇରେ ୩.୫ ଶତାଂଶ ଛୁଇଁବା ହେଉଛି ଏକ ଉ‌େଲ୍ଲଖନୀୟ ଘଟଣା। ଏହାର ଅର୍ଥ ହେଲା ଠିକ୍ ଏକ ବର୍ଷ ପୂର୍ବର ଖାଉଟି ଦ୍ରବ୍ୟ ସବୁର ଦରଦାମ୍‌ ତୁଳନାରେ ଚଳିତ ବର୍ଷ ଜୁଲାଇରେ ସେଥିରେ ମାତ୍ର ୩.୫ ଶତାଂଶ ବୃଦ୍ଧି ଘଟିଥିଲା। ଏହା ଉଲ୍ଲେଖନୀୟ ଏଇଥିପାଇଁ ଯେ ଏହି ମୁଦ୍ରାସ୍ଫୀତି ହାର ହେଉଛି ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପିତ ୪ ଶତାଂଶ ଆଦର୍ଶ ହାର ଲକ୍ଷ୍ୟ ହାସଲ ହୋଇଥିବାର ଏକ ନିଶ୍ଚିତ ସୂଚନା, ଏବଂ ଏହା ମଧ୍ୟ ହେଉଛି ବିଗତ ୫୯ ମାସ ଅର୍ଥାତ୍ ପାଖାପାଖି ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପରିଦୃଷ୍ଟ ହୋଇଥିବା ସର୍ବନିମ୍ନ ଖାଉଟି ମୁଦ୍ରାସ୍ଫୀତି ହାର। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରୁଥିବା ରିଜର୍ଭ ବ୍ୟାଙ୍କ୍ ଏହି ଲକ୍ଷ୍ୟ ହାସଲକୁ ଅପେକ୍ଷା କରି ଏ ପର୍ଯ୍ୟନ୍ତ ବିଗତ ୧୮ ମାସ ଧରି ‘ରେପୋ ରେଟ୍’ ଅର୍ଥାତ୍ ନିର୍ଣ୍ଣାୟକ ସୁଧ ହାରରେ ଆଦୌ ହ୍ରାସ ନ ଘଟାଇ ତାହାକୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖି ଆସିଛି। ରିଜର୍ଭ ବ୍ୟାଙ୍କ୍‌ର ସୁଧ ହାରରେ ହ୍ରାସ ଘଟାଇବା ପାଇଁ ଏହି କୁଣ୍ଠା ନିବେଶକ ଓ ଶିଳ୍ପବାଣିଜ୍ୟ ଉଦ୍ୟୋଗୀମାନଙ୍କୁ ଏ ପର୍ଯ୍ୟନ୍ତ ହତାଶ କରିଆସିଛି। ଏବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲକ୍ଷ୍ୟ ହାସଲ ହେବାର ଏହି ସୂଚନା ସ୍ବାଭାବିକ ଭାବରେ ସେମାନଙ୍କ ଠାରେ ଏକ ଆଶାର ସଞ୍ଚାର କରିପାରୁଥାଏ ଯେ ଆଗାମୀ ଅକ୍‌ଟୋବରରେ ଅନୁଷ୍ଠିତ ହେବାକୁ ଯାଉଥିବା ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରକ କମିଟିର ଦ୍ବିମାସିକ ବୈଠକରେ ‘ରେପୋ ରେଟ୍’ରେ ହ୍ରାସ ଘଟାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ପ୍ରାୟ ନିଶ୍ଚିତ।

ସେମାନଙ୍କର ଏହି ଆଶାକୁ ନିରାଶାରେ ପରିଣତ କରିବା ପାଇଁ ଏଇ ନାଟକରେ କିନ୍ତୁ ଯେଉଁ ଏକ ଖଳନାୟକ ଅନ୍ତର୍ଘାତୀ କାର୍ଯ୍ୟ କରୁଛି, ତାହା ହେଲା, ଖାଦ୍ୟଦ୍ରବ୍ୟର ଦରଦାମ୍‌ରେ ବୃଦ୍ଧି ବା ଖାଦ୍ୟ ମୁଦ୍ରାସ୍ଫୀତି, ଯାହା ଉପରୋକ୍ତ ଖାଉଟି ମୁଦ୍ରାସ୍ଫୀତି (ହେଡ୍‌ଲାଇନ୍ ଇନ୍‌ଫ୍ଲେସନ୍)ର ଏକ ଅଂଶ ହୋଇଥିଲେ ହେଁ ନିରାପଦ ୪ ଶତାଂଶ ସ୍ତରଠାରୁ ଉପରେ ରହିଚାଲିଛି। ୨୦୨୩-୨୪ ବିତ୍ତ ବର୍ଷରେ ଏହି ଖାଦ୍ୟ ମୁଦ୍ରାସ୍ଫୀତି ହାର ହାରାହାରି ୭.୫ ଶତାଂଶ ଥିବାବେଳେ ୨୦୨୪-୨୫ ବିତ୍ତ ବର୍ଷର ଏପ୍ରିଲ୍-ଜୁନ୍ ପ୍ରଥମ ଚଉଠରେ ତାହା ଥିଲା ୮.୯ ଶତାଂଶ। ଏଥି‌ରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଏକ ଉଚ୍ଚ ସୁଧ ହାର ଖାଦ୍ୟ ମୁଦ୍ରାସ୍ଫୀତିକୁ କାବୁ କରିବାରେ ବିଫଳ ହୋଇଛି। ଏହାର କାରଣ ଅବଶ୍ୟ ଅଜଣା ନୁହେଁ। ସୁଧ ହାର ବଜାରର ଚାହିଦା ପାର୍ଶ୍ବକୁ ନିୟନ୍ତ୍ରିତ କରି ଦରଦାମ୍‌କୁ ନିୟନ୍ତ୍ରଣ କରିଥାଏ; କିନ୍ତୁ ଖାଦ୍ୟଦ୍ରବ୍ୟ ଦରଦାମ୍‌ ଯୋଗାଣ ପାର୍ଶ୍ବରେ ପରିବର୍ତ୍ତନ ଦ୍ବାରା ଅଧିକ ପ୍ରଭାବିତ ହୋଇଥାଏ (ଅଧିକ ବାଇଗଣ ଅମଳ ହେଲେ ବାଇଗଣ ଦରରେ ହ୍ରାସ ଘଟିବ ଓ ଅମଳ କମ୍ ହେଲେ ଦର ବୃଦ୍ଧି ଘଟିବ)। ଦେଖାଯାଇଛି ଯେ ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ୍‌ର କଠୋର ସୁଧ ନୀତିର ପ୍ରଭାବରେ ଦେଶରେ ଅଣ-ଖାଦ୍ୟ ଖାଉଟି ମୁଦ୍ରାସ୍ଫୀତି ପ୍ରାୟ ନିୟନ୍ତ୍ରଣାଧୀନ ହୋଇପାରିଥିବା ବେଳେ, ଏହି କାରଣରୁ ଖାଦ୍ୟ ମୁଦ୍ରାସ୍ଫୀତି ବୋଲ ମାନୁନାହିଁ। ତେଣୁ ବର୍ତ୍ତମାନ ଏକ ଚିନ୍ତାଧାରା ବଳବତ୍ତର ହେବାକୁ ଲାଗିଲାଣି ଯେ ରିଜର୍ଭ ବ୍ୟାଙ୍କ୍ ଖାଦ୍ୟ ମୁଦ୍ରାସ୍ଫୀତିକୁ ବାଦ୍ ଦେଇ କେବଳ ଅଣ-ଖାଦ୍ୟ ଖାଉଟି ମୁଦ୍ରାସ୍ଫୀତି ଅବସ୍ଥାକୁ ବିଚାରକୁ ନେଇ ତା’ର ସୁଧ ନୀତି ନିର୍ଦ୍ଧାରଣ କରିବା ଉଚିତ। ଏହି ଚିନ୍ତାଧାରାକୁ ନିକଟରେ ଯାହା ସବୁଠାରୁ ଅଧିକ ଶକ୍ତି ଯୋଗାଇଛି, ତାହା ହେଉଛି ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣ (ଇକୋନୋମିକ୍ ସର୍ଭେ) ରିପୋର୍ଟ। ସେଥିରେ ରିଜର୍ଭ ବ୍ୟାଙ୍କ୍ ଅନୁସରଣ କରୁଥିବା ମୁଦ୍ରାସ୍ଫୀତି ନିଶାଣ (ଇନ୍‌ଫ୍ଲେସନ୍ ଟାର୍ଗେଟ୍)ରୁ ଖାଦ୍ୟଦ୍ରବ୍ୟର ଦରଦାମ୍‌କୁ ବାଦ୍ ଦିଆଯିବା ପାଇଁ ଆହ୍ବାନ ଦିଆଯାଇଥିଲା। କିନ୍ତୁ ଖାଦ୍ୟ ମୁଦ୍ରାସ୍ଫୀତି ଜଳବାୟୁରୁ ଆରମ୍ଭ କରି ଫସଲରେ ରୋଗପୋକ ପର୍ଯ୍ୟନ୍ତ ବିଭିନ୍ନ ଯୋଗାଣଭିତ୍ତିକ କାରଣମାନ ଦ୍ବାରା ପ୍ରଭାବିତ ଏକ ଅସୁବିଧାଜନକ ସତ୍ୟ ହୋଇଥିଲେ ହେଁ, ପ୍ରସ୍ତାବ ଦିଆଯାଉଥିବା ଭଳି ଏଥିପ୍ରତି ଆଖି ବୁଜି ଦିଆଯାଇ ପାରିବ କି?

ଖାଉଟି ଦରଦାମ୍‌ ସୂଚକାଙ୍କ ପ୍ରସ୍ତୁତିରେ ଅନ୍ତର୍ଭୁକ୍ତ ଦ୍ରବ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ପାନୀୟର ଅଂଶ ହେଉଛି ଏକ ଉଚ୍ଚ ୪୫.୯ ଶତାଂଶ। ଦେଖାଯାଇଛି ଯେ କୋଭିଡ୍ ପରବର୍ତ୍ତୀ ସମୟରେ ଖାଉଟି ମୁଦ୍ରାସ୍ଫୀତି ପ୍ରତି ସର୍ବୋଚ୍ଚ ଅବଦାନ ରହିଆସିଛି ଖାଦ୍ୟ ମୁଦ୍ରାସ୍ଫୀତିର। ବିଗତ ଏକ ବର୍ଷ ଧରି ଏହାର ଅବଦାନ ୫୦ ପ୍ରତିଶତରୁ ଅଧିକ ହୋଇଆସିଛି। ଜଳବାୟୁ ପରିବର୍ତ୍ତନଜନିତ ଅସ୍ଥିରତା ଯୋଗୁଁ ଆଗାମୀ ସମୟରେ ଖାଦ୍ୟଦ୍ରବ୍ୟ ଦରଦାମ୍‌ ପରିସ୍ଥିତି ଆହୁରି ଅଧିକ ଅସ୍ଥିର ହେବା ପ୍ରାୟ ନିଶ୍ଚିତ। ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ଭଲ ରୂପେ ଜଣା ଯେ ପରିବାରମାନଙ୍କର ମୁଦ୍ରାସ୍ଫୀତି ସମ୍ବନ୍ଧରେ ପ୍ରତ୍ୟାଶା ଖାଉଟି ଭାବରେ ସେମାନଙ୍କର ଆଚରଣକୁ ପ୍ରଭାବିତ କରି ଚାହିଦା ପାର୍ଶ୍ବକୁ ଚାପଗ୍ରସ୍ତ କରିଥାଏ ବା ନ ଥାଏ। ସେମାନଙ୍କର ଏହି ମୁଦ୍ରାସ୍ଫୀତି ପ୍ରତ୍ୟାଶା (ଇନ୍‌ଫ୍ଲେସନାରି ଏକ୍ସପେକ୍ଟେସନ୍‌ସ) ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥମାନଙ୍କର ଦରଦାମ୍‌ରେ ସଦ୍ୟ ପରିଲକ୍ଷିତ ଧାରା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏହି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଝୁଡ଼ିରେ ସବା ଉପରେ ଥିବା ପଦାର୍ଥମାନ ହେଉଛନ୍ତି ଖାଦ୍ୟ ଓ ଇନ୍ଧନ। ଖାଦ୍ୟ ମୁଦ୍ରାସ୍ଫୀତି ସେଇଥିପାଇଁ ମୁଦ୍ରାସ୍ଫୀତି ପ୍ରତ୍ୟାଶାକୁ ସର୍ବାଧିକ ପ୍ରଭାବିତ କରିଥାଏ। ତେଣୁ ଜୁଲାଇ ୨୦୨୩ ଠାରୁ ଲଗାତାର ଭାବରେ ଉଚ୍ଚା ରହିଆସିଥିବା ଖାଦ୍ୟ ଦରଦାମ୍‌ ଦେଶରେ ମୁଦ୍ରାସ୍ଫୀତି ପ୍ରତ୍ୟାଶାକୁ ମଧ୍ୟ ଉଚ୍ଚା ରଖିଆସିଛି।

ରିଜର୍ଭ ବ୍ୟାଙ୍କ୍ ଦ୍ବାରା କରାଯାଇଥିବା ମୁଦ୍ରାସ୍ଫୀତି ପ୍ରତ୍ୟାଶା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମୁଦ୍ରାସ୍ଫୀତି ପରିସ୍ଥିତି ସମ୍ବନ୍ଧରେ ପରିବାରମାନେ ଯେଉଁ ଧାରଣା ପୋଷଣ କରିଥାନ୍ତି, ତାହା ଖାଉଟି ମୁଦ୍ରାସ୍ଫୀତି ସହିତ ମେଳ ନ ଖାଇ ଖାଦ୍ୟ ମୁଦ୍ରାସ୍ଫୀତି ସହିତ ଅଧିକ ମେଳ ଖାଇଥାଏ। ଏହା ଅର୍ଥ ଖାଉଟି ମୁଦ୍ରାସ୍ଫୀତି ହାର ନୀଚା ହୋଇଥିଲେ ବି ଯଦି ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତି ହାର ଉଚ୍ଚା ହୋଇଥାଏ, ତେବେ ପରିବାରମାନେ ମୁଦ୍ରାସ୍ଫୀତି ଉଚ୍ଚା ଅଛି ବୋଲି ବିଶ୍ବାସ କରିଥାନ୍ତି ଓ ସେଇ ଅନୁଯାୟୀ ଆଚରଣ ପ୍ରଦର୍ଶନ କରିଥାନ୍ତି। ସେମାନଙ୍କର ଏହି ଆଚରଣ କ୍ରମେ ଅଣ-ଖାଦ୍ୟ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଥାଏ। ଦୁଇଟି ପଥ ଦେଇ ଏହି ସଂକ୍ରମଣ ଘଟିଥାଏ: ଦର ବୃଦ୍ଧି → ମଜୁରି ବୃଦ୍ଧି ଯୋଗସୂତ୍ର ଓ ଭବିଷ୍ୟତ୍‌ର ଦର ବୃଦ୍ଧି ଆଶଙ୍କା ଦ୍ବାରା ପ୍ରଭାବିତ ହୋଇ ପରିବାରମାନେ ବର୍ତ୍ତମାନ ତରବର ହୋଇ ଖର୍ଚ୍ଚ କରିପକାଇବାର ପ୍ରବୃତ୍ତି, ଯାହାକୁ ଅର୍ଥଶାସ୍ତ୍ରରେ ‘ପଇସାରୁ ପଳାୟନ’ (‘ଫ୍ଲାଇଟ୍ ଫ୍ରମ୍ ମନି’) ରୂପେ ଅଭିହିତ କରାଯାଇଥାଏ। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସମେତ ପୃଥିବୀ ସାରାର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ଏଭଳି ପରିସ୍ଥିତିକୁ ସର୍ବଦା ଏଡ଼ାଇବାକୁ ଚାହିଁଥାନ୍ତି। ରିଜର୍ଭ ବ୍ୟାଙ୍କ୍ କରିଥିବା ଗବେଷଣାରୁ ଆବିଷ୍କାର କରିଛି ଯେ ଖାଦ୍ୟ ମୁଦ୍ରାସ୍ଫୀତିର ୯୦ ଶତାଂଶ ପାଣିପାଗ, ଯୋଗାଣ ବିଭ୍ରାଟ ଓ ଆନ୍ତର୍ଜାତିକ ବଜାରରେ ଅସ୍ଥିରତା ଦ୍ବାରା ପ୍ରଭାବିତ ହୋଇଥାଏ, କିନ୍ତୁ ୧୦ ଶତାଂଶ ଚାହିଦା ପାର୍ଶ୍ବ କାରଣମାନଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଯଦି ବର୍ତ୍ତମାନ ନୀଚା ଥାନ୍ତା, ତେବେ ହୁଏତ ଖାଦ୍ୟ ମୁଦ୍ରାସ୍ଫୀତି ଲାଗିରହିଥିଲେ ମଧ୍ୟ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇ ସାରିଥାନ୍ତା‌; କିନ୍ତୁ ଯେହେତୁ ଅଭିବୃଦ୍ଧି ସନ୍ତୋଷଜନକ ଅଛି, ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଖାଦ୍ୟ ମୁଦ୍ରାସ୍ଫୀତିରେ ହ୍ରାସ ଘଟିବାକୁ ଅପେକ୍ଷା କରିଛି। ତେବେ, ଯଦି ପରିସ୍ଥିତିରେ ପରିବର୍ତ୍ତନ ଘଟେ ଓ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଭଳି ନୀଚା ରହିଚାଲେ, ଅ‌କ୍‌ଟୋବରରେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ବହୁ ପ୍ରତୀକ୍ଷିତ ହ୍ରାସ ଘଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ।